ଐତିହ୍ୟସମ୍ପନ୍ନ ଓଡ଼ିଶା ତା’ର ଇତିହାସ ପାଇଁ ପୃଥିବୀର ସର୍ବୋଚ୍ଚ ସମ୍ମାନ ପାଇବ କେବେ ?
(କେଉଁ କାରଣରୁ ପାଇବା ଆବଶ୍ୟକ ନିମ୍ନରେ ବର୍ଣ୍ଣନା କରାଗଲା)
କେଉଁ ୫୦/୧୦୦ ବର୍ଷ ପୂର୍ବେ ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ କେବଳ ଓଡ଼ିଶାର ଏକ ମାତ୍ର କୋଣାର୍କ ମନ୍ଦିର ସ୍ଥାନ ପାଇଥିଲା ବୋଲି ଆମେ ଗର୍ବିତ ଥିଲେ ହେଲେ ଆଜି ଦିନରେ କ’ଣ ନ କରିଛି ଓଡିଶା! ତାହାର ବିଷଦ ବିବରଣୀ ପାଠ କଲେ ଜାଣିହେବ ଯେ କାହିଁକି ଓଡିଶା ପୃଥିବୀର ସର୍ବୋଚ୍ଚ ସମ୍ମାନ ପାଇବ?
୧. ପୂର୍ବରୁ ବଙ୍ଗରେ ଓଡ଼ିଆମାନେ ଭଲ ଘରୋଇ ରାନ୍ଧୁଣିଆ ଭାବେ ସୁପରିଚିତ ଥିବାବେଳେ ବିଶେଷ ଖ୍ୟାତି ଅର୍ଜନ କରି ପାରିଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ସୁରତରେ ଲୁଗାକଳ ଶ୍ରମିକ ତଥା ଆନ୍ଧ୍ର, ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର ତଥା ସର୍ବୋପରି ଦେଶର ସମସ୍ତ ରାଜ୍ୟ ଗୁଡ଼ିକରେ ଉତ୍ତମ ଶ୍ରମିକ ଭାବେ, କମ ମଜୁରୀରେ ଅଧିକ ଶ୍ରମଦେଇ ଖୁବ ସୁଖ୍ୟାତି ଅର୍ଜନ କରିପାରିଛନ୍ତି
୨. ଓଡିଶାରେ ଥିବା ପ୍ରାକୃତିକ ସମ୍ପଦ ଗୁଡ଼ିକୁ ନିଜେ ବ୍ୟବହାର କଲେ କାଳେ କ୍ଷତି ହୋଇ ଯାଇପାରେ ବୋଲି ଅନ୍ୟ ଘରୋଇ ସଂସ୍ଥା ତଥା ବିଦେଶୀ କମ୍ପାନୀମାନଙ୍କୁ ଖୁବ କମ ଦରରେ ବିକ୍ରୀ କରି ସେମାନଙ୍କ ପାଖରେ ଶ୍ରମିକ ଭାବେ କାମ କରନ୍ତି ଯାହା ଦ୍ୱାରା ବଢ଼ି ମରୁଡ଼ି ମହାବାତ୍ୟା ହେଲେ ମଧ୍ୟ ତାଙ୍କର ମାସିକ ବେତନ ପାଇବାରେ ଅସୁବିଧା ନାହିଁ କି କେବେ କ୍ଷତି ହେବାର ସମ୍ଭାବନା ନଥାଏ କମ ଦାମରେ ବିକ୍ରୀ କରି ଉଦାର, ଏବଂ କ୍ଷତି ଭାର ନଉଠାଇ କେତେ ଚତୁର ଆମେ!
୩. ଦେଶସାରା କୁହେଳିକା ହୁରି ପଡୁଛି ଯେ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ କରାଯାଉ! ହେଲେ ସମସ୍ତେ ଭାବୁଛନ୍ତି ଆମର ପିଲା ଛୁଆ କମ କରିବା ପାଇଁ ସରକାର ଚାପ ପ୍ରୟୋଗ କାହିଁକି କରିବେ? ତେଣୁ ଗତ ୫୦ ବର୍ଷ ତଳକୁ ଯାଇ ହିସାବ କଲେ ଜଣାଯାଏ ଯେ ପ୍ରାୟ ୩ଗୁଣରୁ ଅଧିକ ଜନସଂଖ୍ୟା ବଢ଼ିଗଲାଣି ଆମ ଦେଶରେ ହେଲେ ଆମେ ସେମିତି ଲୋକଙ୍କ ମନକୁ ବାଧିଲା ଭଳି ବ୍ୟବସ୍ଥା କରୁନାହୁଁ ଆମେ ଲୋକଙ୍କୁ ତାଙ୍କ ଅଧିକାର ଦେଇ କର୍ମଦେବଙ୍କ ସହାୟତରେ ଛୁଆ ଜନ୍ମ ହେବା ପରେ ତାକୁ ମାରିଦେଉ! ହେଲେ ବିଚରା ବାପାମା’ ନିଜ କର୍ମକୁ ନିନ୍ଦା କରନ୍ତି ପଛେ ସରକାରଙ୍କୁ ନୁହେଁ କଷ୍ଟ ହେଲା ଭଳି କଥା ନକହି କେତେ ଉଦାର, ଏବଂ ଆମ କାମ ଭିତିରେଇ କରି କେତେ ଚତୁର ଆମେ!
୪. କେଉଁ କାଳେ ଲୋକ ମୂର୍ଖ ଅନ୍ଧ ଥିଲେ ବୋଲି ଦାଦା ବଟି ଦେଉଥିଲେ! ହେଲେ ଆଜି କ’ଣ ଆଉ ସେହି ପୁରୁଣା ପ୍ରଯୁକ୍ତି ବିଦ୍ୟା ଅଛି? ଆମେ ଲୋକଙ୍କୁ ଏମିତି ଦାଦାଗିରି କରି ଆଉ ବଟି ଆଦାୟ କରୁନାହୁଁ କାରଣ ସେଥିରେ ବହୁତ ସମୟ ନଷ୍ଟ ହେଉଥିଲା ଲୋକ ଧୀରେ ଧୀରେ ଅଳ୍ପ ଅଳ୍ପ କରି ଦେଉଥିଲେ ଯାହା ସମୟ ସାପେକ୍ଷ ଥିଲା ତେଣୁ ଆମେ ସବୁ ଗୁଣ୍ଡାମାନଙ୍କୁ ଦମନ କରି ଜେଲ ପଠାଇଦେଲୁ ଏବଂ ବିଭିନ୍ନ ପ୍ରଦେଶରୁ ଜାଲି କାମରେ ପାରଙ୍ଗମ ଲୋକମାନଙ୍କୁ ଆଣି ନୂତନ ବଟି ଆଦାୟ କମ୍ପାନୀ ଖୋଲି କମ ସମୟ ମଧ୍ୟରେ କୋଟି କୋଟି ଟଙ୍କା ଲୋକଙ୍କୁ ଭୁଆଁ ବୁଲାଇ, ସେମାନେ ନ ଜାଣିପାରିଲା ଭଳି ଉପାୟରେ ଆଦାୟ କରିପାରିଲୁ ଲୋକଙ୍କ ହୃଦୟକୁ ସିଧା ସଳଖ କଷ୍ଟ ନଦେଇ କେତେ ଉଦାର, ଆଉ ଆମ କାମକୁ ଗୁଣାତ୍ମକ ମାନ ଦେଇ ପ୍ରଚୁର ଆଦାୟ କରି କେତେ ଚତୁର ଆମେ!
୫. ପୂର୍ବରୁ ସରକାରୀ କାର୍ଯ୍ୟାଳୟ ଗୁଡିକରେ ୫/୧୦ ଲାଞ୍ଚ ନେଇ ଫାଇଲ ଚାଷ କରି କରି ନଥିପତ୍ର ଗୁଡ଼ିକ ରଖିବା ପାଇଁ ଗୋଦାମ ଘର ଉଛୁଳି ପଡିଲା ହେଲେ ଲୋକ ହନ୍ତସନ୍ତ, ସରକାର ବିବ୍ରତ! ତେଣୁ ଆମେ ତାକୁ ନୂତନତ୍ୱ ଦେଇ ଏମିତି କଲୁ ଯେ ଆଉ ଫାଇଲ ଚାଷ ହେବ ନାହିଁ! ହେଲେ କେମିତି ହେବ? ଆଜ୍ଞା ଏତେ ଗୁଡ଼ିଏ କାର୍ଯ୍ୟାଳୟ କରି ଫାଇଲ ଚାଷ କରି କରି ଉଇ ଅଳନ୍ଧୁ ଘରେ ବସି କାମ କଲେ କଣ ହେବ? ତେଣୁ ସବୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ମାର୍ବଲ ପକାଇ ଚକାଚକ କରି ସେଇଠି ସରକାରୀ କର୍ମଚାରୀ ବଦଳରେ ଏଜେଣ୍ଟ ନିଯୁକ୍ତି କଲୁ! ରାଜଧାନୀରେ ତୃତୀୟ ମହଲାରେ ଗୋଟିଏ ନିୟନ୍ତ୍ରଣ କୋଠରୀ କଲୁ ଯେଉଁଠାରୁ ସେହି ସବୁ ଏଜେଣ୍ଟ କାର୍ଯ୍ୟାଳୟ ନିୟନ୍ତ୍ରଣ ହେବ ଆଉ ଯେଉଁ ଲୋକଙ୍କ କାମ ଅଛି ସେହି ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ନିୟନ୍ତ୍ରଣ କୋଠରୀକୁ ପାଉଣାଟି ମୋଟା ଅଙ୍କରେ ପଠାଇ ଦେଲେ ଦୂରଭାଷ ମାଧ୍ୟମରେ ତାଙ୍କର କାମ ହୋଇଯାଉଛି ଯିଏ ବ୍ୟବସ୍ଥା ଜାଣି ପାରୁନି ତା କଥା ବୁଝେ କିଏ? ଆଇନ କାନୁନ ଫାଇଲ ନଥିପତ୍ର ସବୁ ଉଠାଇ ଦେଇ ଦୂରଭାଷ ଆଉ କମ୍ପ୍ୟୁଟର ମାଧ୍ୟମରେ ସମସ୍ତ କାର୍ଯ୍ୟାଳୟକୁ ଯୋଡ଼ିଦେଇ ଅଧିକ ପାଉଣା ଦେୟ ଯୁକ୍ତ ହେଲେ ମଧ୍ୟ କାମ କରାଇ ଦେବାରେ କେତେ ଉଦାର, ଆଉ ନିୟମ କାନୁନ ଭଳି ସାର୍ବଭୌମତ୍ୱକୁ ଚାପିଦେଇ ଇଛା ମୁତାବକ କାମକରି କେତେ ଚତୁର ଆମେ!
୬. ମହିଳା ସୁରକ୍ଷା ଆମେ ଦେଉଥାଉ ଯେତେବେଳ ପର୍ଯ୍ୟନ୍ତ ସେ ନିଜେ ସୁରକ୍ଷିତ ଥାଏ ଆଉ ଅତ୍ୟଧିକ ହେଲେ ତାକୁ ଚାପ ପ୍ରୟୋଗ କରି ମାରିଦେଉ କିମ୍ବା ସେ ନିଜେ ମରିବା ପାଇଁ ବାଧ୍ୟ ହେବା ଯାଏ ଅପେକ୍ଷା କରୁ! କାରଣ ସେମିତି ନହେଲେ କାଳେ ତାହାର କୁପ୍ରଭାବ ଅନ୍ୟ ଝିଅଙ୍କ ଉପରେ ପଡ଼ିବ! ହେଲେ ଯଦି ଦୈବାତ କେଉଁ କଥାଟା ପଦାରେ ପଡ଼ିଗଲା ତାଙ୍କ ପରିବାରକୁ କିଛି ପଇସା ପତ୍ର ଦେଇ କଥାଟିକୁ ଚାପି ରଖିବାକୁ ଚେଷ୍ଟା କରୁ! ହେଲେ କୁକର୍ମ କରିଥିବା ଲୋକଙ୍କୁ ଆମେ ଆଇନ ରାସ୍ତାରେ ନନେଇ ତାଠାରୁ ଯଥେଷ୍ଟ ସ୍ୱାର୍ଥ ହାସଲ କରୁ ସମାଜର ନାରୀ ମାନଙ୍କ ଉପରେ କୁପ୍ରଭାବ ନ ପଡୁ ବୋଲି ଭାବି ଘଟଣାକୁ ଲୁଚାଇ ରଖି କେତେ ଉଦାର, ଆଉ କୂକର୍ମୀଙ୍କ ଠାରୁ ଯଥେଷ୍ଟ ସ୍ୱାର୍ଥ ହାସଲ କରି କେତେ ଚତୁର ଆମେ!
୭. ଜନସଂଖ୍ୟା ନିୟନ୍ତ୍ରଣ ତଥା ଯଥେଷ୍ଟ ଟିକସ ଆଦାୟ କରିଥାଏ ମଦ, ତମ୍ବାଖୁ, ସିଗାରେଟ ଇତ୍ୟାଦି! ହେଲେ ସେସବୁ ଶରୀର ପାଇଁ କ୍ଷତି କାରକ ବୋଲି ନକହିଲେ ଲୋକଙ୍କୁ ଶିକ୍ଷା ଦେବାରେ ବ୍ୟତିକ୍ରମ ହେବ ବୋଲି, କେବଳ ତା’ର ପ୍ୟାକେଟ ଉପରେ ଲେଖିଦେଉ ହେଲେ ସେସବୁ ମଧ୍ୟ ୧ ନଂ କମ, ୨ ନଂ ବେଶୀ, ପ୍ରସ୍ତୁତକାରୀ ମାନଙ୍କ ଜରିଆରେ ଆମେ ପ୍ରଚୁର ୨ ନଂ ଅର୍ଥ ଆଦାୟ କରିପାରୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଯଦି କେତେବେଳେ କୌଣସି ସାମାଜିକ ପରିସ୍ଥିତି ହେତୁ କିଛି ଆଇନ ପ୍ରବର୍ତନ ହୁଏ ତାକୁ ବନ୍ଦ କରିବାପାଇଁ, ଆମେ ନୂତନ ଆଇନଟିଏ ଯୋଡ଼ି ଦେଇ ତାର ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ସୁବିଧା ଯୋଗାଇ ଦେଇଥାଉ କାରଣ ସେଥିରେ ପ୍ରସ୍ତୁତ କର୍ତ୍ତା, ବିକ୍ରେତା, ଉପଭକ୍ତା, ଆଉ ଆମେ ସମସ୍ତେ ଖୁସି ନିଜ ନିଜର ସ୍ବାର୍ଥପାଇଁ ହେଲେ ପ୍ୟାକେଟ ଉପରେ ସଚେତନତା ବାର୍ତ୍ତା ଦେଇ କେତେ ଉଦାର, ଆଉ ଜନସଂଖ୍ୟା ନିୟନ୍ତ୍ରଣ ସାଥିରେ ନିଜସ୍ୱ ସ୍ୱାର୍ଥ ହାସଲ କରି କେତେ ଚତୁର ଆମେ!
୮. ଆମ ରାଜ୍ୟରେ ଅଶିକ୍ଷିତ ରହିବେ ନାହିଁ ଆମ ପିଲାଏ ଅଶିକ୍ଷିତ କହିଲେ ଆମ ପଦମର୍ଯ୍ୟଦା କ୍ଷୁର୍ଣ୍ଣ ହେବ ହେଲେ କଣ କରାଯିବ? ଆମ ରାଜ୍ୟରେ ଶିକ୍ଷକତା କରିବା ପାଇଁ ସବୁ ପଛ ଧାଡ଼ି ପିଲା ହିଁ ମିଳନ୍ତି, ଯେଉଁମାନେ ଭଲକରି ଦରଖାସ୍ତଟିଏ ମଧ୍ୟ ଲେଖି ପାରିବେ ନାହିଁ ଆଉ ସେତକ ନକଲେ ସବୁ ବିଦ୍ୟାଳୟ ମହାବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ତେଣୁ ଆମେ ଭିତିରିକରି ସମୁଚିତ ଶିକ୍ଷା ଦେଇ ଶିକ୍ଷକ ମାନଙ୍କୁ ପ୍ରବର୍ତ୍ତାଇ ଥାଉ ଯେ ଯଦି ଜଣେ ବିଦ୍ୟାଳୟରେ ନାମ ଲେଖାଇଲା ପାଠ ହଉ ବା ନହେଉ ଶିକ୍ଷାର୍ଥୀ ଅକୃତକାର୍ଯ୍ୟ ହେବନାହିଁ ଶିକ୍ଷା ଶେଷ ପର୍ଯ୍ୟନ୍ତ ସେ ଯେକୌଣସି ମତେ ଡିଗ୍ରୀଟିଏ ନେଇ ହିଁ ବାହାରିବ ତାର ବୟସ ବଢ଼ିଲା ବେଳକୁ ଆଉ ଯିଏ ବିଦ୍ୟାଳୟ ନଆସିଲା ତା କଥା ସେ ନିଜେ ବୁଝିବ ଆଉ ଆମେ ଆମର କୁକର୍ମ ତଥା ଅପାରଗତାକୁ ଲୁଚାଇବାପାଇଁ ଶିକ୍ଷାର୍ଥୀମାନଙ୍କୁ ଖାଇବା ପିନ୍ଧିବାଠାରୁ ଆରମ୍ଭ କରି ଗମନାଗମନ ତଥା ପାଠ୍ୟ ଉପକରଣ ମାଗଣାରେ ବିଦ୍ୟାଳୟ ପରିସର ମଧ୍ୟରେ ଯୋଗାଇଦେଉ ଯାହା ଆଗରୁ ହେଉନଥିଲା ଆଉ ସେହିସବୁ ସରକାରୀ ଅନୁଦାନରୁ ଆମକୁ ବହୁତ ଭିତିରିଆ ସ୍ୱାର୍ଥ ଉପଲବ୍ଧ ହୋଇଥାଏ ବିଭିନ୍ନ ମାଧ୍ୟମରେ ହେଲେ ପିଲାମାନଙ୍କୁ ଏତେ ସୁବିଧା ଯୋଗାଇ ଦେଇ ପାଠ ହେଉକି ନହେଉ ପ୍ରମାଣ ପତ୍ର ନିଶ୍ଚିତ ଦେବାରେ କେତେ ଉଦାର ଆଉ ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିପାରିବା ତଥା ମିଥ୍ୟା ସ୍ବାକ୍ଷରତା ପ୍ରମାଣ ପତ୍ର ଦେଇ ଖ୍ୟାତି ଅର୍ଜନ କରିପାରିବାରେ କେତେ ଚତୁର ଆମେ!
୯. ଆଗଭଳି ଆଉ ଆମ ସରକାରୀ ଚିକତ୍ସାଳୟ ଗୁଡ଼ିକ ନାହିଁ ଏବେ ସେସବୁ ମାର୍ବଲ ତଳ ସହିତ ସୁସଜ୍ଜିତ କାନ୍ଥ ଓ ଛାତ ତଳେ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ସମସ୍ତ ଉପକରଣ ସହିତ ଉପଲବ୍ଧ ଏଥିପାଇଁ ଆବଶ୍ୟକ ସରକାରୀ ଅର୍ଥରୁ ଯଥେଷ୍ଟ ବାଟମାରଣା ହେଉଥାଇ ଆମର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ହୋଇ ପାରୁଥିଲେ ମଧ୍ୟ ସବୁ ଜାଗାରେ ସବୁ ଉପଲବ୍ଧ ହେଲେ ଡାକ୍ତର ବା ଅନ୍ୟାନ୍ୟ ଚିକିତ୍ସକ ଉପଲବ୍ଧ ନଥିବା ହେତୁ ଏବଂ ଯନ୍ତ୍ର ଗୁଡିକ ଠିକ କାମ କରୁନଥିବା ବେଳେ ଗରିବ ନାଁ ନଥିବା ମଳିମୁଣ୍ଡିଆ ସିନା ହଇରାଣ ହୁଅନ୍ତି ହେଲେ ଧନଶାଳୀ ବ୍ୟକ୍ତିଙ୍କ କିଛି ଅସୁବିଧା ହୁଏନି ଆମ ରାଜ୍ୟରେ! କାରଣ ଆମେ ତାହାର ଅନୁରୂପ ଘରୋଇ ଚିକିତ୍ସାଳୟ ପାଇଁ ଆମ ସରକାରୀ ଏଜେଣ୍ଟମାନଙ୍କ ଜରିଆରେ ସେମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥା ବନ୍ଦୋବସ୍ଥ କରାଇ ଅନୁମତି ପ୍ରଦାନ କରିଅଛୁ ତାରି ପାଖରେ ହେଲେ ରୋଗୀ ହନ୍ତସନ୍ତ ହେଲେ ମଧ୍ୟ ଯେକୌଣସି ମତେ ଚିକତ୍ସା କରାଇ ପାଉଣାଟି ବାଣ୍ଟିକୁଣ୍ଟି ଖାଉ ଆମେ ସମସ୍ତେ ମୂଳରୁ ଚୁଳ ଯାଏ ହେଲେ ଯାହା ହେଉ ତାହାର ଅନୁରୂପ ବିକଳ୍ପ କରାଇ କେତେ ଉଦାର ଆଉ ଚକାଚକ ଚିକତ୍ସାଳୟ ପ୍ରଦର୍ଶନ କରାଇ ଭିତିରି ନିଜସ୍ୱ ସ୍ୱାର୍ଥ ହାସଲ କରିପାରିବାରେ କେତେ ଚତୁର ଆମେ!
୧୦. ଆଗରୁ ଆମ ଦେଶରେ ଲୋକମାନଙ୍କ ଜୀବନ ଶୈଳୀ ଅଲଗା ଥିଲା କିନ୍ତୁ ଏବେ ଆମେ ଲକ୍ଷ୍ୟ କରୁଛୁ ସବୁ ଲୋକ ପ୍ରାୟ ଅଳସୁଆ ହୋଇଗଲେଣି ହେଲେ କିଛି ଲୋକ ପରିସ୍ଥିତିରେ ପଡ଼ି ଚାଷବାସ କରୁଛନ୍ତି ହେଲେ ସେମାନଙ୍କ ପାଖରେ ଯଦି ଅଧିକ ପଇସା ହେଇଯିବ ସେମାନେ ମଧ୍ୟ କାଳେ ଅଳସୁଆ ହୋଇଗଲେ ଆମେ ଆଉ ଖାଇବା କଣ? ବଞ୍ଚିବା କେମିତି? କାରଣ ଚାଷୀ କମ, ଆଉ ବସି କରି ଚିକ୍କଣ ମଧୁର କଥା କହି ଖାଇବା ଲୋକ ଆମ ଏଠି ବେଶ! ତେଣୁ ବହୁତ ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ଉପରକୁ ଯିବାପାଇଁ ସୁଯୋଗ ନଦେଇ କିଛି ରହସ୍ୟମୟ ସୁବିଧା ଦିଆଗଲା ଭଳି ପ୍ରଦର୍ଶନପୂର୍ବକ ସେମାନଙ୍କୁ ଦମନ କରି ରଖିଥାଉ ଆମେ କିନ୍ତୁ ବାହାରକୁ ଦେଖାଇବା ପାଇଁ କେବଳ ଭୁଆଁ ବୁଲାଇ ସମସ୍ତଙ୍କ ପ୍ରିୟପାତ୍ର ହେବାପାଇଁ ଅନେକ ଯୋଜନା ଘୋଷଣା କରାଯାଇଥାଏ ହେଲେ ସେଥିରେ କିଛି ବାସ୍ତବତା ନଥାଏ ଆଉ ଚାଷୀମାନଙ୍କ ସହାୟତା ନେଇ ବିଭିନ୍ନ ଦେଶ ତଥା ବିଶ୍ୱ ବ୍ୟାଙ୍କରୁ ମଧ୍ୟ ଅନେକ ଋଣ ଓ ସହାୟତା ମିଳିଥାଏ ଯାହା ଆମ ବ୍ୟକ୍ତିଗତ ସ୍ୱାର୍ଥପାଇଁ ଯଥେଷ୍ଟ ସାହାଯ୍ୟ କରିଥାଏ ହେଲେ ଚାଷୀମାନଙ୍କ ଅଳସୁଆ ନହେବା ତଥା ସାମୁହିକ ସ୍ୱାର୍ଥ ପାଇଁ ଧ୍ୟାନ ଦେବାରେ କେତେ ଉଦାର ଆଉ ସେମାନଙ୍କୁ ଭୁଆଁ ବୁଲାଇ ବ୍ୟକ୍ତିଗତ ସ୍ୱାର୍ଥହାସଲ କରୁଥିବାରେ କେତେ ଚାଲାକ ଆମେ!
୧୧. ବ୍ୟକ୍ତିଗତ ଉନ୍ନତ୍ତିରେ ରାଷ୍ଟ୍ରର ବିକାଶ ହୋଇଥାଏ! ଏହା ନିରାଟ ସତ୍ୟ ହେଲେ ଆମ ରାଜ୍ୟରେ ପତିତ ହୋଇ ରହିଥିବା ସରକାରୀ ଜମି ଗୁଡ଼ିକ କେଉଁ ଆବହମାନ କାଳରୁ ବ୍ୟବହାର ନହୋଇ ପଡ଼ିରହି କିଛି ଲାଭ ହେଉନାହିଁ ତେଣୁ ଆମେ ଗୋଟିଏ ତୀରରେ ଦୁଇଟି ଶିକାର କଲୁ! ସେହି ଜମିଗୁଡ଼ିକ ବ୍ୟକ୍ତିଗତ ବ୍ୟବସାୟୀମାନଙ୍କୁ ଦେଇ ସେମାନଙ୍କ ବ୍ୟବସାୟ ଉନ୍ନତି ହେଲେ ରାଷ୍ଟ୍ରର ବିକାଶ ହେବା ସମ୍ଭାବନାକୁ ଆଖିଆଗରେ ରଖି ତାଙ୍କଠାରୁ ଯଥେଷ୍ଟ ମାତ୍ରାରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିପାରିଲୁ ହେଲେ ତେଣିକି ଜନସାଧାରଣ ତଥା ପରିବେଶ କଥା ବୁଝେ କିଏ? ସେମାନେ ତାର ଉପଯୋଗ କରି ଯଥେଷ୍ଟ ଲାଭ ପାଇପାରିଲେ ଆଉ ସାମୁହିକ ସମ୍ପତ୍ତିକୁ ବିକେନ୍ଦ୍ରୀକରଣ କରାଯାଇ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ ହୋଇଗଲା ହେଲେ କିନ୍ତୁ ରାଷ୍ଟ୍ର ବିକାଶ ଦିଗରେ ଚିନ୍ତାକରି କେତେ ଉଦାର ଆଉ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିପାରିବାରେ କେତେ ଚାଲାକ ଆମେ!
୧୨. ପତିତ ଖଣି ତଥା ପ୍ରାକୃତିକ ଖଣିଜ ସମ୍ପଦ ଗୁଡ଼ିକୁ ଆଗରୁ ଆମ ଲୋକମାନେ ଦ୍ରୁତ ଗତିରେ ଉପଯୋଗ କରାଯିବା ଉପାୟ ଚିନ୍ତା କରିନଥିଲେ ଅତଏବ ଆମେ ଘରୋଇ କମ୍ପାନୀମାନଙ୍କୁ ତଥା କିଛି ବିଦେଶୀ ସଂସ୍ଥାମାନଙ୍କ ମାଧ୍ୟମରେ ତାହାର ଉପଯୋଗ କରାଇ ସେମାନଙ୍କ ଠାରୁ ଯଥେଷ୍ଟ ନିଜସ୍ୱ ସ୍ୱାର୍ଥ ହାସଲ କରିପାରିଲୁ ଏବଂ ତାହା ସହିତ ସରକାରଙ୍କୁ କମ ଓ ସେମାନଙ୍କୁ ଅଧିକ ଲାଭ ହେବାଦିଗରେ ଆଇନ ପ୍ରଣୟନ କରିପାରିଲୁ ହେଲେ ତାହା ଯୋଗୁଁ ଆଦିବାସୀ ଗରିବ ଲୋକଙ୍କ ସହିତ ପରିବେଶ ଦୂଷିତ ବା ବ୍ୟତିକ୍ରମ ହେବାକୁ ଧ୍ୟାନ ଦିଏ କିଏ? ଗରିବଙ୍କ କେହି ସାହା ନାହିଁ କି ପରିବେଶର ତ ପାଟି ନାହିଁ! ଆଉ ରହିଲେ ସମାଜବାଦୀ ଯାହାଙ୍କୁ ଦମନ କରିବା ଆମେ ଜାଣୁ! ହେଲେ ଖଣିଜ ସମ୍ପଦ ବିକାଶ ପାଇଁ ଉଦ୍ୟମ ତଥା ଘରୋଇ କମ୍ପାନୀ ମାନଙ୍କ ବିକାଶ ଦିଗରେ ଚିନ୍ତା କରି କେତେ ଉଦାର ଏବଂ ସାମୁହିକ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜସ୍ୱ ସ୍ୱାର୍ଥ ହାସଲ କରିପାରିବାରେ କେତେ ଚାଲାକ ଆମେ!
୧୩. ଆମ ଲୋକେ ଆମ ନିଜର! ଆମ ଓଡ଼ିଆମାନେ ଆମ ଘରଲୋକ ଆମେ ସବୁ ଏକ ଏଇଠି କାହାର କ୍ଷତିକୁ ନିଜର କ୍ଷତି ବୋଲି ଭାବୁ ଆମେ ମାନେ ଗୋଟିଏ ପଦରେ କହିବାକୁ ଗଲେ ଆଜ୍ଞା ଆମେ ସମସ୍ତ ଓଡ଼ିଶାବାସୀ ଗୋଟିଏ ପରିବାର ସଦୃଶ! ତେଣୁ ଏଇଠି କାହାର ହେଲେ କୌଣସି ପ୍ରକାର କ୍ଷତି ଆମେ ଦେଖି ପାରିବୁ ନାହିଁ! ତେଣୁ ଆମ ପରିବାର ଲୋକମାନେ କାଳେ କ୍ଷତିରେ ପଡ଼ି ଯାଇପାରନ୍ତି ବୋଲି ଭାବି ଆମର ଥିବା ସବୁ ସରକାରୀ କମ୍ପାନୀ ଗୁଡ଼ିକୁ କିଛି ବନ୍ଦ କରିଦେଲୁ, ଆଉ କିଛି ଅନ୍ୟ ରାଜ୍ୟ ତଥା ବିଦେଶୀ କମ୍ପାନୀମାନଙ୍କୁ ହସ୍ତାନ୍ତର କଲୁ! ଏବଂ ଏଇଠି ଯଦି କେହି ଓଡ଼ିଆ କମ୍ପାନୀ କରିବାପାଇଁ ଉଦ୍ୟମ କରନ୍ତି ତା’ହେଲେ ସେମାନଙ୍କୁ କଦାପି କରାଇ ନଦେବା ପାଇଁ ଆମେ ସଦା ଚେଷ୍ଟିତ ଓ ପ୍ରତିଶୃତି ବଦ୍ଧ କାରଣ ଆମେ ଚାହୁଁ ଆମ ପରିବାର ଲୋକେ ବଡ଼ ହୋଇ ଉପରକୁ ନଯା’ନ୍ତୁ ପଛେ ଆନନ୍ଦରେ ଅନ୍ୟର ଗୋଲାମୀ କରି ମାସିକ ବେତନ ଖାଇ ଜୀବନଯାପନ କରନ୍ତୁ ଅତଏବ ସେଥିରେ ଘରୋଇ କମ୍ପାନୀମାନେ ମଧ୍ୟ ଆମକୁ ନିଜସ୍ୱ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ଦିଗରେ ଯଥେଷ୍ଟ ସାହାଯ୍ୟ କରନ୍ତି! ହେଲେ ଆମ ପରିବାର ଲୋକଙ୍କ ସରଳ ଜୀବନ କାମନା ଦିଗରେ କେତେ ଉଦାର, ଆଉ ବିଦେଶୀ ମାନଙ୍କ ଲାଭ ହେଉକି କ୍ଷତି ସେମାନେ ବୁଝନ୍ତି, କିନ୍ତୁ ଆମର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିପାରିବାରେ କେତେ ଚାଲାକ ଆମେ!
୧୪. ସବୁଠାରୁ ଚମତ୍କାର ଏବଂ ରହସ୍ୟମୟ ତଥ୍ୟ ଯେଉଁଥିପାଇଁ ଏହି ସବୁ ସମ୍ଭବ ହୋଇ ପାରୁଛି ଏବଂ ଆମେ କିଭଳି ସରକାର ଗଠନ କରି ରାଜ୍ୟ ସମ୍ଭାଳୁଛେ ବ୍ୟାକ୍ଷାଟିର ଶେଷ ଦୁଇଟି ଅଙ୍କରେ ଉଲ୍ଲେଖ କରାଗଲା ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଲା ଆମ ରାଜ୍ୟରେ ଦୁନିଆର ସମସ୍ତ ସ୍ଥାନ ଗୁଡ଼ିକ ତୁଳନାରେ ଶସ୍ତାରେ ମିଳୁଥିବା ଏକମାତ୍ର ମହନୀୟତା ଯାହା ହେଉଛି ଲୋକମାନଙ୍କର ସାମାଜିକ ତଥା ରାଜନୈତିକ ଅଧିକାର ଅର୍ଥାତ ଏହି ଅଧିକାର ଏତେ ଶସ୍ତା ଯେ ତାକୁ କିଣି ସାରିଲା ପରେ ଉପରଲିଖିତ ସମସ୍ତ ତଥ୍ୟ ସାକାର କରିବା ଅତିସମ୍ଭବ ଏଠି ଆଜ୍ଞା ଆମେ ୫୦ ଟଙ୍କାର ମଦ ଆଉ ୫୦୦ ଟଙ୍କା ପାଇଁ ଆମ ରାଜନୈତିକ ଅଧିକାରକୁ ୫ ବର୍ଷ ପାଇଁ ବିକ୍ରୀ କରିଥାଉ! ଦେଶ, ଦୁନିଆବାସୀ ଦେଖ ଆଉ ବିଚାର କର ଆମେ କେତେ ଚାଲାକ ଆଉ କେତେ ଉଦାର !
୧୫. ଆଉ ସବୁଠାରୁ ବିଶ୍ୱ ପ୍ରସିଦ୍ଧ ଭିନ୍ନତା ଆମ ଓଡ଼ିଆମାନଙ୍କ ଶାସନ ଗୃହରେ ଦେଖିବାକୁ ମିଳିବ ଯାହା ହୁଏତ ଆଉ କେଉଁଠି ନଥିବ! ମହନୀୟତାର ମାଧୁର୍ଯ୍ୟ ବର୍ଣ୍ଣନା କଲାବେଳେ ଆଖିକୁ ଆପେଆପେ ଲୁହ ଚାଲିଆସେ! କିନ୍ତୁ ଆମେ ନିର୍ବାକ! ଆମ ରାଜ୍ୟ ଶାସନରେ ଜଣେ ଅଛନ୍ତି "seating chief minister" (ଉଦାର)ଏବଂ ଆଉ ଜଣେ "sitting duck chief minister" (ଚାଲାକ) ! ଏମିତି ଆଜ୍ଞା ଆଉ କେଉଁଠି ନଥିବା ନିହାତି ଆମର ଅନୁମାନ ଆପଣ ମାନେ ନିଜେ ବିଚାର କରନ୍ତୁ କେତେ ଉଦାର ଆଉ ଚାଲାକ ଆମେ ‘ଓଡ଼ିଆ’!
ଏମିତି ଆଜ୍ଞା କହୁଥିଲେ ରାତି ପାହୁଥିବ ସକାଳ ହୋଉଥିବା କିନ୍ତୁ ଆମର କୀର୍ତ୍ତିମାଳା ସରୁନଥିବ! ହେଲେ ହେ ବିଶ୍ୱବାସୀ ଆପଣମାନେ କହନ୍ତୁ ଆମେ ଓଡ଼ିଆ ପୃଥିବୀର ସର୍ବୋଚ୍ଚ ସମ୍ମାନ ପାଇବାପାଇଁ ଯୋଗ୍ୟ କି ନୁହଁ? ଯଦି ନାହିଁ କାହିଁକି? ଯଦି ହଁ କେବେ ?
ଆପଣ ମାନଙ୍କ ସୁଚିନ୍ତିତ ମତାମତ ଓ ସହଯୋଗ ଅପେକ୍ଷାରେ ରହିଲୁ ...ଆସନ୍ତା ସଂସ୍କରଣ ପର୍ଯ୍ୟନ୍ତ ......
ଧନ୍ୟବାଦ !
ଅତି ସହିଷ୍ଣୁ ଓଡ଼ିଆ !
ବ୍ୟାଙ୍କ କଲୋନୀ, ଛତ୍ରପୁର, ଗଞ୍ଜାମ.
Go Back to Previous Page
ଶିକ୍ଷାବ୍ୟବସ୍ଥାର ଦୂରାବସ୍ଥା
ଦମୟନ୍ତୀ ଜେନା
Read Article
ଭୟରୁ ଈଶ୍ବର ସୃଷ୍ଟି : ଏକ ଅନୁଶୀଳନ
ବାଲ୍ମୀକି ନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ