ମୂଳ ହିନ୍ଦୀ ରଚନା : ମୁନସୀ ପ୍ରେମଚନ୍ଦ୍
ଓଡ଼ିଆ ଭାବାନୁବାଦ : ଦୀପକ ଷଡଙ୍ଗୀ
[ଲେଖକ ପରିଚୟ : ମୁନସୀ ପ୍ରେମଚନ୍ଦ୍ (୧୮୮୦ -୧୯୩୬) ହେଉଛନ୍ତି ଜଣେ ବିଖ୍ୟାତ ହିନ୍ଦୀ ଏବଂ ଉର୍ଦ୍ଦୁ ସାହିତ୍ୟର ଯୁଗ ସ୍ରଷ୍ଟା ଗାଳ୍ପିକ ଓ ଔପନ୍ୟାସିକ। ତାଙ୍କ ଦ୍ବାରା ଲିଖିତ ଉପନ୍ୟାସ ଗୋଦାନ୍, ନିର୍ମଲା, ରଙ୍ଗଭୂମି, କାୟାକଳ୍ପ, ଗବନ୍ ଇତ୍ୟାଦି ହିନ୍ଦୀ ଓ ଉର୍ଦ୍ଦୁ ସାହିତ୍ୟର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ। ଉପନ୍ୟାସ ବ୍ୟତୀତ ସେ ବହୁତ ଗୁଡିଏ କ୍ଷୁଦ୍ରଗଳ୍ପ ମଧ୍ୟ ରଚନା କରିଥିଲେ ଯେପରି ପଞ୍ଚ ପରମେଶ୍ବର, ବଡେ ଭାଇ ସାହାବ୍, ଦୂର୍ଗା କୀ ମନ୍ଦିର୍ ଆଦି। ପ୍ରଦତ୍ତ ଗଳ୍ପଟି ୧୯୩୬ ମସିହାରେ ତାଙ୍କ ଦ୍ବାରା ରଚିତ ଶେଷ ଗଳ୍ପ “କଫନ୍”ର ଏକ ଭାବାନୁବାଦ। ]
ଘିଶୁ ଚମାର ଆଉ ତା ପୁଅ ମାଧିଆ ବାପା ପୁଅ ଦୁଇ ଜଣ ଯାକ ପକା ଅଳସୁଆ। କିଛି କାମ କରନ୍ତି ନାହିଁ ଘରେ ବସି ଖାଲି ଖାଇବେ ଓ ଶୋଇବେ। ମାଧିଆ ସ୍ତ୍ରୀ ଚମ୍ପା ଘର ଭିତରେ ପ୍ରସବ ବେଦନାରେ ଛଟପଟ ହଉଥାଏ। ଏପଟେ ଘିଶୁ ଆଉ ତା ପୁଅ ମାଧିଆ କଥାବାର୍ତ୍ତା ହଉଥାଆନ୍ତି। ଘିଶୁ କହିଲା “ଆରେ ଯାଉନୁ ଦେଖିବୁ ସେ ଛୁଆ ଜନ୍ମ କଲା କି ନାଇଁ? ଏତେ ଜୋରରେ ଚିତ୍କାର କରୁଛି ଯେ ଲାଗୁଛି ଯେ ଆଉ ଟିକେ ପରେ ମରିଯିବ। ତୁ ଯାଉନୁ ଦେଖିବୁ କଣ ହେଲା ତା’ର?” ମାଧିଆ ମୁଣ୍ଡଟାକୁ ଟୁଙ୍ଗାରି ଦେଇ କହିଲା “ମରିଯାଉ ସେ ତା’ କଷ୍ଟ ଆଉ ମୁଁ ଦେଖି ପାରୁନି” ଏତିକି କହିଦେଇ ମାଧିଆ ଚୂଲିରେ ଆଳୁ ପୋଡ଼ିବାକୁ ଲାଗିଲା।
ବାପପୁଅ ଦୁଇଜଣ ଦିନେ କାମକୁ ଗଲେ ତିନିଦିନ ସେଇ ପଇସାରେ ଚଳିଯାଆନ୍ତି। ସବୁଆଡୁ ଧାରକରଜରେ ବୁଡିକି ରହି ଥାଆନ୍ତି। ଲୋକମାନେ ବି ବହୁତ ଗାଳି ଗୁଲଜ କରନ୍ତି; କିନ୍ତୁ ଲୋକଙ୍କ କଥାରେ ବାପପୁଅଙ୍କର କିଛି ଖାତିର ନ ଥାଏ। ଯେବେ ଠାରୁ ଚମ୍ପା ବୋହୁ ହୋଇ କି ଆସିଲାଣି ସେବେ ଠାରୁ ଝଗଡାଝାଣ୍ଟି କରାଇ ବାପପୁଅ ଦୁଇଜଣଙ୍କୁ ବଡ କଷ୍ଟରେ କାମକୁ ପଠାଏ। ଘିଶୁର ସ୍ତ୍ରୀ ଏ ବାପପୁଅଙ୍କ ଜାଳା ସହିନପାରି ଦଶବର୍ଷ ହେଲାଣି ଆରପାରିକୁ ଚାଲିଗଲାଣି।
ଚମ୍ପାର ପ୍ରସବ ବେଦନା ସେମିତି ହେଉଥାଏ। ଏପଟେ ବାପପୁଅ ଦୁଇଜଣ ଚୁଲିରେ ଆଳୁକୁ ପୋଡି ଭାତ ସହ ଲଗେଇ ଖାଇଦେଇ ଆରାମରେ ଘର ବାରଣ୍ଡାରେ ଶୋଇ ପଡିଲେ। ସକାଳୁ ଉଠି ଦେଖନ୍ତି ତ ଚମ୍ପା ଗର୍ଭଯନ୍ତ୍ରଣା ସହି ନ ପାରି ମରିଯାଇଛି ଏବଂ ପେଟ ଭିତରେ ଥିବା ତା ପିଲାଟା ବି ନଷ୍ଟ ହୋଇଯାଇଛି।
ଏବେ ବାପପୁଅ କରିବେ କ’ଣ? ଦୁଇଜଣଙ୍କ ମୁଣ୍ଡରେ ଚଡକ ପଡିଲା। ସଂସ୍କାର କରିବା ପାଇଁ ତ ପାଖରେ କାଣୀକଉଡିଟିଏ ବି ନାହିଁ। ଏମିତି ଚିନ୍ତା କରି କରି ଯାଇ ସେମାନେ ଗାଁ ମହାଜନ ପାଖରେ ପହଞ୍ଚିଲେ। ଗାଁ ମହାଜନ ଏ ବାପପୁଅ ଦୁଇ ଜଣଙ୍କୁ ଠିକ୍ ଚିହ୍ନିଛି। ବାପପୁଅ ଦୁଇଜଣଙ୍କୁ ଦେଖି ମହାଜନ ପଚାରିଲେ “କିରେ ଘିଶୁ କଣ ହେଲା? ଏତେ ସକାଳୁ ସକାଳୁ ମାଧିଆକୁ ଧରି କୁଆଡେ ଆସିଛୁ? ଘିଶୁ ଚମାର କାନମୁଣ୍ଡା ଆଉଁସି ଆଉଁସି ବଡ କାକୁତିମିନତି ହେଇ କହିଲା, “ଆଜ୍ଞା! କାଲି ରାତିରେ ବୋହୁଟା ପିଲା ଜନ୍ମ କରି ନ ପାରି କଷ୍ଟ ସହି ମରିଗଲା। ଆମ ପାଖରେ ତ ଖାଇବା ପାଇଁ ପଇସା ନାହିଁ, ଆଉ ତା’କୁ ପୋଡିବୁ କେମିତି? ଆପଣ ଯଦି କିଛି ପଇସା ସାହାଯ୍ୟ କରନ୍ତେ ତେବେ ବଡ ଧର୍ମ ହୁଅନ୍ତା ଆପଣଙ୍କର” ମହାଜନ ବାପପୁଅ ଦୁଇଜଣଙ୍କୁ ଟିକେ ସନ୍ଦେହ ଦୃଷ୍ଟିରେ ଦେଖିଲା ବେଳକୁ ଏତିକି ବେଳେ ମାଧିଆ ବିକଳ ହେଇ କାନ୍ଦି କାନ୍ଦି ମହାଜନଙ୍କ ଗୋଡ ଧରି ପକେଇଲା ଆଉ କହିଲା “ସାଆନ୍ତେ! ଆମକୁ କିଛି ପଇସା ସାହାଯ୍ୟ କରନ୍ତୁ, ନ ହେଲେ ମୋ ସ୍ତ୍ରୀର ଶବ ସତ୍କାର ବି ହେଇ ପାରିବନି” ମହାଜନ କହିଲେ “ହଉ ହଉ ଉଠ୍ ଏଇ ନେ ଦଶ ଟଙ୍କା” ଘିଶୁ ହାତକୁ ଟଙ୍କା ବଢେଇ ଦେଇ କହିଲେ, “ଯା ବୋହୁର ସଂସ୍କାର କାମଟା ଶୀଘ୍ର ସାରି ଦେ” ବାପପୁଅ ମହାଜନଙ୍କ ଠାରୁ ଦଶ ଟଙ୍କା ପାଇଗଲେ, ସେମିତି ଘର ଘର ବୁଲି ବୋହୁ ମରିବା କଥା କହି ଗାଁ ବାଲାଙ୍କ ଠାରୁ ମଧ୍ୟ ଆହୁରି ଦଶ ଟଙ୍କା ସେମାନେ ସଂଗ୍ରହ କରି ନେଲେ। କିଛି ଗାଁ ଲୋକ ଶବ ସତ୍କାର ପାଇଁ କାଠ, ଘିଅ, ବାଉଁଶ ଇତ୍ୟାଦି ଅବଶ୍ୟକୀୟ ସାମଗ୍ରୀ ଯୋଗାଡ ବି କରିଦେଲେ। ତା’ପରେ ଗାଁ ବାଲା ବାପପୁଅଙ୍କୁ କହିଲେ “ତୁମେ ମାନେ ଏବେ ଯାଅ ଗାଁ ହାଟରୁ ଶବକୁ ଘୋଡେଇବା ପାଇଁ ନୂଆ ଧଳାଲୁଗା ଗୋଟେ ନେଇ ଆସିବ। ତମେମାନେ ଆସିବା ପରେ ଶବକୁ ସେଥିରେ ଘୋଡେଇ କି ନେଇ ଗାଁ ମସାଣିରେ ପୋଡି ଦେବା” ଗାଁ ବାଲାଙ୍କ କଥା ମାନି ବାପପୁଅ ଚାଲିଲେ ସେଇ ପଇସାକୁ ଧରି ଗାଁ ହାଟକୁ ନୂଆ ଲୁଗା କିଣିବା ପାଇଁ। ହାଟ ବୁଲୁବୁଲୁ ବାପପୁଅଙ୍କ ନଜର ପଡିଲା ମଦ ଦୋକାନ ଉପରେ; ଘିଶୁ ମାଧିଆକୁ କହିଲା “ଆରେ ଆମ ପାଖରେ ତ କୋଡିଏ ଟଙ୍କା ଅଛି। ଚାଲ୍ ପାଞ୍ଚଟଙ୍କାର ଟିକେ ମାରିଦେବା, ଅବଶିଷ୍ଟ ପଇସାରେ ଆମେ ଲୁଗା କିଣିବା” ବାପା କଥାରେ ରାଜି ହୋଇଗଲା ମାଧିଆ। ଦୁଇଜଣ ଯାକ ପାଞ୍ଚଟଙ୍କାର ମଦ ପିଇ ସାରିବା ପରେ ମାଧିଆ ଆଖି ପଡିଲା ପାଖ ମିକ୍ସଚର ଦୋକାନ ଉପରେ ସେ ତା ବାପାକୁ କହିଲା “ବାପା! ଖାଲି ମଦ ପିଇଲେ ଜମା ଭଲ ଲାଗିଲାନି, ଚାଲ ମଦ ସହ ଟିକେ ମିକ୍ସଚର ମିଶେଇକି ଖାଇବା ଓ ପିଇବା” ଘିଶୁ ସଙ୍ଗେସଙ୍ଗେ ଆଉ ପାଞ୍ଚ ଟଙ୍କାର ମଦ ଓ ମିକ୍ସଚର ନେଇ ଆସି ପିଇକି ଚୁର୍ ହେଇଗଲେ ବାପପୁଅ ଦୁଇଜଣ। ମଦ ନିଶା ଟିକେ ଖସିବାରୁ ମାଧିଆ କହିଲା “ଚମ୍ପାପାଇଁ ଲୁଗା ନବାପରା, ସେପଟେ ଗାଁ ବାଲା ଆମକୁ ଅପେକ୍ଷା କରି ବସି ଥିବେ ଯେ, ଆମେ ଲୁଗା ନେଇ କି ଗଲେ ଚମ୍ପାର ଶବ ପୋଡା ହବ।” ଘିଶୁ ଚମାର ମଦ ନିଶାରେ ଚୁର୍ ହେଇ କହିଲା, “ହେ ଛାଡ୍ ସେ ଲୁଗାଫୁଗା କଥା, ଲୁଗା ନେଇ କି ଗଲେ ଚମ୍ପା କ’ଣ ତାକୁ ପିନ୍ଧିବ? ତା ଉପରେ ଖାଲି ଘୋଡା ହବ ଆଉ ଶେଷରେ ଗାଁ ବାଲା ତା ସହ ସେ ଲୁଗାକୁ ବି ପୋଡି ଦେବେ। ତେଣୁ ତା ପାଇଁ ଆଉ ଲୁଗା ନବା ଦରକାର ନାହିଁ। ଆଉ ଯୋଉ ବଳକା ଟଙ୍କା ରହିଲା ଚାଲ୍ ଆମେ ଆଉ ଟିକେ ପିଇ ଦବା ଓ ପେଟ ଭରି କି ଖାଇ ଦେବା। ଚମ୍ପାର ଇଛା ଥିଲା ଯେ ଆମେ ସବୁବେଳେ ଭଲରେ ଖାଇପିଇ କି ରହୁ, ତେଣୁ ସେ ମଲା ପରେ ଆମକୁ ତା’ର ଶେଷ ଇଛାକୁ ପୂରଣ କରିବାକୁ ପଡିବ କି ନାହିଁ?” ମାଧିଆ ସବୁ ବୁଝିଗଲା ପରି ମୁଣ୍ଡ ଟୁଙ୍ଗାରି ହଁ ଭରିଲା ଓ ବଡ ବିବ୍ରତ ହେଇ ପଚାରିଲା, “କିନ୍ତୁ ଆମେ ନ ଗଲେ ଚମ୍ପାର ଶବକୁ ପୋଡିବ କିଏ?” ଘିଶୁ ହସିହସି କହିଲା, “ତୁ ଜମା ବ୍ୟସ୍ତ ହଅନା, ଯୋଉ ଲୋକମାନେ ଏତେ ପଇସା ଓ ସବୁ ସାମଗ୍ରୀ ଯୋଗେଇ ସାରିଲେଣି ସେମାନେ କଣ ଏତେବେଳ ଯାଏଁ ଆମ ଲୁଗା ଆଣିବାକୁ ଅପେକ୍ଷା କରି ଶବକୁ ରଖି ବସିଥିବେ। ସେମାନେ ସବୁ କାମ ସାରି ଦେବେଣି” ତା’ପରେ ଘିଶୁ ଓ ମାଧିଆ ଅବଶିଷ୍ଟ ପଇସାରେ ଆଉ ଦୁଇ ବୋତଲ ମଦ କିଣି ପିଇକି ନିଶାରେ ଟଳମଳ ହେଇ ସେଇ ମଦ ଦୋକାନ ଆଗରେ ଥିବା ନର୍ଦ୍ଦମା ଭିତରେ ଗଳି ପଡିଲେ।
ସହକାରୀ ଅଧ୍ୟାପକ
ରୋଲାଣ୍ଡ୍ ଫାର୍ମାସୀ ମହାବିଦ୍ୟାଳୟ
ଖୋଡାସିଙ୍ଗି, ବ୍ରହ୍ମପୁର-୧୦
Go Back to Previous Page
ଏଡ଼୍ସ
ଶୁଭକାନ୍ତ ଦାସ
Read Article
ସ୍ବୀକୃତି
ଦେବସ୍ମିତା ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ