ଏକ
ଖଳାର ଛତୁ ଭଜା, ତା ସହ ଭଜା ମୁଗର ଡାଲି। ବଗଡା ଚାଉଳର ଭାତ ହେଲେ ବି ତାର ଗରମ ଗରମ ବାଷ୍ପିତ ପେଜୁଆ ବାସ୍ନାରେ ରଞ୍ଜିତାର ଭୋକ ବଢି ଯାଇଥିଲା। ଖୁଡି କଞ୍ଚା ଆମ୍ବର ଚଟଣୀ ଆଣି ଯେତେବେଳେ ପରଶି ଦେଇ ଗଲେ, ସତକୁ ସତ ସେ ଲାଳେଇ ଗଲା। ପ୍ରଥମେ ଆମ୍ବ ଚଟଣୀରୁ ଖାଇବା ଆରମ୍ଭ କରିଥିଲା। ଆଃ, ଅନେକ ସମୟ ଧରି ଅତୃପ୍ତ ରହିଥିବା ଜିହ୍ବାର ଲାଳ ରନ୍ଧ୍ର ମାନଙ୍କ ଭିତରେ ଚଟଣୀର ସ୍ବାଦ ଯେମିତି ସୁସ୍ୱାଦୁତାର ରସରେ ପରିପୂର୍ଣ୍ଣ କରି ଦେଇଥିଲା। ଖୁଡି ପାଟି କରି ଉଠିଲେ, “ଭାତ ଖାଅ ମ ମାନି, ଖାଲି ଆମ୍ବ ଚାଟୁଛ।”
ଜେଜେ ମାଆ ତାଙ୍କ କଥାକୁ କାଟିଲେ, “ତୋର ଅଦ୍ଭୁତ କଥା ବୋହୂ। ଦେଖୁଛୁ, ପୂରା ମଣିଷଟା।”
ମାନିନୀ ଲାଜେଇ ଯାଇ ଖୁଡିଙ୍କୁ ଚାହିଁଲା। ଖୁଡି ରନ୍ଧାଘର ଦ୍ବାର ମୁହଁରେ ଠିଆହୋଇ ହସୁଥିଲେ। ହସୁରା ଖୁଡି। ହସିଲେ ଖୁଡି ଖୁବ ସୁନ୍ଦର ଦେଖା ଯାଆନ୍ତି।
ଭୁବନେଶ୍ବର ରହଣି ସମୟରେ ନିର୍ମଳ ବସନ୍ତ ଅପରାହ୍ନର ଉତ୍ତରା ପବନର ତାଳେ ତାଳେ ଘଣ୍ଟି ବଜେଇ ବଜେଇ ଠେଲାଗାଡିରେ ବିଭିନ୍ନ ସ୍ବାଦର ପସରା ଧରି ଆସୁଥିବା ଦୋକାନୀର ନିତି ଦିନିଆ ଗରାଖ ଥିଲା ସେ।
ଦହି ବରା, ଟମାଟ - ପିଆଜ - ବେସନର ଚକୁଳି ଖାଇସାରିଲା ପରେ ଆଙ୍ଗୁଠି ଚାଟିଚାଟି ଅଧା ମେଲା ମୁଖ୍ୟ ଫାଟକକୁ ବନ୍ଦ କରି ପଛକୁ ଫେରି ଚାହିଁ ମାନିନୀ ଦେଖୁଥିଲା, ବୋଉ ଦ୍ବାର ମୁହଁରେ ଠିଆ ହୋଇଛନ୍ତି କି ନାହିଁ। ଯଦି ଠିଆ ହୋଇଥିବାର ଦେଖେ, ପାଟିକୁ ହସ ଟାଣି ଆଣି କହେ, “କିଛି ଖାଇନି ବୋଉ, ସେ କିଣିବାକୁ କହୁଥିଲା। ମୁଁ ନାହିଁ କରିଦେଲି। କହିଲି, ମୋ ବୋଉ ଗାଳି କରିବେ। ମୁଁ କିଣିବିନି। ଭଲ କଲି ନା ବୋଉ?”
ହସିହସି ମିଛ କହିଲେ ବି ତାଙ୍କ ଆଗରେ ମାନିନୀ କେବେ ହେଲେ ପାରିନି। ତା ବୋଉ ହସନ୍ତି। କହନ୍ତି, “ତୁ କହିଲୁ, ଆଉ ସେ ବିଶ୍ବାସ କରିଦେଲା!”
ମାନିନୀ ବୋଉଙ୍କ ବେକ ଧରି ଓହଳି ପଡି କହେ, “ମୋ ବୋଉଙ୍କ ନା ଧରିଛି। ସେ ବିଶ୍ବାସ କରିବନି? ଏତେ ସାହାସ ତାର?”
ଝିଅର ଚିବୁକ ଧରି ବୋଉ ଟିକେ ହଲେଇ ଦିଅନ୍ତି, “ହଁ ସତ କଥା। ତୋର ଇଏ ସବୁ ଦେଖିଥିବ। ନାଇଁ?”
ବୋଉ ତା ବଢନ୍ତା ପେଟ ଆଡେ ଆଙ୍ଗୁଠି ଦେଖେଇ କହନ୍ତି। ମାନିନୀ ସତକୁ ସତ ପ୍ରକୃତିସ୍ଥ ହୋଇଯାଏ। ପାଟିରୁ ତାର ହସ ଉଭେଇ ଯାଏ।
ସତ କଥା। ସେ ଯାହା କିଛି ବି କରୁଥିଲା, ତା ପେଟର ଛୁଆ ପାଇଁ ହିଁ ଥିଲା। ଆଜି କାଲିର ଦୁନିଆରେ ଭଲ ମଣିଷଟିଏ କରି ଗଢି ତୋଳିବା ଯେ କେତେ କଷ୍ଟକର, ବୋଉଙ୍କୁ ଦେଖି ସେ ବୁଝି ପାରୁଥିଲା। ପିଲାଙ୍କ ପାଇଁ ତାଙ୍କର ଅବିରତ ପରିଶ୍ରମ ପାଖରେ କାହାରି ଆକଟ କିମ୍ବା ହସ୍ତକ୍ଷେପ ମଧ୍ୟ ବାଧା ସୃଷ୍ଟି କରି ପାରୁ ନ ଥିଲା।
ଗାଁ ଘରେ ରନ୍ଧା ଘରକୁ ଲାଗି ରହିଥିବା ଲମ୍ବା ଓସାରିଆ ସିମେଣ୍ଟ ଚଟାଣରେ ସେ ଖାଇବାକୁ ବସିଥିଲା । ପାଖରେ ଅଶୀ ବର୍ଷ ବୟସୀ ଜେଜେ ମାଆ ଗୋଡ ଲମ୍ବେଇ ବସିଥିଲେ। କୋଟରଗତ ଚକ୍ଷୁ, ଶୁଖିଲା-ରକ୍ତଶୂନ୍ୟ-ଚର୍ମ-ଜର୍ଜରିତ ଆଣ୍ଠୁ ଉପରେ ପଡିଥିବା ଶୀତ-ପାଉଁଶିଆ ଦୁଇ ହାତରେ ଦୁଇ ପଟ ସରୁସରୁ ସୁନା ଚୁଡି ଥିଲା। ପାକୁଆ ପାଟି, ଓହଳା ଗାଲର ଦୁଇ ପାଖରୁ ସେ ଯେତେବେଳେ ହସିବା ପାଇଁ ଓଠ ଦୁଇଟିକୁ ସଂପ୍ରସାରିତ କରୁଥିଲେ, ଅତି ଦୟନୀୟ ଦେଖା ଯାଉଥିଲେ।
ବାବା ଅନେକ ଥର ଡାକିଲେଣି, “ବୋଉ, ଏଇଠିକୁ ଆସେ। ତୋ ପାଇଁ ପାଣି ପବନ କିଛି ବଦଳିବ।”
କିନ୍ତୁ ଜେଜେ ମାଆଙ୍କ ଚିନ୍ତାଧାରା ଭିନ୍ନ ଥିଲା। ଶାଶୁ ଘର ବଂଶ ପରମ୍ପରାକୁ ଆପଣେଇ ଧରି ରଖି ସେ ଆଜି ବି ଗାଁରେ ପ୍ରଶଂସିତ ହେଉଛନ୍ତି। ବଡ ପୁଅ ପାଖରେ ତାଙ୍କ କ’ଣ ସେ ସମ୍ମାନ ମିଳି ପାରିବ? ଷାଠିଏ ବର୍ଷ କାଳ ଯାହାର ପାଣି ପବନର ବାତାବରଣରେ ସମସ୍ତଙ୍କୁ ଏଡିଟିରୁ ଏଡିଟିଏ କରିଛନ୍ତି, ମରଣ କାଳରେ ସେହି ବାତାବରଣକୁ ସିଏ କ’ଣ ହତାଦର କରି ପାରିବେ? ବରଂ ନିଜ ଘର ବାରଣ୍ଡାରେ ଗୋଡ ଲମ୍ବାଇ ବସି ଘର ସମ୍ମୁଖରେ ଥିବା ମନ୍ଦିରକୁ ସକାକୁ ସଞ୍ଜରେ ଯିବା ଆସିବା କରୁଥିବା ଚିହ୍ନା ପରିଚୟଙ୍କ ଖବର-ଅନ୍ତର ବୁଝୁବୁଝୁ ତାଙ୍କର ସମୟ କଟି ଯାଉଥିଲା।
ଆଈ ଘର ଗାଁ ଧାଈ ହାତରେ ମାନିନୀର ଜନ୍ମ, ପାଳନ ପୋଷଣ ହେଲା ଭୁବନେଶ୍ବରରେ। ବାହା ହେଲା ମୁମ୍ବାଇରେ। ବାସିନ୍ଦା ହେଲା ମଧୁମୟଙ୍କ ଚାକିରୀ କ୍ଷେତ୍ର ଝରିଆର। ସହରର ପାଣି ପବନରେ ପ୍ରତି ପାଳିତ ହେଲେ ବି ଗାଁର ଆକର୍ଷଣ ମାନିନୀ ପାଇଁ ଅଧିକ ଥିଲା। ଗାଁ ମାଟିର ସୁଗନ୍ଧରେ ସେ ଆତ୍ମହରା ହୋଇ ଉଠୁଥିଲା।
ଆଗରୁ ଅନେକ ଥର, ବାହା ହେବା ଆଗରୁ ବାବା ମାମା ସହ, ବାହା ହେଲା ପରେ ମଧୁମୟ ସହ ମାନିନୀ ଗାଁ କୁ ଆସିଛି। କିନ୍ତୁ ଏ ଥର ଆସିବା ଭିନ୍ନ ଥିଲା। ସେ ଗର୍ଭବତୀ ଥିଲା। ମା ହେବାକୁ ଯାଉଥିଲା। ପ୍ରସବ ସମୟ ନିକଟ ଥିବାରୁ ସେ ଆସି ମାମା ପାଖରେ ରହିଥିଲା। କାଲି ଯେତେବେଳେ କକା ଭୁବନେଶ୍ବର ରେ ପହଞ୍ଚି ମାନିନୀକୁ ଗାଁକୁ ନେବାପାଇଁ ଜିଦ୍ ଧରିଥିଲେ, ତାଙ୍କୁ ଦେଖୁଦେଖୁ ସେ ମନେମନେ ଈଶ୍ବରଙ୍କୁ ପ୍ରାର୍ଥନା କରିଥିଲା- ହେ ଭଗବାନ, ମାମା ନାହିଁ କହନ୍ତୁ ନାହିଁ।
ତା ପ୍ରାର୍ଥନା ଈଶ୍ବର ଶୁଣିଥିଲେ। ମାମା ହଁ କହିଥିଲେ।
ସକାଳୁ ମାନିନୀ ଓ କକାଙ୍କୁ ନେଇ ଜାତୀୟ ରାଜପଥରୁ ଖସି ଭିତରକୁ କେନାଲ କଡେ କଡେ ପନ୍ଦର କିଲୋମିଟରର ବିଲ ମାଳ ଭିତରେ ଅଙ୍କା-ବଙ୍କା ଧୂଳି-ଧୂସରିତ ପିଚୁ-ମାଟି-ପଥୁରିଆ ରାସ୍ତାରେ ଯାଇ କାର ଗାଁ ଘର ଦାଣ୍ଡ ଦୁଆର ପାଖରେ କାର ଯେତେବେଳେ ଯାଇ ଅଟକି ଥିଲା, କାର ପଛରେ ବଡ ପାଟିରେ ଅହେତୁକ ଚିତ୍କାର ଛାଡି ଦୌଡି ଦୌଡି ଆସୁଥିବା ପଂଝାଏ ପିଲାଙ୍କ ଗତି ବି ତା ସହ ବନ୍ଦ ହୋଇଯାଇଥିଲା। ସେମିତି ଚିତ୍କାର କରିକରି ପଛକୁ ଫେରି ଯାଇଥିଲେ ସେମାନେ। କାରରୁ ଓହ୍ଲେଇ ସିଧା ଯାଇ ମାନିନୀ ଦାଣ୍ଡ ଘରେ ଗୋଡ ଲମ୍ବେଇ ବସିଥିବା ଜେଜେ ମାଆଙ୍କ ପାଖରେ ପହଞ୍ଚିଥିଲା। ଜେଜେ ମା ଦେଖୁଦେଖୁ କୋଳକୁ ଟାଣି ନେଇଥିଲେ। ପିଲାଟି ଦିନୁ କକା ଖୁଡି ଜେଜେ ମାଆଙ୍କ ଆପଣା ପଣିଆର ପାଗଳ ଥିଲା ସେ।
ଦୁଇ
ଗଣ୍ଡମୁଣ୍ଡା ଘର ବାହାର ବଗିଚାରେ ଥିବା ଶେଫାଳି, କଦମ୍ବ ଓ ବେଲ ଗଛର ନୁଆଁଣିଆ ଛାଇ ତଳେ ଭୁବନେଶ୍ବରର ନିତିଦିନିଆ ଅପରାହ୍ନ ପବନକୁ ଉପଭୋଗ କରିବାକୁ ଚୌକି ପକେଇ ବସୁଥିଲା।
ବୈଠକ ଭିତରର ପଙ୍ଖା ତଳେ ବସି ଟିଭି ଦେଖିବାକୁ ତାର ସ୍ପୃହା ନ ଥିଲା। ପୁରୁଣା ଓଡିଆ ଉପନ୍ୟାସ ପଢିବାକୁ ଭାରୀ ସଉକ ତାର। ସେଥିପାଇଁ ବାବା ବାଛିବାଛି ପୁରୁଣା ଓଡିଆ ବହିର ସମ୍ଭାର ଆଣି ତା’ ପାଇଁ ରଖିଛନ୍ତି। ମୁମ୍ବାଇର ଡାକ୍ତର ପଦ୍ମନାଭ କହିଥିଲେ – ଟିଭି ଦେଖିବା ଅପେକ୍ଷା ବହି ପଢିବା ଭଲ। ପେଟର ଛୁଆ ପାଇଁ ।
ଗାଁକୁ ଆସିଲେ ଦିପହରର ଖରା ଲେଉଟାଣି ବେଳେ ମାନିନୀ ର ଅଭ୍ୟାସ ଥିଲା, ତୋଟା ଆଡେ ଯାଇ ବୁଲି ଆସିବା। ଘର ପଛ ପାଖେ ଗୁହାଳ। ଗୁହାଳରୁ ବାହାରି ଆଗକୁ ଗଲେ ସେଠାରୁ ଚାରି ଧାଡି ନଡିଆ ଗଛ। ପରେ ଆମ୍ବ, ବେଲ ପଣସ ତୋଟାର ଆରମ୍ଭ । ତୋଟା ଅତିକ୍ରମ କଲେ ନଦୀ ପଠାରେ ପହଞ୍ଚି ହୁଏ। ଗହମିଆ ରଙ୍ଗ ସରୁ ବାଲିର ନଦୀ ପଠା । ଈଷତ୍ ରୂପେଲି ଦେଖା ଯାଉଥିବା ନଦୀ ପାଣି ଉପର ଦେଇ ଭାସି ଆସୁଥିବା ବସନ୍ତିଆ ପବନର ଭିଜା ଭିଜା ସୁଗନ୍ଧ ମାନିନୀକୁ ବେଶ୍ଭଲ ଲାଗେ।
ନଦୀକୂଳରୁ ଆସି ଗହଳିଆ ଆମ୍ବ ତୋଟାରେ ବୁଲୁବୁଲୁ ତଳକୁ ଓହଳି ପଡିଥିବା ପେନ୍ଥା କାର କଞ୍ଚା ଆମ୍ବ ରଞ୍ଜିତାର ଦୃଷ୍ଟିଗୋଚର ହୋଇଥିଲା। ପାଦ ଟିକେ ଉଠେଇ ତୋଳିବାକୁ ଚେଷ୍ଟା କଲା। ସଫଳ ହୋଇ ପାରିଲାନି ସେ। ଅନ୍ୟ ଦିନ ହୋଇଥିଲେ ଡେଇଁ ପଡି ତୋଳି ଦେଇଥାନ୍ତା। କିନ୍ତୁ ଆଜିର ପରିସ୍ଥିତି ଭିନ୍ନ। ସାହାସ ହେଲାନି। ନିରାଶରେ ମୁହଁ ବୁଲେଇ ଅନ୍ୟ ଏକ ଗଛ ଉପରକୁ ନଜର ଦେଉଥିଲା, ପାଖରେ ତଳେ ଭାରି ଜିନିଷ ପଡିବା ଶବ୍ଦ ଶୁଣି ଫେରି ଚାହିଁଲା। ପ୍ରଥମେ ଚାହୁଁଥିବା ଆମ୍ବ ପେନ୍ଥାଟି ତଳେ ପଡିଛି। କିଛି ଦୂରରେ ନଅ-ଦଶ ବର୍ଷର ଜଣେ ବାଳକ ହାତରେ ବାଟୁଳି ଧରି ଠିଆ ହୋଇଛି। ତଳୁ ସେ ଆମ୍ବକୁ ଉଠେଇଲା। ଇସାରାରେ ବାଳକଟିକୁ ଡାକି ପଚାରିଲା, “ଏ ଆମ୍ବ ତୁ ବାହାର କଲୁ?”
ମୁଣ୍ଡ ହଲେଇ ମନା କରିବା ସୂଚାଇ ବାଳକଟି କହିଲା, “ମୁଁ ନୁହଁ। ଏ ବାଟୁଳି ବାହାର କଲା।”
ଉତ୍ତରର ବିଚକ୍ଷଣତା ମାନିନୀକୁ ହସିବା ପାଇଁ ବିବଶ କରିଥିଲା। ପେନ୍ଥାରୁ ଛୋଟ ଆମ୍ବଟିଏ ଛିଣ୍ଡାଇ ମାନିନୀ ତାକୁ ପାଖରେ ପଡିଥିବା ବଡ ପଥରରେ ଛେଚିଲା। କେତେଟା ଚିହ୍ନ ଛଡା ଆମ୍ବରେ ଅନ୍ୟ କିଛି ପରିବର୍ତ୍ତନ ଦେଖାଗଲାନି। ହାତରେ ଲାଗିଥିବା ଆମ୍ବ ଲସାର ଭଣ ଭଣ ବଉଳିଆ-ସୁଗନ୍ଧ ବାରି ହୋଇ ପଡୁଥିଲା।
ବାଟୁଳି ଧରିଥିବା ବାଳକଟି ପାଖକୁ ଆସିଲା। ତା ହାତରୁ ଆମ୍ବଟିକୁ ନେଇ ପଥର ଉପରେ ରଖି ତା ଉପରେ ହାତକୁ ମୁଠା କରି ଛେଚିଲା। ଆମ୍ବ ଦୁଇ ଫାଳ ହୋଇଗଲା। ଭିତରୁ ଧଳା ସରସର କୋଇଲି ବାହାରି ତଳେ ପଡିଗଲା।
ଆମ୍ବ ଦୁଇ ଫାଳ ମଧ୍ୟରୁ କୋଇଲିଟିର ବାହାରିଯିବା ଦୃଶ୍ୟ ମାନିନୀକୁ ସ୍ତବଧ କରିଦେଲା। ଗୋଟିଏ ମୁହୁର୍ତ୍ତ ପାଇଁ ବିଦ୍ୟୁତ୍ ତରଙ୍ଗର ଶିହରଣ ତା ଦେହରେ ଖେଳିଗଲା। ତାର ବୋଧ ହେଲା, ଆମ୍ବ ଭିତରୁ କୋଇଲି ନୁହେଁ, ତାର ଛୁଆ ବାହାରି ଆସିଛି।
“ନିଅ, ଆମ୍ବ ଖାଇବ।” - ବାଳକଟିର ସମ୍ବୋଧନରେ ସେ ସଚେତ ହେଲା ।
ଦେଖିଲା, ବାଳକଟି ସବୁତକ ଆମ୍ବ ନିଜେ ରଖି ଖଣ୍ଡେ ତାକୁ ଦେଉଛି। ପଥରଟି ଉପରେ ମାନିନୀ ବସିଲା। ପାଟିରେ ଆମ୍ବକୁ ଦେଉଦେଉ ତାକୁ ପଚାରିଲା, “ତୋ ନାଁ କ’ଣ?”
- ବିଚିତ୍ରା।
- ମୋତେ ଚିହ୍ନୁ?
ମୁଣ୍ଡ ହଲେଇ ଅସମ୍ମତି ସୂଚାଇଲା ସେ।
- ମୋ ନାଁ ମାନିନୀ। ତୁ କୋ କ୍ଲାସରେ ପଢୁ?
- ପଞ୍ଚମରେ।
- ଆଜି ସ୍କୁଲ ଯାଇନୁ?
- ଯାଇଥିଲି। ସ୍କୁଲ ଛୁଟି ହୋଇସାରିଲାଣି।
ସତେ ତ। ମାନିନୀର ମନେ ପଡିଲା। ସେ ଆସିଲା ବେଳେ ସତ୍ୟ ଘରେ ନ ଥିଲା। ସତ୍ୟ କକାଙ୍କ ଦଶ ବର୍ଷର ପୁଅ। ଖୁଡି କହୁଥିଲେ, ସତ୍ୟ ସ୍କୁଲକୁ ଯାଇଛି।
- ତୁ ସତ୍ୟକାମକୁ ଚିହ୍ନୁ?
ସେ ମୁଣ୍ଡ ଟୁଙ୍ଗାରି ହଁ କଲା, “ହଁ, ସେ ମୋ ସାଙ୍ଗ। ତମେ କ’ଣ ଆମ ସ୍କୁଲର ନୂଆ ମାଷ୍ଟ୍ରାଣୀ?”
ରଞ୍ଜିତା ହସିଲା, “ଆରେ ନାଇଁ, ମୁଁ ସତ୍ୟକାମର ଭଉଣୀ। ମାଷ୍ଟ୍ରାଣୀ କାହିଁକି ହେବି?”
“ସତ୍ୟକାମର ଭଉଣୀ? କାହିଁ, ମୁଁ ତ ତାଙ୍କ ଘରେ ତମକୁ କେବେ ଦେଖିନି।”
“ମୁଁ ଭୁବନେଶ୍ବରରେ ରହୁଛି ତ’, ସେଥିପାଇଁ ମୋତେ ଦେଖିନୁ।”
“ଓଃହୋ।” ସେ ବୁଝିଲା ପରି ସ୍ବଗତୋକ୍ତି କଲା। ବିଚିତ୍ରାର ବ୍ୟବହାରରେ ରଞ୍ଜିତା ହସିଲା। ଆମ୍ବ ଗଛର ଡାଳ-ପତ୍ର ଦେଇ ସୂର୍ଯ୍ୟଙ୍କର କ୍ଷୀଣ ରଶ୍ମି ବିଚିତ୍ରାର ମୁହଁରେ ପଡି ସେଠାରେ ଚିତ୍ର ବିଚିତ୍ର ସୃଷ୍ଟି କରୁଥିଲା। ମୁହଁ ଉପରେ ପଡୁଥିବା ଆଲୋକ ପାଇଁ ସେ ବ୍ୟସ୍ତ ନ ଥିଲା। ରଞ୍ଜିତା କୁ ଏକ ଲୟରେ ଚାହିଁ ରହିଥିଲା।
“ବିଚିତ୍ରା !!!”
ତା ନାଁ ଧରି ଅନେକ କଣ୍ଠରେ ଡାକିବାର ଶୁଣାଗଲା। ତିଳେ ବି ବିଳମ୍ବ ନ କରି ପଛକୁ ବୁଲି ସେ ଦୌଡି ଦୌଡି ପଛରେ ତାକୁ ଡାକୁଥିବା ସାଙ୍ଗମାନଙ୍କ ମେଳରେ ହଜିଗଲା। ତୋଟାଠାରୁ ଦୂରକୁ ଦୂରକୁ ଚାଲି ଯାଉଥିବା ପିଲାମାନଙ୍କ କମି ଯାଉଥିବା କୋଳାହଳ ମଧ୍ୟରେ ସେମାନଙ୍କ ଯିବା ପଥକୁ ଚାହିଁ ପଥର ଉପରେ ବସି ରଞ୍ଜିତା ନିଜ ବିଚାର ଭିତରେ ନିମଗ୍ନ ହୋଇ ଯାଇଥିଲା। ବିଚିତ୍ରାକୁ ଦେଖି ତା ଗର୍ଭରେ ଥିବା ସନ୍ତାନ ବିଷୟ ତା ମନକୁ ଆସିଲା। ସେ କ’ଣ ବିଚିତ୍ରା ପରି ହେବ? ଗୋଟିଏ ମୁହୂର୍ତ୍ତ ପାଇଁ ଶିହିରି ଉଠିଲା ସେ।
ତିନି
ଯେଉଁ ଦିନ ସେ ଜାଣିଲା ଯେ ସେ ଗର୍ଭବତୀ ହୋଇଛି, ଅଜଣା ଆନନ୍ଦରେ ପୁଲକିତ ହୋଇ ଉଠିଥିଲା ସେ।
ଶରତ ଶେଷରେ ପ୍ରାକ୍ ଶୀତ-ହେମନ୍ତର ବାସ୍ନାକୁ ଶୁଙ୍ଘି ପାରୁଥିଲା, ମାନିନୀ। ସକାଳୁ ସକାଳୁ ମଧୁମୟଙ୍କ କ୍ୱାର୍ଟର ବାହାର ବୃକ୍ଷ ପଲ୍ଲବରେ ଦୃଶ୍ୟମାନ ଟୋପା ଟୋପା କାକର ବିନ୍ଦୁ ହେମନ୍ତ ଉପସ୍ଥିତିର ସୂଚନା ଦେଇ ପାରୁଥିଲେ।
ଅତି ସଙ୍କୋଚରେ ଏ ବିଷୟ ମଧୁମୟଙ୍କୁ କହି ପାରି ନଥିଲା। ମୋବାଇଲରେ ମାମାଙ୍କ ସହ ସବୁ ଦିନେ କଥା ହେଉଥିଲା ବେଳେ ତାର ସନ୍ଦେହ ବିଷୟ କହିଥିଲା। ଶୁଣୁଶୁଣୁ ମାମା ଆନନ୍ଦରେ ବିହ୍ବଳ ହୋଇ ଯାଇଥିଲେ। ପରୀକ୍ଷା କରେଇ ନେବାକୁ କହିଥିଲେ। ଶାଶୁ ଶୁଣୁ ଶୁଣୁ ପୁଲକି ଉଠିଥିଲେ। ଯେହେତୁ ତାଙ୍କର ତିନି ପୂର୍ବପୁରୁଷଙ୍କ ଝିଅ ଜନ୍ମ ହୋଇ ନ ଥିଲେ, ତାର ଝିଅ ନିଶ୍ଚୟ ହେବ, ଏ କଥା ମଧ୍ୟ କହିଥିଲେ। କିନ୍ତୁ ମାନିନୀର ପୁଅ ଇଛା ଥିଲା। ସନ୍ଧ୍ୟାରେ ଯେତେବେଳେ ଖଣି ଭିତରୁ ମଧୁମୟ ଘରକୁ ଫେରିଥିଲେ, ତା ସନ୍ଦେହ ବିଷୟରେ କହିଥିଲା।
ପରୀକ୍ଷା କଲା ପରେ ଜଣା ପଡିଥିଲା, ତା ସନ୍ଦେହ ସତ ଥିଲା।
ଶୁଣୁ ଶୁଣୁ ତା ଭିତରେ ମାତୃତ୍ୱ ସ୍ପର୍ଶର ତରଙ୍ଗାୟିତ ଶିହରଣ ଖେଳି ଯାଇଥିଲା। ଗୋଟିଏ ମୁହୂର୍ତ୍ତ ପାଇଁ ସେ ଅନୁଭବ କରିଥିଲା, ତା ଚାରିପଟର ଆକାଶରୁ ଅନବରତ ବରଫ ଗୁଣ୍ଡ ଝଡୁଛି, ତା ଚାରିପାଖେ ଖେଳେଇ ହେଇ ଯାଇଛି, ଗଦା ଗଦା ବରଫର ଧଳା ସ୍ତୁପ ଉପରେ ଠିଆ ହୋଇ ସେ ଆନନ୍ଦରେ ଆତ୍ମହରା ହୋଇ ପଡିଛି। ଚତୁର୍ଦିଗରୁ ବରଫ ଆଛାଦିତ କୁହୁଡିଆ ବାତାବରଣ ଭିତରେ ସେ ନିଜେ ତା ଚେହେରା ଅତି ପରିଷ୍କାର ରୂପେ ଦେଖି ପାରୁଥିଲା।
ଶାଶୁଙ୍କ ଆଶା, ତାର ଇଛା ବିଷୟ ମଧୁମୟଙ୍କ ଆଗରେ ବ୍ୟକ୍ତ କରିଥିଲା। ମଧୁମୟ କିଛି ନ କହି ଚୁପ୍ରହିଥିଲେ। ସେ କିନ୍ତୁ ପୁଅ ଝିଅ ଗଠନ ପ୍ରକ୍ରିୟା ଜାଣି ମଧ୍ୟ ପ୍ରାର୍ଥନା କରିଥିଲା, ତାର ପୁଅ ହେଉ।
ହଁ, ତାର ପୁଅ ହିଁ ହେବ।
ଆମ୍ବ ଗଛ ତୋଟା ତଳେ ଲାଲ ରଜ୍ଜୁରେ ବନ୍ଧା ସୂର୍ଯ୍ୟଙ୍କ ବାହୁଡା-ବିଜୟ ରୂପକ ରଶ୍ମି-ରଥର ମ୍ଳାନ କିରଣରେ ବାସନ୍ତିକ ସନ୍ଧ୍ୟାର ଶୀତଳତା ଅନୁଭୂତ ହେବାରେ ଲାଗିଥିଲା।
ମୁମ୍ବାଇରୁ ଆସିଲା ବେଳେ ଡଃ ପଦ୍ମନାଭ ସତର୍କ କରେଇ ଛାଡିଥିଲେ – ବେଶି ଅସୁବିଧା ବସନ୍ତ ପବନ।
ବସିବା ସ୍ଥାନରୁ ମାନିନୀ ଉଠିଲା। ଆଉ ବେଶି ସମୟ ଏହି ସମୟରେ ବାହାରେ ରହିବା ଠିକ୍ ନାହିଁ। ଆମ୍ବ ତୋଟା ଭିତରୁ ବାହାରି ଆସିଲା।
ବାଡ଼ି ପାଖେ ନ ଯାଇ ସେ ଦାଣ୍ଡ ପାଖେ ଯିବାକୁ ଚାହିଁଲା। ସ୍ବସ୍ଥ, ସୁନ୍ଦର, ପରିଷ୍କାର ଗାଁ। ସହର ଅପେକ୍ଷା ଗାଁ ଗୁଡିକ ଅଧିକ ସ୍ୱଛ ଓ ପରିଷ୍କୃତ। ରାସ୍ତା ମଝିରେ ଥିବା ବଡ କୂଅରୁ କାଖରେ ପାଣି ମାଠିଆ ନେଇ ନିଜନିଜ ଘରକୁ ଫେରୁଥିବା ଗାଁ ମାଇପି, ସ୍ଥାନେ ସ୍ଥାନେ ଟୋକାମାନଙ୍କ ସମାବେଶ, ଗାଁ ଦାଣ୍ଡରେ ଖେଳୁଥିବା ପିଲାମାନଙ୍କ ପାଟିତୁଣ୍ଡ ଭିତରେ ମାନିନୀକୁ ମନ୍ଦିରର ଶଙ୍ଖ ଧ୍ବନି ଶୁଣାଗଲା।
“ଏ ବଗ ନଖ ଦେ, ଏ ବଗ ନଖ ଦେ।”
ଦଳେ ପିଲାଙ୍କ ପାଟି ଶୁଣି ଉପରକୁ ଚାହିଁଲା ମାନିନୀ । ମେଘ ଶୂନ୍ୟ ଆକାଶ ବକ୍ଷରେ ଦଳେ ବଗ ନୀଡ ଅଭିମୁଖେ ଉଡୁଥିଲେ। ସାଙ୍ଗରେ ଆହାର ନିଶ୍ଚୟ ନେଉଥିବେ। ଗଛ ବସାରେ ଚିଁ ଚିଁ କରି ତାଙ୍କ ଫେରିବା ରାସ୍ତାକୁ ଚାହିଁ ବସିଥିବା ଛୁଆମାନଙ୍କର ରାବ ସେମାନଙ୍କ କାନରେ ପଡୁ ନ ଥିବ?
ଚଞ୍ଚଳ ପାଦରେ ସେ ଘର ଅଭିମୁଖେ ଆଗେଇଲା।
ଦାଣ୍ଡ ଦୁଆର ମୁହଁରେ ମାନିନୀକୁ ଦେଖି ଖୁଡିଙ୍କ ସହ କଥା ହେଉଥିବା ସ୍ତ୍ରୀ ଲୋକ ଜଣକ ପଚାରିଲେ, “ବଡର ଝିଅ କିଲୋ ମନି?”
“ହଁ।” ତାଙ୍କ ପ୍ରଶ୍ନର ଉତ୍ତର ଦେଇ ସାରି ମାନିନୀକୁ ଚାହିଁ ଖୁଡି ପଚାରିଲେ, “ଏ ଯାଏଁ କୁଆଡେ ଥିଲ ମାନି। ତମ ମା ମୋତେ କେତେ ଥର ପଚାରି ସାରିଲେଣି। ଏବେ କକା ତମକୁ ଖୋଜିବାକୁ ବାହାରୁ ଥିଲେ।”
“ତୋଟା ଆଡେ ଚାଲି ଯାଇଥିଲି ଖୁଡି।” କହୁକହୁ ମାନିନୀ ଘର ଭିତରେ ପଶିଲା। ଗାଁରେ ଅଭାବ-ଅନାଟନ ମାଇପି-ରାଜନୀତିର ଜଟିଳତା ଭିତରେ ଯାହା ହେଲେ ବି ଜଣେ ପଡୋଶୀ ଅନ୍ୟ ଜଣେ ପଡୋଶୀଙ୍କର ଅଣିକଣିର ଖବର ରଖୁଥିଲେ। ସ୍ତ୍ରୀ ଜଣଙ୍କର ଜିଜ୍ଞାସାରେ ମାନିନୀ ବିରକ୍ତ ହୋଇ ନ ଥିଲା। ବରଂ ଖୁସି ଅନୁଭବ କରିଥିଲା। ସେ ଚିହ୍ନି ନ ଥିବା ଲୋକମାନେ ବି ତାକୁ ଚିହ୍ନିଛନ୍ତି।
ଦାଣ୍ଡ ଘରେ ଚଟାଣ ଉପରେ ଗୋଡ ଲମ୍ବାଇ ବସି ଜେଜେ ମା ଲଣ୍ଠନର କାଚ ପୋଛୁଥିଲେ। ଲମ୍ବା ବାରି ଯାଏଁ ଘର ଭିତରେ ଅନ୍ଧକାର ବ୍ୟାପି ରହିଥିଲା। ମାନିନୀ ଅନୁମାନ କଲା, ବିଦ୍ୟୁତ-ଯୋଗାଣ ବିରତି ଜେଜେ ମା ତାକୁ ଦେଖୁଦେଖୁ ପଚାରିଥିଲେ, “ଏକୁଟିଆରେ ଏମିତି ଗାଁଆ ଭିତରେ ଯାଇ କାହିଁକି ବୁଲୁଛୁ?”
“ତୋଟା ଭିତରେ ଥିଲି। ଇସ୍, କେତେ ଆମ୍ବ ଆସିଛି ମାଆ ଏ ବର୍ଷ, ଦେଖିଛ?”
“ତୋ କକା କହୁଥିଲା, ଏ ବର୍ଷ ଭଲ ଆମ୍ବ ଆସିଛି। ଦେଖିଲୁ?”
ମୁଣ୍ଡ ଟୁଙ୍ଗାରି ମାନିନୀ ହଁ କଲା। ଖୁଡି ଘର ଭିତରକୁ କହିକହି ଆସିଲେ, “ସବୁ ଦିନେ ଆଠ ଘଣ୍ଟାରୁ ଦଶ ଘଣ୍ଟା କରେଣ୍ଟ ରହୁନି। କେତେ ଥର ତମ କକାଙ୍କୁ କହିଲିଣି, ଏମାରଜେନସି ଲାଇଟ୍ ଆଣ। ସତ୍ୟର ପାଠ ପଢା ନଷ୍ଟ ହେଉଛି। ଶୁଣିଥାନ୍ତେ ଭଲା ମୋ କଥା। ତମେ ଟିକେ କୁହ ମାନି।”
ତାଙ୍କ ପାଟିରୁ କଥା ଛଡେଇ ଆଣି ଜେଜେ ମା କହିଲେ, “ହଁ, ଆଉ ଟଙ୍କା ଖର୍ଚ୍ଚ ନ କଲେ ହେବ କି? ଦିନରେ ପଢୁନି ତୋ ପୁଅ!”
ମାନିନୀ କହିଲା, “ଆଉ ସେ ଦିନ କାଳ ଅଛି ମା? ପାଠ ନ ହେଲେ କିଛି କାମର ନାଇଁ, ବୁଝିଲ?” ପୁଣି ଖୁଡି ଙ୍କୁ ଚାହିଁ ପଚାରିଲା, “ସତ୍ୟ କୁଆଡେ ଗଲା ଖୁଡି? ମୁଁ ତାକୁ ସକାଳୁ ଦେଖିନି।”
“ସେ ସ୍କୁଲରୁ ଆସିଲା ବେଳେ ତମେ ନ ଥିଲ। ପାୱାର-କଟ୍ ସମୟ ଜାଣିଛି। ମନ୍ଦିର ଭିତରେ ଯାଇ ଖେଳୁଥିବ।”
ଚାରି
ଘର ସାମନାର ମନ୍ଦିରରୁ ଶଙ୍ଖ ଓ ଘଣ୍ଟା ଧ୍ବନି ଶୁଣା ଯାଉଥିଲା। ରାତ୍ରର ପ୍ରଥମ ପ୍ରହର ପ୍ରାରମ୍ଭରେ ଆରମ୍ଭ ହୋଇଥିବା ଥଳ-ମୃଦଙ୍ଗ ତାଳର ତାଳେ ତାଳେ ସୁଲଳିତ କଣ୍ଠରେ ଭଜନ ଶାନ୍ତ ସୌମ୍ୟ ଗ୍ରାମ୍ୟ ପରିବେଶ ଝଙ୍କୃତ ହୋଇ ଯାଇଥିଲା। ମାନିନୀ ଅନୁମାନ କଲା ସତ୍ୟକାମ କକାଙ୍କ ସହ ତାଳରେ ତାଳ, କଣ୍ଠରେ କଣ୍ଠ ମିଳେଇ ମନ୍ଦିରର ଭଜନରେ ମାତି ଯାଇଥିବ। ଜେଜେ ମା ଉଠିଲେ। ଲଣ୍ଠନରେ ନିଆଁ ଧରେଇ ଦେଇ ସାରିଥିଲେ। ହାତରେ ଖଣ୍ଡେ ସଳିତା ଧରି ମନ୍ଦିର ଯିବାକୁ ବାହାରିଲେ, “ତୁ ମନ୍ଦିର ଯିବୁ ମାନି?”
- ନା, ତମେ ଯାଅ।
ଜେଜେ ମା ମନ୍ଦିରକୁ ଚାଲିଗଲେ। ସଞ୍ଜ ସଳିତା ଆଣି ଖୁଡି ଦୁଆର ମୁହଁରେ ଗୋଟିଏ କୋଣେ ଜଳିଲା ଭଳି ରଖିଦେଇ ମୁଣ୍ଡରେ ଓଢଣା ଦେଇ ଓଳଗି ହେଲେ। ଭାରତୀୟ ସଂସ୍କୃତିର ଏହି କ୍ଷଣ ଗୁଡିକୁ ମାନିନୀର ପ୍ରିୟ ଥିଲା ଏବଂ ସେ ତାକୁ ଆଦରି ନେଇଥିଲା। ତା ମାମା ଭୁବନେଶ୍ବରରେ ସବୁ ଦିନ ସନ୍ଧ୍ୟାରେ ଦ୍ୱାର-ମୁହଁରେ ସଳିତା-ଦାନ କଲାବେଳେ ମାମାଙ୍କ ସହ ସେ ବି ଓଳଗି ହେବା ପାଇଁ ଜଗି ବସୁଥିଲା। ଖୁଡିଙ୍କୁ ଦେଖି ଆଜି ବି ତା ହାତ ଓଢଣା ପାଖକୁ ଚାଲିଗଲା। ମୁଣ୍ଡରେ ଓଢଣା ଦେଇ ମନରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲା- ହେ ପ୍ରଭୁ, ମୋ ଛୁଆକୁ ଘଣ୍ଟ ଘୋଡେଇ ଥ।
ରୋଷେଇ ଘର ପିଢା ଉପରେ ବସି ଖୁଡି ଗ୍ୟାସ୍ଚୁଲ୍ଲୀରେ ଅଗ୍ନି ସଂଯୋଗ କଲେ। ମାନିନୀ ଦିଗେ ଚାହିଁ ପଚାରିଲେ, “ମାନି, ଚାହା ପିଇବ?”
ମୁଣ୍ଡ ହଲେଇ ମନା କରି ମାନିନୀ ପାଟି ଖୋଲି କହିଥିଲା, “ନା।”
ବିଜୁଳି ଶକ୍ତି ବିରତ ସମୟରେ ଜଳୁଥିବା ଲଣ୍ଠନର ମିଞ୍ଜି-ମିଞ୍ଜି ଆଲୁଅ ସହ ସେ ଭୁବନେଶ୍ବରରେ ବାବାଙ୍କ କିମ୍ବା ମଧୁମୟଙ୍କ ମୁମ୍ବାଇ କୋଠରୀ ଭିତରର ଏକ ରୁ ଅଧିକ ଏଲ୍ ଈ ଡି ବଲ୍ବ ର ତୀବ୍ର ତୋଫା ଆଲୁଅ କୁ ତୁଳନା କରୁଥିଲା। ଯେଉଁଠି ଭୋଲ୍ଟେଜ୍ହିଁ ରହୁନି, ସେଇଠି ଲଣ୍ଠନ, ଲମ୍ବା-ବାଡି ଆଲୁଅ, ସି ଏଫ୍ ଏଲ୍କିମ୍ବା ଏଲ୍ ଈ ଡି ସମସ୍ତେ ଏକା ଭଳି।
ବାବାଙ୍କୁ କହି ଅନ୍ତତଃ ପକ୍ଷେ ସତ୍ୟକାମକୁ ଭୁବନେଶ୍ବର ନେଇ ଯିବାକୁ ପଡିବ। କକା ଏମାରଜେନସି ଲାଇଟ୍ ଆଣିଲେ ବି ସତ୍ୟକାମର ଭୁବନେଶ୍ବର ଯିବା କଥାକୁ ସେ ଗମ୍ଭୀରତାରେ ନେବ। ନ ହେଲେ ଗାଁର ଉପେକ୍ଷିତ ଉନ୍ନତିରେ ସତ୍ୟକାମର ଭବିଷ୍ୟତ ଅନ୍ଧାର ହୋଇଯିବ।
ସାନ ପୁଅକୁ ଖୁଡି ଦାଣ୍ଡଘରେ ମସିଣା ଉପରେ ଲଙ୍ଗଳା କରି ଶୁଆଇ ଦେଇଥିଲେ। ବିଦ୍ୟୁତ-ଯୋଗାଣ ବିରତି ସମୟରେ ତା ଜଂଜାଳରୁ ମୁକ୍ତି ପାଇବା ପାଇଁ ଖୁଡି ସହଜ ଉପାୟଟି ବାଛିଥିଲେ। ମଶା ଯଦି ତାକୁ କାମୁଡି ଦିଏ? ଅଲାଗୁଣୀରୁ ଲୁଗାଟିଏ ବାହାର କରି ମାନିନୀ ତା ଉପରେ ପକାଇଦେଲା। ଗୋଟିଏ କଡେ ହାତ ଉପରେ ହାତ, ଗୋଡ ଉପରେ ଗୋଡ ପକେଇ ସେ ଗଭୀର ନିଦରେ ଶୋଇଥିଲା। ତା ଉପରେ ଧ୍ୟାନ ଯାଉଯାଉ ନିଜ ପେଟ ଉପରେ ମାନିନୀର ଦୃଷ୍ଟି ଗଲା।
କ’ଣ କରୁଥିବ ସାତ ମାସର ଛୁଆଟା ତା ପେଟ ଭିତରେ? ମା ଉପରେ ଦୃଷ୍ଟି ରଖିଥିବ ? ମା କ’ଣ ଖାଉଛି, କ’ଣ ପିଉଛି, କ’ଣ ଦେଖୁଛି, କାହା ସହ କଥା ହେଉଛି ? ଉତ୍ତରାଙ୍କ ଗର୍ଭରେ ଅଭିମନ୍ୟୁ ଭଳି !
କାହା ଭଳି ହେବ ତା ଛୁଆ ? ମଧୁମୟଙ୍କ ଭଳି ନା ତା ଭଳି ?
କେଲେଣ୍ଡରରେ ଛପା ଯାଇଥିବା କଅଁଳା ଛୁଆ ଅଥବା ଟିଭି ବିଜ୍ଞାପନ ଆସୁଥିବା ୱାଟସ୍-ଅପ୍ କିମ୍ବା ୟୁ-ଟ୍ୟୁବରେ ଛଡାଯାଉଥିବା ଭିଡିଓରେ ଥିବା ଅଦ୍ଭୁତ କ୍ରିୟା ପ୍ରଦର୍ଶନକାରୀ ଛୋଟ, ଗୁଲୁଗୁଲିଆ, ଠୁକୁ ଠୁକୁ ଚାଲୁଥିବା ଛୁଆମାନଙ୍କ ଭଳି !
କିମ୍ବା ସାଙ୍ଗ ସାଥୀ ମେଳରେ ବୁଲିବୁଲି ରାତି ଅଧରେ ଘରକୁ ଫେରିବ ଏବଂ କହିବ, “ଭୋକ ନାହିଁ ମା, ଶୋଇ ପଡୁଛି।”
କିମ୍ବା ହସିବ, ଖେଳିବ, ବୁଲିବ। ଗାଁ ପିଲାଙ୍କ ଭଳି ତୋଟାରେ ବାଟୁଳି ମାରି ମାଙ୍କଡ ହୁରୁଡଉ ହୁରୁଡଉ ଥକିଯାଇ ମା କୋଳରେ ଶୋଇ ପଡିବ।
ନା, ତା ପୁଅ ତା ଭଳି ହେବ। ତାର ଅବାଧ୍ୟ କେବେ ହେବନି।
ରାତି ଆଠଟା ବେଳେ ବିଜୁଳି ଆଲୁଅ ଆସିଥିଲା। ତା ସଙ୍ଗେସଙ୍ଗେ ପୁରା ଘର ଚଳ ଚଞ୍ଚଳ ହୋଇ ଉଠିଥିଲା। କକା, ସତ୍ୟକାମ ଜେଜେ ମା ସହ ମନ୍ଦିରରୁ ଫେରି ସାରିଥିଲେ। ସତ୍ୟକାମ ଆସୁଆସୁ ମାନିନୀର ପିଠିରେ ଓହଳି ପଡିଥିଲା। ଖୁଡି ତାକୁ ଆକଟ କରିଥିଲେ, “ଦେଖେ, ଦେଖେ, ଦିଦିର ବେକ ଭାଙ୍ଗିଯିବ।”
ସତ୍ୟକାମକୁ ସେ ଆଗକୁ ଟାଣି ଆଣିଲା। ମହେନ୍ଦ୍ର ଭଳି ସତ୍ୟକାମ ହୃଷ୍ଟପୃଷ୍ଟ ନ ଥିଲା। ପତଳା, ଗୋରା ଦେହରେ ହାଫ୍ପେଣ୍ଟ ଓ ଗଞ୍ଜି ଥିଲା। ସାଙ୍ଗସାଥୀ ମେଳରେ ଖେଳି ବୁଲି ମୁହଁ କଳା ପଡି ଯାଇଥିଲା।
“ସକାଳୁ ତୋର ଦେଖା ନାହିଁ। କୁଆଡେ ଯାଇଥିଲୁ କିରେ? ଏମିତି କାଳିଆ କରିଛୁ ମୁହଁକୁ। ତୋ ସାଙ୍ଗ ବିଚିତ୍ରା ସହ ଦେଖା ହୋଇଥିଲା।”
ସଙ୍ଗେସଙ୍ଗେ ତା ମୁହଁରେ ପରିବର୍ତ୍ତନ ଦେଖାଗଲା। ଦିଦି ଆଗରେ ଚକା ମାରି ବସି ପଡି ପଚାରିଲା, “କଉଠି ଦେଖିଲ ଦିଦି ?”
“ଆମ ତୋଟାରେ। ଦଳବଳ ମିଶି ଆମ୍ବ ତୋଳୁଥିଲେ।”
ଚିନ୍ତା କଲା ଭଳି ଆଖି ନଚେଇ ନଚେଇ ସତ୍ୟକାମ କହିଲା, “ହଁ, ସେଥିପାଇଁ। ମୁଁ ଭାବୁଛି ମୋତେ ଛାଡି ଦେଇ ଏମାନେ ସବୁ ସଞ୍ଜରେ କୁଆଡେ ବୁଲୁଥିଲେ। ଆମ ତୋଟାକୁ ଯାଇଥିଲେ ତ, ମୋତେ ସେଥିପାଇଁ ସାଙ୍ଗରେ ନେଇ ନ ଥିଲେ। ମୁଁ ବୁଝିବି ତାଙ୍କ କଥା କାଲିକୁ।”
ପାଞ୍ଚ
ସତ୍ୟକାମ ଘଣ୍ଟାଏ କାଳ ପଢିଲା ପରେ କକା ତାକୁ ଧରି ଖାଇବାକୁ ଆସିଲେ। ଦାଣ୍ଡ ଘର ଖଟ ଉପରେ ଗଡ ତଡ ହେଉଥିବା ଜେଜେ ମା ଉଠି ଆସିଲେ। ରାତ୍ର ଭୋଜନକୁ ଖୁଡି ପରଶୁଥିବା ବେଳେ ଜେଜେ ମା କକାଙ୍କୁ କହିଲେ, “କାଲି ସକାଳୁ ମାଗା ତେଲିକୁ କହିବୁ ସେରେ ଖାଣ୍ଟି ରାଶିତେଲ ଆଣି ଦେଇଯିବ।”
“ରାଶିତେଲ, ସେ ପୁଣି ସେରେ! କ’ଣ କରିବୁ?” କକା ଆଶ୍ଚର୍ଯ୍ୟ ହୋଇ ପଚାରିଲେ।
ମାନିଙ୍କୁ ପିଆଇବେ। ଖୁଡି କକାଙ୍କୁ ଚାହିଁ କହିଲେ।
ମାନିନୀର ହାତର ଭାତ ପାଟି ପାଖରେ ଅଟକି ଗଲା। ପ୍ରସାରିତ ଦୁଇ ନୟନରେ ସେ ଜେଜେ ମାଆଙ୍କୁ ଚାହିଁଲା, “ମୁଁ ପିଇବି ମା? ରାଶିତେଲ? କ’ଣ ପାଇଁ?”
“ପୋଖତି ମାନଙ୍କ ପାଇଁ ରାଶିତେଲ ଭଲ। ତୋ ବାପା ଜନ୍ମ ବେଳକୁ ମୁଁ ଦି ସେର ପିଇଥିଲି।”
କକା ହସିଲେ। କହିଲେ, “ବୋଉ, ପ୍ରଥମ କଥା ମାଗା ତେଲି ବୁଢା ହୋଇଗଲାଣି। ତେଲଘଣା କେବେଠୁଁ ବନ୍ଦ ହୋଇଗଲାଣି। ଆଜିକାଲି ଖାଣ୍ଟି ରାଶି ମିଳିବା କଠିନ। ଆଉ ଖାଣ୍ଟି ରାଶିତେଲ କଉଠି ମିଳିବ ? ଦ୍ବିତୀୟରେ ମାନିର ଡାକ୍ତର କ’ଣ ରାଜି ହେବେ ?”
“ହଁ, ଆମ କଥା ଆଉ କିଏ ଶୁଣିବ ? ବୁଢୀ ହେଲିଣି ତ।”
ଜେଜେ ମାଆଙ୍କ ସ୍ବଗତୋକ୍ତିରେ ଖୁଡି ସାଙ୍ଗେ ସାଙ୍ଗେ କହିଲେ, “ନା ନା, ସକାଳୁ ଆଣିଦେବେ। ତମେ ବ୍ୟସ୍ତ ହୁଅନି।”
ଖାଇ ବସିଲା ବେଳେ ବି ଜେଜେ ମା ଗୋଡ ଲମ୍ବାଇ ବସି ଖାଉଥିଲେ। ଖାଇବା ହାତର ଖୋଲା ପାପୁଲିକୁ ଟିକେ ଓଲଟାଇ ପୁଣି ସିଧା କରି ଜେଜେ ମା ଚୁପ୍ଚାପ୍ ଖାଇବାରେ ଲାଗିଥିଲେ। ମାନିନୀକୁ ଚାହିଁ ଖୁଡି ଓଠରେ ଆଙ୍ଗୁଠି ଦେଇ ଚୁପ୍ ରହିବାକୁ କହିଲେ।
ମାନିନୀ ବୁଝିଲା, ପ୍ରକାରାନ୍ତରେ ଜେଜେ ମାଆଙ୍କୁ ଦୁଃଖିତ ନ କରେଇବା ପାଇଁ କକାଙ୍କୁ ସୂଚିତ କରାଯାଉଛି ।
ଗାଁ ଗହଳିର ପୁରୁଣା କାଳିଆ ସହଜ ପ୍ରସବ ବ୍ୟବସ୍ଥାର ଏହି ସ୍ମୃତି ଜେଜେ ମାଆଙ୍କ ମନରୁ ଆହୁରି ଯାଇନି। ତାଙ୍କ ବୋହୂମାନଙ୍କୁ ମଧ୍ୟ କଣ ସେ ଏହି ପରାମର୍ଶ ଦେଇଥିବେ? କାହିଁ, ମାମା ତ’ ତାକୁ ଏ ବିଷୟରେ କେବେ କିଛି କହି ନାହାନ୍ତି। ତେଲ ପିଇବା ଶୁଣି ଏମିତି ବି ମାନିନୀ ର ମନରେ ବିରକ୍ତି ଭାବ ଆସି ଯାଇଥିଲା। ସେ ପୁଣି ଦି ସେର, ମାନେ ଦି କିଲୋରୁ କିଛି କମ୍! ହେ ଭଗବାନ!
ରାତିରେ ଖୁଡିଙ୍କ ପାଖରେ ଚଟାଣରେ ମସିଣା-ଗନ୍ଥା ଉପରେ ଯେତେବେଳେ ସେ ଶୋଇଥିଲା, ଖୁଡି ବୁଝେଇଥିଲେ, “ସତ୍ୟ ଜନ୍ମ ବେଳକୁ ଅପା ମୋ ପାଇଁ ଯାହା ବି କରିଥିଲେ ତମ ଜେଜେ ମାଆ ଉଁ ଚୁଁ କିଛି କହି ନ ଥିଲେ। ଏବେ ଏଇ ମହେନ୍ଦ୍ର ବେଳକୁ ମୋ ପଛରେ ବି ଲାଗିଥିଲେ ରାଶିତେଲ ପିଆଇବା ପାଇଁ। ଇଆଡୁ ସିଆଡୁ କହିକହି କାମ ଚଳେଇ ଦେଇଥିଲି। ଏବେ ତମ ପଛରେ ପଡିଛନ୍ତି। କିଏ ଜାଣେ ସକାଳୁ ଏ ବିଷୟ ମନେ ରହିବ କି ନାହିଁ। ବୟସ ବଢିଲା ବେଳକୁ ପୁରୁଣା କଥା ବେଶି ଇଛା ହେଉଥିବ ପରା। ସେଥିପାଇଁ ସେ ବିଷୟକୁ ବେଶି ନ ବଢେଇବା ପାଇଁ ମୁଁ କଥାକୁ ସେଇଠି ହିଁ ବନ୍ଦ କରିଦେଇଥିଲି।”
ଘର କରଣା ବୁଦ୍ଧି ଖୁଡିଙ୍କର ଥିଲା। ନ ହେଲେ କି ଖାଲି ଚାଷ ଜମିରୁ ଆଦାୟ ରୋଜଗାରରେ ଘର ଚଳାଇ ପାରିଥାନ୍ତେ। ପ୍ରଥମେ କକା କେତେ ଦିନ ଯାଏଁ ବାବାଙ୍କ ପାଖରେ ଭୁବନେଶ୍ବରରେ ରହି ଭିନ୍ନ ଭିନ୍ନ ଚାକିରୀ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଜେଜେ ବାବାଙ୍କ ମୃତ୍ୟୁ ପରେ ଗାଁରେ ଆସି ରହି ଗଲେ। ଚାକିରୀ ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଇଛା ହିଁ କରି ନ ଥିଲେ। ବାବା ବୋଉଙ୍କ ଆଗ୍ରହ ଜେଜେ ମାଆଙ୍କ ନିଃସଙ୍ଗତା ପାଖରେ ହାର ମାନିଥିଲା। ଜମି, ତୋଟାର ତତ୍ତ୍ୱ ନେବା ପାଇଁ କକା ବାହା ହୋଇ ଗାଁର ହୋଇ ରହିଗଲେ। ଜମି-ବାଡି ବିଷୟ ବୁଝାସୁଝା ସରିଲେ ଗାଁ ଚଉଁରା-ମୂଳ, ଜଗନ୍ନାଥ ମନ୍ଦିର, ଘର ବ୍ୟତୀତ କକାଙ୍କ ଆଉ କିଛି କାମ ନ ଥିଲା।
ପଚାଶ ଭରଣ କେନାଲ ତଳ ଚାଷ ଜମି। ତା ଉପରେ ବିରାଟକାୟ ଆମ୍ବ ତୋଟା। ଗୁହାଳରେ ଦି ଯୋଡା ବଳଦ, ଗୋଟିଏ ଗାଈ। ଗୁହାଳରୁ ବାହାରେ ଥୁଆ ହୋଇଥିବା ଶଗଡ, ଲୁଦର ଓ ଜମି ଚାଷ ପାଇଁ ଥିବା ପାୱାର-ଟ୍ରିଲର। ଧାନ ରଖିବା ପାଇଁ ବାରି ବାରଣ୍ଡାକୁ ଲାଗି ମାଟି ଗୋବର ଲିପା ଯାଇଥିବା ଦି’ଟା ବଡବଡ ବାଉଁଶର ପୁଡୁଗ, କକାଙ୍କ ନିତିଦିନିଆ ଆବଶ୍ୟକ ଓ ମହତ୍ୱପୂର୍ଣ୍ଣ ସମ୍ପତ୍ତି ଥିଲା।
ଏ ସବୁ ଆଗରେ ବାବାଙ୍କର କାର, ମାମାଙ୍କର ସାଜସଜ୍ଜା ପୂର୍ଣ୍ଣ ବୈଠକଖାନାର ଆକର୍ଷଣ କକାଙ୍କୁ ଭୁବନେଶ୍ବରରେ ବାନ୍ଧି ରଖି ପାରିବାର ଅନୁଭବ କେବେ ମାନିନୀ କରିନି। ବରଂ ଖୁଡି ସହରର ଆକର୍ଷଣରେ କେତେଦିନ ତାଙ୍କ ଘରେ ରହିବାକୁ ଚାହିଁ ଥାଆନ୍ତି। ସେଥିପାଇଁ ଜେଜେ ମାଆଙ୍କୁ ମଧ୍ୟ ତାଙ୍କ ସହ ରହିବାକୁ ବାଧ୍ୟ କରିଥାଆନ୍ତି।
ପର ଦିନ ସନ୍ଧ୍ୟାରେ କକାଙ୍କ ସହ ବାବା ବୋଉ ପାଖକୁ ସେ ଫେରି ଯାଉଥିଲା।
ଖୁଡିଙ୍କ କହିବା ଅନୁସାରେ ମାନିନୀକୁ ତେଲ ପିଆଇବା କଥା ସତରେ ଜେଜେ ମାଆଙ୍କ ମନେ ନ ଥିଲା। ଖୁଡିଙ୍କ ଉତ୍କୃଷ୍ଟ ଉପସ୍ଥିତ ବୁଦ୍ଧିକୁ ସେ ମନେମନେ ପ୍ରଶଂସା ନ କରି ରହି ପାରିଲା ନାହିଁ।
ମାନିନୀ ମନେମନେ ବୋଉଙ୍କୁ ଖୁଡିଙ୍କ ସହ ତୁଳନା କରେ। କେଜାଣି କାହିଁକି ବୋଉ ଉପରେ ଦୟା ଆସିଥାଏ, ଯେତେବେଳେ କି ଖୁଡିଙ୍କ ଉପରେ ଅଧିକାର ଆସିଯାଏ। ବୋଧହୁଏ ତାର ଓ ଖୁଡିଙ୍କର ବୟସର ତାରତମ୍ୟ ବେଶି ନ ଥିବା ହେତୁ ଏହା ହୋଇପାରେ।
ସିମେଣ୍ଟ ରାସ୍ତା ଛାଡି ଗାଁ ଉପକଣ୍ଠରୁ ଆରମ୍ଭ ହୋଇଥିବା ଗୋଡି-ମାଟି ରାସ୍ତା ଉପରେ କାର ଯେତେବେଳେ ଗତି ଧରିଥିଲା, ମାନିନୀ ଦେଖିଲା, ରାସ୍ତା କଡେ ଥିବା ଧାଡି ଧାଡି ଧାନଖଳା ଆଗରେ ଦଳେ ପିଲା ଗୋଡା ଗୋଡି ଖେଳୁଛନ୍ତି।
ବିଚିତ୍ରା ସେମାନଙ୍କ ସହ ଥିଲା। କାର ଭିତରେ ମାନିନୀର କିଞ୍ଚିତମାତ୍ରର ଆଭାସରେ ଠିଆ ହୋଇପଡି ସେ ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲା। କାର ତା ପାଖରେ ରହି ନ ଥିଲା। ପଛକୁ ବୁଲି ମାନିନୀ କାର ପଛ ପାଖେ ଉଡୁଥିବା ଧୂଳି ଭିତରେ ବିଚିତ୍ରାର ଚେହେରାର ଅସ୍ପଷ୍ଟ ଆକୃତିକୁ ଦେଖିଥିଲା । ଖେଳ ବନ୍ଦ କରି ଧୂଳି ଦାଉରୁ ବଞ୍ଚିବା ପାଇଁ ଅର୍ଦ୍ଧ-ନିମୀଳିତ ଚକ୍ଷୁ ନେଇ ସେ କାର ଦିଗକୁ ଚାହିଁ ରହିଥିଲା। କାରରୁ ଉଡୁଥିବା ଧୂଳିରୁ ନିଜ ଆଖିକୁ ବଞ୍ଚେଇବା ପାଇଁ ସେ କେତେ ଚେଷ୍ଟିତ ନ ଥିଲା ସତେ !
ବିଚିତ୍ରାର ସରଳ ବ୍ୟବହାର ତା ମନରେ ଲିପିବଦ୍ଧ ହୋଇ ରହି ଯାଇଥିଲା। ମନରେ ତାର ଦୁଃଖ ଥିଲା। ଆସିଲା ବେଳେ ସେ ବିଚିତ୍ରା ସହ ଚାହିଁ ବି ମିଶି ଆସି ପାରିଲା ନାହିଁ।
ସତ୍ୟ କହୁଥିଲା, “ବିଚିତ୍ରା ଏଇଠି ତା ମାଉସୀ ଘରେ ରହି ପଢୁଛି। ସେ ବାହାର ଗାଁ ପିଲା। ତା ବାପା ବାହାରେ ରହି କାମ କରୁଛନ୍ତି। ତା ଘରେ ପାଠ ପଢା କିଏ ବୁଝୁ ନାହାନ୍ତି ତ, ସେଥିପାଇଁ।”
ମାନିନୀର ମନ ହୋଇଥିଲା କାରକୁ ଅଟକେଇ ତା ସହ ଦି ପଦ କଥା ହେବ। ମା ଠୁଁ ଦୂରରେ ସେ କେମିତି ରହି ପାରିଛି? ନିଜ ଇଛାକୁ କକାଙ୍କ ଆଗରେ ପ୍ରକାଶ କରି ପାରି ନ ଥିଲା। ଇଛା ଶକ୍ତି ନିକଟରେ ଅପ୍ରକାଶିତ ଭାବର ଦୁର୍ବଳତା ମୁଣ୍ଡ ଟେକି ଉଠିଥିଲା। କାରକୁ ଅଟକାଇ ପାରି ନ ଥିଲା। କାର ତା ଗନ୍ତବ୍ୟ ପଥରେ ଆଗକୁ ଗଡୁଥିଲା।
ନଦୀ ପଠାର ତୋଟା ମାଳ, ଗହମିଆ ରଙ୍ଗର ବାଲି କଡେ କଡେ ଦୁଧ ଅଳତା ରଙ୍ଗର ପାଣି, ମନ୍ଦିରର ଶଂଖ-ଘଣ୍ଟା ଧ୍ବନି, ଜେଜେ ମାଙ୍କ ବିଚାର, ଖୁଡିଙ୍କ ଛୁଆର ଲାଳନ ପାଳନ, ସତ୍ୟକାମ ଏବଂ ସର୍ବୋପରି ବିଚିତ୍ରା – ଏମାନଙ୍କ ଚଳନ୍ତି ଚିତ୍ର-ଲିପି ତା ହୃଦୟ କନ୍ଦରରୁ ଫୁଲି ଫୁଲି ବାହାରକୁ ଆସୁଥିଲେ। ଏକ ଆତ୍ମସନ୍ତୋଷର ପରିପାଟୀରେ ସଜ୍ଜିତ ତା ମନ-ମୟୁର ମେଘ ଶୂନ୍ୟ ନିଦାଘର ଅବେଳରେ ନାଚିବା ପାଇଁ ପ୍ରସ୍ତୁତ ହେଉଥିଲା।
ଘର ନଂ ୧୦୦୦, ଦ୍ବିତୀୟ ତୋଟା ସାହି,
ବିଜିପୁର, ବ୍ରହ୍ମପୁର, ଓଡିଶା। (୭୬୦୦୦୫)
Go Back to Previous Page
ମାତୃତ୍ବ
ଗୁପ୍ତେଶ୍ବର ମହାପାତ୍ର
Read Article
ଟ୍ରାଫିକ୍
ଦୀପାଞ୍ଜଳୀ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ