ଉତ୍ତାଳ ଅସରନ୍ତି ଆମନ୍ତ୍ରଣ ଆସି
ଲେଉଟି ଯାଉଛି
ମୁହାଣର ଶୂନ୍ୟତାରେ ମଥା ପିଟି ପିଟି
କିନ୍ତୁ, ଭାସି ଯାଇ ପାରୁନୁ ତୁ
ଆବେଗର ଅନନ୍ତ ବିସ୍ମୃତିରେ
ଆଗ୍ରହ ବି ବାହୁ ମେଲିଅଛି
କିନ୍ତୁ, ନିଜକୁ ମେଲି ଦେଇପାରୁନୁ ତୁ
ଭାବର ଅକାତ ଗଭୀରତାରେ
ପ୍ରତୀକ୍ଷାର ପାରାବାରଟିଏ
ନିଜକୁ ସଜାଡ଼ି ରଖିଛି
କିନ୍ତୁ, ବୁଡ଼ି ଯାଇପାରୁନୁ ତୁ
ଚାହିଁ ଦେଖ୍ ତ...
କାଳିଯାଇ ଶିଖରେ ଆଜି ବି
ଅନୁଢ଼ା ଆତ୍ମାଟିଏ
ଅହରହ ଖୋଜି ହୁଏ
ପୂର୍ଣ୍ଣତାର ତିଳେ ପରିତୃପ୍ତି
ପକ୍ଷୀଙ୍କର କାକଳୀରେ ଶୁଭେ
ସମୟର ସାମୟିକତାର ଗୀତି,
ଭାଲେରୀ ଉହାଡ଼ରେ ନିତି
ସୂର୍ଯ୍ୟ ବି ବାଟ ଜଗି ରହେ,
କିଏ ଜାଣେ, ମୁହାଣର ସ୍ପର୍ଦ୍ଧିତ ବକ୍ଷରେ
ଆଙ୍କି ହୋଇଯିବ କାଳେ
ମିଳନର ସ୍ବର୍ଗୀୟ ସ୍ବାକ୍ଷରଟିଏ
କିନ୍ତୁ... ଆତ୍ମଲୀନ ତୁ,
ନିରୁତ୍ସାହ ତୋ ଗତି
ଡେଇଁଯାଇ ପାରେନାହିଁ ନିଜସ୍ବ ପରିଧି
କାହିଁକି ଏ ନିସ୍ତରଙ୍ଗତା?
ସନ୍ନିଧ୍ୟାନେ ଥାଇ ମଧ୍ୟ
କାହିଁକି ଅଲୋଡ଼ା ତୋ ଲାଗି
ସାଗରର ସାନ୍ନିଧ୍ୟ?
କାହିଁକି ଏ ନିରାସକ୍ତି?
କହଲୋ ଚିଲିକା,
କାହିଁକି ବା ନିଜ ମଧ୍ୟେ
ସୀମାବଦ୍ଧ ତୁ ଆଜି?
Go Back to Previous Page
ତୁମେ ଆସୁଛ ବୋଧେ...
ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ
Read Article
ତୁଲିପ୍
ଓଁକାର ଦାଶ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ