ଶିକ୍ଷାର ଲକ୍ଷ୍ୟ ହେଉଛି;
୧. ମାନବ ଜୀବନର ଗୁଣାତ୍ମକ ପରିବର୍ତ୍ତନ କରିବା (ବ୍ୟବହାରିକ ବିଜ୍ଞାନ)
୨. ମାନବ ଜୀବନର ଶାରୀରିକ, ବୌଦ୍ଧିକ, ସାମାଜିକ, ଭାବାତ୍ମକ, ନୈତିକ ଏବଂ ଆଧ୍ୟାତ୍ମିକ ବିକାଶ କରିବା (ମହାତ୍ମାଗାନ୍ଧୀ)
୩. ମାନବାତ୍ମାର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା
୪. ଜୀବନରେ ସମ୍ପୂର୍ଣ୍ଣତା ପ୍ରାପ୍ତ ହେବା (ବିବେକାନନ୍ଦ)
୫. ଅନ୍ଧକାରରୁ (ଅଜ୍ଞାନତା) ଆଲୋକ (ଜ୍ଞାନ) ଅଭିମୁଖେ ନେଇଯିବା (ତମସୋ ମା ଜ୍ୟୋତିର୍ଗମୟ ଋଗ୍ବେଦ)
୬. ଆତ୍ମା ଓ ପରମାତ୍ମାନୁଭୁତି କରିବା
୭. ମନୁଷ୍ୟର ଆନ୍ତରିକ ଶକ୍ତିଗୁଡ଼ିକୁ ବର୍ହିପ୍ରକାଶ କରିବା (ବିବେକାନନ୍ଦ)
୮. ବନ୍ଧନରୁ (ଅଜ୍ଞାନତା) ମୁକ୍ତି ପ୍ରଦାନ କରିବା (ସା ବିଦ୍ୟା ଯା ବିମୁକ୍ତୟେ)
୯. ବିକୃତିରୁ ସଂକୃତି ଅଭିମୁଖେ ନେଇଯିବା
୧୦. ରୋଗ, ଶୋକ, ଦୁଃଖ, ଅଶାନ୍ତିର ବନ୍ଧନରୁ ମୁକ୍ତ କରିବା
୧୧. ମାନବକୁ ପ୍ରଜ୍ଞାନ କରି ତା’ର ଜ୍ଞାନନେତ୍ର ଖୋଲିବା
୧୨. ଜୀବନ ଯାତ୍ରାର ପ୍ରତ୍ୟେକ ମୋଡରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତକୁ ସାହସର ସହ ଅତିକ୍ରମ କରିବାର ସାମର୍ଥ୍ୟ ପ୍ରଦାନ କରିବା
ସାଂପ୍ରତିକ ବିଶ୍ୱ ପରିଦୃଶ୍ୟରେ ଶିକ୍ଷାର ରୂପ
ସମୟର ପରିବର୍ତ୍ତନ ଅନୁସାରେ ଶିକ୍ଷା ଆଦାନ ପ୍ରଦାନ ବିଧିର ପରିବର୍ତ୍ତନ ହୋଇ ଆସୁଛି ଏତଦ୍ ସହିତ ବ୍ୟକ୍ତିର ସଂସ୍କାର ଅନୁସାରେ ତା’ର ମୂଲ୍ୟବୋଧ ମଧ୍ୟ ହ୍ରାସ ହୋଇ ଆସୁଛି ସଂପ୍ରତି ରୋଜଗାର ହିଁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଏକମାତ୍ର ଲକ୍ଷ୍ୟ ହୋଇଛି ଏଥିପାଇଁ କେହି ଜଣେ କହିଛନ୍ତି Education is for employment, not for empowerment. ଡିଗ୍ରୀ ଏବଂ ପ୍ରମାଣପତ୍ର ପ୍ରାପ୍ତ କରିବା ହିଁ ନିଜର ଲକ୍ଷ୍ୟ ବୋଲି ବିଦ୍ୟାର୍ଥୀ ମନେ କରୁଛି ନକାରାତ୍ମକ ବୃତ୍ତି, ଭ୍ରାନ୍ତି, ଅନ୍ଧବିଶ୍ୱାସ ଓ ଦ୍ୱନ୍ଦ୍ୱାତ୍ମକ ବୁଦ୍ଧି ହେତୁ ମନୁଷ୍ୟ ବ୍ୟସ୍ତ, ବିବ୍ରତ ଓ ଅଶାନ୍ତିରେ କାଳାତିପାତ କରୁଛି ଅନନ୍ତ ଇଚ୍ଛା ଓ ଅପେକ୍ଷା ହେତୁ ସେ ପ୍ରତିସ୍ପର୍ଦ୍ଧାର ନିଶାରେ ପଥ ହୁଡ଼ି ଯାଇ ମାନସିକ ଚାପ ଗ୍ରସ୍ତ ହୋଇ ପଡ଼ୁଛି ନିଜକୁ ଅନ୍ୟ ସହିତ ତୁଳନା କରିବା ହେତୁ ସେ ଈର୍ଷା, ନିନ୍ଦା, ଘୃଣା, ବିରୋଧ, ଦ୍ୱେଷ, ସଂଘର୍ଷ ଆଦିରେ ଶୀଘ୍ର ଫସି ଯାଉଛି ବୃତ୍ତି ନିଜ ଅଧୀନରେ ନ ହେବା କାରଣରୁ ଅହଂକାର, କ୍ରୋଧ, ଲୋଭ, ଆସକ୍ତି, କାମନା, ଭ୍ରମ ଓ ପୂର୍ବାଗ୍ରହ ଗ୍ରସ୍ତହୋଇ ବୁଦ୍ଧିର ଦ୍ୱାର ବନ୍ଦ ହୋଇଯାଇଛି ଏହି ସବୁରୁ ବିଦ୍ୟା ମୁକ୍ତି ପ୍ରଦାନ କରିଥାଏ ଏଥିପାଇଁ କୁହାଯାଏ, “ସା ବିଦ୍ୟା ଯା ବିମୁକ୍ତୟେ’’ “ବିଦ୍ୟା ଦଦାତି ବିନୟମ୍’’ ଜ୍ଞାନ, ବା ଶିକ୍ଷା ଦ୍ୱାରା ପରିପକ୍ୱତା ଆସେ ପରିପକ୍ୱ ଫଳ ମଧୁର ଲାଗେ ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ ବା ପରିପକ୍ୱତା ହେଲେ ପ୍ରସନ୍ନତା, ମଧୁରତା, ସୌହାର୍ଦ୍ଧତା, ସହନଶୀଳତା, ସେବା, ପରୋପକାରିତା ଇତ୍ୟାଦି ମୂଲ୍ୟଗୁଡ଼ିକ ବ୍ୟବହାରିକ ଜୀବନରେ ପରିସ୍ଫୁଟ ହୁଏ
ଭାରତ ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଏକ ଆଦର୍ଶ ଶିକ୍ଷା ପଦ୍ଧତିର ଦର୍ଶନ ହୁଏ ପ୍ରାଚୀନ କାଳରେ “ଗୁରୁକୂଳ’’ ପ୍ରଣାଳୀ ପ୍ରଚଳିତ ଥିଲା ବିଦ୍ୟାର୍ଥୀମାନଙ୍କୁ ଗୁରୁଙ୍କ ନିକଟକୁ ଯିବାକୁ ପଡ଼ୁଥିଲା ଗୁରୁଙ୍କ ସାନ୍ନିଧ୍ୟରେ କର୍ମକୁଶଳତା, ଜୀବନପଦ୍ଧତି, ନୈତିକତା, ସର୍ବକାଳୀନ ଧାରଣା ରୂପେ ଶିକ୍ଷା ଦିଆଯାଉଥିଲା ଗୁରୁଙ୍କ ସ୍ଥାନ ମାତା ପିତା ଏବଂ ରାଜାଙ୍କଠାରୁ ମଧ୍ୟ ଉଚ୍ଚ ଥିଲା ଭାଗବତରେ କୁହାଯାଇଛି, “ଗୁରୁଙ୍କୁ ନ ମଣିବ ନର; ଗୁରୁଟି ସାକ୍ଷାତେ ଈଶ୍ୱର’’ ଶାସ୍ତ୍ରରେ ଗୁରୁଙ୍କ ବନ୍ଦନା କରାଯାଇଛି, “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ’’ ଗୁରୁକୁଳ ପ୍ରଣାଳୀରେ ବ୍ୟକ୍ତି ଓ ସମଗ୍ର ମାନବ ସମାଜର ଜୀବନ ବ୍ୟବସ୍ଥାରେ ମୂଲ୍ୟବୋଧର ଆଧିପତ୍ୟ ଥିଲା ସତ୍ୟ, ଅହିଂସା, ଅପରିଗ୍ରହ, ଅସ୍ତେୟ, ନୀତିମତ୍ତା, ଶାନ୍ତି, ପାରସ୍ପରିକ ସ୍ନେହ ଓ ସେବାଭାବ ଜୀବନର ଏକମାତ୍ର ଧ୍ୟେୟ ଥିଲା ରାଜା-ପ୍ରଜା-ସାହୁକାର ସମସ୍ତ ଜୀବନ ସନ୍ତୋଷ ରୂପକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଥିଲା ବିରୋଧ-ବୈମନସ୍ୟ, ଅଶାନ୍ତି, ପରିଗ୍ରହ, ବ୍ୟଥା-ବେଦନା, ରୋଗ-ଶୋକର ଆଧିପତ୍ୟ ଆଦୌ ନଥିଲା ସମସ୍ତେ ·ରିତି୍ରକ ଧନରେ ଧନୀ ଥିଲେ ସମସ୍ତଙ୍କଠାରେ ଶାନ୍ତି, ପ୍ରେମ, ଆନନ୍ଦ ସନ୍ତୁଷ୍ଟତା ଭରପୁର ଥିଲା
ଗୁରୁକୁଳ ପ୍ରଣାଳୀରେ ଶିକ୍ଷା ସମାପ୍ତି ପରେ ପ୍ରମାଣ ପତ୍ର ଦେବାର ଆବଶ୍ୟକତା ନଥିଲା ଗୁରୁ ନିଜ ତୁଲ୍ୟ ବିଦ୍ୟାର୍ଥୀଙ୍କୁ ସୁଯୋଗ୍ୟ କରି ଗୁରୁକୁଳରୁ ବିଦାୟ ଦେଉଥିଲେ ଗୁରୁଙ୍କ ନାମରେ ଶିଷ୍ୟର ପରିଚୟ ହେଉଥିଲା ଉଦାହରଣ ସ୍ୱରୂପ ଦ୍ରୌଣ ଶିଷ୍ୟ ଅର୍ଜୁନ, ପର୍ଶୁରାମ ଶିଷ୍ୟ କର୍ଣ୍ଣ, ଚାଣକ୍ୟ ଶିଷ୍ୟ ଚନ୍ଦ୍ରଗୁପ୍ତ, ରାମକୃଷ୍ଣ ପରମହଂସ ଶିଷ୍ୟ ବିବେକାନନ୍ଦ ଇତ୍ୟାଦି ଗୁରୁ ରାଜବିଦ୍ୟା, ବ୍ୟବହାର ବିଦ୍ୟା, ଜ୍ୟୋତିଷ ବିଦ୍ୟା, ଶସ୍ତ୍ର ବିଦ୍ୟା ଶିକ୍ଷା ଦେବା ପୂର୍ବରୁ ଧ୍ୟାନ, ପ୍ରାର୍ଥନା, ମୌନ, ତ୍ୟାଗ, ତପସ୍ୟା, ସେବା, ସମାନତା ଇତ୍ୟାଦି ମୂଲ୍ୟ ଗୁଡ଼ିକର ଶିକ୍ଷା ଦେଉଥିଲେ ରାଜକୁମାର ଏବଂ ସାମାନ୍ୟ ବ୍ରାହ୍ମଣ (କୃଷ୍ଣ-ସୁଦାମା) ବାଳକର ପାଳନ ସମାନ ଭାବରେ ହେଉଥିଲା ଗୁରୁଙ୍କ ଆଗମନରେ ରାଜା ରାଜ ସିଂହାସନ ତ୍ୟାଗ କରି ଦଣ୍ଡାୟମାନ ହୋଇ ନମନ କରୁଥିଲେ ଏହି ପରିପ୍ରେକ୍ଷୀରେ ବଶିଷ୍ଟ, ବିଶ୍ୱାମିତ୍ର, ବ୍ୟାସ ଆଦି ମହାନ ଗୁରୁଙ୍କ ନାମ ଉଲ୍ଲେଖନୀୟ ସେମାନେ ଅଧ୍ୟାତ୍ମ ବିଦ୍ୟା ଦ୍ୱାରା ଜୀବନରେ ମୂଲ୍ୟଗୁଡ଼ିକୁ ଆତ୍ମସାତ୍ କରାଉଥିଲେ ରାମାୟଣ ଓ ମହାଭାରତ ଗ୍ରନ୍ଥର ସାରାଂଶ ହେଲା ସମଗ୍ର ସମାଜରେ ମୂଲ୍ୟଗୁଡ଼ିକର ବିଜୟ ଓ ମୂଲ୍ୟହୀନ ବ୍ୟକ୍ତିମାନଙ୍କର ପରାଜୟ ରାଜ୍ୟ ବିକ୍ରମାଦିତ୍ୟଙ୍କ ପ୍ରଜା ବତ୍ସଳତା, ଉଦାହରଣ ଓ ସେବାଭାବ ତଥା ଚାଣକ୍ୟଙ୍କ ଦ୍ୱାରା ମୂଲ୍ୟବାନ ରାଜ ସତ୍ତାର ସ୍ଥାପନା କଥା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିଖିତ କଳିଙ୍ଗ ଯୁଦ୍ଧର ବିଭତ୍ସ ଦୃଶ୍ୟ ଦେଖି ଅଶୋକଙ୍କ ପଶ୍ଚାତ୍ତାପ ଓ ବୌଦ୍ଧଧର୍ମ ସ୍ୱୀକାର ଉଚ୍ଚ ମୂଲ୍ୟବୋଧର ନିଦର୍ଶନ ସିଦ୍ଧାର୍ଥ ଗୌତମ ବୁଦ୍ଧ ଓ ମହାବୀର ଉଭୟ ରାଜକୁମାରଙ୍କ ଗୃହତ୍ୟାଗ ଓ ସନ୍ୟାସୀ ଜୀବନ ଯାପନ ସେମାନଙ୍କ ଉଚ୍ଚକୋଟୀର ଆଧ୍ୟାତ୍ମିକ ମୂଲ୍ୟବୋଧର ଦୃଷ୍ଟାନ୍ତ ରାମକୃଷ୍ଣ ପରମହଂସଙ୍କ ଛାୟାରେ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ବିବେକାନନ୍ଦଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା ମହର୍ଷି ଅରବିନ୍ଦ, ମହାତ୍ମାଗାନ୍ଧୀ, ରବିନ୍ଦ୍ରନାଥ ଟେଗୋର ଆଦି ମହାନ ବିଭୁତିଗଣ ଆଧ୍ୟାତ୍ମିକତାକୁ ହିଁ ମୂଲ୍ୟ ଶିକ୍ଷାର ସ୍ରୋତ ବୋଲି କହିଛନ୍ତି
ବର୍ତ୍ତମାନ ଶିକ୍ଷା ପ୍ରଣାଳୀ ବିଦେଶୀ ଶାସକମାନଙ୍କ ଦାନ ଭାରତରେ ଇଂରେଜ ଶାସନକୁ ସୁଚାରୁ ରୂପେ ଚଳାଇବା ପାଇଁ ଲର୍ଡ ମ୍ୟାକଲେ କିରାଣୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯେଉଁ ଶିକ୍ଷା ପ୍ରଣାଳୀ ପ୍ରଚଳନ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ସ୍ୱାଧୀନ ଭାରତର ସରକାରମାନଙ୍କ ଦ୍ୱାରା ଅନୁସୃତ ହୋଇ ଆସୁଛି ବିଡ଼ମ୍ବନା ଏହି ଯେ ଆଜି ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି ଆଧାରିତ ଶିକ୍ଷା ପ୍ରଣାଳୀର ବିକାଶ ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ଅବଧି ସତ୍ତ୍ବେ ମଧ୍ୟ ହୋଇପାରିନାହିଁ ସ୍ୱାଧୀନତା ପ୍ରାପ୍ତି ପରେ ରାଧାକୃଷ୍ଣ କମିଶନ, କୋଠରୀ କମିଶନ, ରାଜୀବ ଗାନ୍ଧୀଙ୍କ (ନୂତନ ଶିକ୍ଷାନୀତି) ଇତ୍ୟାଦି ଦ୍ୱାରା ନୈତିକ ଶିକ୍ଷା ଓ ଯୋଗ ଶିକ୍ଷା ପାଇଁ ଅନେକ ପ୍ରସ୍ତାବ ଦିଆଯାଇଥିଲା ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହା ସତ୍ତ୍ବେ ମଧ୍ୟ ଚରିତ୍ରବାନ ଓ ମୂଲ୍ୟ ନିଷ୍ଠ ଯୁବାପିଢ଼ିର ଗଠନ ହୋଇପାରି ନାହିଁ
ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ସହସ୍ରାଧିକ ଡ଼ିଗ୍ରୀଧାରୀ ସୃଷ୍ଟି କରୁଛନ୍ତି, ପରନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଚରିତ୍ରବାନ୍, ପ୍ରାମାଣିକ, ନିଷ୍ଠାବାନ, ସେବାଭାବାପନ୍ନ ଓ ପରପୋକାରୀ ଛାତ୍ର ଦେଖାଯାନ୍ତି? ବର୍ତ୍ତମାନର ଶିକ୍ଷା ପ୍ରଣାଳୀର ସମ୍ବନ୍ଧ ଡିଗ୍ରୀ ଓ ଚାକିରୀ ସହିତ ନିବିଡ଼ ହୋଇଥିବା କାରଣରୁ ଜୀବନ ପ୍ରଣାଳୀ ସହିତ ମୂଲ୍ୟଗୁଡ଼ିକର ସମ୍ବନ୍ଧ ବିଚ୍ଛେଦ ହୋଇଯାଇଛି ଏହାହିଁ ସମାଜରେ ଦିନକୁ ଦିନ ବୃଦ୍ଧି ପାଉଥିବା କଳହ, କ୍ଳେଶ ଓ ଅଶାନ୍ତିର ମୂଳ କାରଣ
ବର୍ତ୍ତମାନର ଯୁବ ପିଢ଼ି ପାଇଁ ଦେଶ କିମ୍ବା ଶିକ୍ଷା ନିକଟରେ କୌଣସି ପ୍ରେରଣାଦାୟୀ ଧ୍ୟେୟ ନାହିଁ ସେଥିପାଇଁ ଆଜିର ପିଢ଼ି ହତାଶ ଓ ଦିଗହରା ଆଜିର ଶିକ୍ଷା ଆମ ସଂସ୍କୃତିର ମୂଳ ତତ୍ତ୍ୱରୁ ବିଚ୍ଛିନ୍ନ ପ୍ରାଚୀନ ଧର୍ମ ଓ ବିଦ୍ୟା ବିଲୁପ୍ତ ଭୋଗ ପ୍ରଧାନ ପାଶ୍ଚାତ୍ୟ ସଂସ୍କୃତିର ମାୟାବୀ ଆକର୍ଷଣରେ ନୂତନ ପିଢ଼ି ବିମୋହିତ ୧୯୪୭ମସିହା ପୂର୍ବରୁ ମହାତ୍ମାଗାନ୍ଧିଜୀ ସମଗ୍ର ଦେଶକୁ ସ୍ୱତନ୍ତ୍ରତାର ଧ୍ୟେୟ ପ୍ରଦାନ କରିବା ସହିତ ମାର୍ଗ ଦର୍ଶକର ଭୂମିକା ନିର୍ବାହ କରିଥିଲେ ଆଜି ସେପରି ବଳିଷ୍ଠ ଓ ମୂଲ୍ୟବାନ ନେତୃତ୍ୱ ଦୃଷ୍ଟିଗୋଚର ହୁଏ ନାହିଁ ରାଜନୀତି, ଧର୍ମ, ଶିକ୍ଷା କ୍ଷେତ୍ରରେ ସଂପୃକ୍ତ ସ୍ୱକଥିତ ନେତାଗଣ ମୂଲ୍ୟ ବିହୀନ, ଧର୍ମଭ୍ରଷ୍ଟ ତଥା ଚରିତ୍ରହୀନ ସେମାନେ କିପରି ଜନସାଧାରଣଙ୍କ ମାର୍ଗ ଦର୍ଶକ ହୋଇପାରିବେ? ଏପରି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଏକମାତ୍ର ଆଶାର କିରଣ ହେଉଛି ଶିକ୍ଷାକ୍ଷେତ୍ର ଅର୍ଥାତ୍ ବିଦ୍ୟାଳୟ ଏହାକୁ ସରସ୍ୱତୀଙ୍କ ବାସସ୍ଥାନ କୁହାଯାଏ ଏଠାରେ ପଢ଼ୁଥିବା ଛୋଟଛୋଟ କୋମଳମତି ବାଳକ ବାଳିକାଗଣ ହେଲେ ଏକ ଏକ ପ୍ରଦୀପ ସ୍ୱରୂପ ସେମାନଙ୍କ ଆତ୍ମାରୂପୀ ପ୍ରଦୀପକୁ ଉତ୍ତମ ବିଦ୍ୟା ଆଧ୍ୟାତ୍ମିକ ଶକ୍ତି ଓ ଜ୍ଞାନ ଦ୍ୱାରା ପ୍ରଜ୍ଜ୍ୱଳିତ କରାଇ ପାରିଲେ ଭାରତ ତା’ର ହୃଢ଼ ଗୌରବ ଫେରି ପାଇ ପୁନଶ୍ଚ ବିଶ୍ୱଗୁରୁର ମର୍ଯ୍ୟାଦା ଲାଭ କରିବ ଏଥିପାଇଁ ଶିକ୍ଷକଗଣ ମାର୍ଗଦର୍ଶକର ଭୂମିକା ତୁଲାଇବା ଉଚିତ ସେମାନେ ସ୍ୱୟଂ ମୂଲ୍ୟନିଷ୍ଠ ଓ ଆଧ୍ୟାତ୍ମିକ ଜୀବନ ଯାପନ କରି ବିଦ୍ୟାର୍ଥୀମାନଙ୍କୁ ମୂଲ୍ୟ ଶିକ୍ଷା ପ୍ରଦାନ କଲେ ଅବଶ୍ୟ ତା’ର ପ୍ରଭାବ ପଡ଼ିବ ଓ ଭାରତରେ ସୁଖ ଶାନ୍ତି, ପବିତ୍ରତା ଓ ସମୃଦ୍ଧି ସମ୍ପନ୍ନ ଏକ ସୁଖମୟ ସମାଜର ସ୍ଥାପନା ବା ଗାନ୍ଧିଜୀଙ୍କ ପରିକଳ୍ପିତ ରାମ ରାଜ୍ୟର ସ୍ଥାପନା ସମ୍ଭବ ହୋଇପାରିବ
ସମ୍ପାଦକ, ଚେତନା ପ୍ରବାହ
Go Back to Previous Page
ପ୍ରାଚୀନ ଓଡ଼ିଶାରେ ରେମୁଣାର ପ୍ରସିଦ୍ଧି
ଶ୍ରୀ ରବୀନ୍ଦ୍ରନାଥ ସାମଲ
Read Article
ଶିକ୍ଷା, ଶିକ୍ଷକତା, ଶିକ୍ଷାୟତନ ଓ ସରକାର
ସୋସିଆଲ୍ ଫୋରୁମ୍ ଇଣ୍ଡିଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ