ଜୀବନର ଅପରାହ୍ନରେ ହାତରେ ବାଡି ଖଣ୍ଡେ ଧରେି ଚାଲୁ ଚାଲୁ ଥକ୍କା ମେଣ୍ଟେଇବା ପାଇଁ ପାଖ ପାର୍କରେ ଯାଇ ପହଞ୍ଚିଲେ ସୋମନାଥ ବାବୁ। ଅତୀତର ସ୍ମୃତି ଆଉ ଅନୁଭୂତି ଅଧିକାଂଶ ଆଉ ମନେ ନାହିଁ। ସ୍ମୃତି ପଟରୁ ପ୍ରାୟ ବିଲୁପ୍ତ। ଦୀର୍ଘଦିନର ଅବ୍ୟବହୃତ ଦର୍ପଣରେ ଧୂଳି ଜମି ଯାଇଥିଲେ ପ୍ରତିଛବି ଯେପରି ଦେଖାଯାଏ ନାହିଁ। ଏବେ ତାଙ୍କ ଅବସ୍ଥା ସେହିପରି। ତଥାପି କିଛି ସମୟ ଚିନ୍ତା କଲେ ଯାଇ କିଛି କିଛି ମନେ ପଡ଼େ। ଅତୀତର ସ୍ମୃତି ଜାଗିଉଠେ ପୁଣି ମାନସ ପଟରେ। ଆଣ୍ଠୁରେ ଯନ୍ତ୍ରଣା, ଅଣ୍ଟାର ଯନ୍ତ୍ରଣା, ଦୃଷ୍ଟିଶକ୍ତି କ୍ଷୀଣ ହେବା ସହିତ ଶ୍ରବଣ ଶକ୍ତି ବି କମିଗଲାଣି। ଏ ପରିଣତ ବୟସରେ ଚଲାବୁଲା ନ କଲେ ଅସୁବିଧା ହେବ ବୋଲି ଡ଼ାକ୍ତର କହିବା ଦିନୁ ପ୍ରତିଦିନ ସେ ସକାଳେ ସନ୍ଧ୍ୟାରେ କିଛି ବାଟ ଚାଲି ଚାଲି ଯାଉଛନ୍ତି। ଯଦି କେତେବେଳେ କଷ୍ଟ ଟିକେ ଅଧିକ ହୁଏ କିମ୍ବା ଥକ୍କା ମେଣ୍ଟାଇବାକୁ ପଡେ ସେତେବେଳେ ରାସ୍ତା ପାଖ ଚା ଦୋକାନ ନ ହେଲେ ଏଇ ପାର୍କ ହୁଏ ତାଙ୍କର ଆଶ୍ରୟସ୍ଥଳ। ଟିକେ ସୁସ୍ଥ ଅନୁଭବ କଲାପରେ ସେ ଫେରନ୍ତି ଘରକୁ। ହାତରେ ଏଇ ବାଡ଼ିଟା ହିଁ ତାଙ୍କର ସାହାରା। ତାକୁ ହାତରେ ଧରିବାକୁ ସେ କେବେ ଭୁଲନ୍ତି ନାହିଁ। ତାଙ୍କର ବୁଲା କୁକୁରଙ୍କୁ ଭୟ। ଦୁଇବର୍ଷ ତଳେ ତାଙ୍କୁ ଗୋଟେ କୁକୁର କାମୁଡି ଦେଇଥିଲା। ଓଃ ସେ କଷ୍ଟ! ଯେତେବେଳେ ସେ ଏକୁଟିଆ ବସିଥାନ୍ତି ତାଙ୍କ ଅତୀତକୁ ଖୋଜନ୍ତି। ଅତୀତର କିଛିଟା ସ୍ମୃତି ତାଙ୍କୁ ଏବା ବି ରୋମାଞ୍ଚିତ କରେ।
ସେଦିନ ବୋଧହୁଏ ଛୁଟି ଦିନ ଥିଲା। ତାଙ୍କର ତ ସବୁଦିନ ଛୁଟି ଦିନ। ଦଶବର୍ଷ ହେଲା ଅବସର ନେଲାପରେ ତାଙ୍କ ଜୀବନ ଏକ ନୂଆ ରୂପ ନେଇଛି। ପାଖରେ କେହି ନାହାନ୍ତି। ପୁଅଝିଅ ଦୁଇଜଣ ନିଜ ନିଜ କାମରେ ବ୍ୟସ୍ତ। ଘରେ କେବଳ ବୁଢ଼ା ବୁଢ଼ୀ ଦି ଜଣ। ଘର କହିଲେ ଦୁଇ ମହଲା ଘରଟିଏ। ସେମାନେ ତଳ ମହଲାରେ ରହୁଛନ୍ତି ଆଉ ଉପର ମହଲାରେ ଭଡ଼ାରେ ଜଣେ ଭଦ୍ରଲୋକ ତାଙ୍କ ପରିବାର ସହିତ ରୁହନ୍ତି। ତାଙ୍କ ଗାଁରେ ଘର, ଜମି ସବୁ ଅଛି। ହେଲେ ଗାଁକୁ ସେ କେବେ ଯାଆନ୍ତି ନାହିଁ। ଏକରେ ତ ସେ ମଧୁମେହ ରୋଗୀ। ଖାଇବା ପିଇବାରେ ଅନେକ କଟକଣା। ତା’ଛଡ଼ା ଗାଁରେ ଚିକିତ୍ସାର କୌଣସି ସୁବିଧା ନାହିଁ। ଆଉ ତାଙ୍କ ବୟସର ଯେଉଁମାନେ ବି ଗାଁରେ ଅଛନ୍ତି ସେମାନେ ତାଙ୍କ ନିଜ ନିଜ କାମରେ ବ୍ୟସ୍ତ। କାହା ପାଖରେ ସମୟ ନାହିଁ ତାଙ୍କ ସହିତ ବିତେଇବା ପାଇଁ। ବରଂ ଏଇ ସହରରେ ବେଳେବେଳେ କେହି କେହି ଜୁଟି ଯାଆନ୍ତି। ଏଇ ପାର୍କଟା ସବୁଠୁ ଭଲ ଯାଗା। କିଛି ନହେଲେ ବି ଛୋଟ ଛୋଟ ପିଲାମାନଙ୍କୁ ଖେଳୁଥିବାର ଦେଖିଲେ ଭାରୀ ଖୁସି ଲାଗେ।
ପ୍ରାୟ ପାଞ୍ଚଟା ବେଳକୁ ମାନେ ଅପରାହ୍ନ ସମୟ, ସୋମନାଥ ବାବୁ ବସି ଭାବନା ରାଜ୍ୟରେ ବୁଲୁଥିଲା ବେଳେ ଜନୈକ ଅପରିଚିତ ବ୍ୟକ୍ତି ସାଥିରେ ଆଠ ଦଶବର୍ଷର ଝିଅଟିଏ ସହିତ ପାର୍କକୁ ଆସିଲେ। ତା’ପରେ ତାଙ୍କୁ ଦେଖି ତାଙ୍କ ପାଖକୁ ଆସି ନମସ୍କାର କଲେ। ବିସ୍ମିତ ହୋଇ ସୋମନାଥ ବାବୁ ଅପରିଚିତ ବ୍ୟକ୍ତିଙ୍କୁ ଚାହିଁବାରୁ ସେ କହିଲେ, ସାର୍ କ’ଣ ମୋତେ ଚିହ୍ନି ପାରୁନାହାନ୍ତି? ମୁଁ ସାର୍ ମହେଶ୍ୱର, ମହେଶ୍ୱର ଦେବତା ଆପଣଙ୍କ ପାଖରେ କାମ କରୁଥିଲି। ଅବଶ୍ୟ ଅଳ୍ପ ସମୟ ପାଇଁ। ତା’ପରେ ରାଜ୍ୟ ସରକାରଙ୍କର ପ୍ରଶାସନିକ ସେବାରେ ଯୋଗ ଦେବାରୁ ସେ ଚାକିରୀ ଛାଡି ଦେଇଥିଲେ। ହଁ, ହଁ ମନେ ପଡିଲା। ତୁମେ ବୋଧେ ଛ’ମାସ କାମ କରି ଚାକିରୀ ଛାଡ଼ି ଦେଇଥିଲ। ବୋଧହୁଏ ଆଉ ପାନ ଖାଉ ନଥିବେ। ହଁ ସାର୍, ଆପଣଙ୍କ ଅନୁମାନ ବିଲକୁଲ୍ ଠିକ୍। ଆପଣଙ୍କ ଉପଦେଶ ସବୁ ମୁଁ ଅକ୍ଷରେ ଅକ୍ଷରେ ପାଳୁଛି। ସେବା ହେଉଚି ମୋ ଜୀବନର ସର୍ବଶ୍ରେଷ୍ଠ ବ୍ରତ। ଦରିଦ୍ର ଅସହାୟ ଲୋକଙ୍କର ସେବା କଲାବେଳେ ମୋତେ ବହୁତ ଆନନ୍ଦ ମିଳୁଛି।
ବର୍ତ୍ତମାନ ମୁଁ କେ.ବି.କେ ଅଞ୍ଚଳରେ ଅନେକ ଦିନ ଧରି କାମ କରୁଛି। ପ୍ରଥମେ ସେ ଅଞ୍ଚଳକୁ ଯିବାକୁ ଇଛା ହେଉ ନଥିଲା। ମାତ୍ର ସେଠିକି ଗଲାପରେ ଆଉ ସେ ସ୍ଥାନ ଛାଡ଼ି ଆସିବାକୁ ଇଛା ହେଉନାହିଁ। ସେଠାକାର ସବୁଜିମା ଭରା ପରିବେଶ ସତରେ ବହୁତ ସୁନ୍ଦର ସାର୍। ଆଉ ସେଠାକାର ଲୋକମାନେ ବି ବହୁତ ସରଳ। ମୁଁ ସମାଜର ନିମ୍ନସ୍ତରର ଲୋକଙ୍କୁ ଦେଖୁଛି। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିଓଳି ଦିମୁଠା ଖାଇବାକୁ ପାଉନାହାନ୍ତି। ଅନେକ ପ୍ରକାରର ରୋଗବ୍ୟାଧିରେ ବହୁତ ଲୋକ ସଢ଼ୁଛନ୍ତି ସଚେତନତା ଅଭାବରୁ। ଔଷଧତ ସେମାନଙ୍କଠୁ ଅପହଞ୍ଚ ଦୂରରେ। ରହିବାକୁ ଭଲ ଘର ଖଣ୍ଡିଏ ନାହିଁ କିମ୍ବା ପିନ୍ଧିବାକୁ ଭଲଲୁଗା ଖଣ୍ଡେ ନାହିଁ। ସେମାନଙ୍କ ପାଇଁ ଯାହା କରାଯାଇ ପାରିବ ସେଥିପାଇଁ ମୁଁ ସର୍ବଦା ଚେଷ୍ଟିତ। ନିଜ ଜୀବନକାଳରେ ଯଦି କିଛି ଲୋକଙ୍କ ମୁହଁରେ ହସ ଫୁଟାଇ ପାରିବି ତେବେ ତାହା ହେବ ମୋ ପାଇଁ ଅମୂଲ୍ୟ ସମ୍ପଦ। ସେଥିପାଇଁ ଦିନ ନାହିଁ ରାତି ନାହିଁ ମୁଁ ମୋର କାମ କରିଚାଲିଛି।
ତୁମ କଥା ଶୁଣି ମୁଁ ବହୁତ ଖୁସି ମହେଶ୍ୱର। ମୁଁ ତ ଦଶବର୍ଷ ହେଲା ଅବସର ନେଇ ଏଇଠି ରହୁଛି। ଘରେ ମୋ ସ୍ତ୍ରୀ ବ୍ୟତୀତ ଆଉ କେହି ନାହାନ୍ତି। ପୁଅଝିଅ ଦିଜଣ ତାଙ୍କ କର୍ମସ୍ଥଳରେ। ସେମାନେ ତାଙ୍କ ସଂସାରରେ ଭଲରେ ଅଛନ୍ତି। ଏବେ ତୁମେ ତୁମ ପରିବାର ବିଷୟରେ କିଛି କୁହ। ଆଉ ଆଗ କୁହ ତୁମେ କିପରି ସୋମା ସହିତ ଏଇ ପାର୍କକୁ ଆସିଛ।
“ଆପଣ କ’ଣ ସୋମାକୁ ଚିହ୍ନିଛନ୍ତି ?”
ହଁ ତାକୁ ଏଇ ପାର୍କରେ ତା ସାଙ୍ଗମାନଙ୍କ ସହିତ ଖେଳୁଥିବାର ଦେଖେ। ବେଳେବେଳେ ତାକୁ ତା’ ପାଠ ପଢ଼ା ବିଷୟରେ ପଚାରେ।
ସୋମା ମୋ ନାତୂଣୀ, ବଡ ଝିଅର ଝିଅ। ମୁଁ ଦୁଇଦିନ ଛୁଟି ନେଇ ଆସିଛି। ତା’ସାଥିରେ ଏଇ ପାର୍କକୁ ବୁଲି ଆସିବାରୁ ସିନା ଆପଣଙ୍କ ସହିତ ଭେଟ ହୋଇଗଲା। ମୋର ଦୁଇଝିଅ ଆଉ ପୁଅଟିଏ। ପୁଅଟି ଇଞ୍ଜିନିୟର ଏବଂ ନୋଇଡ଼ାରେ ଅଛି। ଝିଅ ଦୁଇଜଣଙ୍କ ବିବାହ ପରେ ମୁଁ ବି ଆପଣଙ୍କ ପରି ପୁରା ଫାଙ୍କା। କେବଳ ତଫାତ୍ ଏତିକି ମୁଁ ଏ ବୟସରେ ବି ଚାକିରୀ କରି ମୋ ସମୟର ସଦୁପଯୋଗ କରୁଛି। ସେ ଅଞ୍ଚଳରେ ମନୋହରପୁର ବୋଲି ଗୋଟିଏ ବଡ ଗାଁ ଅଛି। ସେ ଗାଁକୁ ମୁଁ କେବେ ଭୂଲି ପାରିବିନି।
“କାହିଁକି? ସେ ଗାଁର ଏପରି କି ଆକର୍ଷଣ ଅଛି?” ପଚାରିଲେ ସୋମନାଥ ବାବୁ।
ମୁଁ ଯେତେବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିସାବରେ ସେ ଅଞ୍ଚଳରେ କାମ କଲି, ଦେଖିଲି କି ସେ ଗାଁରେ ଗୋଟିଏ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଅଛି। ସେ ଗାଁରୁ ପ୍ରାୟ କୋଡ଼ିଏ କିଲୋମିଟର ଭିତରେ ମଧ୍ୟ ଇଂରାଜୀ ବିଦ୍ୟାଳୟଟିଏ ନାହିଁ। ତେଣୁ ଗାଁର ପିଲାମାନଙ୍କ ପାଇଁ ଆଉ ଆଗକୁ ପଢ଼ିବାର ସୁଯୋଗ ନାହିଁ। ଲୋକମାନଙ୍କର ଅବସ୍ଥା ଏତେ ସ୍ୱଚ୍ଛଳ ନୁହେଁ ଯେ ଦୂର ସ୍କୁଲରେ ନେଇ ପିଲାଙ୍କୁ ପାଠ ପଢ଼ାଇ ପାରିବେ। ତେଣୁ ମୁଁ ପ୍ରଥମେ ସେ ଗାଁର ମୁଖିଆଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା ହେଲି। ତାଙ୍କ ସହମତିରେ ଗାଁରେ ଗୋଟିଏ ସଭାର ବ୍ୟବସ୍ଥା ହେଲା। ଫଳରେ ଗାଁର କେତକ ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ସେ ଗାଁରେ ମଧ୍ୟ ଇଂରାଜୀ ବିଦ୍ୟାଳୟଟିଏ ପ୍ରତିଷ୍ଠା କରାଗଲା। ଗାଁ ଲୋକଙ୍କର ମିଳିତ ଉଦ୍ୟମରେ ସ୍କୁଲଟିର ପରିଚାଳନା ସୂଚାରୁ ରୂପେ ଚାଲିଛି। ସ୍କୁଲ୍ ଘର ଯେଉଁ ଜମିରେ ତିଆରି ହୋଇଥିଲା ତାହାଥିଲା ସରକାରୀ ଜମି, ଆଉ ତା ପାଖରେ ଗୋଚର ଏବଂ ଅନାବାଦୀ ପ୍ରାୟ ଦଶ ଏକର ଜମି ଥିଲା। ସେଥିରେ ଗାଁର ପରିଚାଳନା କମିଟି ସହଯୋଗରେ ଫଳଗଛ ଲାଗାଗଲା। ଆମ୍ବ, ପଣସ, ପିଜୁଳି ଇତ୍ୟାଦି ନାନା ପ୍ରକାରର ଫଳ ଗଛ ଲଗାଗଲା। ଏହି ଫଳଗଛର ଫଳକୁ ବିକ୍ରି କରି ସ୍କୁଲର ଡେଭଲପମେଣ୍ଟ କାମ କରାଯାଉଛି। ଏବେ ଏ ସବୁ ଦେଖିଲେ ମନେ ହୁଏ, “ସତରେ ଏକତା ହିଁ ପ୍ରକୃତ ବଳ”, ଏବଂ ସମସ୍ତଙ୍କର ସହଯୋଗରେ ମରୁଭୂମି ବି ଶସ୍ୟ ଶ୍ୟାମଳା ହୋଇ ହସି ଉଠିବ। ମୁଁ କେବଳ ସେମାନଙ୍କୁ ପଥ ଦେଖାଇଥିଲି। ସେମାନଙ୍କର ପରିଶ୍ରମର ଫଳ ସ୍ୱରୂପ ଏବେ ସେଠି ହାଇସ୍କୁଲଟିଏ ପ୍ରତିଷ୍ଠା ହୋଇଛି। ମୁଁ ଯେତେବେଳେ ସୁଯୋଗ ପାଏ ସେ ଗାଁକୁ ଯାଇ ବୁଲି ଆସେ। ମୁଁ ଗାଁରେ ପହଞ୍ଚିଗଲେ ମୋତେ ଯେଉଁ ଆଦର ସ୍ନେହ ମିଳେ ତାହା ମୁଁ ଭୂଲି ପାରିବି ନାହିଁ।
ସବୁଠାରୁ ବଡ କଥା ହେଲା, ସେ ଗାଁର ଲୋକମାନଙ୍କର ଉଦାର ହୃଦୟ ଓ ବନ୍ଧୁଭାବ। ଗାଁରେ କୌଣସି ଉତ୍ସବ ପାଳନ ହେଲେ, ସେମାନେ ମୋତେ ନିମନ୍ତ୍ରଣ କରିବାକୁ ଭୁଲନ୍ତି ନାହିଁ। ମୁଁ ମଧ୍ୟ ସେମାନଙ୍କୁ କେବେ ନିରାଶ କରେନାହିଁ। ମୁଁ ଯେତେବେଳେ ଯାଏ, ମୋତେ ଭୁରି ଭୋଜନରେ ଆପ୍ୟାୟିତ କରନ୍ତି। କାଲି ସକାଳେ ମୁଁ ଏଠାରୁ ଫେରିଯିବି। ପୁଣି କେବେ ଆସିଲେ ଘରକୁ ଆସିବାର ପ୍ରତିଶ୍ରୁତି ଦେଇ ସେ ବିଦାୟ ନେଲେ।
ମହେଶ୍ୱର ସେଠାରୁ ଗଲାପରେ ସୋମନାଥ ବାବୁ ନିଜ ମାନସ ପଟରେ ଏକ ଅପୂର୍ବ ଆନନ୍ଦ ଅନୁଭବ କଲେ। ସେ ଭାବିଲେ, ଯଦି ଏ ସମାଜରେ ପ୍ରତ୍ୟେକ କର୍ମଚାରୀ ସଚ୍ଚୋଟତାର ସହିତ ନିଜ କାମ କରନ୍ତେ ତେବେ ଆମ ରାଜ୍ୟ ଏକ ସୁନାର ରାଜ୍ୟରେ ପରିଣତ ହୁଅନ୍ତା। ସମସ୍ତେ ଯଦି ଏଇ ମହେଶ୍ୱର ଭଳି ନିଜ ଜୀବନ ଆଉ ସମୟକୁ ରାଜ୍ୟର ଉନ୍ନତି ପାଇଁ ଲଗାନ୍ତି ତେବେ ରାଜ୍ୟର ପ୍ରଗତିକୁ ଦେଖି ଆଉ କାହା ମନରେ ଅବଶୋଷ ରହନ୍ତା ନାହିଁ। ଆମ ରାଜ୍ୟରେ କ’ଣ ନାହିଁ? ଜମି, ଜଙ୍ଗଲ, ଜଳ, ଖଣିଜ ପଦାର୍ଥ କେଉଁଥିରେ ଅଭାବ ନାହିଁ। ଅଭାବ ରହିଛି କେବଳ ସଚେତନତା, ମାନସିକତା ଆଉ ସୁଦୃଢ଼ ଦିଗଦର୍ଶନର।
୨୧୭, ଭୋଇ ନଗର, ବାୟାବାବା ମଠ ଲେନ
ଭୁବନେଶ୍ୱର - ୨୨, ଫୋନ ନଂ- ୯୦୯୦୪୫୯୭୪୫
Go Back to Previous Page
ପ୍ରଣୟର ସ୍ବପ୍ନ
ନରେଶ କୁମାର ବେହେରା
Read Article
ବତକ
ଜ୍ୟୋତିରଞ୍ଜନ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ