ମାର୍ଚ୍ଚ ୪ ତାରିଖ ଜାତୀୟ ସୁରକ୍ଷା ଦିବସ ଉପଲକ୍ଷେ
ସବୁଜ ତ୍ରିକୋଣ କ'ଣ ?
ସବୁଜ ତ୍ରିକୋଣ ଅର୍ଥାତ ସୁରକ୍ଷା ତ୍ରିକୋଣ ଏବଂ ଏହା ସୁରକ୍ଷାର ପ୍ରତୀକ ଦୈନନ୍ଦିନ ଜୀବନର ମୁଖ୍ୟ ଆବଶ୍ୟକ ବିଷୟ ଗୁଡ଼ିକୁ ଆମେ ପ୍ରତୀକ ସାହାଯ୍ୟରେ ମନେ ରଖିବାକୁ ଚେଷ୍ଟା କରିଥାଉ ସୁରକ୍ଷା ଜୀବନର ଅପରିହାର୍ଯ୍ୟ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ମଧ୍ୟରେ ଜୀବନର ପ୍ରତି ପଦକ୍ଷେପରେ ସୁରକ୍ଷାର ଆବଶ୍ୟକତା ରହିଅଛି ଏଣୁ କରି ସୁରକ୍ଷା ବିଷୟରେ ଆଲୋଚନା କରିବା ସର୍ବାଦୌ ଆବଶ୍ୟକ ରାସ୍ତାରେ ବିଭିନ୍ନ ଗୋଳେଇ ଛକ ମାନଙ୍କରେ ଆଜିକାଲି ଯାନ-ବାହାନ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟତଃ ଦୁଇଟି ରଙ୍ଗର ଚିହ୍ନ ବିଶେଷ ଭାବରେ ପ୍ରୟୋଗ ହୋଇଥାଏ ପ୍ରଥମଟି ହେଲା ସବୁଜ ତ୍ରିକୋଣ ଅର୍ଥାତ ଲାଇନ କ୍ଲିୟର ବା ଯାଇ ପାରନ୍ତି ଆଉ ଦ୍ୱିତୀୟଟି ହେଲା ଲାଲ ତ୍ରିକୋଣ ଅର୍ଥାତ ରହିଯାନ୍ତୁ ବା ଆଗରେ ବିପଦ ଅଛି ଏଣୁକରି ସବୁଜ ତ୍ରିକୋଣ ବର୍ତ୍ତମାନ ସୁରକ୍ଷା ତ୍ରିକୋଣ ଭାବରେ ସର୍ବଜନ ଆଦୃତ ହୋଇ ସାରିଛି
ବିଷୟଟିକୁ ବିଷଦ ଭାବରେ ଆଲୋଚନା କରିବା ପୂର୍ବରୁ ସୁରକ୍ଷାରେ ବିଭିନ୍ନ ରଙ୍ଗର ଭୂମିକା ସମ୍ବନ୍ଧରେ କିଞ୍ଚିତ ଆଲୋଚନା କରାଯାଉ ସବୁଜ ରଙ୍ଗ ସୁରକ୍ଷା ପାଇଁ କାହିଁକି ବ୍ୟବହାର କରାଯାଏ ତା ସମ୍ବନ୍ଧରେ ମଧ୍ୟ ସାମାନ୍ୟ ବିଚାର କରାଯାଉ ଦୁର୍ଘଟଣା ନିବାରଣ ପାଇଁ, ବିପଦକୁ ଚିହ୍ନାଇ ଦେବା ପାଇଁ, ସାବଧାନ ହେବା ପାଇଁ, ଖୋଲା ଯନ୍ତ୍ରକୁ ଚିହ୍ନିତ କରିବା ପାଇଁ ନିର୍ଦ୍ଦିଷ୍ଟ ରଙ୍ଗର ବ୍ୟବହାର କରାଯାଇଥାଏ I
ଲାଲ ରଙ୍ଗ ବିଭିନ୍ନ ପ୍ରକାରର ଅଗ୍ନି ନିର୍ବାପକ ଯନ୍ତ୍ର ମାନଙ୍କରେ ବ୍ୟବହୃତ ହୁଏ ହଳଦିଆ ରଙ୍ଗ ସାଧାରଣତଃ କାରଖାନା ଭିତରେ ଥିବା ଗତିଶୀଳ ପରିବହନ ଯାନ ମାନଙ୍କରେ ବ୍ୟବହୃତ ହୁଏ ନୀଳ ରଙ୍ଗକୁ ପାଣିଟାଙ୍କି ଏବଂ ସିଢି ଇତ୍ୟାଦିରେ ବ୍ୟବହାର କରାଯାଏ କଳା ଆଉ ଧଳା ରଙ୍ଗକୁ ହଳଦିଆ ରଙ୍ଗର ପରିପୂରକ ଭାବରେ ବ୍ୟବହାର କରାଯାଏ ତା’ଛଡ଼ା ରାସ୍ତାମାନଙ୍କରେ ଜେବ୍ରା କ୍ରସିଂରେ ମଧ୍ୟ କଳା ଆଉ ଧଳା ରଙ୍ଗର ବ୍ୟବହାର ହୁଏ ରଙ୍ଗ ମାନଙ୍କର ସଂକ୍ଷିପ୍ତ ପରିଚୟ ଦେବାର ଉଦ୍ଦେଶ୍ୟ ହେଲା, ଏହା ସମସ୍ତଙ୍କର ଜାଣିବା ଦରକାର ସେହିପରି ସବୁଜ ରଙ୍ଗ ଯେ କୌଣସି ସୁରକ୍ଷା ଉପକରଣର ପ୍ରଚ୍ଛଦପଟ ଭାବରେ ବ୍ୟବହୃତ ହୁଏ ସବୁଜ ରଙ୍ଗ ଜୀବନର ପ୍ରତୀକ ଯେତେ ସମୟ ପର୍ଯ୍ୟନ୍ତ ଗଛର ପତ୍ରମାନେ ସବୁଜ ଅଛନ୍ତି ଧରାଯାଏ ସେଥିରେ ଜୀବନ ଅଛି ପତ୍ରର ଜୀବନ ସରିଗଲେ ତାର ରଙ୍ଗ ଆଉ ସବୁଜ ନ ରହି ହଳଦିଆ ହୋଇଯାଏ ଓ ପରବର୍ତ୍ତୀ କାଳରେ ଶୁଖି ଯାଏ ସବୁଜ ରଙ୍ଗ ଶାନ୍ତିର ପ୍ରତୀକ ମଧ୍ୟ ଏହା ଚକ୍ଷୁକୁ ଆନନ୍ଦ ଦିଏ ଏହି କାରଣରୁ ହିଁ ସବୁଜ ରଙ୍ଗକୁ ସୁରକ୍ଷାର ପ୍ରତୀକ ଭାବରେ ମଧ୍ୟ ଗ୍ରହଣ କରା ଯାଇଅଛି
ସବୁଜ ତ୍ରିକୋଣ ଗୋଟିଏ ସମବାହୁ ତ୍ରିଭୁଜ ଏହାର ତିନୋଟି ବାହୁର ନିର୍ଦ୍ଦିଷ୍ଟ ଅର୍ଥ ରହିଅଛି ପ୍ରଥମ ବାହୁର ଅର୍ଥ ହେଲା ଇଂଜିନିୟରିଂ ବା ଯନ୍ତ୍ରବିଦ୍ୟା ଦ୍ବିତୀୟ ବାହୁର ଅର୍ଥ ହେଲା ଏଡୁକେସନ ବା ଶିକ୍ଷା ଏବଂ ତୃତୀୟ ବାହୁର ଅର୍ଥ ହେଲା ଏନଫୋର୍ସମେଣ୍ଟ ବା ପ୍ରବର୍ତ୍ତନ କରିବା ଏହି ତିନୋଟି ଅର୍ଥର ସମାବେଶରେ ସମ୍ପୂର୍ଣ୍ଣ ସୁରକ୍ଷା ପଦ୍ଧତି ପର୍ଯ୍ୟବେସିତ ବର୍ତ୍ତମାନ ଆମେ ଏହି ତିନୋଟି ଅର୍ଥକୁ ବିଷଦ ଭାବରେ ବିଶ୍ଲେଷଣ କରିବା
୧ମ ବାହୁ - ଇଂଜିନିୟରିଂ ଅର୍ଥାତ ଯନ୍ତ୍ର ବିଦ୍ୟା
୨ୟ ବାହୁ - ଏଡୁକେସନ ଅର୍ଥାତ ଶିକ୍ଷା
୩ୟ ବାହୁ - ଏନଫୋର୍ସମେଣ୍ଟ ଅର୍ଥାତ ପ୍ରବର୍ତ୍ତନ କରିବା
ଯଦିଓ ସୁରକ୍ଷା ଏକ ଜନ୍ମଗତ ଚେତନା ଏବଂ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସୁରକ୍ଷାର ଆବଶ୍ୟକତା ରହିଅଛି, କିନ୍ତୁ ଏହାର ପ୍ରକୃତ ମହତ୍ୱ ଉପଲବ୍ଧି କରାଯାଇଥିଲା ଔଦ୍ୟୋଗୀକରଣ ପରେ ସଂସାରର ଶିଳ୍ପ ଇତିହାସ ମାତ୍ର ୩୦୦ ବର୍ଷର ପୁରାତନ ପୁଣି ଭାରତରେ ଏହା ମାତ୍ର ୧୫୦ ବର୍ଷ ପୁରାତନ ଯେତେବେଳେ ଶିଳ୍ପମାନଙ୍କର ଦ୍ରୁତ ବିକାଶ ହେଲା, ପରବର୍ତ୍ତୀ କାଳରେ ଦେଖାଗଲା ଯେ ଯଦିଓ ଶିଳ୍ପ ଶ୍ରମିକମାନଙ୍କର ଜୀବନ ମାନରେ ଉନ୍ନତି ହେଉଛି, କିନ୍ତୁ ଅଯଥା ଅନେକ ଶ୍ରମିକ ଦୁର୍ଘଟଣାର ଶିକାର ହୋଇ ସମାଜରେ ପଙ୍ଗୁ ପରି ବଞ୍ଚି ରହିବାକୁ ବାଧ୍ୟ ହେଉଛନ୍ତି ଧିରେ ଧିରେ ଯନ୍ତ୍ର ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ଯନ୍ତ୍ରୀମାନେ ଯନ୍ତ୍ର ଗୁଡ଼ିକର ଗଠନରେ ସୁଧାର କରିବାରେ ଲାଗି ପଡ଼ିଲେ ଅର୍ଥାତ ଯନ୍ତ୍ରର ବିପଦପୂର୍ଣ୍ଣ ସ୍ଥାନମାନଙ୍କୁ ଏପରି ଭାବରେ ଢାଙ୍କି ରଖିବାକୁ ଚେଷ୍ଟା କଲେ ଯେ କେହି ଯେପରି ସେହି ବିପଦପୂର୍ଣ୍ଣ ସ୍ଥାନମାନଙ୍କର ସିଧା ସଳଖ ସଂସ୍ପର୍ଶରେ ନ ଆସେ ଏହାହିଁ ହେଉଛି ଯାନ୍ତ୍ରିକ ବିଦ୍ୟା ଦ୍ୱାରା ଯନ୍ତ୍ରର ଉତ୍ତୋରତ୍ତର ଉନ୍ନତି କରିବାର ପ୍ରଣାଳୀ ଏହି ପ୍ରଣାଳୀ ଅହରହ କାମ କରୁଛି ଏହା ଫଳରେ ଆମେ ନିତ୍ୟ ନୂତନ ପରିମାର୍ଜ୍ଜିତ ଯନ୍ତ୍ର ଗୁଡିକ ବ୍ୟବହାର କରିବାର ସୁଯୋଗ ପାଇଁ ପାରୁଛୁ ସବୁଜ ତ୍ରିକୋଣର ପ୍ରଥମ ବାହୁଟି ତେଣୁକରି ଯନ୍ତ୍ର ବିଦ୍ୟାକୁ ବୁଝାଏ, ଅର୍ଥାତ ଯନ୍ତ୍ର ବିଦ୍ୟା ଦ୍ୱାରା, କାରିଗରୀ କୌଶଳ ଦ୍ୱାରା ଯନ୍ତ୍ରକୁ ଏପରି ଭାବରେ ଗଠନ କରିବା ଯାହାଦ୍ୱାରା ସେଥିରେ କାମ କରୁଥିବା ଶ୍ରମିକ ନିଜେ ନିଜେ ସୁରକ୍ଷିତ ହୋଇ ରହିବ I ଆପଣ ମାନେ ସମସ୍ତେ ଜାଣିଥିବେ ଆଜି ଠାରୁ ୫୦ ବର୍ଷ ପୂର୍ବେ ଯେଉଁ ଟେବୁଲ ଫ୍ୟାନ ଗୁଡିକ ତିଆରି ହେଉଥିଲା ତାର ତୀବ୍ର ବେଗରେ ଘୁରୁଥିବା ବ୍ଲେଡ ଚାରିକଡେ ଆଜି ଭଳି ଛୋଟ ଜାଲି ଦିଆ ଯାଉ ନ ଥିଲା, ଫଳରେ ବ୍ୟକ୍ତି ବିଶେଷଙ୍କ ଅସାବଧାନତା ହେତୁ ହାତ ବା ଗୋଡ଼ କାଟି ଯାଉଥିଲା I କିନ୍ତୁ ଏବେକାର ନୂତନ ଇଲେକ୍ଟ୍ରିକ ଟେବୁଲ ଫ୍ୟାନ ର ବ୍ଲେଡ ଚାରି ପାଖେ ଏପରି ଜାଲିର ବ୍ୟବସ୍ଥା କରାଯାଇଛି ଯାହା ଫଳରେ କେହି ଇଛା କରି ମଧ୍ୟ ତା ଭିତରକୁ ଆଙ୍ଗୁଠି ପୁରାଇ ପାରିବେ ନାହିଁ I ଏହାହିଁ ହେଉଛି ଯନ୍ତ୍ର ବିଦ୍ୟା ଦ୍ୱାରା ସୁରକ୍ଷିତ ହୋଇ ରହିବାର ଗୋଟିଏ ଉଦାହରଣ I ଅଧୁନା ଯନ୍ତ୍ରୀ ମାନେ ବିଭିନ୍ନ ଯନ୍ତ୍ରର ବିପଦ ପୂର୍ଣ୍ଣ ସ୍ଥାନ ମାନଙ୍କୁ ସୁରକ୍ଷିତ କରିବା ପାଇଁ ଅହରହ ଚେଷ୍ଟିତ ଅଛନ୍ତି I
ସବୁଜ ତ୍ରିକୋଣର ଦ୍ବିତୀୟ ବାହୁଟି ହେଲା ଏଡୁକେସନ ବା ଶିକ୍ଷା I ଶିକ୍ଷା ହେଉଛି ପ୍ରତ୍ୟେକ ସଫଳତାର ମୂଳ I ଶିକ୍ଷାର ବିକାଶରେ ହିଁ ବ୍ୟକ୍ତି ବିଶେଷଙ୍କ ଏବଂ ପରବର୍ତ୍ତୀ କାଳରେ ସମାଜର ଉନ୍ନତି ହୋଇ ଥାଏ I ଶିକ୍ଷା ହିଁ ମଣିଷକୁ ଯେ କୌଣସି ଇତର ପ୍ରାଣୀଠାରୁ ଭିନ୍ନ କରିଥାଏ I ଆମ୍ଭେମାନେ ସଦା ସର୍ବଦା ଶିକ୍ଷା ଉପରେ ଜୋର ଦେଇଥାଉ କାରଣ ଶିକ୍ଷା ମାଧ୍ୟମରେ ହିଁ ମନୁଷ୍ୟ ଯେ କୌଣସି ସମସ୍ୟାର ଉପଯୁକ୍ତ ସମାଧାନ କରିବାର ପାଠ ଖୋଜି ପାଇଥାଏ I ସୁରକ୍ଷା ଏକ ଜନ୍ମଗତ ଚେତନା ଏବଂ ଏହା ଏକ ବ୍ୟକ୍ତିଗତ ଚେତନା ମଧ୍ୟ I କିନ୍ତୁ ତା’ ସତ୍ତ୍ୱେ ଆମେ ପ୍ରତିଦିନ ସୁରକ୍ଷା ବିଷୟରେ ଆଲୋଚନା କରିବା ପାଇଁ, ସୁରକ୍ଷା ଶିକ୍ଷା କରିବା ପାଇଁ ସମସ୍ତଙ୍କୁ ଆଗ୍ରହIନ୍ୱିତ କରିଥାଉ I କାରଣ ପ୍ରତିଦିନ ଆଲୋଚନା କଲେ, ସୁରକ୍ଷା ଶିକ୍ଷା କଲେ ଏହା ଆମର ଈଶ୍ୱର ପ୍ରଦତ୍ତ ଚେତନାକୁ ଆହୁରି ବିକଶିତ କରିଥାଏ I ସୁରକ୍ଷା ଯେପରି ଗୋଟିଏ ଚେତନା ସେହିପରି ଖାମଖିଆଲି ଭାବ ଅନ୍ୟ ଏକ ଚେତନା, ଏହା ମଧ୍ୟ ପ୍ରତ୍ୟେକଙ୍କୁ ଜନ୍ମଗତ ଭାବରେ ମିଳିଥାଏ I ସୁରକ୍ଷା ଶିକ୍ଷା ଓ ଆଲୋଚନା ମାଧ୍ୟମରେ ଆମେ ଏହି ‘ଖାମଖିଆଲି’ ଭାବକୁ କମାଇ ଦେଇ ‘ସୁରକ୍ଷା’ ଭାବନାକୁ ବିକାଶ କରିବା ପାଇଁ ଚେଷ୍ଟା କରିଥାଉ I ଏହି କାରଣରୁ ସୁରକ୍ଷା ଶିକ୍ଷାର ଯଥେଷ୍ଟ ମହତ୍ୱ ରହିଅଛି I ସର୍ବଶେଷ କାରଖାନା ଆଇନରେ ଏହି ସୁରକ୍ଷା ଶିକ୍ଷା ଉପରେ ବିଶେଷ ଜୋର ଦିଆ ଯାଇଅଛି I କାରଖାନା ମାନଙ୍କରେ ସୁରକ୍ଷା ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଅଛି I କାରଣ ବର୍ତ୍ତମାନ ଆଧୁନିକ ଯନ୍ତ୍ର ମାନଙ୍କରେ ଯେଉଁ ମାନେ କାମ କରିବେ ଏବଂ ଉତ୍ପାଦନ କରିବେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟରେ ସୁରକ୍ଷା ଶିକ୍ଷାର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଅଛି, ଏ କଥା ସରକାରଙ୍କ ଠାରୁ ଆରମ୍ଭକରି ସାଧରଣ ମଣିଷ ପର୍ଯ୍ୟନ୍ତ ସମସ୍ତେ ବୁଝିବାକୁ ସକ୍ଷମ ହୋଇ ପାରିଛନ୍ତି I
ସବୁଜ ତ୍ରିକୋଣର ତୃତୀୟ ବାହୁଟିର ଅର୍ଥ ହେଲା କଡାକଡି ଭାବରେ ସୁରକ୍ଷାକୁ ପ୍ରବର୍ତ୍ତନ କରିବା I ଆମେ ପୂର୍ବରୁ ଆଲୋଚନା କରିଛୁ ଯେ ମଣିଷ ମାତ୍ରକେ ଶିକ୍ଷିତ ହେଉ ବା ଅଶିକ୍ଷିତ, ତାଙ୍କ ମନରେ କିଛି ନ କିଛି ଖାମଖିଆଲି ଭାବ ରହିଥାଏ I ଫଳରେ ଜାଣତରେ ବା ଅଜାଣତରେ ମଣିଷ ବେଳେ ବେଳେ ବିପଦ ପ୍ରତି ସଚେତନ ହୋଇ ପାରେ ନାହିଁ ଏବଂ ଦୁର୍ଘଟଣାର ଶିକାର ହୁଏ I ଦୁର୍ଘଟଣାର ନିବାରଣ ପାଇଁ ଯନ୍ତ୍ର ବିଦ୍ୟା ଓ ସୁରକ୍ଷା ଶିକ୍ଷାର ଯେପରି ଆବଶ୍ୟକତା ରହିଛି, ସୁରକ୍ଷା ନୀତି-ନିୟମକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବାର ମଧ୍ୟ ସେହିପରି ଆବଶ୍ୟକତା ରହିଅଛି I ସବୁ ଭଲ କଥାକୁ ସମସ୍ତେ କେବେହେଲେ ଗ୍ରହଣ କରନ୍ତି ନାହିଁ I ଅନେକେ ଜାଣିଶୁଣି ସୁରକ୍ଷା ନିୟମର ବହିର୍ଭୁତ କାର୍ଯ୍ୟ କରନ୍ତି I ଏ ପ୍ରକାର ଖାଖୟାଲୀ ଭାବର ବିନାଶ ପାଇଁ ଆମକୁ ଦରକାର ପଡ଼ିଲେ ଦଣ୍ଡର ବ୍ୟବସ୍ଥା ମଧ୍ୟ କରିବାକୁ ହେବ I ନିୟମ ପ୍ରତି ଭୟ ଥିଲେହିଁ ତାକୁ ଲୋକେ ଭକ୍ତିର ସହ ଗ୍ରହଣ କରିବେ I ଭୟହୀନ ଭକ୍ତିର କାରଣ I ଶୃଙ୍ଖଳା ପ୍ରତି ପ୍ରତ୍ୟେକଙ୍କର ସମ୍ମାନ ଥିବା ଦରକାର I କାରଣ ବିଶୃଙ୍ଖଳିତ ହୋଇ ଆମେ କେବେହେଲେ ସୁରକ୍ଷିତ ହୋଇ ପାରିବୁ ନାହିଁ I ସୁରକ୍ଷା ଆଉ ଶୃଙ୍ଖଳା ପରସ୍ପର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ I ତେଣୁ ସୁରକ୍ଷା ନିୟମ ପ୍ରଣୟନ ଯଥେଷ୍ଟ ନୁହେଁ, ତାକୁ ପାଳନ କରିବା ପାଇଁ ଦରକାର ପଡିଲେ କଠୋର ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଥିବା ଦରକାର I
ଏହାହିଁ ସୁରକ୍ଷା ତ୍ରିକୋଣ ବା ସୁରକ୍ଷା ତ୍ରିଭୁଜର ବିସ୍ତୃତ ବିବରଣୀ I ସୁରକ୍ଷାହିଁ ଜୀବନର ପ୍ରଥମ ଆଉ ଶେଷ ଆବଶ୍ୟକତା I ଜୀବନର ପ୍ରତି ପଦକ୍ଷେପରେ ଆମକୁ ସୁରକ୍ଷା ନିୟମ ମାନିବାକୁ ପଡିବ I ପ୍ରତିଦିନ ଆମକୁ ଏହା ବିଷୟରେ ଚିନ୍ତା କରିବାକୁ ହେବ I ପ୍ରତିଦିନ ସୁରକ୍ଷା ଭାବଧାରାକୁ ଜାଗ୍ରତ ରଖିବା ପାଇଁ ତେଣୁକରି ଆମ ସଂମସ୍ତଙ୍କୁ ସବୁଜ ତ୍ରିକୋଣ କୁ ଆଖି ଆଗରେ ରଖି କାର୍ଯ୍ୟ କରିବାକୁ ହେବ I
- ଜୟ ସୁରକ୍ଷା -
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨
Go Back to Previous Page
କବୀର ଦୋହା ଗୁଚ୍ଛ ୩
ଡା ସୁବାସ ଚନ୍ଦ୍ର ରାଉତ
Read Article
ଟ୍ରାଫିକ୍ ନିୟମ
ଅନନ୍ତ ବାଗ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ