ସାଧୁ ସୋରେନ୍ ଆଉ ଦାନମାଝି କିଏ ?
ମୁଁ ଠିକ୍ ସେ ଯାଣେନା , ସତ କହୁଛି
ଆଜିକାଲି ଟିଭି ନୁୟୁଜ୍ ଟିକେ କମ ଦେଖେ
ସେଇ ରାହୁଲ_ମୋଦି କଳି ,
ଚାଷି ଆତ୍ମହତ୍ୟା , ମୃତ୍ୟୁ ର ଅସନମ୍ମାନ
ଆଉ ଅଧିକ କଣ ଦେଖାଏ ଟେଲିଭିଜନ୍ !
ଏ ସବୁ ଅପେକ୍ଷା ମୋର ମନେ ପଡେ ବୋଉ
ଆଜି କହୁଥିଲା " ବୁଝିଲୁ ମୋତେ ଅଣଷଠି ହେଲାଣି "
ଟିକେ ଡରିଗଲି, କାହିଁକି କହିଲା ଏତକ ମୋ ବୋଉ ।
ଏ ବୟଷରେ ବି ସେ ସକାଳୁ ଉଠେ
ଯଦିଓ ମୁଁ ହସ୍ପିଟାଲରେ ଥିବାବେଳେ
ପଡିଯାଇ ତା ଅଣ୍ଟା ଦରଜ, ସେ ଆଜି ବି କଷ୍ଟ ପାଏ
ତାକୁ ଟିକେ ଡାକ୍ତର ଦେଖେଇ ପାରିନି !
ତାର ଡାଇବେଟିସ୍, ସକାଳୁ ଜଳଦି ଖାଇବା କଥା
ନନାଙ୍କ ଚା’ ପାଇଁ ଅପେକ୍ଷା କରୁକରୁ ତା
ବ୍ରେକଫାଷ୍ଟ୍ ଟାଇମଟା ଲଞ୍ଚରେ ପହଞ୍ଚେ ।
କେତେଥର ଦିନକୁ ଫୋନକରେ
ମୋ ଖାଇବା ମୋ ଝିଅ କଥା ବୁଝେ
ପୁଅର ଦୁଷ୍ଟାମୀକୁ କାନେଇ ଥାଏ ।
ମୋର ମନେପଡେନ୍ତି ମୋ ସାନ ଭଉଣୀ ମାନେ
ଦି'ଜଣ ଦିଲ୍ଲୀରେ ରୁହନ୍ତି ଜଣେ ମୁମ୍ବାଇ
ଜଣେ ପୁନେ ଆଉ ଆମେରିକା
କିଛି ଏତେ ପାଖରେ ବି ନିଶ୍ବାସ ବାଜେ ।
ମୁଁ ଆଇନା ଦେଖିଲେ ସେମାନେ ମନେ ପଡନ୍ତି
କାହିଁକି ମୋ ପରି ଦିଶନ୍ତିକି ସେମାନେ ?
ହେଇଥିବ , ମୁଁ କି ଯାଣେ !
ଆଜିକାଲି ମୁଁ ଭାରି ଡରେ
କୋଉଠି ଗୋଟେ କିଛି ଅଳଟଣା ଘଟିଲେ
କିଏ ଏସିଡ୍ ଭିଙ୍ଗିଦେଲେ ବା ରେପ୍ ମଡର ହେଲେ ।
ମୁଁ ଡରିବିନି ତ ଆଉ କଣ କରିବି
ଏ କଷ୍ଟକୁ ନେଇ କବିତା ଲେଖିଲେ
ଲୋକ କୁହନ୍ତି " ଫେମିନିଷ୍ଟ "
ମୋ ଝିଅ ଆଜି ପଚାରୁଥିଲା
" ମମି ଫେମିନିଜିମ୍ ମାନେ କଣ" ?
ମୁଁ କହିବି କହିବି ହେଇ ଚୁପ୍ ରହିଲି
କଣ ତାକୁ କୁହନ୍ତି " ଝିଅଲୋ ତୋ ପାଇଁ
ମୋ ଭଉଣୀମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ଭୋଗେ
ତାକୁ କୁହାଯାଏ ଫେମିନିଜିମ୍ " ।
ଏତକ କହିଥିଲେ କଣ ସେ ବୁଝନ୍ତା କି ?
ଅନେକ କିଛି ବୁଝିବାର ବୟଷ ତାର ହେଇନି
ଯେମିତି ;
ମୁଁ ବୁଝି ପାରେନି ଫେମିନିଜିମ୍ ବା ଫେମିନିଷ୍ଟ ପରି ଶବ୍ଦ
ସାଧୁ ସୋରେନ୍ କି ଦାନ ମାଝି କିଏ ମୁଁ ଯାଣେନି
କାହିଁକି ନା ମୋ ବୋଉ ଆଉ ମୋ ନିଜ ଜଞ୍ଜାଳରୁ
ଆଡିଯାକେ ମୁଁ ବାହାରି ପାରିନି , କ୍ଷମା କରିବେ ।
ଫ୍ଲାଟ୍ ନଂ : ୨୦୬, କୁସୁମ୍ ବାଟିକା, ଶତାବ୍ଦୀ ନଗର, ୟୁନିଟ୍ - ୮ ବୟ୍ସ ହାଇସ୍କୁଲ ସମ୍ମୁଖ,
ଭୁବନେଶ୍ବର—୭୫୧୦୦୩, ଭ୍ରାମ୍ୟଭାଷ : ୯୮୬୧୪୮୦୯୯୯
Go Back to Previous Page
ପୂଜାରୀ ଉବାଚ
ବାଲ୍ମୀକି ନାୟକ
Read Article
ତୁମେ ଗଲାପରେ
ଡଃ ଅସିତ କୁମାର ସ୍ବାଇଁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ