ବିଶ୍ବପ୍ରସିଦ୍ଧ ହାଇଦ୍ରାବାଦୀ ବିରିୟାନୀର ଇତିହାସ ବହୁ ପ୍ରାଚୀନ ଶୁଣାଯାଏ ଯେ ନିଜାମଙ୍କ ଶାସନକାଳରେ ଯେତେବେଳେ ଔରଙ୍ଗଜେବ୍ ହାଇଦ୍ରାବାଦ ଆସିଥିଲେ ସେତେବେଳର ନିଜାମ୍ ନିଜା – ଉଲ - ମୁଲକ୍ ଔରଙ୍ଗଜେବଙ୍କୁ ଖୁସି କରିବା ପାଇଁ ଏକ ସ୍ବତନ୍ତ୍ର ଧାରଣର ଖାଦ୍ୟ ଯାହାକି ଭାତ ସହିତ ମାଂସ ଓ ମସଲାର ମିଶ୍ରଣକୁ ଏକ ସଂଗେ ପରଷି ଥିଲେ ଯାହାକୁ କି ପରେ ବିରିୟାନୀ ନାମରେ ନାମିତ କରାଯାଇଛି ଭାରତବର୍ଷରେ ମିଳୁଥିବା ପ୍ରାୟ ସମସ୍ତ ମସଲାର ଏକ ଅପୁର୍ବ ସମ୍ମିଶ୍ରଣ ହେଉଛି ଏହି ବିରିୟାନୀ ତେବେ ଆସନ୍ତୁ ଏଇ ନୂଆବର୍ଷରେ ଆମ ଭାରତବର୍ଷର ଏକ ପୁରାତନ ଓ ସ୍ବାଦିଷ୍ଟ ବ୍ୟଞ୍ଜନକୁ ପ୍ରସ୍ତୁତ କରିବା
ହାଇଦ୍ରାବାଦରେ ପ୍ରସିଦ୍ଧ ବିରିୟାନୀ ମିଳୁଥିବା ହୋଟେଲ୍ ହେଉଛି ସିକନ୍ଦରାବାଦର ମହାତ୍ମା ଗାନ୍ଧି ରୋଡ଼ରେ ଥିବା ହୋଟେଲ୍ ପାରାଡାଇଜ୍ ଏବଂ ବାୱର୍ଚ୍ଚି ହୋଟେଲ୍ ଯଦିଓ ହାଇଦ୍ରାବାଦ ସହରରେ ବହୁତ ଗୁଡିଏ ବାୱର୍ଚ୍ଚି ହୋଟେଲ୍ ରହିଛି କେବଳ ଗ୍ରୀନ୍ ବା ରିଅଲ୍ ବାୱର୍ଚ୍ଚି ହିଁ ଆପଣଙ୍କର “ହାଇଦ୍ରାବାଦୀ ସ୍ପେସିଆଲ୍ ଦମ୍ ବିରିୟାନୀ” ମିଳିଥାଏ ସୌଭାଗ୍ୟବଶତଃ ମୁଁ ହାଇଦ୍ରାବାଦ ଉପ୍ପଲର ଯେଉଁ ଘରେ ଭଡା ରହୁଥିଲି ମୋର ଉପର ମହଲାରେ ପାରାଡାଇଜ୍ ହୋଟେଲର ଜଣେ ରୋଷେୟା ଶ୍ରୀ ଏମ୍ କ୍ରିଷ୍ଣା ମୁଥୟୖା ରହୁଥିଲେ କିଛିଦିନର ମିଳାମିଶା ପରେ ମୁଁ ଥରେ ତାଙ୍କୁ ଅନୁରୋଧ କରିଥିଲି ଯେ ଆମକୁ ବିରିୟାନୀ କରିବା ଶିଖେଇ ଦିଅନ୍ତୁ ବୋଲି ଆଉ ଦିନେ ସେ ରାଜି ହୋଇ ନିଜେ ଆମ ଘରକୁ ଆସି ପ୍ରସ୍ତୁତ କରି ଦେଇ ଯାଇଥିଲେ “ହାଇଦ୍ରାବାଦ ସ୍ପେସିଆଲ୍ ଦମ୍ ବିରିୟାନୀ” ତାଙ୍କୁ ରୋଷେଇ କାର୍ଯ୍ୟରେ ସାହାଯ୍ୟ କରିଥିଲୁ ମୁଁ ଏବଂ ମୋର ଧର୍ମପତ୍ନୀ ଜ୍ୟୋତିର୍ମୟୀ
ଆବଶ୍ୟକୀୟ ସାମଗ୍ରୀ (୩ ରୁ ୪ ଜଣଙ୍କ ପାଇଁ )
ବସୁମତୀ ଅରୁଆ ଚାଉଳ - (ଇଣ୍ଡିଆ ଗେଟ କିମ୍ବା ବେଷ୍ଟ ରାଇସ୍ ହୋଇଥିଲେ ଭଲ) – ୭୫୦ଗ୍ରାମ, ଫୁଲ କୋବି - ୧ଟା, ଗାଜର - ୨/୩ଟା, କ୍ୟାପସିକମ – ୨/୩ଟା, ବିନ – ୧୦୦ଗ୍ରାମ, ମଟର ଛୁଇଁ – ୫୦ଗ୍ରାମ, ଆଳୁ – ୩ଟା, ପୋଦିନା ପତ୍ର – ୧ ବିଡା, ଧନିଆ ପତ୍ର – ୧ ବିଡା, ବିଲାତି ବାଇଗଣ – ୩ଟା, ଅଦା – ୩/୪ଖଣ୍ଡ, କଟା ପିଆଜ – ୨ଟା, ରସୁଣ – ୪/୫ଟି, ଜୀରା – ୧ ଚାମଚ, ଧନିଆ ଗୁଣ୍ଡ - ୧ ଚାମଚ,ହଳଦୀ ଗୁଣ୍ଡ - ୧ ଚାମଚ, ଲଙ୍କା ଗୁଣ୍ଡ - ୧ ଚାମଚ, ଡାଲଚିନି -୩/୪ଖଣ୍ଡ, ବଡ ଅଳେଇଚ – ୧ଟା, ଜାଇଫଳ – ୧ଟା , ଲବଙ୍ଗ-୪/୫ ଟି,ଗୁଜୁରାତି – ୨/୩ଟି, ତେଜପତ୍ର -୨/୩ଟି, ଗୋଲ ମରିଚ – ୧ଗ୍ରାମ, ହେଙ୍ଗୁ – ଅଳ୍ପ, କାଜୁ - ୭/୮ ଟି, କିସମିସ- ୭/୮ ଟି, କେଶର –ଅଳ୍ପ(ପାଣିରେ ରାତିରୁ ଭିଜା ହୋଇ ଥିବା ଦରକାର ରଙ୍ଗ ପାଇଁ ଆବଶ୍ୟକ ), ଦହି – ୧୦୦ମିଲି, ଦେଶୀ ଘିଅ – ୪/୫ ଚାମଚ, ତେଲ (ଆବଶ୍ୟକ ଅନୁଯାୟୀ), ଲୁଣ (ଆବଶ୍ୟକ ଅନୁଯାୟୀ)
ତିଆରି କରିବା ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ୧ ଲିଟର ପାଖାପାଖି ପାଣି ଗରମ କରି ନିଅନ୍ତୁ ପାଣି ଫୁଟିଲା ପରେ ସେଥିରେ ତେଜପତ୍ର, ଲବଙ୍ଗ, ଡାଲଚିନି, ଅଳେଇଚ ପକାଇ ଦିଅନ୍ତୁ
ବିରିୟାନୀ ଚାଉଳକୁ ପକାନ୍ତୁ ଓ ତା ସହିତ ଏକ ଛୋଟ ଚାମଚ ଦେଶୀ ଘିଅ ମଧ୍ୟ ପକାନ୍ତୁ ଦେଶୀ ଘିଅ ପକାଇବା ଦ୍ବାରା ଭାତ ଗୁଡିକ ଗୋଟା ଗୋଟା ହୋଇ ରହିବ ଯାଉ ପରି ହୋଇ ଯିବନାହିଁ
ମଝିରେ ମଝିରେ ତାକୁ ଗୋଳାଉ ଥାଆନ୍ତୁ ଏହି ସୋପାନଟି ହେଉଛି ବିରିଆନୀର ମୁଖ୍ୟ ସୋପାନ କାରଣ ଚାଉଳକୁ ପୁରା ଭାତ ହେଲା ପରି କରାଯିବ ନାହିଁ ପାଖାପାଖି ୭୦% ଭାତ ହୋଇ ଆସିବା ପରେ ଆମେ ତାକୁ ଚୁଲିରୁ ଓହ୍ଲାଇଦେବା କାରଣ ଏହି ଭାତକୁ ପରେ ପ୍ରେସର କୁକର ସାହାଯ୍ୟରେ ଦମ ଦିଆଯିବ
ଭାତ ଓହ୍ଲାଇ ସାରିବା ପରେ ସେଥିରୁ ତେଜ ପତ୍ର, ଅଲେଇଚ ଆଦି ସବୁ ବାହାର କରି ଅଲଗା କରି ଦିଅନ୍ତୁ
ଅପର ପାର୍ଶ୍ବରେ ଆଳୁରୁ ଚୋପା ଛଡେଇ ଦିଅନ୍ତୁ ଏବଂ ସମସ୍ତ ପରିବାକୁ ଛୋଟ ଛୋଟ କରି କାଟି ରଖନ୍ତୁ
ଏବେ କଡେଇରେ ତେଲ ଗରମ କରନ୍ତୁ ତା’ପରେ ପ୍ରଥମେ ଆଳୁକୁ ତେଲରେ ଛାଣି ଅଲଗା ରଖନ୍ତୁ ପରେ ପରେ ସବୁ ପରିବାକୁ ସେହିପରି ତେଲରେ ଛାଣି ରଖନ୍ତୁ ବେଶୀ ମଧ୍ୟ ଭାଜିବେ ନାହିଁ ଅଳ୍ପ ବାଦାମି ରଙ୍ଗର ହୋଇଗଲେ ପରିବାକୁ କଡେଇରୁ ବାହାର କରି ଦିଅନ୍ତୁ
ମସଲା ପ୍ରସ୍ତୁତି
କଟା ବିଲାତି, ପିଆଜ, ଅଦା, ରସୁଣ, ଜୀରା ଓ ଅଳ୍ପ କିଛି ଶୁଖିଲା ଲଙ୍କା ସହ ପାଣି ଦେଇ ଏହାକୁ ଭଲ କରି ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ
କଡେଇରେ ତେଲ ଗରମ କରନ୍ତୁ ଉପରୋକ୍ତ ମିଶ୍ରଣକୁ ତେଲରେ ପକାନ୍ତୁ ଓ ତା ସହ ହେଙ୍ଗୁ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ଭଲ କରି ଭାଜି ନିଅନ୍ତୁ
ସମସ୍ତ ଶୁଖିଲା ମସଲା ଯେପରି ଲବଙ୍ଗ, ଡାଳଚିନି, ଅଳେଇଚ ଗୁଜୁରାତି, ଗୋଲମରୀଚ, ଜାଇଫଳକୁ ଭଲ କରି ହେମଦସ୍ତାରେ ଗୁଣ୍ଡ କରି ନିଅନ୍ତୁ ଏବଂ ଏହି ମସଲାକୁ ଉପୋରକ୍ତ ମସଲାରେ ପକାଇ ଦିଅନ୍ତୁ
ଏହି ମସଲା ପକେଇବା ମାତ୍ରେ ମସଲାରୁ ଅପୂର୍ବ ସୁଗନ୍ଧ ବାହାରିବ ଯାହା ଆପଣଙ୍କ ସାଇ ପଡିଶାକୁ ଜଣେଇ ଦେବ ଯେ ଆଜି ଆପଣ ଙ୍କର ଘରେ ବିରିୟାନୀ ପ୍ରସ୍ତୁତି ଚାଲିଛି
ତା'ପରେ ସେହି ମସଲାରେ ଦହି ପକାଇ ଦେଇ ସେ ପର୍ଯ୍ୟନ୍ତ ଗୋଳାନ୍ତୁ ଯେଉଁ ପର୍ଯ୍ୟନ୍ତ ସେଥିରୁ ତେଲ ଅଲଗା ନ ହୋଇଛି
ବର୍ତମାନ ଉପୋରକ୍ତ ମସଲାରେ ଆଗରୁ ଛଣା ହୋଇ ରଖା ହୋଇଥିବା ସମସ୍ତ ପରିବାକୁ ଏକ ସାଙ୍ଗରେ ପକାଇ ଭଲ କରି ଗୋଳାଇ ଦିଅନ୍ତୁ ଏବଂ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖି ତାକୁ ସିଝିବାକୁ ଛାଡି ଦିଅନ୍ତୁ (ଯଦି ଆପଣ ମାଂସ ପ୍ରିୟ ତେବେ ଏହି ସୋପାନରେ ଆଗରୁ ସିଝା ହୋଇ ରଖା ହୋଇଥିବା ଛେଳି କିମ୍ବା କୁକୁଡା ମାଂସକୁ ପକାନ୍ତୁ ) ପରେ ମସଲାକୁ ଚୁଲିରୁ ଓଲହାଇ ଦିଅନ୍ତୁ ବର୍ତ୍ତମାନ ଆମର ବିରିୟାନୀ ମସଲା ପ୍ରସ୍ତୁତ
ଆମେ ବର୍ତ୍ତମାନ ଭାତ ଓ ମସଲାକୁ ପ୍ରେସର କୁକର ରେ ଦମ୍ ଦେବା ସେଥିପାଇଁ ଏକ ୫ଲିଟରର ପ୍ରେସର କୁକର ନେବା ଏବଂ ତା ମଧ୍ୟରେ ପ୍ରଥମେ କିଛି ଘିଅ ପକାଇ ତା’ର ଚାରି କଡରେ ଭଲ କରି ମାଖି ଦେବା ତା’ପରେ ବିରିୟାନୀ ଭାତର ଏକ ପରସ୍ତ ଦେବା ଓ ତା ଉପରେ ମସଲାର ମଧ୍ୟ ଏକ ପରସ୍ତ ଦେବା ଏହିପରି ଭାବେ ଭାତ ଓ ମସଲାକୁ ୪ କିମ୍ବା ୫ ପରସ୍ତ ପରସ୍ତ କରି ତା ଭିତରେ ରଖିଦେବା
ଭାତ ଓ ମସଲା ଶେଷ ହୋଇଗଲା ପରେ ତା ଉପରେ କାଜୁ, କିସ୍ମିସ୍, ଧନୀଆ ପତ୍ର, କେସର ଓ ପୋଦିନା ପତ୍ର ସହ ୨/୩ ଚାମଚ ଘିଅ ଦେଇ ପ୍ରେସର କୁକରର ଢାଙ୍କୁଣୀର ହୁଇସିଲକୁ କାଢି ବିନା ହୁଇସିଲରେ ପ୍ରେସର କୁକରକୁ ବନ୍ଦ କରିଦେବା ଏବଂ ଏହାକୁ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଦମ୍ ଦେବାକୁ ଛାଡି ଦେବା
ଠିକ ୧୫ ମିନିଟ୍ ପରେ ଗ୍ୟାସ୍ ବନ୍ଦ କରି ବିରିୟାନୀକୁ ଭଲ ଭାବେ କୁକର ଭିତରେ ଗୋଳାଇ ଦେବା ଏବେ ହୋଇଗଲା ପ୍ରସ୍ତୁତ ଗରମା ଗରମ ‘ହାଇଦ୍ରାବାଦ ସ୍ପେସିଆଲ୍ ଦମ୍ ବିରିୟାନୀ’ ଯଦି ବିରିୟାନୀକୁ ସଜେଇବାର ଥାଏ ତେବେ ପିଆଜକୁ ଗୋଲ ଗୋଲ କରି କାଟି ପୋଦିନା ଓ ଧନିଆ ପତ୍ର ସହ ସଜେଇ ନିଜେ ଖାଆନ୍ତୁ ଓ ନିଜର ପ୍ରିୟଜନଙ୍କୁ ମଧ୍ୟ ଖୁଆନ୍ତୁ ଆଉ ହଁ ! ନୂଆବର୍ଷରେ ବିରିୟାନୀ ଖାଇବା ଓ ଖୁଆଇବାର ମଜାକୁ ଆମ ହ୍ବାଟ୍ସଆପ୍ ଆପ୍ ଗ୍ରୁପରେ ନିଶ୍ଚିତ ବାଣ୍ଟନ୍ତୁ
ସହକାରୀ ଅଧ୍ୟାପକ, ରୋଲାଣ୍ଡ୍ ଫାର୍ମାସୀ ମହାବିଦ୍ୟାଳୟ
ଖୋଡାସିଙ୍ଗୀ, ବ୍ରହ୍ମପୁର-୧୦
Go Back to Previous Page
ଖଣ୍ଡିଗିରି ଓ ଉଦୟଗିରି
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ସନ୍ଥକବୀର ଦୋହାଗୁଚ୍ଛ - ୧
ଡା ସୁବାସ ଚନ୍ଦ୍ର ରାଉତ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ