ମାୟା ତ୍ୟାଗରେ କିଛି ହୁଏନାହିଁ, ଗୁମାନ ନ ଗଲା ଯାଏ,
ମାନୀ ମୁନି, ଋଷି କେତେ ଗଲେଣି, ଗୁମାନ ସଭିଙ୍କୁ ଖାଏ।୧
ସୁଖରେ ସାଙ୍ଗ ହୁଅନ୍ତି ସ୍ୱ।ର୍ଥୀ, ଦୁଃଖରେ ହୁଅନ୍ତି ଦୂର,
କବୀର କହେ, ପରମାର୍ଥୀ ଯେ, ଦୁଃଖ ସୁଖରେ ହାଜର।୨
ଲଘୁତା ଅଟେ ସବୁଠୁ ଶ୍ରେଷ୍ଠ, ଲଘୁତାରେ ସିଦ୍ଧି ହୁଏ,
ଆକାଶେ ଯେହ୍ନେ ଦ୍ଵିତୀୟା ଜହ୍ନ, ସଭିଙ୍କର ପ୍ରିୟ ହୁଏ୩
କ୍ଷମା ବଢ଼ାଏ ବଡ଼ଙ୍କ ଶୋଭା, ଛୋଟ କରନ୍ତି ଉତ୍ପାତ,
ହରିଙ୍କ କିଛି ହେଲାନି କ୍ଷତି, ଖାଇ ଭୃଗୁଙ୍କ ନାତ୪
ଯେମିତି ଖାଦ୍ୟ ଖାଇବ ତୁମେ, ସେମିତି ମାନସ ହେବ,
ଯେମିତି ପାନୀୟ ପିଇବ ତୁମେ, କଥା ସେମିତି କହିବ୫
କବୀର କହେ ମଣିଷ ଅନ୍ଧ, ଗୁରୁଙ୍କୁ ବୁଝନ୍ତି ନାହିଁ,
ହରି ରାଗରୁ ବଞ୍ଚାନ୍ତି ଗୁରୁ, ଗୁରୁ ରାଗେ ମୁକ୍ତି ନାହିଁ୬
ପାଦ ତଳେ ଘାସ ଥିଲେବି କେବେ ନିନ୍ଦା କରନି ତାହାର,
ଆଖିରେ ଯଦି ପଡିଯାଏ ପତ୍ର ଯନ୍ତ୍ରଣା ହୁଏ ଅପାର୭|
ଶ୍ରମ ବଳରେ ହୁଏ ସବୁକଥା, ଚେଷ୍ଟା ବିନା କିଛି ନାହିଁ,
ଆଙ୍ଗୁଠି ବଙ୍କା ନକଲେ ବସା ଘିଅ ବାହାରିଛି କାହିଁ । ୮।
କବୀର, ହାତୀ ଧୈର୍ଯ୍ୟ ସହିତ ସନ୍ତୋଷ ମନରେ ଖାଏ,
ଶ୍ଵାନର ଧୈର୍ଯ୍ୟ ସେ ଭଳି ନାହିଁ, ଘର ଘର ବୁଲୁଥାଏ୯
ଘିଅ ଦର୍ଶନ କେବଳ ଭଲ, ତୈଳ ଖିଆ ନୁହେଁ ଭଲ,
ମୂର୍ଖ ସଙ୍ଗତ ନୁହଁଇ ଭଲ, ଗୁଣବାନ ଶତୃ ଭଲ ୧୦
ସାଧୁ ଅଟନ୍ତି ଚନ୍ଦନ ସମ, ସର୍ପ ସମୁହ ସଂସାର,
ଦେହେ ଯେତେ ବି ଗୁଡ଼େଇ ହେଲେ, ହୁଏନି ମନ ବିକାର ୧୧
ତର୍ଜମା
ମାୟା ତ୍ୟାଗରେ କିଛି ହୁଏନି, ଗୁମାନ ନ ଗଲା ଯାଏ,
ମାନୀ, ମୁନି, ଋଷି କେତେ ଗଲେଣି, ଗୁମାନ ସଭିଙ୍କୁ ଖାଏ।୧
ମାୟା ମୋହ ତ୍ୟାଗ କଲେ ଭଗବାନଙ୍କ କୃପା ମିଳେ; ସାଧାରଣତଃ ଏହି ଶିକ୍ଷା ସମସ୍ତଙ୍କୁ ଦିଆଯାଏ ଏହି ମାୟା ମୋହ ଆଦି ତ୍ୟାଗ କଲାପରେ ବି ଆଉ ଗୋଟିଏ ବିକାର ମଣିଷ ମନ ଭିତରେ ଲୁଚି ରହିଥାଏ ଯାହାକୁ ଗୁମାନ ବା ଅହଂକାର ବା ଅତିଶୟ ଆତ୍ମଗର୍ବ କୁହାଯାଏ । ଗୁମାନ ଯୋଗୁ ଅନେକ ମୁନି ଋଷି ଶାପଗ୍ରସ୍ତ ହୋଇଛନ୍ତି ଓ ତାଙ୍କର ତପସ୍ୟା ଫଳ ନଷ୍ଟ ହୋଇଯାଇଛି । ଧନ ଗର୍ବ, ଶିକ୍ଷା ଗର୍ବ, ପଦପଦବୀ ଗର୍ବ ଆଦି ମଣିଷ ମନରେ ଏକ ଲୁକ୍କାୟିତ ଗୁମାନ ସୃଷ୍ଟି କରିଦିଏ ଯାହା ଅନୀତିକୁ ଜନ୍ମ ଦିଏ । ସୁତରାଂ ମଣିଷ ଏହି ଗୁମାନକୁ ତ୍ୟାଗ କରିବା ଆବଶ୍ୟକ ।
ସୁଖରେ ସାଙ୍ଗ ହୁଅନ୍ତି ସ୍ୱ।ର୍ଥୀ, ଦୁଃଖରେ ହୁଅନ୍ତି ଦୂର,
କବୀର କହେ, ପରମାର୍ଥୀ ଯେ, ଦୁଃଖ ସୁଖରେ ହାଜର।୨
ସ୍ବାର୍ଥ ହାସଲ କରିବା ପାଇଁ ସାଙ୍ଗ ହେବା ସାଧାରଣତଃ ସଂସାରରେ ଦେଖାଯାଏ ଦୁଃଖ ସମୟ ଆସିଲେ ତଥାକଥିତ ସାଙ୍ଗ ମୁହଁ ମୋଡ଼ି ଚାଲିଯାଆନ୍ତି । ପରମ ତତ୍ତ୍ବର ଜିଜ୍ଞାସୁ ବା ପରମାର୍ଥୀ ଲୋକ ଉଭୟ ଦୁଃଖ ଓ ସୁଖରେ ସମଭାବାପନ୍ନ ହୋଇ ସାଙ୍ଗ ହୁଏ ସୁଖ ଓ ଦୁଃଖ କେବେହେଲେ ସ୍ଥାୟୀ ନୁହେଁ। ଦିନ ରାତି ପରି ସୁଖ ପରେ ଦୁଃଖ ଓ ଦୁଃଖ ପରେ ସୁଖ ଆସିଥାଏ । ଏହି ଜ୍ଞାନ ଯାହାର ଥାଏ ସେ ସୁଖ, ଦୁଃଖର ସମଭାବାପନ୍ନ ବା ସ୍ଥିତପ୍ରଜ୍ଞ ହୁଏ
ଲଘୁତା ଅଟେ ସବୁଠୁ ଶ୍ରେଷ୍ଠ, ଲଘୁତାରେ ସିଦ୍ଧି ହୁଏ,
ଆକାଶେ ଯେହ୍ନେ ଦ୍ବିତୀୟା ଜହ୍ନ, ସଭିଙ୍କର ପ୍ରିୟ ହୁଏ୩
କବୀରଙ୍କ ମତରେ ଲଘୁ ରହିବା ଶ୍ରେଷ୍ଠ ଛୋଟ ଥିଲେ ବଡ଼ ହେବାର ସୁଯୋଗ ଥାଏ, ବଡ଼ ହେଲେ ନିମ୍ନଗାମୀ ହେବା ସମ୍ଭାବନା ଥାଏ, କାରଣ ବଡ଼ର ବି ଗୋଟିଏ ସୀମା ଥାଏ। ଛୋଟ ପିଲା ସଭିଙ୍କ ପ୍ରିୟ, ଛୋଟ ଦ୍ବିତୀୟା ଜହ୍ନ ବି ସଭିଙ୍କ ପ୍ରିୟ। ତେଣୁ ଛୋଟକୁ ହେୟ ଜ୍ଞାନ କରିବା ଉଚିତ ନୁହେଁ ।
କ୍ଷମା ବଢ଼ାଏ ବଡ଼ଙ୍କ ଶୋଭା, ଛୋଟ କରନ୍ତି ଉତ୍ପାତ,
ହରିଙ୍କ କିଛି ହେଲାନି କ୍ଷତି, ଖାଇ ଭୃଗୁଙ୍କ ନାତ ୪
ଏ ସଂସାରରେ ଛୋଟମାନେ ସବୁବେଳେ ଉତ୍ପାତ କରନ୍ତି ବୟସ, ମାନସମ୍ମାନ, ଧନ, ଜାତି ବା ଅନ୍ୟ ଯେକୌଣସିଥିରେ ବା ଅନ୍ୟ ଯେ କୌଣସି ଅବସ୍ଥାରେ ହେଉ, ଛୋଟମାନେ ଅଧିକାଂଶ ସମୟରେ ଗଣ୍ଡଗୋଳ କରନ୍ତି ବଡ଼ମାନେ ସର୍ବଦା ସେମାନଙ୍କୁ କ୍ଷମା କରିଦେବା ଉଚିତ। ଏହାଦ୍ବାରା ବଡ଼ମାନଙ୍କ ମାନ ସମ୍ମାନ ବଢେ। ପୁରାଣରେ ଅଛି, ଭୃଗୁ ମୁନି ଥରେ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କର ସହନ ଶକ୍ତି ପରୀକ୍ଷା କରିବାକୁ ଗଲେ। ବିଷ୍ଣୁ ଶୋଇଥିବା ଅବସ୍ଥାରେ ଥିବା ବେଳେ ତାଙ୍କ ଛାତିକୁ ଲକ୍ଷ କରି ଏକ ନାତ ମାରିଲେ ବିଷ୍ଣୁଙ୍କ ନିଦ୍ରା ଭଙ୍ଗ ହେଲା ଓ ସେ କ୍ରୋଧ ନକରି କହିଲେ, “ଆପଣ ପ୍ରଥମ ଥର ମୋ ପାଖକୁ ଆସିଛନ୍ତି। ମୁଁ ଆପଣଙ୍କୁ ସ୍ବାଗତ କରିନି, ମୋତେ କ୍ଷମା କରନ୍ତୁ। ମୋ ଛାତି ବହୁତ ଶକ୍ତ, ଆହା, ଆପଣଙ୍କ ପାଦକୁ କଷ୍ଟ ହେଉଥିବ ନିଶ୍ଚୟ।” କବୀର ଏହି କ୍ଷମା ଗୁଣକୁ ଶୋଭା ନାମ ଦେଇ କହିଛନ୍ତି; ଏହାଦ୍ବାରା ବଡ଼ ମଣିଷଙ୍କର ଶୋଭା ବଢେ। ସେଥିପାଇଁ ଗଣ୍ଡଗୋଳକାରୀଙ୍କ ବ୍ୟବହାରକୁ ଅଶୋଭନୀୟ ବ୍ୟବହାର କୁହାଯାଏ ।
ଯେମିତି ଖାଦ୍ୟ ଖାଇବ ତୁମେ, ସେମିତି ମାନସ ହେବ,
ଯେମିତି ପାନୀୟ ପିଇବ ତୁମେ, କଥା ସେମିତି କହିବ ୫
କବୀର କହେ ମଣିଷ ଅନ୍ଧ, ଗୁରୁଙ୍କୁ ବୁଝନ୍ତି ନାହିଁ,
ହରି ରାଗରୁ ବଞ୍ଚାନ୍ତି ଗୁରୁ, ଗୁରୁ ରାଗେ ମୁକ୍ତି ନାହିଁ୬
ସାଧାରଣ ମଣିଷ ଗୁରୁଙ୍କର ମର୍ଯ୍ୟାଦା ବୁଝିପାରନ୍ତିନି ଏଠାରେ ଗୁରୁ ଶବ୍ଦର ଅର୍ଥ ଶିକ୍ଷକ ନୁହେଁ। ଶିଷ୍ୟକୁ ଗୁରୁ କେବଳ ଶିକ୍ଷା ଦାନ ନକରି ମୋକ୍ଷପ୍ରାପ୍ତିର ପଥ ଦେଖାନ୍ତି। ସଂସାରରେ କିପରି ଭାବରେ ଚଳିବାକୁ ହୁଏ, ସେ ଶିକ୍ଷା ଦିଅନ୍ତି। ପାପ ପଥକୁ ଯାଇଥିଲେ ରକ୍ଷା କରନ୍ତି। ଅତୀତରେ ବିଦ୍ୟା ସହିତ ଅସ୍ତ୍ର ଶସ୍ତ୍ର ଶିକ୍ଷା ମଧ୍ୟ ଦିଆଯାଉଥିଲା। ସେଥିଯୋଗୁ ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବୋ ମହେଶ୍ୱର, ଗୁରୁଃ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ କୁହାଯାଏ। କୌଣସି ପାପ କର୍ମ କଲେ ଯଦି ଜଣେ ଭଗବାନଙ୍କ କ୍ରୋଧର ଶିକାର ହୁଏ, ତେବେ ସେହି କ୍ରୋଧରୁ ମୁକ୍ତି ପାଇବା ମାର୍ଗ ଗୁରୁ ଦେଖାନ୍ତି। କିନ୍ତୁ ଗୁରୁ କ୍ରୋଧରୁ ବଞ୍ଚିବା ମାର୍ଗ କେହି ଦେଖେଇ ପାରିବେନି, ଭଗବାନ ବି ନୁହେଁ
ପାଦ ତଳେ ଘାସ ଥିଲେବି କେବେ ନିନ୍ଦା କରନି ତାହାର,
ଆଖିରେ ଯଦି ପଡିଯାଏ ପତ୍ର ଯନ୍ତ୍ରଣା ହୁଏ ଅପାର୭|
ଘାସ ବା ଦୂବ ପଡ଼ିଆରେ ଉଠିଥାଏ। ଆମେ ତା ଉପରେ ଚଲାବୁଲା କରୁ। କିନ୍ତୁ ସେଇ ଘାସ ବା ଦୂବର ପତ୍ରଟିଏ ଆଖିରେ ପଡ଼ିଗଲେ ଅଶେଷ ଯନ୍ତ୍ରଣା ହୁଏ। କବୀର ଏହା କହିବାର ଅର୍ଥ, ସଂସାରରେ କାହାକୁ ଛୋଟ ବୋଲି କଳନା କରନି। ଭଗବାନଙ୍କ ରାଜ୍ୟରେ ସମସ୍ତଙ୍କର ପ୍ରାଧାନ୍ୟ ଅଛି। ଆମେ ଆମ ଚିନ୍ତାଧାରା ଅନୁସାରେ କାହାକୁ ଛୋଟ ବା କାହାକୁ ବଡ କହୁ, କିନ୍ତୁ ଏହା ଉଚିତ ନୁହେଁ। ସେହି ଛୋଟ ବି ସମୟ ପଡିଲେ ତୁମର ସାହାଯ୍ୟ କରିବ ଓ ସମୟ ପଡ଼ିଲେ କ୍ଷତି ବି କରିବ। ଆଖିକୁ ଦେଖା ନଯିବା ଗୋଟିଏ ବ୍ୟାକ୍ଟେରିଆ ମଣିଷର ମୃତ୍ୟୁର କାରଣ ବି ହୋଇପାରେ।
ଶ୍ରମ ବଳରେ ହୁଏ ସବୁକଥା, ଚେଷ୍ଟା ବିନା କିଛି ନାହିଁ,
ଆଙ୍ଗୁଠି ବଙ୍କା ନକଲେ ବସା ଘିଅ ବାହାରିଛି କାହିଁ । ୮
ଅଳସୁଆ ହୋଇ ବସିରହିଲେ ତୁମର କୌଣସି ଉଦ୍ଦେଶ୍ୟ ସାଧିତ ହେବନାହିଁ କାମ ଯେତେ କଷ୍ଟସାଧ୍ୟ ହେଉ ପଛେ ଉଦ୍ୟମ ବଳରେ ସାଧନ ହୋଇପାରିବ। ଗୋଟିଏ ଛୋଟ ଉଦାହରଣ ଦେଇ କହିଛନ୍ତି ଗୋଟିଏ ଡବାରେ ବସା ଘିଅ ଅଛି। ତାକୁ ସିଧା ଆଙ୍ଗୁଠିରେ ଆଣିବାକୁ ଚେଷ୍ଟା କଲେ କେବଳ ଆଙ୍ଗୁଠିରେ ଟିକିଏ ଘିଅ ଲାଗିଯିବ ସିନା, କିଛି ଘିଅ ବାହାରକୁ ଆଣିପାରିବନି ଓ ଖାଇବାକୁ ମିଳିବନି। ତେଣୁ ଆଙ୍ଗୁଠି ବଙ୍କା କରି ଘିଅ କଢ଼ାଯାଏ। ଏହି ବଙ୍କା କରିବାଟା ଏକ କାମ ବା ଶ୍ରମ
କବୀର, ହାତୀ ଧୈର୍ଯ୍ୟ ସହିତ ସନ୍ତୋଷ ମନରେ ଖାଏ,
ଶ୍ବାନର ଧୈର୍ଯ୍ୟ ସେ ଭଳି ନାହିଁ, ଘର ଘର ବୁଲୁଥାଏ୯
ଆମେ ମଣିଷମାନେ ସବୁବେଳେ ଯାହା ଦେଖୁ ବା ଯାହା ପାଇବାକୁ ଇଚ୍ଛା ହୋଇଯାଏ, ତାହା ସଙ୍ଗେ ସଙ୍ଗେ ନିଜର କରିନେବାକୁ ଇଚ୍ଛା କରୁ ଏହି ପଦ୍ଧତିରେ ଆମେ ଆମ ନିଜ ପାଖରେ ଥିବା ପଦାର୍ଥକୁ ଅଣଦେଖା କରି କେବେ ଭଲ ପାଇପାରୁନାହିଁ। ଅର୍ଥାତ ଆମର ମନ କେବେ ସନ୍ତୁଷ୍ଟ ହୁଏନି। ଏହି ବୁଦ୍ଧି କୁକୁର ପାଖରେ ଥାଏ। ଯେଉଁ ଘରେ ଯାହା ପାଇଲା ତାହା ଖାଇଯାଏ। ପାଖରେ ଖାଦ୍ୟ ଥିଲେ ମଧ୍ୟ ଆଉ ଜଣେ ଯଦି ଖାଦ୍ୟ ତା ଆଗରେ ଦେଖାଏ, ତେବେ ନିଜ ଖାଉଥିବା ଖାଦ୍ୟ ଛାଡ଼ି ନୂଆ ଖାଦ୍ୟ ପଛରେ ଦଉଡ଼େ ଭଲ ମନ୍ଦ ବାଛେନାହିଁ। ଅନ୍ୟ ଦିଗରେ ହାତୀ ଯାହା ପାଏ, ସନ୍ତୋଷ ମନରେ ରହି ରହି ଖାଏ। ସୁତରାଂ ଆମେ ହାତୀ ଭଳି ସର୍ବଦା ମନ ସନ୍ତୋଷ କରି ଭଲ ଜିନିଷ ସଂଗ୍ରହ କରି ରଖିବା ଉଚିତ।
ଘିଅ ଦର୍ଶନ କେବଳ ଭଲ, ତୈଳ ଖିଆ ନୁହେଁ ଭଲ,
ମୂର୍ଖ ସଙ୍ଗତ ନୁହଁଇ ଭଲ, ଗୁଣବାନ ଶତୃ ଭଲ ୧୦
ସାଧୁ ଅଟନ୍ତି ଚନ୍ଦନ ସମ, ସର୍ପ ସମୁହ ସଂସାର,
ଦେହେ ଯେତେ ବି ଗୁଡ଼େଇ ହେଲେ, ହୁଏନି ମନ ବିକାର ୧୧
ଏହି ଦୋହାରେ ସାଧୁ ବା ଜ୍ଞାନୀ ମଣିଷକୁ ଚନ୍ଦନ ବୃକ୍ଷ ସହିତ ତୁଳନା କରାଯାଇଛି ତାଙ୍କ ବ୍ୟତୀତ ସାରା ସଂସାରରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ସାପ ସହିତ ତୁଳନା କରାଯାଇଛି। ସାପ ବିଷ ଅତି ମାରାତ୍ମକ ଥରେ ସାପ କାମୁଡିଲେ ଅବସ୍ଥା ଅତି ଖରାପ ହୁଏ। ସେହି ସାପ ଚନ୍ଦନ ବୃକ୍ଷ ଚାରିପାଖରେ ଗୁଡ଼େଇ ହୋଇ ରହିଲେ ମଧ୍ୟ ବୃକ୍ଷ ବିଷାକ୍ତ ହୋଇଯାଏନାହିଁ। ଲୋକର ଚରିତ୍ର ଭଲ ଥିଲେ ମନ୍ଦ ଲୋକ ତାକୁ ଆଦୌ ପ୍ରଭାବିତ କରିପାରିବ ନାହିଁ। ତୁମେ ଯଦି ଭଲ ହେବାକୁ ଇଚ୍ଛା କରୁଛ ତେବେ ଯାହା ତୁମ ପାଇଁ ଓ ସମାଜ ପାଇଁ ଭଲ କେବଳ ତାହାହିଁ ଗ୍ରହଣ କର ନିଜ ମନକୁ ଫିଲଟର ଭଳି ତିଆରି କର ଯାହା ମନ୍ଦକୁ ଛାଣି ବାହାର କରିଦେବ ଓ ଭଲକୁ ଗ୍ରହଣ କରିବ।
ଯେଉଁ ଦୋହା ପଢ଼ିଲେ ବୁଝିହେଉଛି, ସେଗୁଡିକର ତର୍ଜମା ଦିଆଯାଇନାହିଁ ।
Go Back to Previous Page
ଲଙ୍ଗଳ
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ଜୀବନର ମୋଡ଼
ସୁବଳ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ