ଜୀବନ
ସୁକୁମାରୀ ନଦୀଟିଏ
ଅନନ୍ତ ଅନ୍ତରୀକ୍ଷ ତେଜି,
ଲମ୍ପମାରି ଧରାବତରଣ କଲା ଭାଗୀରଥି,
ଅତି ବ୍ୟାକୁଳରେ ଖୋଜୁଥିଲା,
ଧୂର୍ଜଟୀର ଜଟା।
ହେଲେ, ନାହିଁ,
କେହି ନାହିଁ ଏଠି,
ବାହୁପଶାରୀ କୋଳେ ନେଇଯିବ,
ଛାତିରେ ତା ଆଉଜାଇ ନେବ, ଆଉ
ପଚାରିବ ଯାତ୍ରା କିପରି ଥିଲା ?
ଜୀବନ ତ ଯାତ୍ରାଟିଏ,
ପଥ ଜଣାନାହିଁ, କିନ୍ତୁ
ଗନ୍ତବ୍ୟ ତ ମହୋଦଧୀ ମୋର
କେବଳ ଜାଣିଛି ଏତିକି ।
ଯେଉଁଠାରୁ ଆରମ୍ଭ ମୋ ପଥ,
ସେଇଠି ସମାପ୍ତ,
ବିଚିତ୍ର ଏ ସୃଜନୀର ତନ୍ତ୍ର ।
କୁଳୁକୁଳୁ ବୋହିଗଲା
ଝରଣାର ରୂପ ନେଇ
ଚପଳ ଶିଶୁମତି ମୋର,
ହେଲେ ଦୁନିଆଁ ନିଷ୍ଠୁର ।
ପଥ ଅଟକାଏ ଅଚଳ ପର୍ବତ,
ଦୁର୍ଗମ ବନ, କଙ୍କରୀତ ପଥ,
ହେଲେ ସେ କିବା ଜାଣନ୍ତି
ପରମାଣୁ କେତେ ଯେ ଶକତ ?
କିଏ ଅବା ଅଟକାଇ ନେବ ପାଦ ମୋର
ରୁନ୍ଧି ମୋର ପଥ ?
ସମତଳେ ଯୌବନ ମୋ
କାୟା ମୋ ବିଶାଳ
ଉଦଣ୍ଡ ମୋ ମତି,
ତୃଷାର୍ତରେ ଢାଳି ଦେଲି ଜଳ,
ଦେଲି ଦଣ୍ଡ ଯିଏ ରୋଧେ ପଥ ମୋର ।
ପ୍ରିୟଜନ ମିଳିଗଲେ କେତେ,
କାନ୍ଧରେ ମିଶାଇ କାନ୍ଧ
ସହଯାତ୍ରା କଲେ ମୋର ସାଥେ ।
ଦେଇଗଲି ସନ୍ତତି ଜନ ଜନ ପାଇଁ,
କେତେ ଯେ ସଭ୍ୟତା କୂଳେ ଗଲି ଦେଇ,
ତଥାପି ଚାଲିଛି ଖୋଜି ସମୁଦ୍ର ଠିକଣା।
ଶୁଭେ କରାଳ ସମୁଦ୍ରର ଡାକ,
ଜାଣିଛି ମୁଁ ଆଉ ବେଶିଦୂର ନୁହେଁ
ସମୁଦ୍ର ନିକଟ।
ଆଜି ନ ହେଲେ,
କାଲି ତ ସରିବ ଏ ଯାତ୍ରା,
କିନ୍ତୁ ସରିବନି ଜୀବନର ଗାଥା।
ନଦୀ କିବା ମରେ କେବେ ରବିତଳେ,
ବୋହି ଚାଲିଥିବ ଅମୀୟର
ଧାରା କାଳେ କାଳେ।
ଜୀବନ ତ ନଦୀଟିଏ ପରି, ହେଲେ
ମରେ ନାହିଁ ମୃତ୍ୟୁ ସାଥେ ସାଥେ।
ମୃତ୍ୟୁଞ୍ଜୟୀ ସିଏ,
ଯିଏ ଜିତିପାରେ ସକଳ ହୃଦୟ
ନିଜ ପ୍ରେମବଳେ।
Go Back to Previous Page
ବେନାମୀ କବିତା
ଶୁଭାଶିଷ ମହାରଣା
Read Article
ହତାଶ ଶିକ୍ଷକ
ଶୁଭଶ୍ରୀ ନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ