କେନ୍ଦ୍ରାପଡା ମାଟିର ବରପୁତ୍ର କବି ଦୀପକ ମିଶ୍ର। କବିଙ୍କ କୁଶଳ କର୍ମ, କବିତାର ପୃଷ୍ଠଭୂମିରେ ହୋଇଛି ତରଙ୍ଗାୟିତ। ଦୀର୍ଘ ତିରିଶ ବର୍ଷ (୧୯୭୦-୨୦୦୦) କବିତା ରଚନା କରିବାରେ ଅତିବାହିତ କରିଛନ୍ତି। ଉତ୍ତର ଷାଠିଏର ପ୍ରୟୋଗବାଦୀ କବିତା ରଚନାରେ ସେ ସିଦ୍ଧିହସ୍ତ। ବିନ୍ଦୁରେ ସିନ୍ଧୁ ଦର୍ଶନର, ପ୍ରେମରେ ମୃତ୍ୟୁ ଦର୍ଶନର, ଭୋଗ-ବିଳାସରେ ମୁକ୍ତି ଦର୍ଶନର ମାର୍ମିକ ଅଭିବ୍ୟକ୍ତି ରହିଛି ତାଙ୍କ କବିତାରେ।
ସାହିତ୍ୟ ସୃଷ୍ଟି ପାଇଁ ତାଙ୍କୁ ମିଳିଛି ବହୁ ପୁରସ୍କାର ଓ ସମ୍ମାନ। ପ୍ରେମ ଓ ମୃତ୍ୟୁର ପରିଧିରେ ଅଙ୍କିତ କବିତା ସଂକଳନ ‘ବୃତ୍ତ’ ପାଇଁ ପାଇଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ତାଙ୍କ କବିତାରେ ମିଥ୍, ପ୍ରତୀକ, ଚିତ୍ରକଳ୍ପ, ପ୍ରେମକଳ୍ପ ସହିତ ରହିଛି ଆଧ୍ୟାତ୍ମିକତାର ସ୍ପର୍ଶ। ସେସବୁ କବିତା ସଂକଳନ ହେଲା- ‘ଅସମାପିକା’, ‘ଦୀପକ ମିଶ୍ରଙ୍କ କେତୋଟି କବିତା’, ‘ଅନୁଷ୍ଟୁପ’, ‘ନିଷିଦ୍ଧ ହ୍ରଦ’, ‘ନିର୍ଜନ ନକ୍ଷତ୍ର’, ‘ସପ୍ତମ ପୃଥିବୀ’, ‘ଅରଣା ମଇଁଷି’, ‘ଶୂନ୍ୟତାର ଶୋଷ’, ‘ବୃତ୍ତ’, ‘କେମିତି ହୁଅନ୍ତା’, ‘ମଧ୍ୟାହ୍ନର ଛାଇ’, ‘କପଟ ସୂର୍ଯ୍ୟାସ୍ତ’, ‘ଋକ୍’, ‘ନିଦାଘ ଯାତ୍ରା’, ‘ଧ୍ୱନିର ସିଂହାସନ’, ‘ନିରବଧି ନାଭିଶ୍ୱାସ’, ‘ଅନଘା’ ଇତ୍ୟାଦି।
ଆଧୁନିକ କବିତା ସ୍ୱଳ୍ପଭାଷିର ଲୋକପ୍ରିୟତାକୁ ଗ୍ରହଣ କରିଛି। ବୃହତ ମନୋଭାବ, ଚରିତ୍ର, ଅବସ୍ଥା, ବ୍ୟବସ୍ଥା, ପରିସ୍ଥିତି, ପରିବେଶ, ହୃଦୟାବେଗକୁ ସଂକ୍ଷିପ୍ତରେ ଉପସ୍ଥାପନା କରିବାର କୈାଶଳକୁ ଆପଣେଇଛି। ତେଣୁ କବିତାରେ ପ୍ରତୀକ, ମିଥ୍, ଚିତ୍ର୍ରକଳ୍ପ, ପ୍ରେମକଳ୍ପର ପ୍ରୟୋଗ ପ୍ରତି ଆଗ୍ରହ ବଢିଛି। ଶ୍ରୀ ମିଶ୍ରଙ୍କ କବିତାରେ ଏସବୁର ପ୍ରୟୋଗ ଲୋକପ୍ରିୟତାର ଶିର୍ଷରେ ପହଞ୍ଚିଛି। ମିଥ୍, ପ୍ରତୀକ ଓ ଚିତ୍ରକଳ୍ପର ତ୍ରିବେଣୀ ସଂଗମ ଘଟିଛି ତାଙ୍କ କବିତାରେ।
ଅନ୍ତର୍ନିହିତ ଭାବ, ଅନ୍ତରଙ୍ଗ ଅନୁଭୂତିର ମାର୍ମିକ ଅନୁଭବ ତାଙ୍କ କବିତାରେ ପ୍ରତୀକ ମାଧ୍ୟମରେ ପ୍ରତିଫଳିତ। ପ୍ରତୀକ, ଭାବ ସଂକ୍ଷେପକାରୀ ଏକ ସାହିତ୍ୟ ରସ। କବିର ବକ୍ତବ୍ୟକୁ ପ୍ରତୀକ ମାଧ୍ୟମରେ ଅଧିକ ମାର୍ମିକ ଓ ଶାଣିତ କରିବା ସମ୍ଭବ ହୁଏ।
“ମୋର ଚୁମ୍ବନର ପଳାତକ ତୀକ୍ଷ୍ଣ ଆଘାତର ଚିହ୍ନ
ଯଥେଷ୍ଟ ଭ୍ରମଣ କଲା ନିଜ ଗ୍ରାମର ଲୋକପରି
ଯେମିତି ପୂର୍ବରୁ ଚିହ୍ନିଥିବା ତୁମ ଦେହର ପ୍ରତେକ ଗଳିରେ”(ପ୍ରବାଦ)
ଏଠାରେ ଯୌନ କାମନାକୁ ପ୍ରତୀକ ଭାବରେ ଗ୍ରହଣ କରାଯାଇଛି। ଶ୍ରୀ ମିଶ୍ରଙ୍କ କବିତାରେ ପ୍ରତୀକର ଘନ ଘନ ପ୍ରୟୋଗ ରହିଛି। ପୁନଶ୍ଚ କେତେବେଳେ ପକ୍ଷୀକୁ ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି। ମାନବର ସ୍ୱାଧୀନ ଆତ୍ମାର ଅମୃତ ସ୍ପର୍ଶକୁ ପକ୍ଷୀର ପ୍ରତୀକରେ ପ୍ରତୀକାୟିତ କରିଛନ୍ତି।
ମିଥ୍ ପ୍ରୟୋଗରେ ମଧ୍ୟ ସିଦ୍ଧିହସ୍ତର ପରିଚୟ ଦେଇଛନ୍ତି ଶ୍ରୀ ମିଶ୍ର। ‘କାୟା ପ୍ରବେଶ’, ‘ବନବାସ’, ‘ଅତିକ୍ରମଣ’, ‘ସେ ଗଲା ପରେ’ ଆଦି କବିତାରେ ମିଥ୍ ପ୍ରୟୋଗ ରହିଛି। ‘କାୟା ପ୍ରବେଶ’ କବିତାରେ ପିତା ବାସୁଦେବ, ‘ବନବାସ’ କବିତାରେ ରାମସୀତା ମିଥ୍ର ପ୍ରତୀକ। ‘ଅତିକ୍ରମଣ’ କବିତାରେ ଶ୍ରୀକୃଷ୍ଣଙ୍କୁ ମିଥ୍ର ପ୍ରତୀକ ଭାବରେ ପ୍ରତିକାୟିତ କରାଯାଇଛି। ‘ସେ ଗଲା ପରେ’ କବିତାରୁ କାଳିଜାଇ ମିଥ୍ଟିକୁ ଗ୍ରହଣ କରାଯାଇ ଲେଖାଯାଇଛି-
“ଘର ବୋଲି ଯାହା ଜନନେତ୍ରେ ଦିଶେ ତାହା
ଏକ ନିଷିଦ୍ଧ ନଉକା, ଯାହାର ଅନୁଚ୍ଚ ମଂଗରେ
ମିୟମାଣ ମୃତ୍ୟୁ ବସି ଅଛି ତୋ ଶେଷ ବେଳର
ଅକୁଣ୍ଠିତ ଆଶାର ଚେହେରା ନେଇ ଓ ମୋତେ
ଡାକୁଅଛି ଅଭୟ ମୁଦ୍ରାରେ ସ୍ନେହାଧୀନ ବୃଦ୍ଧ”
(ସେ ଗଲା ପରେ)
ଦୀପକ ମିଶ୍ରଙ୍କ କବିତା ଚିତ୍ରକଳ୍ପ ମନସ୍କ। ତାଙ୍କ କବିତାରେ ଚିତ୍ରକଳ୍ପର ସୁନ୍ଦର ପ୍ରୟୋଗ ରହିଛି। ଭାବ ଜଗତକୁ ଆୟତ କରିବାରେ ଚିତ୍ରକଳ୍ପ ସକ୍ଷମ। ନିମ୍ନରେ ସେ ସବୁ କବିତା ପଂକ୍ତି ନିଆଗଲା-
“ଅସମୟ ନିଜେ ଅବୟହୀନ ପଙ୍ଗପାଳ
ଯିଏ ଛଡେଇନିଏ ଶିଶୁ ପକ୍ଷୀର ନିଷ୍ପାପ ଥଣ୍ଟରୁ
ବୀଜର ବିବିକ୍ତ ଯୌବନର ମାୟା
ଓ ତା ପଲକରୁ ନିଗାଡି ନିଏ
କାକର ପରି କିଛି ଲୁହ ଯାହାର ସ୍ପର୍ଶରେ
ଜଳିଯାଏ, ଘାସର ଆଜନ୍ମ ସବୁଜ ମାତୃତ୍ୱ ।”
କବି ଶ୍ରୀ ମିଶ୍ର, ପ୍ରତୀକ-ମିଥ୍-ଚିତ୍ରକଳ୍ପର ପ୍ରୟୋଗରେ ଯେପରି ସଫଳ ହୋଇଛନ୍ତି ସେମିତି ବାସ୍ତବବାଦୀ, ଦେହଧର୍ମୀ, ପ୍ରୟୋଗବାଦୀ ଓ ମୃତ୍ୟୁଧର୍ମୀ କବିତା ରଚନାରେ ପାରଦର୍ଶୀତା ପ୍ରଦର୍ଶନ କରିଛନ୍ତି। ଭାବ, ଭାଷା ଓ ଶବ୍ଦ ସଂଯୋଜନାରେ ମଧ୍ୟ ସେ ସିଦ୍ଧିହସ୍ତ।
“ରାସ୍ତାରେ ରାସ୍ତାରେ ଖାଲି ଅନ୍ଧାରର ଛାଇ
ସତେକି କୋମଳ ମୃତ୍ୟୁ
ଅସହାୟ ଅବସ୍ଥାରେ ଚାରିଦିଗ ପଡିଛି ବିଛାଇ”
(ନୀଳ ବରଫର ଝଡ)
“ଯେତେବେଳେ ତୁମେ ଏକ ମଧ୍ୟରାତ୍ରିର
ନିଃସଙ୍ଗ ଆବେଗ ହୋଇ ଝୁଲୁଥିଲ ମୋ ଆଖି ଡୋଳାରେ
ଓ ତୁମ ଜଂଘର ଶୁଭ୍ର ନିମନ୍ତ୍ରଣ ବେଳେ
ସେ ମୁହୂର୍ତ୍ତରେ ମୃତ୍ୟୁ କଥା ଉଠାଇବା ଠିକ ନୁହେଁ।”
(ଜମାନବନ୍ଦୀ)
ଅଳଙ୍କାର ଭୂଷିତ ସୁନ୍ଦର ରମଣୀ ପରି, ପ୍ରତୀକ, ଚିତ୍ରକଳ୍ପ ଓ ମିଥ୍ ପ୍ରୟୋଗ କବିତାକୁ ମୁଗ୍ଧ ଓ ସୁନ୍ଦର କରି ତୋଳିଥାଏ । କବି ଦୀପକ ମିଶ୍ରଙ୍କ କବିତାରେ ସେସବୁର ସଫଳ ପ୍ରୟୋଗ ଘଟିଛି ।
ଅଧ୍ୟାପିକା, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ,
ବାରିପଦା, ମୟୁରଭଞ୍ଜ, ଓଡ଼ିଶା
Go Back to Previous Page
ସମାଜ ଗଠନରେ ଛାତ୍ର୍ରର ଭୂମିକା
ରମାକାନ୍ତ ମିଶ୍ର
Read Article
ଲଙ୍ଗଳ
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ