ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ଯେତେବେଳେ ନବଜାଗରଣର ଜୁଆର ଉଠିଲା, ନୂତନ ରୁଚି ପରିଚର୍ଯ୍ୟାର ଇଚ୍ଛାର ସୃଷ୍ଟି ଘଟିଲା, ନୂତନ ଚିନ୍ତା ଓ ଚେତନାର ସୁଅ ପ୍ରବାହିତ ହେଉଥିଲା, ତା’ର ଅନ୍ତରାଳରେ ଯେଉଁ କେତେଜଣ ମୁଷ୍ଟିମେୟ ଜାତିପ୍ରାଣ ଓଡ଼ିଆ ଥିଲେ ସେମାନଙ୍କ ମଧ୍ୟରୁ ଫକୀରମୋହନ ଅନ୍ୟତମ ସାରଥୀ। ଫକୀରମୋହନ ଜଣେ ଏଭଳି ସ୍ରଷ୍ଟା ଭାରତୀୟ ସାହିତ୍ୟ ଜଗତରେ ଏ ଯାବତ୍ କେହି ତାଙ୍କପରି ହୋଇଥିବା ମନେ ହୁଏନାହିଁ। ତାଙ୍କର ଜନ୍ମ ବାଲେଶ୍ୱରର ଏକ ସମ୍ଭ୍ରାନ୍ତ ବଂଶରେ ଘଟିଥିଲା, ହେଲେ ସେ ଥିଲେ ଶୈଶବରୁ ପିତୃମାତୃହୀନ, କପର୍ଦ୍ଦକଶୂନ୍ୟ, ସ୍ୱଳ୍ପଶିକ୍ଷାପ୍ରାପ୍ତ ଓ ରୁଗ୍ଣ ବ୍ୟକ୍ତିଟିଏ ବାଲ୍ୟବସ୍ଥାରେ ବୃଦ୍ଧା ପିତାମହୀଙ୍କ ପାଖରେ ପାଳିତ ହୋଇଥିଲେ ଓ ସ୍ୱଳ୍ପଶିକ୍ଷାପ୍ରାପ୍ତ ପରେ ଅର୍ଥାଭାବରୁ ବାଲେଶ୍ୱର ବନ୍ଦରରେ ପାଲ ସିଲେଇ କାମ ତଦାରଖ କରିବା ନିମନ୍ତ ସେ ନିଜକୁ ନିୟୋଢିତ କରିଥିଲେ।
ଫକୀରମୋହନ ଏକାଧାରରେ କବି, ଔପନ୍ୟାସିକ, ଶାସକ, ପଣ୍ଡିତ, ସମାଜ-ସଂସ୍କାରକ, ମୁଦ୍ରାକର, ସଂପାଦକ, ବ୍ୟବସାୟୀ, ସର୍ବୋପରି ଜଣେ ଦେଶଭକ୍ତ ଓ ଜାତି ସେବକ ଥିଲେ। ତାଙ୍କ ଜୀବନ ଅତି ରୋମାଞ୍ଚକର, ଯାହାଫଳରେ ସେ ତାଙ୍କର ଅନବଦ୍ୟ ଗଳ୍ପ - ଉପନ୍ୟାସ ଦ୍ୱାରା ନିଜମାତୃଭାଷାକୁ ପ୍ରଚୁର ଊର୍ବର କରିବାରେ ସଫଳ ହୋଇ ପାରିଥିଲେ, ଅଧିକ ବିସ୍ମୟ ସେ ଦୁଇଟି ବର୍ଷରୁ ଅଧିକ ସ୍କୁଲ ମାଡ଼ି ପାଠ ପଢ଼ିବାର ସୁଯୋଗ ପାଇନଥିବା ବେଳେ ସେ ନିଜ ଚେଷ୍ଟାବଳରେ ପରବର୍ତ୍ତୀ ସମୟରେ ଇଁରାଜୀ ଓ ସଂସ୍କୃତ ସମେତ ପାଞ୍ଚଟି ଭାଷାକୁ ଆୟତ୍ତକରି ଏକ ବିରାଟ ପ୍ରତିଭାର ପରିଚୟ ଦେଇଥିଲେ। ତାଙ୍କ ଅସାଧାରଣ ବିଚକ୍ଷଣତା ଯୋଗୂଁ ତତ୍କାଳୀନ ବହୁ ଉଚ୍ଚପଦସ୍ଥ ଇଁରେଜ କର୍ମଚାରୀଙ୍କ ବନ୍ଧୁ ହେବା ସଂଗେ ସଂଗେ ସେ ଦେଶୀୟ ରାଜ୍ୟମାନଙ୍କର ଶାସକ ମଧ୍ୟ ହୋଇଥିଲେ।
ଫକୀରମୋହନ କେବଳ ମୌଳିକ ରଚନାରେ ନୁହଁନ୍ତି, ଛାପାଖାନା ପ୍ରତିଷ୍ଠା, ପାଠ୍ୟପୂସ୍ତକ ପ୍ରଣୟନ, ପତ୍ରପତ୍ରିକା ସଂପାଦନ, ପ୍ରଶାସନ, ସମାଜସେବା, ଭାଷା ଓ ସାହିତ୍ୟର ସୁରକ୍ଷା ଆଦି ପ୍ରତ୍ୟେକକ୍ଷେତ୍ରରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିଛନ୍ତି, ସେଥିପାଇଁ ଓଡ଼ିଆଜାତି ତାଙ୍କ ପାଖରେ ଯୁଗେଯୁଗେ ଋଣୀ ହୋଇ ରହିଥିବ । ସେ ଥିଲେ ମନ ଓ ମନନରେ ଖାଣ୍ଟି ଓଡ଼ିଆ। ଭାଷା ଆନ୍ଦୋଳନରେ ଓ ଦେଶମିଶ୍ରଣ ଆନ୍ଦୋଳନରେ ସେ ଯେପରି ସଫଳ ଭୂମିକା ଗ୍ରହଣ କରିଛନ୍ତି, ସେପରି ମଧ୍ୟ ତାଙ୍କ ଭାଷା ଓ ପ୍ରକାଶଭଙ୍ଗୀ ସ୍ପଷ୍ଟ ଓ ନିର୍ଭୀକ ଯାହା ଓଡ଼ିଆ ଜାତିର ପ୍ରାଣକୁ ନିବିଡ଼ ଭାବରେ ସ୍ପର୍ଶ କରିଛି, ତେଣୁ କଥାଶିଳ୍ପୀ ଫକୀରମୋହନ ଏ ଜାତିର ସାହିତ୍ୟରେ ଅଦ୍ୱିତୀୟ ଓ ଚିରନମସ୍ୟ ହୋଇରହିଛନ୍ତି।
ଫକୀରମୋହନ ମାନବ ଜୀବନର ବାସ୍ତବ ଅନୁଭୂତି, ନାନାବିଧ ସମସ୍ୟା, ଅନ୍ତଦ୍ୱନ୍ଦ୍ୱ ଆଦିକୁ ନାନା ବର୍ଣ୍ଣବିଭାରେ ଉପସ୍ଥାପନ କରିଛନ୍ତି। ଜୀବନ ଓ ଜଗତକୁ ଆଧାରର କ୍ଷେତ୍ରଭାବରେ ଧାରଣ କରି ସୃଷ୍ଟିକର୍ମରେ ମନୋନିବେଶ କରିଛନ୍ତି ଓ ଜୀବନର ବିଶ୍ଳେଷଣ ସହିତ ସମାଜର ମୂଲ୍ୟବୋଧକୁ ନିରୂପଣ କରିଛନ୍ତି। ତାଙ୍କର ସୃଷ୍ଟି ମଧ୍ୟରେ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କବିତା ଓ ଆତ୍ମଜୀବନୀ ଆଦି ଖୂବ୍ ଗୁରୁତ୍ୱପୂର୍ଣ । ତାଙ୍କର କୃତିସମୂହ ଓଡ଼ିଆ ସାହିତ୍ୟ ଭଣ୍ଡାରର ଏକ ଏକ ଅନନ୍ୟ ସାଧାରଣ ଲିପି-ସଂପଦ। ତାଙ୍କର ଅମ୍ଳାନ କୃତିଗୁଡ଼ିକ କବିତା - ପୁଷ୍ପମାଳା, ଉପହାର ଓ ଅବସର ବାସରେ, କାବ୍ୟଗୁଡିକ ହେଉଛି - ଉତ୍କଳ ଭ୍ରମଣ, ବୌଦ୍ଧବତାର କାବ୍ୟ, ପୂଜାଫୁଲ ଧୃଳି। ସେ ଥିଲେ ସଫଳ ଅନୁବାଦକ, ମହାଭାରତ(ଅସଂପୂର୍ଣ୍ଣ), ରାମାୟଣ, ଶ୍ରୀମଦ୍ ଭଗବତ୍ ଗୀତା ଓ ଉପନିଷଦର ଅନୁବାଦ କରିଛନ୍ତି। ଇତିହାସ ରଚନାରେ ଭାରତବର୍ଷର ଇତିହାସ ଗ୍ରନ୍ଥଦ୍ବୟ, ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ତାଙ୍କର କୋଡ଼ିଏଟି ଗଳ୍ପ ଓ ଚାରୋଟି ଉପନ୍ୟାସ - ଛ’ମାଣ ଆଠଗୁଣ୍ଠ, ଲଚ୍ଛମା, ମାମୁଁ ଓ ପ୍ରାୟଶ୍ଚିତ ଏକ ଏକ ଅମର କୃତି। ତାଙ୍କ ରଚିତ କବିତା ଓ କାବ୍ୟ ଗୁଡ଼ିକରେ ବ୍ୟକ୍ତିଗତ ବିଷାଦବୋଧ, ଅତୀତପ୍ରୀତି, ପଲ୍ଲୀପ୍ରାଣତା ଜାତୀୟତା, ସମାଜଚିନ୍ତନ, ନାରୀବାଦୀ ଦୃଷ୍ଟିଭଙ୍ଗୀ, ମୃତ୍ୟୁବୋଧ, ବ୍ୟଙ୍ଗଧର୍ମିତା ଆଦିର ସ୍ୱରସଂଭାର ରହିଛି। ବିଶେଷତଃ ଦୁଇଦୁଇଟି ପତ୍ନୀ ଓ ମାତାମହୀ ଆଦିଙ୍କ ପ୍ରଭାବପୁଷ୍ଟ ତିକ୍ତ-ମଧୁର ଅନୁଭୂତି ତାଙ୍କ କାବ୍ୟ କବିତା, ଗଳ୍ପ ଉପନ୍ୟାସ ଓ ଆତ୍ମକାହାଣୀରେ ନାନା ଚରିତ୍ର ଓ ଭାବଭାବନାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରକାଶ ଲାଭକରି ପାଠକୀୟ ହୃଦୟ ମନ୍ଥନ କରିଛି।
ପ୍ରତ୍ୟେକଟି ଗଳ୍ପ, ଉପନ୍ୟାସ ଓ ଆତ୍ମଜୀବନୀରେ ସମାଜ, ସଂସ୍କୃତି, ରାଜନୀତି, ଧର୍ମ ଆଦି ନାନା ପ୍ରସଂଗ ଉପସ୍ଥାପନର କଳାତ୍ମକ ଚିତ୍ର ପ୍ରତିଫଳିତ। ବିଶେଷତଃ ଊନବିଂଶ ଓ ବିଂଶ ଶତକର ଜୀବନଚିତ୍ର ଅଙ୍କନ କରିବା ତାଙ୍କ ସୃଷ୍ଟିର ଶ୍ରେଷ୍ଠ ଉପାଦାନ ଥିଲା। ହାସ୍ୟବ୍ୟଙ୍ଗ ଶୈଳୀ, କଟାକ୍ଷ, କରୁଣ ମଧୁର ରସ ପରିବେଷଣ ହିଁ ତାଙ୍କ ସାହିତ୍ୟର ବୈଶିଷ୍ଟ୍ୟ। ବିଶିଷ୍ଟ କବି ଓ ସମାଲୋଚକ ଡଃ ମାୟାଧର ମାନସିଂ ତାଙ୍କୁ ସମଗ୍ର ଆଧୂନିକ ଭାରତୀୟ ସାହିତ୍ୟର ପ୍ରଥମ ଲୋକ-ଲେଖକର ସମ୍ନାନ ଦେବାକୁ ଯାଇ ବିଖ୍ୟାତ ବଙ୍ଗଳା ଔପନ୍ୟାସିକ ବଙ୍କିମଚନ୍ଦ୍ର ଓ ହିନ୍ଦୀ ଔପନ୍ୟାସିକ ପ୍ରେମଚନ୍ଦଙ୍କ ସହ ତୁଳନା କରିଛନ୍ତି
ବାସ୍ତବରେ ଫକୀରମୋହନଙ୍କ ସୃଷ୍ଟି ସଂପଦକୁ ଅନୁଶୀଳନ କଲେସ୍ପଷ୍ଟ ହୁଏ ସେ ଯେଭଳି ଜଣସାଧାରଣଙ୍କ ଲୌକିକ ଭାଷାକୁ ମାଟି ଓ ପ୍ରକୃତି ସହ ଘନିଷ୍ଠ ଭାବେ ସଂପୃକ୍ତ ଥିବା ନରନାରୀମାନଙ୍କୁ ସାହିତ୍ୟରେ ଅଙ୍ଗୀକାର କରି ଆମକୁ ବିଶ୍ୱଜନୀନତାର ଯେଉଁ ସ୍ୱାଦ ଦେଇଛନ୍ତି, ଯର୍ଥାଥରେ ସେ ‘ବ୍ୟାସକବି’ ଓ ‘ସରସ୍ୱତୀ’ ଉପାଧିର ଯୋଗ୍ୟ ଏକ ଅମ୍ଳାନ ମହାପୁରୁଷ।
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ଡିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ – ୪
ଦୂରଭାଷ : ୯୪୩୭୭୪୦୨୮୦
Go Back to Previous Page
ଉତ୍କଳରେ ସୋମବଂଶୀୟ ଶାସନ
ଶ୍ରୀ ରବୀନ୍ଦ୍ରନାଥ ସାମଲ
Read Article
ସିରିଆ ସମସ୍ୟା କ’ଣ?
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ