[ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ପାଇଛନ୍ତି]
ଅନ୍ଧାରୁଆ ନିବୁଜ ସେଇ ଜେଲ କୋଠରୀ ଭିତରର ଘନଅନ୍ଧକାର ଭିତରେ କ୍ଷୁଦ୍ର ଏକ ଝରକା ଦେଇ ଦୁଇଧାର ଆଲୋକ ରଶ୍ମିର ଝାପସା ଆଲୋକରେ ଅସ୍ପଷ୍ଟ ଅନ୍ଧାରୁଆ କୋଣରେ ମଥା ପୋତି ଭାଗ୍ୟକୁ ଆଦରି ବସି ରହିଥାଏ ସ୍ମିତା। ହଠାତ ସେଇ ଲୁହା ଗେଟଟା ଖୋଲି ଜଣେ ମହିଳା ପୋଲିସକର୍ମୀ ଖାଇବାଥାଳି ଧରି ଭିତରକୁ ପଶି ଆସିଲେ। ଖାଇବା ଥାଳିଟାକୁ ସ୍ମିତା ପାଖରେ ରଖିଦେଇ ବସିପଡ଼ିଲେ। ଆଜକୁ ଦଶ ଦିନ ବିତିଯାଇଛି ସେଇ ଜେଲଘର ଭିତରେ। ଆଉ ସେଇ ଦଶଦିନ ଭିତରେ ସେଇ ମହିଳା ଜଣକ ପ୍ରତିଦିନ ତାଙ୍କୁ ଖାଇବାକୁ ଦେଇ ଆସୁଛନ୍ତି। ସବୁଦିନ ପରି ଆଜି ବି ମୁଣ୍ଡ ଉପରେ ଆଉଁସି ଦେଇ ଖାଇବା ପାଇଁ କହିଲେ। ନିଜ ଝିଅ ପରି ତା’ର ପ୍ରତିଟି ସମୟରେ ଦୁଃଖ ସୁଖ ବୁଝି ଆସୁଛନ୍ତି। ଅନେକ ଥର ତାକୁ ପୋଲିସ ବାବୁ ଜେରା କଲେଣି ହେଲେ କେବେ ବି ତା ପାଟି ଫିଟେନି। ଖାଲି ଗୋଟିଏ କଥା ସବୁବେଳେ କହିଆସୁଛି “ମୁଁ ନିର୍ଦୋଷ... ମୁଁ ନିର୍ଦୋଷ... ମୁଁ କିଛି ଭୁଲ କରିନି...” ଏଇ ଗୋଟିଏ ପଦ କଥା ଛଡ଼ା ଆଉ କିଛି ବି ସେ କହେନି। ଏପରିକି ସେଇ ଭଦ୍ର ମହିଳା ମଧ୍ୟ ଅନେକ ଥର ତାଙ୍କୁ ଏ ବିଷୟରେ ପଚାରିଛନ୍ତି ହେଲେ କେବେ ବି କିଛି କହିନି। ସବୁ ଦିନ ପରି ସେଇ ଅନ୍ଧାରୁଆ କୋଣରେ ମଥାପାତି ଅପେକ୍ଷା କରିରହିଥାଏ ସେଇ ନ୍ୟାୟାଳୟର ଅନ୍ତିମ ନ୍ୟାୟକୁ।
ଏମିତି କିଛି ଦିନ ବିତିଯାଇଛି ଆସନ୍ତା ମଙ୍ଗଳବାର ନ୍ୟାୟାଳୟ ତା’ର ଶେଷ ନିଷ୍ପତ୍ତି ଶୁଣେଇବ ହେଲେ ସ୍ମିତା ମୁହଁରେ ନ ଥାଏ ଭୟର ଆଭାସ। ତା’ର କ୍ଷୁଦ୍ର ମାନସିକତା ଭିତରେ ସେ ଭାବିନେଇ ଥିଲା ସେ ଯାହା କରିଛି ଠିକ କରିଛି। କେତେ ବା ଆଉ ସହିଥାନ୍ତା। ସେମିତି ଜୀବନ ଜୀଇଁବା ଅପେକ୍ଷା ସେଇ ରକ୍ଷସଟାର ରକ୍ତ ପିଇ ଶୁଳୀରେ ଚଢ଼ିବାକୁ ସେ ଶ୍ରେୟ ମଣିନେଇଛି। ଚିନ୍ତା ଅଛି ତ ଖାଲି ତା ପୁଅ ଟିଙ୍କୁର। ଭଲରେ ଦୁନିଆ ବି ଦେଖିନି ସେ। ଏଡ଼େ ବଡ଼ ଦୁନିଆରେ ତା’ର ଆଉ ଅଛି ବା କିଏ ଯେ ସେ ତାର ସହାରା ସାଜିବ। ତଥାପି ଭଗବାନଙ୍କ ଉପରେ ତା’ର ଗଭୀର ବିଶ୍ୱାସ। ତା’ର କିଛି ଅସୁବିଧା ହେବାକୁ ସେ ଦେବେ ନାହିଁ। ଏମିତି ଅନେକ କିଛି ଭାବୁଥାଏ ସେ। ତା’ରି ସାଙ୍ଗକୁ ମନେ ପଡ଼ିଯାଏ ତାର ସେଇ ଅତୀତ ଘଟଣା ସବୁ। କେତେ ସ୍ୱପ୍ନ ଦେଖିଥିଲା ସେ। ଆଜି ଯେମିତି ତାର ସେଇ ସବୁ ସ୍ୱପ୍ନରେ ଗ୍ରହଣ ଲାଗିଯାଇଛି। ସବୁ ସ୍ୱପ୍ନ ତା’ର ଚୁରମାର୍ ହୋଇ ଯାଇଛି ଆଜି। ବାପା ମାଆଙ୍କ ସମ୍ମାନ ପାଇଁ ସେ ବଳି ପକେଇ ଦେଇଥିଲା ନିଜ ପ୍ରେମକୁ ଆଉ ପ୍ରଶାନ୍ତର ହାତ ଧରିଥିଲା। ହେଲେ ସେ କଣ ଜାଣିଥିଲା ସେଇ ମଣିଷ ଚେହେରା ଭିତରେ ଲୁଚି ରହିଛି ହିଂସ୍ର ନରରାକ୍ଷସଟିଏ। ତଥାପି ଅନେକ ଚେଷ୍ଟା କରିଛି ତାକୁ ସୁଧାରିବା ପାଇଁ ହେଲେ କିଛି ଲାଭ ମିଳିନି। ବାହାଘର ପରଠାରୁ କାମଧନ୍ଦା ତ ଦୂର କଥା ଓଲଟା ବିକ୍ରି କରିଛି ଯୌତୁକରେ ମିଳିଥିବା ସାମାନ ସବୁକୁ ଆଉ ପ୍ରତିଦିନ ଜୁଆ ଓ ମଦରେ ଉଡ଼େଇ ଦେଇଛି ସବୁ ଟଙ୍କା। ତଥାପି କିଛି କହିନି ସ୍ମିତା। କହିଲେ ବା କଣ ମିଳିବ, ମିଳିବ ତ କେବଳ ଚମଡା ବେଲ୍ଟ୍ର ମାଡ଼। ଶେଷରେ ଘରଖର୍ଚ୍ଚ ପାଇଁ ପଡୋଶୀ ଘରେ କାମ କରିଛି, ମୂଲ ଲାଗିଛି। ଏମିତିରେ ପ୍ରାୟ ତିନିବର୍ଷ ବିତିଯାଇଛି। ଆଉ ସେଇ ତିନିବର୍ଷ ଭିତରେ ସ୍ମିତା ମୁଣ୍ଡରେ ଆଉ ଗୋଟିଏ ବୋଝ। ଆଉ ସେ ହେଉଛି ରିଙ୍କୁ। ପୁଅଟାକୁ କେମିତି ମଣିଷ କରିବ ସେଇ ଚିନ୍ତାରେ ସେ କିଛି କିଛି ପଇସା ସଂଗ୍ରହ କରିବାରେ ଲାଗିପଡ଼ିଲା। ତା’ ପୁଣି ପ୍ରଶାନ୍ତର ଅଜାଣତରେ।
ସେମିତି ଗୋଟେ ଦିନର କଥା ରାତ୍ରୀ ୧୧ଟା ହୋଇ ସାରିଥାଏ। ଏ ଯାଏ ଆସି ନଥାଏ ପ୍ରଶାନ୍ତ। ଘରର ପ୍ରବେଶ ଦ୍ୱାର ପାଖରେ ସ୍ମିତା ଚାହିଁ ରହିଥାଏ ତା ଆସିବା ବେଳକୁ। ସବୁଦିନ ଅପେକ୍ଷା ସ୍ମିତା ଆଜି ସମ୍ପୂର୍ଣ୍ଣ ଭାବରେ ରାଗିଯାଇଥାଏ। ଏତିକି ବେଳେ ପ୍ରଶାନ୍ତ ଆସିଛି। ତା ପାଦ ଦୁଇଟି ବି ସେ ଭଲରେ ଥାପି ପାରୁନଥାଏ। ସମୂର୍ଣ୍ଣ ମାତାଲ ହେଇ ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା। ମୁହଁ ଲାଲ ଦେଖାଯାଉଥିଲା। “କୋଉଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?” ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ। ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, “ମୋତେ ଭୋକ ଲାଗିଲାଣି ଜଲଦି ଖାଇବାକୁ ବାଢ।”
ସ୍ମିତା ଆବାକ ହେଇ ଚାହିଁ ରହିଥିଲା। କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡୁନି? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ। ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ। ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା। ଏତିକି ବେଳେ ପ୍ରଶାନ୍ତ ରାଗିଯାଇ ସ୍ମିତାକୁ ବହୁତ ମାଡ଼ ମାରିଲା ତା ସହ ତାକୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛି। ତା ସହ ରିଙ୍କୁକୁ ମଧ୍ୟ ମାରିଦେବ ବୋଲି ସେ ରୋକଠୋକ କରି କହିଛି। ଏଇ ସବୁ ଶୁଣି ସାରିଲା ପରେ ସ୍ମିତା ନିଜର ଶେଷ ନିଷ୍ପତି ନେଇଛି। ସେ ଆଜି ଯାହା ହେଲେବି ଏଇସବୁର ଅନ୍ତ କରିବ। ଆଉ ସେଇଥି ପାଇଁ ପ୍ରଶାନ୍ତକୁ ଅନେକ ନେହୁରା ମଧ୍ୟ ହେଇଛି ତାକୁ ଛାଡ଼ି ଦେବାକୁ। ହେଲେ ସେଇ ରାକ୍ଷସଟା ତା ପଦେ କଥା ମଧ୍ୟ ଶୁଣିଲାନି। ଶେଷରେ ଖାଇବା ଆଣିବାକୁ କହି ସେଇଠି ସେମିତି ବସିପଡିଲା। ସ୍ମିତା ରୋଷେଇ ଘରକୁ ଆସି ଅନେକ କିଛି ଭାବିଲା ପରେ ନିଜ ହାତରେ ନିଜ ସିନ୍ଦୁର ଓ ଶଙ୍ଖାକୁ ମିଟେଇ ଦେବାକୁ ସ୍ଥିର କରିନେଇଛି। ଆଉ ସେଇଥି ପାଇଁ ଖାଇବାରେ ବିଷ ମିଶେଇ ଦେଇଛି। ଆଉ ସାଜି ଯାଇଛି ବିଧବା। ଆଉ ସେଇ ଦିନଠୁ ଆଜି ଯାଏ ସେ ଅନେକ ଥର ନିଜକୁ ପ୍ରଶ୍ନ କରିଛି “ମୁଁ କି ଭୁଲ କରିଛି?”
ଶେଷରେ ଆସିଲା ସେଇ ଅନ୍ତିମ ଦିନ। ଆଜି ନ୍ୟାୟାଳୟରେ ସ୍ମିତାକୁ ଦେବାକୁ ହେବ ଅନ୍ତିମ ଅଗ୍ନି ପରୀକ୍ଷା। ନ୍ୟାୟାଳୟରେ ଆଜି ଅନେକ ଭିଡ଼ ଜମିଛି। ସମସ୍ତଙ୍କ ମନରେ ଉତ୍କଣ୍ଠା ସେଇ ନ୍ୟାୟାଧୀଶଙ୍କ ନ୍ୟାୟର। ଆଜି କିନ୍ତୁ ସ୍ମିତା ନିଜ ହୃଦୟର ସବୁତକ ଅକୁହା ବ୍ୟଥାକୁ ଗୋଟି ଗୋଟି କରି କହି ଚାଲିଲା। ସମସ୍ତଙ୍କ ଆଖିରେ ଖେଳିଗଲା ଦୁଃଖର କରାଳ ଛାୟା। କିନ୍ତୁ କଣ ଆଉ କରନ୍ତେ ନ୍ୟାୟାଧୀଶ ସେ ତ ନିୟମରେ ବନ୍ଧା। କିଛି ସମୟ ସମ୍ପୂର୍ଣ ନିସ୍ତବ୍ଧ ହୋଇଗଲା ସେଇ ନ୍ୟାୟାଳୟ। ଆଉ ଶେଷରେ ମିଳିଲା ସ୍ମିତାକୁ ଆଜୀବନ କାରାଦଣ୍ଡ।
ଆଉ ସେତେବେଳେ ସବୁ ଲୋକଙ୍କ ମୁହଁରେ ସେଇ ଗୋଟିଏ କଥା “କି ଭୁଲ କଲା ସିଏ ?”
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର
Go Back to Previous Page
ଚାକିରୀ
ଅଶୋକ କୁମାର ସେଠୀ
Read Article
ବିଧିର ବିଧାନ
ସୁବଳ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ