ସନାତନ ଧର୍ମର ଏକ ଶ୍ରେଷ୍ଠ ପୁରାଣ ‘ମହାଭାରତ’ର ମୁଖ୍ୟ ଘଟଣା କୁରୁକ୍ଷେତ୍ର ଯୁଦ୍ଧ, ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ପାର୍ଥ ବା ଅର୍ଜୁନଙ୍କ ରଥରେ ସାରଥୀ ହେଇ ନିଜେ ଯୁଦ୍ଧରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ ନ କରି ମଧ୍ୟ ସମ୍ପୂର୍ଣ ଯୁଦ୍ଧ ପରିଚାଳନାରେ ଅତ୍ୟନ୍ତ ମହତ୍ୱପୂର୍ଣ ଭୂମିକା ନେଇଥିଲେ, ସେଇ ଯୁଗ-ଯୁଦ୍ଧ ଅବସରରେ ଶ୍ରୀକୃଷ୍ଣ ପାର୍ଥଙ୍କୁ ଉପଦେଶ ଛଳରେ ସଂସାରର ନ୍ୟେଶ୍ୱର ନିୟମ, କ୍ଷତ୍ରିୟର ଦାୟିତ୍ୱ ସହ ସମଗ୍ର ସଂସାରର ଭଲମନ୍ଦ ସବୁ ବିଷୟରେ କହିଥିଲେ। ଶ୍ରୀକୃଷ୍ଣ ଅବତାର ଭାବେ ଥିଲେ ମଧ୍ୟ ଅନ୍ତର୍ଯ୍ୟାମୀ ହେଇଥିବାରୁ ବର୍ତମାନ ସହ ଅତୀତ ଓ ଭବିଷ୍ୟର ସମ୍ପୂର୍ଣ ଜ୍ଞାନର ଅଧିକାରୀ ଥିଲେ। ସେ ପାର୍ଥଙ୍କୁ ଯାହା ସବୁ କହିଥିଲେ ସେ ସବୁ ‘ଶ୍ରୀମଦ୍ ଭଗବତ୍ ଗୀତା’ ନାମରେ ରହି ହିନ୍ଦୁ ମାନଙ୍କ ଏକ ସର୍ବ ଶ୍ରେଷ୍ଠ ଧର୍ମ ଗ୍ରନ୍ଥ ହେବା ସହ ଏବେ ମଧ୍ୟ ତାହାର ଶ୍ଳୋକ ମାନଙ୍କ ଅର୍ଥ ସମଗ୍ର ବିଶ୍ୱ ପାଇଁ ତାତ୍ପର୍ଯ୍ୟପୂର୍ଣ ବିବେଚିତ ହେବା ଯୋଗୁଁ ଅଧିକରୁ ଅଧିକ ଆଦୃତ ହେବାରେ ଲାଗିଛି ବିଶ୍ୱର ବହୁତ ଦେଶରେ। ଗୀତାର ବାଣୀରେ ମନୁଷ୍ୟ ଜୀବନର ସଂଶ୍ଳିଷ୍ଟ ସର୍ବବିଧ ସମସ୍ୟା, ସବୁ କର୍ତବ୍ୟ, ସବୁ ନୀତି, ଅନୀତି ବିଷୟରେ ନିଶ୍ଚିତ ଭାବରେ ଉଲ୍ଲେଖ ଥାଏ। ଏହି ଗୀତାର ସାରଜ୍ଞାନକୁ ମନୁଷ୍ୟ ତାହାର ଜୀବନରେ ଉପଯୋଗ କଲେ ସେ ପବିତ୍ର ଜୀବନଯାପନ କରିବା ସହ ଉତ୍ତମ କର୍ମଫଳ ପ୍ରାପ୍ତ ହେଇ ପର ଜୀବନରେ ମଧ୍ୟ ସୁଖରେ ରହିଥାଏ।
କୁରୁକ୍ଷେତ୍ର ଯୁଦ୍ଧ ଅନ୍ତେ କୌରବମାନେ ସମୂଳେ ଲୋପ ପାଇଲେ। ଧର୍ମରାଜ ଯୁଧିଷ୍ଠିର ଶାସନ କଲେ। ତେବେ ଏହାର ଅନେକ ସମୟ ଅନ୍ତେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ତାଙ୍କର ଅବତାରର ଆସିଥିବାର କର୍ତବ୍ୟର ସମାପ୍ତି ଘୋଷଣା କରି ତାଙ୍କର ନିଜର ସ୍ଥାୟୀ ଆବାସ ବୈକୁଣ୍ଠଧାମକୁ ପାଇଁ ପୁନର୍ବାର ପ୍ରତ୍ୟାବର୍ତନ ପାଇଁ ପ୍ରସ୍ତୁତ ହେଲେ।
ଏହି ସମୟରେ ସେ ଏହି ପୃଥିବୀରେ ତାଙ୍କର ନିଜର କେହି ବଂଶଧର ମଧ୍ୟ ନ ରହିବାର ବ୍ୟବସ୍ଥା କରିଥିଲେ। ତେଣୁ କର୍ମଫଳ ସ୍ୱରୂପ ସେମାନେ ଋଷିଙ୍କ ଶାପଗ୍ରସ୍ତ ହେଇ ଯଦୁବଂଶର ସମସ୍ତେ ପରସ୍ପର ମଧ୍ୟରେ ଯୁଦ୍ଧରେ ବ୍ୟାପ୍ତ ରହି ସମୂଳେ ବିନାଶ ପ୍ରାପ୍ତ ହେଲେ। ଏହା ଆଉ ଏକ କାହାଣୀ, ଯାହା ଉପଯୁକ୍ତ ଅବସରରେ ଆମେ ପଢିବା।
ଭଗବାନ ଶ୍ରୀକୃଷ୍ଣ ଇହଧାମ ତ୍ୟାଗ କରିବା ପୂର୍ବରୁ ତାଙ୍କର ସବୁଠାରୁ ଘନିଷ୍ଠ ସହଚର ତଥା ଶିଷ୍ୟ ଉଦ୍ଧବଙ୍କୁ ତାଙ୍କ ଇଚ୍ଛାନୁସାରେ ବରଦାନ ପାଇଁ କହିଥିଲେ। ଉଦ୍ଧବ ଯାହା କିଛି ମାଗିଥିଲେ ମଧ୍ୟ ଶ୍ରୀକୃଷ୍ଣ ତାଙ୍କ ଦେଇଥାନ୍ତେ। କିନ୍ତୁ ଉଦ୍ଧବ ଶ୍ରୀକୃଷ୍ଣଙ୍କ ସହ ସବୁ ସମୟରେ ତାଙ୍କ ରଥର ସାରଥୀ ଭାବେ ରହି, ତାଙ୍କ ସବୁ କର୍ମ ବେଳେ ପାଖରେ ରହି ପୃଥିବୀର ପାର୍ଥିବ ସମ୍ପତ୍ତି, ସୁଖ ପ୍ରତି ବୈରାଗ୍ୟ ଭାବ ଆହରଣ କରି କେବଳ ଈଶ୍ୱରୀୟ ଚେତନାରେ ଉଦ୍ବୃଧ ହେଇଥିଲେ। ତେଣୁ ଉଦ୍ଧବ ବିନୀତ ଭାବରେ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ଙ୍କୁ କହିଲେ,
“ପ୍ରଭୁ, ଏତେ କାଳ ଧରି ତୁମ ସହିତ ସବୁ ଘଟଣାରେ ଭାଗ ନେଇ ମହାଭାରତ ପରି ମହନାଟକରେ ତୁମର ଅବଦାନ ଦେଖି ମୋ ମନରୁ ଲୋଭ, ମାୟା, କ୍ରୋଧ, ଆସକ୍ତି ସବୁ ଦୂର ହେଇଯାଇଛି। ଏବେ ମୋର କୌଣସି ପାର୍ଥିବ ଦ୍ରବ୍ୟରେ ଆସକ୍ତି ନାହିଁ। ମୋର କେବଳ ଜିଜ୍ଞାଶା ରହିଛି ଅନେକ କେତେକ ବିଷୟ ଯାହା ଆପଣ କରିଛନ୍ତି ଓ କହିଛନ୍ତି ସେ ବିଷୟରେ ଜାଣିବାକୁ। ସେ ସବୁ ଆପଣ ମୋତେ ବୁଝେଇ କହିଦେଲେ ମୁଁ ମୋର ପ୍ରାପ୍ୟ ପାଇଯିବି”
ଉଦ୍ଧବଙ୍କ ଏପରି ଅନୁରୋଧରେ ଶ୍ରୀକୃଷ୍ଣ କିଛିଟା ଆଶ୍ଚର୍ଯ୍ୟ ହେଲେ ହେଁ କହିଲେ, “ ହଉ ଉଦ୍ଧବ, ମୁ ଜାଣୁଛି ତୁମେ କଣ ସବୁ ପଚାରିବ। ହେଲେ ତୁମେ ଗୋଟି ଗୋଟି କରି ପଚାରିବ ଓ ମୁଁ ତାହାର ଉତ୍ତର ଦେବି।”
ମୁଁ କୁରୁକ୍ଷେତ୍ର ଯୁଦ୍ଧ ସମୟରେ ପାର୍ଥ ବା ଅର୍ଜୁନଙ୍କୁ ଯାହା ନୀତି ଓ କର୍ତବ୍ୟ ବିଷୟ କହିଥିଲି ତାହା ‘ଶ୍ରୀମଦ ଭଗବତ୍ ଗୀତା’ ଭାବରେ ସବୁଦିନେ ରହିବ ଆଉ ମୁଁ ତୁମର ଜିଜ୍ଞାଶାର ଯାହାସବୁ ଉତ୍ତର ଦେବି ସେସବୁ ‘ଉଦ୍ଧବ ଗୀତା’ ନାମରେ ରହିବ। ଉଭୟ ଗୀତା ଭିନ୍ନ ଓ ପରସ୍ପରର ପରିପୂରକ ରହିବ। “ଏବେ ପଚାର ଉଦ୍ଧବ ତୁମ ମନରେ ଉପୁଜିଥିବା ଦ୍ବନ୍ଦ ସବୁ ଏକ ଏକ କରି”
ଉଦ୍ଧବ ପଚାରିଲେ ,
“ହେ ପ୍ରଭୁ ଶ୍ରୀକୃଷ୍ଣ ଆପଣ ତ ଅନ୍ତର୍ଯ୍ୟାମୀ ରହିବା ସହ ସର୍ବଶକ୍ତିର ଅଧିକାରୀ ଥିଲେ। କିନ୍ତୁ ଆପଣଙ୍କର କେତେକ କର୍ମର କାରଣ ମୋ ସହିତ ଅନେକ ବିଦ୍ୱାନଙ୍କୁ ମଧ୍ୟ ସନ୍ଦିହାନ ଭାବରେ ରଖିଥାସିଛି। ସେହି ମଧ୍ୟରୁ ଗୋଟିଏ ପ୍ରଶ୍ନ ହେଲା, ଆପଣ ଚାହିଁଥିଲେ ଧର୍ମରାଜ ଯୁଧିଷ୍ଠିରଙ୍କୁ ପଶା ଖେଳିବାରୁ ନିବୃତ୍ତ କରି ପାରିଥାନ୍ତେ କିନ୍ତୁ କଲେନାହିଁ। ଦ୍ରୋପଦୀଙ୍କୁ ରାଜସଭାକୁ ଟାଣି ନିଆଯିବାରୁ ନିବୃତ୍ତ କରିପାରିଥାନ୍ତେ କାହିଁକି ଶେଷ ମୁହୁର୍ତ୍ତଯାଏ ଅପେକ୍ଷା କଲେ ତାଙ୍କ ଲଜ୍ୟା ନିବାରଣ ବ୍ୟବସ୍ଥା କରିବାକୁ?”
ସ୍ମିତ ହାସ୍ୟ କରି ଶ୍ରୀକୃଷ୍ନ ଉତ୍ତର ଦେଲେ,
“ମୋର ପ୍ରିୟ ଭକ୍ତ ଉଦ୍ଧବ, ଏହି ସଂସାରକୁ ଯିଏ ବି ଆସେ, ତା’ର ଆତ୍ମା ନିଜର ପୂର୍ବ କର୍ମଫଳକୁ ନେଇକି ଆସେ ଏବଂ ଏହି ଜନ୍ମର କୃତକର୍ମ ମଧ୍ୟ ସେଥିରେ ସଂଯୁକ୍ତ ହୁଏ। ସେଇ କର୍ମଫଳ ସେ ଭୋଗ କରିବା ସୃଷ୍ଟିର ଏକ ଅନିବାର୍ଯ୍ୟ ନିୟମ। କିଛି କର୍ମଫଳ ଏଇ ଜନ୍ମରେ ଭୋଗ ନ କଲେ ତାହାକୁ ପରବର୍ତୀ ଜନ୍ମ ଗୁଡିକରେ ନିଶ୍ଚିତ ଭୋଗ କରିବାକୁ ହୁଏ। ମୋର ଏହି ମାନବୀୟ ଅବତାରର ସବୁ ଲକ୍ଷ୍ୟ ମଧ୍ୟରୁ ସେଇ ମହାଭାରତ ଯୁଦ୍ଧରେ ଯିଏ ଯାହାର କର୍ମଫଳ ଠିକ ଭାବରେ ପାଇବାର ବ୍ୟବସ୍ଥା କରିବା ମଧ୍ୟ ଅନ୍ୟତମ ଥିଲା”
“କର୍ମଫଳ ସ୍ୱରୂପ ଦୁର୍ଯ୍ୟୋଧନ ଓ ଅନ୍ୟ ମାନଙ୍କ ନିହତ ହେବାର ପ୍ରୟୋଜନ ହେତୁ କୁରୁଯୁଦ୍ଧ ଅବଶ୍ୟମ୍ଭାବୀ ଥିଲା। ଯୁଧିଷ୍ଠିର ମଧ୍ୟ କର୍ମଫଳ ହେତୁ ସେଇ ପରିସ୍ଥିତିକୁ ଟାଣି ହେଇକି ଯାଇଥିଲେ। ଉଦ୍ଧବ, ଏହା ଏହି ସଂସାରର ନିୟମ ଯେ ଯିଏ ଉପସ୍ଥିତ ସମୟରେ ସଠିକ୍ ନିଷ୍ପତ୍ତି ନେଇଥାଏ ସେହି ସମୟରେ ତାର ହିଁ ବିଜୟ ହେଇଥାଏ। ଶକୁନି ଯେତେବେଳେ ଦୁର୍ଯ୍ୟୋଧନ ଓ ଯୁଧିଷ୍ଠିରଙ୍କ ମଧ୍ୟରେ ପଶା ଖେଳପାଇଁ ପ୍ରସ୍ତାବ ଦେଲେ, ଦୁର୍ଯ୍ୟୋଧନ ତାଙ୍କର ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ତାଙ୍କ ତରଫରୁ ଶକୁନି ଖେଳିବେ ବୋଲି ପ୍ରସ୍ତାବ ଦେଲେ। ସେହି ସମୟରେ ଯୁଧିଷ୍ଠିର ତାଙ୍କ ତରଫରୁ ମୁଁ ଖେଳିବି ବୋଲି କହିବାର ନ ଥିଲା କି? ତୁମେ କୁହ ଯଦି ମୁଁ ଖେଳି ଥାଆନ୍ତି, ବିଜୟ କାହାର ହେଇଥାନ୍ତା? ମୋ ଇଛା ଅନୁସାରେ ଫଳାଫଳ ହେଇ ନଥାନ୍ତା କି? କିନ୍ତୁ ଧର୍ମରାଜ ଯୁଧିଷ୍ଠିର ଅତ୍ୟଧିକ ଆତ୍ମବିଶ୍ୱାସର ବଶବର୍ତ୍ତୀ ହେଇ ନିଜେ ଖେଳି ଜିତିବି ବୋଲି ଭାବିଲେ ଓ କାଳେ ମୁଁ ସେଥିରେ ହସ୍ତକ୍ଷେପ କରିବି ବୋଲି ମୋତେ ରାଜସଭା କୁଯିବାକୁ ସସର୍ତ୍ତ ବାରଣ ମଧ୍ୟ କଲେ। ଏଥିରେ ମୋର ଆଉ କଣ କରିବାର ଥିଲା। ଯେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣର ଉଦ୍ୟମ ହେଲା ସେ ଆଉ କିଛି ବି ଉପାୟ ନପାଇ, “ତ୍ରାହି କର ହେ ଶ୍ରୀକୃଷ ଡାକରା ଦେଲେ, ଯାହାଦ୍ୱାରା କି ମୁଁ ଯୁଧିଷ୍ଠିରଙ୍କ ସର୍ତ୍ତ ଅନୁସାରେ କୁରୁସଭାକୁ ଯିବାର ଅଧିକାର ପାଇଁ ଦ୍ରୌପଦୀଙ୍କ ଲଜ୍ୟା ନିବାରଣ ବ୍ୟବସ୍ଥା କଲି”
(ଉଦ୍ଧବ ଗୀତାର ଅନ୍ୟ ରୋଚକ ତଥା ଉପଦେୟ କଥା କ୍ରମଶଃ ପରବର୍ତୀ ସଂଖ୍ୟା ରେ ) (ତଥ୍ୟ ସ୍ରୋତ : ଶ୍ରୀମଦ ଭଗବତ୍ ଗୀତା ଓ ମହାଭାରତ )
ଭାବାନୁବାଦ ଓ ଉପସ୍ଥାପନା : ସୁଶାନ୍ତ ପୁରୋହିତ
ଅବସରପ୍ରାପ୍ତ ଅଧ୍ୟକ୍ଷ , ସମ୍ବଲପୁର
Go Back to Previous Page
ପୁରୀର ପ୍ରାଚୀନ ନାମ
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ଷାଠିଏ ମହଣ ଘିଅ ବନାମ ରାଧାର ନାଚ
ଡମ୍ବରୁଧର ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ