କବୀର ଦୋହା ଗୁଚ୍ଛ ୩
ସନ୍ଥ କବୀର
ଅନୁବାଦ – ଡା ସୁବାସ ଚନ୍ଦ୍ର ରାଉତ
ବୃକ୍ଷ କହିଲା ପତ୍ରକୁ ଶୁଣ, ପ୍ରିୟ ପତ୍ର ମୋର କଥା,
ଗୋଟିଏ ଆସେ ଗୋଟିଏ ଯାଏ, ଏ ଘରର ଏହି ପ୍ରଥା ।୧।
ରହେ ଧନ ନା ଯୌବନ ରହେ, ରହେ ଗ୍ରାମ ନା ଧାମ,
କହେ କବୀର, ଯଶ ହିଁ ରହେ, କରି ଅନ୍ୟର କାମ ।୨।
ମିଥ୍ୟା ସୁଖକୁ ସୁଖ ଭାବୁଛ, କଳ୍ପନାରେ ତୁମେ ଅଛ,
କାଳ କବଳେ ସଂସାର ଥାଏ, ଯିବା ହୋଇ ଆଗ ପଛ ।୩।
ନିଜ ମହତ୍ତ୍ବ ବଢ଼ାଅ ନାହିଁ, କହି ବଡ଼ ବଡ଼ କଥା,
ହୀରା କହେନି ନିଜ ମୁହଁରେ, ଲକ୍ଷେ ମୂଲ୍ୟ ମୋର ମଥା ।୪।
ଅଜ୍ଞାନୀ-ଜ୍ଞାନୀଙ୍କୁ କହ କହିଲେ, କବୀର ଲଜ୍ଜିତ ହୁଏ,
( ଅଜ୍ଞାନୀ ହୋଇ ନିଜକୁ ଜ୍ଞାନୀ ଯେ କହେ )
ଅନ୍ଧ ଆଗରେ ନାଚ କରିଲେ, କଳା ବ୍ୟର୍ଥ ହୋଇଯାଏ ।୫।
ଶୀତଳ ଶବ୍ଦ ମୁଖରେ କହ, ଅହଂ ମୁକ୍ତ ଅଧରେ,
ତୁମ ମଧ୍ୟରେ ତୁମର ପ୍ରିୟ, ଶତୃ ବି ତୁମ ଭିତରେ ।୬।
ଧରିତ୍ରୀ ଧର୍ମ ସହେ କର୍ଷଣ, ବୃକ୍ଷ କଟା ସହେ ବଣ,
ସୁଜନ ସହେ କୁଟୀଳ କଥା, ସହି ପାରେନି ଦୁର୍ଜନ ।୭।
ମନର ରଙ୍ଗ ସଂଖ୍ୟା ହଜାର, ବଦଳୁ ଥାଏ ତ ସେହି,
ଏକ ହି ରଙ୍ଗ ଅଟେ ଯାହାର, ବିରଳ ସେ ଜନ କେହି ।୮।
ସମସ୍ତେ ମିଠା ଖାଆନ୍ତି ବସି, ଦେହରେ ବିଷ ସଞ୍ଚରେ,
କେହି ପିଏନି ନିମର ରସ, ସବୁ ରୋଗ ଯିଏ ହରେ ।୯।
ଗର୍ବ ପ୍ରସ୍ଥାନ କରିଲେ ମଧ୍ୟ, ତା ସ୍ଥାନ ପୂରଣ ହୁଏ,
ମନ ସ୍ଥିରତା ଚାଲି ଆସିଲେ, ସତ୍ୟର ପ୍ରକାଶ ହୁଏ ।୧୦।
ବୃକ୍ଷ କହିଲା ପତ୍ରକୁ ଶୁଣ, ପ୍ରିୟ ପତ୍ର ମୋର କଥା,
ଗୋଟିଏ ଆସେ ଗୋଟିଏ ଯାଏ, ଏ ଘରର ଏହି ପ୍ରଥା ।୧।
ଏଠାରେ ବୃକ୍ଷକୁ ସଂସାର ସହିତ ତୁଳନା କରାଯାଇଛି ଓ ଜୀବ ଜଗତକୁ ପାତ୍ର ସହିତ ତୁଳନା କରାଯାଇଛି। ପ୍ରତ୍ୟେକ ବୃକ୍ଷରେ ଅନେକ ପତ୍ର ଥାଏ ଓ ପତ୍ରଗୁଡ଼ିକ ବୃକ୍ଷର ରନ୍ଧନଶାଳା ଯେଉଁଠାରେ ଗଛର ଖାଦ୍ୟ ରନ୍ଧନ ହୁଏ। ପ୍ରତି ବର୍ଷ ଏହି ରନ୍ଧନଶାଳା ନୂଆ କରି ତିଆରି ହେବା ଆବଶ୍ୟକ ହୁଏ। ତେଣୁ ଶୀତଦିନେ ବୃକ୍ଷ ପତ୍ରଝଡ଼ା ଦିଏ ଓ ବସନ୍ତ ଋତୁର ଆଗମନରେ ନୂଆ ପତ୍ର ସୃଷ୍ଟି ହୁଏ। ସେହିଭଳି ସୃଷ୍ଟିରେ ପ୍ରତ୍ୟେକ ଜୀବର ମଧ୍ୟ ଅନ୍ତ ହୁଏ ଓ ନୂଆ ଜୀବ ସୃଷ୍ଟି ହୁଅନ୍ତି। ଏହା ଏହି ଘରର ଅର୍ଥାତ ଏହି ସଂସାରର ନିୟମ।
ନିଜ ମହତ୍ତ୍ବ ବଢ଼ାଅ ନାହିଁ, କହି ବଡ଼ ବଡ଼ କଥା,
ହୀରା କହେନି ନିଜ ମୁହଁରେ, ଲକ୍ଷେ ମୂଲ୍ୟ ମୋର ମଥା ।୪।
ସାଧାରଣତଃ ଲୋକମାନେ ନିଜର ଢୋଲ ନିଜେ ପିଟିବାକୁ ଭଲ ପାଆନ୍ତି ଅର୍ଥାତ ନିଜ ପ୍ରଶଂସା ନିଜେ କରନ୍ତି। ଏହା ଜ୍ଞାନୀ ଓ ଅଜ୍ଞାନୀ ଉଭୟଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ। ଏହା ଅଧିକ ଦେଖାଯାଏ ଯାହାର ପ୍ରକୃତ ଜ୍ଞାନ ନଥାଏ। ଆପଣମାନେ ଜାଣିଥିବେ, ଅନେକ ପ୍ରଦେଶରେ ଅସତ ଉପାୟରେ ବିଶ୍ବବିଦ୍ୟାଳୟରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିପାରୁଛନ୍ତି। ଗୋଟିଏ ଦରଖାସ୍ତ ଲେଖିବା ପ୍ରଣାଳୀ ନ ଆସୁଥିଲେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିବାର ଡିଣ୍ଡିମ ବଜାନ୍ତି। ଲୋକମାନେ କିନ୍ତୁ ସବୁ ଜାଣନ୍ତି, ସବୁ ବୁଝନ୍ତି। ସୁତରାଂ ଏଭଳି କଥା କହିଲେ ନିଜର କିଛି ମହତ୍ତ୍ବ ବଢ଼ିବା ଆଶା ନିରର୍ଥକ। ଯେଉଁମାନେ ପ୍ରକୃତ ଜ୍ଞାନୀ, ସେମାନେ ନିଜ ମୁହଁରେ ନିଜ ମୂଲ୍ୟ ନିର୍ଦ୍ଧାରଣ କରନ୍ତିନି। ଏହାକୁ ଉପଲକ୍ଷ କରି କବୀର କହୁଛନ୍ତି, ହୀରା କେବେହେଲେ ନିଜର ମୂଲ୍ୟ ଲକ୍ଷ ଲକ୍ଷ ମୁଦ୍ରା ବୋଲି କହେନି। ତେଣୁ ନିଜର ମହତ୍ତ୍ବ ଅଯଥା ବଢ଼େଇ କହନି।
ଅଜ୍ଞାନୀ-ଜ୍ଞାନୀଙ୍କୁ କହ କହିଲେ, କବୀର ଲଜ୍ଜିତ ହୁଏ,
(ଅଜ୍ଞାନୀ ହୋଇ ନିଜକୁ ଜ୍ଞାନୀ ଯେ କହେ )
ଅନ୍ଧ ଆଗରେ ନାଚ କରିଲେ, କଳା ବ୍ୟର୍ଥ ହୋଇଯାଏ ।୫।
ଏ ସଂସାରରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବହୁତ ଛଳନା ପ୍ରିୟ। ଅନେକ ବ୍ୟକ୍ତି ପ୍ରକୃତ ଜ୍ଞାନୀ ନ ହୋଇ ମଧ୍ୟ ଏମିତି ଛଳନା କରନ୍ତି ଯେମିତି ସେମାନେ ପ୍ରକୃତ ଜ୍ଞାନୀ। ଏଭଳି ଲୋକ ସବୁ ଯୁଗରେ ଅଛନ୍ତି। ଏବେକାର କଥା, ଜଣେ ବ୍ୟକ୍ତି ଜୀବନରେ କେବେ ହେଲେ ବିଶ୍ବବିଦ୍ୟାଳୟରେ ଉଚ୍ଚସ୍ଥାନ ନ ରଖି ମଧ୍ୟ ଏଭଳି ପ୍ରଚାର କରନ୍ତି, ଯେପରି ସେ ସବୁ ବିଶ୍ବବିଦ୍ୟାଳୟ ଓ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରକୃତ ଜ୍ଞାନ ନଥାଇ ଯେଉଁମାନେ ଜ୍ଞାନଥିବା ଦେଖେଇ ହୁଅନ୍ତି ସେମାନଙ୍କୁ କବିର ଅନ୍ଧ ସହିତ ତୁଳନା କରିଛନ୍ତି। ଏହି ଭଳି ଲୋକଙ୍କୁ କିଛି ଜ୍ଞାନ, ଉପଦେଶ ବା ପ୍ରବଚନ ଦେବାକୁ କବିରଙ୍କୁ କହିଲେ ସେ ଲଜ୍ଜିତ ହୁଅନ୍ତି। ଅନ୍ଧ ଆଗରେ ତୁମେ ଯେତେ ସୁନ୍ଦର ନୃତ୍ୟ କଲେ ସେ ଦେଖିପାରେନି ଓ ନୃତ୍ୟ କଳାର ମର୍ଯ୍ୟାଦା ରହେନି। ତେଣୁ ଯାହା ଆଗରେ ଜ୍ଞାନ ଦେଖାଇଲେ ତା’ର ମର୍ଯ୍ୟାଦା ରହିବ, ସେହି ସ୍ଥାନରେ କେବଳ ଜ୍ଞାନ ଦେଖାଅ।
ଧରିତ୍ରୀ ଧର୍ମ ସହେ କର୍ଷଣ, ବୃକ୍ଷ କଟା ସହେ ବଣ,
ସୁଜନ ସହେ କୁଟୀଳ କଥା, ସହି ପାରେନି ଦୁର୍ଜନ ।୭।
ମାଟି ଉପରେ ମଣିଷ ଅବିରାମ ଗତିରେ ଅତ୍ୟାଚାର କରିଚାଲିଛି। ଚାଷ କରିବାକୁ ମାଟି ଖୋଳୁଛି, ଘର ତୋଳିବାକୁ ଇଟା ଆବଶ୍ୟକ; ସେଥିପାଇଁ ମାଟି ଖୋଳୁଛି। ପାଣି ପାଇବା ପାଇଁ କୂଅ ପୋଖରୀ ଖୋଳୁଛି। ଶବକୁ ମାଟି ଖୋଳି କବର ଦେଉଛି। ଧରିତ୍ରୀ ବା ମାଟି ଏତେ ଅତ୍ୟାଚାର ସହୁଛି, କିନ୍ତୁ କେବେ କୌଣସି ପ୍ରତିକ୍ରିୟା ଦେଖାଏନି। ସେହିଭଳି ଜଙ୍ଗଲରେ ଗଛ କଟା ଅବିରାମ ଗତିରେ ଚାଲିଛି, କିନ୍ତୁ ଜଙ୍ଗଲ କିଛି ତତ୍କାଳ ପ୍ରତିକ୍ରିୟା ସୃଷ୍ଟି କରୁନି। ସୁଜନ ଅର୍ଥାତ ଯେଉଁମାନେ ଉତ୍ତମ ବ୍ୟକ୍ତି ସେମାନେ କୁଟିଳ କଥା ଶୁଣିଲେ ମଧ୍ୟ ପ୍ରତିକ୍ରିୟା ଦେଖାନ୍ତିନି। ଦୁର୍ଜନ ଲୋକ ଏ ସମସ୍ତଙ୍କଠାରୁ ନିଆରା। ସେ କିଛି ସହିପାରେନି। ତା ଭାବନାର କିଛି ଅପ୍ରିୟ କଥା ଶୁଣିଲେ ମରିବା ବା ମାରିବା ପର୍ଯ୍ୟନ୍ତ କଥା ଯାଏ।
ମନର ରଙ୍ଗ ସଂଖ୍ୟା ହଜାର, ବଦଳୁ ଥାଏ ତ ସେହି,
ଏକ ହି ରଙ୍ଗ ଅଟେ ଯାହାର, ବିରଳ ସେ ଜନ କେହି ।୮।
ସାଧାରଣ ମଣିଷର ମନ ଭିତରେ ଅସଂଖ୍ୟ ରକମର ଭାବନା, ବିଚାର, ବୁଝିବା ଶକ୍ତି, ସମାଧାନ ଶକ୍ତି, ସହନ ଶକ୍ତି ଅଛି। ଏ ସବୁ ଶକ୍ତି ପରିସ୍ଥିତି ଅନୁସାରେ ବଦଳି ଯାଏ। ଗୋଟିଏ ଛୋଟ ଉଦାହରଣ ଦେବି। ପରିବାରରେ ଗୋଟିଏ ଝିଅର ବିବାହ ସମୟ ଆସିଲେ ବାପା ମା ଉଭୟ ଯୌତୁକ ପ୍ରଥାକୁ ଖରାପ କହନ୍ତି ଓ ଯିଏ ଯୌତୁକ ମାଗିବ ତା ଘରେ ଝିଅ ଦେବୁନି, ଏ କଥା କହନ୍ତି। ଯେତେବେଳେ ପୁଅ ବାହାଘର ଆସେ, ସେଇ ମାଆ ବିଭିନ୍ନ ବାହାନାରେ ଯୌତୁକ ମାଗେ। ସୁତରାଂ ଏହି ଏକା ମହିଳାର ଝିଅ ବିବାହ ସମୟରେ ଓ ପୁଅ ବିବାହ ସମୟରେ ମନର ରଙ୍ଗ ବଦଳି ଅଲଗା ହୋଇଯାଏ। ସେହି ମାଆ ବି ଦିନେ ଝିଅ ଥିଲା, ସେକଥା ଭୁଲିଯାଏ। ସେହି ମାଆ ବୋହୁ ଉପରେ ଯୌତୁକ ନିମନ୍ତେ ଅତ୍ୟାଚାର କରି ମାରି ଦେଇପାରେ। ଏ ସଂସାରରେ ଏଭଳି ଲୋକ ଅଛନ୍ତି ଯେଉଁ ମାନଙ୍କର ମନର ରଙ୍ଗ କେବେବି ବଦଳେନି। ଏଭଳି ଲୋକ କିନ୍ତୁ ବିରଳ। ସେମାନଙ୍କୁ ସଜ୍ଜନ ବା କୁଳୀନ ବ୍ୟକ୍ତି କୁହାଯାଏ। ସେମାନେ ଜୀବନରେ ଗୋଟିଏ ନିୟମକୁ ମାନି ଚଳନ୍ତି।
ଅନ୍ୟ ଦୋହାଗୁଡ଼ିକ ବୋଧଗମ୍ୟ ହେଉଥିବାରୁ ତର୍ଜମା ଦିଆଗଲାନି ।
Go Back to Previous Page
ସିରିଆ ସମସ୍ୟା କ’ଣ?
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ଜାତୀୟ ସୁରକ୍ଷା ଦିବସ
ରମାକାନ୍ତ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ