“ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା? ଏତିକି ଟଙ୍କାରେ କଣ ହେବ?” ପ୍ରଶାନ୍ତ ଅଭିଯୋଗ କରି କହିଲା “ଟିକେଟ୍ କେତେ ଦାମ୍ ଜାଣିଛୁ ନା? ଆଉ ସାଙ୍ଗମାନେ ଥିବେ ମୁଁ ଏତେ କମ୍ ଟଙ୍କା ଧରି କେମିତି ଯିବି କହିଲୁ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ?” ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା, “ବୋଉ ମୋର ଟାଇମ୍ ହେଲାଣି, ଟଙ୍କା ଦେ” ରୋଷେଇଘରୁ ବୋଉ କହିଲେ, “ମୋ ପାଖରେ କିଛି ନାହିଁ, ତୁ ବାପାଙ୍କୁ ମାଗି ନେଇଯା”
ପ୍ରଶାନ୍ତ ବିରକ୍ତ ହୋଇ ଗର ଗର ହେଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦଧ୍ବନୀ ଶୁଣି ନିରବ ହୋଇଗଲା
ନିଜ ଖାଇବାରେ ଧ୍ୟାନ ଦେବାକୁ ଚେଷ୍ଟା କରୁ କରୁ ପ୍ରଶାନ୍ତ ଗର ଗର ହେଉଥିଲା, “ସିନେମା ଦେଖିବାପାଇଁ ଟଙ୍କା ଦେଇପାରୁନଥିଲ ଯଦି ଜନ୍ମ କାହିଁକି କରୁଥିଲ? ମୋର ସବୁ ସାଙ୍ଗ ସିନେମା ଯାଉଛନ୍ତି ନା ନାହିଁ? ତାଙ୍କ ବାପା ମା କଣ ଟଙ୍କା ଦେଉନାହାନ୍ତି?” ବାପା ବୈଠକଘରୁ ବାହାରି ଅନ୍ୟ କୋଠରୀକୁ ପଶିଯିବାପରେ ପ୍ରଶାନ୍ତର ସ୍ବର ପୁଣିଥରେ ଉଚ୍ଚ ହେଇ ଆସୁଥିଲା ଖାଇବାକୁ ବାଢୁଥିବା ବୋଉ ତରକାରୀଟିଏ ପ୍ରଶାନ୍ତର ଥାଳିରେ ଦେବାପାଇଁ ପକାଇବା ବେଳେ ଅନ୍ୟମନସ୍କ ପ୍ରଶାନ୍ତ ହାତ ଦେଖାଉଥିବା ବେଳେ ହାତ ଉପରେ ପଡ଼ିଗଲା ତାତିଲା ତରକାରୀ ହାତରେ ପଡୁ ପଡୁ... “ଆହ୍... ମରିଗଲି ଲୋ...” କହି ହାତକୁ ଛାଟି ଦେଉ ଦେଉ ଚାଉଁକିନା ପ୍ରଶାନ୍ତର ନିଦ ଭାଙ୍ଗିଗଲା
ଆଖି ମଳି ମଳି ଦେଖିଲା ବୈଠକରେ ସୋଫା ଉପରେ ସେ ଶୋଇଛି ବାହାରେ ପିଲାମାନେ ଖେଳାଖେଳି କରୁଛନ୍ତି କାନ୍ଥଘଣ୍ଟାକୁ ଦେଖିଲା, ସମୟ ଅପରାହ୍ନ ସାଢ଼େ ଚାରିଟା ଅଳସ ଭାଙ୍ଗି ଉଠି ବସିବା ବେଳେ ସ୍ତ୍ରୀ ରଶ୍ମୀ ଚା’ କପଟିଏ ଧରି ଆସି ପହଞ୍ଚି ଗଲେ ପ୍ରଶାନ୍ତ ଚା’ କପଟିକୁ ନେଉ ନେଉ କହିଲା, “ଜାଣିଛ ଆଜି କଣ ହେଲା?” ରଶ୍ମୀ ହସିଦେଇ ପଚାରିଲା, “ବୋଉ ଟଙ୍କା ଦେଲେ ନା ନାହିଁ?” ପ୍ରଶାନ୍ତ ଚମକି ପଡ଼ିଲା “ଟଙ୍କା? ବୋଉ?”
“ଶୋଇ ଶୋଇ ଚିଲ୍ଲେଉଥିଲ ନା, ବୋଉ ଟଙ୍କା ଦେ ଟଙ୍କା ଦେ?” ରଶ୍ମୀ ହସି ହସି କହିଲା ପ୍ରଶାନ୍ତ ମୁରୁକି ହସିଦେଇ କହିଲା, “ଓଃ, ମୁଁ ବିଳିବିଳେଇ ହେଉ ସବୁ କହିଦେଲି ବୋଧହୁଏ”
- କୋଉ ପ୍ରଥମଥର କି? ଏମିତି ଅନେକଥର ହେଇଛି ସବୁବେଳେ ବୋଉ ଟଙ୍କା ଦେଉନାହାନ୍ତି ଆଉ ତମ ନିଦ ଭାଙ୍ଗି ଯାଉଛି ଆଚ୍ଛା ସତ କୁହ କୋଉ ସିନେମା ଦେଖିଯିବ ବୋଲି ଟଙ୍କା ମାଗୁଥିଲ? ଆଉ ବୋଉ ତୁମକୁ ଟଙ୍କା ଦେଇଥିଲେ ନା ନାହିଁ?
ପ୍ରଶାନ୍ତ ଚା’ ପିଉ ପିଉ ହସିଦେଇ କହେ, ଯେଉଁଦିନ ସିନେମା ଦେଖିବି ସେଇଦିନ କହିବି ପଚାଶ ବର୍ଷରେ ପାଦ ଦେଇଥିବା ପ୍ରଶାନ୍ତ ଯେ କେବେ ସିନେମା ଦେଖି ଯାଉଥିବ ବୋଲି ଭାବିବା ଅସମ୍ଭବ ବୋଲି ରଶ୍ମୀ କୁହେ ବାହାଘର ପରଠାରୁ କେବେ ବି କୌଣସି ସିନେମା ସେ ଦେଖିବାକୁ ଯାଇ ନାହାନ୍ତି ସିନେମା କଥା କହିଲେ, ଟଙ୍କା ଦେଇ କହନ୍ତି ନିଜେ ସାଙ୍ଗସାଥୀ ହୋଇ ଯାଅ ଘରେ ଅନେକ ପୁତୁରା ଝିଆରୀ, ଭଣଜା ଭାଣିଜୀ ଅଛନ୍ତି, ତମକୁ ସାଙ୍ଗ ମିଳିଯିବେ ମୋତେ ସିନେମାରେ ସଉକ ନାହିଁ କିନ୍ତୁ ଆଶ୍ଚର୍ଯ୍ୟ କଥା ଅନେକ ବର୍ଷ ହେଲାଣି ପ୍ରଶାନ୍ତ କିନ୍ତୁ ସେଇ ଗୋଟିଏ ସ୍ବପ୍ନ ହିଁ ଦେଖୁଛନ୍ତି ବୋଉଙ୍କୁ ଟଙ୍କା ମାଗୁଛନ୍ତି ମାତ୍ର ଟଙ୍କା ପାଇବା ପୂର୍ବରୁ ନିଦ ଭାଙ୍ଗି ଯାଉଛି ବିଶେଷକରି ରବିବାରର ଅପରାହ୍ନ ଗୁଡ଼ାକରେ ଯେତେବେଳେ ପ୍ରଶାନ୍ତ କିଛି ସମୟ ପାଇଁ ଶୋଇଯାଆନ୍ତି ଏମିତି ସ୍ବପ୍ନ ଦେଖି ଉଠିପଡ଼ନ୍ତି କିନ୍ତୁ କେବେ ବି କୁହନ୍ତି ନାହିଁ ସେ କେଉଁ ସିନେମା ଦେଖିବାକୁ ଯିବେ ବୋଲି ବୋଉଙ୍କୁ ଟଙ୍କା ମାଗୁଥିଲେ ଆଉ କେତେ ଟଙ୍କା ମାଗୁଥିଲେ
ସନ୍ଧ୍ୟା ଦୀପ ଜାଳିଦେଇ ରଶ୍ମୀ ରୋଷେଇ ଘରେ ପଶିଗଲାପରେ ପ୍ରଶାନ୍ତ ଟିଭି ସାମନାରେ ବସିଯାଇ ଚ୍ୟାନେଲ ଏପାଖ ସେପାଖ ବୁଲାଇ ଦେଖୁଥିବା ବେଳେ ହଠାତ୍ ଅଟକି ଗଲା ସାଧାରଣତଃ ସେ ଟିଭି ସାମନାରେ ବସିଲେ କେହି ପାଖତଡ଼ ମାଡ଼ନ୍ତି ନାହିଁ କେବଳ ଖବର ଦେଖିବେ ନ ହେଲେ ବିଜିନେସ୍ ଚାନେଲ ଦେଖିବେ ହେଲେ ଆଜି ସେ ଦେଖୁଥିଲେ ସିନେମା ଚାନେଲ୍ ଟିଭିର ସାଉଣ୍ଡ ବି ସେମିତି ଅଧିକ ନଥିଲେ ସୁଦ୍ଧା ରୋଷେଇଘରେ ଥାଇ ରଶ୍ମୀ କିଛି ସମୟ ଟିଭିକୁ ଚାହିଁବା ପରେ ନିଜ କାମରେ ଲାଗିଗଲା ପୁଅଝିଅ ବାହାରୁ ଫେରିଲେଣି ବାପାଙ୍କୁ ଟିଭିରେ ସିନେମା ଦେଖୁଥିବାର ଦେଖି ପୁଅ ବି କିଛି ସମୟ ସେଠି ଅଟକି ଗଲାପରେ କହିଲା, “ବାପା କଣ ଏ ସବୁ କଳାଧଳା ସିନେମା ଦେଖୁଛ? ଷ୍ଟାର ମୁଭି ଲଗାଅ ନୂଆ ସିନେମା ଗୋଟେ ଆସୁଛି ଦେଖିବ ଭିଏଫ୍ଏକ୍ସ୍ ଟେକ୍ନୋଲୋଜୀରେ ବଢ଼ିଆ କାମ ହେଇଛି ସାଢ଼େ ଚାରିଶହ କୋଟି ଟଙ୍କା ଖର୍ଚ୍ଚ ହେଇଛି ସେ ସିନେମାରେ”
ପ୍ରଶାନ୍ତ ପୁଅକୁ ଚାହିଁ କହିଲା, “ଏତେ ଟଙ୍କା କାହିଁକି ସିନେମାରେ ଖର୍ଚ୍ଚ କରୁଛନ୍ତି କେଜାଣି? ସେଇ ଟଙ୍କାରେ ଅତି କମରେ ଦୁଇଟା କି ତିନିଟା ବଡ଼ କାରଖାନା ତିଆରି ହେଇ ପାରନ୍ତା, ଅନେକ ଲୋକଙ୍କୁ ରୋଜଗାର ମିଳନ୍ତା ଦୁଇ ଘଣ୍ଟାର ସିନେମା ପାଇଁ ସାଢ଼େ ଚାରିଶହ କୋଟି!!”
ପୁଅ କିଛି ବୁଝିଲାନି କହିଲା, “ବାପା, ତମ ସମୟର ସିନେମା ଆଉ ଆମ ସମୟର ସିନେମାରେ ଆକାଶ ପାତାଳ ଫରକ ବୁଝିଲ?” ପ୍ରଶାନ୍ତ ହସିଦେଇ କହିଲା, “ହଁ, ଆମ ସମୟରେ କାହାଣୀ ଥିଲା ଯାହା କିଛି କିଛି ସତ ଭଳି ଲାଗୁଥିଲା ଆଜିକାଲି ତ ସବୁକିଛି ଅବାସ୍ତବ ଲାଗୁଛି ଏତେ ଟଙ୍କା ଖର୍ଚ୍ଚକରି ସିନେମା କଲେ କଣ ହେବ? କାହାଣୀ କାହିଁ?”
ବାପାପୁଅଙ୍କ ବାର୍ତ୍ତାଳାପକୁ ଦେଖୁ ଥିବା ରଶ୍ମୀ ରୋଷେଇଘରେ ଥାଇ କହିଲା, “ବୁନା ଯା ହାତଗୋଡ଼ ଧୋଇ ଆ ବାହାରୁ ଆସିଛୁ, ଆଉ ଆସୁ ଆସୁ ଟିଭି ଆଗରେ ବସି ପଡିଛୁ?”
ବୁନା, ସେଠାରୁ ଉଠି ନିଜ କୋଠରୀକୁ ଯାଉ ଯାଉ ବୋଉ କାନରେ କହିଦେଇ ଗଲା, “ଆଜି ବାପାଙ୍କ ଦେହପା ଭଲ ଅଛି ତ? ସିନେମା ଦେଖୁଛନ୍ତି?” ରଶ୍ମୀକୁ ବିଶ୍ବାସ ହେଲାନାହିଁ ରୋଷେଇଘରେ ଚୁହ୍ଲା ବନ୍ଦ କରିଦେଇ ସେ ବାହାରି ଆସିଲା ବୈଠକଘରକୁ ସତରେ ତ ବାବୁ ଆଜି ବସି ଟିଭିରେ ସିନେମା ଦେଖୁଛନ୍ତି! ଏହା କଣ ସତରେ ସମ୍ଭବ? ଅନେକ ସମୟ ହେଲାଣି ସେ ଦେଖୁଛନ୍ତି ମଧ୍ୟ ଭଲକରି ଦେଖିବାପରେ ରଶ୍ମୀ ଦେଖୁଥିଲା ପ୍ରଶାନ୍ତ ଆଖିରେ ଲୁହର ଧାରଟିଏ ସିନେମାରେ ପୁରା ମଜ୍ଜି ଯାଇଛନ୍ତି ବାବୁ ରଶ୍ମୀ କିଛି ନ କହି, ନିଜ କାମକୁ ଫେରି ଆସିଲା
ଡାଇନିଂ ଟେବୁଲ ଉପରେ ପୁଅ ବୁନାପାଇଁ ଖାଇବାକୁ ବାଢ଼ିଦେଉଥିବା ବେଳେ ବୁନା କହୁଥିଲା, “ବୋଉ ମୋତେ କିଛି ଟଙ୍କା ଦେବୁ ସିନେମା ଦେଖିବାକୁ ଯିବି” ରଶ୍ମୀ ହସିଦେଲା ବୋଉକୁ ହସିବାର ଦେଖି ବୁନା ପଚାରିଲା, “କଣ ହେଲା ବୋଉ ହସିଲୁ ଯେ?” ରଶ୍ମୀ ହସିଦେଉ ଦେଉ କହିଲା, “କିଛି ନାହିଁ ଏଇ ଘଡ଼ିଏ ଆଗରୁ ବାପା ତୋର ସ୍ବପ୍ନରେ ବୋଉଙ୍କୁ ଟଙ୍କା ମାଗୁଥିଲେ ସିନେମା ଯିବାପାଇଁ”
ବୁନା ଆଁ କରି ଚାହିଁଲା ଆଉ କହିଲା, “ବାପା ସିନେମା ଯିବେ ବୋଲି ପଇସା ମାଗୁଥିଲେ ଜେଜେମା’ଙ୍କୁ? କୋଉ ସିନେମା? କେବେ? କେତେ ଟଙ୍କା ମାଗୁଥିଲେ?” ରଶ୍ମୀ ହସିଦେଇ କହିଲା, “ଯା ବାପାଙ୍କୁ ପଚାରିବୁ ମୁଁ ପଚାରିଲେ କିଛି କହୁନାହାନ୍ତି”
ବୁନା ଖାଇବା ଥାଳି ଧରି ବାପାପାଖରେ ଯାଇ ବସି ପଡ଼ିଲା ଟିଭିରେ ସେଇ କଳାଧଳା ସିନେମା ଚାଲିଛି ଖାଉ ଖାଉ ପଚାରିଲା, “ବାପା, ତମେ କୋଉ ସିନେମା ପାଇଁ ଟଙ୍କା ମାଗୁଥିଲ ଜେଜେମା’କୁ? କେତେ ଟଙ୍କା ମାଗୁଥିଲ? କେବେ?”
ଟିଭିକୁ ଦେଖୁଥିବା ବେଳେ ପ୍ରଶାନ୍ତ ବୁଲିପଡ଼ି ବୁନାକୁ ଚାହିଁଲା ଆଉ କହିଲା, “ଏଇ ସିନେମାଟା ଦେଖିବାପାଇଁ ଟଙ୍କା ମାଗୁଥିଲି ଦେବାନନ୍ଦ ହିରୋ ଥିଲା ଏଇ ସିନେମାରେ ମୁଁ ସେତେବେଳେ ପଞ୍ଚମ କି ଷଷ୍ଠ ଶ୍ରେଣୀରେ ପଢୁଥିଲି ସିନେମା ଆସିଥିଲା ଆମ ସାଙ୍ଗମାନେ ସବୁ ମିଶି ସିନେମା ଯିବାପାଇଁ ନିଷ୍ପତ୍ତି ନେଇଥିଲୁ ସେଇଥିପାଇଁ ମୁଁ ବି ସିନେମା ଦେଖିଯିବାପାଇଁ ବୋଉକୁ ପଇସା ମାଗୁଥିଲି ସେତେବେଳେ ସିନେମା ଟିକେଟ ସାଢ଼େ ପାଞ୍ଚଟଙ୍କା ହେଉଥିଲା”
“ବାପା ତମେ ସିନେମା ବି ଦେଖୁଥିଲ? କାହିଁ ଆଜିକାଲି ତ ଦେଖୁନ?” ବୁନା ପଚାରିଲା ହସିଦେଇ ପ୍ରଶାନ୍ତ କହିଲା, “ଶୁଣ, ଏଇ ସିନେମା ଦେଖିଯିବି ବୋଲି ବୋଉକୁ କହିବାକୁ ବୋଉ ମୋତେ ଦୁଇଟଙ୍କା ଦେଇଥିଲା ହେଲେ ମୋତେ ଦରକାର ଥିଲା ଛଅଟଙ୍କା ବାପାଙ୍କୁ ମାଗିଲେ ସେ ଦେବେନି ବୋଲି ଜାଣିଥିଲି ତେଣୁ ବୋଉକୁ ହିଁ ବାରମ୍ବାର କହୁଥିଲି ଟଙ୍କା ଦେବାପାଇଁ ବୋଉ ମୋ ପାଇଁ ବ୍ୟସ୍ତ ବିକଳ ହେଇ ଯାଉଥିଲା, ଆଉ ଅନ୍ୟମନସ୍କ ହୋଇ ମୋ ହାତରେ ତତଲା ତରକାରୀ ଢାଳିଦେଇଥିଲା ବାପା ସେଇଥିପାଇଁ ବୋଉ ଉପରେ ବହୁତ ରାଗିଥିଲେ ବାସ୍, ମୋ ପାଇଁ ମୋ ବୋଉକୁ ଏତେ କଥା ଶୁଣିବାକୁ ପଡ଼ିଲା ବୋଲି ମୋତେ ବହୁତ ଖରାପ ଲାଗିଲା ଆଉ ସେଇଦିନୁ ସିନେମା ଯିବାକଥା ଭୁଲିଗଲି”
“ଏଇ ଛୋଟିଆ କଥାରେ ସିନେମା ଦେଖିବାକୁ ପୁରା ମନା କରିଦେଲ?” ବୁନା ପଚାରିଲା
ପ୍ରଶାନ୍ତ ହସିଦେଇ କହିଲା, “ଆମ ସମୟ ଆଉ ତୁମ ସମୟ ଭିତରେ ଏଇତ ଫରକ ତୋ ପାଇଁ ଏଇଟା ଗୋଟିଏ ଛୋଟିଆ କଥା, ହେଲେ ମୋ ପାଇଁ ମୋ ବୋଉର ଆଖିର ଲୁହର ମୂଲ୍ୟ ସିନେମାଠାରୁ ଢେର୍ ବେଶୀ ଥିଲା”
ପାଖରେ ଠିଆ ହୋଇଥିବା ରଶ୍ମୀ ଆଁ କରି ଚାହିଁଥିଲା ପ୍ରଶାନ୍ତକୁ ଚାହିଁ ପଚାରିଲା, “ତା ହେଲେ ସିନେମା ଦେଖିଯିବି ବୋଲି ଟଙ୍କା କାହିଁକି ମାଗୁଛ ସ୍ବପ୍ନରେ?”
ପ୍ରଶାନ୍ତ ହସିଦେଇ କହିଲା, “ମୋ ପାଇଁ ମୋ ବୋଉ କେତେ ବିକଳ ହେଉଥିଲା ତାହା ଏହି ସ୍ବପ୍ନରେ ଦେଖୁଛି, ସେଇଥିପାଇଁ ଏଇ ସ୍ବପ୍ନ ଟା ହିଁ ମୋ ଜୀବନ ହେଇ ଯାଇଛି”
ବୀମାନଗର, ଦ୍ବିତୀୟ ଗଳି
ବ୍ରହ୍ମପୁର, ୭୬୦୦୧୦, ଓଡ଼ିଶା
ଭ୍ରାମ୍ୟଭାଷ : ୭୦୦୮୫୬୭୦୮୫
Go Back to Previous Page
ବଡ଼ ହେଲେ ମୁଁ ହାକିମ ହେବି...
ସରସୀ ଆଚାର୍ଯ୍ୟ
Read Article
ଶ୍ରୀ ଶ୍ରୀ ଭୂଷଣ୍ଡେଶ୍ବର : ଏକ ଐତିହାସିକ ଅନ୍ବେଷଣ
ଶ୍ରୀ ରବୀନ୍ଦ୍ରନାଥ ସାମଲ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ