ଛୋଟ ଛୋଟ ଆଖି, ଛୋଟ ଛୋଟ ପାଦ ଥିଲା,
ଏ କଥା ସେ ସମୟର,
ଯେତେବେଳେ ଦୁନିଆ ମୋ ପାଇଁ ଅଚିହ୍ନା ଥିଲା।
ମୁ ଟିକେ ହସିଦେଲେ ସେ ବି ବହୁତ ଖୁସି ହଉ ଥିଲା,
ଦେହ ମୋର ଖରାପ ହେଲେ,
ଅନିଦ୍ରା ସେ ରହୁଥିଲା ଆଉ ଛାତି ତାର ଥରୁ ଥିଲା।
ନିଜ ସ୍ବପ୍ନ କୁ ଭସେଇ ଦେଇ ସେ ମୋ ସ୍ବପ୍ନ କୁ ସାଇତି ଥିଲା,
ହଁ ଘରେ ବୋଧେ ଅସୁବିଧା ଥିଲା,
କିନ୍ତୁ ସେ ମୋ ଭବିଷ୍ୟ ପାଇଁ ସବୁ କିଛି ସାଇତି ରଖୁଥିଲା।
ଏ କଥା ସେ ସମୟର,
ଯେତେବେଳେ ଦୁନିଆ ମୋ ପାଇଁ ଅଚିହ୍ନା ଥିଲା।
ରାତିରେ କାନ୍ଦିବା, ଦୁଷ୍ଟାମୀ କରିବା ସବୁ ସେ ସହୁ ଥିଲା,
ସେ ମୋ ବାପା ହିଁ ଥିଲା,
ମୁଁ କାନ୍ଦିବା ବେଳେ ଯିଏ ମୋତେ ଗେଲ କରି ହସେଇ ଥିଲା।
କଥା ତ ମୁଁ କହି ପାରୁ ନଥିଲି,
ମୋ ଇସାରା ସେ ବୁଝି ଯାଉ ଥିଲା।
‘ବାପା’ ତ ଦୂରର କଥା ମୋ ପାଟିରୁ ‘ବା’ ବାହାରୁ ନଥିଲା,
କିନ୍ତୁ ସେ ସେମିତି ମୋର ସବୁ ଇଚ୍ଛା ପୁରା କରି ଚାଲିଥିଲା।
ତା’ର ପାଦକୁ ମୁଁ ଚାହିଁ ରହୁଥିଲି କି ସେ ଆଉ କୁଆଡ଼େ ନ ଯାଉ,
ତା’ର ବି ତ ବହୁତ କାମ ଥିଲା,
କିନ୍ତୁ ମୋ ପାଖକୁ ଘରକୁ ଆସିବା ପାଇଁ ସେ ଘଡ଼ିକୁ ଚାହିଁ ରହୁଥିଲା।
ସନ୍ଧ୍ୟାରେ ମୁଁ ବି, ସେ ଆସିବ ବୋଲି ଚାହିଁ ରହୁଥିଲି,
ତାକୁ ଦେଖି ମୁଁ ଖୁସି ହଉଥିଲି,
କେମିତି ବି ଇସାରା କରି ମୋ ପାଖକୁ ଡାକୁଥିଲି,
ସେ ସବୁ କିଛି ଛାଡ଼ି ମୋତେ ତା’ର ଛାତିରେ ଲାଗେଇ ଦଉଥିଲା।
ଆଉ ମୁଁ ବି ବୁଝୁଥିଲି କି ମୁଁ ତାର ଜୀବନ ଥିଲି।
ମୋ ଖୁସି ପାଇଁ କେବେ ହାତୀ କେବେ ଘୋଡ଼ା ହଉଥିଲା,
ଆଉ ମୁଁ ରାତିରେ ଶାନ୍ତିରେ ଶୋଇବି ବୋଲି,
ସେ ତାର ପୁରା ରାତି ମୋତେ ଦେଖି ଦେଖି କାଟି ଦଉଥିଲା।
କିଛି ନ ପାଇବାର ଆଶା ନେଇ ଯିଏ ଭଲପାଏ ସେ ବାପା,
ଯିଏ ସନ୍ତାନର ଖୁସି ପାଇଁ ନିଜ ଖୁସିକୁ ଆଡ଼େଇ ଦିଏ ସେ ବାପା,
କଲମରେ ଲେଖି ହବନି,
ଶବ୍ଦରେ ବର୍ଣ୍ଣନା କରି ହବନି ଯାହାକୁ ସେ ହେଇଥାଏ ବାପା।
ଛୋଟ କଥାଟିଏ କହିବି,
ବଡ଼ ତୁମେ ହେଇ ଯାଇଛ,
ଦିନ ଆସିବ ତୁମେ ସେ ଲୋକର ସାହାରା ହେଇଯିବ।
ଯାହା ହାତ ଧରି ତୁମେ ଚାଲିବା ଶିଖିଲ,
ସେ ଲୋକର ସାହାରା ଗୋଟେ କାଠର ବାଡି ହେଇଯିବ।
ଯିଏ ତୁମକୁ ବଞ୍ଚିବା ଶିଖେଇଛି,
ଥରେ ଭାବ କାଲି ଯଦି ସେ ନ ରହିବ ତ ତୁମର କଣ ହବ।
ସମୟ ତ ତୁମ ପାଖରେ ଏବେ ବି ଅଛି,
ଥରେ କହି ଦିଅ ତୁମ ମନରେ କେତେ ଭଲ ପାଇବା ଅଛି
ଯେ ପର୍ଯ୍ୟନ୍ତ ତୁମ ଉପରେ ବାପାଙ୍କ ଛାଇ ଅଛି,
ସ୍ବର୍ଗ ଖୋଜୁଛ? ସ୍ୱର୍ଗ ତ ବାପାଙ୍କ ଚରଣ ରେ ହିଁ ଅଛି।
ଭଗବାନ ତ ମନ୍ଦିର ମସଜିଦ ଚର୍ଚ୍ଚରେ ମିଳିଯିବେ,
ବାପାଙ୍କ ପରି କଣ କିଏ ହବ?
ଯାଇକି ଥରୁଟିଏ କୁଣ୍ଢେଇ ଧର ନିଜ ବାପାଙ୍କୁ ମନ ଭରି,
କାଲି ସେ ଯଦି ନଥିବେ ତ ଥରେ ଭାବ ତୁମର କଣ ହବ।
ମୁଁ ଏ କବିତାର ନାଁ କଣ ରଖିବି ଜାଣି ପାରିଲିନି,
କାହିଁକି ନା ବାପାଙ୍କୁ ଗୋଟେ ଶବ୍ଦରେ କଣ କହିବି ଜାଣି ପାରିଲିନି।
ବରୋଦା, ଗୁଜରାଟ, ୯୯୧୬୨୦୮୮୫୫
Go Back to Previous Page
ମାଆ ପାଇଁ ପଦେ
ଶ୍ରୀଧର ପଟ୍ଟନାୟକ
Read Article
ସମୁଦ୍ର କେତେ ଦୂର
ବିନୟ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ