ଭାବର ଠାକୁର ସେ... ଅନ୍ତରରେ ଟିକିଏ ଭାବିଲେ ଖୋଜି ଖୋଜି ଚାଲି ଆସନ୍ତି ଭାବଗ୍ରାହୀ ଲୀଳାମୟସେ... ସବୁ ଲୀଳା ତ ତାଙ୍କର। ଏପ୍ରିଲ ମାସ ଶେଷ, ମେ ମାସ ଏକ ତାରିଖ ଦୁଇହଜାର ପନ୍ଦର ମସିହା। ଲୀଳାମୟଙ୍କର ବଡ଼ ବିଚିତ୍ର ସେହି ନବକଳେବରର ଲୀଳାର ସମୟ। ସାରା ଓଡ଼ିଶା କାହିଁକି, ପୁରା ବିଶ୍ୱର ପ୍ରମୁଖ ଖବର ଚାଲିଥାଏ ଜଗତ ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କର ପବିତ୍ର ନବକଳେବର। ପୁରୀ କେନାଲ ହଂସପାଳ ଜାତୀୟ ରାଜପଥ ଅନତି ଦୂରରେ ମୋର ଘରକାମ ପ୍ରାୟ ଶେଷ ହୋଇ ଆସିଥାଏ। ଘର ଓ ପାଚେରୀ କାମ ତଦାରଖ କରିବାକୁ ମୁଁ ରାଉରକେଲାରୁ ଭୁବନେଶ୍ୱର ଯାଏ। କିଛିଦିନ ଆଗରୁ ଭୁବନେଶ୍ୱରର ଅନତି ଦୂରରୁ ମା ସୁଭଦ୍ରାଙ୍କର ଦାରୁ ସଂଗ୍ରହ ହେଇ ଶଗଡରେ ପୁରୀ ପହଞ୍ଚି ସାରିଥିଲା। ଶାରଳା ପୀଠ ନିକଟରୁ ବଡ଼ଠାକୁର ବଳଭଦ୍ରଙ୍କର ଦାରୁ ପୂଜା ଯଥା ବିଧି ପୂଜାଅର୍ଚ୍ଚନା ହୋଇ ଦାରୁ ଛେଦନ ପରେ ଶଗଡରେ ଶ୍ରୀକ୍ଷେତ୍ର ଅଭିମୁଖେ ଅଗ୍ରସର। ଗ୍ରୀଷ୍ମର ପ୍ରକୋପରୁ ବନଯାଗ ସେବାୟତମାନେ ଦାରୁ ଶଗଡ଼କୁ ଦିବାସମୟରେ ଦେବାଳୟ ନିକଟରେ ରଖି ବିଶ୍ରାମ ନିଅନ୍ତି। ସନ୍ଧ୍ୟାପରେ ପୁଣି ଦାରୁ ଶଗଡ ନେଇ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରୀକ୍ଷେତ୍ର ଅଭିମୁଖେ।
ମେ ମାସ ଆରମ୍ଭ, ସନ୍ଧ୍ୟାପରେ ପରେ ପାହାଳ ଜଗନ୍ନାଥ ମନ୍ଦିର ପାଖରୁ ଆରମ୍ଭ ସେ ଦିନର ବଳଭଦ୍ରଙ୍କର ଦାରୁ ଶୋଭାଯାତ୍ରା। ସକାଳୁ ସକାଳୁ ମୁଁ ଭୁବନେଶ୍ୱର ଘରେ ପହଞ୍ଚିବା ପରେ ମୋ ସ୍ତ୍ରୀ କହିଲେ ଆଜି ଏଇ ଆମ ହଂସପାଳ ଛକ ଦେଇ ବଡଠାକୁର ବଳଭଦ୍ରଙ୍କର ଦାରୁଶଗଡ ଯିବ। ସେହି ସୌଭାଗ୍ୟ ଆଜି ଦେଖିବାକୁ ମିଳିବ ଭାବି ଖୁସି ହୋଇଥିଲି। ସନ୍ଧ୍ୟା ଯେମିତି ପାଖେଇ ଆସୁଥିଲା ମନ ମଧ୍ୟ ସେତିକି ଛଟପଟ ହେଉଥାଏ। କେତେବେଳେ ସେ ଦାରୁଦର୍ଶନ ମିଳିବ। ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା କିଏ ହଠାତ କହିଲା ଆଉ ଅଳ୍ପ ସମୟରେ ଦାରୁଶଗଡ଼ କେନାଲ ଛକରେ ପହଞ୍ଚିବ। ସଙ୍ଗେ ସଙ୍ଗେ ଦୌଡ଼ି ଆସିଲୁ କେନାଲ ଛକ ପାଖକୁ। ଆମ ପରି ଅନେକ ମଧ୍ୟ ଦାରୁଦର୍ଶନ ପାଇଁ ଆସିଥିଲେ। ପହଞ୍ଚିଲା ପରେ ଶୁଣିଲୁ ଦାରୁ କେନାଲ ଛକରେ ପହଞ୍ଚିବାକୁ ଅନେକ ଡେରି ହେବ। ପ୍ରାୟ ରାତିବାରଟା ହୋଇପାରେ। ମୋ ସ୍ତ୍ରୀ କହିଲେ ଏତେ ଡେରି ଯଦି ହେବ ତା’ହେଲେ ଖିଆପିଆ ଶେଷକରି ସେ ସମୟକୁ ଆସିବା। ଉଭୟ ଘରକୁ ଫେରିଲୁ। ରାତ୍ରିଭୋଜନ ଶେଷକରି ପ୍ରାୟ ସାଢ଼େ ନଅଟା ସମୟରେ ମୋ ସ୍ତ୍ରୀର ମୋବାଇଲରେ ଏକ କଲ୍ଆସିଲା ତାଙ୍କ ମହିଳା ପଡୋଶୀବନ୍ଧୁଙ୍କ ଠାରୁ। ସେ କହିଲେ ଦାରୁଶଗଡ଼ ଅଳ୍ପ ସମୟ ଭିତରେ କେନାଲ ଛକରେ ପହଞ୍ଚିବ। ଧଡ଼ପଡ଼ ହୋଇ ଦୁହେଁ ବାହାରି ଆସିଲୁ। ଅନ୍ଧାରରେ ପ୍ରାୟ ଏକ କିଲୋମିଟର ରାସ୍ତା କେନାଲ ଛକ ଜାତୀୟ ରାଜପଥ ମୋ ଘରଠାରୁ। ପହଞ୍ଚି ଦେଖିଲୁ ପ୍ରାୟ ଆହୁରି ଏକ କିଲୋମିଟର ଦୂରରେ ଦାରୁଶଗଡର ଶୋଭାଯାତ୍ରା କେନାଲଛକରେ ପହଞ୍ଚିବା ପାଇଁ ବାକି। ଅଦ୍ଭୁତ ଅବର୍ଣ୍ଣନୀୟ ଦୃଶ୍ୟ। ନିଜେ ନ ଦେଖିଲେ ସେ ଦେବଦୁର୍ଲଭ ଦୃଶ୍ୟକୁ ଅନୁଭବ ଛଡ଼ା ଭାଷାରେ ପ୍ରକାଶ କରିବା ସହଜ ନୁହେଁ। ପ୍ରାୟ ଏକ କିଲୋମିଟର ଦୂରରେ ରାଜପଥ ସେ ଦୃଶ୍ୟ ରାତିରେ ଦେଖିବାକୁ ମୁଁ ରାସ୍ତାର ଧାରରେ ଏକ ନାଲି ଗୋଡି ମୋରମ ଗଦା ଉପରେ ଠିଆ ହୋଇ ଚାହିଁ ରହିଲି। ଦାରୁ ଶୋଭାଯାତ୍ରା ଯେତେ ପାଖେଇ ଆସୁଥାଏ ମନରେ ଏକ ଅଦ୍ଭୁତ ପୁଲକ ଘନୀଭୂତ ହେଉଥିଲା। ରାଜପଥ ମଝିରେ ଦାରୁଶଗଡ। ସୁସଜ୍ଜିତ ପାଟ୍ଟବସ୍ତ୍ରରେ ପୁଷ୍ପ ବିମଣ୍ଡିତ ସୁଗନ୍ଧିତ ଧୂପର ମହକ। ପବିତ୍ର ଜାଗତୀକ ବ୍ରତରେ ବନଯାଗ ସେବାୟତ ଶଗଡକୁ ଟାଣି ଟାଣି ନେଉ ଥିଲେ। ଆଗରେ ପଛରେ ନୀଳ ଓ ଶୁଭ୍ର ବିଜୁଳି ଆଲୋକର ଏକ ଅପୂର୍ବ ମିଶ୍ରଣ। ସତେ ଯେମିତି ଚନ୍ଦ୍ର ସୂର୍ଯ୍ୟ ମିଳିତ ହୋଇ ଅମାବାସ୍ୟାରେ ଜ୍ୟୋସ୍ନା ଆଉ ରଶ୍ମି ପ୍ରକାଶ ଅକୁଣ୍ଠିତ ଚିତ୍ତରେ ଢାଳି ଦେଉଛନ୍ତି। ଆକାଶରେ ଏକ ବିଚିତ୍ର ଅବର୍ଣ୍ଣନୀୟ ଦୃଶ୍ୟ। କୋଟି କୋଟି ତାରାଫୁଲରେ ସମ୍ପୂର୍ଣ୍ଣ ଆକାଶ ଆଚ୍ଛାଦିତ। ମନେହୁଏ ସତେ ଯେମିତି ଦେବଗଣ ଆକାଶମାର୍ଗରୁ ପୁଷ୍ପ ବୃଷ୍ଟି କରିବାପାଇଁ ପ୍ରସ୍ତୁତ ଅଛନ୍ତି। ହଜାର ହଜାର ସଂଖ୍ୟାରେ ପକ୍ଷୀମାନଙ୍କର କଳରବ ରାତି ଏଗାରଟା ସମୟରେ। ଶହ ଶହ ଧବଳରଙ୍ଗର ବଗପକ୍ଷୀ ଆକାଶରେ ଧାଡ଼ି ଧାଡ଼ି ହୋଇ ସୁନ୍ଦର ତାଳରେ ପକ୍ଷବିସ୍ତାର କରି ଉଡ଼ି ବୁଲୁଥାନ୍ତି। ଶୁଭ୍ରନୀଳ ଆଲୋକରେ ସେହି ପକ୍ଷୀମାନଙ୍କ ଶୋଭା ଦ୍ବିଗୁଣିତ ହୋଇ ଯାଇଥିଲା। ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ନିଃସ୍ତବ୍ଦ ରାତିରେ ଏତେ ପକ୍ଷୀଙ୍କ କଳରବ ଆଉ ଏତେ ସଂଖ୍ୟାରେ ଧଳା ବଗ ଆସିଲେ କୁଆଡୁ। ଶଙ୍ଖ ଘଣ୍ଟା ମୃର୍ଦଙ୍ଗ ହରିବୋଲ ହୁଳହୁଳି ଶବ୍ଦରେ ଆକାଶ ବତାସ ପ୍ରକମ୍ପିତ। ଆଗରେ ଓ ପଛରେ ପୋଲିସ ଗାଡି। ଶହ ଶହ ପୋଲିସ ଶାନ୍ତିଶୃଙ୍ଖଳା ପାଇଁ ନିୟୋଜିତ। ଆକଶବାଜି ଶବ୍ଦରେ ମେଦିନୀ ପ୍ରକମ୍ପିତ। ଜେନେରେଟର ଗାଡି ଆଗ ଓ ପଛରେ ସମ ବ୍ୟବଧାନରେ ଚାଲିଥାଏ। ଦାରୁ ଶୋଭାଯାତ୍ରା ଯେତେ ପାଖକୁ ମାଡ଼ି ଆସୁଥିଲା ମନରେ ଦର୍ଶନ ଆବେଗ ସେତେ ବଢି ଯାଉଥାଏ। ଭକ୍ତ, ଭକ୍ତି, ଭାବ ଓ ଭଗବାନଙ୍କର ଅପୂର୍ବ ମିଳନ। ଦାରୁଶଗଡର ଆଗରେ କିଏ ଆବେଗରେ ଅଧୀର ହୋଇ ନୃତ୍ୟକରୁଛି ତ କିଏ ଚିତ୍ରଶିଳ୍ପୀ ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ ଆଙ୍କି ଦେଉଛି ତ କିଏ ପଞ୍ଚରଙ୍ଗ ମୁରୁଜରେ ଶଗଡ଼ର ପଥରେ ଅନନ୍ୟ କଳା ନମୁନା ପ୍ରଦର୍ଶନ କରି ଚାଲିଛି। ଦାରୁଶଗଡ଼ ସ୍ପର୍ଶ ନିଃଷେଧ ହେତୁ ଶହ ଶହ ସଂଖ୍ୟାରେ ନାରୀ ପୁରୁଷ ନୂତନ ପାଟବସ୍ତ୍ର ରାଜରାସ୍ତାର ପଥରରେ ପାତି ଦେଉଥିଲେ ସେ ଶଙ୍କର୍ଷଣଙ୍କ ଉଦ୍ଦେଶ୍ୟରେ। ଦାରୁଶଗଡ ପାଖେଇ ଆସିଲା ଠିକ୍ ମୁଁ ଯେଉଁ ମୋରମ ଗଦା ଉପରେ ଥିଲି, ସେଠାରେ ରାଜରାସ୍ତାର କେନାଲ ପୋଲ ପାଖରେ କିଛିକ୍ଷଣ ପାଇଁ ଅଟକିଲା। ଅପୂର୍ବ ଦେବଦୁର୍ଲଭ ଦୃଶ୍ୟ, ଦେହରେ ନବ ଶିହରଣ ଅନୁଭବ ହେଉଥିଲା। ହୃଦୟରେ ଏକ ପୁର୍ଣ୍ଣତା ଅନୁଭବ ହେଉଥିଲା। ଆଖିରେ ଆନନ୍ଦ ଅଶ୍ରୁ ଆସି ଯାଇଥିଲା। ନିର୍ବାକ ହୋଇ ଚାହିଁ ରହିଥାଏ। ଚତୁର୍ଦ୍ଦିଗ ଏକ ନୂତନ ଦିବ୍ୟ ହରିହର ପରିବେଶ ମନେହେଉଥିଲା। କିଛିକ୍ଷଣ ପାଇଁ ଦାରୁଶଗଡ ରହି ପୁଣି ଶଗଡ ଟାଣିଲେ। କେତେ ସମୟ ଶଗଡ ଅଟକିଲା ମୋର କିଛି ଧାରଣା ନଥିଲା। ଜଳ ଜଳ ହୋଇ ଚାହିଁ ରହିଥିଲି ସେ ଅପୂର୍ବ ଲୀଳାମୟଙ୍କର ଯାଗତିକ ଦୃଶ୍ୟକୁ। ସୁସଜ୍ଜିତ ସେ ଦାରୁଶଗଡ ଯେତେ ଆଗକୁ ଗଡି ଚାଲିଥାଏ ମୋର ଆନନ୍ଦ ଅଶ୍ରୁଳ ଚକ୍ଷୁ ଦୁଇଟାର ଗତି ପ୍ରସାରିତ ହୋଇ ଯାଉଥାଏ।
କିଛିକ୍ଷଣ ପରେ ମୋ ସ୍ତ୍ରୀର ହାତସ୍ପର୍ଶରେ ମୋ ଭାବ ସମାଧିର ଅନ୍ତଘଟିଲା। ସେ କହିଲା ଚାଲ ଘରକୁ ଯିବା। ମୁଁ ସାମାନ୍ୟ ଇତସ୍ତତଃ ହୋଇ ଆଗକୁ ବଢିଲି। ଦୁଇପାଦ ଆଗକୁ ବଢୁ ନ ବଢୁଣୁ ମୋ ସ୍ତ୍ରୀ ହଠାତ ଅଟକିଗଲା, କହିଲା ଏ କଣ ତୁମ ଦେହରୁ ଚନ୍ଦନର ବାସ୍ନା ଆସୁଛି। ପୁଣି ମୋର ବାମପଟକୁ ଘୁରି ବାମବାହୁକୁ ଶୁଙ୍ଘିଲା.... ହଁ... ସାରା ଦେହରୁ ତୁମର ଚନ୍ଦନର ବାସ୍ନା ଆସୁଛି। ମୋତେ ମଜାରେ କହୁଛି ଭାବିଲି। ବାରମ୍ବାର କହିବାରୁ ମୁଁ ମୋର ଡାହାଣ ଓ ବାମବାହୁକୁ ଶୁଙ୍ଘି ପରୀକ୍ଷା କଲି। ସତେତ....!ଚନ୍ଦନର ଅଦ୍ଭୁତ ବାସ୍ନା। ଏତେ ସୁନ୍ଦର ହୃଦୟସ୍ପର୍ଶୀ ସେ ମଧୂର ବାସ୍ନା ଜୀବନରେ ପ୍ରଥମ ଅନୁଭବ କରିଥିଲି। ଚାଲି ଚାଲି ଦୁଇଜଣ ଘରକୁ ଫେରିଲୁ। ଶଯ୍ୟାରେ ଶୋଇବା ପର୍ଯ୍ୟନ୍ତ ମୋ ସ୍ତ୍ରୀ ପ୍ରାୟ ତିନିଚାରିଥର ପରଖୁଥିଲା ସେ ଅପୂର୍ବ ସୁଗନ୍ଧକୁ। ସାରାରାତି ସେଇ ଅପୂର୍ବ ସୁଗନ୍ଧ ହୃଦୟରେ ତଥା ଶରୀରରେ ଅନୁଭବ କରୁଥିଲି। ସକାଳୁ ଯଦିଓ ସାମାନ୍ୟ ଚନ୍ଦନର ବାସ୍ନା ଥାଏ କିନ୍ତୁ ହୃଦୟରେ ଭର୍ତ୍ତି ହୋଇ ରହିଥିଲା ସେ ଦେବଦୁର୍ଲଭ ଅପୂର୍ବ ଅନୁଭୂତି। ମନେମନେ ଶତକୋଟି ପ୍ରଣାମ କରୁଥିଲି ସେ ବଡ଼ଠାକୁର ବଳିଆର ଭୁଜକୁ। ହେ ମହାବାହୁ ପାଦ ପାଣି ନାହିଁ କିଏ କହେ। କେମିତି ଆସିଲ… କେମିତି ଆସି ତୁମେ ଶ୍ରୀଅଙ୍ଗରେ ଜାବୁଡ଼ି ଧରିଲ। ମୋ ହୃଦୟର ଭରିଦେଲ ସେ ଐଶ୍ୱରୀୟ ତୃପ୍ତିର ଅମୃତଧାରା। କେତେ ଦୟା ତୁମର। ଏ ଶୂନ୍ୟ ହୃଦୟକୁ ପୂର୍ଣ୍ଣ କରି ଚାଲିଗଲ।
Go Back to Previous Page
ଟିକି ଫୁଲ
ନିଳାଦ୍ରୀ ବିହାରୀ ନାୟକ
Read Article
ଏ କି ପ୍ରକାର ଭକ୍ତି
ରାଧାକାନ୍ତ ଦାଶ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ