କେତେ ଜପ ତପ କରିଥିଲୁ ସତେ
ଶୂନ୍ୟ କୋଳ ପୂର୍ଣ୍ଣତା ପାଇଁ,
ବିଧାତା ଦାୟରେ କୁମ୍ଭ ଭରିଥିଲା
ହୃଦରତ୍ନହରା ପାଇ।
ସାତ ଘେରା ହୋଇ ତୋ ମା' ପଣତ
ରକ୍ଷା କବଚ ସାଜିଥିଲା,
ଉଦରକୁ ତୋର ଦାନା ଦେଇ ଯା'ର
ଭୋକ ଶୋଷ ମେଣ୍ଟୁ ଥିଲା।
ନାନାଦି ବ୍ୟଞ୍ଜନ ମା' ହାତ ପରଷା
ତୁ ଚାହୁଁଥିଲୁ ବୋଲି,
ପ୍ରକାଶିବା ଆଗୁ ଯାଉଥିଲା ଆସି
ସବୁକୁ କି ତୁ ଗଲୁ ଭୁଲି।
ହାତ ଯା'ର ଧରି ଶିଖିଲୁ ତୁ ଚାଲି
କେମିତି ପାରିଲୁ ସେ ହାତ ଛାଡି,
କେତେ ଆଶା ଥିଲା ହେବୁ ତୁହି ବୋଲି
ବୃଦ୍ଧ କାଳେ ଆଶା ବାଡି ।
ତୁଣ୍ଡେ ତୋର ଶୁଭେ କାହିଁ ଜରାଶ୍ରମର କଥା
ଆତ୍ମା ହୁଏ ଅଣ ନିଶ୍ବାସି,
ଗଢିଲି ଯାହାକୁ ଏତେ ଯତନରେ
ଲୋତକେ ମୋ ସେ ପାରୁଛି କେମିତି ହସି ।
ଜାଗ୍ରତ ପ୍ରହରୀ ଚିର ଦିବାନିଶି
ହୋଇ ତୋ ପାଇଁ ରହିଥିଲୁ,
ଦୁଇ ପାଦେ ତୋର ଆଜି ଠିଆ ହେଲୁ ବୋଲି
ଆମେ ଅଲୋଡା କି ହୋଇଗଲୁ।
ବାଳୁତରେ ତୋର ଅଜବ ପ୍ରଶ୍ନର ଉତ୍ତର ଦେବାକୁ
ଥକି ନାହୁଁ ଆମେ କେବେ,
ଆଜି ଆମ ଗୋଟିଏ ପ୍ରଶ୍ନ ର ଉତ୍ତର ପାଇଁ କି
ସମୟ ନାହିଁ ତୋ ପାଶେ।
ପେଟେ ଦେଇ ଓଦା କନା ସଞ୍ଚି ଚାଲିଥିଲୁ
ତୋ ସୁରକ୍ଷିତ ଭବିଷ୍ୟ ପାଇଁ,
ଆଜି ରତ୍ନ ମହଲେ ବିରାଜିଲୁ ସିନା
ବାପା ମା' ଆଜି ବାର ଦୁଆରେ
ଦାନା ମୁଠେ ପାଇଁ କାହିଁ।
କଲୁ କଳୁଷିତ ପିତା ପୁତ୍ରର ସମ୍ପର୍କ
ଛାଡି ଗଲୁ ଯମ ଦୁଆରେ,
ଭାବିଲୁନି ଟିକିଏ ବାପା ମା' କଥା
ଭସାଇଲୁ ମଝି ଦରିଆରେ।
ସେନେହ ଆଦରେ କି ଊଣା କରିଥିଲୁ
ସାଜିଲୁ ନୟନେ ଅଶ୍ରୁର ଧାର,
ଖୁସିର ଜୁଆର ଆଣିବୁ ବୋଲି କହି
ସବୁ କରିଲୁ ପାଣିର ଗାର ।
କେତେ ଅଳି ତୋର କେତେ ଯେ ଅଝଟ
ସବୁତ କରିଥିଲୁ ନିଜର,
ଆଜି କି ବାପା ମା ବୋଝ ହୋଇଗଲେ
କେମିତି ହେଲୁ ଏତେ ସ୍ବାର୍ଥପର ।
କ୍ଷୁଧା ର ଜ୍ବାଳା ଦାଉ ସାଧେ ଆଜି
ପୁଣି ଗଲୁ ତୁ ପର କରି,
ଅନ୍ତ ଫାଡି ତୋତେ ଜନମିଲା ଯେ
ଭୁଲି ପାରିଲୁ ତା'କୁ କିପରି।
ବିବେକ କି ଗଲା ତୋ ପାଖେ ହାରି
ଦିବାଅମାବାସ୍ୟା ଦେଲୁ ଜୀବନେ ଭରି,
ବୁଝିପାରିଲୁନି ମମତାର ମୂଲ
ଲାଗିଲାଣି ଜୀବନ ଭାରି ଠାରୁ ଭାରି ଭାରି।
ପ୍ରତି ମୂହୁର୍ତ୍ତରେ ଡାକ ଆଜି ମୃତ୍ୟୁର
ଏ କି ପିତା ମାତାର ଋଣ ପରିଶୋଧ,
ଲୁହ ଜାଗାରେ ଆଜି ଲହୁ ଉପନୀତ
ଭୂମିଷ୍ଠ କରିବା ତୋତେ ଥିଲା କି ଅପରାଧ।
ଭଗ୍ନାବସ୍ଥାରେ ବିଶ୍ବାସର ବିଶ୍ବାସ
ଆଉ କି ଯୋଡି ହୋଇବ,
ଦିବସର ଅପରାହ୍ନେ ସବୁକିଛି ଆଜି
ଚାତକର ସ୍ବପ୍ନ ସତ କି ହୋଇବ।
କାନ୍ଦିବା ପାଇଁ କି ଲୁହ ଆଉ ନାହିଁ
କହିବା ପାଇଁ କି ଜିହ୍ବାରେ କଥା,
ବଞ୍ଚିକିବି ମୃତ ପ୍ରାୟ ଆଜି
ସବୁଠୁ ବଳିଗଲା ଏ ବ୍ଯଥା ।
ଚାରି ଦିଗେ ଖାଲି ମରୂବାଲି ଦିଶେ
ରୌଦ୍ର ବି ଦାଉ ସାଧେ,
ମୁଖାଗ୍ନି ପାଇଁକି ଯିବୁନାହିଁ ଆଉ
ଶ୍ମଶାନେ ତୋ'ରି କାନ୍ଧେ ।
ପୁତ୍ର ସୁଖ ଯଦି ଏମିତି ହାଏ
କୋଟି କୋଟି ଗୁଣେ ଭଲ ଅପୁତ୍ରିକ,
ଶବଦ ହୁଏନି ସିନା ଅନ୍ତରୁ ଚିତ୍କାର ମୋ
ଲୋଡା ନାହିଁ ଏମିତି ସନ୍ତକ ।
ଲୋଡା ନାହିଁ ଏମିତି ସନ୍ତକ ।
ଶିକ୍ଷକ(କଲାଡି,ଫୁଲବାଣୀ), ଦୂରଭାଷ-୯୪୩୯୫୪୨୫୨୧
Go Back to Previous Page
ଆମେ ଚାଲିଛୁ ତ ଭାଇ ଆଗେଇ
ଡା ସଂଜୀବ କୁମାର ପାଣିଗ୍ରାହୀ
Read Article
ପରୀଟିଏ
ବୈଚନ୍ଦ୍ର ମଲ୍ଲିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ