ସମୟ ଦିନ ସାଢ଼େ ବାରଟା। ଯଦୁପୁର ଯଦୁପୁର ବୋଲି ବସ ହେଲ୍ପର୍ ଜୋରରେ ଡାକିଲା। ବସ ପଛ ସିଟରେ ବସିଥିବା ବିକାଶ ତରବର ହୋଇ ଆଗେଇଲା ବସ ଡୋର ଆଡକୁ। ବସରେ ବହୁତ ଗହଳି । ଦୁଇଟା ବଡ଼ ବଡ଼ ବ୍ୟାଗ ଭିଡ଼ ଭିତରେ ହାତରେ ଧରିଯିବା ଯେଉଁ କଷ୍ଟ ସେ କଷ୍ଟ ବିକାଶ ପାଇଁ ନୂଆ ଥିଲା। ହେଲେ ମୁଁ ବସରେ ବେଶି ଯିବା ଆସିବା କରେ। ଗାଁ ବସରେ ଭୁବନେଶ୍ବରରୁ ଗାଁକୁ ଗଲା ବେଳେ ବସ ସବୁବେଳେ ଭିଡ଼ ଥାଏ। ଦୁଇଟା ବ୍ୟାଗ ଧରି ଓହ୍ଲେଇବା ଏତେ କଷ୍ଟ ଓହଃ... ମୋର ଏବେ ବି ମନେଅଛି। ବିକାଶ ବସର ଗେଟ ପାଖରେ ଠିଆହୋଇ ଦେଖୁଥିଲା ବାହାର ରାସ୍ତାକୁ। ଯଦୁପୁର ବସଷ୍ଟପରେ ଓହ୍ଲେଇଲା ବିକାଶ।
ଯଦୁପୁର ଆସିବାର କାରଣ ତା ଚାକିରୀରେ ପରିବର୍ତ୍ତନ। ନୂଆକରି ପୋଷ୍ଟମାଷ୍ଟର ଚାକିରୀ ପାଇବା ପରେ ଭୁବନେଶ୍ବର ସହିଦ ନଗର ପୋଷ୍ଟ ଅଫିସରେ କାମ ଆରମ୍ଭ ହୁଏ। କିଛି ଦିନ ପରେ ତା’ର ବଦଳି ହୁଏ ଯଦୁପୁରକୁ। ଯଦୁପୁର ଗୋଟେ ସବ ପୋଷ୍ଟଅଫିସ। ବିକାଶ ଏ ଜାଗାରେ ନୂଆ। ବସ ଷ୍ଟାଣ୍ଡରୁ ଓହ୍ଲେଇ କେମିତି ଓ କୁଆଡ଼େ ଯିବାକୁ ହୁଏ ସେ ଜାଣିନଥିଲା। ଅନତି ଦୂରରେ ଥିବା ପାନ ଦୋକାନକୁ ଯାଇ ସେ ପଚାରିଲା, “ଆଚ୍ଛା! ଭାଇ ଯଦୁପୁର ପୋଷ୍ଟ ଅଫିସ ଏଇଠୁ କେତେବାଟ? ଆଉ କେମିତି ଯିବି?” କ୍ୟାବିନ ଭିତରେ ଗୁଣଗୁଣୁ ହୋଇ ପାନରେ ଚୂନ ମାରୁଥିବା ଦୋକାନୀ କହିଲେ, “ପୋଷ୍ଟ ଅଫିସ? ତିନି କିଲୋମିଟର ହେବ” ତା’ପରେ ମୁଣ୍ଡ ଟେକି ଚାହିଁଲେ ଓ ପୁଣି କହିଲେ, “ଆପଣ ଏଠି ନୂଆ କି?” ବିକାଶ ‘ହଁ’ କହି ଆଗେଇଛି ଅଟୋଷ୍ଟାଣ୍ଡ ଆଡ଼େ। ଅଟୋଷ୍ଟାଣ୍ଡରେ ଠିଆହୋଇ ଥିବା କିଛି ଅଟୋବାଲାଙ୍କ ଭିତରୁ ବିକାଶ ପାଖକୁ ଜଣେ ଆସି ପଚାରିଲା, “ସାର, କୁଆଡ଼େ ଯିବେ?” ବିକାଶ କହିଲା, “ପୋଷ୍ଟ ଅଫିସ, କେତେ ନେବ?” ଅଟୋ ଡ୍ରାଇଭର କହିଲା, “ସତୁରି, ଯିବେ?” ବିକାଶ ପାଖେ ଆଉ ଚାରା ନଥିବାରୁ ସେ ବସିଗଲା ଅଟୋରେ।
ଅଟୋରେ ବସି ସେ ଗାଁର କିଛି ଦୃଶ୍ୟକୁ ଦେଖୁଥିଲା। ଗାଁରେ ଚଳି ନଥିବା ବିକାଶ ଗାଁର ତାଳ ଗଛ, ଖାଲ ଢିପ ରାସ୍ତା ଓ ବିଲ ବଣକୁ ଭଲ ଭାବରେ ଆଖି ପୁରେଇ ଦେଖୁଥିଲା। କିଛି ସମୟ ପରେ ମାଟି ରାସ୍ତା ଅତିକ୍ରମ କରି ଅଟୋ ଆସି ପହଁଚିଲା ଗୋଟେ ଛୋଟ ବଜାରରେ। କିଛି ଦୋକାନକୁ ଅତିକ୍ରମ କଲାପରେ ବିକାଶ କହିଲା, “ଭାଇ ଏଠି ଟିକେ ରଖିବ” ଅଟୋ ରହିଲା ମୁଁ ଯାଇ ପାଖ ଦୋକାନରୁ ବିସ୍କୁଟ, ମିକ୍ସଚର କିଣି ଆଣିଲି। ଅଟୋ ପୁଣି ଷ୍ଟାର୍ଟ ହେଲା। ଅଟୋ ଡ୍ରାଇଭର ଅଟୋକୁ କିଛି ବାଟ ଆଗେଇ ନେଇ ବିକାଶକୁ ପ୍ରଶ୍ନ କଲେ, “କୁଣିଆଙ୍କ ଘରକୁ ଆସିଛନ୍ତି ବୋଧେ?” ବିକାଶ କହିଲା, “ନାଇଁ ନାଇଁ ଏ ପୋଷ୍ଟ ଅଫିସକୁ ଆସିଛି ପୋଷ୍ଟ ମାଷ୍ଟର ହୋଇ।” ବିକାଶ କଥା ଶୁଣି ଅଟୋ ଡ୍ରାଇଭର କାହିଁକି କେଜାଣି ଅଟୋରେ ଲାଗିଥିବା ଦର୍ପଣରେ ବିକାଶକୁ ଦେଖିଲା ସେକଥା ବିକାଶ ବୁଝିପାରିଲା ନାହିଁ
ବଜାର ସରିଗଲା। ଦଶମିନିଟ ପରେ ଅଟୋ ଯାଇ ପହଁଚିଲା ପୋଷ୍ଟ ଅଫିସ ଆଗରେ। ଅଟୋ ଡ୍ରାଇଭରକୁ ଟଙ୍କା ଦେଇ ବିକାଶ ଆଗେଇଲା ପୋଷ୍ଟ ଅଫିସ ଆଡକୁ। ଭଲ ସୁନ୍ଦର ଘର। ଯଦୁପୁର ସବ୍ ପୋଷ୍ଟ ଅଫିସ ପିନ- ୭୫୨୪୩୫। ବିକାଶ ଭିତରକୁ ଗଲା। କିଛି ବୁଢା ଲୋକ ଡାକ ସଂଞ୍ଚୟ ଖାତା ଧରି ବସିଥାନ୍ତି। ଜଣେ ଲୋକ ଚିଡ଼ି ଚିଡ଼ି ହୋଇ କରୁଥାଏ କାମ। କିଛି ଲୋକଙ୍କୁ କହୁଥାଏ ଲିଙ୍କ ନାହିଁ ପରେ ଆସ। ସେପଟେ ପାର୍ସଲ ହୋଇ ଆସିଥିବା କିଛି ଜିନିଷକୁ ଦେଖୁଥାଏ। ବିକାଶକୁ ବସିଥିବା ବୁଢ଼ାମାନେ ଦେଖୁଥାନ୍ତି। ସେ ଲୋକଟି ବିକାଶକୁ ଦେଖି ପଚାରିଲା, “ଯଦି ପାସ ବୁକରେ ଟଙ୍କା ବାନ୍ଧିବାର ଅଛି ତେବେ ଟିକେ ପରେ ଆସନ୍ତୁ ଏବେ ଲିଙ୍କ ନାହିଁ।” ବିକାଶ କଂପ୍ୟୁଟର ପାଖରେ ଥିବା ମୋଡ଼େମକୁ ଦେଖିଲା। ସେଠି ଲିଙ୍କ ଅଛି, ହେଲେ ଏ ଲୋକଟି ଲୋକମାନଙ୍କୁ ମିଛ କାହିଁକି କହୁଛି। ହଁ ଯଦି ମିଛ କହିଛି ତେବେ ସେ ବସି ରେଷ୍ଟ ନେବା କଥା ହେଲେ, ସେ ଏପଟ ସେପଟ ହେଇ କାମ କରୁଛି। ବିକାଶ ଠାରୁ କିଛି ଉତ୍ତର ନପାଇ ସେ ଯାଇ ପୁଣି କିଛି ଚିଠିକୁ ସଜେଇବାରେ ଲାଗିଲା। “ମୁଁ, ବିକାଶ ପ୍ରଧାନ। ଏ ପୋଷ୍ଟ ଅଫିସକୁ ପୋଷ୍ଟମାଷ୍ଟର ହୋଇ ଆସିଛି” ବିକାଶ ଜଣେଇଲା ସେ ଲୋକକୁ। ବିକାଶର କଥା ନସରୁଣୁ ସେ ହଠାତ ଠିଆ ହୋଇ କହିଲା, “ସାର, ନମସ୍କାର। ମୁଁ ଜାଣି ପାରିଲି ନାହିଁ।” ପୋଷ୍ଟ ଅଫିସରେ ଲାଗିଥିବା କାଠ ବ୍ୟାରିକେଡରୁ ବାହାରି ବିକାଶର ବ୍ୟାଗକୁ ନେଇ ରଖିଦେଲା ଟେବୁଲ ଉପରେ। ବିକାଶ ତା ସିଟରେ ବସି ପ୍ରଥମେ କିଛି ଡାଟା ଚେକ୍ କଲା। ତା’ପରେ ଠିଆ ହୋଇଥିବା ଲୋକଙ୍କ କାମ କରିବାରେ ଲାଗିଲା। ସେ ବିକାଶ ପାଇଁ ପାଣି ଗ୍ଲାସ୍ ନେଇ ଆସି ସାରିଥିଲା। ବିକାଶ ମଧ୍ୟ ଶୋଷିଲା ଥିଲା।
ଗ୍ଲାସ୍ଟେ ଥଣ୍ଡା ପାଣି ଜଣେ ଶୋଷିଲା ଲୋକପାଇଁ ଅମୃତ ଠାରୁ ବଡ। ପାଣି ପିଇ ସାରି ବିକାଶ ପୁଣି ବ୍ୟସ୍ତ ହୋଇଗଲା କାମରେ। ସେ ଲୋକଟି ବିକାଶ ପାଖେ ଠିଆ ହୋଇ କହିଲା, “ସାର ମୁଁ ଟୁକୁନା। ଏ ପୋଷ୍ଟ ଅଫିସର ପିଅନ। ଆଉ ଜଣେ ବି ପିଅନ ଅଛି ସେ ଚିଠି ବାଣ୍ଟିବାକୁ ଯାଇଛି। ଆଛା ସାର ଆଜି ଆପଣ ଏଠି ରହିବେ ତ?” ବିକାଶ କହିଲା, “ଆଜି ନୁହେଁ ଟୁକୁନା ମୁଁ ଯେତେ ଦିନ ଯାଏଁ ଏ ପୋଷ୍ଟ ଅଫିସରେ କାମ କରିବି ଏଇଠି ହିଁ ରହିବି।” ପ୍ରଥମ ଦିନ ବହୁତ କାମ ବ୍ୟସ୍ତରେ କଟିଲା। ଧୀରେ ଧୀରେ ପୋଷ୍ଟ ଅଫିସକୁ ଆସୁଥିବା ଏଜେଣ୍ଟ, ନିୟମିତ ବ୍ୟକ୍ତିଙ୍କ ସହିତ ଚିହ୍ନା ହେଲା।
ବିକାଶ ଯଦୁପୁର ପୋଷ୍ଟ ଅଫିସ ଆସିବାର ଚାରିଦିନ ହେଲାଣି। କାଲି ଅଫିସ ଛୁଟି। ବିକାଶ ଟୁକୁନାକୁ କହିଲା, “ଆଛା ଟୁକୁନା! ଏଠି କିଛି ବୁଲିବା ଜାଗା ଅଛି କି? ଅଫିସ ଆଉ କ୍ବାର୍ଟରରେ ରହି ରହି ମୁଁ ଅଣନିଶ୍ବାସୀ ହେଇଗଲିଣି। କାଲି ଆମେ କୁଆଡେ ଯାଆନ୍ତେ ବୁଲିବାକୁ? କଣ କହୁଛ?” ଟୁକୁନା କିଛି ସମୟ ନିରବ ରହି କହିଲା, “ସାର ବୁଲିବାକୁ ଯିବେ ତ? କାଲି କାହିଁକି ଆଜି ଯିବା। ମହେନ୍ଦ୍ରପୁର ଯଦୁପୁରକୁ ଲାଗିଛି ସେଠି ଏବେ ଦାସକାଠିଆ ଚାଲିଛି। ଆଜି ଯିବା ଦେଖି ଆସିବା।” ଟୁକୁନାର କଥା ବିକାଶକୁ ଭଲ ଲାଗି ନଥିଲା। ଦାସକାଠିଆ ସେଟା ପୁଣି କଣ। ପିଲା ବେଳୁ ସହରରେ ବଢ଼ିଥିବା ବିକାଶ ପାଲା, ଦାସକାଠିଆ ଛାଡ଼ନ୍ତୁ ଓଡ଼ିଆ ଫିଲ୍ମ ଦେଖିନି। ଏମିତି ଭାବୁ ଭାବୁ ଟୁକୁନା ପୁଣି ପ୍ରଶ୍ନ କଲା, “କଣ ସାର ଯିବେନି?” ବିକାଶ କହିଲା, “ଦାସକାଠିଆ ମୁଁ ଆଗରୁ କେବେ ଦେଖିନି ଭଲ ଲାଗିବ?” ଟୁକୁନା କହିଲା, “ହଁ ସାର ଭଲ ଗାୟକ ଆସିଛନ୍ତି ଭଲ ଲାଗିବ। ତା’ପରେ ଏ ସୁଯୋଗ ସବୁବେଳେ ମିଳେନି।” ବିକାଶର ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ହଁ କରିଥିଲା ଟୁକୁନା କଥାରେ।
ସଂଧ୍ୟା ଛଅଟା। ବିକାଶ ପାଖେ ବାଇକ ନାହିଁ କେମିତି ଯିବି। ଟୁକୁନାକୁ ଅପେକ୍ଷା କରିଥାଏ। ଟୁକୁନା ଆସିଲା। ବିକାଶ ଟୁକୁନାକୁ ପଚାରିଲା, “ଆଛା ଆମେ କେମିତି ଯିବା? କେତେ ବାଟ ଏଠୁ? ଅଟୋ ମିଳିବ କି?” ଟୁକୁନା କହିଲା, “ସାର ଅଟୋ ମିଳିବନି। ଅଟୋ ପାଇଁ ବସଷ୍ଟାଣ୍ଡ ଯିବାକୁ ହେବ। ଆପଣ ମୋ ସାଇକେଲରେ ବସନ୍ତୁ।” ବିକାଶ କହିଲା, “ସାଇକେଲ! ମୁଁ ପିଲାଦିନେ ବସିଥିଲି” ସେ କହିଲା, “ସାର କେତେ ଡାକ ପାର୍ସଲ ବୋହିଛି ଏ ସାଇକେଲରେ। କେତେ ଲୋକଙ୍କୁ ନେଇଛି ଏ ସାଇକେଲ, କିଛି ହେବନି ଆପଣ ବସନ୍ତୁ।”
ବିକାଶ ଡରୁଥିଲେ ମଧ୍ୟ ସାଇକେଲରେ ବସିଲା। ଟୁକୁନାର ବଡ଼ ହିରୋ ସାଇକେଲର ପଛପଟ କ୍ୟାରିୟରରେ ବସିଲା। ସାଇକେଲ ଗୋଟେ ଅପ୍ରୀତିକର ଶବ୍ଦ କରି ଗଡ଼ି ଚାଲିଲା ମାଟି ଖାଲ ଢିପ୍ ରାସ୍ତାରେ। ପ୍ରାୟ ପନ୍ଦର ମିନିଟ ପରେ ସେମାନେ ପହଞ୍ଚିଲେ ମହେନ୍ଦ୍ରପୁର ଗାଁରେ। ସେମାନେ ପହଁଚିବା ପୂର୍ବରୁ ଦାସକାଠିଆ ଆରମ୍ଭ ହୋଇଯାଇଥିଲା। ଲୋକମାନେ ରୁଣ୍ଡ ହୋଇଥିଲେ।
ଗୋଟେ ଛୋଟ ମଞ୍ଚ ଉପରେ ଦୁଇଜଣ ବ୍ୟକ୍ତି ଦାସକାଠିଆ ପରିବେଷଣ କରୁଥିଲେ। ବିକାଶ ପାଇଁ ଚେୟାର ବ୍ୟବସ୍ଥା କରିଦେଇଥିଲା ଟୁକୁନା। ଦୁଇଜଣ ବ୍ୟକ୍ତି ପାରମ୍ପରିକ ବସ୍ତରେ ବିମଣ୍ଡିତ। ବେକରେ କିଛି ମାଳା ଝୁଲୁଛି। ମୁଣ୍ଡରେ ପଗଡ଼ି ସାଙ୍ଗକୁ ଗୋଡ଼ରେ ଘୁଘୁଂର। ବଡ଼ ବଡ଼ ମେଡ଼ାଲ ଦୁଇଟା ପଡ଼ିଛି ବେକରେ। ଗାୟକ ଗାଇଉଠିଲେ, “ବନ୍ଦ ଥରେ ମୁଢ଼ ମାନସରେ, ବୀଣାପାଣି କୋ....... ବନ୍ଦ ଥରେ। ପାଳିଆ ମଧ୍ୟ ପାଳି ଧରୁଥାନ୍ତି। ଦାସକାଠିଆର ଆବାଜ ବିକାଶକୁ ଭଲ ଲାଗୁନଥିଲା। ସେ ନିରୁପାୟ ହୋଇ ଦେଖୁଥିଲା। କିଛି ସମୟ ପରେ ସେ ମୋବାଇଲ ବାହାର କରି ସେଥିରେ ଗେମ ଖେଳିବାକୁ ଲାଗିଲା। ବହୁତ କଷ୍ଟରେ ସେଦିନ ପୋଗ୍ରାମ ସରିଲା। ବିକାଶ ଫେରି ଆସିଲା କ୍ବାର୍ଟରକୁ। କାହିଁକି କେଜାଣି ତାକୁ ଲାଗୁଥିଲା ସେ ଦାସକାଠିଆ ଗାୟକ ଏବେ ବି ତା କାନ ପାଖେ ଗୀତ ଗାଉଛନ୍ତି। କାଲି ଅଫିସ ଛୁଟି। ଖଟଉପରେ କିଛି ସମୟ ଏପଟ ସେପଟ ହେବା ପରେ ତାକୁ ନିଦ ଆସି ସାରିଥିଲା। ଅଫିସରେ ବହୁତ କାମ ବ୍ୟସ୍ତ ଟିକିଏ ସମୟ ମିଳେନି କିଛି ସମୟ ବସି ଶାନ୍ତିରେ ବିତେଇବାକୁ। ବିକାଶକୁ ମଝିରେ ମଝିରେ ଲାଗେ କିଛି ଚାକିରୀ ମିଳୁନଥିଲା ବୋଲି ସେ ଟେନସନରେ ଥିଲା। ଆଉ ଆଜି ତା ପାଖେ ଟେନସନ ଅଛି ଆଉ ଚାକିରୀ ବି। ଏମିତି କିଛି ଦିନ କଟି ଗଲାଣି। ଧିରେ ଧିରେ ସହରକୁ ଭୁଲି ଗାଁର ଚାଲିଚଳଣିରେ ତାକୁ ଚଳିବାକୁ ପଡୁଛି। ସେଦିନ, ସେ ସକାଳ ସାଢ଼େ ୯ଟାରେ ଅଫିସ ଆସୁଥାଏ। ଗୋଟେ ଜାଗାରେ ବହୁତ ଭିଡ଼। ସେ ମଧ୍ୟ ସେ ଭିଡ଼ ଆଡ଼େ ମୁହାଁଇଲା। ଜଣେ ମଧ୍ୟବୟସ୍କ ବ୍ୟକ୍ତି ଶେଷ ନିଶ୍ୱାସ ତ୍ୟାଗ କରି ପଡ଼ି ରହିଥିଲେ କିଛି ରକ୍ତ ମାଂସ କଳା ପିଚୁ ରୋଡ଼ ଉପରେ ପଡ଼ିଛି। ଲୋକମାନେ କହୁଛନ୍ତି ରାତିରେ ଚୋରା ଚାଲାଣ ହେଉଥିବା ପଥର ଗାଡ଼ି ଧକ୍କାରେ ସେ ବ୍ୟକ୍ତିଙ୍କର ମୃତ୍ୟୁ। ସେ ବ୍ୟକ୍ତିଙ୍କୁ ଅବଶ୍ୟ ସେ କେତେଥର ଦେଖିଛି। ମନକୁ ବହୁତ କଷ୍ଟ ହେଲା।
ଏ ଭିତରେ ଚାରିମାସ ବିତିଗଲାଣି। ଧୀରେ ଧୀରେ ଦାସକାଠିଆ, ପାଲା ଓ ରାତି ଅନିଦ୍ରା ହୋଇ ଅପେରା ଦେଖିବା ଏମିତି କିଛି ଅଭ୍ୟାସ ତାର ହେଇଗଲାଣି। ଟୁକୁନାକୁ ସାଙ୍ଗରେ ନେଇ ବିକାଶ ବାହାରି ଯାଏ ପାଖ ଗାଁକୁ। ସେଠି ଦେଖେ ଦଣ୍ଡନାଚ, ଧୂଡୁକି ଇତ୍ୟାଦି। ବିକାଶର ଦେହ ଟିକେ ଖରାପ ଅଛି। ଚାରିଦିନ ହେଲାଣି ଥଣ୍ଡା ଛାଡ଼ୁନି। ପାଖରେ ଥିବା ମେଡିସିନ ଷ୍ଟୋରରୁ ଯେତେ ମେଡିସିନ ଖାଇଲେବି ଦେହ ଭଲ ହେବାର ନାଁ ନାହିଁ। ବିକାଶ ଭାବିଛି କିଛି ଦିନ ପାଇଁ ଭୁବନେଶ୍ବର ଯିବ। ଟୁକୁନା ଆସି ପହଁଚିଛି କହିଛି, “ସାର ଦେହ କେମିତି ଅଛି?” ବିକାଶଠୁ କିଛି ଉତ୍ତର ନପାଇ ସେ ପୁଣି କହିଲା, “ସାର ଚାଲନ୍ତୁ, ଆମେ ଗୋଟେ ଜାଗାକୁ ଯିବା। ସେଠିକି ଗଲେ ଆପଣଙ୍କ ଦେହ ଭଲ ହେଇଯିବ।” ଗାଁଠୁ ଟିକେ ଦୂରରେ ଥିବା ଗୋଟେ ଭଙ୍ଗାମନ୍ଦିର ପାଖକୁ ସେମାନେ ଗଲେ କିଛି ଲୋକ ଜମା ହୋଇଥାନ୍ତି। ସେଠି କୁଆଡ଼େ ଗୋଟେ ଲୋକ ପାଖକୁ ମା ଭୂଆଶୁଣି ଆସୁଛନ୍ତି। କେତେ ଲୋକଙ୍କ ଦେହ ଭଲ ହେଉଛି, କେତେ ସମସ୍ୟାରୁ ମୁକ୍ତି ମିଳୁଛି ଇତ୍ୟାଦି। ବେକରେ ମନ୍ଦାରମାଳ ପକାଇ ମୁଣ୍ଡରେ ସିନ୍ଦୁର ଓ ଶାଢ଼ୀ ପିନ୍ଧି ଜଣେ ବ୍ୟକ୍ତି ଡେଉଁ ଥିଲେ। ଢୋଲ, ଘଣ୍ଟ ଓ ହୁଲୁହୁଳି ଶବ୍ଦରେ ସେ ଜାଗା ଫାଟି ପଡୁଥିଲା। ବିକାଶକୁ ଭଲ ଲାଗୁନଥିଲେ ମଧ୍ୟ ସେ ଯାଇ ମୁଣ୍ଡିଆ ମାରିଲା ମାଆ ଭୂଆଶୁଣିଙ୍କୁ। ବିକାଶକୁ କିଛି ଫୁଲ ଓ କଦଳୀ ଖାଇବାକୁ ଦେଲେ କାଳସୀ। ପଚା କଦଳୀ ଓ ଫୁଲକୁ ଖାଇବାକୁ ମନାକରିଥିଲା ବିକାଶ। ଲୋକମାନେ ବାଧ୍ୟ କରିବାରୁ ସେ କଦଳୀ ଖାଇଲା। ସେଦିନ ସେଠାରୁ ଫେରିଆସିଥିଲା ବିକାଶ। କିଛି ଦିନ ପରେ ତା’ଦେହ ଭଲ ହେଇ ଯାଇଥିଲା। ପୋଷ୍ଟ ଅଫିସ ପାଖରେ ଗୋଟେ ମାଛ ଦୋକାନ ଥିଲା ଶ୍ରୀ ଜଗନ୍ନାଥ ମାଛ ଦୋକାନ। ଆଉ ସେ ଏବେ ସେଠି ଗୋଟେ ବ୍ରୟଲର ଦୋକାନ ଖୋଲିଲା। ଦୋକାନ ନାଁ ଟା ଭଲ ଲାଗୁନଥିଲା ବିକାଶକୁ। ଠାକୁରଙ୍କୁ ବିଶ୍ବାସ କରୁନଥିବା ବିକାଶ ଏବେ ଠାକୁରଙ୍କୁ ଭକ୍ତି କରେ, ମୁଣ୍ଡିଆମାରେ।
ପାଲା ଦାସକାଠିଆ ଶୁଣି ଓ ଦେଖିକି ତାର ଠାକୁରଙ୍କ ଉପରେ ଜ୍ଞାନ ହେଲାଣି। ସେ ପାଲାରୁ ଶୁଣିଛି ଯେ ଠାକୁର ସାତ୍ତ୍ବିକ, ନିରାମିଷ ଏବଂ ସତ୍ୟରେ ଦେଖା ଦିଅନ୍ତି। ହେଲେଁ ପାଖରେ ଥିବା ବ୍ରୟଲର ଦୋକାନୀ ସେ ବିତ ଜଗନ୍ନାଥକୁ ଡାକେ। ତା ଦୋକାନରେ ସିଏ ଜଗନ୍ନାଥଙ୍କ ଫୋଟୋ ମଧ୍ୟ ରଖିଚି। ଆଉ ସେଇଠି କୁକୁଡ଼ା କଟିକି ବିକୁଛି। କାହିଁକି କେଜାଣି ଗୋଟେ ଦିନ ବିକାଶ ଗଲା ସେ ବ୍ରୟଲର ଦୋକାନକୁ । କାନ୍ଥରେ ଝୁଲୁଥିବା ଜଗନ୍ନାଥଙ୍କ ଫୋଟୋରେ ଜଗନ୍ନାଥଙ୍କ ମୁହଁ ଆଉ ଦେଖା ଯାଉ ନଥିଲା। ଦେଖା ଯାଉଥିଲା କୁକୁଡ଼ା ରକ୍ତର ଛିଟା। କୁକୁଡ଼ା କାଟିବା ସମୟରେ ଚ୍ଛିଟିକୁ ଥିବା ରକ୍ତ ଜଗନ୍ନାଥଙ୍କ ଫୋଟୋ ଉପରେ ପଡୁଛି। ବିକାଶ ବୁଜି ପାରୁନଥିଲା ଏ କି ପ୍ରକାର ଭକ୍ତି। ଗୋଟେ ପଟେ କାଳସୀ ହୁକୁମ ଦେଉଥିବା କଥାକୁ ଲୋକମାନେ ମାନି ତାକୁ ପୂଜା କରୁଛନ୍ତି। ଆଉ ଗୋଟେ ପଟେ ଜଗନ୍ନାଥଙ୍କ ଫୋଟୋରେ ରକ୍ତର ଛିଟା। ଗୋଟେ ବଡ଼ ଗୋଲକ ଧନ୍ଦାରେ ପଡି ଯାଇଥିଲା ବିକାଶ ।
ଟୁକୁନା ଆସି ଡାକୁ ଥିଲା, “ସାର ଆଜି ସଂକ୍ରାନ୍ତି ମନ୍ଦିର ଯିବେନି ?”
ରତନପୁର ଶାସନ , କୁହୁଡ଼ି ଖୋର୍ଦ୍ଧା ମୋ - ୭୦୦୮୬୫୮୭୭୦
ଇମେଲ - rkdash1996@gmai.com
Go Back to Previous Page
ଶୂନ୍ୟ ହୃଦୟରେ
ମନୋରଞ୍ଜନ ମୁଦୁଲି
Read Article
ଏଡ଼୍ସ
ଶୁଭକାନ୍ତ ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ