ମୂଳ ହିନ୍ଦୀ-ଡଃ ନରେନ୍ଦ୍ର ଚର୍ତୁବେଦୀ
ଅନୁବାଦ-ଦେବସ୍ମିତା ବେହେରା
ସୁଲଭା କଲେଜରେ ହିନ୍ଦୀ ପଢାଏ। ଶିକ୍ଷାଗତ ଯୋଗ୍ୟତା ପି.ଏଚ.ଡି। କଲେଜରେ ପଢେଇବା ବ୍ୟତୀତ ସେ ଜଣେ ଲେଖିକା। ବିଭିନ୍ନ ପତ୍ର ପତ୍ରିକାରେ ନିୟମିତ ସୁଲଭାର ଲେଖା ପ୍ରକାଶିତ ହୁଏ। ସ୍ୱାମୀ ବଞ୍ଚିଥିବା ବେଳେ, ପିଲାଙ୍କର ପାଠପଢ଼ା ସେ ହିଁ ଦେଖୁଥିଲେ। ହେଲେ ତାଙ୍କ ମୃତ୍ୟୁ ପରେ ଘର ଆଉ ବାହାରର ସବୁ ଦାୟିତ୍ୱ ସୁଲଭାକୁ ହିଁ ଉଠେଇବାକୁ ପଡୁଥିଲା। ବଡପୁଅ ନାନୁ ଇଞ୍ଜିନିୟରିଂ ପଢା ଶେଷ କରି ଏବେ ବାଙ୍ଗାଲୋରରେ ଚାକିରୀ କରୁଛି ଆଉ ସାନ ପୁଅ ଛୋଟୁ ଇଞ୍ଜିନିୟରିଂର ଶେଷ ବର୍ଷରେ ଅଛି।
ନାନୁର ଫୋନ୍ ଆସିଥିଲା ବାଙ୍ଗାଲୋରରୁ। ସେ କିଛି ଦିନ ପାଇଁ ଛୁଟି ନେଇ ଆସୁଥିଲା ଘରକୁ।
ନାନୁର ଆସିବା ଖବରରେ ବହୁତ ଖୁସିଥିଲା ସୁଲଭା। ସେ ନାନୁର ମନ ପସନ୍ଦର ଜିନିଷ ସବୁ କିଣି ଆଣୁଥିଲା କଲେଜରୁ ଫେରିବା ବେଳେ। ତା’ର ମନେ ଅଛି ତା’ର ହାତ ରନ୍ଧା ଖାଇବା ଖାଇବାକୁ ପସନ୍ଦ କରେ ନାନୁ। ଯଦି କୈଣସି ପାର୍ଟିକୁ ଯିବାକୁ ପଡୁଥିଲା, ସେଠୁ ଫେରିବା ପରେ ସେ ଜିଦ୍ କରି କିଛି ନା କିଛି ଖାଇବା ସୁଲଭା ଦ୍ୱାରା ତିଆରି କରେଇ ଖାଉଥିଲା। ଆଉ କହୁଥିଲା, “ମମି ସେଠି ପେଟ ପୁରିଲାନି।”
ତା’ର ଏହି ପଦକ କଥାରେ ଖୁସିରେ ଗଦ୍ ଗଦ୍ ହୋଇ ଯାଉଥିଲା ସୁଲଭା।
ସମୟ କେତେ ଶୀଘ୍ର ବିତିଗଲା ଦିନେ ନାନୁ ସୁଚନା ଦେଲା, “ମମି କମ୍ପାନୀ ତରଫରୁ ଆମ ସହରରେ ଅଫିସ୍ଟେ ଖୋଲିବାକୁ ଯାଉଛି, ବୋଧହୁଏ ମୋର ଟ୍ରାନ୍ସଫର ହୋଇଯାଇପାରେ।”
“ସତରେ..!” ଖୁସିରେ କିଛି ସମୟ ପାଇଁ ନାଚି ଉଠିଲା ସୁଲଭା।
“କଣ ଭାଇ.. ତମେ ସତରେ ଘର ପାଖକୁ ଆସୁଛ..?” ସୁଲଭା ଭଳି ଛୋଟୁ ମଧ୍ୟ ଖୁସିରେ ନାଚି ଉଠିଲା।
“ହଁ..”, ନାନୁ କହିଲା, “ଦରମା ପ୍ୟାକେଜ୍ ଯାହା ଅଛି ସେଇଆ ରହିବ।”
“ତୁମେ ତା’ହେଲେ କେବେ ଆସିବ..?” ଛୋଟୁ ପଚାରିଲା।
“ମାସେ ନ ନେଲେ ଦୁଇମାସ ଲାଗିଯିବ” କହିଲା ନାନୁ।
“ସୁଲଭା କହିଲା, ଠିକ୍ ଅଛି, ତୋ ରୁମ୍ ଆଉ ଡ୍ରଇଂରୁମ୍କୁ ତା’ହେଲେ ନୂଆ ରଙ୍ଗ କରେଇଦେବି।”
“ସେ ସବୁ ହୋଇଯିବ ମମ୍ମି... ଏତେ ଜଲ୍ଦି କ’ଣ ପାଇଁ?” କହିଲା ନାନୁ।
“ଛୁଟିରେ ଘରକୁ ଆସିଲା ନାନୁ। ଦିନେ ନାନୁ କହିଲା, ମମ୍ମି ଆଜି ସନ୍ଧ୍ୟାରେ ମୋର ଜଣେ ସାଙ୍ଗ ଆମ ଘରକୁ ଆସିବ ବୁଲିବାକୁ। ତା’ ନାଁ ହେଲା ଛାୟା।
“କ’ଣ..?” ସୁଲଭା ଟିକିଏ ଚମକି ପଡିଲା।
“ହଁ..ସେ ମୋ ସହିତ କାମ କରେ। ସେ ମୋ ସହିତ ଏମ.ବି.ଏ କରୁଥିଲା। ତା’ ବାପା ବମ୍ବେରେ ପୋଲିସ୍ ଅଫିସର ଅଛନ୍ତି। ଛାୟା ଏହି ସହରକୁ ଆସିଛି ବୋଲି ଫୋନ୍ କରିଥିଲା। ତେଣୁ ମୁଁ ଆଜି ତାକୁ ଆମ ଘରକୁ ଡାକିଛି।”
“ଠିକ୍ ଅଛି!” ସୁଲଭା କଲେଜ୍ ବାହାରିଲା ବେଳକୁ କହିଲା, “ମୁଁ ଫେରିବା ସମୟରେ ରୋଷେଇ ସାମଗ୍ରୀ ସାଙ୍ଗରେ ନେଇ ଆସିବି। ହଁ.., ଆଉ କାହାକୁ ଡାକିନୁ ତ?”
“ଆଉ କାହାକୁ..?”
“ତୋର ଦାଦାଙ୍କୁ?”
“ନା.. ନା.. ଏବେ ତାଙ୍କୁ ଏ ବିଷୟରେ କିଛି କହିନି।”
“ଠିକ୍ ଅଛି..” କହି ସୁଲଭା ଚାଲିଗଲା। ଯେଉଁ ନାନୁ ଆସିବା ମାତ୍ରେ ପ୍ରଥମେ ଦାଦାଙ୍କ ଘରକୁ ଦଉଡି ଯାଉଥିଲା, ସେ ଆଜି ଦାଦଙ୍କ ନାଁ ଶୁଣି ଚୁପ୍ ହୋଇଗଲା! ଟିକିଏ ହସିଦେଲା ମନେ ମନେ ସୁଲଭା।
କଲେଜରେ କୌଣସି କାମରେ ତା’ର ମନ ଲାଗିଲା ନାହିଁ। ତାକୁ ପ୍ରିନ୍ସିପାଲ୍ ଡକେଇଥିଲେ, ହେଲେ ପଛରେ ଯିବ ବୋଲି କହି ସେ ଆଉ ତାଙ୍କ ଚାମ୍ବରକୁ ଗଲାନି। କଲେଜରୁ ଫେରିବା ବେଳେ ପାଠକ ମିଠା ଦୋକାନ ପାଖରେ ଗାଡ଼ିକୁ ପାର୍କ କରି ନାନୁର ପସନ୍ଦର ନମ୍କିନ୍ ଆଉ କିଛି ମିଠା କିଣିଲା। ପାଖ ଦୋକାନରୁ କିଛି ତରକାରୀ ମଧ୍ୟ କିଣି ନେଲା ସେ। ଜଲ୍ଦି ଜଲ୍ଦି ଘରକୁ ଆସି ଦେଖିଲା ବେଳକୁ ଯେଉଁ ନାନୁ ଅଳସୁଆଙ୍କ ପରି ସବୁବେଳେ ଦିୱାନରେ ଶୋଇଥାଏ, ଆଜି ସେ ପୁରା ଡ୍ରଇଂରୁମ୍, ଡାଇନିଙ୍ଗ୍, କିଚେନ୍କୁ ସଫା କରି ସଜେଇ ଦେଇଥିଲା। ଏହା ପୂର୍ବରୁ ତ କେବେ ହେଲେ ଘରକୁ ସଫା କରି ନଥିଲା ନାନୁ! ତା’ ଓଠରେ ଅନାୟାସର ହସ ଖେଳିଗଲା।
“ଲାଗୁଛି ଏବେ ନାନୁ ଦାୟିତ୍ୱବାନ ହୋଇଗଲାଣି।” ଗୁଣୁଗୁଣୁ ହୋଇ କହିଲା ସୁଲଭା। ତା’ର ଠିକ୍ ସେତିକି ବେଳେ ତା’ ସାଙ୍ଗ ଶିବାଙ୍ଗୀର କଥା ମନେ ପଡିଗଲା। ସେ କହିଥିଲା, “ଶୁଣ ଯେତେବେଳେ ପୁଅ ନିଜେ ରୋଷେଇ ଘରେ ପଶି ରୋଷେଇ କରିବାରେ ଆନନ୍ଦ ଅନୁଭବ କରିବାକୁ ଲାଗିବ, ସେତେବେଳେ ବୁଝିଯିବୁ ଯେ ତା’ର କୌଣସି ଝିଅ ସହିତ ଚକ୍କର ଅଛି। ଆଜିକାଲି ପୁଅମାନେ ରୋଷେଇ ଘରକୁ ଯାଇ ଝିଅମାନଙ୍କୁ ସରପ୍ରାଇଜ୍ ଦେବାକୁ ଚାହାନ୍ତି।”
ତା’ହେଲେ କ’ଣ.. ନାନୁ କୌଣସି ଝିଅକୁ ପସନ୍ଦ କରି ସାରିଛି? ମନେ ମନେ ଭାବି ସେ ବାଥରୁମ୍ ଯାଇ ଶାଢୀ ଚେଞ୍ଜକଲା। ଆଜି ବହୁତ ଦିନ ପରେ ତା’ର ଅଙ୍କିତ ମନେ ପଡିଗଲେ।
ଏହି ବାଥରୁମରେ ନିଜର ଶେଷ ନିଃସ୍ୱାସ ତ୍ୟାଗ କରଥିଲେ ଅଙ୍କିତ।
ବାଥରୁମରେ ତାଙ୍କର ଷ୍ଟ୍ରୋକ୍ ହୋଇଥିଲା। “ନାନୁ.. ବାସ୍ କେବଳ ଏତିକି କଥା ସେ ଶୁଣି ପାରିଥିଲା।” କବାଟକୁ ଧକ୍କା ଦେଇ ଖୋଲିବାକୁ ପଡିଥିଲା। କବାଟ ଖୋଲିବା ପରେ ଜଣା ପଡିଲା ହାର୍ଟଆଟାକ୍ ବୋଲି। ହସ୍ପିଟାଲକୁ ନେଲା ବେଳେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରି ସାରିଥିଲେ ଅଙ୍କିତ।
ସେତେବେଳେ ନାନୁ ଆଉ ଛୋଟୁ ସ୍କୁଲରେ ପଢୁଥିଲେ।
ଅଙ୍କିତଙ୍କ ମୃତ୍ୟୁ ପରେ ଯନ୍ତ୍ରବତ୍ ଚାଲୁଥିଲା ସେ। ଶାଶୁ-ଶ୍ୱଶୁର ତା’ ସହିତ ରହୁଥିଲେ। ଦିଅର-ଦିଅରଙ୍କ ସ୍ତ୍ରୀ, ତାଙ୍କ ପିଲାମାନେ, ଆଉ ଅନ୍ୟମାନେ। ଯେତେବେଳେ ଆସନ୍ତି ଏଇଠି ତା’ ପାଖରେ ରୁହନ୍ତି। ଅଙ୍କିତ ମଧ୍ୟ ଏହା ହିଁ ଚାହୁଁଥିଲେ। ନିଜର ବାପା-ମାଙ୍କୁ ବହୁତ ଭଲ ପାଉଥିଲେ ଅଙ୍କିତ। କେବେ ବି ଅଙ୍କିତଙ୍କ ଇଚ୍ଛାର ଅନାଦର କରିନଥିଲା ସୁଲଭା। ଏହି ଛୋଟ ଘରେ ନିଜ ଶାଶୁ-ଶ୍ୱଶୁର ଆଉ ପିଲାମାନଙ୍କ ସହିତ ରହୁଥିଲା ସେ ଅଙ୍କିତଙ୍କ ମୃତ୍ୟୁ ପରେ। ସକାଳୁ ସକାଳୁ ଘରର ସବୁ କାମ ସାରିଦେଇ ସେ କଲେଜ ଯାଏ, ଆଉ ଫେରିବା ବେଳକୁ ଘର ପାଇଁ ଜରୁରୀ ଜିନିଷ ସବୁ କିଣି ନେଇ ଆସେ। ସନ୍ଧ୍ୟାରେ ପୁଣି ରୋଷେଇ କାମରେ ବ୍ୟସ୍ତ ହୋଇଯାଏ।
ନାନୁ କେତେବେଳେ ବଡ ହୋଇଗଲା, ଜଣା ପଡିଲାନି ତାକୁ। ସେ ବମ୍ବେର ଆଇ.ଆଇ.ଟିରୁ ଇଞ୍ଜିନିୟରିଂ କରି ସାରିବା ପରେ ସେଇଠି ଏମ.ବି.ଏ କରି ଚାକିରୀ ପାଇଁ ବାଙ୍ଗାଲୋର୍ ଚାଲିଗଲା, ସତେ ଯେମିତି ତାର ସାଧନା ପୂରା ହୋଇଗଲା। ଅଙ୍କିତ ଯେଉଁ କାମକୁ ଅଧାରୁ ଛାଡି ଚାଲି ଯାଇଥିଲେ, ଆଜି ତାକୁ ସେ ପୁରା କରିଦେଲା। ଶାଶୁ-ଶ୍ୱଶୁରଙ୍କର ଦେହାନ୍ତ ଯେତେବେଳେ ହେଲା ସବୁ କାମ ଏକୁଟିଆ କରିଥିଲା ସୁଲଭା। ଏଇ ଛୋଟ ଘର ତାକୁ ବଡ ଲାଗୁଥିଲା। ବେଳେ ବେଳେ ଛୁଟିରେ ନାନୁ ଘରକୁ ଆସିଲେ ଗହଳି ଚହଳିରେ ପୁରି ଉଠୁଥିଲା ଘରଟା।
ଆଜି ଏତେ ଦିନପରେ, ସୁଲଭାକୁ ଲାଗୁଥିଲା ସତେ ଯେମିତି କୌଣସି ଅଜଣା ବାସ୍ନାର ମହକରେ ପୁଣିଥରେ ତା’ ଘର ମହକୁଛି। ସେ ଆଜି ବହୁତ ଦିନ ପରେ ନିଜ ପସନ୍ଦର ଶାଢୀ ପିନ୍ଧିଲା, ଆଉ ମୁହଁରେ ହାଲ୍କା ମେକଅପ୍ ଟିକିଏ କଲା। ଛୋଟୁ ନିଜର ନୂଆ ଜିନ୍ସ୍ ଆଉ ସାର୍ଟ ପିନ୍ଧିଲା।
ସନ୍ଧ୍ୟା ହେଉ ହେଉ ହଠାତ୍ ଘର ସାମନାରେ ଗୋଟିଏ କାର୍ ଆସି ଅଟକିଲା। ନାନୁ ଥିଲା ବାହାରେ। ସେ ଛାୟାକୁ ଭିତରକୁ ପାଛୋଟି ଆଣିଲା।
ସତରେ ବହୁତ ସୁନ୍ଦର ଥିଲା ଛାୟା। ତାକୁ ଦେଖିଲା ମାତ୍ରେ ତା’ରୂପରେ ମୁଗ୍ଧ ହୋଇଗଲା ସୁଲଭା। ଲମ୍ବା, ପତଳା ଶରୀର, ଗୌର ବର୍ଣ୍ଣ ଆଉ ଟଣା ଟଣା ଗାଢ଼ କଳା ଆଖି। ହାଲୁକା ମେକ୍ ଅପରେ ମଧ୍ୟ ସୁନ୍ଦର ଲାଗୁଥିଲା ଛାୟା।
ନାନୁ ସମସ୍ତଙ୍କ ସହିତ ଛାୟାର ପରିଚୟ କରେଇଦେଲା। ଛାୟା ନଇଁ ପଡି ସୁଲଭାର ପାଦ ଛୁଇଁବାକୁ ଚାହୁଁଥିଲା। ହେଲେ ସୁଲଭା ତାକୁ କୁଣ୍ଢେଇ ପକାଇ ମନା କରି କହିଲା, ଆମ ଘରେ ଝିଅମାନେ ପାଦଛୁଇଁ ମୁଣ୍ଡିଆ ମାରନ୍ତି ନାହିଁ।
“ଆଉ ଛୋଟୁ.. କେମିତି ଅଛ?” ସେ କହିଲା।
ଛୋଟୁ ନିଜ ନାଁ ଶୁଣି ଟିକିଏ ଚମକି ପଡିଲା।
“ମୋତେ ତୁମ ନାଁ ଜଣା ଅଛି, ଏହାକୁ ନିଅ..ଅ।” ସେ ଆଇପଡ୍ ଦେଇ କହିଲା।
“ଏହା କ’ଣ..?”
“ଗିଫ୍ଟ।”
ଛୋଟୁ ନିଜ ଗିଫ୍ଟ ଦେଖି ଖୁସି ହୋଇଗଲା।
ଛାୟା ସହିତ କଥାବାର୍ତ୍ତାରୁ ଜଣା ପଡିଲା ଯେ, ତା’ ବାପାଙ୍କର ପ୍ରମୋଶନ ହେବାର ଅଛି। ବହୁତ ଶୀଘ୍ର ସେ ଆଇ.ପି.ଏସ. ହୋଇଯିବେ। ତା ମା’ ଟିଚର ଅଛନ୍ତି, ଗୋଟିଏ ଭାଇ ଅଛି, ଯିଏ ଏବେ କଲେଜରେ ପଢୁଛି। ସେ ବମ୍ବେରୁ ଇଞ୍ଜିନିୟରିଂ କରିଛି, କିନ୍ତୁ ଏମ.ବି.ଏ. ସେ ନାନୁ ସହିତ କରିଛି। ନାନୁ ଆଉ ସେ ଏକା କମ୍ପାନୀରେ ଚାକିରୀ କରୁଛନ୍ତି।
ଶାନ୍ତ ଥିଲା ସୁଲଭା। ମନେ ମନେ ଭାବିଲା, ଭଲ ହେଲା ଏବେ ପିଲାମାନେ ନିଜେ ସବୁ କିଛି ଠିକ୍ କରିନେଉଛନ୍ତି। ଏହି କାମରୁ ତାକୁ ମୁକ୍ତି ମିଳିଗଲା। ହେଲେ.. ସେତିକିବେଳେ ଛାୟା ନାନୁର ରୁମରେ ଡ୍ରେସ୍ ଚେଞ୍ଚ କରିବା ପାଇଁ ଯାଇ ସେଇଠି ଅଟକି ଗଲା। ନାନୁର ରୁମରୁ କିଚେନକୁ ଆସିବା ବାଟରେ ଗୋଟିଏ ବାଥରୁମ୍ ଥିଲା, ଯାହାର କବାଟ ନାନୁ ରୁମରେ ଖୋଲୁଥିଲା। ଆଉ ଦ୍ୱିତୀୟ କବାଟଟା କିଚେନ୍ ପଟେ। ଡାଇନିଙ୍ଗ୍ ଟେବୁଲରୁ କପ୍ ପ୍ଲେଟ୍ ଉଠେଇଲା ବେଳେ ସୁଲଭା ଶାଢୀରେ କିଛି ସସ୍ ଢଳିଗଲା। ଏହା ଦେଖି ସେ ଚମକି ପଡି ତୁରନ୍ତ ବାଥରୁମ ଯାଇ ଶାଢୀକୁ ସଫା କରିବାକୁ ଲାଗିଲା।
କିଛି ଶବ୍ଦ ଶୁଭିଲା ତାକୁ। ଧ୍ୟାନ ଦେଇ ଶୁଣିବାରୁ ଜାଣିପାରିଲା ଯେ ଏହା ଛାୟାର ସ୍ୱର ବୋଲି।
“ନାନୁ, ଏହି ଛୋଟ ଘରେ ଆମେ କେମିତି ରହିପାରିବା?”
“ନାନୁଁ ଚୁପ୍ଥିଲା।”
ଶୁଣ, ଆମକୁ ବଡ ଫ୍ଲାଟ୍ ମିଳିବ କମ୍ପାନୀ ତରଫରୁ। ତୁମେ ଏବେ ଫ୍ଲାଟ୍ ପାଇଁ ଆପ୍ଲାଇ କରିଦିଅ। ଫ୍ଲାଟ୍ ମିଳିବାକୁ ଦୁଇ-ତିନ ମାସ ଲାଗିଯିବ। ମୁଁ ବାପାଙ୍କ ସହିତ କଥା ହୋଇଯିବି। ସେ ସେହି ଫ୍ଲାଟ୍କୁ ଠିକ୍ଠାକ୍ କରିଦେବେ। ଫର୍ନିଚର ସବୁ ସେହି ଫ୍ଲାଟ୍କୁ ଆସିଯିବ। ମା’ କହୁଥିଲେ “ଆଜିକାଲି ବିଲଡର୍ସମାନେ ଘରକୁ ସଜା-ସଜ୍ଜି କରି ଦେଉଛନ୍ତି ବୋଲି।”
“ହୁଁ, ହେଲେ ଛାୟା..”
“ଦେଖ, ଆମେ ଏତେ ଦିନ ହେଲାଣି ଏକାଠି ରହୁଛେ। ଆଉ ରହିଲା ବାହାଘର କଥା, ସେ ବିଷୟରେ ବାପା ଆସି ତୁମ ମା’ଙ୍କ ସହିତ କଥା ହୋଇଯିବେ। ଅକ୍ଟୋବର ମାସର ତାରିଖ ଅଛି। ତୁମ ମା’ ଆଉ ଭାଇକୁ ବେଶୀ କିଛି କରିବାକୁ ପଡିବ ନାହିଁ। ବାପା କହିଛନ୍ତି, ସେ ସବୁ କିଛି କରିଦେବେ।”
ସୁଲଭା ଆଉ ବାଥରୁମର ନଳକୁ ଖୋଲି ପାରିଲା ନାହିଁ। କିଛିକ୍ଷଣ ପାଇଁ ତା’ ମୁଣ୍ଡ ବୁଲେଇଦେଲା ପରି ଲାଗିଲା। ଏଇଠି.. ଏଇଠି ଅଙ୍କିତ ପଡି ଯାଇଥିଲେ, ଆଉ ତା’ ପରେ ନିଜକୁ ସମ୍ଭାଳି ପାରି ନଥିଲେ। ସେ କ’ଣ ଏତେ ବଡ ଝଡକୁ ଏକା ସମ୍ଭାଳି ପାରିବ! ତାକୁ ଲାଗିଲା, ସତେ ଯେମିତି ଅଙ୍କିତ ସାମ୍ନାରେ ଥିବା ଦର୍ପଣରୁ ତାକୁ ଦେଖୁଛନ୍ତି, “ନା.. ସୁଲଭା.. ନା.., ହୋଶରେ ଆସ, ତୁମକୁ ଏବେ ବହୁତ କିଛି କରିବାକୁ ଅଛି।”
ସୁଲଭା ଚୁପ୍ଚାପ୍ ମୁହଁ ଧୋଇ ବାଥରୁମରୁ ବାହାରି ଆସିଲା।
ସାମ୍ନାରେ ଦିୱାନ ଥିଲା, ଛୋଟୁ ଆଉ ଛାୟା ସେଠି ବସି ଟି.ଭି. ଦେଖୁଥିଲେ। ନାନୁ ନିଜ ରୁମରେ ଥିଲା। ସୁଲଭା ସିଧା ତା’ରୁମ୍ ଆଡକୁ ଚାଲିଲା ଆଉ କହିଲା, ନାନୁ ତୁ ଏବେ ବଡ ହୋଇଗଲୁଣି। କାଲିକି ତୋ ବାହାଘର ହେବ। ମାନୁଛି ଏଇ ରୁମ୍ଟା ତୋର, ହେଲେ ଛୋଟୁ ଏବେ ଏଇଠି ପଢୁଛି। ଯଦି କିଛି ଖରାପ ନ ଭାବୁ, ତତେ ଗୋଟେ କଥା କହିବି। ତୁ ନିଜ କମ୍ପାନୀରେ କଥାବାର୍ତ୍ତା କରିଦେଖ। ଯଦି ସେମାନେ ଫ୍ଲାଟ୍ ଦେଉଚନ୍ତି, ତା’ହେଲେ ନେଇଯା। ଯେମିତି ଏ ଘର ତୋର, ସେମିତି ସେ ଘର ମଧ୍ୟ ତୋର ହେବ। ଆମେ ମଝିରେ ମଝିରେ ତୁମକୁ ଦେଖା କରିବାକୁ ସେଠିକି ଯିବୁ ଆଉ ତୁମେ ମାନେ ଦେଖା କରିବାକୁ ଏଠିକି ଆସିପାରିବ।
କ’ଣ..? ଆଶ୍ଚର୍ଯ୍ୟ ହୋଇଗଲା ନାନୁ। କ’ଣ ମମ୍ମି ଛାୟାର କଥା ଶୁଣି ଦେଲେ କି? ସେ ସୁଲଭାକୁ ଧ୍ୟାନର ସହିତ ଦେଖିଲା। ହେଲେ ସେହି ଶାନ୍ତ ସରୋବରରେ କୌଣସି ପ୍ରକାରର ହଲଚଲ୍ ନଥିଲା। ଅଙ୍କିତଙ୍କୁ ମୌନ ସ୍ୱୀକୃତି ଦେଇ ସମ୍ପୂର୍ଣ୍ଣ ଭାବରେ ଜୀବନ ସଂଗ୍ରାମରେ ଯୋଦ୍ଧାଟିଏ ହୋଇ ଲଢିବାକୁ ସ୍ଥିର କରିସାରିଥିଲା ସୁଲଭା।
୨୧୭, ଭୋଇ ନଗର, ବାୟାବାବା ମଠ ଲେନ
ଭୁବନେଶ୍ୱର-୨୨
Go Back to Previous Page
ଅନ୍ତିମ ସଂସ୍କାର
ଦୀପକ ଷଡ଼ଙ୍ଗୀ
Read Article
ଉଫ୍... ଇୟେ ଲୈଲା..
ମଧୁସ୍ମିତା ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ