[ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ପାଇଛନ୍ତି]
ଦରବାନ ଗେଟ ଖୋଲିଲା। ଚାରିଚକିଆ ଗାଡ଼ିଟେ ପଶିଆସିଲା ଭିତରକୁ। ଗାଡ଼ିରୁ ଓହ୍ଲାଇ ଘରକୁ ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା। ମୁହଁ ଲାଲ ଦେଖାଯାଉଥିଲା। “କୋଉଠି ଥିଲ ଏତେ ବେଳଯାଏ, ଏଇଟା ଘର ନା ଆଉ କିଛି? ତମର ଯେବେ ଇଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?” ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ। ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, “ମୋତେ ଭୋକ ଲାଗିଲାଣି ଜଲଦି ଖାଇବାକୁ ବାଢ଼।” ସ୍ମିତା ଅବାକ ହୋଇ ଚାହିଁ ରହିଥିଲା। କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡୁନି? ନା, ଆଜି ଯାହା ବି ହେଉ ପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ। ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ। ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା। “କାହିଁକି ଏମିତି ବେକାରଟାରେ ପାଟି କରୁଛ କହିଲ? କାହିଁକି ମୋତେ ଜଗିଛ? ମୁଁ ତ ତମର କିଛି କାମର ଲୋକ ନୁହଁ ନା... ଦିଅ... ଦିଅ ଖାଇବାକୁ ଦିଅ... ଆଜି ନଟୀ ଆସିନି ନା କଣ ?” ଚାରିଆଡକୁ ଚାହିଁ .... “ଓଃ ସେଥିପାଇଁ ମାଡମଙ୍କ ରାଗଟା ପଞ୍ଚମ ରେ।” ୟା ଭିତରେ ଡାଇନିଂ ଟେବୁଲର ଚେୟାରରେ ବସି ଟେବୁଲରେ ସଜା ହୋଇଥିବା ପ୍ଲେଟ ଗୁଡ଼ିକୁ ସିଧା ରଖୁଥାଏ ପ୍ରଶାନ୍ତ। ସ୍ମିତାକୁ ସେମିତି ଠିଆ ହୋଇ ରହିବାର ଦେଖି କହିଲା, “କଣ ଠିଆ ହୋଇ ରହିଲ ଯେ?” ଏହି ସମୟରେ ସ୍ମିତାର ମାଉସୀ ଝିଅ ଭଉଣୀ, ତା’ଠାରୁ ବଡ଼, ଶାନ୍ତିଅପା ସ୍ମିତାକୁ ଡାକି ଡାକି ଘର ଭିତରକୁ ପଶିଆସିଲେ। ଘର ଭିତରର ପରିସ୍ଥିତି ଦେଖି ଅଡୁଆ ସମୟରେ ଆସିଥିବାରୁ କାଇଲା ଲାଗିଲା ତାଙ୍କୁ। ପ୍ରଶାନ୍ତ ସମ୍ବନ୍ଧରେ ହିଁ ସୂଚନା ଦେବାକୁ ସେ ଆସିଥିଲେ ସ୍ମିତା ପାଖକୁ। ସଙ୍ଗେ ସଙ୍ଗେ ବୁଦ୍ଧି ଖଟାଇ କହିଲେ, “ଆଜି କଣ ଖାଇ ନଥିଲ କି ପ୍ରଶାନ୍ତ? ସ୍ମିତା ଦଉନୁ ଖାଇବାକୁ” କହି ଏକରକମ ପେଲିପେଲି ନେଇଗଲେ ରୋଷେଇ ଘର ଭିତରକୁ।
ତରକାରୀ ବାସ୍ନାରେ ବିଭୋର ପ୍ରଶାନ୍ତ ପାଟିକୁ ଖାଦ୍ୟ ନେଉଥିବା ବେଳେ ଶାନ୍ତି ପଚାରିଲେ, “ଆଜି ହସ୍ପିଟାଲ କାହିଁକି ଯାଇଥିଲ? ତମେ ଠିକ୍ ଅଛ ତ?” ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ପ୍ରଶାନ୍ତ କହିଲା, “ତୁମେ କେମିତି ଜାଣିଲ? ଯାଇଥିଲ କି? କାହାର କିଛି ଅସୁବିଧା ହେଇଛି କି?”
“ଆରେ ନା ନା, ଘରେ ସବୁ ଠିକ୍। ମୋର ଟିକେ ଡ଼ଃ ରାଉତଙ୍କ ପାଖରେ କାମ ଥିଲା ତ! ସେଥିପାଇଁ ଯାଇଥିଲି। କିନ୍ତୁ ତୁମେ କିଛି କହିଲନି ଯେ” କହିଲେ ଶାନ୍ତି। ପ୍ରଶାନ୍ତ ନୀରବରେ ଖାଇବାକୁ ଲାଗିଲା ଖାଇସାରି ହାତ ଧୋଉ ଧୋଉ କହିଲା, “ସମାଜ ସେବା ପାଇଁ”
“ତମେ କଣ ୟା ଭିତରେ ତମ ଅଫିସ ବଦଳେଇ ଦେଇଛ। ଆଜି ତ କଣ ନୂଆ ଶୁଣିଲା ପରି ଲାଗୁଛି” ପ୍ରଶାନ୍ତ କଥା ଛଡେଇ ନେଇ ଶାନ୍ତି ଉଦ୍ଦେଶ୍ୟରେ ସ୍ମିତାକୁ ଦେଖେଇ କହିଲା, “ସେ କଥା ତମ ପରି ଲୋକ ବୁଝିପାରିବେନି” କହି ତା’ କୋଠରୀ ଆଡ଼କୁ ମୁହାଁଇଲା।
ପ୍ରଶାନ୍ତର ଯିବା ବାଟକୁ ଚାହିଁ ଶାନ୍ତି କହିଲେ, “ସେଇଥିପାଇଁ ମୁଁ କହୁଥିଲି କୋଳକୁ ଗୋଟେ ଜୀଅନ୍ତା କଣ୍ଢେଇ ଆସୁ, ସଂସାର ବଢିଲେ ଜଞ୍ଜାଳ ବଢ଼ିବ ତେଣିକି ଆପେ ଘରମୁହାଁ ହେଇଯିବ କିନ୍ତୁ ନାଇଁ ପ୍ଲାନିଂ କରିଛ ହଉ... ଏବେ ଦେଖୁଛୁ ତ କେମିତି ଘରଛାଡ଼ି ବାହାର ମୁହାଁ ହେଲାଣି।” ଦୂରଦୃଷ୍ଟି ସମ୍ପନ୍ନ ହିତକାରୀ ମଣିଷଟି ପରି ଶାନ୍ତିର ଏଇକଥା ଶୁଣି ସ୍ମିତାର ମୁହଁ ଅଜ୍ଞାତ ଆଶଙ୍କାରେ ଶିହରିଗଲା ବେଳକୁ ଆଖି ଦୁଇଟି ଛଳଛଳ ହୋଇଗଲା। ଅସହାୟ ହୋଇ ବସିପଡ଼ିଲା ଚେୟାର ଉପରେ। ଏବେ ଆଉ ନୀରବ ହୋଇ ବୋହିଲାନି ତା ଲୁହ ଧାର, କଇଁ କଇଁ ହୋଇ ଚାପା କ୍ରନ୍ଦନର ଧ୍ୱନୀ ନିର୍ଗତ ହେଲା ତା କଣ୍ଠରୁ। ଶାଢ଼ୀ ଅଞ୍ଚଳରେ ଆଖି ପୋଛୁ ପୋଛୁ କାନ୍ଦିବା ସ୍ୱରରେ କହିବାକୁ ଲାଗିଲା, “ଏବେ କଣ ହେବ ଅପା?କାହାକୁ ଦେଖିଲ କି ତାଙ୍କ ସାଙ୍ଗରେ? ମୋତେ ଖୋଲି କରି କୁହ”
“ଆରେ ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ? ମୋ କହିବା ଉଦ୍ଦେଶ୍ୟ ଠିକ୍ ସେଇୟା ନୁହଁ ଯେ, ପୁରୁଷ ପିଲା ତ ବାହାରେ ଅଧିକାଂଶ ସମୟ ରହୁଛନ୍ତି। ନିଜେ ଭଲ ହେଲେ ବି କେତେ ଜଣ ସେ ଭଲଟାକୁ ଦେଖିପାରନ୍ତି, ନା ସହିପାରନ୍ତି?ମଉସା କି ମାଉସୀ କେହି ବଞ୍ଚିଥିଲେ ତୋତେ ବୁଦ୍ଧି ଦେଇଥାନ୍ତେ ତେଣୁ ମୋ କହିବା କଥା, ମୂଳରୁ ଅଡୁଆ ଛିଡ଼ିଗଲେ ଯାଏ। ତା ପରେ ଯାହା ହେଉଛି ହେଉଥାଉ। କୋଳରେ ଛୁଆଟିଏ ଆସିଲେ ତୋର ବି ସମୟ କଟିଯାଅନ୍ତା, ଆଉ ସେ ବି ବାହାରକୁ ଯିବା କମେଇ ଦିଅନ୍ତା। ହଉ ଶୁଣ, ସେ ଯେତେବେଳେ ଭଲ ମନରେ ଥିବ ସେତିକିବେଳେ ଟିକେ ହୁସିଆର ହେଇ କଥାଟା ପକେଇବୁ। ମୁଁ ଚାଲିଲି ତେଣେ ତୋ ଭିଣୋଇ ପୁଣି ଆକାଶ ତୋରା ଦେଖେଇଦେବେ। ହଁ, ବେଶୀ ରାଗିବୁନି ତା’ଉପରେ। ହେଲା! ମୁଁ ଏଥର ଆସେରେ” କହି ଚାଲିଗଲେ ଶାନ୍ତି କିଛି ଶାନ୍ତି ଓ ଅଶାନ୍ତିର ବୀଜ ସ୍ମିତା ମୁଣ୍ଡରେ ଗଜୁରିବା ପାଇଁ ଛାଡ଼ିଦେଇ।
ସେଇଦିନ ରାତିରେ ପ୍ରଶାନ୍ତର ବିଳମ୍ବରେ ଆସିବାକୁ କ୍ଷଣକୋପୀ ସ୍ମିତା ଯଦିଓ ସହି ପାରୁ ନଥିଲା ହେଲେ ଶାନ୍ତି ଅପାର ଉପଦେଶ ଅନୁସାରେ ନୀରବ ରହିବାକୁ ବାଧ୍ୟ ହୋଇଛି। କିନ୍ତୁ ଭରସି କରି କିଛି କଥା କହି ବି ପାରୁନି ସେ ପ୍ରଶାନ୍ତକୁ। ରାତ୍ରୀ ଭୋଜନରେ ସୁସ୍ୱାଦୁ ବ୍ୟଞ୍ଜନ ପରଶି ଦେଇ ସ୍ମିତା ବାଧ୍ୟ ଛାତ୍ରୀଟି ପରି ଠିଆ ହୋଇ ଆନୁଗତ୍ୟ ପ୍ରଦର୍ଶନ କରୁଛି।
“ତମେ ଖାଇଛ?”
ମୁଣ୍ଡ ହଲେଇ ମନା କଲା ସ୍ମିତା।
“ତମ ଆଗରୁ ମୁଁ କେବେ ଖାଇଛି?”
ଦିନରେ ସେ ଯାହା ଖାଇଥାନ୍ତା, ଶାନ୍ତି ଅପାର କଥାରେ ଖାଇବାର ସ୍ପୃହା ମରିଯାଇ ଥିଲା ସ୍ମିତାର। ଗୋଟେ ଅନାଗତ ଆଶଙ୍କା ଓ ଭୟରେ ତା’ର ସମଗ୍ର ଶରୀରରେ ନିଷ୍କମ୍ପତା ଅନୁଭୂତ ହେଉଥିଲା। ବେନିନୟନ ଶ୍ରାବଣର ଛାୟାରେ ଢଳ ଢଳ ହେଉଥିଲା ପ୍ରଶାନ୍ତର କେଉଁ ଅନ୍ୟ ନାରୀ ସହ ସମ୍ପର୍କ ଥାଇପାରେ??? ଛିଃ, କେମିତି ଭାବନା ଗୁଡ଼ାକ ଠେଲି ପେଲି ହୋଇ ମୁଣ୍ଡଟାକୁ ଖରାପ କରିଦେଉଛନ୍ତି।
“କଣ ଏତେ ଭାବୁଛ? ଆସ... ସାଙ୍ଗରେ ଖାଇନେବା” ପ୍ରଶାନ୍ତର ଆଗ୍ରହରେ ସ୍ମିତା ତା ସହ ବସି ଖାଇଲା। ଏମିତି ଅନେକ ସମୟରେ ସେମାନେ ସାଥୀରେ ବସି ଖାଆନ୍ତି। ସହର ଭିତରେ ଥିଲେ, କେବେ କେବେ ବି ଫୋନରେ ଡେରି ହେବା କଥା କହିଦେଇଥାନ୍ତି। ତଥାପି କେମିତି ଗୋଟେ ଖାମଖିଆଲି ଭାବ ଥାଏ ବୋଲି ଅନୁଭବ କରେ ସ୍ମିତା।
ଖାଇସାରିବା ପରେ ପ୍ରଶାନ୍ତ କହିଲା, “ସତରେ ସ୍ମିତା ତମ ହାତରେ ଯାଦୁ ଅଛି। ଚମତ୍କାର ରାନ୍ଧିପାର ତମେ। ସେଇଥିପାଇଁ ଯେତେ ବିଳମ୍ବ ହେଲେ ମଧ୍ୟ ବାହାରେ ଖାଇବାକୁ ଇଛା ହୁଏନାହିଁ”
ଦୁହେଁ ଶୟନକକ୍ଷକୁ ଯାଇ ଶଯ୍ୟାର ଆଶ୍ରୟ ନେଲେ। ପ୍ରଶାନ୍ତ ଆଡ଼କୁ ପଛ କରି କଡ଼େଇ ଶୋଇଲା ସ୍ମିତା। ପ୍ରଶାନ୍ତ କାନ୍ଥରେ ଝୁଲୁଥିବା ଟି.ଭି.ର ପରଦା ଉପରେ ଗୋଟେ ପରେ ଗୋଟେ ଚ୍ୟାନେଲ ଖେଳାଇ ମନ ପସନ୍ଦର କିଛି ପ୍ରୋଗ୍ରାମ ନ ପାଇ ଟି ଭି ବନ୍ଦ କରିଦେଇ ମୋବାଇଲରେ ଆସିଥିବା ମେସେଜ ଗୁଡ଼ିକ ଚେକ କଲା। ନଜର ପଡ଼ିଲା ଗୋଟେ ନଂରେ ଜି. ଭାର୍ଗବୀ ଠିକ୍ ସେଇ ସମୟରେ ଏକ ଚାପା କ୍ରନ୍ଦନର ସ୍ୱର ତା’ କର୍ଣ୍ଣଗୋଚର ହେବା କ୍ଷଣି ସେ ସ୍ମିତା ଆଡ଼କୁ ଚାହିଁଲା। ଅନୁସନ୍ଧିତ୍ସୁ ମନନେଇ ଝୁଙ୍କି ପଡ଼ିଲା ପତ୍ନୀ ଉପରକୁ। ଅଶ୍ରୁଶିକ୍ତା ସ୍ମିତାର ମୁଖମଣ୍ଡଳକୁ ଚାହିଁ ଆଶ୍ଚର୍ଯ୍ୟର ସୀମା ରହିଲାନି ଆଉ ଖୁବ୍ ବ୍ୟସ୍ତ ଲାଗିଲା ତାକୁ। ମୁହୂର୍ତ୍ତକରେ ସେଇ ଅଶ୍ରୁସ୍ନାତା ମୁହଁର କମନିୟତା, ଓ ସୁନ୍ଦରତା ଅତୀବ ରମଣୀୟ ମନେ ହେଲା ତାକୁ। ସୌନ୍ଦର୍ଯ୍ୟର ଅପରୁପା ମୂର୍ତ୍ତିଟିକୁ ସେ ଏଇ କିଛିଦିନ ହେବ ବେଶ ଅବହେଳା କରିଆସିଛି ବୋଲି ଭାବି ତାକୁ ନିଜକୁ ଦୁଃଖ ଲାଗିଲା। କିନ୍ତୁ ସ୍ମିତା କ୍ରନ୍ଦନର ରହସ୍ୟ ତା’ ମୁହଁରୁ ଶୁଣିବା ପରେ ଠୋ ଠୋ ହୋଇ ହସିଉଠିଲା ପ୍ରଶାନ୍ତ।
“ତୁମ ପରି ଜଣେ ବିଶିଷ୍ଟ କଳାକାର ପାଖରୁ ଏମିତି ଭାବନା ମୁଁ ଆଶା କରୁ ନ ଥିଲି ସ୍ମିତା। ମନେଅଛି, ବିବାହର ଠିକ୍ ପରେ ପରେ ତୁମକୁ ଏ ବିଷୟରେ କହିଥିଲି ଆଉ ତୁମ ନୃତ୍ୟ କଳାକୁ ବି କଣ୍ଟିନ୍ୟୁ କରିବା ପାଇଁ ତୁମ ଇଛା ଜଣାଇବା ପାଇଁ କହିଥିଲି। କିନ୍ତୁ ତୁମେ ନୀରବ ତ ରହିଲ ଆଉ ତା ସହିତ ସେ କଥା ଭୁଲିଯାଇଛ ବୋଲି ବର୍ତ୍ତମାନ ମୁଁ ଜାଣୁଛି। ପାଞ୍ଚ ବର୍ଷରୁ ଅଧିକ ହେବ ମୁଁ ସେମାନଙ୍କ ସହ ରହିଛି।”
ଅବାକ ହୋଇ ଚାହିଁ ରହିଥିବା ସ୍ମିତାକୁ କୋଳେଇ ନେଇ ପ୍ରଶାନ୍ତ ତା’ର କାର୍ଯ୍ୟ ବ୍ୟସ୍ତତାର ସମସ୍ତ ରହସ୍ୟ ଉନ୍ମୋଚନ କରିବା ପାଇଁ ମୋବାଇଲ ଦେଖାଇଲା ସ୍ମିତାକୁ। ଦିବ୍ୟାଙ୍ଗମାନଙ୍କ ସେବା ଓ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀର ଭାରତୀୟ ଶାଖାର ପ୍ରବନ୍ଧକ ଜି. ଭାର୍ଗବୀଙ୍କ... “ଯୁବ ଉଦ୍ୟୋଗପତି ପ୍ରଶାନ୍ତ ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ପ୍ରେରଣା କର୍ମ ଶାଳା, ‘ଉଇ ଆର ଷ୍ଟାରସ’ (we are stars)ର ପ୍ରୟୋଜକ ରୂପେ ‘ବିଶେଷ ପ୍ରତିଭା ବିକାଶ ସମ୍ମାନ’ ପାଇବାକୁ ଆମନ୍ତ୍ରିତ ହୋଇଛନ୍ତି” ବୋଲି ମେସେଜଟିକୁ ପଢ଼ିସାରିବା ପରେ ପ୍ରଶାନ୍ତ ସେ କର୍ମଶାଳା ଗୁଡିକର କିଛି ଛାୟା ଦୃଶ୍ୟ ଟି.ଭି. ସହିତ ସଂଯୁକ୍ତ କରିଦେଲା। ବଡ ପରଦା ଉପରେ ସ୍ପଷ୍ଟ ଭାବରେ ସ୍ମିତା ଦେଖୁଥିଲା, ବିଭିନ୍ନ ବୟସର, ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ପିଲାମାନେ କୃତ୍ରିମ ଅଙ୍ଗ ସାହାଯ୍ୟରେ ବେଶ ସୁନ୍ଦର ଭାବେ ଅନେକ କିଛି କାମ କରିପାରୁଛନ୍ତି। ଓଃ... ଆଉ ଚାହିଁ ହେଉନି...। ଆତ୍ମା ହାହାକାର କରି ଉଠୁଥିଲା ସ୍ମିତାର। ଅସୀମ ଧୈର୍ଯ୍ୟ, ସ୍ନେହ, ପ୍ରେମର ମନ୍ଦାକିନି ବୁହାଇ କୌଶଳୀ ଶିକ୍ଷକମାନେ ସେମାନଙ୍କୁ ତାଲିମ ଦେବାରେ, ପ୍ରଶିକ୍ଷିତ କରାଇବାରେ ନିୟୋଜିତ। ବିଭିନ୍ନ ଶିକ୍ଷା, ଖେଳକୁଦ, ନୃତ୍ୟସଙ୍ଗୀତ, ଚିତ୍ରାଙ୍କନ, ଅଭିନୟ ଇତ୍ୟାଦିରେ ଦିବ୍ୟାଙ୍ଗମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେମାନଙ୍କ ଆତ୍ମିକ ଆବେଗକୁ ହୃଦୟରୁ ପ୍ରଣାମ ନ ଜଣାଇ ରହିପାରିଲାନି ସ୍ମିତା ଆଉ ତା ସାଥିରେ ଶାନ୍ତିଅପାଦ୍ୱାରା ସୃଷ୍ଟି ହୋଇଥିବା ଗୋଟିଏ ମୁହୂର୍ତ୍ତର ସନ୍ଦେହକୁ ସମୂଳେ ପୋଛିଦେଇ ସ୍ୱାମୀ ପ୍ରଶାନ୍ତର ଓସାରିଆ ଛାତିରେ ମୁହଁ ଗୁଞ୍ଜି ଖୁବ୍ ଆତୁର କଣ୍ଠରେ କହିଲା, “ମୋତେ କ୍ଷମା କରିଦିଅ”
ସ୍ମିତାକୁ ଆଉ ଟିକିଏ ନିବିଡ଼ କରୁ କରୁ ପ୍ରଶାନ୍ତ କହିଲା, “ମୁଁ ଭାବୁଛି ଘରେ ଏକା ବସି ବସି ତୁମେ ନିହାତି ବୋର ହୋଇଯାଉଛ ତଥା ଅନ୍ୟମାନଙ୍କ ଶିକ୍ଷାରେ ପଡୁଛ। ତେଣୁ ମୋ ମତରେ ତୁମେ ପୁଣି ତୁମ ଡ୍ୟାନ୍ସ କ୍ୟାରିଅରରେ ମନ ଦିଅ। ଘରେ ଗୋଟେ ଛୋଟ ଡ୍ୟାନ୍ସ ସ୍କୁଲ ଖୋଲିଦିଅ। ତୁମେ ଭାବୁଥିବ ମୁଁ କେମିତି ଏତେ କଥା କହୁଛି? ମନେ ଅଛି ଆମ ବିବାହର କିଛି ମାସ ପୂର୍ବର କଥା --ବଲାଙ୍ଗୀର ଜିଲ୍ଲାରେ ଏମିତି ଏକ କାର୍ଯ୍ୟକ୍ରମ ‘ଅମୃତର ସନ୍ତାନ’ରେ ତମର ଓଡ଼ିଶୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ବିଶେଷ କରି ମୋତେ। ସେତେବେଳେ ମୁଁ ସେଠି ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲି। ଆଉ ତା’ପରେ ପରେ ହିଁ ତମେ ମୋ ଜୀବନସଙ୍ଗିନୀ ହେଲ।”
ସ୍ମିତା ମୃଦୁ ହସି ଆଖି ନଚାଇ ପ୍ରଶାନ୍ତର ନିବିଡ଼ତମ ହେଉ ହେଉ କହିଲା, “ଏତେ ରହସ୍ୟଥିଲା ୟା ଭିତରେ କିନ୍ତୁ କେବେ ଜାଣିବାର ସୁଯୋଗ ଦେଇନଥିଲ ତ, ବାହାଘରକୁ ବର୍ଷେ ଡେଇଁଲାଣି। ଯା’ହେଉ ଶାନ୍ତିଅପା ଗୋଟେ ମସ୍ତବଡ଼ ଉପକାର କରିଦେଇଗଲେ। ତୁମ ପରି ସ୍ୱାମୀମୋତେ ସବୁ ଜନ୍ମରେ ପ୍ରାପ୍ତ ହେଉ।”
“ହଉ ଏବେ ଜାଣିଲ ତ!! ମୋ ସନ୍ଦେହୀ ପ୍ରିୟା......” ପ୍ରଶାନ୍ତ ଆଖିରେ ଆଉ ଓଠରେ ଦୁଷ୍ଟାମୀର ହସ ସହିତ ରାତ୍ରୀ ତା’ର ଯୌବନରେ ଉପନୀତ ହେଉଥିଲା ଓ ସେଇ ହସ ସଂଚରି ଯାଉଥିଲା ସ୍ମିତା ଓଠକୁ ସନ୍ଦେହର ଘନ କୁହେଳୀକା ଅପସାରଣ କରି।....
ବାରିପଦା ,ମୟୁରଭଞ୍ଜ
Go Back to Previous Page
ସଂସାର
ଶ୍ରଦ୍ଧାଞ୍ଜଳୀ ମିଶ୍ର
Read Article
ଚାକିରୀ
ଅଶୋକ କୁମାର ସେଠୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ