ପ୍ରବାଦ ଅଛି, ହଅ.. ‘ଷାଠିଏମହଣ ଘିଅ ଆସିବ, ରାଧା ନାଚିବ’। ରାଧାର ନାଚିବାକୁ ଘିଅ ସହିତ କାହିଁକି ଯୋଡି ଦିଆଗଲା ଏକଥା ଆମ୍ଭେ ଜମା ସମଝି ପାରୁନାହିଁ। ରାଧା ତ ଗାନା ବାଜଣା ବା ବଂଶୀ ବାଜିଲେ ବି ନାଚି ପାରନ୍ତେ। କାରଣ କୁଂଜବନରେ କୃଷ୍ଣଙ୍କ ସହ ନାଚିବାରେ ତାଙ୍କର ଢେର୍ ସୁନାମ ଅଛି। ରାଧା ଖାଲି ନିଜେ ନାଚି ଜାଣନ୍ତି ତା’ ନୁହେଁ ସେ ବେଳଅବେଳରେ ଅଭିମାନ କରି କୃଷ୍ଣଙ୍କୁ ବି ନଚେଇପାରନ୍ତି (ନାକେଦମ୍ କରିପାରନ୍ତି) ଏକଥା ଆମେ ସମସ୍ତେ ‘ରାଧା ପ୍ରେମଲୀଳା’ ନାଟକାଦିରୁ ଦେଖିଥିବା। ଲାଜ ମହତ ଛାଡି କୃଷ୍ଣ ପ୍ରେମରେ ବାୟାଣୀ ସାଜିଥିବା ରାଧା ପ୍ରେମ ପାଇଁ ସବୁକିଛି କରିପାରନ୍ତି। କଣା ମାଠିଆରେ ପାଣି ଆଣିପାରନ୍ତି, କଳାରଙ୍ଗ ଉପରେ ଅଭିମାନ କରି ଶାରୀକୁ ମଧ୍ୟ ପଞ୍ଜୁରୀରୁ ଉଡାଇ ଦେଇପାରନ୍ତି। କିନ୍ତୁ ରାଧା କାହା ସହିତ କି ବାଦ କରିଥିଲେ ଯେ ଷାଠିଏମହଣ ଘିଅ ଆସିଲେ ହିଁ ସେ ନାଚିବେ ବୋଲି ଜିଦ୍ ଧରିଲେ? ନା ଆଉ କିଏ ଏପରି ସର୍ତ୍ତ ରଖିଲା ଯେ ରାଧା ଯଦି ଏତେ ବଡ ଓ କୁଶଳୀ ନୃତ୍ୟଶିଳ୍ପୀ ତାହେଲେ ଷାଠିଏମହଣ ଘିଅ ଉପରେ ନାଚନ୍ତୁ ।
ସୁଧୀବୃନ୍ଦ! ଚଟାଣରେ ତେଲ ଠିପିଏ ପଡିଗଲେ ଆମେ ଗୋଡ ଖସି, କଚଡା ଖାଉ। ସେତିକିରେ ଚାଲିବା ସମ୍ଭବ ନୁହେଁ। ଅଥଚ ଷାଠିଏମହଣ ଘିଅ ଢଳାହେବ ଓ ରାଧା ନାଚିବେ, ଇଏତ ଆଖିକୁ କାନକୁ ନ ପାଇବା କଥା। ଅବଶ୍ୟ ରାଧା ସବୁ ଅସମ୍ଭବକୁ ସମ୍ଭବ କରପାରନ୍ତି ବୋଲି ଆମ ଭାରତୀୟମାନଙ୍କ ବିଶ୍ୱାସ। କିନ୍ତୁ ଆଖି ନ ଦେଖା କଥାରେ ବିଶ୍ୱାସ କରିବା ମୁର୍ଖାମି ବୋଲି ଚାଣକ୍ୟ କହିଯାଇଛନ୍ତି। ଅତଏବ ରାଧାଙ୍କ ଷାଠିଏମହଣ ଘିଅ ଉପରେ ନାଚିବା କଥାଟି ଜମାରୁ ପରତେ ହେଉନାହିଁ। ଭାରତୀୟ ନୃତ୍ୟ ଶାସ୍ତ୍ରରେ ବି ଏମନ୍ତ ନୃତ୍ୟ ଶୈଳୀ କିଛି ଥାଇପାରେ ଏହା ଆମେ ଭାବିପାରୁନାହୁଁ। ତାହେଲେ ‘ଷାଠିଏମହଣ ଘିଅ’ ପ୍ରସଙ୍ଗ ଉଠିଲା କେମିତି? ରାଧାଙ୍କ ସ୍ୱାମୀ ଚନ୍ଦ୍ରସେଣା ରାଧାଙ୍କ କେଉଁଠି ନାଚିବା ବିନିମୟରେ ଷାଠିଏମହଣ ଘିଅ ଦାବି କରିଥାଇପାରନ୍ତି। କାରଣ ସେ କାଳରେ ଗଉଡ ଲୋକଙ୍କ ପାଇଁ କ୍ଷୀର ଦହି ଅପେକ୍ଷା ଘିଅର ମୂଲ୍ୟ ଢେର୍ ବେଶୀ। ଆମେ ସମସ୍ତେ ଜାଣୁ ରାଧା ଚନ୍ଦ୍ରସେଣାଙ୍କର ନାମକୁ ମାତ୍ର ସ୍ତ୍ରୀ। ତାଙ୍କ ହାତରନ୍ଧା ଭୋଜନ ମୁଠାଏ ମିଳିଗଲେ ତେଣିକି ରାଧା ଯୁଆଡେ ଯାଆନ୍ତୁ ଯାହା କରନ୍ତୁ ତାଙ୍କର ଆପତ୍ତି ନାହିଁ । ତା’ ବୋଲି ସେ ନିଜ କୌଳିକ ବୃତ୍ତି ମାରା କରିବେ ସେକଥା ନୁହେଁ । ଏଣୁ ଗଉଡ ବୁଦ୍ଧିରେ ସେ ରାଧାଙ୍କ ନାଚିବା ବିନିମୟରେ ଷାଠିଏମହଣ ଘିଅ ଦାବି କରିଥିବା ଅନୁମାନ କରାଯାଇପାରେ। କିନ୍ତୁ ଷାଠିଏମହଣ ଘିଅ ଢଳାହେବ ଓ ରାଧା ନାଚିବ ଏକଥା କେମିତି ଅଖାଡୁଆ, ଅସୁନ୍ଦର, ଅଯଥାର୍ଥ ଓ ଅପ୍ରତ୍ୟାଶିତ ମନେହୁଏ। ରାଧାଙ୍କ ନାଚିବା ପାଇଁ ଏତେ ପରିମାଣର ଘିଅ ଆବଶ୍ୟକ? ହଁ ହେଇପାରେ, ରାଧା କୌଣସି ସାଧାରଣ ଘରର ଝିଅ ନୁହଁନ୍ତି । ସେ ହେଉଛନ୍ତି ବୃଷଭାନୁଙ୍କର ଅଲିଅଳ କନ୍ୟା । କେତେ ଆଦର ଯତ୍ନରେ ବଢିଥିବେ, ଘିଅମହୁରେ ବୁଡିଥିବେ । ତେଣୁ ତାଙ୍କ ପାଇଁ ଷାଠିଏ ମହଣ ଘିଅ ଦରକାର ପଡିଥିବ । ଓଃ ଷାଠିଏ ମହଣ ଘିଅ! ଆଜିକା ଦିନରେ ଷାଠିଏ ମହଣ ଘିଅର ଦାମ୍ କେତେ ଜାଣିଛନ୍ତି? ଟିକିଏ ହିସାବ କରିନେବା-
୧୬ ଛଟାଙ୍କି= ୧ ସେର
୪୦ସେର= ୧ ମହଣ
୬୦ ମହଣ= ୨୪୦୦ ସେର
୧ ସେର= ୧୧୦୦ଗ୍ରାମ୍
୨୪୦୦ସେର=୨୪୦୦ଙ୍ଘ୧୧୦୦=୨୬୪୦୦୦୦ଗ୍ରାମ
ବା ୨୬୪୦ କିଲୋଗ୍ରାମ୍
୧କିଲୋଗ୍ରାମ ଗୁଆଘିଅର ଦାମ୍=ଟ.୫୦୦.୦୦ଙ୍କା ହେଲେ
୨୬୪୦ କିଲୋଗ୍ରାମ ଘିଅର ଦାମ୍=ଟ.୧୩,୨୦,୦୦୦.୦୦ଙ୍କା
ଇଲୋ ମୋ ବୋପାଲୋ! ତେର ଲକ୍ଷ କୋଡିଏ ହଜାର ଟଙ୍କାର ଘିଅ ବିନିମୟରେ ରାଧାକୁ ନଚେଇବା ଏଡେ ସହଜ କଥାନୁହେଁ। ବରଂ ରାଧା ନ ନାଚନ୍ତୁ, ହେଲେ ଷାଠିଏ ମହଣ ଘିଅ କିଏ କାହିଁକି ଦେବ? ଏପରି ଏକ ପ୍ରସଙ୍ଗରୁ ବୋଧେ ଅସମ୍ଭବ ମାର୍କା କାମକୁ ‘ଷାଠିଏମହଣ ଘିଅ ଆସିବ ନା ରାଧା ନାଚିବ’ର ଉଦାହରଣ ଦିଆଯାଏ। ଏଠାରେ ଷାଠିଏମହଣ ଘିଅର ଦାମ୍ ଅପେକ୍ଷା ରାଧାଙ୍କ ବୈଶିଷ୍ଟ୍ୟ ବେଶୀ ଗୁରୁତ୍ୱପୂର୍ଣ୍ଣ ବୋଲି ମନେହୁଏ। ତେବେ ରାଧା ବଦଳରେ ଦୂତୀକୁ ନେଇ କାମ ଚଳେଇଦେବାରେ ଆମ ଭାରତୀୟମାନେ କେତେ ଚତୁର ଓ କେତେ ଅକୁଣ୍ଠିତ ତାହା ଆପଣମାନେ ବେଶ୍ ଜାଣନ୍ତି । ତେଣୁ କିଲେ ଘିଅରେ ଯଜ୍ଞାନୁଷ୍ଠାନ ସାରିଦେଇ ଦୂତୀକୁ ନଚେଇଦେଲେ ଗଲା। କାହିଁକିନା ଆମ ଚତୁର ପଣ୍ଡିତମାନେ କହିଯାଇଛନ୍ତି- ‘ବସ୍ତ୍ରାଭାବେ ସୂତ୍ରଂ ଦଦ୍ୟାତ୍’ ତେଣୁ ଶାସ୍ତ୍ରରେ ଯାହାବି କର୍ମକାଣ୍ଡ ଅଛି ସେସବୁ ପାଳିବା ପାଇଁ କେବଳ ଧନିକମାନେ କାହିଁକି ସମର୍ଥ ହେବେ, ବରଂ ଗରିବ ଶ୍ରେଣୀର ଲୋକ ବି ତାହା କରୁ, ଶାନ୍ତି ସନ୍ତୋଷ ପାଉ। ପଣ୍ଡିତେଙ୍କ ସାମ୍ୟଭାବନାର ତାରିଫ୍ କରିବାକୁ ହେବ। ନଚେତ୍ କାହିଁ ରାଧା କାହିଁ ଦୂତୀ? ରାଧା ଗଉଡଘରର ଝିଅ ହୋଇ ମଧ୍ୟ ତାଙ୍କର ଷାଠିଏମହଣ ଘିଅର କାଟ୍ତି। ସେ ଯଦି ଆଜିକାଲିକା ସହରରେ ଜନ୍ମ ହେଇଥାନ୍ତେ ଓ ସୁନ୍ଦର ନାଚୁଥାନ୍ତେ ତାହେଲେ ରାତିକର ନାଚ ବା ଥରକର ନାଚ ପାଇଁ କୋଟିକୋଟି ଟଙ୍କା ଦାବି କରିଥାନ୍ତେ। ଅବଶ୍ୟ ରାଧାଙ୍କୁ ନାଚବାଲୀର ଆସନରେ ବସେଇଦେବା ଆମ୍ଭର ଉଦ୍ଦେଶ୍ୟ ନୁହେଁ। ରାଧା ହେଉଛନ୍ତି ପରମ ପ୍ରେମିକ ରସରାଜ ରସିକେନ୍ଦ୍ର ଶ୍ରୀକୃଷ୍ଣଙ୍କ ପ୍ରେମିକା। ଯାହାଙ୍କର ପ୍ରେମର ପରାକାଷ୍ଠା ପାଇଁ ସେଇ ଯୁଗଳମୂର୍ତ୍ତିଙ୍କ ମନ୍ଦିରମାନ ଆମ ଭାରତର ବିଭିନ୍ନ ଗ୍ରାମ ଆଉ ସହରରେ ନିର୍ମିତ ହୋଇଛି। ତେବେ ଆମର ମନେହୁଏ କୃଷ୍ଣଙ୍କ ବ୍ୟତୀତ ରାଧା କେବେ ଆଉକାହା ଅନୁରୋଧରେ ନାଚି ନଥିବେ। କାରଣ ଷାଠିଏ ମହଣ ଘିଅ ଖର୍ଚ୍ଚ କରି କିଏ ବା ରାଧାଙ୍କୁ ନଚେଇପାରିବ? ଅସମ୍ଭବ ବ୍ୟାପାର । ସେଥିପାଇଁ ସେଇ କଥାଟି ପ୍ରବାଦ ହୋଇ ରହିଗଲା । ଅବଶ୍ୟ ଏ ପ୍ରବାଦଟିକୁ ଉଦ୍ଧାର କରି ଅନେକେ ବିକଳ୍ପ ବ୍ୟବସ୍ଥା ଖୋଜି କାମଟି ସାରିଦେବାକୁ ପ୍ରୟାସ କରନ୍ତି । ବହୁ ଆଡମ୍ବର ବା ବହୁ ଯୋଜନା ବି ବେଳେବେଳେ ଫସର ଫାଟିଯାଏ ଯଦି ସାଧାରଣ ଭାବେ କାମଟି ସାରିବାକୁ ଉଦ୍ୟମ କରାନଯାଏ । କିଛି କାମ ବଡବଡିଆଙ୍କ ଦ୍ୱାରା ବି ହୁଏନାହିଁ, ବରଂ ସାନମାନେ ତାକୁ ନିଷ୍ଠାର ସହ ଓ ନିଖୁଣଭାବେ କରିନିଅନ୍ତି । ଏ କ୍ଷେତ୍ରରେ ସାନମାନଙ୍କର ଭୂମିକାକୁ ବରଂ ଅଧିକ ଗୁରୁତ୍ୱ ଦିଆଯିବା କଥା । କିନ୍ତୁ ଅଯଥା ରାଧା ପରି ଚରିତ୍ରଙ୍କ ଠାରୁ କାମର ଆଶା କରିବା ବୃଥା ବୋଲି ପ୍ରବାଦରୁ ପ୍ରମାଣ ହୁଏ । ବିଜ୍ଞଲୋକେ ଏ ପ୍ରବାଦକୁ ଉପସ୍ଥାପନ କରି ସାନମାନଙ୍କ ଦ୍ୱାରା ହିଁ ଗୁରୁତ୍ୱପୂର୍ଣ୍ଣ କାମମାନ କରେଇନେବାକୁ ଉଚିତ ମଣି ‘ଷାଠିଏମହଣ ଘିଅ ଆସିବ ନା ରାଧା ନାଚିବ’ ଭଳି ପ୍ରବାଦର ପରିକଳ୍ପନା କରିଥିବେ ବୋଲି ମନେହୁଏ । କୃଷ୍ଣଙ୍କ ପ୍ରେମିକା ଶ୍ରୀରାଧାଙ୍କ କଥା ଛାଡନ୍ତୁ । ଏମିତି ବି ହେଇପାରେ ରାଧା ନାମ୍ନୀ ଆଉ କୌଣସି ସ୍ତ୍ରୀର କାମ କରିବାର ତରିକା ଦେଖି, ତା ଗଉଁକୁ ସୂଚେଇବାକୁ ଏପରି ପ୍ରବାଦର ସୃଷ୍ଟି ହୋଇଥାଇପାରେ । ପକ୍ଷାନ୍ତରେ ଏକଥା ବି ମନକୁ ଅଣାଯାଉ । କୋଉ ପୁରାଣ ଯୁଗର ରାଧାଙ୍କୁ କାହିଁକି ଆମେ ପ୍ରବାଦରେ ପୂରେଇବା ? ବରଂ କଳିଯୁଗର ରକ୍ତମାଂସଧାରୀ ରାଧାଟିଏକୁ ନିଆଯାଉ । ଏବର କାମବାଲୀ ରାଧାମାନେ ଏତେ ସହଜରେ ମଣହେବା ମହିଳା ନୁହଁନ୍ତି । ବାର ସର୍ତ୍ତ ଚବିଶ ଫରମାସୀ ପୂରଣ କଲେ ସେମାନେ ତୁମ ଘରେ ନାଚିବେ ମାନେ କାମ କରିବେ, ନଚେତ ସୁବିଧା ବା ମଉକା ଦେଖି ତୁମକୁ ନଚେଇଦେବେ, ଏଥିରେ ସନ୍ଦେହ ନାହିଁ।
ସୁଧୀବୃନ୍ଦ! ରାଧା ପରି ଅବାଧ୍ୟ ମହିଳାର ନାଚ ପାଇଁ ଆଗ୍ରହ ରଖିବା କେବଳ ମୂର୍ଖାମି ଛଡା ଆଉ କିଛି ନୁହେଁ । ରାଧାଙ୍କ ନାଚ ଦେଖିବାକୁ ଜିଦି କରି ଯଦି କେହି ପ୍ରମତ୍ତ ପୁରୁଷ ଷାଠିଏ ମହଣ ଘିଅ ଖର୍ଚ୍ଚ କରିବାକୁ ଆଗଭର ହେବେ ତାହେଲେ ଆମର କିଛି କହିବାର ନାହିଁ । ଯଦି କେବେ ଏପରି ଘଟେ ତାହେଲେ ତ ପ୍ରବାଦଟି ମିଥ୍ୟା ପ୍ରମାଣିତ ହେବ, ନା କ’ଣ କହୁଛନ୍ତି? କିନ୍ତୁ ଏପରି ଏକ ବିଶ୍ୱ ରେକର୍ଡ କରିବାଭଳି ମାୟକା ଲାଲ ଆମ ଭାରତରେ ଜନ୍ମ ହେଇଥିବେ, ଏହା ଆମର ପରତେ ଯାଉନାହିଁ । ହଁ କହିରଖୁଛୁ ଯଦି କେବେ ଏପରି ଘଟିବାର ସୂଚନା ପାଇବେ, ଆମ୍ଭଙ୍କୁ ନିଶ୍ଚୟ ଜଣାଇବେ । କିମଧିକମ୍?
-୦-
ବାଣିଜ୍ୟକର ବିଭାଗ,
ରାୟଗଡ - ୭୬୫୦୦୧,
ଭ୍ରାମ୍ୟଭାଷ-୯୪୩୮୬୧୦୮୧୧/ ତା.୨୩-୦୧-୨୦୧୮
Go Back to Previous Page
ଉଦ୍ଧବ ଗୀତା
ସୁଶାନ୍ତ ପୁରୋହିତ
Read Article
ସମାଜ ଗଠନରେ ଛାତ୍ର୍ରର ଭୂମିକା
ରମାକାନ୍ତ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ