ପରିତ୍ୟକ୍ତା ପଦ୍ମିନୀର ମୃତ୍ୟୁ କୈଫିୟତ ମାଗୁଛି!!!
ମୃତା ପଦ୍ମିନୀ ପ୍ରିୟଦର୍ଶିନୀ ନାୟକ ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ଏବଂ ଉପଯୁକ୍ତ ଚିକିତ୍ସା ଅଭାବରେ ଯନ୍ତ୍ରଣାରେ ଛଟପଟ ହୋଇ ଯକ୍ଷ୍ମା ରୋଗରେ ମୃତ୍ୟୁ ବରଣ କଲେ। ମୃତା ପଦ୍ମିନୀଙ୍କ ଘଟଣା ଗୋଟିଏ ଦିନର କିମ୍ବା ଜଣକର କାହାଣୀ ନୁହେଁ – ତାଙ୍କ ପରି ଅନେକ ଅବହେଳିତ ଯକ୍ଷ୍ମା ରୋଗୀ ମାନଙ୍କ ଗୋଟିଏ ଦୃଷ୍ଟାନ୍ତ ମାତ୍ର ତାଙ୍କ ପରି ଅନେକ ଦୁସ୍ଥ ଏମଡ଼ିଆର / ଏକ୍ସଡ଼ିଆର ଯକ୍ଷ୍ମା ରୋଗୀ ବିଭିନ୍ନ ଭାବରେ ଅବହେଳିତ ଏବଂ ପ୍ରତ୍ୟାଖାତ ହେଉଛନ୍ତି। ଜୀବନ ସେମାନଙ୍କ ପାଇଁ ବୋଝ ହୋଇ ଯାଉଛି। ଯନ୍ତ୍ରଣାକ୍ଲୀଷ୍ଟ ଶରୀର ଧରି ମୃତ୍ୟୁ ପର୍ଯନ୍ତ ନିଜ ଅଜାଣତରେ ତାଙ୍କ ପରି ଅନେକ ନୂଆ ରୋଗୀ ସୃଷ୍ଟି କରି ଚାଲୁଛନ୍ତି। ଯକ୍ଷ୍ମା ପରି ସଂକ୍ରାମକ ରୋଗ ଯାହା କେଉଁ ଅନାଦି କାଳରୁ ରହି ଆସିଛି, ଆଜି ସେ ପାଇଁ ସଫଳ ମାଗଣା ଚିକିତ୍ସାର ସୁବନ୍ଦୋବସ୍ତ ଥିଲେ ମଧ୍ୟ ତଳୁ ଉପର ପର୍ଯ୍ୟନ୍ତ ସବୁସ୍ତରରେ ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି, ଦାୟ୍ୟିତ୍ବହୀନ ମନୋବୃତ୍ତି ହେତୁ ରୋଗ କମିବା ପରିବର୍ତେ ଏମଡ଼ିଆର/ଏକ୍ସଡ଼ିଆର ଯକ୍ଷ୍ମା ରୋଗୀଙ୍କ ହାର ରାଜ୍ୟରେ ବଢି ଚାଲିଛି। ରୋଗ ବାବଦରେ ସଚେତନତା ଅଭାବ ସାଙ୍ଗକୁ ପ୍ରଶାସନିକ ଆନ୍ତରିକତାର ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଉତ୍ତରଦାୟିତ୍ବର ଅଭାବ ସାଧାରଣ ମଣିଷକୁ ବିପଦରେ ପକାଉଛି। ସେଥିପାଇଁ କାହାର ନିଘା ନାହିଁ। କାରଣ ଏପରି ରୋଗୀ ମଲେ କିଏ ଜାଣୁଛି କାହିଁକି ମଲା, ସେମାନେ ଅତି ସହଜରେ ଛାଡ ପାଇଯିବେ, ଯେହେତୁ ସମସ୍ତେ ଚିକିତ୍ସା ହେଲେ ବଞ୍ଚିବେ ତା’ର ମାନେ ନାହିଁ। ଏସବୁ କଥା ଅବତରଣାରେ କଲାବେଳେ କିଏ ଏହି ପଦ୍ମିନୀ, କେମିତି ତାର ମୃତ୍ୟୁ ହେଲା, ସ୍ୱାସ୍ଥ୍ୟ ବିଭାଗ କିପରି ତାକୁ ପରିତ୍ୟକ୍ତା କଲା ତାକୁ ଆପଣଙ୍କ ସାମ୍ନାରେ ରଖୁଛୁ।
ପଦ୍ମିନୀ ପ୍ରିୟଦର୍ଶିନୀ ନାୟକ ବାପାମା’ଙ୍କ ଦ୍ବିତୀୟ ସନ୍ତାନ। ଉପରେ ଗୋଟେ ଭାଇ ତଳେ ସାନ ଭଉଣୀ। ବାପା ସୁଦର୍ଶନ ନାୟକ ବଡଝିଅ ହିସାବରେ ତାକୁ ବହୁତ ଗେହ୍ଲା କରୁଥିଲେ। ଇଂରାଜୀ ମାଧ୍ୟମରେ ପଢୁଆ ପଦ୍ମିନୀ ୧୮ ବର୍ଷରେ ଯୁକ୍ତ ଦୁଇ ପାସ କଲା। କିଶୋରୀ ବୟସରେ ଏସ ଜଗଦୀଶ ରାଓଙ୍କୁ ଭଲପାଇ ଏମିତି ଦିନେ ତାଙ୍କ ସାଥିରେ ଘର ଛାଡିଗଲେ। ଏଥିରେ ବାପାମା’ ପରିବାର ବହୁତ ଦୁଃଖୀ ହୋଇଥିଲେ ମଧ୍ୟ ଝିଅର ଇଚ୍ଛା ଲାଗି ଚୁପ ରହିଥିଲେ। କିନ୍ତୁ ଶାଶୁଘରକୁ ଗଲାପରେ ପଦ୍ମିନୀର ସ୍ବପ୍ନ ଚୂନା ହୋଇ ଯାଇଥିଲା। ସ୍ବାମୀ ଏସ. ଜଗଦୀଶର ରୋଜଗାରପତ୍ର କିଛି ନଥିଲା। ଭଲପାଇ ବାହା ହେଇଛି, ତେଣୁ ଯାନିଯୌତୁକ ଆଣି ନଥିଲା। ସେଥିପାଇଁ ପ୍ରଥମରୁ ଶାଶୁ ଆଖିରେ କଣ୍ଟା ହୋଇ ଖଟକୁ ଥିଲା ପଦ୍ମିନୀ। ମଦ୍ୟପ ଶଶୁର କେବେ କେମିତି ତାର ପଟ ନେଇ କହି ଦେଉଥିଲେ, ତା’ପରେ ଯଥେଷ୍ଟ କୁଭାଷା ଶୁଣିବାକୁ ପଡୁଥିଲା ପଦ୍ମିନୀକୁ। ବସ୍ତିର ଘର, ଅଶାଳୀନ ଭାଷା, ସ୍ବାମୀର ଅବହେଳା ଭିତରେ ଅଣନିଶ୍ବାସୀ ହୋଇ ପଡୁଥିଲା ସେ। କିନ୍ତୁ କହିବ କାହାକୁ? ପଛରେ ଛାଡି ଆସିଛି ବାପାମା’ଙ୍କ ସ୍ନେହ ଓ ଭାଇଭଉଣୀଙ୍କ ଅଳି ଅଝଟ। ଦିନସାରା ଖଟିଖଟି ରାତିରେ ଥକି ପଡୁଥିବା ଉପାସିଆ ଦେହଟାକୁ ବିଛଣାରେ ଲୋଟାଇ ଭବିଷ୍ୟତ କଥାଭାବି ଚମକୁ ଥିଲା ଥରକୁ ଥର।
ଏତେ ସବୁ ଭିତରେ ଯେଉଁ ଦିନ ସେ ମା’ ହବାକୁ ଯାଉଛି ଜାଣିଲା, ତାକୁ ଲାଗିଲା ଏଥର ବୋଧେ ସବୁ ଠିକ ହୋଇଯିବ, ବାପା ହେବା ନିଶାରେ ଜଗଦୀଶ କାମ କରିବ, ସ୍ବାମୀକୁ ଭରସି କି କିଛି କହିହେବ! ଏତେ ଦିନ ବାପ ଘରକୁ ଯାଇନି, ତାକୁ ଟିକେ ସାହସ ହେଲା ସେଠିକି ଯିବାକୁ। ସ୍ବାମୀକୁ ନେଇ ଗଲାପରେ ଘର ଲୋକ ସବୁ ଭୁଲି ତାକୁ ଆଦରରେ କୋଳେଇ ନେଲେ। ସରକାରୀ ଚାକିରୀ କରୁଥିବା ତା’ର ମା ବେଳ ଅବେଳରେ ଯାଇ ଝିଅକୁ ଟଙ୍କା ୧୦୦୦/୨୦୦୦ ହାତରେ ଗୁଞ୍ଜି ଦେଇ ଆସୁଥିଲେ। ପ୍ରଥମ ଛୁଆ ସୁବିଧାରେ ଜନ୍ମ ହେବ, ଟିକେ ବିଶ୍ରାମ ମିଳିବ ସେଥିପାଇଁ ବାପଘରକୁ ଆସିଥିଲା। ଅକ୍ଟୋବର ୨୦୦୯ ଝିଅ ଜନ୍ମ ହେଲା। ସବୁ ଖର୍ଚ୍ଚ ବାପାଙ୍କ ଘରେ କରିଥିଲେ। ଝିଅକୁ ନେଇ ଶାଶୁଘରେ ପହଞ୍ଚୁ ପହଞ୍ଚୁ ଚାଳ ବାଜିଲା। ପୋଷିବ କିଏ? ତିନି ତିନିଟା ଲୋକଙ୍କୁ। ନେହୁରା ହେଉଥିଲା ସ୍ବମୀକୁ, କିଛି ତ କର। ବର୍ଷେ ଦି’ବର୍ଷ ପରେ ମା’ର ଅବସର ପରେ ଆଗଭଳି ସେପଟୁ ସେମିତି ଆଖି ଦୃଶିଆ ସାହାଯ୍ୟ ଆସି ପାରୁନଥିଲା। ପିଲା ଚଳେଇବାକୁ ମଝିରେ ମଝିରେ ବାପ ଘରକୁ କିଛିଦିନ ଲେଖାଏଁ ଚାଲି ଯାଉଥିଲା। ଶେଷରେ ଏମିତି ଗୋଟେ ଦିନ ଆସିଲା, ସବୁ ସହିବା ସୀମା ଟପି ଗଲା। ଆଉ ନୁହେଁ ଭାବି ଛୁଆଟାକୁ ଧରି ଡିସେମ୍ବର ୨୦୧୧ରେ ବାପମା’ଙ୍କ ପାଖକୁ ଚାଲି ଆସିଲା।
ଭାଇର ଚାକିରୀ ହୋଇନି, ବାପାମା’ ଚାକିରୀରୁ ଅବସର ନେଲେଣି, ସାନ ଭଉଣୀର ପାଠପଢା ସେଥିରେ (ମା’ପିଲାଙ୍କ) ଦାୟିତ୍ବ ଲଦି ଦେଲାବେଳକୁ ତା ଭିତରଟା ଗ୍ଳାନିବୋଧ ଭରି ଯାଉଥିଲା। ଝିଅର ଭବିଷ୍ୟତ ପାଇଁ ସେ ଚାକିରୀ ଖୋଜାଖୋଜି ଆରମ୍ଭ କରିଦେଲା। ଯାହାହେଉ ତାର ଇଂରାଜୀ ମାଧ୍ୟମ ପାଠପଢା ସାଙ୍ଗକୁ ଯୁକ୍ତ ଦୁଇ ପ୍ରମାଣପତ୍ର ବଳରେ ପାଖରେ ଥିବା “ହେଲ୍ଲୋ କିଡ୍ସ” ସ୍କୁଲରେ ଶିକ୍ଷୟତ୍ରୀ କାମ ପାଇଗଲା। ସ୍ବସ୍ତିରେ ନିଶ୍ବାସ ମାରିଲା ଟିକେ। ଆଊ ଦୁଇ ତିନିଟା ପ୍ରାଇଭେଟ ଟ୍ୟୁସନ ଧରିଦେଲାଆଊ ଟିକେ ଆୟ ଆଶାରେ। ଦରକାର ଥିଲେକି କାମ ଥିଲେ ସେ ଶାଶୁ ଘର ଯାଇ ଆସୁଥିଲା, ମଝିରେ ମଝିରେ ସେମାନେ ବି କେବେ ବୁଲି ଆସୁଥିଲେ।
ଏମିତି ହେଲା, ଯୋଗକୁ ସେ ଯେଉଁ ପ୍ରାକ ଶୈଶବ ବିଦ୍ୟାଳୟରେ ପାଠ ପଢଉଥିଲା ସେଠି କାମ କରୁଥିବା ଜଣେ ଆୟା ଏମଡ଼ିଆର ଟିବିରେ ଆକ୍ରାନ୍ତ ଥିଲା। ପଦ୍ମିନୀ କିମ୍ବା ସେଠି ଥିବା ଅନ୍ୟ ଶିକ୍ଷୟତ୍ରୀ କାହାର ମଧ୍ୟ ରୋଗ ସମ୍ବନ୍ଧରେ ବିଶେଷ ଧାରଣା ନଥିଲା। ସେହି ବର୍ଷ ୨୦୧୨ରେ ତାର କାଶ, କଫ ସାଙ୍ଗକୁ ଜର ଦେହରେ ଲାଗି ରହିଲା। ଥଣ୍ଡା ଟିକେ ହୋଇଛି ଭାବି ପାଖ ଔଷଧ ଦୋକାନକୁ ଯେଉଁ ଡାକ୍ତରମାନେ ଆସନ୍ତି ତାଙ୍କୁ ଦେଖେଇ ଔଷଧ ଆଣି ଖାଇ ଦିଏ।ଦିମାସ’ ଔଷଧ ଖାଇ ସାରିଲା ପରେ କିଛିବି ଫରକ ନ ପଡିବାରୁ ଜଗଦୀଶ ତାକୁ କ୍ୟାପିଟାଲ ହସ୍ପିଟାଲ ନେଇଗଲା। ସେଠି ପରୀକ୍ଷାରୁ ଜଣା ପଡିଲା ତାକୁ ଟିବି ରୋଗ ହୋଇଛି। ଅଗଷ୍ଟ ୨୦୧୨ରେ ତାକୁ (ଡଟସ) କାଟେଗୋରୀ-୧ ଚିକିତ୍ସା ଦେବା ଆରମ୍ଭ ହେଲା। ତିନିମାସ ସେ ସରକାରୀ ଔଷଧ (ଡଟସ) ଖାଇଛି। କିନ୍ତୁ ସଚେତନତା ଓ ସଠିକ ପରାମର୍ଶ ଅଭାବରୁ ୨-୩ ସପ୍ତାହ ଗାଙ୍ଗଟକ ବୁଲିବା ଯାଇଥିଲା ବେଳେ ଔଷଧ ଛାଡି ଦେଇଥିଲା ସେଠୁ ଆସିଲାବେଳକୁ ତା ଦେହ ବେଶୀ ବେଶୀ ଖରାପ ହେଲା କଣ ହେଲା ବୋଲି ସେ ପୁଣି କ୍ୟାପିଟାଲ ହସ୍ପିଟାଲ ଗଲା। ସେଠି ତାକୁ ଟିକେ ସହାନୁଭୁତି ଦେଖାଇ, ସଠିକ ପରାମର୍ଶ ଦେବା ବଦଳରେ ଭଲକରି ଗାଳି ଦେବା ସହ ଅପମାନିତ କଲେ। ସେ ଜାଣି ପାରୁନଥିଲା ତାକୁ ଏମିତି ବ୍ୟବହାର କାହିଁକି କରୁଛନ୍ତି? ବିଶେଷକରି ଚିକିତ୍ସା କରୁଥିବା ଡାକ୍ତରଙ୍କ ବ୍ୟବହାରରେ ଭାଙ୍ଗି ପଡି ସେ ନିଷ୍ପତ୍ତି ନେଲା ଯାହା ହେଇଯାଉ ସେ ପ୍ରାଇଭେଟରେ ଦେଖାଇ ଔଷଧ ଖାଇବ ସିନା ସରକାରୀ ଡାକ୍ତରଖାନା ଯାଇ ଅପମାନିତ ହେବନାହିଁ।
ତାପରେ’ ସେ ଡାକ୍ତରଙ୍କୁ ପ୍ରାଇଭେଟ କ୍ଲିନିକରେ ଦେଖାଇଲା। ସେଠି ଡାକ୍ତର କିଛି ରକ୍ତ ପରୀକ୍ଷା କରି ପ୍ରତିଦିନ କରି ୬ମାସ ପାଇଁ ଔଷଧ ଖାଇବାକୁ ଦେଲେ ରାଣ ଦେଲାପରି ସବୁଦିନେ ସେ ଔଷଧ ଖାଇଲା। ତଥାପି ତାର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ଆଡକୁ ଗତିକରୁଥିଲା। ତାର ସ୍ବାସ୍ଥ୍ୟବସ୍ଥାରେ ବିଚଳିତ ଡାକ୍ତର ବଡ ମେଡିକାଲ କଟକର ଛାତିରୋଗ ବିଭାଗ ମୁଖ୍ୟ ଡାକ୍ତର ଜ୍ୟୋତି ପଟ୍ଟନାୟକଙ୍କ ସହ ଆଲୋଚନା କରି ପଦ୍ମିନୀଙ୍କୁ ତାଙ୍କ ପାଖକୁ ପଠାଇଦେଲେ। ସେଠାରେ କିଛି ପରୀକ୍ଷା କଲାପରେ ଜଣା ପଡିଲା ପଦ୍ମିନୀ ଭୟାନକ ଏମଡ଼ିଆର ଟିବି ରୋଗାକ୍ରାନ୍ତ। ତାପରେ’ କ୍ୟାଟେଗୋରୀ-୪ର ଚିକିତ୍ସା ୨୦୧୩ ମେ ମାସରୁ ଆରମ୍ଭ ହେଲା। ସେତେବେଳେ ତାକୁ ୨୨ ବର୍ଷ ହୋଇଥାଏ। ଓଜନ ୩୫ କେଜି ଓ ଉଚ୍ଛତା ୧୬୦ ସେମି ଥିଲା। ପାଖାପାଖି ୩ମାସ ଔଷଧ ଖାଇ ସାରିଲା ବେଳକୁ ତାର’ ଭୀଷଣ ଭାବେ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଆରମ୍ଭ ହୋଇଗଲା। ସେ ତା’ର ଅସୁବିଧା ସମସ୍ତଙ୍କୁ ଜଣେଇଲା DOT ଦେବା ବ୍ୟକ୍ତିଙ୍କଠୁ, କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ପର୍ଯ୍ୟନ୍ତ ହେଲେ କେହି ଆଗେଇ ଆସିଲେନି ତା’ର ଅସୁବିଧା ବୁଝିବା ପାଇଁ। କିନ୍ତୁ ସେଇ ଗୋଟିଏ ଉତ୍ତର ଔଷଧର ପାର୍ଶ୍ବପ୍ରତିକ୍ରିୟା ହେବ, ହେଲେ ରୋଗୀର ଅସୁବିଧାରେ ଚିକିତ୍ସକଙ୍କ ସଂବେଦନଶୀଳତା କିଛି ନାହିଁ କିଏ ଖାତିର କରୁଛି ରୋଗୀକୁ। ଯଦିଓ ଏହି ଚିକିତ୍ସା ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବା କଥା କିନ୍ତୁ ସେସବୁ କିଛି ତା କ୍ଷେତ୍ରରେ କରାଗଲା ନାହିଁ (କେଉଁଠି ମଧ୍ୟ ତତ୍ତ୍ବାବଧାନ କରନ୍ତିନି)। ଏମିତି ସମୟ ଆସିଲା କଷ୍ଟ ବେଶି ଅସହ୍ୟ ହେଲା ବେଳକୁ ସେ ଔଷଧ ଫୋପାଡି ଦେଉଥିଲା ଅନେକ ସମୟରେ। ଏପରିକି ପରିବାର ଲୋକ ଏସବୁ ଜାଣି ପାରୁନଥିଲେ। କିମ୍ବା ଔଷଧ ସେ ଠିକ ଖାଉନି ଏ ବାବଦରେ କାହାକୁ କହୁନଥିଲେ। ଏସବୁ ଭିତରେ ସେ ସ୍କୁଲ ଯାଉଥିଲା। ଟିଉସନ କରାଉଥିଲା। ତାର’ ଔଷଧ, ପରୀକ୍ଷା ନିରୀକ୍ଷା ଖରଚ ଦିନକୁ ଦିନ ବଢୁଥିଲା, ତେଣୁ ନିଜର ସୀମିତ ଆୟକୁ ଟିକେ ବଢାଇବାପାଇଁ ଆଉ ଜଣେ ମହିଳାଙ୍କ ସାଙ୍ଗରେ ମିଶି ବ୍ୟୁଟିକଟେ ଖୋଲିଲା। କିନ୍ତୁ ଇଂଜେକସନ ନେବା କିମ୍ବା ସମୟରେ ଯାଇ କଫ କଲଚର କରିବାରେ ହେଳା ହୋଇନି।
୧୭ ନଭେମ୍ବର ୨୦୧୪ରେ ଜଣାପଡିଲା ତାକୁ ଭୀଷଣ ସାଂଘାତିକ ଏକ୍ସଡ଼ିଆର ଟିବି ହୋଇଛି। ପରିବର୍ତ୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ଏଥର ତାକୁ କ୍ୟାଟାଗୋରୀ-୫କୁ ପରିବର୍ତ୍ତନ କରି ଦିଆଗଲା। ଏତେ ବେଳକୁ ତାର ଓଜନ ୨୬ କେଜି ହୋଇ ଯାଇଥିଲା। ଏସବୁ ସତ୍ତ୍ୱେ ସବୁ ପ୍ରତିବନ୍ଧକକୁ ଏଡାଇ ସ୍କୁଲରେ (ତିନିଟା ସ୍କୁଲ ପରିବର୍ତ୍ତନ) କାମ, ଟିଉସନ, ବ୍ୟୁଟିକ କଥା ବୁଝୁଥିଲା। ତାକୁ କିମ୍ବା ତାର ପରିବାର ଲୋକଙ୍କୁ କେହି ଜଣାଇ ନଥିଲେ, ତାର ଏ ଅବସ୍ଥାରେ ସ୍କୁଲରେ ପିଲାଙ୍କ ସହ ମିଶିବା ଠିକ ନୁହେଁ। ତା ପାଇଁ ବିଶ୍ରାମ ବହୁତ ଦରକାର କିମ୍ବା ବାହାରକୁ ବେଶି ଯିବା ଆସିବା କଲେ ଅନ୍ୟାନ ବାହ୍ୟ ପ୍ରଦୂଷଣ ରୋଗକୁ ବେଶୀ ଖରାପ କରିବ
ମାର୍ଚ୍ଚ ୨୦୧୫ରେ ତାର ଶ୍ବାସ ପ୍ରଶ୍ବାସ କାମ କଲାନାହିଁ। ଘରଲୋକେ ତାକୁ ବିକଳରେ କ୍ୟାପିଟାଲ ହସ୍ପିଟାଲ ନେଇଗଲେ। ଦୁର୍ଭାଗ୍ୟକୁ ସେଇ ପୁରୁଣା ଅଭ୍ୟାସ ସଂକଟାପର୍ନ୍ନ ରୋଗୀଙ୍କୁ ବଡ ମେଡିକାଲକୁ ରେଫର କରିଦେଇ ହାତ ଝାଡିଦେଲେ କାମ ସରିଲା। ସେରାତିରେ ମଧ୍ୟ ଠିକ ସେଇକଥା ହେଲା। ସେଭଳି ଅବସ୍ଥାରେ ତାକୁ ଏତେ ଦୂର କଟକ ନେବା ସମ୍ଭବ ନଥିଲା। ତେଣୁ ତାକୁ ନିକଟସ୍ଥ ବିବେକାନନ୍ଦ ହସପିଟାଲରେ ୧୬ ମାର୍ଚ ୨୦୧୫ରେ ଘରଲୋକେ ଏଡମିଟ କରିଦେଲେ। ପ୍ରଥମ ଥର ସ୍ବାମୀ ଏବଂ ଶାଶୁଘର ପରିବାର ଲୋକେ ତାକୁ ଦେଖିବାକୁ ଆସିଥିଲେ ତା ସାଙ୍ଗକୁ ଚିକିତ୍ସା ଖର୍ଚ୍ଚ ପାଇଁ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ। ୧୮ ମାର୍ଚ୍ଚ ୨୦୧୫ରେ ଯେତେବେଳେ ସେ ଡିସ୍ଚାର୍ଜ ହେଲା ବହୁତ ଖୁସିହେଲା ଭାବିଲା ଏବେ ବୋଧେ ସବୁ ଠିକ ହୋଇଯିବ। ୟା ପରଠୁ ତା’ର ବାହାରକୁ ଯିବା, କାମ କରିବାପାଇଁ ବାପା ପୁରା ମନା କରିଦେଲେ। ତା ଦେହ ଖରାପର ସୁଯୋଗ ନେଇ ଭାଗୁଆଳୀ ସ୍ତ୍ରୀ ଲୋକ ପୁରା ବ୍ୟୁଟିକ ହାତେଇ ନେଲା। ବାପାମା, ଭାଇ ଭଉଣୀ ସାହସ ଦେଲେ। କେମିତି ସବୁ ଔଷଧ ନିୟମିତ ଖାଇବ ସେ ଔଷଧ ଦେବାର ଦାୟିତ୍ବ ମା’ ନେଇଗଲେ। ଅତ୍ୟଧିକ ଶକ୍ତିଶାଳୀ ଏକ୍ସଡ଼ିଆର ଟିବିର ଚିକିତ୍ସାର ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ସମସ୍ତେ ଜାଣନ୍ତି। ଅତ୍ୟଧିକ ବାନ୍ତି, ତରଳଝାଡ଼ା, ଦୁର୍ବଳତା, ମୁଣ୍ଡ ବୁଲେଇବା, ପ୍ରଶ୍ବାସ ନେବାରେ କଷ୍ଟ, ଶରୀରରେ ଅତ୍ୟଧିକ ପୀଡା ସବୁଦିନେ ଲାଗି ରହୁଥିଲା କିନ୍ତୁ ରୋଗକୁ ହରେଇବାର ପ୍ରବୃତ୍ତି ତା’ ଭିତରେ ଦୃଢ ହୋଇଥିଲା। ସେ ଔଷଧ ପୁରା ନିୟମିତ ଖାଉଥିଲା। ଜୁଲାଇ ୨୦୧୫ରେ ତା’ ଚିକିତ୍ସାର ଇନ୍ଟେସିଭ ପର୍ଯାୟ ସରିଯାଇଥିଲା।
ନିର୍ଦ୍ଧାରିତ ସମୟରେ ନିୟମିତ କ୍ୟାପିଟାଲ ହସପିଟାଲ ଯାଇ ଆବଶ୍ୟକୀୟ କଫ, LFT, Urea, Creatinine, CBC ଇତ୍ୟାଦି ଟେଷ୍ଟ କରାଉଥିଲା। ତା’ର ଔଷଧ କଲ୍ପନା ଡ଼ିସପେନସରିରୁ ଆଣୁଥିଲା। ପରିବର୍ତ୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ନିର୍ଦ୍ଦେଶାବଳୀ ଅନୁଯାୟୀ ଯଦିଓ ସବୁ ପରୀକ୍ଷା ଦେୟ ମୁକ୍ତ କିନ୍ତୁ ଅନେକ ଟେଷ୍ଟ ପାଇଁ ତାକୁ ପୁରା ପ୍ରାପ୍ୟ ଦେବାକୁ ପଡୁଥିଲା। ପ୍ରଥମେ କିଛି ପରିମାଣରେ ତାର ଶାରୀରିକ ସୁଧାର ଜଣା ପଡୁଥିଲା ପ୍ରାୟ ଅକ୍ଟୋବର ୨୦୧୫ ପର୍ଯ୍ୟନ୍ତ। କିନ୍ତୁ ତା ପରଠାରୁ କ୍ରମାଗତ ଭାବେ ତା’ର ସ୍ୱାସ୍ଥାବସ୍ଥାରେ ଦ୍ରୁତ ଅବନତି ଘଟିଲା। ଠିକ ସେ ସମୟକୁ ସ୍ବାମୀର କେବେ କେମିତି ଆସିବାଟା ପୁରା ବନ୍ଦ ହୋଇଗଲା। ଫୋନରେ ସମ୍ପର୍କ ମଧ୍ୟ ରହିଲା ନାହିଁ ସମ୍ପୂର୍ଣ୍ଣ ଦୂରେଇ ଗଲା। ଶାଶୁଘର ଲୋକ କେବେ କେମିତି ଯେଉଁ ଆସୁଥିଲେ ସେମାନଙ୍କର ଆସିବା ବନ୍ଦ ହୋଇଗଲା। ତା ଝିଅ ଏବଂ ସେ ତାଙ୍କ ପାଇଁ ଅଲୋଡା, ଆଖୋଜା ହୋଇଗଲେ। ରୋଗର ଦାଉ ସାଙ୍ଗକୁ ସମ୍ପର୍କର ନିଷ୍ଠୁରତା ଭିତରେ ଭିତରେ କୋରି ଖାଉଥିଲା।
ତଥାପି ସେ ଆଶା ଛାଡିନଥିଲା। ଦୃଢମନା ଅଦମ୍ୟ ସାହସୀ ପଦ୍ମିନୀ ମନସ୍ଥିର କରିଥିଲା, ଯେତେ ଯାହାହେଉ ସେ ପୁରା ଚିକିତ୍ସା ନେବ, ଔଷଧ ଖାଇବ, ଭଲ ହୋଇଯାଇ ତା ଝିଅକୁ ଏକା ଏକା ମଣିଷ କରିବ। ନହେଲା ନାହିଁ ମୁଁ ହିଁ ମୋ ଝିଅର ‘ବାପା ଆଉ ମା’ । ମନକୁ ମନ ପଣ କରିଥିଲା। ହେଲେ ଦିନକୁ ଦିନ ତାର ଓଜନ କମି ଯାଉଥିଲା। ପ୍ରଶ୍ବାସ ନେବାରେ ଭୀଷଣ କଷ୍ଟ ଅନୁଭବ କରୁଥିଲା।
ମେ ୨୦୧୬ ବେଳକୁ ତା’ର ସ୍ଥିତି ପୁରା ଖରାପ ଆଡକୁ ଗତିକଲାଣି। କଟକ ବଡ ମେଡିକାଲ ଡିଆରଟିବି ୱାର୍ଡରେ ୩୧ମେ ୨୦୧୬ରେ ଏଡମିଶନ ନେଲା। ସେଠି ପନ୍ଦର ଦିନରୁ ଅଧିକା ରହିଲା। ୧୮ ଜୁନରେ ୨୦୧୬ ଡିସ୍ଚାର୍ଜ ହୋଇ ଘରକୁ ଆସିଲା। ସେ ପୁରା କତରାଲଗା ହୋଇଯାଇଥାଏ। ହସପିଟାଲ ବେଡ ପରି ସ୍ବତନ୍ତ୍ର ଲୁହା ବେଡ଼୍ ଟେ ବାପା କିଣି ଆଣିଥିଲେ। ଅକ୍ସିଜେନ ଲଗାଇବା ଏବଂ ତାକୁ ଟିକେ ଉଠାଇକରି ରଖିବା ପାଇଁ ସୁବିଧା ହେବ ଆଶାରେ। ୧୯ ଜୁନରେ ସେଇ ବେଡ ଉପରେ ଶୋଇଥିବା ଅବସ୍ଥାରେ ତାର ୨୫ତମ ଜନ୍ମଦିନ ସାଙ୍ଗସାଥିମାନେ ଆସି ଘରଲୋକଙ୍କ ସହ ପାଳନ କରିଥିଲେ। ସେତେବେଳେ କିଏ ଜାଣିଥିଲା, ସେଇଟା ହିଁ ହେବ ତା’ର ଶେଷ ଜନ୍ମଦିନ। ଘରେ ସେ ପୁରା ଅକ୍ସିଜେନ supportରେ ରହୁଥିଲା। ତାର ସବୁ ନିତ୍ୟକର୍ମ ବେଡରେ କରାହେଉଥିଲା। ଦିନ ରାତି ବାପା ତାକୁ ଜଗି ଖଟ ନିକଟରେ ତଳେ ଶୋଉଥିଲେ। ସେ ପଡି ରହିଥିଲା ଅସ୍ଥିକଙ୍କାଳସାର, ନିଷ୍ପନ୍ଦ ମଣିଷଟିଏ ମୃତ୍ୟୁକୁ ଅପେକ୍ଷା କଲାଭଳି। କଥା ହେବାକୁ ଚେଷ୍ଟା କଲେବି ଆଉ ଶବ୍ଦ ଶୁଭୁ ନଥିଲା। ନିସ୍ତେଜ ଶରୀରରେ ବଡ ବଡ ଆଖି ଦୁଇଟା ଅନେକ ବ୍ୟଥା ବେଦନାକୁ କି ଆବଶ୍ୟକତାକୁ କୌଣସି ମତେ ପ୍ରକାଶ କରୁଥିଲା। ତା’ର ଏପରି ଅବସ୍ଥା ଔଷଧ ଯେ କାମ କରୁନାହିଁ ସେକଥା ବୁଝି ପାରୁଥିଲା ସମାଜସେବୀ ଜଣକ ତେଣୁ ପରିବାର ଲୋକଙ୍କୁ କହିଥିଲା extended Drug Sensitivity Testing DRTB ସେଣ୍ଟରରେ କରିବାପାଇଁ। ଅନ୍ତତଃ ଆଉ କେଉଁ ଔଷଧ ତା ଦେହରେ କାମ କରୁନାହିଁ ଜଣା ପଡିଲେ ହୁଏତ ଆଉ ଟିକେ ଉନ୍ନତ ଚିକିତ୍ସା କରି ଅବସ୍ଥାରେ ସୁଧାର ପାଇଁ ଚେଷ୍ଟା କରାଯାଇ ପାରିବ। ହେଲେ କାହାର କଣ ଯାଉଛି, ଅଯଥାରେ ପରୀକ୍ଷା କରି ଝମେଲାରେ ପଶିବେ। ପୁଣି ଓଡ଼ିଶାରେ TDR-TB କେସ ହେଲାଣି ଜଣା ପଡିବ, ତା ଅପେକ୍ଷା ଦାୟିତ୍ବ ଜୁଆଳୀରୁ କାନ୍ଧ ଖସେଇ ଦେଲେ। ସେ ଏକୁଟିଆ ପଡି ରହିଥିଲା ବିଲକୁଲ ଏକଲା, ଯନ୍ତ୍ରଣାରେ ଖିନଭିନ ହେଉଥିବା ଦୁର୍ବଳ ଦେହରେ ଆଖିରୁ ଲୁହ ଟିକେ ଝରାଇ ପାରୁ ନଥିଲା।
୨୨ ଜୁନରେ ପୁଣି ପରିସ୍ଥିତି ଘରେ ଅଣାୟତ ହେବାରୁ DRTB-Centerରେ ଏଡମିଟ ହେଲା। ସେତେବେଳକୁ ସମସ୍ତଙ୍କ ବ୍ୟବହାର ଦେଖି ସେ ଭାବୁଥିଲା ଧିରେ ଧିରେ ତା’ ଜୀବନ ସମସ୍ତଙ୍କ ପାଇଁ ଯେମିତି ଅଯଥା ବୋଝ ହୋଇଯାଉଛି। DRTB-Centerରେ ଯେପରି ଭାବରେ ତାକୁ ଚିକିତ୍ସା କରୁଥିଲେ, ଯେମିତି ବ୍ୟବହାର ସେଠି ଦେଖାଉଥିଲେ, ନିଜକୁ ସଂକୁଚିତ ମନେ କରୁଥିଲା। ପୁରା ଗୋଟେ ହତାଶ ବୋଧ ତାକୁ କବଳିତ କରୁଥିଲା। କଣ ହେବ ତା’ ଝିଅର। ତାର ସଂକ୍ରମିତ ଫୁସଫୁସ ଅପରେଶନ ଦରକାର କରୁଥିଲା, ତାର ଓଜନ ମାତ୍ର ୨୨ କେଜି ଥାଏ। ସତେ ଯେମିତି ସେ ଗୋଟାଏ ପ୍ରତିକ୍ରିୟା ଶୂନ୍ୟ ଶରୀର ଏ ପରୀକ୍ଷା ସେ ପରୀକ୍ଷା ପାଇଁ କଙ୍କାଳ ଶରୀରକୁ କିଏ ଆସି କେମିତି ଫୋଡି ପକାଉଥିଲେ, ଯନ୍ତ୍ରଣାରେ ସେ ବାପାଙ୍କୁ ଅନୁରୋଧ କଲା ବାପା ଆଉ ନୁହେଁ, ମୋତେ ଘରକୁ ନେଇଯାଅ। ୧ ଜୁଲାଇ ୨୦୧୬ରେ ଡିସ୍ଚାର୍ଜ ହୋଇ ଘରକୁ ଫେରି ଆସିଲା।
ଘରେ ନିୟମିତ ଅକ୍ସିଜେନ, nebulizer, ସାଲାଇନ ଓ ଯାବତୀୟ ଔଷଧ injection ଦିଆ ଚାଲିଥାଏ। ସେଦିନ ଥିଲା ଶୁକ୍ରବାର ଜୁଲାଇ ୮ ତାରିଖ। ପାଖ ଔଷଧ ଦୋକାନରୁ ଦୁଇଜଣ nurse ଆସିଥାନ୍ତି ଇଂଜେକସନ ଦେବାପାଇଁ। ଘଣ୍ଟା ଘଣ୍ଟା ଭେନ ପାଇବାପାଇଁ ତାର ନିସ୍ତେଜ ଶରୀରକୁ ଫୋଡି ଚାଲିଥାନ୍ତି। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ କ୍ଷୀଣ ପ୍ରତିବାଦ ବାହାରି ଆସିଲା ‘ଛାଡିଦିଅ ମୋତେ’ । ସାରା ରାତି ତାକୁ ଅକ୍ସିଜେନ ଦିଆ ହେଉଥିଲା। ଶନିବାର ୯ ଜୁଲାଇ ବଡି ସକାଳୁ ସମାଜସେବୀ ଜଣକ ଫୋନ ପାଇଲେ। ପଦ୍ମିନୀ ଅସ୍ପଷ୍ଟ ସ୍ବରରେ ମା’ଙ୍କୁ କହୁଥାଏ, କହ ଦିଦି ଆସିବେ। ଟିକେ ଇଂଜେକସନ ଦେଇଦେବେ। ସେ ଅବସ୍ଥାରେ କେବଳ DRTB-Center ଯିବା ତା’ର ବହୁତ ଆବଶ୍ୟକ ଥିଲା। ପରିବାର ଲୋକଙ୍କୁ ବୁଝେଇଲା ପରେ ତୁରନ୍ତ ସେମାନେ ସେଠିକି ନେଇଗଲେ। କିନ୍ତୁ ସେଇ ଏକା ଶନିବାର ଦିନ ମଧ୍ୟ ରାତ୍ରୀରେ ବାପା ଥାଇ ନଥିଲା ପରି ୭ ବର୍ଷ ଝିଅଟିକୁ ସବୁଦିନ ପାଇଁ ଛେଉଣ୍ଡ କରି ଆଖି ବୁଜିଦେଲା ପଦ୍ମିନୀ।
ସେ ଏକ ଦୃଢ ମନୋବଳ ଥିବା ସାହସୀ ଏବଂ ଲଢୁଆ ଝିଅ ଥିଲା - ଶେଷରେ ସେ ହାରିଗଲା। ମୁଣ୍ଡ ନୂଆଁଇ ଦେଲା ବେଦରଦୀ ସ୍ବାସ୍ଥ୍ୟ ବ୍ୟବସ୍ଥା, ଭୟାନକ ନିର୍ଦ୍ଦୟ ବେମାରୀ, ସ୍ବାର୍ଥପର ସ୍ବାମୀ ଏବଂ ଶାଶୁଘର ଲୋକେ ତଥା ସାରା ଦୁନିଆ ଆଗରେ।
ଆମେ ଏକ ସଭ୍ୟ ସମାଜ ହିସାବରେ ତଳ ପ୍ରଶ୍ନ ଗୁଡିକ ଉପରେ ଚିନ୍ତା କରି ତାର ଉତ୍ତର ଖୋଜିବା ନିହାତି ଆବଶ୍ୟକ:
ପଦ୍ମିନୀର ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଏକ ଖୋଲା ଆହ୍ବାନ। ପଦ୍ମିନୀର ଅନାଥ ଝିଅ ଆପଣ ସମସ୍ତଙ୍କ ସଂବେଦନଶୀଳତାକୁ ପ୍ରଶ୍ନ କରୁଛି ।
ସହଯୋଗ ଅନୁଷ୍ଠାନ,
୯୬, ସୂର୍ଯ୍ୟନଗର, ପ୍ରଥମ ମହଲା
ଭୁବନେଶ୍ବର
Go Back to Previous Page
ଜମିଜମା ଓ ସୀମା ସରହଦ
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ଏଣ୍ଟିରୋମାଣ୍ଟିକରେ ମାନବବାଦ
ଅଧ୍ୟାପିକା ରଞ୍ଜିତା ପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ