"ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା? ଏତିକି ଟଙ୍କାରେ କଣ ହେବ?" ପ୍ରଶାନ୍ତ ଅଭିଯୋଗ କରି କହିଲା। ଟିକେଟ୍ କେତେ ଦାମ୍ ହେଲାଣି ଜାଣିଛୁ ନାଁ? ଆଉ ସାଙ୍ଗମାନେ ବି ଥିବେ ମୁଁ ଏତେ କମ୍ ଟଙ୍କା ଧରି କେମିତି ଯିବି କହିଲୁ? ମୋର ମାନ ସମ୍ମାନ କିଛି ଅଛି ନା ନାହିଁ? ଖାଇବା ଟେବୁଲ ରେ ବସିଥିବା ବେଳେ ବୋଉ ଯାହା ଦେଇଥିଲା ସେତକ ନେଇ ନିରବ ହେଇଗଲା ପରେ ପୁଣି କହିଲା, "ବୋଉ ମୋର ଟାଇମ୍ ହେଲାଣି ଟଙ୍କା ଦେ"। ରୋଷେଇ ଘରୁ ବୋଉ କହିଲା,"ମୋ ପାଖରେ କିଛି ନାହିଁ, ତୁ ବାପାଙ୍କୁ ମାଗି ନେଇଯା।'"
ପ୍ରଶାନ୍ତ ବିରକ୍ତ ହୋଇ ଗର ଗର ହେଉଥିବାବେଳେ ଘର ଭିତରକୁ ପଶିଆସୁଥିବା ବାପାଙ୍କ ପଦଧ୍ବନୀ ଶୁଣି ନିରବ ହେଇଗଲା। ଭାବିଲା ଏବେ ଯଦି ବାପା ତା ସିନେମା ଯିବା କଥା ଜାଣିବେ ତାହେଲେ ଘରେ ପ୍ରଳୟ ଆସିପାରେ। ତେଣୁ ଚୁପ୍ ଚାପ୍ ଛୋଟ ପିଲାଟେ ପରି କଲେଜ ବ୍ୟାଗ ଧରି ରୁମ୍ ରୁ ବାହାରି ଯିବାକୁ ଉଦ୍ୟତ ହେଲା। ହେଲେ ବାପା ତ 'ବାପା'! ତାଙ୍କୁ ସବୁ ଜଣା। ସେ ତା ଯିବା ବାଟକୁ ଅଟକାଇ ଦେଇ ପଚାରିଲେ, "କଣ ଦରକାର ବୋଲି ବୋଉକୁ କହୁଥିଲୁ?" ନା ସେ କିଛି ନୁହଁ ବାପା, ଏମିତି ସାଙ୍ଗ ସାଥୀ.....! "କଣ ପିକ୍ -ନିକ୍ ଯିବ ବୋଲି ବାହାରିଛ କି?" ପ୍ରଶାନ୍ତ ନିରବ ରହିଲା, ସିନେମା କଥା ଟି ତା' ମୁହଁ ରୁ ବାହାରୁନଥିଲା। କାରଣ ବାପାଙ୍କର ଏସବୁ ଜମା ବି ପସନ୍ଦ ନୁହେଁ।
ସେତିକି ବେଳକୁ ବୋଉ ବି ଆସି ଠିଆ ହେଲା। ସୁଯୋଗ ଦେଖି କହିଲା, "ପିଲାଟା କଣ ତା ସାଙ୍ଗ ମାନଙ୍କ ସହ ବୁଲିଯିବ, ତାକୁ କିଛି ଟଙ୍କା ଦେଉନା।" ଏତକ କହି ବୋଉ ଲୁଗା କାନିରେ ମୁହଁ ପୋଛିଲା।
ଆଦିକନ୍ଦ ବାବୁ କ୍ଷଣିଏ ପ୍ରଶାନ୍ତ କୁ ଆଉ କ୍ଷଣିଏ ସୁଜାତା ଦେବୀଙ୍କୁ ପ୍ରଶ୍ନିଳ ଆଖିରେ ଚାହିଁଲେ। କିଛି କହିବାକୁ ଚାହୁଁଥିଲେ ହେଲେ ନକହି ଦୀର୍ଘଶ୍ୱାସ ନେଇ ଶୋଇବା ଘରକୁ ପଶିଗଲେ। କିଛି ସମୟ ପରେ ସାର୍ଟ୍ ପକେଟରୁ ଶହେ ଟଙ୍କିଆ ନୋଟ ଖଣ୍ଡେ ଆଣି ସୁଜାତା ଦେବୀଙ୍କୁ ଦେଲେ। ସୁଜାତା ଦେବୀ ମୁରୁକି ହସା ଦେଇ ପ୍ରଶାନ୍ତ ହାତରେ ଗୁଂଜି ଦେଲେ ଦୁଇ ଭାଙ୍ଗ ହେଇଥିବା ନୋଟଟିକୁ।
ପ୍ରଶାନ୍ତ ଖୁସି ମନରେ ଘରୁ ବାହାରିଗଲା। ଘର ଠାରୁ ତା' କଲେଜ ପନ୍ଦର କିଲୋମିଟର। ଛ' କିଲୋମିଟର ସାଇକେଲରେ ଯାଏ, ପୁଣି ସେଠୁ ବସରେ। ସାଙ୍ଗରେ ଆଉ ତିନିଜଣ ବି ଥାଆନ୍ତି, ପବନା, ମୋହନ ଓ ହରି। ସେମାନେ ଆଗରୁ ତା'କୁ ଗାଁ ଛକ ପାଖେ ଅପେକ୍ଷା କରି ରହିଥିଲେ, ପ୍ରଶାନ୍ତକୁ ଦେଖି ଏକବାରେ ଝାମ୍ପି ଗଲେ ୟା' ଉପରକୁ।
"କିରେ ଏତେ ଡେରିରେ ଘରୁ ବାହାରୁଛୁ କଣ, ଶୋଇ ପଡିଥିଲୁ କି? ଏବେ ଟାଇମ୍ରେ ଷ୍ଟାଣ୍ଡରେ ନପହଁଞ୍ଚିଲେ ଚକାଆଖି ବସ୍ ମିଳିବ ଟି??" ପୁଣି ଫାଷ୍ଟ ପିରିୟଡରେ ଡେରିରେ ପହଁଞ୍ଚିଲେ ମନୋଜ ସାର୍ ଇଂଲିଶ କ୍ଲାସ୍ ରୁ ବାହାର କରିଦେବେ ଯେ....
ପ୍ରଶାନ୍ତ ହଉ ହଉ ଚାଲ ଚାଲ କହି ସାଇକେଲରେ ଜୋର୍ ପେଡ଼େଲ୍ ମାରିଲା। ହରି ଗପିଚାଲିଥାଏ କେମିତି କୋଉ କ୍ଲାସ୍ ପରେ ସିନେମା ଯିବା, ପର କ୍ଲାସର ନୋଟସ୍ କାହା ଠାରୁ ଆସି ଟିପା ହେବ, ଏମିତି ଅନେକ କିଛି। ମୋହନ କହିଲା, 'ମୁଁ ତ ବାପାଙ୍କୁ ମିଛ କହି ପଇସା ଆଣିଛି କି ପ୍ରୋଜେକ୍ଟ ଫି ଦେବି' ତା’ପରେ ସମସ୍ତେ ହସି ଉଠିଲେ। ହେଲେ କାହିଁକି କେଜାଣି ପ୍ରଶାନ୍ତ ସେ ହସରେ ତାଳ ଦେଇ ହସି ପାରିଲାନି।
ପବନା ସିନେମା ହଲ୍ ବିଷୟରେ ସବିଶେଷ ବିବରଣୀ ଦେଉଥାଏ। କଲେଜ ଠାରୁ ହଲ୍ ଟି ଦଶ କିଲୋମିଟର। ଆଗରୁ ହଲ୍ ଟି ଅସନା ମସନା ହେଇ ପଡ଼ିଥିଲା, ବେଶି ଲୋକ ଯାଉନଥିଲେ। ହେଲେ ଗତବର୍ଷ ହଲଟିକୁ ଜଣେ ତରୁଣ ବ୍ୟବସାୟୀ କିଣିନେଲେ। ତା'ପରେ ହଲ୍ଟିର ପୁରା ରଙ୍ଗରୁପ ବଦଳି ଗଲା। ଭିତର ବାହାର ସବୁ ବିଭିନ୍ନ ରଙ୍ଗରେ ଚକାଚକ୍। ଏ.ସି ବି ଲାଗିଯାଇଛି। ସିଟ୍ ଗୁଡ଼ିକ ବି ନୂଆ, ପୂର୍ବର ପାନଛେପ ମୁତୁରା ଗନ୍ଧ ଆଉ ନାହିଁ। ଆଜିକାଲି ତ ଇଣ୍ଟର୍ନେଟ ଯୁଗ ହେଲାଣି ହାତ ପହାଁନ୍ତାରେ ଯେତେବେଳେ ଚାହିଁଲେ ଫିଲ୍ମ ଦେଖି ହେବ। ହେଲେ ଆମ ପରି ନୂଆ ନୂଆ କଲେଜ ଆସୁଥିବା ପିଲାଙ୍କୁ ହଲ୍ ଯାଇ ସିନେମା ଦେଖିବାରେ ଭାରି ଆନନ୍ଦ।
ସହର ଠାରୁ ପ୍ରାୟ ପଇଁଚାଳିଶ କିଲୋମିଟର ଦୂରରେ ତା' ଗାଁ। ବେଶି ମଫସଲ ନହେଲେ ମଧ୍ୟ ଏତେଟା ଯାତାୟାତର ସୁବିଧା ନାହିଁ। ସେଥିପାଇଁ ତ ଘର ଠାରୁ ଛ' କିଲୋମିଟର ସାଇକେଲ ରେ ଆସିଲା ପରେ ଯାଇ କଲେଜକୁ ବସ୍ ମିଳେ। ଦଶମ ଶ୍ରେଣୀ ଯାଏଁ ବିତିଲା ଗାଁ ସ୍କୁଲ ରେ। ଘରୁ କଂସାଏ ପଖାଳ, ଆଳୁ ବଡ଼ି ଚକଟା ଖାଇଦେଇ ଯାଏ ଯେ ଫେରେ ଚାରିଟା ବେଳ କୁ। ପୂର୍ବ ବର୍ଷ ଯୁକ୍ତ ଦୁଇ ପଢିବା ପାଇଁ ଏଇ କଲେଜ କୁ ଆସିବାକୁ ପଡ଼ିଲା। ଇଚ୍ଛା ତ ଥିଲା ସହରରେ ରହି ପଢିବାକୁ। ହେଲେ ବାପା ଙ୍କ ପାଖେ ଏତେ ସମ୍ବଳ ନଥିଲା। ସହର ରେ ରହିବା,ଖାଇବା, ପାଠ ପଢ଼ା, ଭଲ ମନ୍ଦ ପାଇଁ ଏତେ ଟଙ୍କା କୋଉଠୁ ଆସିବ ଯେ। ବାପା ଆଦିକନ୍ଦ ବାବୁ ଜଣେ ରିଟାୟଡ଼ ପୋଷ୍ଟ ପିଅନ। ଦୁଇ ଝିଅ ପରେ ପ୍ରଶାନ୍ତ। କେତେ ଯେ ସଞ୍ଚୟ କରିହେବ ଏ ଅଭାବୀ ସଂସାର ରୁ। ବଡ଼ ଝିଅ ରିତାର ବାହାଘର ତିନି ବର୍ଷ ତଳେ କରିଛନ୍ତି। ସବୁ ନେଇ ଦେଇ ବିଭା ପରେ ବି ଶାଶୁଘରେ ସବୁବେଳେ ଗଞ୍ଜଣା ଶୁଣୁଛି, "ବାପା ତୋର କଣ ଏମିତି ଦେଇ ପକେଇଛି କି..?" ସାନଝିଅ ଗୀତା ଦଶମ ପାସ୍ କଲା ପରେ ଆଉ ପଢିବନି କହି ଘରେ ରହିଲା। ତୃତୀୟ ଚତୁର୍ଥ ପିଲାଙ୍କୁ ଟିଉସନ୍ କରୁଛି। ସେଇଥିରୁ ଯାହା ପାଉଛି ନିଜ ଖର୍ଚ୍ଚ କରି ଘରକୁ ସଉଦା ପତ୍ର ଆଣେ। ତାଙ୍କର ଗୋଟିଏ ଆଶା ପ୍ରଶାନ୍ତ ପାଠପଢ଼ି ବଡ଼ ଅଫିସର ହେବ, ନିଜ ଗୋଡ଼ରେ ନିଜେ ଛିଡା ହେବ।
ପ୍ରଶାନ୍ତ ଧୀରେ ଧୀରେ ହଜିବାକୁ ଲାଗିଛି ତା' ପିଲା ଦିନରେ। ଆସ୍ତେ ଆସ୍ତେ ସ୍ମୃତିର ଦଦରା ପୃଷ୍ଠା ଗୁଡିକୁ ଲେଉଟାଇବାକୁ ଲାଗିଲା.. କେମିତି ଛୋଟବେଳେ ବାପା କେବେକେବେ ତାକୁ ସାଇକେଲ ଆଗରେ ବସେଇ ନେଇଯାନ୍ତି ଚିଠି ବାଣ୍ଟିବାକୁ। ପୁରୁଣା ରାଲେ ସାଇକେଲ ଟିଏ, ସେଇଟା ତାଙ୍କ ଶଶୁର ମାନେ ପ୍ରଶାନ୍ତର ଅଜା ତାଙ୍କୁ ଯୌତୁକ ରେ ଦେଇଥିଲେ। ପୁରୁଣା ହେଲେ ବି ସେ ତାକୁ ଯତ୍ନରେ ରହିଥିଲେ। ବଢିଆ ଗଡୁଥିଲା। ପ୍ରତି ରବିବାରରେ ସେ ସାଇକେଲ ରେ ତେଲ ଦେଉଥିଲେ, ଚେନ୍ ସଫା କରୁଥିଲେ। ପ୍ରଶାନ୍ତ ବି ତାଙ୍କ ସହ ମିସି ମଡ୍ ଗାଡ୍ ଓ ସ୍ପୋକ୍ ସବୁ ସଫା କରୁଥିଲା। ହାତ ସାରା କଳା ହେଇଯାଉଥିଲା ଯେ ବୋଉ ତା'ର ଭାରି ଚିଡୁଥିଲା। ସେ କୁଆଡେ ତାଙ୍କର ଗୋରା ତକତକ ରାଜକୁମାର!! କଳା ଲାଗିଗଲେ ଅସନା ହେଇଯିବ।ଦୁଇ ଭଉଣୀ ପରେ ପ୍ରଶାନ୍ତ ବୋଲି ବୋଉ ତାକୁ ବେଶୀ ଗେହ୍ଲା କରେ ବୋଧେ। ବାପା ଙ୍କ ସହ ଖାଲଖମା ରାସ୍ତା ଦେଇ ଯିବାବେଳେ କେତେ ସ୍ବପ୍ନ ଦେଖାନ୍ତି ସେ ତାକୁ। ପ୍ରଶାନ୍ତ ଯେବେ କହେ ଏ ଖାଲ ରାସ୍ତାରେ ସାଇକେଲରେ ଗଲେ ତା ପିଚା ଦରଜ ହେଇଯାଉଛି, ବାପା ସେବେ ତାକୁ କୁହନ୍ତି, 'ତୁ ଜଲଦି ବଡ଼ ହେଇ ପାଠ ପଢ଼ି ଅଫିସର ହେଇଯା ଏ ରାସ୍ତା ସବୁକୁ ପକ୍କା କରିଦେବୁ, କରିବୁ ଟି..?' ସେବେ ପ୍ରଶାନ୍ତ ମୁଣ୍ଡ ଟୁଙ୍ଗାରି ହଁ ଭରେ। କେବେକେବେ ଛୋଟ ଛୋଟ ଜୋର ଡ଼େଇଁ ଆର ଗାଁ କୁ ଯିବାକୁ ପଡେ। ବାପା ଆଗ ତାକୁ କାନ୍ଧରେ ବସେଇ ଆର କଡ଼େ ଛାଡ଼ି ଦେଇ ଆସିଲା ପରେ ସାଇକେଲ କୁ ବୋହି ନିଅନ୍ତି। ଜୋର ପାର ହେଲାବେଳେ କୁହନ୍ତି, 'ଏଠି ଛୋଟିଆ ପୋଲ ଟିଏ ହେଲେ ଭଲ ହୁଅନ୍ତାନି ପ୍ରଶାନ୍ତ??' ଏତିକି କହୁ କହୁ ପ୍ରଶାନ୍ତ ବି ହସ ହସ ମୁହଁରେ କହିଯାଏ,'ତୁମେ ବ୍ୟସ୍ତ ହୁଅନି ବାପା ମୁଁ ବଡ଼ ହେଲେ ସବୁ ଠିକ୍ କରିଦେବି...'
ଧୀରେ ଧୀରେ ବାପା ବୁଢା ହେବାକୁ ଲାଗିଲେ, ଶ୍ବାସ ରୋଗ ବି ବାହାରିଲା। ସାଇକେଲ ଚଲେଇ ଗାଁ ଗାଁ ବୁଲି ଚିଠି ବାଣ୍ଟି ପାରିଲେନି ଆଉ। ହେଲେ ପୋଷ୍ଟ ମାଷ୍ଟର ସାର୍ ଭାରି ଦୟାଳୁ ଲୋକ ଥିଲେ। ଆଦିକନ୍ଦ ବାବୁଙ୍କର ସଚ୍ଚୋଟ ପଣିଆ ଆଉ ସାଧାସିଧା ସରଳ ପ୍ରତିମୂର୍ତି ତାଙ୍କୁ ନିଆରା ଲାଗିଥିଲା। ସେଥିପାଇଁ ତାଙ୍କୁ ଚାକିରୀରୁ ବାହାର ନକରି ଆଉ ଜଣଙ୍କୁ ନିଜ ହାତରୁ ଟଙ୍କା ଦେଇ ଚିଠି ଦେବାକୁ ରଖିଥିଲେ।
ଏମିତି ଭାବୁ ଭାବୁ ପ୍ରଶାନ୍ତ ଯେ କେତେବେଳେ ବସ୍ ଷ୍ଟପ୍ ପାଖେ ପହଞ୍ଚି ସାରିଥିଲା ତାକୁ ଜଣା ନଥିଲା। ତା' ସାଙ୍ଗମାନେ ବି କଣ ସବୁ ଗପୁଥିଲେ ତାକୁ କିଛି ଜଣା ନଥିଲା, ସେ ତ ହଜି ଯାଇଥିଲା ତା' ଅତୀତର ମହକିତ ସ୍ମୃତି ଫୁଲର ବାସ୍ନାରେ.. ଖାଲି ଯାହା ଯନ୍ତ୍ର ଚାଳିତ ପରି ସାଇକେଲରେ ପେଡ଼େଲ୍ ମାରି ଚାଲିଥିଲା। ତାକୁ ଖାଲି ତା' ବାପାଙ୍କର ଶୁଖିଲା ମୁହଁ ଓ ପେଜୁଆ ସ୍ବପ୍ନ ଭରା ଆଖି ଦିଶି ଯାଉଥିଲା। ସାଇକେଲ ରଖୁ ରଖୁ ହରି ଦେଖିଲା ଚକାଆଖି ବସ୍ ଛାଡିବା ଛାଡିବା ଉପରେ ହେଲାଣି। ଚାବି ପକେଇ କଲେଜ ବ୍ୟାଗକୁ କାଖରେ ଜାକି ସମସ୍ତେ ବସ୍ ଆଡେ ଦୌଡ଼ିବାକୁ ଲାଗିଲେ। ମୋହନ ପ୍ରଶାନ୍ତର ହାତ ଧରି ଏକ ରକମ ଭିଡ଼ିନେଲା ବସ୍ ଭିତରକୁ। କହିବା ବାହୁଲ୍ୟ ଯେ କଲେଜ ଟାଇମରେ କଲେଜ ପିଲାରେ ଭର୍ତ୍ତିଥିବା ବସ୍ ଟିର ଦ୍ବିତୀୟ ପାହାଚରେ ବି ଛିଡା ହେବାକୁ ଯାଗା ନଥିଲା। ଅଗତ୍ୟା ବସ୍ର ପ୍ରଥମ ପାହାଚରେ ଏକରକମ୍ ଝୁଲିଲା ପରି ଯିବାକୁ ପଡ଼ିଲା। ଏମିତି ସବୁଦିନ ହୁଏ, ସେଥିପାଇଁ ସେମାନେ ବସ୍ ଉପରେ ବସିକି ଯାଆନ୍ତି। ଆଜି ତରତରରେ ଏମିତି ହିଁ ଯିବାକୁ ପଡ଼ିବ। କୋଡିଏ ପଚିଶ ମିନିଟ୍ ପରେ କଲେଜ ଛକରେ ବସ୍ ଟି ପହଂଚିଗଲା। ମୋହନ, ପବନା ବସ୍ ରୁ ଓହ୍ଲେଇ ସିଧା ଧାଇଁଲେ କ୍ଲାସରୁମ୍ ଆଡେ, ଆଉ ହରି ବି ପ୍ରଶାନ୍ତ କାନ୍ଧରେ ହାତ ପକେଇ ଘୋଷାରି ଘୋଷାରି ନେଇଗଲା। ମନୋଜ ସାର୍ କ୍ଲାସ ରୁମ୍ ପାଖାପାଖି ହେଇଯାଇଥିଲେ, ହେଲେ ଲକ୍ଷ୍ମୀଧର ସାର୍ ଦେଖା ହେଇଗଲେ ଯେ ସେ ତାଙ୍କସହ କଥା ହେବାରେ ଲାଗିଲେ। ସେଇ ସୁଯୋଗ ନେଇ କ୍ଲାସର ପଛ ପଟ ଦରଜା ଦେଇ ଚାରି ସାଙ୍ଗ ରୁମ୍ ଭିତରକୁ ଗଲେଭାରି। ପ୍ରଶାନ୍ତର କାହିଁକି କେଜାଣି ଆଉ କୌଣସିଥିରେ ମନ ଲାଗୁନଥିଲା। ମୁଣ୍ଡ ଭିତରର ଶିରା ସବୁ ଯେମିତି ଅଡ଼ୁଆ ସୂତା ପରି ଗଣ୍ଠି ହେଇଯାଉଥିଲା। ରହି ରହି ତାର ଖାଲି ତା' ବାପା ଙ୍କ ସ୍ବପ୍ନ ସବୁ ମନେ ପଡ଼ି ଯାଉଥିଲା।
ସମସ୍ତଙ୍କ ଆଗୋଚର ରେ ପକେଟରୁ ସେଇ ବୋଉ ହାତରେ ଗୁଂଜି ଦେଇଥିବା ଶହେ ଟଙ୍କିଆ ନୋଟ୍ ଟିକୁ ବାହାରକଲା, ହାତରେ ମୁଠା କରି ଧରିଲା। ଭାବିଲା ଏତିକି ଟଙ୍କା ପାଇଁ ବାପା କେତେ କେତେ ଗାଁ ବୁଲୁଥିଲେ, କେତେ ବର୍ଷା ଶୀତ କାକରରେ ଭିଜୁଥିଲେ। ଏଇ ଟଙ୍କା ପାଇଁ ରିତା ଦେଇକୁ ତା' ଶାଶୂଘର ଲୋକ କେତେ ଖୁଣ୍ଟା ଦେଉଛନ୍ତି, ଏଇ ଟଙ୍କା ପାଇଁ ଗୀତା ଦେଇ ପଢିବାକୁ ଇଚ୍ଛା ନାହିଁ ବୋଲି ମିଛ କହି ଘର ଘର ଯାଇ ଟିଉସନ୍ କରୁଛି। ଟଙ୍କା ନଥିଲା ବୋଲି ସେ ବି ତ ଭଲ ନମ୍ବର ରଖି ସୁଧା ସହର ଯାଇ ପାଠ ପଢ଼ିପାରିଲାନି। ତା' ଅଜାଣତରେ କେଇ ବୁନ୍ଦା ଲୁହ ଆଖିରୁ ଗଡ଼ି ଆସି ହାତ ମୁଠାରେ ପଡ଼ିଲା। ସେ ପ୍ରକୃତିସ୍ଥ ହେଲା,ୟା ଭିତରେ ଯେ ଇଂଲିଶ କ୍ଲାସ ସରିବାକୁ ବସିଲାଣି ସେ ଯାଣିପାରିନଥିଲା। ଏବେ ଗୋଟେ କ୍ଲାସ ଫାଙ୍କା ତାପରେ ଯାଇ ମାଧବ ସାର୍ ଙ୍କ ମ୍ୟାନେଜମେଣ୍ଟ କ୍ଲାସ। ପବନା ତାକୁ କମନ୍ ରୁମ୍ ଆଡେ ଯିବାକୁ ଡାକିଲା, ହେଲେ ସେ ଇଚ୍ଛା ନାହିଁ କହି ଯିବାକୁ ମନାକଲା। ପବନା ଯିବା ପରେ ସେ ଯାଇ କ୍ଲାସ୍ ର ଶେଷ ଧାଡିରେ ଝରକା ପାଖେ ବସିଲା। ହାତରେ ନୋଟ୍ ଟିକୁ ସେମିତି ଜାବୁଡ଼ି ଧରିଥାଏ। ଝରକା ଦେଇ ବାହାରକୁ କ୍ଷଣିଏ ନିଘା କଲା, ଆଖି ଆଗଟା ତା'ର ଧୂଆଁଳିଆ ଦିଶିଲା। ପ୍ରାଚୀ ନଦୀ କୂଳେ ତା' କଲେଜ। ଝରକା ଦେଇ ଦେଖିଲେ ନଦୀ ପଠାର କାଶତଣ୍ଡି ଫୁଲ ଖୁବ୍ ସୁନ୍ଦର ଦିଶେ। ପ୍ରଶାନ୍ତ ମନ କୁ ଟିକେ ଶୋଭାବିକ କରିବା ପାଇଁ ଆଖିମଳି ପୁଣି ଚାହିଁଲା। ସ୍କୁଲ ପିଲାମାନେ ସାଙ୍ଗ ହେଇ ସବୁ ସ୍କୁଲ୍ ଯାଉଥାନ୍ତି, ସବୁଦିନ ପରି ଦହିବରା ବାଲା ନିର ମଉସା ଠେଲା ଗାଡି ଧରି କଲେଜ ଆଡେ ମୁହାଁଉଥିଲା। ହେଲେ ଆଖି ତାର ଲାଖି ରହିଗଲା ସେଇ ଛୋଟ ପିଲାଟି ଉପରେ ଯିଏ ତା' ବାପା ହାତ ଧରି ବଜାର ଆଡେ ଯାଉଥିଲା ବୋଧେ। ପିଲାଟିକୁ ଦେଖି ତା'ର ବାପାଙ୍କ କଥା ଖୁବ୍ ମନେପଡ଼ିଲା, ମନଟା ଭାରି ଭାରି ଲାଗିଲା। ହାତରେ ଥିବା ନୋଟ ଟିକୁ ଧୀରେ ଧୀରେ ମୁହଁ ପାଖକୁ ଆଣୁଥିଲା ଚୁମିବା ପାଇଁ, ହେଲେ ନୋଟ ଭିତରୁ ଛୋଟ ପତଳା କାଗଜ ଖଣ୍ଡେ ବାହାରିଗଲା ପରି ଲାଗିଲା। ସଯତ୍ନେ କାଢି ଆଣିଲା ସେଇଟିକୁ, ସୁନ୍ଦର ମାଛ ମଞ୍ଜି ପରି ଅକ୍ଷରରେ ଦୁଇ ଧାଡି ଲେଖା ଯାଇଛି। ଅକ୍ଷରରୁ ଚିହ୍ନିବା ବାକି ନଥିଲା ଯେ ସେଇଟି ତା ବାପାଙ୍କର ହାତଲେଖା ବୋଲି। ପିଲାବେଳେ କେତେଥର ତାଙ୍କ ଅକ୍ଷର ଦେଖି ପ୍ରଶାନ୍ତ ନିଜକୁ ନିଜେ କହିହୁଏ, 'ହେ ପ୍ରଭୁ ମୋର ଏମିତି ସୁନ୍ଦର ଅକ୍ଷର ହୁଅନ୍ତାନି, ତାହେଲେ ଆଉ ସୁବାସ ସାର୍ ଙ୍କ ଠୁ ଆଙ୍ଗୁଠି ମୋଡ଼ା ଖାଇବାକୁ ପଡନ୍ତାନି।'
ଏମିତି ଭାବି କାଗଜଟିକୁ ପଢିବାକୁ ଲାଗିଲା, ବାସ୍ ଏତିକି ଲେଖାଥିଲା-
ଗେହ୍ଲାରେ,
ଅନ୍ଧାର ଭିତରେ ନିଜ ସ୍ୱପ୍ନକୁ କେବେ ଭୁଲି ଯିବୁନି..
ବାସ୍ ସେତିକି ଯଥେଷ୍ଟ ଥିଲା ପ୍ରଶାନ୍ତକୁ ନିଜ ଭୁଲ ବୁଝିବାକୁ। ସେ ଯେ ଏତେ କଷ୍ଟ କରି ଏଠି ପହଂଚିଛି ପାଠ ପଢ଼ି ହାକିମ ହେବ, ବାପା ମା' ଙ୍କ ସ୍ୱପ୍ନ ପୁରା କରିବାକୁ। ହେଲେ କଣ କରୁଛି ସେ.....!! ସାଙ୍ଗସାଥିରେ ମିଶି ନିଜ ବାପା ଭଉଣୀ ଙ୍କ କଷ୍ଟ ଉପାର୍ଜିତ୍ ଧନରେ ସିନେମା ଦେଖି ଯାଇଥାନ୍ତା... ହୃଦୟ ରୁ ସ୍ୱତଃ ବାହାରି ଆସିଲା ନାଁ' କେବେ ନୁହେଁ।
କାଗଜଟିକୁ ଭାଙ୍ଗି ମୁଣ୍ଡରେ ମାରି ନୋଟ ସହ ପର୍ସରେ ରଖିଲା। ଏଥର ତା ମନ ଆଉ ଭାରି ଭାରି ଲାଗୁନଥିଲା। ମୁହଁ ଉଜ୍ୱଳିତ ଦିଶୁଥିଲା। ଜମାଟ ବାନ୍ଧିଥିବା ରକ୍ତ ଯେମିତି ଶିରା ରେ ମିଶି ସାରିଥିଲା, ଅଡ଼ୁଆ ସୁତାର ଗଣ୍ଠି ଫିଟି ଯାଇଥିଲା। ସେ କ୍ଲାସ୍ ରେ ମନ ଦେଲା। ଆଉ ଦୁଇଟି କ୍ଲାସ୍ ସରିଲା ପରେ ହରି ଆସି ଡାକିଲା, 'ଚାଲ୍! ସମସ୍ତେ ରେଡ୍ଡୀ ହେଇ ଗେଟ୍ ଆଡେ ଗଲେଣି, ଖାଲି ତତେ ଅପେକ୍ଷା।'
ପ୍ରଶାନ୍ତ ହରି ଆଡେ ଚାହିଁଲା ଆଉ କହିଲା, 'ନାଇଁ ସାଙ୍ଗ ମୋର୍ ସିନେମା ଦେଖି ଯିବାର ନାହିଁ, ମୁଁ ଏବେ ହାକିମ ହେବି ସ୍ବପ୍ନ ପୁରା କରିବି।' ହରି କିଛି ବୁଝି ପାରୁନଥିଲା। ଏମାନଙ୍କର ଡେରି ହେବା ଦେଖି ମୋହନ ବି ଆସି ପାଖେରେ କେତେବେଳୁ ଛିଡା ହେଲାଣି। ହରି ଆବାକାବା ହେଇ ଚାହିଁ ମୁଣ୍ଡରେ ହାତ ମାରି କହିଲା, 'ଧେତ୍ ତୁ କଣ ନିଦରେ ଅଛୁ କିରେ...?'
ପ୍ରଶାନ୍ତ ଆଗପରି ସୋମ୍ୟ ଭାବେ ଉତ୍ତର ଦେଲା, 'ନା ହରି, ମୁଁ ନିଦରେ ନୁହେଁ ଖୋଲା ଆଖିରେ ସ୍ବପ୍ନ ଦେଖୁଛି କେମିତି ଜଲଦି ପୁରା କରିବି। ତମେ ଯାଅ...'
ହରି ନିଜ କଥାର ସନ୍ତୁଷ୍ଟ ଉତ୍ତର ନପାଇ ମୋହନ ଆଡେ ଚାହିଁଲା। ମୋହନର ବି କିଛି ମୁଣ୍ଡରେ ପଶୁନଥିଲା ଯେ ହଠାତ୍ ପ୍ରଶାନ୍ତର ଏ କି ପରିବର୍ତନ!! ତେଣୁ ସେ ହରିକୁ ଆଖିରେ ଠାରିଲା ଯିବା ପାଇଁ।
ପ୍ରଶାନ୍ତ ସବୁ କ୍ଲାସ୍ ସାରି ଦିନ ତିନିଟା ପରେ ଘରକୁ ବାହାରିଲା, ତା' ମନ ଖୁବ୍ ଖୁସି ଥାଏ। ଫେରିଲା ବାଟରେ ଦକ୍ଷିଣେଶ୍ବରଙ୍କୁ ମୁଣ୍ଡିଆଟିଏ ମାରି କହିଲା, 'ପ୍ରଭୁ ତୁମ କୃପା ମୋ ଉପରେ ଏମିତି ଥାଉ, ମୁଁ ଯେମିତି ବାଟ ହୁଡ଼ି ମୋ ଲକ୍ଷରୁ ଦୂରକୁ ନଯାଏ।'
ଘରକୁ ଫେରି ସାଇକେଲ ଥୋଇଲା ବେଳକୁ ବୋଉ ତାର ଲୁଗା ତୋଲୁଥିଲା। ପ୍ରଶାନ୍ତକୁ ଦେଖି ଏତେ ଜଲଦି ଫେରି ଆସିଲୁ ବୋଲି ପଚାରିଲେ। 'ସିନେମା ଗଲୁନି କି' ବୋଲି ପାଖକୁ ଆସି ଆସ୍ତେ କହିଲେ। ପ୍ରଶାନ୍ତ ମିରୁକୀ ହସା ଦେଇ ବୋଉ ଦେଇଥିବା ଟଙ୍କା ତାରି ହାତେ ଗୁଂଜି ଦେଲା। ଆଉ କହିଲା, 'ବୋଉଲୋ ତୋ ପୁଅ ବଡ଼ ହେଇଗଲାଣି..!' ଏତିକି କହି ଘର ଭିତରକୁ ପଶିଗଲା। ସୁଜାତା ଦେବୀ କିଛି ବୁଝିନପାରି ହାଁ କରି ପୁଅର ଯିବା ବାଟକୁ ଚାହିଁରହିଲେ। ପ୍ରଶାନ୍ତ ଭିତରକୁ ଯାଇ ବାପାଙ୍କ ଶୋଇବା ଘରକୁ ଗଲା। ଆଦିକନ୍ଦ ବାବୁ ତାଙ୍କ ପଢା ଟେବୁଲ୍ ପାଖେ ବସି କିଛି ଲେଖୁଥିଲେ। ପ୍ରଶାନ୍ତ ସିଧା ଯାଇ ତାଙ୍କ ଗୋଡ଼ଧରି ତଳେ ବସିଗଲା। 'ବାପା ମୁଁ ସବୁ ବୁଝିଯାଇଛି...ସବୁ ବୁଝିଯାଇଛି...' କହି କାଗଜ ଖଣ୍ଡିକୁ ଟେବୁଲ ଉପରେ ରଖିଦେଲା। ତା' ଲୁହ ଭିଜା ଆଖି ଦେଖି ବାପା ପ୍ରଶାନ୍ତକୁ ତଳୁ ଉଠେଇ ଆଣିଲେ। କାନ୍ଧରେ ସାବାସୀର ହାତ ଥାପୁଡ଼େଇ ଧାରେ ହସି କହିଲେ, "ତୁ ପରା ହାକିମ ହେବୁ, ପିଲାଟିଏ ପରି କାନ୍ଦୁଛୁ କଣ..? କଲେଜରୁ ଆସିଛୁ ଯା' ବୋଉକୁ କହିବୁ ଖାଇବାକୁ ଦବ।"
ପ୍ରଶାନ୍ତ ଦୁଇ ପାପୁଲିରେ ମୁହଁ ପୋଛି ଆତ୍ମସନ୍ତୋଷ ସହ ବିଜୟର ନୂଆ ରାହା ନେଇ ବାପାଙ୍କ ଶୋଇବା ଘରୁ ବାହାରି ଆସୁଥିଲା......
ସରସୀ ଆଚାର୍ଯ୍ୟ
ଖଣ୍ଡଗିରି, ଭୁବନେଶ୍ୱର
Go Back to Previous Page
ପରିଚୟ
ବିକେଶ କୁମାର ସାହୁ
Read Article
ସମୟ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ