ମୁଁ ବି ଜଣେ ବିଜ୍ଞାନର ଛାତ୍ର ଘରୁ ୧୦୦କି.ମି. ଦୂରରେ ରହିଥିବା ମୋର କର୍ମକ୍ଷେତ୍ରଟା ବି ବିଜ୍ଞାନର ଚାରିପାଖରେ ଛନ୍ଦାଛନ୍ଦି ସେଥିପାଇଁ ମୁଁ ଭାବେ କଳାସଂସ୍କୃତି ଆସ୍ଥା ଆଉ ପରମ୍ପରାକୁ ଭଲ ପାଇବାଟା ବୋଧହୁଏ ମୋର କୌଣସି ଜିନ୍ଗତ ତ୍ରୁଟି ଆଉ ଏହି ତ୍ରୁଟିପାଇଁ ମୁଁ ସବୁବେଳେ ପରୀକ୍ଷିତ ହୁଏ ହୃଦୟର ବିଶ୍ବାସ ଆଉ ଅର୍ଜିତ ଜ୍ଞାନର ଶୀତଳ ଯୁଦ୍ଧରେ କେତେବେଳେ ହୃଦୟର ବିଶ୍ବାସ ତ ଆଉ କେତେବେଳେ ଅର୍ଜିତ ଜ୍ଞାନର ବିଜୟ ହୁଏ ଏଇ ଯେମିତି ବିଲେଇ ରାସ୍ତା କାଟି ଚାଲିଗଲେ ମନେ ପଡ଼ିଯାଏ ମୋର ବୁଢ଼ୀ ମା’ କଥା ସେତେବେଳେ ହୃଦୟଟା ଟିକେ ବିଚଳିତ ହୋଇପଡ଼େ ଆଉ ମନ କହେ ଟିକିଏ ଦେଖି ଚାହିଁ ଗାଡ଼ି ଚଲା ଆଗରେ ବିପଦ ଥାଇପାରେ ଜ୍ଞାନଟା କିନ୍ତୁ ମସ୍ତିଷ୍କକୁ କହେ, “ଆରେ ସେଇଟା ଗୋଟିଏ ପ୍ରାଣୀ ଏ ଘର ସେ ଘର ଖାଦ୍ୟପାଇଁ ଦୌଡ଼ି ବୁଲିବା ତା’ର କାମ ତା’ପରେ ବି କେତେ କେତେ ଜୀବ ରାସ୍ତାରେ ଦୌଡ଼ି ବୁଲୁଛନ୍ତି ସେତେବେଳେ ଏ ବିଲେଇଟା କଣ ଦୋଷ କଲା?” ହୃଦୟର ବିଶ୍ବାସ ଆଉ ଜ୍ଞାନର ଏହି ଦ୍ବନ୍ଦ୍ବ ଭିତରେ ମୁଁ ମସ୍ତିଷ୍କକୁ ଟିକିଏ ସାବଧାନ ଆଉ ହୃଦୟକୁ ଟିକିଏ ଦୃଢ଼ କରିଦିଏ ପରେ ନିଜକୁ ନିଜେ ତାଚ୍ଛଲ୍ୟ ଭରା ହସଟେ ହସି ପ୍ରଶ୍ନକରେ ଗୋଟିଏ ବିଜ୍ଞାନ ଷ୍ଟୁଡେଣ୍ଟ ହୋଇ ମୁଁ କେମିତି ଏଭଳି ଭିତ୍ତିହୀନ କଥାଗୁଡ଼ାକରେ ବିଶ୍ବାସ କରିପାରେ! ତେବେ ଛାଡ଼ନ୍ତୁ ସେସବୁ କଥା।
ଆଜି ସଂଧ୍ୟାବେଳେ ମୁଁ ବାଲକୋନିରେ ବସି ଘର ଚାରିପାଖରେ ବସନ୍ତର ମୃଦୁ ମଳୟ ସ୍ପର୍ଶରେ ପରିବର୍ତ୍ତିତ ପ୍ରକୃତିକୁ ଉପଭୋଗ କରୁ କରୁ ମନେ ପଡ଼ିଗଲା ବିଗତ ଦିନର ଘଟଣାଟିଏ।
ଏଇ କିଛିଦିନ ପୂର୍ବରୁ ଆମର ଜଣେ ପରିଚିତ ଗୋଟିଏ ବଡ଼ ଅଣ୍ଡିରା ବତକଟିଏ ଆମ ଘରକୁ ଆଣିଦେଲେ ମାରି ଖାଇବାପାଇଁ। ବାପାଙ୍କର ଭାରି ଇଚ୍ଛା ଥାଏ ଶୀତଦିନେ ବତକ ମାଂସ ଟିକିଏ ଖାଆନ୍ତେ। ହେଲେ ଏତେ ସୁନ୍ଦର ବତକଟିକୁ ଦେଖି ପାଞ୍ଚବର୍ଷର ପୁଅ ମୋର କହିଲା, “ବାପା ବାପା! ଏ ବତକଟା ଆମର କେତେ ସୁନ୍ଦର ହୋଇଛି ଗୋ! ମିସ୍ କହୁଥିଲେ ବତକକୁ ଡକ୍ କହନ୍ତି। ଆଉ ଜାଣିଛ ମୋର ସାଙ୍ଗ କହୁଥିଲା ନା ତାଙ୍କ ବତକଟା ଅଣ୍ଡା ଦିଏ। ସିଏ ସବୁଦିନ ବତକ ଅଣ୍ଡା ଖାଏ। ମୁଁ ବି ନା ଏବେ ବତକ ଅଣ୍ଡା ଖାଇବି” ତା କଥା ଶୁଣି ମୁଁ ଜୋରରେ ହସି ଦେଇ କହିଲି, “ଆରେ ଏଇ ବତକଟା ଅଣ୍ଡା ଦେବନି” ମୋର ହସଟା ବୋଧହୁଏ ମୋ ପୁଅକୁ ଭଲ ଲାଗିଲାନି। ଅଭିମାନ ଭରା ସ୍ବରରେ ସିଏ କହିଲା, “କିଏ କହିଲା ଅଣ୍ଡା ଦେବନି? ଏ ବତକ! ଅଣ୍ଡା ଦେବୁନା” ଏତିକି ବେଳେ ବତକଟା ଜୋରରେ ବୋବାଇବାକୁ ଲାଗିଲା। ପୁଅ ମୋର ଏଥର ଖୁସି ହୋଇଯାଇ କହିଲା, “ଦେଖିଲ ବାପା! ବତକଟା ହଁ କହୁଛି। ଅଣ୍ଡା ଦେବ ସିଏ। ଆଉ ମୁଁ ଖାଇବି”ତା କଥା ଶୁଣି ମୁଁ ଜାଣିଦେଲି ଇଏ ଆଉ ବାପାଙ୍କୁ ଖୁଆଇ ଦେବନି। ଆଉ ସତକୁ ସତ ତାହା ହିଁ ହେଲା। ବତକଟା ଆଉ ମରା ହୋଇପାରିଲା ନାହିଁ। ଯେଉଁ ଦିନ ବି ମୋ ପୁଅର ଅଜାଣତରେ ମାରିବାକୁ ଯୋଜନା ହୁଏ ସେଦିନ ପୂଜା କିମ୍ବା ସଂକ୍ରାନ୍ତି ପଡ଼ିଯାଏ। ଏହି ଭଳି ବିତି ଚାଲିଲା ଦିନ ପରେ ଦିନ।
ବତକଟା ଆସିବାର କିଛିଦିନ ପରେ ମୁଁ ଲକ୍ଷ୍ୟକଲି ଅଥବା ମୋତେ ସେହିଭଳି ମନେ ହେଲା ଯେମିତି ତାର ଚିରାଚରିତ ଜଳକ୍ରୀଡା ନ କରିପାରି ସେ ନିରାଶ। ସେଥିପାଇଁ ମୁଁ ସେ ବତକଟିକୁ ଧରି ଚାଲିଲି ଘରପାଖରେ ଥିବା ଗୋଟିଏ ଛୋଟ ଗଡ଼ିଆ ପାଖକୁ। ମୋ ସହିତ ତାଳ ଦେଇ ଚାଲିଥାଏ ମୋ ପୁଅ। ସିଏ ଆଗେ ଆଗେ ଆଉ ବତକ ଧରି ମୁଁ ତା ପଛେ ପଛେ। ବାଟ ଗଲା ଲୋକ ଦେଖୁଥାନ୍ତି ଆମ ବାପପୁଅଙ୍କ କାର୍ଯ୍ୟ କଳାପ।
ଆଉ ଏହା ପରେ ସେ ବତକ ଗୋଡରେ ଲମ୍ବା ଦଉଡିଟେ ବାନ୍ଧି ଦେଇ ଛାଡ଼ି ଦେଲି ତା’ର ପ୍ରାକୃତିକ ବାସସ୍ଥଳୀରେ। ଆନନ୍ଦରେ ସିଏ ଦୌଡ଼ିଗଲା ଗଡ଼ିଆ ଭିତରକୁ। ଉଚ୍ଚସ୍ବରରେ ଶବ୍ଦ କରି ସତେ ଯେପରି ସିଏ ଜଣାଇ ଦେଉଥିଲା ତା ଉପସ୍ଥିତିକୁ ସେହି ଗଡ଼ିଆ ଚାରିପଟର ମୂକସାକ୍ଷୀମାନଙ୍କୁ। ପୁଅ ମୋର ତାଳି ମାରି କହୁଥାଏ, “ବାପା ବାପା! ଦେଖ ବତକଟା କେତେ ଖୁସିରେ ପହଁରୁଛି। ଆମେ ଟିକେ ଡେରୀରେ ଘରକୁ ଯିବା। ସିଏ ଆଉ ଟିକିଏ ପାଣିରେ ଖେଳୁ। ନହେଲେ ସିଏ କାନ୍ଦିବ ଯେ! ଆଉ ଅଣ୍ଡା ଦେବନି” ମୋ ପୁଅ ମୁହଁରୁ ଏଇ କେଇ ପଦ କଥା ଶୁଣି ମୁଁ ନିଶ୍ଚିନ୍ତ ହୋଇ ନିଶ୍ବାସଟିଏ ଛାଡ଼ିଲି। ଭାବୁଥିଲି, “ଯା’ହେଉ ପୁଅଟା ଏ ବୟସରେ ଅକୁହା ଅବୁଝା ଭାଷାଟା ଠିକ୍ ବୁଝି ପାରୁଛି। ଯେଉଁ ଭାଷାଟା ମଣିଷ ବୁଝିବାକୁ ଯୁଗ ବିତିଯାଏ”ଏହାପରେ କିଛି ସମୟ ସେହି ଗଡ଼ିଆ ତୁଠରେ ବତକଟିକୁ ଜଗି ତାକୁ ସାଙ୍ଗରେ ନେଇ ଆମେ ବାପପୁଅ ଘରକୁ ଆସିଲୁ। ଆମର ଏହି କାମଟି ପାଇଁ ଆମେ ଘରେ ହୋଇପଡ଼ିଲୁ ଉପହାସର ପାତ୍ର। ହେଲେ କିଏ ବୁଝୁଥିଲା ଯେ ଏହା ଭିତରେ ମୋର ପୁଅଟା ଜୀବନର ଗୋଟିଏ ବିରାଟ ଅବୁଝା ଅଧ୍ୟାୟ ବୁଝି ଶେଷ କରି ସାରିଲାଣି ବୋଲି। ତେବେ ଏ ସବୁ ଭିତରେ ବତକଟିକୁ ଗଡ଼ିଆକୁ ନେବା କାମଟା ଚାଲିଥାଏ ଆମ ବାପପୁଅଙ୍କର। କିଛି ନ ହେଲେ ବି ଅନ୍ତତଃ ସପ୍ତାହରେ ଯେଉଁ ଦୁଇଦିନ ମୁଁ କର୍ମକ୍ଷେତ୍ରରୁ ଘରକୁ ଆସେ ସେହି ଦୁଇଦିନ ନିଶ୍ଚିତ ବତକଟିକୁ ବାନ୍ଧି ଗଡ଼ିଆ ନେଇଯାଏ ଆଉ ସାଥୀରେ ଥାଏ ମୋର ଚିରାଚରିତ ପାର୍ଟନର ମୋ ପୁଅ।
ସେଦିନ ଦ୍ବିପ୍ରହରରେ ଭାତ ଖାଉଥିବା ସମୟରେ ଖାଇବା ତାଳୁରେଲାଗି ମୋର ଖୁବ୍ କାଶ ହେଲା। ସାଙ୍ଗେ ସାଙ୍ଗେ ମୋ ବୁଢ଼ୀ ମା’ କହିଲା, “ଧିରେ ଧିରେ ଖାଉନୁ! କିଏରେ ସିଏ ଯିଏ ତୋତେ ଏତେ ମନେ ପକାଉଛି?” ପଛରେ ଥାଇ ମୋର ମା’ ହସି ହସି କହିଲେ, “କିଏ ଆଉ? ସେହି ବତକଟା ହୋଇଥିବ। ମାଲିକକୁ ଆଜି ଦେଖି ଦେଇଛିନା। ତେଣୁ ମନେ ପକାଇ ଦେଉଛି ଯେ ଗଡ଼ିଆ ବୁଲିବା ସମୟ ହୋଇଗଲାଣି” ମା ମୁହଁରୁ ଏ କଥା ଦିପଦ ଶୁଣି ମୋ ବୁଢ଼ୀମା’ କହିଲା, “ଆରେ ଆରେ ଦେଖିବୁ ଏ ବତକଟା ମଲା ବେଳକୁ ବି ତୋ ନାଁ’ଟା ଭଜୁଥିବ। ମାଲିକ ତ ଖଣ୍ଡେ ପାଇଛି ସିଏ” ଏ ସବୁ କଥା ଶୁଣି ମୁଁ କହିଲି, “ତୁମ୍ଭେମାନେ ସବୁ କେଉଁ ଯୁଗରେ ଅଛ? ତାଳୁରେ ଲାଗିଲେ ମନେ ପଡ଼େ! ମଲା ବେଳକୁ ମୋ ନାଁ ଭଜୁଥିବ। ହାଃ ହାଃ ହାଃ। ପୁଣି ମୋତେ ମନେ କରୁଛି କିଏ! ଗୋଟେ ବତକ” ମୋ କଥା ନ ସରୁଣୁ ବୁଢ଼ୀମା’ ମୋର ମିଛ ରାଗମିଶା କଣ୍ଠରେ କହିଲେ, “ହେଉ ହେଉ। ମୋ କଥା ତୋତେ ମିଛ ମୋତେ ସତ। ବିଜ୍ଞାନ ଯୁଗର ପିଲାତ ତୁ। ତୁ କାହୁଁ ଜାଣିବୁ ଏ ସବୁ” ମୋ ମୁହଁରେ କିନ୍ତୁ ଖେଳୁଥିଲା ତା କହୁଥିବା କଥା ପ୍ରତି ଅବିଶ୍ବାସର ଦାମ୍ଭୀକ ହସଟିଏ। ଏହି ସବୁ ଭିତରେ କିନ୍ତୁ ଗୋଟିଏ କଥା ସତ ଥିଲା ଯେ ସେ ବତକଟା ସହ ମୋର ଗଢ଼ି ଉଠିଥିଲା ଗୋଟିଏ ଅଦୃଶ୍ୟ ସମ୍ପର୍କ। ଏହିପରି ବିତିଯାଇଛି ତିନି ସପ୍ତାହ।
ଚତୁର୍ଥ ସପ୍ତାହରେ ଘରୁ ଆସିବାର ଦୁଇଦିନ ହୋଇଥାଏ। ମୁଁ ନିତ୍ୟକର୍ମ ସାରି ଅଫିସ୍ ବାହାରୁଥାଏ ଯିବାପାଇଁ। ମିରର୍ ଦେଖି ଲାଗିଲା ଯେମିତି ଦାଢ଼ୀଗୁଡ଼ା ଅମାନିଆ ହୋଇ ବଢ଼ି ଚାଲିଛନ୍ତି। ସାଙ୍ଗେ ସାଙ୍ଗେ ଆଗପଛ ଚିନ୍ତା ନକରି ସେଭିଂ ପାଇଁ ପ୍ରସ୍ତୁତ ହୋଇଗଲି। ହେଲେ ବୋଧହୁଏ ମୋର ଟିକିଏ ଅସାବଧାନତା ପାଇଁ ବ୍ଲେଡଟା ମୋ ଆଙ୍ଗୁଳିରେ ସୃଷ୍ଟି କରିଦେଲା ଏକ ଗଭୀର କ୍ଷତ। ଧାର ଧାର ରକ୍ତ ବହିଗଲା। ଯନ୍ତ୍ରଣାରେ ଶିହରୀ ଉଠିଲା ମୋର ସମ୍ପୂର୍ଣ୍ଣ ଶରୀରଟା। ନିଜର ଅସାବଧାନତା ପାଇଁ ମନେ ମନେ ନିଜକୁ ଖୁବ୍ ଗାଳି କରି ଚାଲିଥାଏ। ଠିକ୍ ସେତିକି ବେଳେ ଘରୁ ଫୋନ ଆସିଲା। ଫୋନରେ ଶୁଭୁଥାଏ ମୋ ପୁଅର କାନ୍ଦ। ମୁଁ କିଛି କହିବା ଆଗରୁ ସିଏ କାନ୍ଦି କାନ୍ଦି କହିଲା, “ବାପା! ଜେଜେବାପା ନା ଏବେ ବତକଟା ମାରିଦେଲେ। କେତେ କାନ୍ଦୁଥିଲା ସିଏ। କେତେ ପାଟି କରୁଥିଲା। ବହୁତ କାଟୁଥିଲା ତାକୁ। ତୁମେ ଆସିଲେ ନା ଜେଜେବାପାଙ୍କୁ ପିଟିବ” ତା କଥା ନ ସରୁଣୁ ବାପା ମୋର ଫୋନ ତା ପାଖରୁ ନେଇ କହିଲେ, “ଆରେ ଆଜି ତୋ ଶଳାମାନେ ଆସିଛନ୍ତି। ହେଉ ହେଉ ଆମ ବାବା ପାଇଁ ଆଉ ଗୋଟିଏ ବଡ଼ ବତକ ଆଣିଦେବୁ ତ” ମୋତେ ଆଉ କିଛି ଶୁଣା ଯାଉନଥାଏ ମୋ ବାପାଙ୍କ କଥା। ମୋ କାନରେ ବାଜୁଥାଏ ମୋ ପୁଅର ସେହି ଛଳନାବିହୀନ ବିକଳ କାନ୍ଦ ଆଉ ମୋବୁଢ଼ୀମା’ର ସେହି କଥା, “ଏ ବତକଟା ମଲା ବେଳକୁ ବି ତୋ ନାଁଟା ଭଜୁଥିବ” ସବୁଥର ପରି ସେଥର ମଧ୍ୟ ମୁଁ ଛିଡ଼ା ହୋଇଥାଏ ବିଶ୍ବାସ ଆଉ ଜ୍ଞାନର ଦୋଛକିରେ ନିର୍ବିକାର ଚିତ୍ତରେ। ହୃଦୟର ବିଶ୍ବାସଟା ଯାହା କିଛି ବି କହୁନା କାହିଁକି ଅର୍ଜିତ ଜ୍ଞାନଟା କିନ୍ତୁ କହୁଥାଏ, “ଏ ସବୁ ହୋଇଛି କେବଳ ଅସାବଧାନତା କାରଣରୁ। ସାବଧାନ ହୋଇ କାମଟା କରିଥିଲେ ଏଭଳି ହୁଅନ୍ତା ନାହିଁ। ଆଉ ଡେରି ନକରି ଟ୍ରିଟମେଣ୍ଟ କର” ଏହା ପରେ ମଧ୍ୟ କାହିଁକି କେଜାଣି ମୋ ଆଖି ଦୁଇଟି ଯନ୍ତ୍ରଣାଶୂନ୍ୟ ହୋଇ ଚାହିଁ ରହିଥାନ୍ତି ସେହି କଟି ଯାଇଥିବା ଆଙ୍ଗୁଳିରୁ ବହି ପଡୁଥିବା ଧାର ଧାର ରକ୍ତକୁ ଆଉ ମୋ ମନ ଭାବୁଥାଏ, “ସତରେ ଆଜି କିଏ ଜିତିଛି? ହୃଦୟରୁ ଆସୁଥିବା ବିଶ୍ବାସ ନା ମୋର ଅର୍ଜିତ ଜ୍ଞାନ” ଆଜି କିନ୍ତୁ ବାଲକୋନି ଉପରେ ଛିଡ଼ାହୋଇ ସଂଧ୍ୟା ସମୟର ମନ୍ଦ ମନ୍ଦ ମଳୟ ସ୍ପର୍ଶରେ ମୋତେ କେଉଁଠି ନା କେଉଁଠି ଅନୁଭବ ହେଉଛି ସତେ ଯେପରି ମୋର ଅର୍ଜିତ ଜ୍ଞାନର ଦାମ୍ଭୀକତା ଉପରେ ସେହି ଗଡ଼ିଆ ତୁଠର ଖଜୁରୀଗଛ ମୂଳରେ ଛିଡ଼ା ହୋଇଥିବା ବିଶ୍ବାସଟା ଅଭିମାନ ଭରା ହସଟେ ହସି ଦେଉଛି। ସବୁ ଥର ତ ଏହିପରି ହିଁ ହୁଏ। ଜ୍ଞାନଟା ପ୍ରମାଣ ଦେଇ ନିଜର ଉପସ୍ଥିତି ସାବ୍ୟସ୍ତ କଲା ବେଳକୁ ଉପେକ୍ଷିତ ବିଶ୍ବାସଟା ମୋତେ ଉପହାସ କରି ଦଉଡ଼ି ଯାଉଥାଏ ଦୂର ଦିଗବଳୟର ସେପାରିକୁ
Go Back to Previous Page
ଅବଶୋଷ
ନୃସିଂହ ଚରଣ ବେହେରା
Read Article
ବିଧାତାର ଖେଳ
ସମ୍ବିତ ସତ୍ୟପ୍ରକାଶ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ