ସହରର ଏକ ନିର୍ଜନ ରାସ୍ତାରେ
ଦେଖାହୁଏ ପରୀଟିଏ,
ରୂପ ଯୌବନ ଆହା ଗୁଣ ଗାରିମାରେ
ପାଖେ ଆସି କହିଯାଏ
ଭଲପାଏ ତୁମକୁ ମୁଁ ସ୍ମିତହାସ୍ୟ ବଦନରେ
ସ୍ପନ୍ଦନ ମୋ ଅଟକି ଯାଏ ତା’ କଥାର ସୁଅରେ
ଦିପ୍ରହରେ ଅନ୍ଧକାର ହୁଏ,
ମୋ ପାଦତଳର ପୃଥିବୀ ଖସିଗଲା କି ସତରେ!
ଅବା - ମୁଁ ଚକିତ ହୁଏ
ପଡ଼ିନି ତ କେଉଁ କାଉଁରୀ କନ୍ୟାର ପ୍ରେମରେ!!
ମୋ ମନ ପ୍ରଜାପତି ଉଡୁଥାଏ ପବନରେ
ପାଇଯାଏ ପ୍ରେମର ପାଖୁଡ଼ାଟିଏ,
ପ୍ରାଣଭରି ମଧୁମୟ ଶୋଷିବି ନିଶାରେ
ପୁଣି - ହୃଦୟ ମୋ କହିଦିଏ
ନାହିଁ ତ’ ସେଠି ଛଦ୍ମ କିଟ ଟିଏ ଝାମ୍ପିବା ଆଶାରେ
ସାତଜନ୍ମକୁ କଥା ଦିଅ ପ୍ରିୟା ରହିବି ସାଥିରେ
ଯିବିନାହିଁ ଚାଲି ଥରୁଟିଏ,
ଜନ୍ମଜନ୍ମାନ୍ତରେ ପଥିକ ସାଜିବି ଯାଅ ନାହିଁ ଦୂରେ
ରୂପସୀ ମୁଁ ନୁହେଁ କି ରାକ୍ଷସୀଟିଏ
ଶୁଝିବାକୁ ତୁମ ଋଣ ଛାଇ ପରି ଲାଗିବି ଶରୀରେ
କେଉଁ ପୂଣ୍ୟ ଫଳ ପାଇଯାଏ ହାତ ପାପୁଲିରେ
ପରୀଟିଏ ଆସି ଧରାଦିଏ
ଛବିପରି ଲାଖିଯାଏ ମୋ ହୃଦୟ କାନ୍ଥରେ
ରହିଯାଏ ଶୂନ୍ୟ ମନ୍ଦିରେ ସତେ ଦେବୀଟିଏ
ଜାଣେନା ମୁଁ, କେଉଁ ପ୍ରୀତିଫୁଲେ ପୂଜିବି ପୟରେ
ଲୁଚକାଳି ଖେଳ ଆସି ତୁମେ ମୋ ସୁବର୍ଣ୍ଣ କୁଟୀରେ
ମେଘାକାଶେ ଯେହ୍ନେ ଜହ୍ନଟିଏ,
ଖୋଜେ ମୁଁ ତୁମକୁ ନିଶିର ପ୍ରତିଟି ପ୍ରହରେ
କ୍ଲାନ୍ତ ପ୍ରଜାପତି ପରି ଥକିଯାଏ
ମୁହୂର୍ତ୍ତ ଅନ୍ତରେ ଧରାଦିଅ ଆସି ମୋ ଯୁଗଳ ବାହୁରେ
ଆଜି କିମ୍ପା ପାଏନାହିଁ ତୁମକୁ ମୁଁ ଅତି ନିକଟରେ
ଶୁଭେନାହିଁ ପାଦର ଘୁଙ୍ଗୁର ଥରୁଟିଏ
ଶ୍ମଶାନର ଶୂନ୍ୟତା ଘେରେ ଘର ଆଉ ଅଗଣା ବାହାରେ
ମୋ ଡାକର ପ୍ରତିଧ୍ବନୀ କହିଦିଏ
ନାହିଁ ତ’ ଏଠି! ଅବା ସେଠି କାହିଁଗଲ କାହିଁଗଲ ଦୂରେ
ପଚାରେ ମୁଁ ଆମ୍ରତରୁ ତୃଣେ ଆଉ ପର୍ବତ କନ୍ଦରେ
ଦିଏନା କେ ଉତ୍ତରଟେ କେହି ଥରୁଟିଏ,
ଆଶଙ୍କିତ ମନ କହେ ରୋଷେ ଅବା ଦୋଷେ ଗଲି କି ହେ ଦୂରେ
କି ପାଲଟିଲ ପଥରଟିଏ
କେଉଁ ସିଦ୍ଧ ସାଧୁ ଅବା ସନ୍ୟାସୀର କର୍କଶ କୋପରେ
ସେହି ଅନ୍ଦୋଳିତ ମନ କହେ ଛଦ୍ମବେଶୀ ବ୍ୟାଧର ଫାଶରେ
ପଡିଛ କି ହେ ହୋଇ ପକ୍ଷୀଟିଏ,
ଦୂରେଯାଇ ଦେଇ ଦେବ କେଉଁ ବାଲି କି ବୋର୍ଣ୍ଣିଓ ଦ୍ବୀପରେ
ଫେରିଆସ ପରୀ ଥରୁଟିଏ
ଶାମୁକାର ମୋତି ସମ ସାଇତିବି ମୋ ପ୍ରୀତି ପାରାବାରେ
ମିଛ ପ୍ରେମ ପଞ୍ଜୁରୀକୁ ଭାଙ୍ଗିଦିଅ ପ୍ରିୟା ତୁମ ନିର୍ଘାତ ନାତରେ
ସାଗର କୂଳେ ମୁଁ ବତୀଘରଟିଏ
ଦେବାକୁ ପଡ଼ିବନି ସତୀତ୍ବର ପରୀକ୍ଷା କେଉଁ ଏକ ସଭାର ମଧ୍ୟରେ
ଛୁଇଁ ପାରିବିନି କାହା ପ୍ରେମର ପାପଟିଏ
ପାଖେ ପାଖେ ଅଛି ମୋ ପ୍ରେମର ତାବିଜ ତୁମ ହୃଦୟ ଅନ୍ତରେ
କୋଟିଏ ଯୁଗର ଶେଷ ହୋଇଯାଉ ପରୀ ଡରନାହିଁ ଥରେ
ପ୍ରତୀକ୍ଷା କରିବି ହୋଇ ଚାତକଟିଏ
ଜରା ବ୍ୟାଧିର ଦ୍ବାର ମାଡ଼ିପାରିବନି ମୋ ଅଷ୍ଟାଙ୍ଗ ଶରୀରେ
ବିଶ୍ବାସ କର ପରୀ ଥରୁଟିଏ,
ନବଯୌବନର ବେଶ ମାଗି ଆଣିବି ମୁଁ ଯାଇ
ଚକାନୟନରେ ଚକାନୟନରେ ଚକାନୟନରେ....!!!
ରାସୁଡ଼ି, ଫୁଲବାଣୀ, କନ୍ଧମାଳ ଜିଲ୍ଲା, ଓଡ଼ିଶା
ଭ୍ରାମ୍ୟଭାଷ : ୮୭୬୩୭୬୮୯୨୬
Go Back to Previous Page
ଅଲୋଡ଼ା କି ବାପା ମା’
ଜୀତେନ୍ଦ୍ର କୁମାର କହଁର
Read Article
ଅବାସ୍ତବ ସ୍ବପ୍ନ
ଶୁଭଶ୍ରୀ ନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ