ମୂଳ ରଚନା - ରେଣୁ ଶ୍ରୀବାସ୍ତବ
ଅନୁବାଦ - ମଧୁସ୍ମିତା ପଟ୍ଟନାୟକ
ଏମିତି କିଛି ଲୈଲା ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥ ହାସଲ କରିବା କଳାରେ ବେଶ୍ ପାରଙ୍ଗମ। ଆଲିଶାନ୍ କୋଠାର ଅପାର ସମ୍ପତ୍ତିକୁ କିମ୍ବା କୌଣସି ବୁଦ୍ଧିମାନ ସୁନ୍ଦର ଯୁବକକୁ ଦେଖି ଯଦି ସେମାନଙ୍କ ମନ ଲାଳାୟିତ ହୁଏ, ତା’ହେଲେ ସେମାନେ ସେହି ଗେଲ ବସରିଆଙ୍କ ପଛରେ ସେ ପର୍ଯ୍ୟନ୍ତ ଘୁରି ବୁଲନ୍ତି, ଯେ ପର୍ଯ୍ୟନ୍ତ ସେମାନେ ତାଙ୍କ ଜାଲରେ ଛନ୍ଦି ହୋଇ ବିବାହ ବନ୍ଧନରେ ବାନ୍ଧି ନ ହେଇଛନ୍ତି।
ଦୃତ ଗତିରେ ଦୌଡିଥିବା ମନୁର ସାଇକେଲ୍ ଶେଷରେ ଗୋଟେ ଲୈଲା ସହିତ ପିଟି ହୋଇଗଲା। ଲୈଲା ଏଇଥିପାଇଁ କୁହାଯାଇଛି କାହିଁକି ନା’ ମନୁ ଚାହିଁଥିଲେ ସେଠୁ ଚୁପ୍ଚାପ୍ ପଳେଇ ଯାଇପାରିଥାନ୍ତା, ହେଲେ ସେ ଲୈଲାଟା ଜାଣିଶୁଣି ନିଜ ସାଇକେଲକୁ ତା’ ସାଇକେଲ୍ ସହ ବାଡେଇଥିଲା।
“ହୋଶରେ ନାହଁ କି?” ମନୁ କହିବାରୁ ଝିଅଟି କହିଲା, “ହୋଶରେ ଅଛି, ବୋଲି ତ ଟକ୍କର ମାରିଛି?” ମନୁ ଯଦି ଚାଲାକ୍ ଥିଲା, ସେ ଝିଅଟି ଅତି ଚାଲାକ୍ ଥିଲା। ମନୁ ଡ଼ାଳେ ଡ଼ାଳେ ଗଲା ବେଳକୁ ଝିଅଟି ପତରେ ପତରେ ଯାଉଥିଲା।
ଦୁହେଁ ନିଜେ ନିଜେ ଉଠି ଠିଆ ହେଲେ। ମନୁ ନିଜର ତଳେ ପଡିଥିବା ବହିପତ୍ରକୁ ଉଠେଇଲା ବେଳକୁ ଝିଅଟି ଅଚାନକ ବନ୍ଧୁକରୁ ଗୁଳି ଛାଡ଼ିଲା, “ମତେ ତୁମେ ପସନ୍ଦ କରୁଛ କି?”
ଏହି ଗୁଳି ରୂପି ତୀର ମାଡ଼ରେ ଘାଇଲା ହୋଇ ମନୁ ଖନେଇ ଖନେଇ କହିଲା, “ମୁଁ ପୁଣି ତୁମକୁ? ମୁଁ ତ ତୁମକୁ ଚିହ୍ନିନି କି ଜାଣିନି?”
“ଜାଣିନ କେମିତି? ମୁଁ ନୀଲୁ.. ସେହି ନୀଲୁ, ଯାହାକୁ ତୁମେ ସବୁଦିନ ଝରକା ବାଟେ ଦେଖ। ଆଉ ଏବେ ଅଜଣାଙ୍କ ପରି ହେଉଛ!” ଝିଅଟି ଆଖି ନଚେଇ କହିଲା।
“ମୁଁ ଆଉ ତୁମକୁ ଦେଖେ? ପାଗଳ ହୋଇଯାଇଛ କି? ମୁଁ ତ ତୁମକୁ ଜମାରୁ ଜାଣିନି, ଆଉ ତୁମକୁ ସବୁବେଳେ ଦେଖିବି କେମିତି? ଆଛା ଠିକ୍ ଅଛି। ଏବେ କୁହ, ତୁମେ ରହୁଛ କେଉଁଠି?” ମାମଲାକୁ ରଫାଦଫା କରିବା ଚକ୍କରରେ ମନୁ ଟିକିଏ ନରମ ହେଲା।
“ସାମ୍ନା ଘରେ!” ନୀଲୁ ବହୁତ ଜୋର ଦେଇ କହିଲା।
“ମୋ ଘର ସାମ୍ନାରେ! ହେଲେ ସେଠି ତ ସାମ୍ନାଘରର ପଛପଟ ଦେଖାଯାଏ। ଆମକୁ ତ କେବଳ ସେ ଘରର ସ୍କାଇଲାଇଟ୍ ହିଁ ଦେଖାଯାଏ।” ମନୁ କହିଲା।
“ହଁ.. ହଁ.. ସେଇ ଘର, ମୁଁ ସେଇ ଘରର ଦ୍ୱିତୀୟ ମହଲାରେ ରହେ। ଯେତେବେଳେ ମୁଁ ଟେବୁଲ ଉପରେ ଷ୍ଟୁଲ ରଖି ବାହାରକୁ ଦେଖେ, ସଦାବେଳେ ତୁମକୁ ମୋତେ ଦେଖୁଥିବା ଅବସ୍ଥାରେ ପାଏ।” ନିଲୁ ଆଖିକୁ ନଚେଇ ନଚେଇ କହିଲା।
ମିଛି ମିଛିକା ଦୋଷାରୋପଣ ହେବାର ଦେଖି ମନୁ ଟିକିଏ ରୁକ୍ଷ ସ୍ୱରରେ କହିଲା, “ମୁଁ? ଅସମ୍ଭବ!”
“ସବୁବେଳେ ତ ମୋତେ ଦେଖୁଛ। ଏବେ ସତ ସତ କହିବ, ମିଛ ଜମାରୁ କହିବନି। ତୁମେ କ’ଣ ସତରେ ମୋତ ଭଲ ପାଉଛ?” ଝିଅଟି ପଚାରିଲା।
ମନୁ ରାଗିଯାଇ କହିଲା, “ଆରେ ମୋତେ ତ ତୁମର ମୁଣ୍ଡ ମଧ୍ୟ ଦେଖାଯାଏନି, ତେବେ ମୁଁ ତୁମକୁ ଭଲ ପାଇବି କେମିତି?”
“ମୁଣ୍ଡ ଦେଖା ନଗଲେ କ’ଣ ହେଲା? ଆଖି ତ ଦେଖାଯାଉଥିଲା ନା! ପ୍ରେମ ଆଖିରେ ଆଖିରେ ହିଁ ତ ହୁଏ, ମୁଣ୍ଡ ସହିତ ନୁହେଁ। ପ୍ରେମ ତ ଗୋଟିଏ ନଜରରେ ହୋଇଯାଏ। ତମେ ଏହି ପ୍ରେମକୁ ମିଛ ବୋଲି କହି ପାରିବନି। ମାନୁଛି ଦୂରରୁ ତୁମ ଆଖି ମୋତେ ଚିହ୍ନି ପାରିନଥିବ, ହେଲେ ଏବେ ତ ମୁଁ ତୁମ ସାମ୍ନାରେ ଅଛି ନା! ତୁମ ନଜର ମୋ ନଜର ସହ ଟକ୍କର ଦେଇସାରିଛି। ମୁଁ ତୁମକୁ ଭଲପାଏ। ତୁମକୁ ଏଇ ସାଙ୍ଗେ ସାଙ୍ଗେ ମୋ ସହ ପ୍ରେମ ହୋଇଯିବ, ତଥାପି ତମେ କେମିତି ମନା କରୁଛ।” ନୀଲୁ ତାର ବକ୍ ବକ୍ ଜାରି ରଖିଥିଲା।
ଗୋଟେ ଢୋଲ ଭଳି ନୀଲୁ(ଲୈଲା) ଜବରଦସ୍ତି ତା’ ବେକରେ ଝୁଲିବାକୁ ଚେଷ୍ଟା କରୁଥାଏ। ମନୁ ଟିକେ ଡରିଗଲା। ସେ କୌଣସି ପ୍ରକାରେ ଏଇ ବୁଡ଼ିଆଣି ଜାଲରେ ଫସିବାକୁ ଚାହୁଁନଥାଏ। ତେଣୁ ତା’ର ପିଛା ଛଡେଇବାକୁ ଯାଇ କହିଲା, ତୁମ କଥା ତୁମେ ଜାଣ। ମୋର ସେଥିରେ କିଛି ଦେବା ନେବା ନାହିଁ କି, ମା’ଙ୍କ ଠୁ ମାଡ଼ ଖାଇବାର ନାହିଁ। ମୁଁ ତ ଚାଲିଲି! ଏତିକି କହି ମନୁ ସାଇକେଲ୍ ଉପରେ ବସି ପଡିଲା।
“ମା’ଙ୍କ ଚାମାଚା!” ନୀଲୁ(ଲୈଲା) ଶେଷ ଗୁଳିକୁ ଫୁଟେଇଦେଲା
ନୀଲୁର କଥାରେ ଧ୍ୟାନ ନ ଦେଇ ମନୁ ସେ ଯାଗାରୁ ଏମିତି ଖସିଲା ଯେ ସିଧା ଆସି ନିଜ ଘରେ ନିଃଶ୍ୱାସ ମାରିଲା। ଗଳାରୁ ଖିଙ୍କାରି ସଫା କଲା। କିଛି ସମୟ ଅଟକି ଭାବିଲା, କେମିତିକିଆ ମୂର୍ଖ ଝିଅର ଚକ୍କରରେ ମଣିଷ ପଡ଼ିଯାଇଥିଲା। ଭଲ ହେଇଛି ପିଛା ଛଡେଇ ନେଲି, ନ ହେଲେ ଜଣା ନାହିଁ କେଉଁ ଜାଲରେ ଫସେଇ ଦେଇଥାନ୍ତା।
ଝିଅଙ୍କ ପରି ଆଫତ୍ ଠୁ ଦୂରରେ ରହୁଥିବା ମନୁର ଧ୍ୟାନ ସବୁବେଳେ ନିଜ ପାଠପଢ଼ା ଉପରେ ରହିଥାଏ। ସେ ଗୋଟେ ହୁସିଆର ତଥା ବୁଦ୍ଧିମାନ ପିଲା ହେବା ସହ କଲେଜରେ ସବୁବେଳେ ଟପ୍ରେ ରହୁଥିଲା। ଗୋଲ୍ଡ ମେଡ଼ାଲିଷ୍ଟ ମନୁର ଏପରି ଲଫଡ଼ାରେ କିଛି ନେବାର କି ଦେବାର ନଥିଲା। ମନୁ ରୁମରେ ଟହଲ ମାରି ପଢ଼େ। ପ୍ରାୟ ସେ ଝରକା ସାମ୍ନାରେ ଠିଆ ହୋଇ ପଢ଼ିଥିବା ପାଠକୁ ମନେ ପକାଇବାକୁ ଚେଷ୍ଟା କରେ। ଏଭଳି ନିଃସ୍ବାର୍ଥ ଆଉ ସ୍ୱଚ୍ଛଳ ଭାବନା ଉପରେ ଯେ ଗ୍ରହଣ ଲାଗିପାରିବ! ଏହା ମନୁ ଭାବନାଠୁ ବହୁତ ଦୂରରେ ଥିଲା। ଏହି ଘଟଣା ପରେ ମନୁ ବିଚଳିତ ହୋଇ ପଡୁଥିଲା। ଏବେତ ଝରକା ପାଖରେ ପହଞ୍ଚିବା ମାତ୍ରେ ତା’ ଆଖି ଆପେ ଆପେ ସାମନାରେ ଥିବା ସ୍କାଇଲାଇଟ୍ ଉପରକୁ ଚାଲିଯାଏ। ଆଉ ସେଠି..! ସେଠି ତାକୁ ଦୁଇଟି ଆଖି ଏକ ଲୟରେ ଚାହିଁଥିବାର ଦେଖିବାକୁ ମିଳେ।
“ଏହି ଝିଅର ମୁଣ୍ଡ ଖରାପ, ନା ସେ ଦିୱାନୀ, ନା ସେ ପାଗଳୀ? ତା ପାଖରେ କ’ଣ ଆଉ କିଛି କାମ ଧନ୍ଦା ନାହିଁ କି? ସବୁବେଳେ କ’ଣ ସେ ଏଇ ସ୍କାଇଲାଇଟ୍ ପାଖରେ ଝୁଲିକି ରହୁଛି।”
ମନ ଭିତରେ ବହୁତ ରାଗ ମାଡୁଥାଏ ମନୁକୁ। ହେଲେ ନୀଲୁର ପିଲାଳିଆମି ହରକତ ସବୁ ମନେ ପଡ଼ି, ନୀଲୁ ଉପରେ ତା’ର ଦୟା ଆସୁଥାଏ। ସେ ନିଜେ ମଧ୍ୟ ବେଳେ ବେଳେ ସ୍କାଇଲାଇଟ୍ ଆଡ଼କୁ ଲୁଚି ଲୁଚି ଟିକେ ଆଖି ବୁଲେଇ ଆଣେ।
ଦିନେ ଅଚାନକ ନୀଲୁ ପୁଣି ଥରେ ଟକରେଇ ଗଲା। ଟକରେଇ ସାରିବା ପରେ.. ସେ ବେଲୁନ୍ ଭଳି ଫାଟି ପଡ଼ିଲା, “ଭାବିଲ କିଛି? କ’ଣ ତୁମ ହୃଦୟରେ ବି କିଛି କିଛି ହେଉଛି? ଦେଖନା! ମୋର ଛାତି କେମିତି ଜୋର୍ ଜୋରରେ ଧଡକୁଛି! ନିଃଶ୍ୱାସ ମଧ୍ୟ ଠିକରେ ମୁଁ ନେଇ ପାରୁନି। ଜଲ୍ଦି ଚାଲ, କେଉଁଠି ଟିକେ ବସି ଚାହା ପିଇବା।”
ମନୁ କିଛି କହିବା ପୂର୍ବରୁ ସେ ହାତକୁ ଧରି ଟାଣି ଟାଣି ନେଇଗଲା।
ନିଜ ଚେତା ହରେଇଥିବା ମନୁ ଚୁପ୍ଚାପ୍ ତା ପଛରେ ଚାଲିବାକୁ ଲାଗିଲା। କଫି ପିଇଲା ବେଳେ, ନୀଲୁର ବକ୍ ବକ୍ ଜାରି ରହିଥିବା ବେଳେ ମୂକ ପାଲଟି ଯାଇଥିଲା ମନୁ।
ଫେରିବା ସମୟରେ ନୀଲୁ କହିଲା, “ପୁଣି କେବେ ଦେଖାହେବ?” ପ୍ରତି ଉତ୍ତରର ଅପେକ୍ଷା ନକରି ସେ ତୁରନ୍ତ କହି ପକେଇଲା, ଠିକ୍ ଅଛି, କାଲି ସନ୍ଧ୍ୟାରେ ଠିକ୍ ପାଞ୍ଚଟା ବେଳକୁ ଏଇ ରେଷ୍ଟୁରାଣ୍ଟକୁ ଆସିବ। ମୁଁ ଏଠି ତୁମକୁ ଅପେକ୍ଷା କରିଥିବି।
“ମନୁ ମନେ ମନେ ତାକୁ ଆଙ୍ଗୁଠି ଦେଖାଇ କହିଲା.. ହୁଁ! ମୋ ଆସିବ ବାଟକୁ ଚାହିଁଥିବ!! ମୁଁ କେବେ ହେଲେ ଆସିବିନି। ମୋତେ ମୂର୍ଖ ବୋଲି ଭାବିଛି ନା କ’ଣ ?” ମନୁ ଏମିତି ଭାବି ଭାବି ଆସି ଘରେ ପହଞ୍ଚିଗଲା।
ହେଲେ ତା’ପରଦିନ ଚାରିଟା ବାଜିଲା ବେଳକୁ ମନୁର ମନ ବ୍ୟାବୁଳ ହେବାକୁ ଲାଗିଲା, କେମିତି କା ଯାଦୁଗରନୀ କେଜାଣି? ମନର ଶାନ୍ତିକୁ ଚୋରେଇ ନେଲାଣି। “ମୁଁ ଯିବିନି, ଦେଖିବା ସେ କଣ କରିବ?”
ଚାରିଟା ପଇଁଚାଳିଶ ବାଜିଲା ବେଳକୁ ସେ ଦେଇଥିବା ଧମକ ମନୁର ମନେ ପଡିଗଲା.., “ଦେଖ ଠିକ୍ ସମୟରେ ଆସି ପହଞ୍ଚିଯିବ, ନ ହେଲେ.. ମୁଁ ତୁମ ଘରେ ପହଞ୍ଚିଯିବି।”
ମନୁକୁ ତା’ର ସବୁ ଅଙ୍କ ଯେମିତି ମାଟିରେ ମିଶିଗଲା ପରି ଲାଗୁଥାଏ। ଶେଷରେ ଯାଇ ସେ ପହଞ୍ଚିଗଲା ରେଷ୍ଟୁରାଣ୍ଟରେ। ମନୁର ବୁଦ୍ଧି ଭ୍ରଷ୍ଟ ହୋଇ ସାରିଥାଏ। ପାଠପଢ଼ାରୁ ମନ ମଧ୍ୟ ଉଠି ସାରିଥିଲା। ସେ ପ୍ରେମରେ ଦୁଇଧାରୀ ଖଣ୍ଡା ଉପରେ ଲଟକି ଥିଲା ଯେମିତି। ତା’ର ସବୁ ବୁଦ୍ଧି ବାଟବଣା ହୋଇଯାଇଥିବା ନୀଲୁ ଆଗରେ।
ଦିନେ ମନୁ ଦେଖିଲା ନୀଲୁ ତା ମା’ଙ୍କର ପରିବା ବ୍ୟାଗକୁ ଧରି ଘର ପର୍ଯ୍ୟନ୍ତ ପଳେଇ ଆସିଛି ଆଉ ମା’ଙ୍କ ସହିତ ହସି ହସି କଥା ହେଉଛି। ମା’ ବି ତା ସହିତ କଥାବାର୍ତ୍ତାରେ ମଗ୍ନ ଥିଲା ଯେମିତି। ଏହା ଦେଖି ମନୁ ଭାବିଲା, ଏବେ ଆଉ କଣ ନୂଆ ଘଟଣା ଘଟେଇବ କି ଏଇ ପାଖଣ୍ଡୀ ନୀଲୁ?
ଏପଟେ ମନୁର ଜୀବନ ନାଟିକା ଅଟକି ଯାଇଥିବା ବେଳେ ତେଣେ ନୀଲୁ ପୁଣି ଗୋଟେ ଫୁଲ ଫୁଟେଇ ସାରିଲାଣି। ମା’ କିଛି ନବୁଝି ନସୁଝି ନୀଲୁକୁ ଏ ଘରର ବୋହୁ କରି ଆଣିବ ବୋଲି ଘୋଷଣା କରିଦେଲା। ବୁଦ୍ଧିଆ ମନୁର ସବୁ ପାରିବା ପଣିଆ ଫୁସ୍ ହୋଇଗଲା ଗୋଟେ ଝିଅ ପାଖରେ। ଗୋଲ୍ଡ ମେଡାଲିଷ୍ଟ ମନୁ.. ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିବା ମନୁ.. ଶେଷରେ ରହିଗଲା ଗୋଟେ ଅଫିସର ବାବୁ ହୋଇ।
ମା - ପୁଅଙ୍କୁ ଫସେଇ ଲୈଲା ଏବେ ବଡ କୋଠାର ମାଲିକାଣୀ। ଏବେ ମା - ପୁଅ ଦୁଇଜଣଙ୍କ ଜୀବନ କଟୁଛି ନୀଲୁର ସେବା ହୁକୁମ୍କୁ ପାଳନ କରି କରି। ତେଣୁ ଆପଣ ମାନଙ୍କ ସହିତ ଯେମିତି ଏପରି କିଛି ନ ଘଟିବ ସେଥିପାଇଁ କହୁଛି, ଯେତେବେଳେ ଏମିତି ଲୈଲା ସହିତ ଯଦି ସାମ୍ନା ହୋଇଯିବ, ଆପଣ ଟିକେ ସାବଧାନ ହୋଇଯାଇ ତୌବା ତୌବା କରିନେବେ, ନହେଲେ ଆପଣଙ୍କର ସବୁ ଯୋଗ୍ୟତା ମାଟିରେ ମିଶିଯିବ ଆଉ ଆପଣଙ୍କୁ ବଳି ପଡ଼ିବାକୁ ଥିବା ଛେଳିଟେ ହେବାକୁ ବେଶୀ ସମୟ ଲାଗିବନି।
୨୭,ବ୍ରହ୍ମେଶ୍ୱର ବାଗ, ଟଙ୍କପାଣି ରୋଡ
ଭୂବନେଶ୍ୱର - ୧୮
Go Back to Previous Page
ସ୍ବୀକୃତି
ଦେବସ୍ମିତା ବେହେରା
Read Article
ସରଳତା
ସୁଧାଂଶୁ ଦ୍ବିବେଦୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ