କଥାଟି ସତ ଯେ ଆଜିର ଶିଶୁ କାଲିର ନାଗରିକ ଓ ଦେଶର ଭବିଷ୍ୟତ ଶିଶୁ ହସିଲେ ଦୁନିଆ ହସେ। ଶିଶୁଙ୍କ ଉପରେ ମାନସିକ କିମ୍ବା ଶାରୀରିକ ଅତ୍ୟାଚାର ଘୋର ଅନ୍ୟାୟର ବିଷୟବସ୍ତୁ। ଏଣୁ ପ୍ରଥମେ, ଶିଶୁଙ୍କ ବୁଝିବା ଦରକାର। ସେମାନଙ୍କ ମନରୁ ଭୟ ଲୋପ ପାଇବା ଦରକାର। ଖାଇବା ବଞ୍ଚିବା, ପିନ୍ଧିବା ଭଳି ପାଠ ପଢ଼ିବା ମଧ୍ୟ ସେମାନଙ୍କ ମୌଳିକ ଅଧିକାର। ଏଣୁ ଶିକ୍ଷାବ୍ୟବସ୍ଥାରେ ଚାଲିଛି ପରିବର୍ତ୍ତନ ଉପରେ ପରିବର୍ତ୍ତନ। ସମସ୍ତ ଶିଶୁ କିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବେ ସେ ନେଇ ଚାଲିଛି ଯୋଜନା ଉପରେ ଯୋଜନା। କୋଟି କୋଟି ଟଙ୍କା ବ୍ୟୟ କରି ଚାଲିଛନ୍ତି ସରକାର କେବେ ବିଦ୍ୟାଳୟ ଗୃହ ତିଆରି ତ କେବେ ପାଚେରୀ, ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖେଳ ସାମଗ୍ରୀ ସମେତ ଖେଳ ପଡ଼ିଆ, ମାଗଣା ବହି, ପୋଷାକ ଓ ମଧ୍ୟାହ୍ନ ଭୋଜନର ଯୋଜନା।
ପୁଣି ଆନନ୍ଦମୟ ଶିକ୍ଷାରେ ପିଲା ଖେଳ ମାଧ୍ୟମରେ ପାଠ ଶିଖିବେ। ଦଣ୍ଡ ମୁକ୍ତ ଅଞ୍ଚଳ ବିଦ୍ୟାଳୟରେ କୌଣସି ଶିକ୍ଷକ ନିଜ ଛାତ୍ର ବା ଛାତ୍ରୀକୁ ଦଣ୍ଡ ଦେଲେ ସେ ନିଜେ ଦଣ୍ଡର ଅଧିକାରୀ ହେବେ।ବିଦ୍ୟାଳୟରେ ଶୌଚାଳୟର ସୁବିଧା, ପାନୀୟ ଜଳର ସୁବିଧା ସମେତ ପରୀକ୍ଷାରେ ପାସ୍ ଫେଲ୍ ଉଠେଇବା ବ୍ୟବସ୍ଥା ମଧ୍ୟ କଲେ। କାରଣ ଶିକ୍ଷାଧିକାର ଆଇନ (RTE ACT) ୨୦୦୯ ଅନୁସାରେ ୬ ରୁ ୧୪ ବର୍ଷର ସମସ୍ତ ପିଲା ଅଷ୍ଟମ ପାସ୍ କରିବା ବାଧ୍ୟତାମୂଳକ ୬ରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଇଥାଏ ସ୍କୁଲରେ ଯୋଗଦେବାର ଶେଷ ତାରିଖ ମଧ୍ୟ କିଛି ନାହିଁ ପିଲା ଯେତେବେଳେ ଚାହିଁବେ ସ୍କୁଲକୁ ଆସି ନିଜ ବୟସ ଅନୁସାରେ ଶ୍ରେଣୀ କକ୍ଷରେ ଯୋଗଦାନ କରିପାରିବେ ତା ବି ପୁଣି ଜନ୍ମ ତାରିଖର ବିନା ପ୍ରମାଣପତ୍ରରେ ଯଦି ଗୋଟିଏ ପିଲା ସ୍କୁଲ ଆସିବାବେଳେ ୮ କିମ୍ବା ୯ ବର୍ଷ ହେଇଥାଏ ତା ହେଲେ ସିଧାସଳଖ ୩ୟ ଶ୍ରେଣୀରେ ଭର୍ତ୍ତି କରାଇବେ।
ଏତେ ସବୁ ଯୋଜନା ପରେ ବି ଆଜିର ପ୍ରାଥମିକ ଶିକ୍ଷା କେତେ ଦୂର ଅଗ୍ରଗତି କରିଚାଲିଛି ତାହା ସମସ୍ତେ ଭଲଭାବେ ଜାଣିଛନ୍ତି। ସ୍କୁଲର ପରିଚାଳକ ତଥା ଅଭିଭାବକ ଓ ଆଜିର ସମାଜ ସମସ୍ତେ କେବଳ ଦୋଷାରୋପ କରିଚାଲିଛନ୍ତି ଶିକ୍ଷକ ସମାଜକୁ। ସମସ୍ତଙ୍କୁ ମୋର ବିନମ୍ର ଅନୁରୋଧ କି ଯେ ଥରୁଟିଏ ଏକାଗ୍ରତା ରକ୍ଷା କରି ଭାବିଲେ ସତରେ କଣ ପିଲାଙ୍କ ଏପରି ଅବସ୍ଥା ପାଇଁ କେବଳ ଶିକ୍ଷକ ହିଁ ଦାୟୀ ???
ପ୍ରତ୍ୟେକ ସ୍କୁଲରେ ଏଭଳି ଅନେକ ପିଲା ପାଠ ପଢୁଛନ୍ତି ଯେଉଁମାନେ ଓଡ଼ିଆ ବହି ପଢ଼ି ପାରୁନାହାନ୍ତି। ନିଜ ନାମକୁ ଇଂରାଜୀରେ ଲେଖି ପାରୁନାହାନ୍ତି। ଗଣିତର ଚାରି ସୂତ୍ର ଯଥା ଯୋଗ ବିୟୋଗ ଓ ଗୁଣନ ହରଣର ଜ୍ଞାନ ନାହିଁ ତଥାପି ସେମାନେ ସପ୍ତମ, ଅଷ୍ଟମ ଶ୍ରେଣୀରେ ବସିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାକୁ ଆଧାର କରି ପୁଣି ଚଳଚ୍ଚିତ୍ର ଆସିଲା, “ତାରେ ଜମିନ୍ ପର” ଶିକ୍ଷକଙ୍କୁ ଶିକ୍ଷଣ ନାମରେ ପ୍ରଶିକ୍ଷଣ କେନ୍ଦ୍ରକୁ ଡକାଯାଇ ଦେଖାଇଥିଲେ ଏହି ଚଳଚ୍ଚିତ୍ର, ଆଉ କୁହାଗଲା ଦୁର୍ବଳପିଲାଙ୍କୁ ଅଧିକ ସମୟ ଦେଇ ଉନ୍ନତି କରାଇବା ପାଇଁ। କିଛି ପିଲା ଉନ୍ନତି ଦିଗରେ ଆଗେଇ ଚାଲିଲେ ମଧ୍ୟ ଆଖିଦୃଶିଆ ଫଳମିଳିଲା ନାହିଁ। କାରଣ ସେ ଚଳଚ୍ଚିତ୍ରରେ କେବଳ ଗୋଟିଏ ଛାତ୍ର ସେ ଭଳିଥିଲା। କିନ୍ତୁ ଆମ ବିଦ୍ୟାଳୟରେ ଅଧିକାଂଶ ପିଲା ଏହି ଭଳି ତା ଉପରେ ପୁଣି ଶିକ୍ଷକଙ୍କ ଉପରେ ପାଠପଢ଼ା ବ୍ୟତୀତ ଅନ୍ୟ ବାହ୍ୟ କାର୍ଯ୍ୟ ମଧ୍ୟ ନ୍ୟସ୍ତ କରାଯାଏ। child senses ସହ ପିଲାଙ୍କ ଆଧାର କାର୍ଡ଼ କରିବା, ବ୍ୟାଙ୍କଖାତା ଖୋଲିବା, ଜାତିଗତ ପ୍ରମାଣପତ୍ର ବନେଇବା, ପ୍ରାକ୍ ମାଟ୍ରିକ ବୃତ୍ତି ଫର୍ମ ପୁରଣ, ଭୋଟର ସଂଶୋଧନ, ବିବରଣ କାମ, ପାଇଖାନା ଅଛି କି ନା ଡାଟା collection ଇତ୍ୟାଦି ଅନେକ କାମ।
ଆଛା ସତରେ କଣ କେବଳ ଶିକ୍ଷକ ଚାହିଁଲେ ଯେ କୌଣସି ପିଲାକୁ ଭଲ ମଣିଷଟିଏ କରିପାରିବେ। ନା ଶିକ୍ଷକଙ୍କ କର୍ତ୍ତବ୍ୟ ସହ ଆବଶ୍ୟକ ପିଲାର ଉତ୍ତମ ପରିବେଶ ପିଲାର ମନୋବୃତ୍ତି ଓ ଆଗ୍ରହ , ଅଭିଭାବକଙ୍କ ପ୍ରେରଣା ଓ ତଦାରଖ ........
ଦିନକର କଥା ମୁଁ ଶ୍ରେଣୀରେ ପାଠ ପଢ଼ାଇବା ବେଳେ ଲକ୍ଷ୍ୟ ରଖିଥିଲି ଏଭଳି କିଛି ପିଲାଙ୍କୁ ଯେଉଁମାନେ ଶ୍ରେଣୀରେ ବସୁଥିଲେ ସତ କିନ୍ତୁ ପାଠପଢ଼ାଠୁ ଥିଲେ ଅନେକ ଦୂରରେ ପାଠପଢ଼ା ସାରି ସେମାନଙ୍କୁ ପଚାରିଲି ତୁମ ଦିନଚର୍ଯ୍ୟା କଣ ସବୁ କର – ପରସ୍ପର ମୁହଁକୁ ଚାହିଁ ସେମାନେ ପାଟିରେ ହାତ ଦେଇ ହସିଲେ। ମୁଁ ଟିକେ ଉଚ୍ଚ ସ୍ବରରେ କହିଲି ହସୁଛ କଣ! କିଛି ପଚାରିଲି ନା!! ଉତ୍ତର ଦିଅ।
ହସି ହସି କହିଲେ ଗୁରୁମା ସକାଳୁ ଉଠି ଗାଧୁଆ ପାଧୁଆ ସାରି ଖେଳୁ, ବୋଉ ଯଦି କିଛି ଘର କାମ କହେ ତାହା କରୁ ଆଉ ୧୦ଟାରେ ସ୍କୁଲକୁ ଆସୁ ପୁଣି ୪ଟା ବେଳେ ଘରକୁ ଯାଉ ଖେଳୁ ଓ ଶୋଇଯାଉ। ମୁଁ ପଚାରିଲି ପ୍ରତିଦିନ ପୁଣି ସବୁ ସମୟରେ ଖାଲି ଖେଳ ଆଉ କିଛି କରନାହିଁ?
ଉତ୍ତର ଆସିଲା – “ଆଉ କଣ କରିବୁ ଗୁରୁମା?”
ମୁଁ ଭଲଭାବେ ଚିନ୍ତା କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ କରି ସୁନିଶ୍ଚିତ ହେଲି ଯେ ଶିକ୍ଷାର ଡ଼ିଗ୍ରୀଧାରୀ ହୋଇଗଲେ ଶିକ୍ଷାବିତ୍ ହୋଇଯିବେ ନାହିଁ। ସମାଜର ନୈତିକ ମାନଦଣ୍ଡର ଉନ୍ନତି ହେଲେ ହିଁ ଶିକ୍ଷାର ମୂଲ୍ୟ ସାର୍ଥକ ହେବ।
“ସମସ୍ତ କାର୍ଯ୍ୟରେ ସଫଳତା ପାଇବା ପାଇଁ ଦରକାର ମନର ଏକାଗ୍ରତା, ଶୃଙ୍ଖଳା, ମନୋବୃତ୍ତି କିଛି କରିବାର ଆଗ୍ରହ ଓ ଆବଶ୍ୟକ ଭିତ୍ତିଭୂମି, କଥାରେ ଅଛି “if there is a will, there is a way……”
ଯଦି ଆଗ୍ରହ ହିଁ ନାହିଁ ଏକାଗ୍ରତା ନାହିଁ, ତା ହେଲେ କୌଣସି କାର୍ଯ୍ୟରେ ସଫଳତା ମିଳିବ କିପରି?
ଆନନ୍ଦମୟ ଶିକ୍ଷାରେ ପ୍ରାଥମିକ ପିଲାଙ୍କୁ ଶିକ୍ଷା ଦେବା ଉଚିତ ମନେ ହେଉଥିବା ବେଳେ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଏହା ଗ୍ରହଣୀୟ ନୁହେଁ ବୋଲି ମନେହୁଏ ପାସ୍ ଫେଲ୍ ବ୍ୟବସ୍ଥା ଉଠିଯିବା ପରେ ପିଲାଙ୍କ ମନରେ ପାଠ ପଢ଼ିବା ଆଗ୍ରହ ଓ ଶ୍ରେଣୀରେ ପ୍ରତିଯୋଗିତା ପୂର୍ବ ଅଧ୍ୟୟନ ପୁରାପୁରି ଭାବେ ଲୋପ ପାଇଗଲାଣି। ଦଣ୍ଡର ଅଭାବରୁ ପିଲାଙ୍କ ବିଶୃଙ୍ଖଳା ବଢ଼ିବାରେ ଲାଗିଛି। ସେମାନେ ନିଜ ଇଚ୍ଛା ଅନୁସାରେ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଚଳପ୍ରଚଳ କରୁଛନ୍ତି। କୌଣସି ନିୟମ ବିନା ଶୃଙ୍ଖଳା ରହେ ନାହିଁ କି ଶୃଙ୍ଖଳା ବିନା କାର୍ଯ୍ୟରେ ସଫଳତା ମିଳେ ନାହିଁ। ଆବଶ୍ୟକ ଭିତ୍ତିଭୂମି ଯୋଗାଇବା ସଙ୍ଗେ ସଙ୍ଗେ କିଛି ନିୟମକୁ କଡ଼ାକଡ଼ି ପାଳନ କଲେ ପିଲାଙ୍କ ମଧ୍ୟରେ ଶୃଙ୍ଖଳା ରହିବ ଓ କାର୍ଯ୍ୟରେ ସଫଳତା ମିଳିବ ବୋଲି ମୋର ଆଶା ___
“ବ୍ୟବସ୍ଥାର ପରିବର୍ତ୍ତନରେ ଅବସ୍ଥାର ପରିବର୍ତ୍ତନ ମଧ୍ୟ ସୁନିଶ୍ଚିତ”
Go Back to Previous Page
ବିଶ୍ବ ମାତୃଭାଷା ଦିବସ ଅନୁଚିନ୍ତା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ଓଡ଼ିଶା ଅବହେଳିତ କାହିଁକି?
ବନଜ କୁମାର ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ