ସୋମବଂଶୀୟ ରାଜତ୍ବ : ବୋଧିପଦ୍ରକବିହାର
ଓଡ଼ିଶା ମାଟିରେ ସୋମବଂଶୀୟ ରାଜାଙ୍କ ରାଜତ୍ବର ସମୟ ଥିଲା ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀଠାରୁ ଦ୍ବାଦଶ ଶତାବ୍ଦୀ ଅର୍ଥାତ ଖ୍ରୀ ୯୨୨ରୁ ଖ୍ରୀ ୧୧୧୦ ଯାଏଁ ଏହି ରାଜତ୍ବ କାଳରେ ମହାଶିବଗୁପ୍ତ ଯଯାତି-୨ୟ ଥିଲେ ଜଣେ ଅପ୍ରତିଦ୍ବନ୍ଦୀ ରାଜପୁରୁଷ ତାଙ୍କ ରାଜତ୍ବ କାଳ ଥିଲା ଖ୍ରୀ ୧୦୨୫ରୁ ଖ୍ରୀ ୧୦୪୦ ପର୍ଯ୍ୟନ୍ତ ତାଙ୍କ ପୂର୍ବରୁ ସୋମବଂଶୀୟ ରାଜା ଧର୍ମରଥ, ମଦ୍ଦୁଷ ଓ ଇନ୍ଦ୍ରରଥ ଖ୍ରୀ ୧୦୨୪ ପର୍ଯ୍ୟନ୍ତ ରାଜତ୍ବ କରି ଆସିଥିଲେ ଯଯାତି-୨ୟଙ୍କ ରାଜତ୍ବ ପୂର୍ବରୁ ଉତ୍ତର ତୋଷାଳୀର କେତେକ ଅଂଶ ଏମାନଙ୍କ ନିଜସ୍ବ କର୍ତ୍ତୃତ୍ବରେ ନଥିଲା ଗୌଡ଼ ଦେଶର ପାଳ ବଂଶୀୟ ରାଜାମାନେ ଏହାର ପୂର୍ବୋତ୍ତର ଭାଗରୁ କେତେକ ଅଂଶ ଅଧିକାର କରି ସେଥିରେ ପଣ୍ଡୁଭୁକ୍ତି ମଣ୍ଡଳରେ ଗୋଟିଏ ଦୃଢ଼ଘାଟି ନିର୍ମାଣ କରିଥିଲେ[୧] କିନ୍ତୁ ଖ୍ରୀ ୧୦୨୪ ମସିହାରେ ଦାକ୍ଷିଣାତ୍ୟର ଚୋଳବଂଶୀୟ ରାଜା ରାଜେନ୍ଦ୍ର ଚୋଳଙ୍କ ଆକ୍ରମଣ ସମୟରେ ସୋମବଂଶୀୟ ରାଜା ଇନ୍ଦ୍ରରଥ ପରାଜିତ ହେବା ସହିତ ଦଣ୍ଡଭୂକ୍ତି ମଣ୍ଡଳର ତତ୍କାଳୀନ ରାଜା ଧର୍ମପାଳ ମଧ୍ୟ ରାଜ୍ୟ ହରାଇଥିଲେ ଧର୍ମପାଳ ଥିଲେ କମ୍ବୋଦ ବଂଶୀୟ ରାଜାଙ୍କର ଜଣେ ସାମନ୍ତ ରାଜା[୨]
ସୋମବଂଶୀୟ ରାଜାଙ୍କ ରାଜତ୍ବ ପୂର୍ବରୁ ଓଡ଼ିଶାରେ ଭୌମକର ରାଜାମାନେ ଶାସନ କରୁଥିଲେ ମଧ୍ୟ ଖ୍ରୀ ୯୫୦ ମସିହାରେ ସେମାନଙ୍କ ଶାସନ ଅସ୍ତମିତ ହେବା ସମୟରେ କମ୍ବୋଦ ପାଳବଂଶୀୟ ରାଜାମାନଙ୍କ ଅଧୀନରେ ଦଣ୍ଡଭୂକ୍ତି ମଣ୍ଡଳ ଅର୍ଥାତ ଆଧୁନିକ ମେଦିନିପୁର ଜିଲ୍ଲା ସହିତ ଓଡ଼ିଶା ରାଜ୍ୟର ଉତ୍ତର ବାଲେଶ୍ବର ଅଞ୍ଚଳ ଏଥିସହିତ ଶାସିତ ହେଉଥିଲା ସେତିକିବେଳେ ଏହି ଦଣ୍ଡଭୁକ୍ତି ମଣ୍ଡଳ ବର୍ଦ୍ଧମାନ ଭୁକ୍ତି ଶାସନ ଖଣ୍ଡ ଅଧୀନରେ ଶାଶିତ ହେଉଥିଲେ ମଧ୍ୟ ତାହା ତତ୍କାଳୀନ ସମୟରେ ଉତ୍ତର ରାଢ଼ଦେଶାନ୍ତଗତି ହୋଇ ରହିଥିଲା ଏହି ଦେଶର ଦକ୍ଷିଣ ଭାଗରେ ଥିଲା ଆଧୁନିକ ମେଦିନିପୁର ଅଞ୍ଚଳର ତାମ୍ରଲିପ୍ତ ଏବଂ ଦଣ୍ଡଭୁକ୍ତି ମଣ୍ଡଳ[୩] ଏହି ସବୁ ଅଞ୍ଚଳ ମଧ୍ୟରୁ କେତେକ ଅଂଶ(ବାଲେଶ୍ବର ଠାରୁ ସମଗ୍ର ଉତ୍ତରାଂଶ) କମ୍ବୋଜୀୟ ରାଜାଙ୍କ ଶାସନ ମଣ୍ଡଳର ଅନ୍ତର୍ଭୂକ୍ତ ଥିଲା ଏହାର ପ୍ରମାଣ ମିଳେ କମ୍ବୋଜ ବଂଶୀୟ ରାଜା ନୟାପାଳ ଦେବଙ୍କ ଦୁଇଟି ଦାନପତ୍ରରୁ[୪] ଏହି ଦାନପତ୍ର ଦୁଇଟିରୁ ଗୋଟିଏ ବସ୍ତା ଥାନା ଅନ୍ତର୍ଗତ ‘ଇଡ଼ଦା’ ନାମକ ଗ୍ରାମରୁ ଏବଂ ଅନ୍ୟଟି ଏହାର ନିକଟସ୍ଥ ବାଲିଆପାଳ ଥାନାର ‘କେଳାପଲ୍ଲୀ ମଣ୍ଡଳ’ରୁ, ଯାହା ଅଧୁନା ‘କଳିନ୍ଦା’ ନାମକ ଗ୍ରାମ ରୂପେ ପରିଚିତ ଏହା ପ୍ରାପ୍ତ ହେବା ପରେ ସେହି ସବୁ ଅଞ୍ଚଳ କମ୍ବୋଜ ରାଜବଂଶ ଦ୍ବାରା ଶାସିତ ହେଉଥିବାର ପ୍ରମାଣିତ ହୁଏ
ଏମିତି ସମୟରେ ଉତ୍କଳ ରାଜ୍ୟରେ ଅରାଜକତା ସୃଷ୍ଟି ହେବାରୁ ଦେଶର ସୁଧୀଜନତା ଓ ଶାନ୍ତିପ୍ରିୟ ଖଣ୍ଡପାଳମାନଙ୍କ ଅନୁରୋଧ ରକ୍ଷାକରି ସୋମବଂଶୀୟ ରାଜା ଯଯାତି-୨ୟ କୋଶଳ ଓ ଉତ୍କଳକୁ ଏକତ୍ର କରି ଶାସନ କରିଥିଲେ ଆଉ ଏହି ସମୟ ଥିଲା - ଖ୍ରୀ ୧୦୨୫ ମସିହା[୫] ଏଠାରେ ଉତ୍କଳ କହିଲେ ଆଧୁନିକ ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ବାଲେଶ୍ବର, ମେଦିନିପୁର ଏବଂ କଟକ ଜିଲ୍ଲାର କିଛି ଅଂଶକୁ ବୁଝାଉଥିଲା ଏହି ସବୁ ଅଞ୍ଚଳ ଥିଲା ଏକଦା ଭୌମକର ଶାସନ କାଳରେ ଉତ୍ତର ତୋଷାଳୀ ଏହି ସମୟରେ ରାଢ଼ ଓ ଗୌଡ଼ ଦେଶ ଅର୍ଥାତ ଦକ୍ଷିଣପଶ୍ଚିମ ବଙ୍ଗଳାରେ ପାଳବଂଶୀୟ ରାଜାଥିଲେ ବିଗ୍ରହପାଳ-୨ୟଙ୍କ ପୁତ୍ର ମହୀପାଳ-୧ମ (ଖ୍ରୀ ୯୯୮ରୁ ଖ୍ରୀ୧୦୩୮)[୬] ଦଶମ ଶତାବ୍ଦୀର ଶେଷ ଭାଗରେ ସେ ସମଗ୍ର ଉତ୍ତରପୂର୍ବ ବଙ୍ଗଳା ଅଧିକାର କରିନେବା ପରେ କମ୍ବୋଜୀୟ ପାଳମାନେ ବର୍ଦ୍ଧମାନ ଭୁକ୍ତିର ଦଣ୍ଡଭୂକ୍ତି ସହିତ ଉତ୍ତର ବାଲେଶ୍ବର ଅଂଶକୁ ଶାସନ କରି ସେତିକିରେ ସନ୍ତୁଷ୍ଟ ରହିଲେ ମାତ୍ର ଯଯାତି-୨ୟ ଶାସନ କାଳର ପ୍ରାରମ୍ଭରେ ବୈତରଣୀ ନଦୀକୂଳରେ ଯାଜପୁରକୁ ନିଜର ରାଜଧାନୀ ଭାବରେ ଗ୍ରହଣ କରିନେଇଥିଲେ[୭] ଏହାକୁ ଅଭିନବ ଯଯାତି ନଗର ବୋଲି କୁହାଗଲା[୮]
ଖ୍ରୀଷ୍ଟୀୟ ଅଷ୍ଟମ, ନବମ ଓ ଦଶମ ଶତାବ୍ଦୀରେ ମହାଯାନୀ ବୌଦ୍ଧମାନଙ୍କ ଦ୍ବାରା ତନ୍ତ୍ର ଉପାସନା ହେଉଥିବା ହେତୁ ଶୈବ, ଶାକ୍ତ ଓ ବୌଦ୍ଧ ଧର୍ମର ସମ୍ମିଶ୍ରଣ ଘଟିଥିଲା ଯାହାଦ୍ବାରା ଏହି ତନ୍ତ୍ର ସାଧନାରେ ପଞ୍ଚମକାରର ତନ୍ତ୍ର ଉପାସନା ପଦ୍ଧତିରେ ଆଚାର ବିଚାର ନଥାଇ ମଦ୍ୟ, ମୁଦ୍ରା ଓ ମୈଥୁନର ବ୍ୟାପକ ପ୍ରସାର ଘଟିଥିଲା[୯] ମୁଦ୍ରା ଓ ମୈଥୁନ ମାଧ୍ୟମରେ ଚୌଷଠୀ ଯୋଗିନୀଙ୍କ ଉପାସନା ପାଇଁ ନାରୀକୁ ସହଜ ସୁନ୍ଦରୀ ରୂପେ ବ୍ୟବହାର କରାଯାଇ ତା ସହିତ ମୈଥୁନ କ୍ରିୟାରେ ନିୟୋଜିତ ହୋଇ ତନ୍ତ୍ର ସାଧନା କରାଯାଉଥିଲା ଅଷ୍ଟମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ - ଏହି ଚାରିଶହ ବର୍ଷ ମଧ୍ୟରେ ଓଡ଼ିଶା, ବଙ୍ଗ ଓ ବିହାର ଆଦି ରାଜ୍ୟ ମାନଙ୍କରେ ବହୁ ଗୁରୁତର ପରିବର୍ତ୍ତନ ଦେଖା ଦେଇଥିଲା[୧୦] ଆଉ ଏତିକି ବେଳେ ସିଦ୍ଧାଚାର୍ଯ୍ୟ ମାନଙ୍କର ଆବିର୍ଭାବ ଘଟିବା ଫଳରେ ତାନ୍ତ୍ରିକ ପଦ୍ଧତିରେ ଶିବ, ଶକ୍ତି ଓ ବିଷ୍ଣୁଙ୍କ ଆରାଧନା ସକାଶେ ନୂତନ ଆଗମ ମାନ ଲେଖାଯିବାରୁ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟ ତଥା ଶାଖା ମାନଙ୍କ ମଧ୍ୟରେ ଧର୍ମ ସମ୍ପର୍କୀୟ ମତଭେଦ ଦେଖାଗଲା ଏହି ଶାଖା ଗୁଡ଼ିକ ମଧ୍ୟରେ ବଜ୍ରଯାନ, କାଳଚକ୍ରଯାନ ଏବଂ ସହଜଯାନ ଥିଲା ପ୍ରଧାନ ଓଡ଼ିଶାରେ କାଳଚକ୍ରଯାନ ଓ ତନ୍ତ୍ରଯାନର ପ୍ରସାର ଅଧିକ ମାତ୍ରାରେ ଘଟିବାରୁ ସେଥିରେ ଯେଉଁ ସବୁ ପଦ୍ଧତି ଅନୁସୃତ ହେଲା, ସେଥିରୁ ପଞ୍ଚମକାର ସଂପୃକ୍ତ ମହାକାଳୀ ଓ ମହାକାଳ ଭୈରବ ଉପାସନାର ସୃଷ୍ଟି ହେଲା[୧୧] ସହଜଯାନର ମୌଳିକ ନୀତି ଥିଲା ସମ୍ଭୋଗ ସଙ୍ଗେ ଅପାର୍ଥିବ ସୁଖଲାଭ
ଭୌମକର ରାଜତ୍ବକାଳ(ଖ୍ରୀ ୮୮୫ ମସିହା)ରେ ଓଡ଼ିଶାରେ ମୃତପ୍ରାୟ ବୌଦ୍ଧ ଧର୍ମର ପୁନରୁଦ୍ଧାର କରାଯାଇଥିଲା ଏତିକିବେଳେ ରାଜାଙ୍କ ପ୍ରଭାବରେ ପ୍ରଭାବିତ ହୋଇ ବୁଦ୍ଧଭଟ୍ଟାରକଙ୍କ ମନ୍ଦିରମାନ ଗଠନ କରି ସେଥିରେ ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କ ରହିବା ନିମନ୍ତେ ସାମନ୍ତ ରାଜାମାନେ ମଧ୍ୟ ପ୍ରୟାସ ଚଳାଇଥିଲେ ସେମାନେ ଏକତ୍ର ଅବସ୍ଥାନ କରି ବିହାର ଗୁଡ଼ିକରେ ସାଂସାରିକ ଭୋଗ ଲାଳସାରେ ଲିପ୍ତ ରହିଲେ ଫଳରେ ଦୂରାଚାର ପ୍ରବେଶ କଲା
ଓଡ଼ିଶାର ପୂର୍ବୋତ୍ତର ଭାଗରେ ସୁବର୍ଣ୍ଣରେଖା ନଦୀ ମୁହାଣ ନିକଟରେ ଖ୍ରୀଷ୍ଟୀୟ ପଞ୍ଚମ/ଷଷ୍ଠ ଶତାବ୍ଦୀରେ ଦଣ୍ଡଭୁକ୍ତି ମଣ୍ଡଳର ମହାରାଜା ଗୋପଚନ୍ଦ୍ରଙ୍କ ସାମନ୍ତରାଜା ଅଚ୍ୟୁତ ବୌଦ୍ଧ ଧର୍ମର ବିକାଶ ଲାଗି ନିର୍ମାଣ କରିଥିବା ‘ବୋଧିପଦ୍ରକବିହାର’ ସପ୍ତମ ଶତାବ୍ଦୀରେ କର୍ଣ୍ଣସୁବର୍ଣ୍ଣର ରାଜା ଶଶାଙ୍କ ରାଜଙ୍କ ବୌଦ୍ଧ ବିଦ୍ବେଷନୀତି ଯୋଗୁଁ ଏହା ଧ୍ବଂସ ପାଇ ଯାଇଥିଲେ ବି ଭୌମ ରାଜତ୍ବ କାଳରେ ସମ୍ଭବତଃ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ତା’ର ପୁନଃସଂସ୍କାର କରାଯାଇ ସେଠାରେ ବୌଦ୍ଧ ମହାଯାନ ପନ୍ଥାରେ ତନ୍ତ୍ର ଉପାସନା ଆରମ୍ଭ କରାଯାଇଥିଲା ବେଳେ ସମଗ୍ର ଓଡ଼ିଶାର ବୌଦ୍ଧପୀଠ ମାନଙ୍କରେ ଏକ ପ୍ରକାର ନୀତି ଅନୁସୃତ ହେଉଥିଲା
ଏହି ନଦୀ ମୁହାଣସ୍ଥ ପ୍ରାଚୀନ ବୌଦ୍ଧବିହାର ଆଧୁନିକ ଓଡ଼ିଶାର ବାଲେଶ୍ବର ଜିଲ୍ଲାସ୍ଥିତ ଭୋଗରାଇ ଥାନାର ଜୟରାମପୁର ଗ୍ରାମରେ ଥିବାର ଜଣାପଡ଼େ କାରଣ ଏହି ଗ୍ରାମସ୍ଥିତ ଆହୁତିକୁଣ୍ଡ ନାମକ ସ୍ଥାନରେ ମାଟି ଖୋଳାଯାଉଥିବା ସମୟରେ ମାଟିତଳୁ ବହୁ ବୌଦ୍ଧ ଦେବାଦେବୀଙ୍କ ପ୍ରସ୍ତର ପ୍ରତିମା, ଟେରାକୋଟା ମୂର୍ତ୍ତି ତଥା ପୋଡ଼ା ମାଟିର ପାତ୍ର ଆଦି ସହିତ ଏକ ତାମ୍ରଶାସନ ଆବିଷ୍କୃତ ହୋଇଥିଲା ଏବଂ ସେଥିରୁ ଏ ସବୁ ବିଷୟ ସ୍ପଷ୍ଟ ହୋଇଅଛି ପୁନଶ୍ଚ ପରବର୍ତ୍ତୀ ସମୟରେ ଉକ୍ତ ସ୍ଥାନରୁ ଯେଉଁ ସବୁ ମୂର୍ତ୍ତୀ ପ୍ରାପ୍ତ ହୋଇଛି, ତାହା ତାନ୍ତ୍ରିକ ବୌଦ୍ଧ ଧର୍ମର ମୂର୍ତ୍ତି ବୋଲି ଏବେ ପର୍ଯ୍ୟବେକ୍ଷଣ କରିଥିବା କଲିକତା ବିଶ୍ବବିଦ୍ୟାଳୟର ଲିପିତତ୍ବବିଦ୍, ପ୍ରତ୍ନତତ୍ବବିଦ୍ ତଥା ଗବେଷିକା ଡଃ ଦୀପଶିଖା ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି[୧୨]
ଓଡ଼ିଶାର ସୋମବଂଶୀୟ ରାଜା ଯଯାତି-୨ୟ ବୈତରଣୀ ନଦୀ ତୀରରେ ଯାଜପୁର ଠାରେ ରାଜଧାନୀ ପ୍ରତିଷ୍ଠା କରିବା ପରେ ସେଠାକାର ପ୍ରଚଳିତ ପାରମ୍ପରିକ ତନ୍ତ୍ରସାଧନା ପ୍ରତି ବିତସ୍ପୃହ ହୋଇ ତା’ର ବିଲୋପ ସାଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହିତ ସେଠାରେ ବ୍ରାହ୍ମଣ୍ୟ ଧର୍ମର ପୁନଃପ୍ରତିଷ୍ଠା ନିମନ୍ତେ ଶୈବଧର୍ମର ପୃଷ୍ଠପୋଷକତା କଲେ[୧୩] ଏଥିପାଇଁ ସେ ଯାଜପୁରରେ ଦଶାଶ୍ବମେଧ ଯଜ୍ଞ କରିବା [୧୪] ପୂର୍ବରୁ ସମ୍ରାଟ ଅଶୋକଙ୍କ ବୌଦ୍ଧଧର୍ମ ପ୍ରତିଷ୍ଠାପାଇଁ ଅଠରଶହ ଆଜୀବକଙ୍କୁ ନିର୍ମମ ଭାବରେ ହତ୍ୟା [୧୫] କଲା ପରି ସେ ଛଅ ଶହ ବୌଦ୍ଧ ତାନ୍ତ୍ରିକଙ୍କୁ ହତ୍ୟା କରିବା ସହିତ ତନ୍ତ୍ର ସାଧନାର ପୀଠ ଗୁଡ଼ିକୁ ଭାଙ୍ଗି ନିଶ୍ଚିହ୍ନ କରି ଦେଇଥିଲେ ବୋଲି ତାଙ୍କର ଲେଖନୀ ଏବଂ କିମ୍ବଦନ୍ତୀ ମାନଙ୍କରୁ ସ୍ପଷ୍ଟ ହୁଏ ତଥାପି ଏବେ ମଧ୍ୟ ସେହି ନଦୀ ତୁଠରେ ଶୁଭସ୍ତମ୍ଭ କିମ୍ବା ତନ୍ତ୍ର ଉପରେ ବୈଦିକ ବ୍ରାହ୍ମଣ୍ୟ ଧର୍ମର ବିଜୟସ୍ତମ୍ଭ ବିଦ୍ୟମାନ[୧୬] ଏଥିପାଇଁ ସେ ସେଠାରେ ବହୁ ଶିବମନ୍ଦିର ନିର୍ମାଣ କରିବା ସହିତ ଭୁବନେଶ୍ବରସ୍ଥିତ ଲିଙ୍ଗରାଜ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ
ଏହାପରେ ତାଙ୍କ ରାଜତ୍ବର ତୃତୀୟ ବର୍ଷରେ ଯେତେବେଳେ ଉତ୍ତର ତୋଷାଳୀ ଅଭିଯାନ କରିବାପାଇଁ ଇଚ୍ଛା ପ୍ରକଟ କଲେ, ସେତିକି ବେଳେ ରାଢ଼ ଓ ଗୌଡ଼ ଦେଶ ସହିତ ବଙ୍ଗର ମତାନ୍ତର [୧୭] ଥିବାର ସୁଯୋଗ ନେଇ ନିଜର ସାମରିକ କୌଶଳ ହେତୁ ବଙ୍ଗ ଆଡୁ ରାଢ଼ ଓ ଗୌଡ଼ରେ ଜୈତ୍ରଯାତ୍ରା ନିର୍ବିଘ୍ନରେ ସମାହିତ କରିଥିଲେ ତେଣୁ ତାଙ୍କ ପ୍ରଶସ୍ତିରେ ‘ଗୌଡ଼ ରାଢ଼ାମ୍ବନ ପ୍ରକର୍ଷଣୋଦ୍ଘାତ କାରୁତଃ’ ବୋଲି ଉଲ୍ଲେଖ କରାଯାଇଛି ଆଉ ସେହି ଜୈତ୍ରଯାତ୍ରା ସମାପନାନ୍ତେ ଆଧୁନିକ ଭୋଗରାଇସ୍ଥିତ ବୌଦ୍ଧପୀଠର ତନ୍ତ୍ରସାଧନା କ୍ଷେତ୍ର ତାଙ୍କ ନଜରକୁ ଆସିଥିବା ସମ୍ଭବ କାରଣ ଏହି ସମୟରେ ଓଡ଼ିଶାର ତନ୍ତ୍ରଯାନର ତନ୍ତ୍ରସାଗର ମଧ୍ୟରେ ନିମଜ୍ଜିତ ଥିଲା ବୋଲି କବିଡିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କ ‘ଭକ୍ତି ଭାଗବତ’ ପୁସ୍ତକରୁ ସୂଚନା ମିଳୁଥିବା ବେଳେ ଏଠାରେ ମଧ୍ୟ ସେହି ପରମ୍ପରାଗତ ତନ୍ତ୍ରସାଧନା ପ୍ରଚଳିତ ଥିବାର ଯଥେଷ୍ଟ ପ୍ରମାଣ ମିଳୁଅଛି କାରଣ ଏଠାସ୍ଥିତ ସେହି ଆହୁତିକୁଣ୍ଡ ନାମକ ସ୍ଥାନରୁ ପ୍ରାୟ ୭/୮ ବର୍ଷ ତଳେ ଯେଉଁ ମୂର୍ତ୍ତି ଆବିଷ୍କୃତ ହୋଇଛି, ତାହା ତତ୍କାଳୀନ ତନ୍ତ୍ରସାଧନାର ଚତୁର୍ଭୂଜ ମହାକାଳ ଭୈରବ ପ୍ରତିମା ଏବଂ ସେ ସମୟରେ ପଞ୍ଚମକାର ସାଧନା ନିମନ୍ତେ ସହଜଯାନ ତନ୍ତ୍ର ସାଧନାର ଗୋଟିଏ ଅଂଶ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ଏହା ହିଁ ଥିଲା ସହଜଯାନର ଗୋଟିଏ ପଦ୍ଧତି
ତେଣୁ ଓଡ଼ିଶାର ରାଜା ଏଠାକାର ପ୍ରଚଳିତ ପରମ୍ପରାକୁ ଘୁଞ୍ଚାଇ ଦେଇ ସେହି ସ୍ଥାନରେ ବ୍ରାହ୍ମଣ୍ୟ ଧର୍ମର ପ୍ରତିଷ୍ଠାପାଇଁ ବିଶାଳ ଯଜ୍ଞର ଆୟୋଜନ କରିବା ପୂର୍ବରୁ ସମସ୍ତ ତନ୍ତ୍ର ସାଧନା ପୀଠ ଗୁଡ଼ିକୁ ନିଶ୍ଚିହ୍ନ କରିଦେବା ସହିତ ସୁବର୍ଣ୍ଣରେଖା ନଦୀ ମୁହାଣ ନିକଟରେ ଏକ ବିଶାଳ ପଥର ମନ୍ଦିର ନିର୍ମାଣ କରି ସେଥିରେ ବିଶାଳ ଲିଙ୍ଗ ଦେବତାଙ୍କୁ ପ୍ରତିଷ୍ଠା କରାଇ ତା’ର ପୂଜା ଆରାଧନାର ବ୍ୟବସ୍ଥା କରିଥିବା ସମ୍ଭବ ପାରମ୍ପରିକ ରୀତିରେ ସେ ସମୟରେ ସାଗର ବାଣିଜ୍ୟରେ ଲିପ୍ତଥିବା ବଣିକ ମାନେ ଠାକୁରଙ୍କ ପୂଜା ଆରାଧନା ପାଇଁ ବହୁଧନ ଦାନ କରିବା [୧୮] ସହିତ ସାମୟିକ ଭାବରେ ସାଗର ଉପକଣ୍ଠକୁ ଆସି ସେହି ଦେବତାଙ୍କୁ ସଶ୍ରଦ୍ଧ ପ୍ରଣତୀ ଜଣାଇ ଯାଉଥିଲେ ମାତ୍ର ଦୁର୍ଭାଗ୍ୟର ବିଷୟ ମୁସଲମାନ ମାନଙ୍କ ଶାସନ କାଳରେ ସେମାନଙ୍କର ହିନ୍ଦୁବିଦ୍ବେଷ ନୀତିଯୋଗୁଁ ଏହି ମନ୍ଦିର ନଷ୍ଟ ହୋଇଯାଇଥିବା [୧୯] ବେଳେ ପରବର୍ତ୍ତୀ କାଳରେ ପ୍ରାକୃତିକ ବିପର୍ଯ୍ୟୟ ଅଥବା ରାଜନୈତିକ କାରଣରୁ ମନ୍ଦିରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲେ ମଧ୍ୟ ମନ୍ଦିର ମଧ୍ୟସ୍ଥ ସେହି ବିଶାଳକାୟ ଲିଙ୍ଗ ଦେବତା ଆଜି ଏଠାରେ ଭୂଷଣ୍ଡେଶ୍ବର ନାମରେ ପରିଚିତ ହୋଇ ଆରାଧିତ ହେଉଛନ୍ତି
ପାଦଟୀକା
୧. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ - ପୃ - ୫୪୮
୨. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ - ପୃ - ୪୩୯
୩. Gopinath Mohanty - Culture, Heritage of Odisha, Balasore - ପୃ - ୨୬୯
୪. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ - ପୃ - ୪୫୫
୫. ଡ: ଯଜ୍ଞ କୁମାର ସାହୁ - ଓଡ଼ିଶାର ଇତିହାସ - ୧ମ - ପୃ - ୧୫୪
୬. ଡ: ଯଜ୍ଞ କୁମାର ସାହୁ - ଓଡ଼ିଶାର ଇତିହାସ - ୧ମ - ପୃ - ୧୫୩
୭. ଡ: ଏକାଦଶୀ ପାଢ଼ୀ - ଯୁଗେ ଯୁଗେ ଯାଜପୁର - ପୃ - ୨୦୮
୮. ଡ: ଉମେଶ ଚନ୍ଦ୍ର ମଜୁମଦାର - ବାଂଲାର ଇତିହାସ - ପୃ - ୧୬୭
୯. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ - ପୃ - ୪୫୪
୧୦. ଡ: ଏକାଦଶୀ ପାଢ଼ୀ - ଯୁଗେ ଯୁଗେ ଯାଜପୁର - ପୃ - ୨୧୦
୧୧. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ - ପୃ - ୪୫୭
୧୨. ଡ: ଦୀପଶିଖା ଆଚାର୍ଯ୍ୟ - ତା ୧୦/୪/୨୦୧୫ରେ ଆସିଥିଲେ
୧୩. ଡ: ଏକାଦଶୀ ପାଢ଼ୀ - ଯୁଗେ ଯୁଗେ ଯାଜପୁର - ପୃ - ୨୧୦
୧୪. ଡ: ସତ୍ୟନାରାୟଣ ରାଜଗୁରୁ - ଓଡ଼ିଶାର ଇତିହାସ - ୧ମ - ପୃ - ୪୫୪
୧୫. ଡ: ଏକାଦଶୀ ପାଢ଼ୀ - ଯୁଗେ ଯୁଗେ ଯାଜପୁର - ପୃ - ୨୧୧
୧୬. ଡ: ହରେକୃଷ୍ଣ ମହତାବ - ଓଡ଼ିଶା ଇତିହାସ - ପୃ - ୨୩୨
୧୭. ଡ: ହରେକୃଷ୍ଣ ମହତାବ - ଓଡ଼ିଶା ଇତିହାସ - ପୃ - ୨୩୦
୧୮. କ୍ଷୀତିନ୍ଦ୍ର ନାଥ ଠାକୁର ଓ କ୍ଷେମେନ୍ଦ୍ରନାଥ ଠାକୁର - ତତ୍ତ୍ବବୋଧିନୀ ବଙ୍ଗଳା ପତ୍ରିକା - ୧୭୮୪ - ଭାଦ୍ର ସଂଖ୍ୟା - ପୃ - ୨୩୨
୧୯. କ୍ଷୀତିନ୍ଦ୍ର ନାଥ ଠାକୁର ଓ କ୍ଷେମେନ୍ଦ୍ରନାଥ ଠାକୁର - ତତ୍ତ୍ବବୋଧିନୀ ବଙ୍ଗଳା ପତ୍ରିକା - ୧୭୮୪ - ଭାଦ୍ର ସଂଖ୍ୟା - ପୃ - ୨୩୩
Go Back to Previous Page
ବାସନ୍ତୀୟ ନବରାତ୍ରୀ
ପ୍ରତିଭା ପ୍ରିୟଦର୍ଶିନୀ
Read Article
ଜାତିପ୍ରାଣ ଫକୀରମୋହନ
ଡ: ଲକ୍ଷ୍ମଣ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ