କଳା ଝିମ ଝିମ ସେଇ ଅମାବାସ୍ୟା ରାତିଟା ସତରେ କେତେ ଭୟାନକ ଲାଗୁଥିଲା। ଚାରିଆଡ଼େ ସୁନସାନ କେହି କୋଉଠି ଦେଖାଯାଉ ନଥାନ୍ତି। ଏପଟେ ବନ୍ୟ ଜୀବଜନ୍ତୁ ମାନଙ୍କର ଛାତି ଥରା ଆବାଜ ସହ ତାଳ ମିଳାଉ ଥାଏ ଝିଙ୍କାରୀର ଝଙ୍କାର। କେତେବେଳେ ଘାସ ବୁଦା ଭିତର ସରସାର କରି ଉଠୁଥାଏ ତ ଆଉ କେତେବେଳେ ପବନରେ ଡୋହଲୁ ଥିବା ଗଛର ପତ୍ର ଆଉ ଗୋଟିଏ ପତ୍ର ସହ ଘଷି ହୋଇ ଭୟର ତାଣ୍ଡବ ସୃଷ୍ଟି କରୁଥାଏ । ଏତିକି ବେଳେ ଅନତି ଦୂରରେ ହଟାତ ନିଆ ଜଳିବାରେ ଲାଗିଲା। ହୁଦୁହୁଦୁ ନିଆଁର ଶବ୍ଦରେ ସାରା ଜଙ୍ଗଲଟା ପ୍ରକମ୍ପିତ ହୋଇ ଉଠୁଥାଏ। ହଟାତ ସେଇ ନିଆଁ ଭିତରୁ ଗୋଟେ ମୁଣ୍ଡ ନ ଥିବା ମଣିଷ ଶରୀରଧାରୀ ଜୀବ ବାହାରି ଜୋରରେ ସାମନ୍ତ ବାବୁଙ୍କ ଆଡକୁ ମାଡ଼ି ଆସୁଛି। ତା ହାତରେ ଦୁଇହାତ ଲମ୍ବର ଗୋଟିଏ ତଲବାର। ହଟାତ ପାଖକୁ ଆସି ସାମନ୍ତ ବାବୁଙ୍କ ଗଣ୍ଡିରୁ ମୁଣ୍ଡଟାକୁ ଅଲଗା କରିଦେଇଛି......... ସାମନ୍ତ ବାବୁ ଚମକି ପଡି ସାଙ୍ଗେ ସାଙ୍ଗେ ଉଠିପଡିଛନ୍ତି। ତାଙ୍କ ନିଦ ଭାଙ୍ଗିଯାଇଛି। ମୁଣ୍ଡଟାକୁ ଭଲରେ ହାତରେ ଅଣ୍ଡାଳିଛନ୍ତି ପୁଣି ଭୟରେ ଦେହ ହାତ ଥରୁଥାଏ ଲାଇଟଟା ଅନ କରି ଟେବୁଲ ଉପରେ ଥୁଆ ହୋଇ ଥିବା ଗ୍ଲାସେ ପାଣିକୁ ଏକା ନିଶ୍ୱାସରେ ପିଇଯାଇ କିଛି ସମୟ ଆରାମ ଚେୟାରରେ ବସି ଯାଇଛନ୍ତି। ଏପଟେ ତାଙ୍କ ଘରଣୀ ସାରଦା ଦେବୀ ନିଘୋଡ଼ ନିଦରେ ଶୋଇଯାଇଛନ୍ତି। କିଛି ସମୟ ଗଲାପରେ କାନ୍ଥ ଘଣ୍ଟାଟା ରାତ୍ରି ୧୨ଟା ହେବାର ସୂଚନା ଦେଇ ବାଜିଉଠିଲା। କିନ୍ତୁ ସାମନ୍ତ ବାବୁ ଙ୍କୁ ଆଉ ନିଦ ହେଉନଥାଏ ବାବା ରେ କେଡେ ଭୟାନକ ସ୍ୱପ୍ନ। ଭାବିଦେଲେ ଦେହ ଶୀତେଇ ଉଠୁଥାଏ। ଏମିତି କିଛିସମୟ ଗଲାପରେ ସେଇ ମଧ୍ୟରାତ୍ରିର ନୀରବତାକୁ ଭଙ୍ଗ କରି ଗୁଣୁଗୁଣୁ ହୋଇ ଭାଷି ଆସୁଥାଏ ଅସ୍ପଷ୍ଟ ସ୍ୱର। ସାମନ୍ତବାବୁ ଟିକିଏ ଉତଣ୍ଠିତ ହୋଇ ଶବ୍ଦ ଗୁଡିକୁ ଶୁଣିବା ପରେ ଜାଣିପାରିଲେ ସେ ହେଉଛି ମଣିଷର ସ୍ୱର। ଆଉ ତାକୁ ଆବିଷ୍କାର କରିବା ପାଇଁ ସେଇ ଶବ୍ଦ ଭାଷି ଆସୁଥିବା ସ୍ଥାନ ଆଡକୁ ଆଗେଇ ଚାଲିଥାନ୍ତି। ଶେଷ କୁ ଯାଇ ଦେଖିଲେ ସେଇ ଶବ୍ଦ ପ୍ରଶାନ୍ତର ଶୋଇବା ଘରରୁ ଆସୁଛି। ସାମନ୍ତ ବାବୁ ଟିକିଏ ବିସ୍ମିତ ହୋଇ ପାଖକୁ ଯାଇ ଝରକା ବାଟେ ଦେଖନ୍ତି ତ ପ୍ରଶାନ୍ତ ଏ ପର୍ଯ୍ୟନ୍ତ ଶୋଇନାହିଁ। ପୁଣି ଫୋନଟାକୁ କାନରେ ଦେଇ କାହାସହ ଗପୁଛି। ଏଇ ସବୁ ଦେଖିଲା ପରେ ସାମନ୍ତ ବାବୁ କିଛି ସମୟ ନିରବ ହୋଇ ସେଇଠୁ ପୁଣି ନିଜ ଶୟନ କକ୍ଷକୁ ଚାଲିଗଲେ। ଏଇ ସବୁ ଘଟଣା ତାଙ୍କ ମନରେ ଗଭୀର ପ୍ରଭାବ ଆଣି ଦେଲା। ପ୍ରଶାନ୍ତକୁ ନେଇ ମନରେ ଅନେକ ଗୁଡିଏ ସନ୍ଦେହ ତାଙ୍କୁ ବ୍ୟତିବ୍ୟସ୍ତ କରିପକାଉଥାଏ। ସେ ହେଉଛି ତାଙ୍କ ଗୋଟିଏ ବୋଲି ପୁଅ। କେତେ ଦାନ ଧର୍ମ ପରେ ସେ ପୁଅଟିଏ ପାଇଛନ୍ତି। ସେ ପୁଣି ଏଇ ବଳିଆର ସିଂହ ପରିବାରର ଉତ୍ତର ଦାୟାଦ। ସେ ଯଦି କିଛି ଓଲଟ ପଲଟ କରି ଦିଏ ତା ହେଲେ ଏ ଖାନଦାନର ଇଜ୍ଜତ ସବୁ ମାଟିରେ ମିଶିଯିବ। ସେ କଣ ଆଉ ମୁଣ୍ଡ ଟେକି ବାଟ ଚାଲିପାରିବେ। ଆଜକୁ ପଚାଶ ବର୍ଷ ହେଇଗଲା ଏ ଯାଏ ତାଙ୍କ ଉପରେ କଳଙ୍କର ଛାଇ ବି ପଡ଼ିପାରିନାହିଁ। ଜଣେ ସଚ୍ଚୋଟ ନାମଜାଦା ମଣିଷ ଭାବେ ଏ ସହର କାହିଁକି ଆଖ ପାଖ ପଚାଶ ଖଣ୍ଡ ଗାଁର ଆବାଳବୃଦ୍ଧ ବନିତା ଜାଣନ୍ତି।ଯେ କୌଣସି ସ୍ଥାନରେ ଯେ କୌଣସି ଧର୍ମ କାର୍ଯ୍ୟ ପୂଜାପାର୍ବଣ, ଯଜ୍ଞ ଯାହାବି ହେଉ ତାଙ୍କୁ ନ ଡାକିଲେ ତାହା ସମ୍ପନ୍ନ ହୁଏନି। ଜଣେ ଏମିତି ବ୍ୟକ୍ତିତ୍ୱ ସେ। ନିଜ ଧର୍ମକୁ ଛାଡି ଦେଲେ ଅନ୍ୟ କୌଣସି ଧର୍ମର ଲୋକଙ୍କୁ ସେ ପସନ୍ଦ କରନ୍ତି ନି। ବରଂ ଭରିରହିଛି ତାଙ୍କ ମନରେ କେବଳ ଘୃଣା। ସେମାନଙ୍କ ପାଖ ମାଡିବା ତ ଦୂରର କଥା ସେ ମାନଙ୍କ ଛାଇ ଟିକିଏ ପଡିଲେ ବି ସେ ଗୋବର ପାଣି ପିଇ ଗଙ୍ଗା ନଦୀ ଜଳ ମିଶ୍ରିତ ପାଣିରେ ଗାଧୋଉଥିଲେ। ଯଦି ତାଙ୍କ ପୁଅ ଏମିତି କିଛି ଭୁଲ କରିଦିଏ ତା ହେଲେ କଣ ଏଇ ମାନ ସମ୍ମାନ ତାଙ୍କ ରହିବ। ଏମିତି ଅନେକ କିଛି ଭାବିଲେ। ଆଉ ଭାବୁ ଭାବୁ କେତେବେଳେ ଯେ ନିଦ ଆସିଗଲା ସେଇ ଆରାମ ଚେୟାର ଉପରେ ସେ ଜାଣିପାରିଲେ ନାହିଁ ।
ସକାଳ ହେଇଛି। ଧୀରେ ଧୀରେ ପୃଥିବୀ ପୃଷ୍ଠରୁ ବିଦାୟ ନେଇଛନ୍ତି ନିଦ୍ରା ଦେବୀ। ପୂର୍ବ ଆକାଶରେ ନୂତନ ଚିନ୍ତା ଓ ଚେତନା ନେଇ ନିଜର ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଦେଇଥାନ୍ତି ସୂର୍ଯ୍ୟ ଦେବତା। ତା ସଙ୍ଗରେ ମୁଖରିତ ହେଇ ଉଠୁଥାଏ ପକ୍ଷୀ ମାନଙ୍କର କଲରବ। ସାରଦା ଦେବୀ ଉଠିପଡ଼ି ଦେଖନ୍ତି ସାମନ୍ତ ବାବୁ ଶେଜ ଉପରେ ନାହାନ୍ତି। ସେ ଟିକିଏ ବିସ୍ମିତ ହୋଇ ଦେଖନ୍ତି ଆରାମ ଚେୟାର ଉପରେ ସେ ଶୋଇପଡିଛନ୍ତି। ତାଙ୍କୁ ମଧ୍ୟ ଉଠେଇ ଦେଇଛନ୍ତି। ସାମନ୍ତ ବାବୁ ଉଠି ପଡି ଚେୟାର ଉପରେ ନିଜକୁ ଦେଖି ଚମକି ପଡିଛନ୍ତି। ସଂଗେ ସଂଗେ ଉଠିପଡ଼ି ନିତ୍ୟକର୍ମ ସାରି ବାହାରି ପଡିଛନ୍ତି ଡେଲି ମାର୍କେଟ ଆଡକୁ। ଏପଟେ ସାରଦା ଦେବୀ ନିତ୍ୟକର୍ମ ସାରି ଚା' କପ ଧରି ପ୍ରଶାନ୍ତ ବେଡ଼ରୁମକୁ ଯାଇ ଦେଖନ୍ତି ସେ ନିଘୋଡ଼ ନିଦରେ ଶୋଇ ଯାଇଛି। ଚା'କପ ଟେବୁଲ ଉପରେ ରଖିଦେଇ। ତାକୁ ଉଠେଇ ଦେଇ ସକାଳ ଜଳଖିଆ ତିଆରିରେ ଲାଗିପଡ଼ିଥାନ୍ତି। ଏପଟେ ପ୍ରଶାନ୍ତ ଉଠିପଡ଼ି ନିତ୍ୟକର୍ମ ସାରି ସମ୍ପୂର୍ଣ ପ୍ରସ୍ତୁତ ହେଇ ଖାଇବା ଟେବୁଲରେ ଆସି ପହଂଚି ଯାଇଛି। ସାରଦା ଦେବୀ ତାକୁ ଜଳଖିଆ ବାଢି ଦେଇ ପଚାରିଲେ -"କୁଆଡେ ଯାଉଛୁ କିରେ ନୂଆ ପୋଷାକ ପିନ୍ଧିଛୁ ଯେ ? " ମା ଙ୍କ ପ୍ରଶ୍ନ ଶୁଣି ପ୍ରଶାନ୍ତ ଟିକିଏ ନିରବ ରହି ସିନେମା ଦେଖିବାକୁ ଯାଉଛି କହି। ଜଳଖିଆ କରିବାରେ ବ୍ୟସ୍ତ ରହିଲା। କିଛି ସମୟ ପରେ ପୁଣି କହିଲା -"ବୋଉ ତୋ ପାଖରେ ଯଦି କିଛି ଟଙ୍କା ଅଛି ତା ହେଲେ ଦେଲୁ।" ସାରଦା ଦେବୀ ଶୟନ କକ୍ଷକୁ ଯାଇ ଟଙ୍କା ଦୁଇଶହ ଧରି ଆସି ଖାଇବା ଟେବୁଲ ଉପରେ ରଖି ଦେଇ ରୋଷେଇ ଘରକୁ ଚାଲିଗଲେ। କିଛି ସମୟ ଗଲାପରେ ପୁଣି ଥରେ ପ୍ରଶାନ୍ତ କହିଲା- "ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା? ଏତିକି ଟଙ୍କାରେ କଣ ହେବ ?” ପ୍ରଶାନ୍ତ ଅଭିଯୋଗ କରି କହିଲା “ଟିକେଟ କେତେ ଦାମ୍ ଜାଣିଛୁ ନା? ଆଉ ସାଙ୍ଗମାନେ ଥିବେ ମୁଁ ଏତେ କମ୍ ଟଙ୍କା ଧରି କେମିତି ଯିବି କହିଲୁ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ?” ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା, “ବୋଉ ମୋର ଟାଇମ୍ ହେଲାଣି, ଟଙ୍କା ଦେ” ରାଷେଇଘରୁ ବୋଉ କହିଲେ, “ମୋ ପାଖେର କିଛି ନାହିଁ, ତୁ ବାପାଙ୍କୁ ମାଗି ନେଇଯା।”
ପ୍ରଶାନ୍ତ ବିରକ୍ତ ହୋଇ ଗର ଗର ହେଉଥିବା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ, ପଦଧ୍ୱନୀ ଶୁଣି ନିରବ ହୋଇଗଲା।ବାପାଙ୍କୁ ପ୍ରଶାନ୍ତର ଭାରି ଡର। ଆଜକୁ ୨୨ ବର୍ଷ ହେଇଗଲାଣି ତଥାପି ବାପାଙ୍କ ପ୍ରତି ଥିବା ଭୟ ଏ ଯାଏ ମନରୁ ଯାଇନି।
ସାମନ୍ତ ବାବୁ ଆସି ଖାଇବା ଟେବୁଲ ଉପରେ ବସି ପଡିଲେ କିଛି ସମୟ ନିରବ ହୋଇ। ପ୍ରଶାନ୍ତର ସାହସ ପାଉନ ଥାଏ ବାପାଙ୍କୁ କହିବା ପାଇଁ। କିଛି ସମୟ ଗଲା ପରେ ସାମନ୍ତ ବାବୁ ପ୍ରଶାନ୍ତକୁ କହିଲେ -"ନାଇରେ କୁଆଡେ ବହାରିଛୁ କି? ଏତେ ସକାଳୁ ସକାଳୁ....? ସାମନ୍ତ ବାବୁଙ୍କ ପ୍ରଶ୍ନ ଶୁଣି ପ୍ରଶାନ୍ତ ଟିକିଏ ଖନେଇ ଯାଇ କାମରେ ଯାଉଛି କହି ଉଠି ପଡିଛି ଖାଇବା ଟେବୁଲରୁ । ଆଜି ପୁଣି କି କାମ? ସାମନ୍ତ ବାବୁ ପୁଣି ଥରେ ପଚାରିଲେ। ଏତିକି ବେଳେ ପ୍ରଶାନ୍ତ ଘରୁ ବାହାରି ସାରିଥାଏ। ଅଟୋଟିଏ କହି ପହଂଚି ଗଲା ସେଇ ରାମ ମନ୍ଦିର ପାଖରେ। ଆଜି ଆନିସା ସହ ତାର ବାହାଘର। କେମିତି ବା ବାପାଙ୍କୁ କହିଥାନ୍ତା ସେ ଗୋଟେ ମୁସଲମାନ ଝିଅ କୁ ବିବାହ କରୁଛି। ଯେଉଁଥି ପାଇଁ ମା ଙ୍କୁ ସିନେମା ଯିବା ବାହାନା କରିବାକୁ ପଡିଲା। ପୁଣି ବାପା କେବେବି ତାଙ୍କୁ ସ୍ୱୀକାର କରିନଥାନ୍ତେ। ତେଣୁ ବାଧ୍ୟ ହୋଇ ତାକୁ ମନ୍ଦିର ରେ ବିବାହ କରିବାର ଆୟୋଜନ କରିବାକୁ ପଡିଲା। ଯାହାକୁ ଦୀର୍ଘ ପାଞ୍ଚ ବର୍ଷ ଧରି ପ୍ରେମ କରୁଛି କେମିତି ବା ତାକୁ ଆଉ କାହା ହାତରେ ଟେକିଦେବ। ସେଇ ସାହସ ତାର ନ ଥିଲା। ମା ବାପା ଛେଉଣ୍ଡ ଆନିସା ବି ପ୍ରଶାନ୍ତକୁ ନିଜ ଜୀବନ ଭାବି ନେଇଛି। ଏପଟେ ତା ସାଙ୍ଗ ବସନ୍ତ ବାହାଘର ପାଇଁ ସବୁ ପ୍ରସ୍ତୁତି କରିଦେଇଥିଲା। ଠିକ ସମୟରେ ବାହା ସମ୍ପୂର୍ଣ ହେଲା। ପ୍ରଶାନ୍ତ ଓ ଆନିସା ସବୁଦିନ ପାଇଁ ଗୋଟିଏ ଆତ୍ମା ହେଇଗଲେ। ପ୍ରଶାନ୍ତ ଘରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନଥିଲା କିନ୍ତୁ ଆନିସା ତାକୁ ବାଧ୍ୟ କଲା। ବାପା ମା’ଙ୍କ ଆଶୀର୍ବାଦ ନେବାପାଇଁ।
ଶେଷରେ ଦୁହେଁ ଘରେ ପହଁଚିଲେ। ଏପଟେ ସାମନ୍ତବାବୁ ବଗିଚାରେ ପାଣି ଦେଉଥାନ୍ତି। ପ୍ରଶାନ୍ତକୁ ବରବେଶରେ ଦେଖି ସେ ଚମକି ପଡିଲେ। ପାଣି ପାଇପଟାକୁ ଛାଡ଼ିଦେଇ ସେ ଦଉଡି ଆସିଲେ ଫାଟକ ପାଖକୁ। ବାପାଙ୍କୁ ଦେଖି ପ୍ରଶାନ୍ତ ଓ ଆନିସା ପାଦ ଛୁଇଁ ପ୍ରଣାମ କଲେ। ସାମନ୍ତ ବାବୁ କିଛି ବୁଝି ପାରୁ ନଥାନ୍ତି। ଏହାପରେ ପ୍ରଶାନ୍ତ ସବୁ କଥା ଖୋଲିକି ତାଙ୍କ ଆଗରେ କହିଦେଲେ। ଆନିସା ଜଣେ ମୁସଲମାନ, ଜାଣିବା ପରେ ସାମନ୍ତ ବାବୁ ସମ୍ପୂର୍ଣ୍ଣ ଭାବେ ରାଗିଗଲେ। ଆଉ ଦୁଇ ଜଣଙ୍କୁ ସେଇଠୁ ତଡି ଦେଲେ। ପ୍ରଶାନ୍ତ ବାପାଙ୍କୁ ବହୁତ ବୁଝାଇଲା ହେଲେ ସେ ବୁଝିଲେନି। ସେହି କ୍ଷଣି ବାପପୁଅର ସମ୍ପର୍କ ସବୁଦିନ ପାଇଁ ତୁଟେଇ ଦେଲେ ସାମନ୍ତ ବାବୁ। ସଂଗେ ସଂଗେ ଫାଟକଟାକୁ ବନ୍ଦ କରିଦେଇ ଘର ଭିତରକୁ ଚାଲି ଆସିଲେ। କଣ ବା ଆଉ କରନ୍ତା ପ୍ରଶାନ୍ତ। ସେଇଠୁ ସେମାନେ ଚାଲିଯାଇ ଅନ୍ୟଏକ ସହରରେ ପ୍ରଶାନ୍ତର ଜଣେ ସାଙ୍ଗ ପାଖରେ କିଛି ଦିନ ରହିଲେ। ସେଇଠି ଗୋଟେ ଘର ଭଡାରେ ନେଇ ପ୍ରଶାନ୍ତ ଛୋଟିଆ ଚାକିରୀଟିଏ ଠିକ କଲା। ଭାଗ୍ୟକୁ ଚାକିରୀଟିଏ ବି ମିଳିଗଲା। ସେମିତି ସୁଖରେ ଦୁଃଖରେ ଦୁହେଁ ଆରାମରେ ରହୁଥିଲେ।
ଗୋଟିଏ ବର୍ଷ ପରେ.....
ବିବାହକୁ ଗୋଟିଏ ବର୍ଷ ବିତି ସାରିଥାଏ। ଧୀରେ ଧୀରେ ପ୍ରଶାନ୍ତର ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ହେଇ ସାରିଥାଏ। ଆଉ ଆନିସା କୋଳରେ ଆସି ସାରିଥିଲା ତାଙ୍କର ସମ୍ପର୍କର ପ୍ରଥମ ସଂକେତ। ଘରଟା କୁଆଁ କୁଆଁ ଶବ୍ଦରେ ପୁରି ଉଠୁଥିଲା। ତା’ରି ମୁହଁକୁ ଦେଖି ସେ ମାନେ ଆରାମରେ ବଂଚି ଯାଉଥିଲେ।
ସେମିତି ଗୋଟେ ଦିନର କଥା ପ୍ରଶାନ୍ତ ଓ ଆନିସା ସହ ତାଙ୍କ ନବଜାତ ପୁଅ ମିଶି ବସନ୍ତ ରହୁଥିବା ତାଙ୍କ ସେଇ ସହରକୁ ଆସିଥାନ୍ତି ବସନ୍ତଙ୍କୁ ଭେଟିବାକୁ। କିନ୍ତୁ ଘଟି ଯାଇଛି ରାସ୍ତାରେ ଏକ ଦୁର୍ଘଟଣା। ଯେଉଁଥିରେ ପ୍ରଶାନ୍ତ ସବୁଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛି ସେଇ ଦୁର୍ଘଟଣା ସ୍ଥାନରେ। କିନ୍ତୁ ଆନିସାର ଶରୀରରେ ଏ ଯାଏ ପ୍ରାଣଥିଲା ଆଉ ନିଜ ଜନ୍ମ କଲା ଛୁଆକୁ ସେ ବଞ୍ଚେଇ ପାରିଛି। ସଂଗେ ସଂଗେ ସେମାନଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଖବର ପାଇ ବସନ୍ତ ପହଂଚି ଗଲା ଡାକ୍ତରଖାନାରେ। ଶେଷରେ ଆନିସା ବି ସେଇ ଶିଶୁ ପୁତ୍ରଟିକୁ ତା ଜେଜେକୁ ଦେଇ ଦେବା ପାଇଁ କହି ସବୁଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛି। ରହିଯାଇଛି ସେଇ ନିରୀହ ନିଷ୍ପାପ ଶିଶୁ। ସେ ବା କି ପାପ କରିଥିଲା।
ବସନ୍ତ ଦୁହିଁଙ୍କ ଅନ୍ତିମ ସଂସ୍କାର କରି ଫେରିବା ପରେ ଆନିସା କହିବା ମୁତାବକ ସେଇ ଶିଶୁଟିକୁ ନେଇ ସାମନ୍ତ ବାବୁଙ୍କ ପାଖକୁ ଗଲା। ଏତିକି ବେଳେ ସାମନ୍ତ ବାବୁ ଆରାମ ଚେୟାରରେ ବସି ଚିନ୍ତାମଗ୍ନ ଅବସ୍ଥାରେ ଥାଆନ୍ତି। ପୁଅ ଗଲାପରେ ଭାଙ୍ଗି ପଡିଛନ୍ତି ସତ। ହେଲେ ଏ ଯାଏ ତାଙ୍କ ମନରୁ ଧର୍ମ ଧର୍ମ, ଜାତି ଜାତି ଭିତରେ ପାତର ଅନ୍ତର ମନରୁ ଯାଇନଥିଲା। ବସନ୍ତ ଘର ଭିତରକୁ ଯାଇ ସାମନ୍ତ ବାବୁଙ୍କୁ ସବୁ କଥା କହି ଦେଇଛି। କିନ୍ତୁ ଏବେ ବି ସେ ରାଜି ହୋଇନାହାନ୍ତି ସେଇ ଶିଶୁଟିକୁ ନିଜର କରିବାକୁ। ସାରଦା ଦେବୀ ଏଇ ସବୁ ଶୁଣି ମର୍ମାହତ ହୋଇପଡିଛନ୍ତି। ସେ ବା ଆଉ କଣ କରିପାରନ୍ତେ।
ଶେଷରେ ବସନ୍ତ ସେଇ ଚଟାଣ ଉପରେ ଶିଶୁଟିକୁ ରଖିଦେଇ ଚାଲିଯାଇଛି। ଆଉ ସେଇ ଶିଶୁର କାନ୍ଦରେ ଥରି ଉଠୁଥାଏ ସେଇ ଘରର ସବୁ କାନ୍ଥ। ସତେକି ସେ ପରିଚୟ ମାଗୁଛି ମୋତେ କହି ପାରିବ ମୁଁ କେଉଁ ଧର୍ମର..? ଦେଇ ପାରିବ କି ମୋତେ ମୋ ପରିଚୟ..? ମୁଁ ହିନ୍ଦୁ ନା ମୁସଲମାନ..? କୁହ ମୋ ପ୍ରଶ୍ନର ଉତ୍ତର ଦିଅ....?????
ଭୁଷଲଡ଼, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ-୭୭୫୨୦୬୬୨୧୭
Go Back to Previous Page
ତୁଳନା
ବଲବନ୍ତ ସାହୁ
Read Article
ବଡ଼ ହେଲେ ମୁଁ ହାକିମ ହେବି...
ସରସୀ ଆଚାର୍ଯ୍ୟ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ