[ପ୍ରତିଯୋଗୀତାରେ ଦ୍ବିତୀୟ ସ୍ଥାନ ପାଇଛନ୍ତି]
ସେଦିନ ନୀରବରେ ନିବେଦିତା ମୁହଁ ବୁଲେଇ ଚାଲି ଗଲା ସିନା; କିନ୍ତୁ କହିଗଲା ବହୁତ କିଛି। ନୀରବରେ ସବୁ ବୁଝିଲା ସିନା କାହାକୁ ବା କହି ପରୁଛି? ଅଜାଗା ଘାଆ ଦେଖି ହେଉଛି ନା ଦେଖେଇ ହେଉଛି! ମିଠା ମିଠା ତାଗିଦ କି ରୋକ୍ ଠୋକ୍ ଜଣେଇଦେଲା କେଜାଣି...! ପ୍ରଶ୍ନ ତ ଥିଲା ସବୁ ପୁରୁଣା ଖୋଜୁଥିଲା ନୂଆ ଏକ ଉତ୍ତର, ନୂଆ ଏକ ସମ୍ଭାବନା। କେଉଁ ଭରଷାରେ ଭରଷା ଦେବ ଭାବୁ ଭାବୁ ସେ ଚାଲି ଯାଉଥିଲା, ପ୍ରଶାନ୍ତର ଭାବନାକୁ ଅନ୍ତର କରି। ପ୍ରଶାନ୍ତ ନିସ୍ତବ୍ଧ ହୋଇ ଅନାଇ ରହିବା ଛଡ଼ା ତା’ର ବା କେଉଁ ଜୁ ଥିଲା ତାକୁ ଅଟକାଇବାକୁ।
ପ୍ରଶାନ୍ତ ମହାପାତ୍ର ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଉତ୍ତୀର୍ଣ ହେଲା ପରେ ଏ ବର୍ଷକୁ ମିଶେଇ ଚାରିବର୍ଷ ହେଲାଣି ପ୍ରତିଯୋଗିତାମୂଳକ ଘୋଡ଼ା ଦୌଡ଼ରେ ସାମିଲ। ମନରେ ଅହେତୁକ ଆଶା ପୋଲିସ ଏସ୍ଆଇ ହେବ। କଲେଜରେ ପଢ଼ିଲା ବେଳୁ ହିଁ ତାର ଏ ସ୍ବପ୍ନର ମଞ୍ଜିଟା ପୋତାହୋଇ ସାରିଥିଲା। ପ୍ରଶାନ୍ତ ଦେଖିବାକୁ କୌଣସି ଫିଲ୍ମି ହିରୋ ଠୁ କମ ନୁହଁ। ଶାରୀରିକ ଗଠନ ଯେମିତ ବିଦ୍ୟା ବୁଦ୍ଧିରେ ବି ସେମିତି ପ୍ରଖର। ନିୟମିତ ବ୍ୟାୟାମ ହିଁ ତାର ଏ ସୁଠାମ ଶାରୀରିକ ଗଠନର ରହସ୍ୟ। ଗୋଟେ ପୋଲିସ ଅଫିସର ହେବ। ଏସ୍ଆଇ ପୋଲିସକୁ ଅନେଇ ଅନେଇ ଚାରିବର୍ଷ ବିତିଗଲାଣି ଏ ଭିତରେ। ଏମିତିରେ ତ ଏସ୍ଆଇ ଚାକିରୀର ବିଜ୍ଞାପନ ଚାରିବର୍ଷରେ ଥରେ ବାହାରେ, ଯଦିଓ ପ୍ରତି ବର୍ଷ ବାହାରିବାର ନିୟମ ଅଛି। କୌଣସି କାରଣ ଯୋଗୁଁ ତାହା ତିନି କି ଚାରିବର୍ଷରେ ଥରେ ବାହାରେ। ପ୍ରଶାନ୍ତ କଟକର ଖାନ୍ନଗରରେ ମେସ କରି ରୁହେ। ଖାନ୍ନଗର ବିଶ୍ୱନାଥ ପଣ୍ଡିତ ଲାଇବ୍ରେରୀ ନିତି ପଢିବାକୁ ଯାଏ। ସକାଳ ଆଠରୁ ରାତି ଆଠ। ତା ଭିତରେ ପୁଣି ସକାଳେ ସନ୍ଧ୍ୟାରେ ଟ୍ୟୁସନ, ପାଞ୍ଚ କୋଷ ସାଇକେଲ ପେଲି ଯିବାକୁ ପଡେ। ଟ୍ୟୁସନ ଦରମାରେ ଯେନତେନ ପ୍ରକାରେଣ ମେସ ଖର୍ଚ୍ଚ ଉଠିଯାଏ। ଆଉ କିଛି ଘରୁ ଆସେ।
ଲାଇବ୍ରେରୀକୁ ଲାଗି ଥାଏ ମା କାଳୀଙ୍କ ମନ୍ଦିର। ମନ୍ଦିରକୁ ଯାଇ ନିଜ ଦୁଃଖ ଗୁହାରି ଜଣେଇବାକୁ ଭୁଲେ ନାହିଁ, ସେ। କୁଆଡ଼େ ମାଆକୁ ଡାକିଲେ ସେ ତମ କଥା ଶୁଣି ପାରନ୍ତି ବୋଲି ନିବେଦିତା, ପ୍ରଶାନ୍ତକୁ କେତେ ଥର କହିଛି। ମା’ଙ୍କ ଆଗରେ କ’ଣ କେଜାଣି ଗୁଣୁ ଗୁଣୁ ହୋଇ କହେ ପ୍ରଶାନ୍ତ ...! ମା’ଙ୍କୁ ମୁଣ୍ଡିଆ ମାରିଲା ବେଳେ ପ୍ରଶାନ୍ତର ଆଖି ଆଗେ ଝଲସି ଉଠେ ବୋଉର କରୁଣ ମୁହଁ, ତା ଆଶାୟୀ ଆଖି, ବାପାଙ୍କ କ୍ଲାନ୍ତସମ ହାଲିଆ ମୁହଁ। ବୋଉ ବାଷ୍ପରୁଦ୍ଧ କୋହରେ କହିଥିବା କିଛି କଥା; କଥା ଛଳରେ ସେ କେତେଥର କହିଲାଣି, ବାପରେ...! ଏଥର ତୁ ଟିକେ ଅଣ୍ଟା ଭିଡ଼ନ୍ତୁନି..? ଦେଖୁଛୁ ତ ବାପାଙ୍କର ବଳବୟସ ଗଡ଼ିଲାଣି। କେତେ ଦିନ ଆଉ ସେ ଏ ଜଂଜାଳର ବୋଝ ବୋହୁଥିବେ...?
ଆମେ ତୋ ଭରସାରେ ରହିଲୁ...!
ଗାଁ ଲୋକଙ୍କ ଟାହି ଟାପରାରୁ କେତେ ବର୍ତ୍ତିବାକୁ ଚେଷ୍ଟା କଲେ ମଧ୍ୟ କେଉଁ ବାଟେ ସେ ତୀର ଆସି ଗଳିଯାଏ। ସାହି ପଡିଶାଙ୍କ ଚିନ୍ତାକୁ ପ୍ରଶାନ୍ତ ଯେମିତ ଅଧିକ ଭାରାକ୍ରାନ୍ତ କରିଦେଉଥିବା ଯୋଗୁ କୈଫୟତ ଦେବାକୁ ସେ ବାଧ୍ୟ...! ଯିଏ ବି ଦେଖା ହୁଅନ୍ତି ତାଚ୍ଛଲ୍ୟର କୃତ୍ରିମ ହସଟିଏ ମୁହଁରେ ଫୁଟାଇ ପଚାରି ବସନ୍ତି, କଣ ପାଠପଢ଼ା ସରିଲାଣି? ଚାକିରୀବାକିର କେବେ ହେବ?? କେତେ ଦିନ ଏମିତି ପଢୁଥିବୁ??? କଟକରେ ଏତେ ଦିନ ରହି କଣ କରୁଛୁ ଯେ...! ତା ସହ ଉଦାହରଣଟିଏ ଦେବାକୁ ଭୁଲନ୍ତି ନାହିଁ; ଅମୁକର ପୁଅ ରେଳବାଇରେ ଚାକିରି ପାଇଲା, ସୁଦାମ ପୁଅ ତୋ ଠୁ ସାତ ସାନ ସେ ବି ସାତ ଆଠ ମାସ ହେଲା ବ୍ୟାଙ୍କରେ ପାଇଛି। ଚାକିରୀଟିଏ ଯେଉଁପର୍ଯ୍ୟନ୍ତ ପାଇନାହଁ ସଭିଙ୍କର ଏମିତ କୁତ୍ସାରଟନା ଶରବ୍ୟ ହେବାକୁ ପଡ଼ିବ। ଜଣେ ଅନୁଭବିଟିଏ ଛଡ଼ା ଆଉ କିଏ ବୁଝି ପାରିବେନି ଏ ଦହଗଂଜର ଆତୁର ଚିତ୍କାର
ଓଃ ... ଅଣନିଶ୍ୱାସୀ ହୋଇଯିବ ମଣିଷ ...!! ଅଭିମାନ କି ଅଭିଯୋଗରେ ସ୍ୱତଃ ସ୍ପୃତ ବାହାରି ଆସେ। ମୁଁ ପାରୁନି, ନିସ୍ତାର ଦେ ମାଆ!! ହନ୍ତସନ୍ତର ଏ ବାସ୍ତବ ଅବସ୍ଥା, ସବୁ ଆଡ଼େ ନିନ୍ଦା ଅପବାଦର ଚର୍ଚ୍ଚା। ପାଦତଳୁ ଚୋରାବାଲି ପରି ଚାଲି ଯାଉଥିବା ବୟସକୁ କଣ ନେହୁରା ହୋଇ ଅଟକାଇ ହୁଏ! ନା ବାଟ କିଛି ଖୋଜି ପାଉନଥିବା ହତାସ ବିବଶତାକୁ ମିଳେ କେଉଁ ଆଶ୍ୱାସନା?? କେତେ ଦିନ ଏମିତ ନିଜ ସହ ଏ ଲୁଚକାଳି ଖେଳ। ବିବଶ ଉପାୟଶୂନ୍ୟ ଯେମିତ ‘କିଂକର୍ତ୍ତବ୍ୟବିମୁଢ଼’ ସ୍ଥିତିରେ ପ୍ରଶାନ୍ତ।
କେତେ କୁଟିଳ ଜଟିଳତା ସଳଖୁ ସଳଖୁ କେତେ ଦିନ ମାପି ଚୁପି ବାଆଁରେଇଥାନ୍ତା ବୟସକୁ। ନା କିଛି ଅଛି ସଂରକ୍ଷଣର ସୁବିଧା ନା ଅତିରିକ୍ତ ସୁବିଧା...। ଏ ବର୍ଷ ହିଁ ଶେଷ ସୁଯୋଗ ପ୍ରଶାନ୍ତର। ଏ ବର୍ଷକୁ ପଚିଶ ପୁରିବ ପ୍ରଶାନ୍ତକୁ। ଏସ୍ଆଇ ପୋଲିସ ହେବ ବୋଲି ଅନ୍ୟାନ୍ୟ ଚାକିରୀକୁ ଅଣଦେଖା କରିବା ଉଚିତ ନୁହଁ ବୋଲି କେହି କେହି ସତର୍କ କଲେ ସୁଦ୍ଧା କାହାରି କଥାକୁ ପରତେ ଗଲେ ସିନା...!! ସେ ତ ମନେ ମନେ ଅଡ଼ି ବସିଛି ଚାକିରୀ କରିବି ତ ଏସ୍ଆଇ ପୋଲିସ।
ବହୁ ଆଶା ଓ ଆଶଙ୍କାର ଅବସାନ ଘଟାଇ ଦୀର୍ଘ ଚାରିବର୍ଷର ବ୍ୟବଧାନ ପରେ ଏସ୍ଆଇ ପୋଲିସ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏସ୍ଆଇ ପୋଲିସର ବୟସ ସୀମା ଏକୋଇଶିରୁ ପଚିଶ ହୋଇଥିବା ଅନିବାର୍ଯ୍ୟ। ଭାଗ୍ୟ ବଶତଃ ଟାଣି ଟୁଣି ହୋଇ ପ୍ରଶାନ୍ତ୍ର ବୟସ ଶେଷ ସୀମାରେ ଥିଲା।
ଦିନରାତି ଏକ କରି ଦେବାର ଅଭିପ୍ରାୟ ଜୋର ଧରିଛି ନିଶ୍ଚିତ, ପ୍ରଶାନ୍ତକୁ... ଖରା ବର୍ଷ ଶୀତ କାକର କେଉଁ ଦିନ ବି ବ୍ୟାୟାମରୁ ବିରତ ଯାଇନି ସେ। ଶୀତଦିନର ପ୍ରବଳ ଜାଡର ହାଡ ଭଙ୍ଗା ଶୀତକୁ ବେଖତିର କରିଛି ପ୍ରଶାନ୍ତ। ଶୀତଦିନର ପାହାନ୍ତି ନିଦରେ ସପନର ଭିଡକୁ ଠେଲି ଆଖି ମଉଳି ମଉଳି ବାଆଁରେଇ, ମନ କଷ୍ଟ ଅଭିମାନକୁ ମନ ଭିତରରେ ମାରିଛି ପ୍ରଶାନ୍ତ। ଡର ତ ଲାଗୁଛି ଏଥରକୁ ପୁଣି ହେଇଯିବନି ତ ଉଛୁର...!! ଶୀତ ଯାଇ ଖରା ଗଲା ତଥାପି ଆଭ୍ୟସ ଅବ୍ୟାହତ ରହିଥାଏ। ବର୍ଷା ଯାଇ ପୁଣି ବର୍ଷା ଛୁଇଁବା ଛୁଇଁବା ହେଉଛି; ଏ ଯାଏଁ କିଛି ବି ଫିଜିକାଲ ଟେଷ୍ଟର ଅଣୁ ମାତ୍ରେ ସୂଚନା ନାହିଁ....? ଟ୍ରିବୁନାଲର ରହିତାଦେଶ ଯୋଗୁଁ ଫିଜିକାଲ ଟେଷ୍ଟ କେବେ ହେବ ସଠିକତା ନାହିଁ। ଟ୍ରିବୁନାଲରେ ଏମିତ ଗଡ଼ି ଚାଲୁଥାଏ କେସ୍ ପରେ କେସ୍। ବିଚରା ଆଶାୟୀ ପ୍ରାର୍ଥୀ ବିସ୍ମୟରେ ଆଁ ଟା କରି ଚାହିଁବା ବ୍ୟତିରେକ ଆଉ କଣ ଅଛି...! ଆବେଗକୁ ଆଡ଼ଉ ଆଡ଼ଉ ଆଉ ଏକ ଅଡୁଆରେ ଛନ୍ଦି। ବେଳୁ ବେଳ ଆଶଙ୍କା ଲମ୍ବି ଯାଏ ଅପରାହ୍ନ ଛାଇ ପରି। ନିଜକୁ ଏ ଘୋଡା ଦୌଡରେ ସାମିଲ କରିବାକୁ ହେଲେ କେତେ କୃଛ ସାଧନା କରିବାକୁ ପଡ଼େ, ଥରେ ଆସି ସାମିଲ ହୁଅ ଜାଣିପାରିବ...! ଏ ପ୍ରୟାସ ଆସ୍ଫାଳନ ନଯାଉ, ସେଥିପାଇଁ ସବୁପ୍ରକାରର ପ୍ରତିକୁଳ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ସେଥିପାଇଁ ପ୍ରଶାନ୍ତ କହେ, “practice like devil, perform like god…!”
ଏହା ଭିତରେ ଆଉ ଚାରିବର୍ଷ ବିତି ଯାଇଥାଏ। ଟ୍ରିବୁନାଲ କି ଆଉ କେଉଁ ଆଢୁଆଳ ଆଳରେ କେଜାଣି! ସାଧାରଣ ଲୋକଟିଏ ପାଖରେ ସେ ରହସ୍ୟ ଭେଦ କରିବା ଅସାଧ୍ୟ!! ବିବର୍ତ୍ତମାନରେ ସବୁ କିଛି ବଦଳୁଥାଏ ଆପଣା ଛାଏଁ। କେତେ ନୂଆ ଚିହ୍ନା ଜଣା ପରିଚୟ, ପରିଚୟରୁ ବନ୍ଧୁତା। ଏସ୍ଆଇ ହେଲା ପରେ କିଏ କଣ କରିବ କେତେ କଣ ଆକଳନ, ଯୋଜନା ବସା ବାନ୍ଧୁଥାଏ ଆପଣା ଆପଣା ମନରେ। ସେମାନଙ୍କ ଭଳି ପ୍ରଶାନ୍ତର ବି.. ଆଗତା ଚଢ଼େଇକୁ ବେସର ବାଟି ସାରିଥାଏ। କେତେ କଣ ଗଢ଼ି ପୁଣି ଭାଙ୍ଗୁଥାଏ ଅଦେଖା ଆଢୁଆଳରେ।
ଏସ୍ଆଇ ପରୀକ୍ଷାର ଅହେତୁକ ବିଳମ୍ବତା ଦେଖି ବହୁ ଆଶାୟୀ ପ୍ରାର୍ଥୀ ଅନ୍ୟ ବିକଳ୍ପକୁ ଶ୍ରେୟ ମଣିଲେ। ଏତେ ଧୈର୍ଯ୍ୟ ଆଉ ନାହିଁ! ଏମିତି କଚ୍ଛପ ଗତିରେ ଚାଲିଲେ ସବୁ ନାଆରେ ଗୋଡ଼ ନଦେଲ ନ ଚଳେ! ନିବେଦିତା, ପ୍ରଶାନ୍ତକୁ କହିଲା, “ଭାଇ! ତମେ ଅନ୍ୟାନ୍ୟ ପୋଷ୍ଟ ଯାହା ବାହାରୁଛି ଆପ୍ଲାଇ କରିଥାଅ, ଏସ୍ଆଇ କଥା କିଛି କହି ହେଉନାହିଁ।”
ନିବେଦିତା ଓ ତା’ ସାଙ୍ଗ କିଛି ଏସ୍ଆଇ ପାଇଁ ବି ଅଭ୍ୟାସ କରୁଥାନ୍ତି। ସେମାନେ ଯଦିଓ ବ୍ୟାଙ୍କିଙ୍ଗ ପାଇଁ ପ୍ରସ୍ତୁତ ହେଉଥିଲେ ଅନ୍ୟ ଉପାୟ ନ ପାଇ ସେମାନେ ଏସ୍ଆଇ ଲାଇନକୁ ଆସିଛନ୍ତି।
ଫିଜିକାଲ ଟେଷ୍ଟ ତାରିଖ ଧାର୍ଯ୍ୟ ହେଲା। ଯଦିଓ ଅନେକ ଥର ଏମିତ ଠିକ ହୋଇ ଅବ୍ୟବହିତ ପୂର୍ବରୁ ବାତିଲ ହୋଇଛି। ଫିଜିକାଲ ଟେଷ୍ଟର ୩୦ ଦିନ ପରେ ମେନ ପରୀକ୍ଷା। ଏହି ପରୀକ୍ଷାରେ ଭଲ କରିବା ଅନିବାର୍ଯ୍ୟ ନଚେତ ସବୁ ପରିଶ୍ରମ ବ୍ୟର୍ଥ। ପରୀକ୍ଷାରେ ସମସ୍ତେ କୃତକାର୍ଯ୍ୟ ହୋଇଥାନ୍ତି। ସମସ୍ତଙ୍କ ଖୁସିଠାରୁ ନିବେଦିତାର ଖୁସି ସ୍ୱତନ୍ତ୍ର ଥିଲା। କାରଣଟା ବି ସେମିତି ଥିଲା ଯେ...! ଖୁସିର ମାହୋଲ ଆକଳନ କରିବା ସାଧ୍ୟାତୀତ। ଅପାର ଏ ଖୁସୀ, କାହାର ବି ଗୋଡ଼ ତଳେ ଲାଗୁ ନଥାଏ। ସମସ୍ତେ ଏକାଠି ହେବାକୁ ନିଷ୍ପତି ନେଲେ। କିନ୍ତୁ ପ୍ରଶାନ୍ତର ଉପସ୍ଥିତ ସମସ୍ତେ ଏକ ବାର ଭୁଲି ଯାଇଥିଲେ। ହଠାତ ନିବେଦିତାର ଫୋନ ଆସିଛି।
ତୁ ଜାଣିଛୁ, ପ୍ରଶାନ୍ତ ଭାଇର ହୋଇନି ବୋଲି!!!
ଲଥ କରି ତଳେ ବସି ପଡ଼ିଲା ନିବେଦିତା। ମୁହୂର୍ତ୍ତେ ପାଇଁ ସବୁଆଡେ ଆନ୍ଧାର। ନିରବ ନିଶ୍ଚଳ ଏକବାର ସ୍ଥାଣୁ ପାଲଟି ଯାଇଛି ସେ... କାହାକୁ କିଛି ନଜଣେଇ ସେ ଜାଗା ଛାଡି ଫେରିଆସିଲା ନିଜ ରୁମକୁ। ପାଞ୍ଚ ସାତ ଦିନ କି ତା’ଠୁ ଅଧିକା ହେବ ପ୍ରଶାନ୍ତ କଥା କାହାର ମନକୁ ଆସିନି। ପ୍ରଶାନ୍ତର ମାନସିକ ଅବସ୍ଥା ଜାଣି ସୁଦ୍ଧା ବାଧ୍ୟ ହୋଇ ନିରବ ରହିଲା, ନିବେଦିତା।
ଧୀରେ ଧୀରେ ସମ୍ପର୍କର ପାଣିପାଗ ବଦଳିବାକୁ ଲାଗିଲା। ଚିହ୍ନା ମୁହଁ ସବୁ ଅଚିହ୍ନା ବାରିଲେ। କେବେ କେମିତ ଭେଟ ହୋଇଗଲେ ନଦେଖିଲା ପରି ମୁହଁ ବୁଲେଇ ଚାଲିଗଲେ। କିଛି ଦିନ ପରେ ନିବେଦିତା ପ୍ରଶାନ୍ତକୁ ଦେଖା କରିବାକୁ କହିବାରୁ ସିଧା ସିଧା ପ୍ରଶାନ୍ତ ମନା କରିଦେଲା। ରାଣ ପକେଇ ଥରେ ଦେଖା କରିବାକୁ କହିଲା, ନିବେଦିତା। ତା ଆକୁଳ ଅନୁରୋଧକୁ ଏଡ଼େଇ ପାରିଲାନି ପ୍ରଶାନ୍ତ। ଭାଇ ଏ ସବୁ କଣ ହୋଇଗଲା ମୁଁ କିଛି ବି ବୁଝି ପାରୁନି। ଭଗବାନ ଏତେ ନିଷ୍ଠୁର କେମିତ ହୋଇ ପାରନ୍ତି!!
ଭାଇ, ମନ ଦମ୍ଭକରି ଆଗକୁ ଚାଲ ଝୁଂଟି ପଡ଼ି ଅଟକି ଗଲେ ବାଟ ସରିବନି କି ଲକ୍ଷ୍ୟସ୍ଥଳ ତମ ପାଖେ ଆସି ପହଂଚିବ ନାହିଁ। ତମେ ଭାଙ୍ଗି ପଡ଼ିଲେ ମୁଁ ଆଗକୁ ପାଦେ ଆଗେଇ ପାରିବିନି। ମୋର ବ୍ୟାଙ୍କ ପରୀକ୍ଷା ଖରାପ ହେଲା ବେଳେ ତମେ ହିଁ ତ ମତେ ମନୋବଳ ଦେଇଥିଲ, ସେ ପିଲା ଆଜି ଆଜି କେମିତ ଏତେ ଭାଙ୍ଗି ପଡିଛି ..??
ତମେ ମତେ କହୁଥିଲ ନା ସେ ଶ୍ଳୋକ :
“ନା ଅସ୍ତି ମେଘସମମ୍ ତୋୟମ
ନା ଅସ୍ତି ଚାତ୍ମସମମ୍ ବଳମ ”
ଭାଇ, ମୁଁ ତମ ସହ ସବୁବେଳ ରହିଛି, ରହିବି ସବୁ ମୁହୂର୍ତ୍ତରେ। ପ୍ରଶାନ୍ତ ନିରବ ନିଶ୍ଚଳ ଥାଏ। ଶୁଣି ପରୁଥାଏ କି ନାହିଁ ସେ ଜାଣେ!
ସମସ୍ତେ ଏବେ BPSPA ଟ୍ରେନିଂ ସେଣ୍ଟରରେ। ପ୍ରଶାନ୍ତ କିନ୍ତୁ ଇତଃସ୍ତତଃ ହୋଇ ଘୁରି ବୁଲୁଥାଏ ଆପଣା ଭିତରେ ଭିତରେ, କି ଠିକଣାହୀନ ସେ ଆଜି? କିଛି ଦିନ ଉତ୍ତାରୁ ଜୁନିଅର ଆସିଷ୍ଟାଣ୍ଡ ପରୀକ୍ଷାର ଫଳ ପ୍ରକାଶ ପାଇଥାଏ ଯେଉଁଥିରେ ପ୍ରଶାନ୍ତ କୃତକାର୍ଯ୍ୟ ହୋଇ ବର୍ତ୍ତମାନ ମୂଖ୍ୟ କାର୍ଯାଳୟରେ ଜୁନିଅର ଆସିଷ୍ଟାଣ୍ଡ ଭାବେ କାର୍ଯ୍ୟରତ। ଧିରେ ଧିରେ ପୁରୁଣା କ୍ଷତ ସବୁ ମୁଖରିତ ହେବାକୁ ଲାଗୁଥାଏ।
ଘରେ ବୋଉ ତେଣେ ଅଧୈର୍ଯ୍ୟ କରି ପକାଉଥାଏ, ତୋ ହାତକୁ ଦି ହାତ କରିଦେଲେ ଆମେ ଜଂଜାଳ ମୁକ୍ତ ହେବୁ। ବୟସ ଆଉ କଣ ଆସୁଛି? ତତେ ବା ଆସି ଏବେ ୩୦ ଟପି ୩୧ ଚାଲିଲାଣି ଟି...!! ଆଉ କଣ ବୁଢା ହେଲେ ବାହାହେବୁ? ଆମେ ଝିଅ ଠିକ୍ କରିସାରିଛୁ ତୁ ଥରେ ଦେଖି ଆସେ। ତୋ ମନ ନିତ୍ୟ ହେଲେ ଆମେ ଆଗେଇବୁ।
ମୋର ଦେଖିବା କଣ ଲୋଡ଼ା ଯେ...! ତମେ ମାନେ ଯଦି ଠିକ୍ କରିଛ ମୋର ସେଥିରେ କିଛି ଆପତ୍ତି ନାହିଁ। ସତ କଥା ହେଲା ପ୍ରଶାନ୍ତର ମନ ଏସବୁ ପ୍ରତି ବିତସ୍ପୃହା ହୋଇଯାଇଛି। ନିର୍ବନ୍ଧର ୨୫ ଦିନ ପରେ ବାହାଘର ତାରିଖ ଧାର୍ଯ୍ୟ କରାଗଲା। ପ୍ରଶାନ୍ତ ଅଫିସ ସାରି ଏମିତ ଟିକେ ଫେସବୁକ, ହ୍ୱାଟ୍ସଅପ୍ପ ନଜର ବୁଲାଉଥିଲା। ହଠାତ ଫେସବୁକରେ ସସ୍ମିତା ଦାସ (ସ୍ମିତା)ରୁ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଲା। ପ୍ରୋଫାଇଲ ଦେଖେ ତ ଏଇ ତ ସ୍ମିତା। ଗ୍ରହଣ କରିବି କି ନାହିଁ ଟିକେ ଦୋ ଦୋ ପାଞ୍ଚରେ ରହିଲା। କାର୍ଯ୍ୟବ୍ୟସ୍ତତା ଭିତରେ ଦୁଇ ତିନି ଦିନ ବିତି ଯାଇଥାଏ। ମନେ ପଡିଲା ସ୍ମିତା କଥା, ପ୍ରଶାନ୍ତ ଏକବାର ଭୁଲି ଯାଇଥାଏ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆକସେପ୍ଟ କରିବା କଥା। ଆକସେପ୍ଟ କରି ମେସେଜଟିଏ ଦେଇଛି ତ...
ପ୍ରତିଉତ୍ତର ଆସିଲା ତମେ ଟିକିଏ ବେଶୀ ଫୁଲିଆ ନୁହଁ ...??
-ବୁଝି ପାରିଲିନି?
-ଦୁଇ ଦିନ ପରେ ଆକସେପ୍ଟ କରୁଛ...!
- ସରି, ଟିକେ ବ୍ୟସ୍ତ ରହିଯାଇଥିଲି ।
ତା ପରେ ଚାଟିଙ୍ଗ୍ର ଫୁରୁସତ ନାହିଁ। ସ୍ମିତା ଖୁବ ମଜା କରେ। କଥା କଥା କେ ହସାଏ। କେତେବେଳେ ପ୍ରଶାନ୍ତର ମନ ତଳର ସବୁ ଦୁଃଖ ଉଭେଇ ଗଲାଣି ଏ ଭିତରେ। ଦୁଃଖର ଚିହ୍ନ ଟିକେ ବି ନାହିଁ। ଧୀରେ ଧୀରେ ପ୍ରଶାନ୍ତ ଜାଣିବାକୁ ପାଇଲା ସ୍ମିତାର ସାହିତ୍ୟ ପ୍ରତି ଅସମ୍ଭବ ଦୁର୍ବଳତା। ମନୋଜ ଦାସ ତା ପ୍ରିୟ ଲେଖକ। ଏମିତ କି ଛୋଟ ଛୋଟ ତ୍ରୁଟି ଦେଖିଲେ ସ୍ମିତା ସୂଚେଇ ଦେବାକୁ ଭୁଲେନା: ଏଇଟା ବନାନଗତ ତ୍ରୁଟି, ଏଇଟି ବ୍ୟାକରଣଗତ ତ୍ରୁଟି। ବ୍ୟାକରଣ ସାହିତ୍ୟକୁ ଶୁଦ୍ଧ କରିଥାଏ। ସେଥି ପ୍ରତି ସଚେତନ ହେବା ଅନିବାର୍ଯ୍ୟ।
ସେଥି ପାଇଁ କୁହାଯାଇଛି ,
“ଲବଣଂ ବିନା ବ୍ୟଞନମ୍
ବ୍ୟାକରଣଂ ବିନା ବଚନମ୍”
ପ୍ରଶାନ୍ତ ପଚାରିଲା ତମେ ତ ବିଜ୍ଞାନର ଛାତ୍ରୀ ଏ ସବୁରେ ଏତେ ଗଭୀର ଦଖଲ କେମିତି ..? ସେ ଯାହା ହେଉ ଖୁବ ଭଲ କଥା ..!
ତୁମ ମୁହଁରୁ ଏଇ ଟିକେ ଭଲ ଶୁଣିବା ଲାଗି ଗଭୀର ଦଖଲ, ପରିହାସରେ ସ୍ମିତା କହିଲା।
ଆଜି କାହିଁ ଖାଁ ଖାଁ ଲାଗୁଚି? ଆସିକି ଅଧ ରାତି, ସ୍ମିତା କାହିଁ ଅନଲାଇନ ଆସୁନାହାନ୍ତି ...! ମନେ ମନେ କେତେ କଣ ଭାବି ବସୁଥାଏ, ପୁଣି ନିଜକୁ ନିଜେ ବୁଝେଇ ଦେଉଥାଏ ପ୍ରଶାନ୍ତ। ସବୁ କୌତୁହଳର ଅନ୍ତରାଳେ ହଠାତ ସ୍ମିତାର ମେସେଜ ଆସିଲା, “କଣ କିଓ ଏତେ ରାତି ଯାଏଁ ହ୍ୱାଟ୍ସଆପ, ଫେସବୁକରେ ବୁଲୁଛ, କଣ ଭୟ ଲାଗୁନି?”
ପ୍ରାଣଟା ଯାଉ ଯାଉ ଅଟକିଗଲା ଏମିତି ଟିକେ ପରିହାସରେ କହିଛି ତ.. ଏମିତ କହିଲେ ଆଜି ଠୁ ମୁଁ ଆଉ ଅନଲାଇନ ଆସିବିନି, ସ୍ମିତା ବି ଅଭିମାନରେ ଜଣେଇଦେଲା।
“ଆଛା ଗୋଟେ କଥା ପଚାରିବି?” ସ୍ମିତା କହିଲା ।
- ହଁ, ପଚାର।
- ସମସ୍ତ ସାହିତ୍ୟିକ କଣ ରସିକ?
ପ୍ରଶାନ୍ତ ଜଣେ କବି ତ ନିଶ୍ଚୟ
ଅତଏବ ପ୍ରଶାନ୍ତ ଜଣେ ... ??
ପ୍ରଶାନ୍ତର ଉତ୍ତର ଥିଲା ଖାଲି ଏକ ଖୋଲା ହସ।
ଏ ଭିତରେ ୨୫ଟା ଦିନ କେତେ ଶୀଘ୍ର ଚାଲିଗଲା ଜଣା ବି ପଡିଲାନି। ସୁଖର ଦିନ ଘୋଡ଼ା ଚଢ଼େ, ଦୁଃଖର ଦିନ ହାତୀ ଚଢ଼େ ବୋଲି। ଏବେ ହୃଦବୋଧ କରି ପାରୁଛି ପ୍ରଶାନ୍ତ।
ଧୁମ ଧାମରେ ବାହାଘର ନ ହେଇଥିବା ସତ୍ତ୍ବେ କାହା ମନରେ ସେଥିପ୍ରତି ଅବଶୋଷ ନାହିଁ। ଉଭୟ ଉଭୟଙ୍କୁ ଠିକ ଭାବେ ବୁଝି ପାରିଛନ୍ତି ଏଥିରୁ ସହଜେ ଅନୁମେୟ। ଆଜି ବାସର ରାତି। ସମସ୍ତଙ୍କ ପରି ପ୍ରଶାନ୍ତ ପାଇଁ ବି ଏହି ଦିନଟି ବଡ଼ କୌତୁହଳ ଥିଲା। ସ୍ମିତା ପ୍ରଶାନ୍ତ ଆଗର ବସିଥାଏ; ଉଭୟ ସାମନାସାମନି ବସିଥାନ୍ତି। ଉଭୟ ନିରୁତ୍ତର। ପ୍ରଶାନ୍ତ ପାଟିରୁ କଥା ପଦେ ବାହାରୁ ନଥାଏ, ତା ମାନେ ନୁହଁ ସେ ଚେଷ୍ଟା କରୁନି କିଛି କହିବାକୁ ..!!!
କିଛି ସମୟ ପରେ ନୀରବତା ଭାଙ୍ଗି ସ୍ମିତା ପଚାରିଲେ, “ତମେ କଣ ଘୁଙ୍ଗା କି ..?”
- ପ୍ରଶାନ୍ତ ଆଉ ହସ ଅଟକାଇ ପାରିଲାନି।
- ତମେ ସବୁ କବିଙ୍କୁ ମୁଁ ଜଣେ, ସବୁତକ ରସିକ ...!
ଛାଡ ସେ କଥା, ତମେ ମତେ ଆଜି କଣ ଉପହାର ଦେଉଛ? ସ୍ମିତା ପଚାରିଲେ।
- ତମେ କଣ ଚାହଁ? ଦାମିକା ନା ସନ୍ତକ ??
- ସନ୍ତକର ସ୍ପର୍ଶ ଖୁବ ଆକର୍ଷଣ ଓ ନିବିଡ!
- ବେଶ୍, ଠିକ୍ ଅଛି! ବହି ଥାକ ଆଡକୁ ଇଙ୍ଗିତ କଲା ପ୍ରଶାନ୍ତ।
ସ୍ମିତା କିଛି ମୁହୂର୍ତ୍ତ ଆବାକ ହୋଇ ରହିଗଲା! ବହି ଥାକର ଉପର ଦୁଇ ଥାକ ମନୋଜ ଦାସଙ୍କ ସବୁ ବହି ଭର୍ତ୍ତି। ତନ୍ଦ୍ରାଲୋକର ପ୍ରହରୀ ଠାରୁ ଅମୃତ ଫଳ ଯାଏଁ ସବୁ ଉପନ୍ୟାସ, କଥା ଓ କାହାଣୀ ହେଉ କି ଉପକଥା ଶତକ ସବୁ ଗଳ୍ପ, ଭ୍ରମଣ କାହାଣୀ ସବୁ କିଛି ସେଇ ଥାକରେ।
ସବୁ ବହି ତ କିଣିଲ ପୁଣି ସୃଜନୀ ସମଗ୍ର କିଣିବା କଣ ଦରକାର ଥିଲା ଯେ..! ତମର ଏ ଉପହାର ସତରେ ମୁଁ ଭାଷାରେ ବ୍ୟକ୍ତ କରିବା ନିଶ୍ଚିତ ଭାବେ ଅସମ୍ଭବ।
ସ୍ମିତା, ପ୍ରଶାନ୍ତ ଜୀବନରେ ଏକ ଅବିସ୍ମରଣୀୟ ମୋଡ଼। ସତେ ଯେମିତ ତା କାଉଁରୀ ସ୍ପର୍ଶରେ ପ୍ରଶାନ୍ତର ଅସଜଡ଼ା ଭାଗ୍ୟ ସବୁ ସଜାଡ଼ି ହୋଇଯାଇଛନ୍ତି ସୁଚାରୁ ରୂପରେ। ସ୍ମିତା, ପ୍ରଶାନ୍ତର ଉତ୍ତପ୍ତ ମରୁରେ ଘନ ସବୁଜତାର ଆଶା। ଜୀବନ ରାସ୍ତାରେ ଯେତେ ଝୁଣ୍ଟିଲେ ବି ଭୟ ନାହିଁ, ସ୍ମିତା ପରି ସାଥିଟିଏ ସାଥେ ଥିଲେ। ପ୍ରଶାନ୍ତ ଠାକୁରଙ୍କୁ ଧନ୍ୟବାଦ ଜଣାଏ, ସ୍ମିତା ଭଳି ଜୀବନ ସାଥିଟିଏ ତା ହାତେ ଦେଇ ଥିବାରୁ।
ସ୍ମିତା ଭାରି ମଜାଳିଆ ଓ ଗପୁଡ଼ି। ଗପିବା ଆରମ୍ଭ କରିଛି ମାନେ ଇଛା ଥାଉ ନଥାଉ ଶୁଣିବାକୁ ବାଧ୍ୟ। ଯଦି କେବେ ନଶୁଣୁଛ, କଥା ସରିଲା, ଉଷୁନା ହାଣ୍ଡି ପରି ମୁହଁ ଫୁଲେଇ ବସିବ। ବୁଢ଼ୀ ମା ଅସୁରୁଣୀ ଗପ ଶୁଣିଲା ପରି ମଝିରେ ମଝିରେ ‘ହୁଁ’, ‘ହୁଁ’ ମାରିବାକୁ ପଡ଼ିବ। ସ୍ମିତା ଉଚ୍ଚ ଶିକ୍ଷିତା। ବିଜ୍ଞାନରେ ସ୍ନାତକୋତ୍ତର। ବେଳେ ବେଳେ ତା’ର କିଛି କଥା ଗଭୀର ଦାର୍ଶନିକତତ୍ତ୍ୱ ଭିତ୍ତିକ ସହଜରେ ଭେଦକରି ହୁଏନି। ବେଳେ ବେଳେ ଭାରି କ୍ଲୀଷ୍ଟ ତତ୍ତ୍ୱକୁ ସହଜଢ଼ଙ୍ଗରେ ବୁଝେଇ ପାରୁଥିବାର ଦକ୍ଷତା ଦେଖି ଯେ କେହି ଅଭିଭୂତ ହୋଇଯିବେ। ନିଶ୍ଚିତ ଭାବରେ ଏ ସବୁ ସେ ସାହିତ୍ୟର ପ୍ରଭାବ।
ଏ ଭିତରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ପ୍ରାରମ୍ଭିକ ଫଳ ପ୍ରକାଶିତ ହୋଇଥାଏ। ସ୍ମିତା ଏଥିରେ ଉତ୍ତୀର୍ଣ୍ଣ ହୋଇଥାଏ। ପ୍ରଶାନ୍ତ ଖୁସିରେ ଆତ୍ମହରା। ନିବେଦିତା ପ୍ରଶାନ୍ତକୁ ପଚାରିଲା ତମର ଦେଖିଲାଣି ନା ନାହିଁ ?
ନା’ ମୋର ହୋଇନଥିବ। ଯୋଉଠି ଏସ୍ଆଇ ହେଲାନି ସେଠି ଓଏସ କେମିତ ହେବ? ତା ପରେ ମୋର ଆଉ ସ୍ପୃହାନାହିଁ। ତମେ କେମିତି ପାଇବ ଚେଷ୍ଟାକର। ଯଦିଓ ସେ ନିଜେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛି। କିନ୍ତୁ ଖୁସିଟା ଥିଲା ସ୍ମିତା ପାଇଁ। ସ୍ମିତା ପ୍ରଶାନ୍ତକୁ ବହୁତ ବୁଝେଇବାକୁ ଚେଷ୍ଟା କରିଛି। ଝୁଣ୍ଟି ପଡ଼ିବା ଭୟରେ ବାଟ ଟା ଅବାଟ ବୋଲି ଅଡ଼ି ବସିଲେ ପଛ ଲୋକ ତମକୁ ଆଡ଼େଇ ଆଗକୁ ଚାଲିଯିବେ। ହାରିଗଲ ବୋଲି ଓହରି ଗଲେ ଭାବି ନିଅ ଯେ ଲକ୍ଷ୍ୟସ୍ଥଳର ଅବ୍ୟବହିତ ପୂର୍ବରୁ ତମେ ଫେରିଆସିଛ। ଜିତିବାର ଅବଶୋଷ ଯନ୍ତ୍ରଣାରୁ ତମେ ମୁକ୍ତ ହୋଇପାରିବ ତ...! ଆର ପାଖର ଆଶା ସବୁଦିନ ଆଢୁଆଳ ହୋଇରହିଯିବ।
ତମେ ନିଶ୍ଚିତ ପାଇବ ମୋର ସେ ବିଶ୍ୱାସ ଅଛି। ତମର କଣ ମୋ ବିଶ୍ୱାସ ଉପରେ ତମର ବିଶ୍ୱାସ ନାହିଁ...!! ତମେ ପରିଶ୍ରମୀ, ପରିଶ୍ରମର ଫଳ ବ୍ୟର୍ଥ ଯାଏନା। ମୁଁ ତମ ସହ ବି ପଢ଼ିବି, ପରୀକ୍ଷା ଦେବି।
“ଏକାକିନା ତପୋ ଦ୍ୱାଭ୍ୟାମ୍ ପଠନମ୍”
ସ୍ମିତାର ଅନୁରୋଧକୁ ଏଡ଼ାଇ ଯିବାପାଇଁ, କାଇଁ ମନ ବଳେଇଲା ନାହିଁ ବରଂ ମନୋବଳକୁ ଆହୁରି ଦୃଢ କଲା। ମନେ ମନେ ସଂକଳ୍ପ କଲା ସ୍ମିତାର ବିଶ୍ୱାସକୁ ବାସ୍ତବ ରୂପ ଦେବା ପାଇଁ ଚେଷ୍ଟା କରିବି। ତେଣିକି ଦେଖାଅଛି ଭାଗ୍ୟଟା ଶୋଇଛି ନା ଛିଆଇଁଛି।
“କର୍ମଣ୍ୟେ ବାଧିକାରେଷୁ ମା ଫଳେଷୁ କଦାଚନମ”
ହଠାତ ନିବେଦିତାର ମୁଁ କାହିଁ ଆଜି ମନେ ପଡ଼ିଲି ବହୁତ ଦିନ ପରେ? ଭାଇ କାଲି ଟିକେ ଡିଜି ଅଫିସ ଯିବା? କାମ ଥିଲା..! ହଉ ତେବେ ଆସ, ପ୍ରଶାନ୍ତ ପ୍ରତିଶ୍ରୁତି ଦେଲା। ଡିଜି ଅଫିସରୁ କାମସାରି ଫେରିଲା ବେଳେ ପ୍ରଶାନ୍ତ ପରିହାସରେ ପଚାରି ଦେଲା ଆଛା, ତମେ IG ,DIGଙ୍କୁ କେମିତ ଜାଣୁଛ? ତାଙ୍କ ନେମ ପ୍ଲେଟରୁ କହି ହସୁଥାଏ, ନିବେଦିତା।
ମୁଁ ପଚାରୁଥିଲି
- ସେମାନଙ୍କ ପଦ ସୂଚକ ଚିହ୍ନ କଣ?
- ମୁଁ ଜାଣିନି, ତମେ କୁହ।
- ତମେ ଡିପାର୍ଟମେଣ୍ଟ ଲୋକ, ମୁଁ କହିବି? କନେଷ୍ଟବଳ, ହେଡ଼ କନେଷ୍ଟବଳ ଜାଣି ପାରୁନଥିବ ତ ?
- ହେଡ଼ କନେଷ୍ଟବଳର ବାମ ବାହୁରେ ତିନୋଟି ‘ଭି’ ଭଳିଥାଏ, କନେଷ୍ଟବଳର କିଛି ସେମିତି ନଥାଏ ।
ଆଉ ରହିଲା IG , DIG ସେ କଥା ତମେ କୁହ।
- IG ଙ୍କ କାନ୍ଧରେ ଗୋଟିଏ ଷ୍ଟାର ଏବଂ ସୋଡ୍ ଓ ବାଟନ୍ ଛକି ପଡ଼ିଥାଏ ଆଉ DIG ଙ୍କ କାନ୍ଧରେ ତିନୋଟି ଷ୍ଟାର ଗୋଟିଏ ଅଶୋକ ସ୍ତମ୍ଭ ଥାଏ।
ଆଛା, ଭାଉଜଙ୍କ କଥା କିଛି କହିଲନି ତ..! ନିବେଦିତା ପଚାରିଲା।
ହଁ, ସବୁ ଭଲ ..!
ଭାଇ ତମେ ଆମ ସହିତ ଆସିଥିଲେ ବହୁତ ଭଲ ହୋଇଥାନ୍ତା! ସଭିଙ୍କ ନଜର ତମ ଉପରେ ହିଁ ଥିଲା। ସେଥି ଯୋଗୁଁ ବୋଧେ… କଥାରେ ଅଛି, “ଗଛର ଛାଇ ମଣିଷର ହାଇ ଯାହା ଉପରେ ପଡ଼େ, ସେ କେବେ ଉଧେଇ ପାରେନି।”
ତମ କଥା ବେଳେ ବେଳେ ଆଲୋଚନା ହୁଏ, ସରୋଜ ବି ବେଳେ ବେଳେ ତମ କଥା କହେ। ହଁ… ଜାଣିଛ ଭାଇ? ସରୋଜ ଆଉଟ ପାସ ଟେଷ୍ଟରେ ଗୋଲଡ ମେଡାଲ ପାଇଛି..!
ହଁ ପାଇଥିବ ନିଶ୍ଚିତ, ପ୍ରଶାନ୍ତ ମନେ ମନେ ଭାବୁଥାଏ, “ନିରସ୍ତ୍ର ପାଦପୋ ଦେଶେ ଏରଣ୍ଡପୀ ମହାଦ୍ରୁମୟତେ।”
କିଛିଦିନ ପରେ ପ୍ରଶାନ୍ତ ଖବର ପାଇଲା, ସରୋଜ, ନିବେଦିତାକୁ ଯା’ଇଛା ତାହା ଗାଳି କରିଛି। ପ୍ରଶାନ୍ତ ସହ କାଇଁ DG ଅଫିସ ଯାଇଥିଲା ବୋଲି। ତାର ଔକାତ କେତେ ତୁ ତା (ପ୍ରଶାନ୍ତ) ସହ ଏବେ ବି ମିଶୁଛୁ। ସେ ସାମାନ୍ୟ ଜୁନିଅର ଆସିଷ୍ଟାଣ୍ଟ୍, ଏକ ଠିକା କର୍ମଚାରୀ। ତା ପୁଣି ୨୮୦୦ ଗ୍ରେଡ଼ ପେ। ତୁ ଗୋଟେ ଅଫିସର। ସେ କଣ ତତେ ସାହାଯ୍ୟ କରିବ? ତତେ ସତର୍କ କରିଦେଲି ତା (ପ୍ରଶାନ୍ତ) ସହ ଯେମିତ କେବେ ତୁ ନ ମିଶୁ ..!
ପ୍ରଶାନ୍ତ ସବୁ ଶୁଣି ମନ କଥା ମନରେ ରଖିଲା।
କିଛିଦିନ ପରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଥାଏ। ସେଥିରେ ପ୍ରଶାନ୍ତ କୃତକାର୍ଯ୍ୟ ହୋଇଛି। ଓଡିଶା ପୋଲିସ ସେବା (OPS) ପାଇଁ ଯୋଗ୍ୟ ବିବେଚିତ ହୋଇଛି। DSP ଟ୍ରେନିଂ ପାଇଁ BPSPA ରୁ ଚିଠି ଆସିଥାଏ। ପ୍ରଶାନ୍ତ BPSPA ଯାଇ ନିବେଦିତାକୁ ଏ ସରପ୍ରାଇଜ୍ ଦେବ ବୋଲି ମନେ ମନେ ଯୋଜନା କରିଥାଏ। ପ୍ରଶାନ୍ତ ଦେଖୁଛି ସରୋଜ ଆଉ ନିବେଦିତା ତା ଆଡ଼କୁ ଆସୁଛନ୍ତି ନିକଟତର ହେବା କ୍ଷଣି ପ୍ରଶାନ୍ତ ସେମାନଙ୍କୁ ଦେଖି ହସିଦେଲା। ସେମାଙ୍କର କୌଣସି ପ୍ରତିକ୍ରିୟା ନାହିଁ। ନିବେଦିତା..! ନିବେଦିତା..! ଡାକିଲା ପରେ ବି ସେମାନେ ଶୁଣି ନଶୁଣିଲା ପରି ଚାଲିଗଲେ ମୁହଁକୁ ବୁଲେଇ କଣ ଗପି ଗପି। ପାଞ୍ଚ ଦଶ ମିନିଟପରେ ନିବେଦିତା କଲ କରିଛି।
ପ୍ରଶାନ୍ତ କିଛି କହିବା ପୂର୍ବରୁ ଅବିରତ ଭାବେ ଗପି ଚାଲିଲା ନିବେଦିତା। କଣ ତମ ମୁଣ୍ଡଖରାପ ହେଇଯାଇଛି କି? ଏଇଟା କଣ ଭାବିଲ ସର୍ବସାଧାରଣ ଜାଗା। ଏଇଟା ଆମ ଅକାଦେମୀ। ଏଠି ଆମର କିଛି ନୀତି ନିୟମ ଅଛି। ମୁଁ ବର୍ଦ୍ଦିରେ ଥିଲା ବେଳେ କାହା ସହ କଥା ହୁଏନି। ତା ପରେ ସରୋଜ ସହ ମୁଁ ଥିଲେ, କେଉଁ ସାହସରେ ମତେ ଡାକୁଥିଲ ସେଠି। ଦୟାକରି ମତେ ଆଉ ଡିଷ୍ଟର୍ବ କରନି। ପ୍ରଶାନ୍ତ ଆବାକ ହୋଇ ଶୁଣୁଥିଲା ଖାଲି। କହି ହେଉଛି ନା ସହି ହେଉଛି।
ତା ପରଠୁ ନିବେଦିତା କଥା କେବେ ଉଠିନି।
ପ୍ରଶାନ୍ତ SDPO ହୋଇ ବାରିପଦାରେ ଚାକିରୀରେ ଯୋଗଦେଇଥାଏ। ସବୁ କାର୍ଯ୍ୟକୁ ସୁଚାରୁ ରୂପେ ତୁଲେଇବାକୁ ସେ ଯଥାସାଧ୍ୟ ଚେଷ୍ଟା କରେ। ସବୁ କାମକୁ ସହଜ ରୂପେ ତୁଲେଇ ନେବା ପଛରେ ଯାହାର ପ୍ରଚ୍ଛନ୍ନ ହାତ ଥାଏ ସେ ହେଲା ସ୍ମିତା। ଈଶ୍ୱର ଏମିତ ଏକ ଉପହାର ଏ ହତଭାଗା ହାତେ ଥୋଇଦେଇଛନ୍ତି, ଯାହା କଳ୍ପନାତୀତ! କଣ ସେ ପରିଭାଷା ସେ ଖୋଜି ପାଉନି। ସ୍ମିତା ବିନା ମୋର ଅସ୍ତିତ୍ୱ ନାହିଁ ଏ କଥା ଖୋଦ ପ୍ରଶାନ୍ତ ସ୍ୱୀକାର କରେ। ପୋଲିସ ଚାକିରୀରେ କୌଣସି ନିର୍ଦ୍ଧିଷ୍ଟ ଟାଇମ ନଥାଏ। ଯେ କୌଣସି ମୁହୁର୍ତରେ ଡିଉଟି ହେଇପାରେ। ପୋଲିସ ମାନଙ୍କ ଡିଉଟି ୨୪ ଘଣ୍ଟା। ଯଦିଓ ବିରାମ ଥାଏ। ସବୁ ବେଳେ ସତର୍କ ଓ ସଜାଗ ରହିବାକୁ ପଡ଼େ। ଏବେ କିଛି ଦିନ ହେବ ଡିଉଟି ସାରି ଫେରିଲା ବେଳକୁ ଟିକେ ବିଳମ୍ବ ହୋଇଯାଏ। ସ୍ମିତାର ମୁହଁରୁ ଟିକେ ଟିକେ ବିରକ୍ତିର ଆଭାସ ପଇସାରିଲିଣି। ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା। ମୁହଁ ଲାଲ ଦେଖା ଯାଉଥିଲା। “କୋଉଠି ଥିଲ ଏତେବେଳ ଯାଏଁ?” ଏଇଟା ଘର ନ ଆଉ କିଛି? ତମର ଯେବେ ଇଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନ ନାହିଁ? ପିନ୍ଧିଥିବା ସାର୍ଟକୁ ଖୋଲି ଦେଇ ସ୍ମିତାକୁ ଧକା ଦେଇ ଘରଭିତରକୁ ପଶିଗଲା ପ୍ରଶାନ୍ତ। ସ୍ମିତା ସେମିତି ବିରକ୍ତି ହେଉଥିବା ବେଳେ କହିଲା, “ମୋତେ ଭୋକ ଲାଗିଲାଣି, ଜଲଦି ଖାଇବାକୁ ଦିଅ”
ସ୍ମିତା ଅବାକ ହେଇ ଚାହିଁ ରହିଥିଲା। କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତି ହୋଇ ଗାଳି କରିଲେ ବି କିଛି ଫରକ ପଡୁନି? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ। ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ। ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା। ପ୍ରଶାନ୍ତ ବାଥରୁମ ଯାଇ ଫ୍ରେସ ହୋଇ ଆସି ବେଡ଼ରେ ଟିକେ ଗଡୁ ଗଡୁ ତନ୍ଦ୍ରା ଲାଗିଯାଇଥାଏ। ଆଖି ଆଗେ ସବୁ କଥା ଝଲସି ଉଠିଲା। ଅଭୁଲା ମୁହୂର୍ତ୍ତର ଦାଉ ଦାଉ ଜଳନ୍ତା ଅନୁଭବର ନିଆଁ।
କାଲି ପରି ଲାଗୁଛି ସବୁ କଥା। ନିବେଦିତା ଦେଖିବାକୁ ତନୁ ପାତଳୀ କ୍ଷୀଣ ଶରୀର। ଗୌର ବର୍ଣ୍ଣ। ଘନ କୃଷ୍ଣ ଲମ୍ବା ବେଣୀ। ସୁନ୍ଦର ନହେଲେ ବି ଅସୁନ୍ଦର ଜମା ନୁହଁ!! କିନ୍ତୁ ଖୁବ ଆକର୍ଷଣୀୟ ତା ଗଢ଼ଣ। ସେ ବ୍ୟାଙ୍କିଙ୍ଗ ପ୍ରସ୍ତୁତି ପାଇଁ ଏଇ ଖାନନଗର ସ୍ଥିତ ବିଶ୍ୱନାଥ ପଣ୍ଡିତ ଲାଇବ୍ରେରୀକୁ ନିୟମିତ ଆସେ। ରେଭେନ୍ସାରୁ ବିଜ୍ଞାନରେ ସ୍ନାତକ ସାରି ଏଇ ବର୍ଷେ କି ଦେଢ଼ ବର୍ଷ ହେବ ବ୍ୟାଙ୍କ ପରୀକ୍ଷା ଦେଉଛି। ଲାଇବ୍ରେରୀର କିଛି ପିଲା ତା ପିଛା ପଡ଼ି ସାରିଥିଲେ। କୋଉଠି ଘର, ଆସୁଛି କୋଉଠୁ ଗୁଇନ୍ଦା ଲାଗି ଯାଇଥାନ୍ତି। ସେ ପାତଳୀଟିଏ ସିନା ଏତେ ଦ୍ରୁତରେ ସାଇକେଲ ଚଳାଏ ଯେ.. ସତେ ଯେମିତି କି ଆଖି ପିଛୁଳାକେ ଉଭେଇ ଯାଏ। କିଛି ପିଲା ତା ପିଛା ଅନୁସରଣ କରି ନୂଆବଜାର ଛକ ଯାଏଁ ଯାଇ ନିରାଶ ହୋଇ ଫେରନ୍ତି। ସେ କେଉଁ ଗଳିରେ ସଟ୍ କରି ପଶିଯାଏ, କିଛି ବି ଠଉରାଇ ପାରନ୍ତିନି। ପ୍ରଶାନ୍ତ ନିବେଦିତାକୁ ଯେବେ ବି ଦେଖେ କେଜାଣି କାହିଁକି ତା ମନରେ ଏ ଅଜଣା କୌତୁହଳଟିଏ ଖେଳିଯାଏ ସଞ୍ଚରିଯାଏ ସମଗ୍ର ଶରୀରକୁ। କେବେ କେମିତ ଉଙ୍କିମାରେ ଅଦେଖା ଆବେଗ ଉତ୍ସୁକତା ଉହାଡ଼େ। ବେଳ ଜାଣି ଖୋଜୁଥାଏ ସୁବିଧା ଟିକେ। କଥା ପଦେ ହୁଅନ୍ତା କି ଖାଲି! ସେଥିଲାଗି ତା ଯିବା ଆସିବା ସମୟକୁ ନିଘା ରଖିଥାଏ ପ୍ରଶାନ୍ତ। ଆଜି ସାଇକେଲ ଷ୍ଟାଣ୍ଡରେ ଘଡ଼ିଏ ଆଗରୁ ଯାଇ ଅନେଇ ବସିଛି ନିବେଦିତା ଆସିବା ବାଟକୁ। ପ୍ରଶାନ୍ତ ଦେଖୁଛି ନିବେଦିତା ସାଇକେଲ ଷ୍ଟାଣ୍ଡ ମଧ୍ୟକୁ ପଶି ଆସୁଛି, ସେ ବେଗରେ ପ୍ରଶାନ୍ତର ହୃଦସ୍ପନ୍ଦନ ବି ବଢ଼ିଚାଲୁଛି। ଜିଭ ଓଠ ଶୁଖିଲା ଶୁଖିଲା ଲାଗୁଛି। ନା… ମନ ଟାଣ କରିବାକୁ ପଡ଼ିବ। କିଏ ଜାଣେ ଏ ବେଳ ଆଉ ଆସିବକି ନାହିଁ ..! ସାହସ ସଞ୍ଚୟ କରି ପଚାରିଲା, “ତମେ ବ୍ୟାଙ୍କିଙ୍ଗ ପାଇଁ ପ୍ରସ୍ତୁତ ହେଉଛ ..?”
- ହଁ,
- ଷ୍ଟାଫ ସିଲେକ୍ସନ ଟ୍ରାଏ କରୁ ନାହାନ୍ତି?
- ହଁ, ଦେଖିବା।
କେଉଁ ବାଗରେ ଅସଲ କଥାଟା ପଚାରିବ ପଚାରିବ ହେଉଥାଏ ପ୍ରଶାନ୍ତ।
- ମୁଁ, ତମ ସହ ଫ୍ରେଣ୍ଡସିପ କରିବାକୁ ଚାହେଁ...!
- ଦୟାକରି ମତେ ସେ ସବୁ କଥା କୁହନ୍ତୁନି। ମୁଁ ଏଠି ପାଠ ପଢ଼ିବାକୁ ଆସିଛି, କହି ଏକ ମୁହାଁ ଚାଲିଗଲା ନିବେଦିତା।
ପ୍ରଶାନ୍ତ ମନଟା ପୋକଡ଼ା ବାଦାମ ଖାଇଲା ପରି ହୋଇଗଲା। ନିତି ତା ଯିବା ଆସିବା ସମୟକୁ, ପ୍ରଶାନ୍ତ ନଜାଣିଲା ପରି ଲାଇବ୍ରେରୀ ଆଗେ ଛିଡା ହେଉଥାଏ। ଏ କଥା କିନ୍ତୁ ନିବେଦିତା ଜାଣି ସାରିଥାଏ
ପ୍ରଶାନ୍ତ ସାହିତ୍ୟ ପ୍ରତି ରୁଚି ରଖିଥାଏ। ତାର କିଛି ଗଳ୍ପ, କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଉଥାଏ। ସେତେବେଳେ ତା’ର ଏକ କବିତା ସମ୍ବାଦ ପତ୍ରରେ ପ୍ରକାଶିତ ହୋଇଥାଏ। ସେଥି ପାଇଁ ଲାଇବ୍ରେରୀରେ ତା ନାଁ ଟିକେ ଚର୍ଚ୍ଚା ଧରିଥାଏ। ଏ ଖବର ନିବେଦିତା ଯାଏଁ ନିଶ୍ଚିତ ପହଂଚି ସାରିଥିବ ବୋଲି ପ୍ରଶାନ୍ତ ନିଶ୍ଚିତ ଥାଏ। ପ୍ରଶାନ୍ତ, ନିବେଦିତାକୁ ଫେସବୁକରେ ବହୁତ ଖୋଜିଲା ପରେ ସେ ଖୋଜିପାଇଛି। ଯା ହେଉ ନିବେଦିତା ଅତି ଶୀଘ୍ର ଗ୍ରହଣ କରିନେଇଛି। ଚାଟିଙ୍ଗରୁ ଧିରେ ଧିରେ କଥା ଆରମ୍ଭ। ତମେ ଖୁବ୍ ସୁନ୍ଦର କବିତା ଲେଖୁଛ! ମୁଁ ପେପେରରୁ ପଢ଼ିଲି, ଭଲ ଲାଗିଲା। ପ୍ରଶାନ୍ତ ତ ମନେ ମନେ ଏମିତ କିଛି ଆଶା କରୁଥିଲା।
“ମଳୁ ଖୋଜୁଥିଲା କାକର ପାଣି ବଇଦ କହିଲା ପିଇ ତୋରାଣି।”
କିଛି ଦିନ ଏମିତ ମେସେଜ ଜରିଆରେ କଥା ଚାଲିଥାଏ। ପ୍ରଶାନ୍ତ ମୋବାଇଲ ନମ୍ବର ମାଗିଛି ତ..! ତମେ ବୋଧେ ପାହାଚ ଚଢ଼ିବା ଆରମ୍ଭ କରି ସାରିଲାଣି...। ନିବେଦିତାର ଏମିତ ପ୍ରତିଉତ୍ତରର ମାନେ ପ୍ରଶାନ୍ତ ଠିକ୍ ବୁଝି ସାରିଥାଏ। ତଥାପି ପଚାରିଲା ଏମିତ କହିବାର ମାନେ? ମାନେ ଅବିଧାନରେ ଅଛି। ପ୍ରଶାନ୍ତ ସାମାନ୍ୟ ହସିଦେଲା। ନିବେଦିତା ଖୁବ ପରିଶ୍ରମ କରିବା ସତ୍ତ୍ବେ ବ୍ୟାଙ୍କରେ ପାଉନଥାଏ। ଏ ଥର ବି ରେଜଲ୍ଟ ବାହାରିଛି, ନିବେଦିତା ସହ ଆସୁଥିବା ଝିଅଟିର ହୋଇଛି ଅଥଚ ବିଚାରୀର ହୋଇନାହିଁ। ଲାଇବ୍ରେରୀରେ ସେମିତ ଟେବୁଲ ଉପରେ ମୁହଁ ପୋତି କାନ୍ଦୁଥାଏ। ସମସ୍ତେ ତା’କୁ ବୁଝାସୁଝା କଲେ। ପ୍ରଶାନ୍ତ ଏ ଭିତରେ କେତେ ଥର କହିଲାଣି, ବ୍ୟାଙ୍କିଙ୍ଗ ସହ ଷ୍ଟାଫ ସିଲେକସନ ବି ଦିଅ। କିଛି ଦିନ ପରେ ପୋଲିସ ସବଇନସ୍ପେକ୍ଟର ବିଜ୍ଞାପନ ବାହାରିଲା। ଏଥିରେ ଆବେଦନ କରିବା ପାଇଁ ନିବେଦିତାକୁ କହିଲା। ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛି। ଲାଇବ୍ରେରୀରୁ ପାଖାପାଖି ୬୦ ପିଲା ପାଇଛନ୍ତି ସେଥି ମଧ୍ୟରୁ ୧୫ କି ୨୦ ଝିଅ। ୟା ପରେ ପରେ ଆହୁରି ଚାରୋଟି ସୋପାନ। ଭାଇ ମୋ ଦେଇ ୟେ ଧାଁଧପଡ଼ ହେବନି। ତମକୁ କିଏ କହୁଛି ଦୌଡ଼ିବାକୁ? ତମେ ସକାଳେ କିନ୍ତୁ ପଡ଼ିଆକୁ ଆସ। କେବଳ ଚାଲିବ।
ତା’ ପରଦିନ ନିବେଦିତା ଆଉ କିଛି ଝିଅ ଆସିଥାନ୍ତି ପଡ଼ିଆକୁ ଅଭ୍ୟାସ ନିମନ୍ତେ। ଲାଇବ୍ରେରୀରେ ମୃଦୁ ଗୁଞ୍ଜରଣ ଖେଳିଗଲା ଯେ ନିବେଦିତା ସକାଳେ ପଡ଼ିଆକୁ ଯାଉଛି। ସତେ ଯେମିତ ସେ ନୀରବରେ ସମସ୍ତଙ୍କୁ ଜଣେଇଦେଲା ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବ ଆସ। ସବୁ ଦିନ ସକାଳେ ପଡ଼ିଆରେ ଗୋଟେ ଖଟି ଜମେ। ଭାଇ ଗୋଟେ କବିତା ଆଜି ଏଠି କହିବାକୁ ପଡ଼ିବ। ଆଉ ସେଇଟି ରୋମାଣ୍ଟିକ ହୋଇଥିବା ଚାହି। ସେ ପଂକ୍ତିଟି ଆଜି ବି ନିବେଦିତା ମନେ ସେମିତ ସତେଜ ଥିବ ବୋଲି, ପ୍ରଶାନ୍ତର ଦୃଢୋକ୍ତି। ସମସ୍ତେ ପ୍ରଶଂସାର ଶତମୁଖର ହେଉଥିଲା ବେଳେ ଜଣେ କେହି ସେମିତି ନୀରବରେ ଶୁଣି ରହିଗଲା। କବିତାଟିର ପଂକ୍ତି ଏମିତ ଥିଲା :
ଭଲ ପାଏ ବୋଲି କହିଦେବା
ଏମିତି ସହଜ କଥା ନୁହେଁ,
ଜିଇଁକି ମରିବା ମରିକି ଜିଇଁବା
ଏମିତ ସହଜ କଥା ନୁହେଁ!
ଭଲ ପାଇଁ ଭୁଲି ଗଲେ
ଜିଇଁବା ମରିବା ଏକା ହୁଏ ।
ସବୁ କଥା କଣ କହିହୁଏ ...??
କିଛି କଥା ନ କହିଲେ ବି ବୁଝି ହୁଏ ...
କେତେ ବିଚାର ଆଲୋଚନା, ମନ ଫଟା ଫଟି। ଏବେ ଠୁ ଭାଗ ବଣ୍ଟା ବଣ୍ଟି ଚାକିରୀ ପରେ କିଏ ମୋର କିଏ ତୋର। ଢ଼ିଙ୍କିଶାଳରୁ ଢେଙ୍କାନାଳ ଯାଏଁ ସବୁ କଥାର ଖଟି ହୁଏ..। ଏମିତ ଦିନେ ନିବେଦିତା କହିଲା ଭାଇ ଗୋଟେ କଥା ଶୁଣ।
କିଛି ଦିନ ହେବ ସରୋଜ ଆଗ ଛକରେ ଛକି ରହୁଛି। ମୁଁ ଗଲେ ମୋ ପଛେ ଯାଉଛି। ମୁଁ ଯେତେ ଅଣଦେଖା କଲେ ବି ସେ କିଛି ନା କିଛି ପଚାରେ। କଣ କହିବ ବୋଲି କହୁଥିଲା। ମୁଁ ଶୁଣିଲିନି ପଳେଇଗଲି।
- କଣ କହୁଥିଲା ପଚାରିଲନି?
- ମୁଁ ଯାଉଥିଲି... ସେ କୁକୁରଟା କୁ ପଚାରିବାକୁ!
ଏଇ ଭିତରେ ଦେଢ଼ ମାସ ବିତି ଯାଇଥାଏ। ଆର ପାହିଲାକୁ ଫିଜିକାଲ ଟେଷ୍ଟ। ତମେ ବହୁତ ଚାଲିଲାଣି କାଲି ଠୁ ଦୌଡ଼ ଆରମ୍ଭ। ଏତିକି କହିଛି କି ନାହିଁ ନିବେଦିତାର ମୁହଁ ଫିକା ପଡ଼ିଗଲା। ସେତେବେଳକୁ ସବୁ ଝିଅ ପ୍ରାୟ ୫ କିଲୋମିଟର ଦୌଡ଼ିବାର ଦକ୍ଷତା ହୋଇ ସାରିଥାଏ। କେବଳ ନିବେଦିତାକୁ ଛାଡ଼ି। ଆଜି ପ୍ରଥମ ଥର ବଡ଼ କଷ୍ଟରେ ୩ ରାଉଣ୍ଡରେ ନିବେଦିତା ଧଇଁ ସଇଁ। ହେ, ଭଗବାନ ଛାତି ଫାଟିଯିବ। କି କଷ୍ଟ...!
- ଏମିତ ହେଲେ କଣ ହେବ? କାଲି ଠୁ ମୋ ସହ ଦୌଡ଼ିବ।
- ନା. ବାବା ମୁଁ ତମ ସହ ଦୌଡ଼ି ପାରିବିନି।
- ଆଛା, ଠିକ୍ ଅଛି ମୁଁ ତମ ସହ ଦୌଡ଼ିବି।
ଆଜି ସେ ୫ ରାଉଣ୍ଡ ଦୌଡ଼ି ପାରିଛି, ପ୍ରଶାନ୍ତ ସହ ଦୌଡୁଥିଲା ବୋଲି, ପ୍ରଶାନ୍ତକୁ ଧନ୍ୟବାଦ ଜଣେଇଲା ସେ। ଗୋଟେ ମାସ ଭିତରେ ସେ ୫ କିଲୋମିଟର ଦୌଡ଼ିବାର ଦକ୍ଷତା ହାସଲ କରି ସାରିଥାଏ ନିବେଦିତା।
ଦଶହରା ପାଖେଇ ଆସୁଥିବାରୁ କଟକ ସହରଟା ଏବେ ଚଳଚଞ୍ଚଳ। ସବୁ ଆଡେ ମାଳ ମାଳ ଆଲୋକର ରୋଷଣୀ। କେତେ ଆକୃତିର ତୋରଣ। ସନ୍ଧ୍ୟା ହେଲେ ନାହିଁ ନଥିବା ଭିଡ଼। ତଥାପି ଏ ଭିଡ଼ ଠେଲି ପ୍ରାୟ ମେଢ଼ ବୁଲିଲୁ। ୟା ପରେ ପରେ ବାଲିଯାତ୍ରା ସମସ୍ତେ ବୁଲିଗଲୁ। ଦହିବରା ଆଳୁଦମ ଠୁ ଆରମ୍ଭ କରି ଠୁଙ୍କା ପୁରୀ ସବୁ ଚାଖି ସାରିଛୁ। ସମସ୍ତେ ଜିଦି କଲେ ରାମଦୋଳିରେ ବସିବା ପାଇଁ। ନିବେଦିତାକୁ ଛାଡ଼ି। ଆରେ... ଅନେଇଲେ ଆଖି ପାଉନି, ବସିବା ଏଥିରେ...? ସମସ୍ତେ ଜିଦି ଧରିଲେ ବସିବା ପାଇଁ। ନିବେଦିତା ପଛଘୁଞ୍ଚା ଦେଉଥାଏ। କଣ ପୋଲିସ ହେବୁ ଡରୁଛୁ...! ଟେକା ଟେକି କରି କହି ବସେଇଦେଲେ। ଦୁଇ ଘେରା ବୁଲିଛି କି ନାହିଁ ପ୍ରଶାନ୍ତକୁ ଭିଡ଼ି ଧରି ଚିଲ୍ଲେଇ ଉଠିଲା। ତା କଥା ବା କିଏ ସେଠି ଶୁଣିବ...!! ତଳକୁ ଓହ୍ଲେଇଛୁ ତ, ନିବେଦିତା ପ୍ରଶାନ୍ତକୁ କାନ୍ଦି କାନ୍ଦି କହିଲା ଆଜି ଠୁ ମୁଁ ତମ ସହିତ କୁଆଡ଼େ ଯିବିନି କହି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ତେଣେ ସବୁ ପିଲା ଠୋ ଠୋ ହସୁଥାନ୍ତି...!
ନିବେଦିତା ୟା ଭିତରେ ପ୍ରଶାନ୍ତର ଘନିଷ୍ଠ ହୋଇସାରିଛି। ସୁଖଦୁଃଖ ସବୁ ପ୍ରଶାନ୍ତ ସହ ବାଣ୍ଟେ। ସବୁ କଥାରେ ପ୍ରଶାନ୍ତର ପରାମର୍ଶ ନିଏ। କେତେ ଥର ପ୍ରଶାନ୍ତକୁ ଘରକୁ ଡାକିଛି।କିନ୍ତୁ ପ୍ରଶାନ୍ତ ତାଙ୍କ ଘରକୁ ଯିବା ଉଚିତ ମଣିନି। ଏଇ ପ୍ରଥମାଷ୍ଟମୀରେ କେତେ ଅନୁରୋଧ କରିଛି ଘରକୁ ଆସିବା ପାଇଁ କୌଣସି ବାହାନା ଆଳ ଦେଖେଇବା ସତ୍ତ୍ୱେ ନିବେଦିତା ନିଜେ ତା ପାଇଁ ପିଠା ନେଇ ଆସିଛି।
ଫିଜିକାଲ ଟେଷ୍ଟ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ସଭିଙ୍କର ଅଭ୍ୟାସ ଜୋର ଧରିଥାଏ। ନିବେଦିତା ଲଙ୍ଗ ଜମ୍ପ୍ ମାରିଲାବେଳେ ତା ଗୋଡ଼ ମକଚି ହୋଇଯାଇଥାଏ। ପ୍ରଶାନ୍ତ ତା ଗୋଡ଼ ଘଷି ଦେଉଥିଲା ବେଳେ ନିବେଦିତା କହିଲା, ଭାଇ, ସବୁ ପିଲା ଅନଉଛନ୍ତି। ସବୁ ପିଲାଙ୍କର ପ୍ରସ୍ତୁତି ଭଲଥିଲା। ପ୍ରଥମେ ପ୍ରଶାନ୍ତର ସରିଯାଇଥାଏ। ଯେଉଁ ପିଲା ଅଭ୍ୟାସ କରିଥାନ୍ତି ସେମାଙ୍କର କୌଣସି ଅସୁବିଧା ହେଉନଥାଏ। ତା ପରେ ତା ପରେ ଲଗାତର ସାତ ପ୍ରକାରର ଇଭେଣ୍ଟ ଦେବାକୁ ପଡ଼ିଥାଏ। ସକାଳ ୬ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ରେ ଶେଷ। ପ୍ରଶାନ୍ତ ପୂର୍ବରୁ ଯେଉଁ ପିଲାଟି ଥିଲା ସେ ଦେଖିବାକୁ ଶୀର୍ଣ୍ଣକାୟ। ସେ ଯେତେବେଳେ କମ୍ ଓଜନ ହେତୁ କଟିଗଲା। ପ୍ରଶାନ୍ତର ମନରେ ଛନକା ପଶିଗଲା। କାରଣ ନିବେଦିତାର ଓଜନ ଉପରେ ସନ୍ଦେହ। ଝିଅ ପିଲାଙ୍କର ଓଜନ ୪୭.୫ କି.ଗ୍ରା. ଆବଶ୍ୟକ ଥାଏ। ନିବେଦିତାର ଆଉ ଚାରି ଦିନ ପରେ ଥାଏ। ଏ କଥା ପ୍ରଶାନ୍ତ ନିବେଦିତାକୁ କହୁ ନଥାଏ। ତା ପରଦିନ ନିବେଦିତାକୁ ଓଜନ କରାଇ ନେଲା ପରେ। ପାଖ ପାଖି ଏକ କିଲୋ କମ ଆବଶ୍ୟକତା ଠାରୁ। କଣ ହେଇଛି କହୁନ...? ନିବେଦିତା ବାରମ୍ବାର ପଚାରୁଥାଏ। ପ୍ରଶାନ୍ତ ବାଧ୍ୟ ହୋଇ ଘଟଣାଟା କହିଲା। ଭାଇ, ମୋ ଭାଗ୍ୟରେ ନାହିଁ! ତମେ ଏତେ ଅଧୈର୍ଯ୍ୟ କାହିଁକି ହଉଛ ଯେ? ମୁଁ ଯିବିନି ଟେଷ୍ଟ ଦେବାକୁ। ଦେବି ଧରିକି ଯେ...! ପ୍ରଶାନ୍ତ ହସିଲା କିନ୍ତୁ ହସରେ ଯେମିତ ଜୀବନ ନଥିଲା। ଦେଖିବା କଣ ଗୋଟେ କରିବା। ସେ ଦିନଟି ଆସି ପହଁଚିଲା। ନିବେଦିତାକୁ ନେଇ ପ୍ରଶାନ୍ତ ଯାଇଥାଏ।
ମନ ଦେଇ ଶୁଣ ମୁଁ କଣ କହୁଛି। ଏ ଦୁଇଟା କାଗଜ ପୁଡିଆକୁ ପକେଟରେ ରଖ। ଏଇଟା କଣ ଭାଇ ଏତେ ଭାରି ଲାଗୁଛି। ତମେ ଚୁପ ଚାପ ସେଠି ଯାଇ ବସ। ପାରୁଛ ତ କଦଳୀ ଦି ଚାରିଟା ଖାଅ। ପ୍ରଶାନ୍ତ ଠାକୁରଙ୍କୁ ଡାକୁଥାଏ। ଏ ଘଡି ସନ୍ଧି ମୁହୂର୍ତ୍ତକୁ ପାର କରିଦିଅ ପ୍ରଭୁ। ନିବେଦିତାର ପାଳି ପଡ଼ିଲା ଓଜନ ହେବା ପାଇଁ। ପାଚେରୀ ଏପଟୁ କିଛି ଜାଣି ହଉନି କଣ ହେଲା। ଏତେ ସମୟ ହେଲାଣି କଣ ଆସୁନି...? ମନରେ ନାନା ଆଶଙ୍କା। ନିବେଦିତା ହସି ହସି ଆସୁଛି। ଭାଇ ମୁଁ ୪୮ କିଲୋଗ୍ରାମ...? ମୁଁ ଜାଣିନି ସେ ପୁଡ଼ିଆ ଦୁଇଟା ଦିଅ। ଭାଇ କଣ ଏଇଟା? ତମେ ଚାଲ ଲଙ୍ଗ ଜମ୍ପ୍ ମାରିବ। ଆଉ ସବୁ ଇଭେଣ୍ଟ ଅନାୟାସେ ପାରି ହୋଇଗଲା ସେ।
ମେନ ପରୀକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତେ ଲାଗି ପଡ଼ିଥାନ୍ତି। ପଢ଼ିବାକୁ ପଡ଼ିବ। ଆଉ ମାତ୍ର ମାସେ ସମୟ। କେତେ କଣ ପଢ଼ିବାକୁ ପଡ଼ିବ। ରଚନା ପ୍ରବନ୍ଧ ମୋ ଦେଇ ଜମାହେବନି। ବ୍ୟାକରଣ, ସାଧାରଣ ଜ୍ଞାନ କେତେ କଣ ରହିଲାଣି? ଫିଜିକାଲ ବୋଲି ସିନା ଲାଗିପଡ଼ି କରିଦେଲି। ଭାଇ, ମୁଁ କଣ କରିବି କୁହ...? ୩୦ ଦିନ ବହୁତ ହେଲାଣି ମନ ଦେଇ ପଢ଼ାପଢ଼ି କର। ପ୍ରଶାନ୍ତ ସାହିତ୍ୟରେ ଧୂରିଣ ଏ କଥା ସଭିଏଁ ଜାଣିଥାନ୍ତି। ଏବାବଦରେ ଯାହାର ଯାହା ଆବଶ୍ୟକ ପଡ଼େ ପ୍ରଶାନ୍ତ ସାହାଯ୍ୟ କରେ। କିଛି ପିଲା ମାଗିଥାନ୍ତି। କିଛି ରଚନା ଥିଲେ ଆମକୁ ଦେବ। ଏ କଥାଟା ନିବେଦିତା ଦେହରେ ଗଲାନାହିଁ। ସେ କହିଲା ଭାଇ ତମେ ଏତେ ପରିଶ୍ରମ କରି ଲେଖିଛ ସେମାନଙ୍କୁ ଦେଲେ ଉତ୍ତର ଏକା ହେଲେ ତମ ମାର୍କ କମଯିବାର ସମ୍ଭାବନା ଅଛି। ତା’ପରେ ମୁଁ ତ ତମକୁ ପ୍ରଥମେ କହିଥିଲି ନା! ପ୍ରଶାନ୍ତ ସମସ୍ତଙ୍କୁ ଦେଲା କିନ୍ତୁ ଏ କଥା ନିବେଦିତାକୁ ଜଣେଇଲା ନାହିଁ। ପରୀକ୍ଷା ମୁଣ୍ଡ ଉପରେ। ନିବେଦିତାର ବାରମ୍ବାର ଫୋନ। ଭାଇ... ଏଇଟା ଆସିଲାନି, ଏଇଟା କେମିତ ହେବ, ମୋର ସେ ନୋଟ ଦରକାର ଥିଲା। ବେଳେ ବେଳେ ରାତି ୧, ୨ ରେ ଭାଇ ଶୋଇ ପଡ଼ିଲଣି? ତା’ର ଅବାଧ୍ୟ ବିରକ୍ତିକୁ ସହିବାକୁ ପଡ଼େ।
ପରୀକ୍ଷା ଦିନ ଯେତେ ଯେତେ ନିକଟତର ହେଉଥାଏ ମନ ଭିତରର ଉଦ୍ବେଳନ ସେତେ ତୀବ୍ରତର ହେଉଥାଏ। ପରୀକ୍ଷାର ପୂର୍ବଦିନ କଥା ନିବେଦିତା କାନ୍ଦ କାନ୍ଦ ମୁହଁରେ କହିଲା, “ଭାଇ କ’ଣ ଗୋଟେ କର, ନ ହେଲେ ମୁଁ ପୁଣି ଫେଲ ହୋଇଯିବି। ମୁଁ ଆଉ ନିନ୍ଦା ଅପନିନ୍ଦା ସହି ପାରିବିନି।” କାହାର ଇଛା ନାହିଁ ତମାମ ଇଛା ନିଜ ଆୟତରେ ରୁହନ୍ତୁ ବୋଲି। ତାହା ସାଧ୍ୟାତୀତ, ଯାହା ନିୟତିବିହିତ ତାକୁ ମାନି ନେବାକୁ ପଡ଼ିବ। ପ୍ରଶାନ୍ତ ଗମ୍ଭୀର ସ୍ୱରରେ କହିଲା। ନିବେଦିତା ବୁଝିପାରିଲା ଦୁହେଁ ଏକା ନାଆର ଯାତ୍ରୀ ବୋଲି। ତଥାପି ମୋ ପକ୍ଷେ ଯାହା ହେଇ ପାରିବ ମୁଁ ନିଶ୍ଚିତ ସାହାଯ୍ୟ କରିବି।
ଛ ଘଣ୍ଟାର ପରୀକ୍ଷା ଯଦିଓ ମଝିରେ ଏକ ଘଣ୍ଟାର ବିରତି। ସମସ୍ତ ପରୀକ୍ଷାର୍ଥୀଙ୍କ ମୁହଁ ଭାରି ଭାରି। କିଏ କାହା ସହ କଥା ହେଉନାହାନ୍ତି। ପ୍ରଥମ ସିଟିଙ୍ଗ ସରିଲା। ବ୍ୟାକରଣ ଟିକେ ଭୁଲ ହୋଇପାରେ କିନ୍ତୁ ଆଉ ସବୁ ଏକ ପ୍ରକାରର ଭଲ ହୋଇଛି, ନିବେଦିତା କହିଲା। ହଉ ଠିକ ଅଛି! ତମେ ଗୋଟେ କାମ କର। ପରୀକ୍ଷା ଆରମ୍ଭର ଠିକ୍ ଦୁଇ ଘଣ୍ଟାପରେ ବାଥରୁମ ଆସିବ। ପ୍ରଶାନ୍ତ ଯାଇ ବାଥରୁମରେ ଅପେକ୍ଷା କରିଛି ଠିକ ସମୟରେ କିନ୍ତୁ ନିବେଦିତାର ଦେଖା ନାହିଁ ଏ ଯାଏଁ। ଆଉ ଅପେକ୍ଷା କରି ହେବନି ସବୁ ଅସୁବିଧା ହୋଇଯିବ ତେଣେ। ସେ ଫେରି ଆସୁଥିଲା ବେଳେ ତର ତର ହୋଇ ଆସିଲା ନିବେଦିତା। ଭାଇ ଟିକେ ଡେରି ହୋଇଗଲା। ଏ କାଗଜଟିକୁ ନିଅ, ଦେଇ ଚାଲିଗଲା ପ୍ରଶାନ୍ତ।
ପରୀକ୍ଷା ସରିଲା ବେଳକୁ ମାଛି ଅନ୍ଧାର ହୋଇ ଯାଇଥାଏ। ନିବେଦିତା ହସି ହସି ଆସୁଛି। ଖାଲି ହସୁଛି, ପ୍ରଶାନ୍ତ ବିଗିଡ଼ିବାରୁ କ୍ଷାନ୍ତ ହେଲା। ସମସ୍ତେ ବସ୍ରେ ଆସିଥିଲେ, ଯିବାପାଇଁ ନିବେଦିତାକୁ ଡାକିଲେ। ସେ ପ୍ରଶାନ୍ତ ସହିତ ଯିବ ବୋଲି ଜଣେଇ ଦେଲା। ଦୁହେଁ ବାଇକ୍ରେ କଟକ ଫେରୁଥାନ୍ତି। କଟକ ଭୁବନେଶ୍ୱର ମଝା ମଝି ହେବ। ଫୁଲନଖରାର ଟିକେ ଆଗକୁ। ନିବେଦିତା ଗାଡ଼ି ରଖିବାକୁ କହିଲା। ନିବେଦିତା କାନ୍ଦୁଛି ଯେ କାନ୍ଦୁଛି। ଏତେ ଅନ୍ଧାର ସତ୍ତ୍ବେ ସେ ସ୍ପଷ୍ଟ ଦେଖିପାରୁଛି ସେ ଲୁହ। ସେ ଲୁହର କାରଣ ପ୍ରଶାନ୍ତ ହୃଦୟ କୁଳ ଛୁଇଁ ସାରିଥାଏ। ତା ମୁହଁକୁ ଦେଖିଲେ ଆବେଗ ନଥିବା ଲୋକର ବି ଆଖି ଜକେଇ ଆସିବ। ନିବେଦିତା ବାଷ୍ପରୁଦ୍ଧ କଣ୍ଠରେ କହିଲା ଭାଇ ଏ ଜନ୍ମ କଣ ସାତ ଜନ୍ମରେ ବି ମୁଁ ତମ ଋଣ ସୁଝି ପାରିବିନି। ମୁଁ ଯଦି ଏ ଯାଏଁ ଆସି ପାରିଛି ତା କେବଳ ତମ ପାଇଁ। ଭାଇ ତମେ ବିଶ୍ୱାସ କର କି ନ କର। ମୋ ହୃଦୟରେ ତମେ ଯେଉଁ ଜାଗାଟି ଅଧିକାର କରିଛ ମୋ ଜୀବନ ଥିଲା ଯାଏଁ ଏ ସ୍ୱତନ୍ତ୍ର। ମୁଁ, ମୋର ମୁଁତ୍ୱକୁ ସମ୍ୟକ ରୂପେ ତମକୁ ଦେଇ ସାରିଛି।ପ୍ରଶାନ୍ତ ତା ଲୁହ ପୋଛୁ ପୋଛୁ ଏତିକି କହିଲା ତମର ଯଦି ଭାଗ୍ୟରେ ଏସ୍ଆଇ ହେବାର ଥିବ। ତମକୁ ଈଶ୍ୱର ସହାୟ ହୋଇଛନ୍ତି ମୁଁ ମାଧ୍ୟମ ମାତ୍ର। ପ୍ରଶାନ୍ତର ହାତକୁ ଜାବୁଡି ଧରି ସେ ସେମିତ କାନ୍ଦୁଥାଏ।
ଦୀର୍ଘ ଦିନର ବ୍ୟବଧାନ ପରେ ରେଜଲ୍ଟ ବାହାରିଲା। ତା ପରେ ମୌଖିକ ପରୀକ୍ଷା ସିଧା ସଳଖ IG, DGଙ୍କ ପ୍ରଶ୍ନର ଉତ୍ତର। ଭାବିଲା ବେଳକୁ ଉତ୍ତର ସବୁ ଧୂଆଁ ହୋଇ ଉଡ଼ିଯାଏ। ପ୍ରଶାନ୍ତକୁ ପଚରା ଗଲା ତମର ରୁଚି କଣ? ସାହିତ୍ୟ ପଢ଼ିବା, ମୁଖ୍ୟତଃ ଓଡ଼ିଆ। ତମେ ଇଂରାଜୀର ଛାତ୍ର ହୋଇ ଓଡ଼ିଆ ପ୍ରତି କେମିତି? ଆଛା, ସାହିତ୍ୟ ଆମ ପୋଲିସ ବିଭାଗରେ କି କାମରେ ଆସି ପାରିବ? ସାର, ସାହିତ୍ୟ ଅପରାଧକୁ ଅପରାଧ ହେବା ପୂର୍ବରୁ ରୋକି ପାରିବ। ସମାଜର ଟିକି ନିକି ଘଟଣାବଳୀ ଆପଣ ସାହିତ୍ୟରେ ପାଇବେ। ପୋଲିସ ତଦନ୍ତ ଯେଉଁ ଜାଗାରେ ପହଂଚି ପାରିନଥାଏ, ସାହିତ୍ୟ ଅନାୟାସେ ପହଂଚି ପାରିଥାଏ। ସାହିତ୍ୟ ଅପରାଧୀକୁ ଦଣ୍ଡ ଦିଏନି। ଅପରାଧର ମୂଳ କାରଣ ଖୋଜି ବାହାର କରିବା ସହ ସେଥି ପ୍ରତି ସଚେତନତା କରାଇ ଥାଏ। ସେଥି ପାଇଁ ସାହିତ୍ୟକୁ ସମାଜର ଦର୍ପଣ କୁହାଯାଏ।
ତମର ବୟସ ୩୦ ପରେ ହେଲାଣି, ଆଜି ଯାଏଁ କାହିଁ ବିବାହ କରିନାହଁ? ସାର ଯେଉଁ ପର୍ଯ୍ୟନ୍ତ ନିଜ ଗୋଡ଼ରେ ନିଜେ ଛିଡା ହୋଇନି କେମିତି ବାହା ହୋଇ ପାରିବି! ଆପଣମାନଙ୍କ ଆଶୀର୍ବାଦ ହେଲେ ନିଶ୍ଚିତ ୟେ ଏସ୍ଆଇ ପରେ ବିବାହ କରିବି। ସମସ୍ତେ ହସିଲେ ଏ କଥା ଶୁଣି। ଏମିତ ୨୫ ମିନିଟ କାଳ ତୁହାଇ ତୁହାଇ ପ୍ରଶ୍ନ।
ସମସ୍ତଙ୍କର ମୌଖିକ ପରୀକ୍ଷା ସରି ଯାଇଥାଏ। କିଛିଦିନ ପରେ ନିବେଦିତାର କୌଣସି ଖବର ନାହିଁ। ଶୁଣିବାକୁ ପାଇଲି ସରୋଜ ନିବେଦିତା ଏବେ କୁଆଡେ ଘନିଷ୍ଠ ହୋଇ ଯାଇଛନ୍ତି। ପ୍ରଶାନ୍ତକୁ ଏ କଥା ବିଶ୍ୱାସ ହେଲାନି। ସେ କଥାକୁ ବି ଗୁରୁତ୍ୱ ଦେଉନଥାଏ। ଆଉ ଗୋଟେ କଥା ଖବର ପାଇ ସେ ହତ ଚକିତ। ସବୁ ପୋଷ୍ଟ କାରବାର ହେଲାଣି। ପୋଲିସ ଚାକିରୀମାନେ କାରବାର ତ ହେବ। ଯୋଗ୍ୟ ଅଯୋଗ୍ୟ କଣ ଯେ ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ। ଏଠି ଯିଏ ଜିତିଲା ସେ ଯୋଗ୍ୟ। ସେଥିପାଇଁ ଆଜି ଯାଏଁ ପ୍ରାୟ ଏସ୍ଆଇ ପିଲାଙ୍କ ଦରଖାସ୍ତ ପ୍ରଶାନ୍ତ ଦ୍ୱାରା ଲିଖିତ। ପ୍ରଶାନ୍ତର ପରୀକ୍ଷା ଭଲ ହୋଇଥାଏ ସେଥି ପ୍ରତି ତେଣୁ ସେ କର୍ଣ୍ଣପାତ କଲା ନାହିଁ। ଯଦିଓ ସେ ଜାଣିଥିଲା ଏମିତ କିଛି ହୁଏ ବୋଲି। ବହୁ ଆଶା ଓ ଆଶଙ୍କାର ଅବସାନ ଘଟାଇ ସଭିଙ୍କ ଲୋଲୁପ ଦୃଷ୍ଟିର ଉହାଡ଼େ ଝୁଲୁଥିବା ଅଦୃଶ୍ୟ ଫଳଟି ବୋଧେ ହୁଏ ଭୂପତିତ ହେବା ହେବା ହେଉଛି। ବହୁ ଉପେକ୍ଷା ଓ ହା ହୁତାସ ହତୋତ୍ସାହ ଅର୍ଗଳୀ ଦେଇ ଏଇନା ଏଇନା ଚିତାକର୍ଷକ ଭାଗ୍ୟଟି ଚମକିବାକୁ ଯାଉଛି। କିଏ ଜାଣିଛି ହାତ ପାଆନ୍ତାରେ ରହୁଛି କି ଖସି ଯାଉଛି..!
ଅନ୍ତିମ ଫଳ ପ୍ରକାଶ ପାଇଛି। ହତାସର କରାଳ ସ୍ରୋତ ପ୍ରଶାନ୍ତକୁ ଭସେଇ ନେଇ ରସାତଳ କରିବାକୁ ଯେମିତ ବଦ୍ଧପରିକର। ଯେତେ ଗୋଡ଼ ହାତ ହଲେଇଲେ ସେ ସ୍ରୋତ ଆଗେ ସମସ୍ତ ପ୍ରୟାସ ନିଷ୍ଫଳ। ତା’ର ଆକୁଳ ଚିତ୍କାର କାହା ପାଖେ ପହଞ୍ଚି ପାରୁନି। ଆହାଃ.. ଆହାଃର କୁଟିଳ ସାନ୍ତ୍ୱନା। ଦୟାର ଦ୍ୱାହି ଦେଇ କେତେ ବିଦୃପର କଟାକ୍ଷ..
ନିବେଦିତା ତା ଋଣ ଶୁଝିବା ଆରମ୍ଭ କରି ସାରିଲାଣି ୟା ଭିତରେ। ତା’ର ସବୁ ପ୍ରତିଶୃତି ଏବେ ଶୃତିପ୍ରତି କେବଳ। ସରୋଜର ଏସ୍ଆଇ ହେଲା ପରେ। ଏବେ ସେ ତା ପ୍ରିୟ ବନ୍ଧୁ। ଏହା ବି କହିବାକୁ ଭୁଲିନାହିଁ, ପାଠ ପଢ଼ିଲେ ସିନା ହେବ। ଗପ, କବିତା ପଢ଼ିଲେ କଣ ହେବ? ସବୁବେଳ ଅନ୍ୟ ମାନଙ୍କୁ ସାହାଯ୍ୟ କରିବ ନିଜ କାମ ପଡ଼ିଆ ପକେଇ। ଯେ ଯୋଗ୍ୟ ସେ ହିଁ ପାଇବ, “survival of the fittest.”
ଏ କଥା ବୁଝିବାକୁ ପ୍ରଶାନ୍ତର ଆଉ ମୁଣ୍ଡ ନାହିଁ। ବର୍ତ୍ତମାନ ପ୍ରଶାନ୍ତ ଏକଘରିଆ, ବାସନ୍ଦ। ଧୀରେ ଧୀରେ ସବୁ ଚିହ୍ନା ମୁହଁ ଅଚିହ୍ନା ବାରିଲେ। ନିବେଦିତା ଆଉ ସରୋଜ ଉଭୟେ ଏବେ BPSPAରେ ଟ୍ରେନିଂ। ସେମାନଙ୍କର ଏ ଭିତରେ କୋର୍ଟ ମ୍ୟାରେଜ ସରିଛି। ଖାଲି ଯାହା ବିଧିକୁ ପରିବାରର ସ୍ୱୀକୃତିରେ ହେବ କଥା। ଟ୍ରେନିଂ ପରେ ନିବେଦିତାର ବାରିପଦାରେ ପୋଷ୍ଟିଙ୍ଗ। ସରୋଜର କୋରାପୁଟ। ନିବେଦିତା ଏସ୍ଆଇ ହେବା ପରଠାରୁ କି ସରୋଜ ସହ ମିଶିବାଠାରୁ ସେ କେବେ ପ୍ରଶାନ୍ତର ଖବର ରଖିବାକୁ ଉଚିତ ମଣିନାହିଁ।
ପ୍ରଶାନ୍ତ ସାହିତ୍ୟରେ ରୁଚି ରଖିଥିବାରୁ ସେ ଆଜି SDPO କାରଣ ତା ସ୍ପେସିଆଲ ପେପର ଓଡ଼ିଆ ଥିଲା। ସେ ଏବେ ବାରିପଦାରେ କାର୍ଯ୍ୟରତ।
ଅଦ୍ୟାବଧି ସରୋଜ ଓ ନିବେଦିତା ବିବାହ କରି ନାହାନ୍ତି। କୋର୍ଟ ମ୍ୟାରେଜ କରିବା କଥାଟା ମିଛ ବୋଲି ଏବେ ଜଣା ପଡ଼ିଲା। ଦୁହିଁଙ୍କ ମଧ୍ୟରେ ଏବେ ମତାନ୍ତର। ସରୋଜ ଏବେ ନିବେଦିତାକୁ ବିବାହ କରିବାକୁ ଅନିଛୁକ। ତା’ର ଅଭିଯୋଗ ନିବେଦିତାର ଥାନା ଅଧିକାରୀ ସହ ସମ୍ପର୍କ ଅଛି। ଏ କଥାରେ ସତ୍ୟାସତ୍ୟ ଏବେ ଉଚ୍ଚସ୍ତରୀୟ ବିଭାଗକୁ ହସ୍ତାନ୍ତର କରାଯାଇଛି।
ସରୋଜ ନିବେଦିତା ସହ କୌଣସି ସମ୍ପର୍କ ରଖିବାକୁ ନାରାଜ। ଏଭଳି ଏକ ସଂଗୀନ ଅଭିଯୋଗ ଆଣିଛି ନିବେଦିତା ସରୋଜ ବିରୁଦ୍ଧରେ। ଏହାର ତଦନ୍ତ ପାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଫିସରଙ୍କୁ ଦିଆଯାଇଥାଏ। ଏ ଦାୟିତ୍ୱ ପ୍ରଶାନ୍ତ ହାତରେ ନ୍ୟସ୍ତ କରାଯାଇଥାଏ। ଏ ଘଟଣା ଶୁଣି ପ୍ରଶାନ୍ତ ହତବାକ। ଡିପାର୍ଟମେଣ୍ଟ ଉପରେ କୌଣସି ଆଞ୍ଚ ନ ଆସୁ ସେଥିପାଇଁ ଏ ବିଷୟଟିକୁ ପ୍ରଶାନ୍ତ ଗୁରୁତର ସହ ନେଇ ଏହାର ସମାଧାନ କରି ପାରିଥିବାରୁ ସେ ଆଜି ଖୁବ ଖୁସି। ସରୋଜ ରାଜି ହୋଇ ଯାଇଛି ନିବେଦିତାକୁ ବିବାହ କରିବା ପାଇଁ। ଆରେ ଏ କଣ.. ନିବେଦିତାର ମୁହଁ ଖୁସି ବଦଳରେ ଏମିତ ଘୋର ବିଷାଦ କାହିଁକି..??
ପ୍ରଶାନ୍ତ ଅଫିସ କାମ ସାରି ଫେରୁଥାଏ ପଛରୁ କାହାର ଡାକ ଶୁଭୁଥାଏ, ଭାଇ ...! ଭାଇ ...!
ହଠାତ୍ ପ୍ରଶାନ୍ତର ନିଦ ଭାଙ୍ଗି ଯାଇଛି, ସ୍ମିତା ତାଙ୍କୁ ଉଠ... ଉଠ... ବୋଲି କହୁଛି। ସତରେ ରାଗିଗଲ ନା କଣ? ଆସ ଖାଇବା ମତେ ବି ଭୋକ ଲାଗିଲାଣି। ସେ ସ୍ମୃତି ଏମିତ ଭାବରେ ଆବୋରି ବସିଥାଏ ସ୍ମିତା ଆଉ ନିବେଦିତା ମୁହଁ ଏକ ପରି ଲାଗୁଥାଏ ସେ ମୁହୁର୍ତରେ। ଯାହା ହେଉ ସ୍ମିତା ଏ ବିଷୟରେ ଅବଗତ ନାହିଁ...! ସ୍ମିତା ତା ଗପ ଆରମ୍ଭ କରି ସାରିଥାଏ। ହଠାତ ଝଟକା ମାରିଲା ଭଳି କିଛି ଶବ୍ଦ ପ୍ରଶାନ୍ତ କାନରେ ବାଜିଲା,
ଜାଣିଛ...! ନିବେଦିତା ଆଜି ଆମ ଘରକୁ ଆସିଥିଲା...
କଲ୍ୟାଣପୁର, ନୟାଗଡ ମୋ - ୯୮୬୧୦୦୧୫୨
Go Back to Previous Page
ମୋ ସନ୍ଦେହୀ ପ୍ରିୟା
ସିପ୍ରା ନାମତା
Read Article
କି ଭୂଲ କଲା ସେ?
ବିକେଶ କୁମାର ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ