ନାନୀ ଆଉ ବଡ ଭାଇନା ପାଖରୁ ନିରାଶ ହୋଇ ଫେରିବା ପରେ ସମ୍ପୂର୍ଣ୍ଣ ସହର ବୁଲିବୁଲି କିଛି ସୁରାକ ମିଳିଛି। ସେଇ ତଥ୍ୟକୁ ନେଇ ପୋଲିସ ସାହାଯ୍ୟରେ ବୋଉକୁ ଖୋଜିବାକୁ ହେବ। ଥାନାରେ ପହଞ୍ଚିବା ବେଳକୁ ସେଠି ପ୍ରବଳ ଗହଳି। ଅନେକ ବୃଦ୍ଧ ବୃଦ୍ଧା ଜଣେ ଝିଅକୁ ନେଇ ଅନେକ ଅନୁନୁୟ କରୁଛନ୍ତି। ସମଗ୍ର ଘଟଣା ଓ ସଂପୃକ୍ତ ଚରିତ୍ର ମାନଙ୍କ ବିଷୟରେ ଜାଣିବାକୁ ତିଳେମାତ୍ର ଆଗ୍ରହୀ ନଥିଲେ ଦେବଦତ୍ତ। ସପ୍ତାହକ ଛୁଟି କୁ ଆଉ ୫ଦିନ ବଢାଇବାକୁ ପଡିଛି। ସେଥିରୁ ଗୋଟାଏ ଦିନ ଏମାନଙ୍କ ଯୋଗୁଁ ବୃଥା ହେବାର ସମ୍ଭାବନା ଦେଖି ବିରକ୍ତିରେ ବସିଗଲେ ଆଗନ୍ତୁକଙ୍କ ପାଇଁ ଉଦ୍ଦିଷ୍ଟ କାଠ ବେଞ୍ଚରେ। ବୋଉବି ଅଯଥା ଟେନ୍ସନ୍ ଦେଉଛି। କାହାକୁ କିଛି ନକହି କୁଆଡେ ଉଭାନ ହୋଇଯାଇଛି?!? ମନେପଡିଗଲା, ପିଲାଦିନେ ଥରେ ଦୋଳ ମେଳଣରେ ସେ ହଜିଯାଇଥିଲେ। ନିଜ ଗାଁ ମେଳଣ, ସମସ୍ତେ ପରିଚିତ, ତଥାପି ତାଙ୍କୁ କୋଳରେ ନଧରିବା ଯାଏଁ ବୋଉ କାନ୍ଦି କାନ୍ଦି ଅଧାପ୍ରାଣ ହୋଇଯାଇଥିଲା। ସେ ସିନା ବିଦେଶରେ ଥିଲେ, କିନ୍ତୁ ନାନୀ ଆଉ ବଡ ଭାଇନା ତ ଭାରତରେ ଥିଲେ। ତାଙ୍କୁ ନିଜ ଯିବା ସ୍ଥାନ ଓ ରହଣି ବିଷୟରେ ସୂଚେଇ ଦେଇଥିଲେ କି ପୁରାଣ ଅଶୁଦ୍ଧ ହେଇଯାଇଥାନ୍ତା କେଜାଣି ବୋଉର! ଏତିକି ବେଳେ ପାଖରେ ବସିଥିବା ପ୍ରାୟ ବୋଉ ବୟସର ବୃଦ୍ଧାଜଣକ ପଚାରିଲେ,"ବାପାରେ, ଏ କଲ୍ ଗାର୍ଲ କ'ଣ? ତାଙ୍କୁ ଲୋକ କାହିଁକି କଲ୍ କରନ୍ତି ? ତାଙ୍କ ଭଲମନ୍ଦ ବୁଝିବାକୁ ନା ନିଜ ଦୁଃଖସୁଖ କହିବାକୁ? କଲ୍ ତ ସମସ୍ତଙ୍କ ଫୋନକୁ ଆସେ, ୟାଙ୍କ ଫୋନକଲ ରେ କି ଅସୁବିଧା?" ଜଣେ ବୟୋଜ୍ୟେଷ୍ଠ ମହିଳାଙ୍କ ମୁହଁରୁ ଏମିତି ଅବାନ୍ତର ପ୍ରଶ୍ନ ଶୁଣି ଭ୍ରୁକୁଞ୍ଚନ କଲେ ଦେବଦତ୍ତ। କହିଲେ,"ଆଣ୍ଟି, ଏମାନେ ଗଣିକା। କଲଗାର୍ଲ ଏମାନଙ୍କ ଆଧୁନିକ ନାଁ। ଆପଣ ଏଥିରେ କାହିଁକି ମୁଣ୍ଡ ଦଉଛନ୍ତି! ବୃଦ୍ଧା ଅଧିକ ବିବ୍ରତ ହୋଇ କହିଲେ,"ଆମ ମାନଙ୍କ ଭଳି ଅଲୋଡା ଅଖୋଜା ବୁଢାବୁଢୀଙ୍କ ପାଇଁ ଝିଅଟା ଖୁବ୍ କରେ। ଯୋଉମାନେ ଦେହ ଲୋଡାପଡିଲେ ତାକୁ କଲ୍ କରୁଥିଲେ, କାହିଁ କେହିତ ତା ପିଠିରେ ପଡିଲେନି ପୋଲିସ ଧରି ଆଣିଲା ବେଳେ। କହିଲୁ ପୁଅ, ଦୋଷ କ'ଣ ଖାଲି ଏ ଝିଅଟାର? ନିଜ ଦେହକୁ ସମର୍ପି କେତେ ନିରୀହ ଝିଅଙ୍କୁ ରକ୍ଷା କରନିଥିବ ସେ! ନହେଲେ ଏଇ ଯୋଉମାନେ ଟଙ୍କା ଦେଇ ତାକୁ ଶଯ୍ୟା ସଙ୍ଗିନୀ କରୁଥିଲେ, ସେମାନେ ଦେହ ଭୋକରେ ଆଉ କାହାକୁ ବଳାତ୍କାର କରିଥାନ୍ତେ, ଯଦି ୟେ ନଥାନ୍ତା। ପାଶବିକ ପ୍ରବୃତ୍ତିର ନିଦାନରେ ଆହୁରି କେତେ ଝିଅଙ୍କ ଅସ୍ମିତା ସ୍ବାହା ହେଇଥାନ୍ତା। ମୋହିନୀ ଟା ଆମର ଭାରି ଭଲ ଝିଅଟେ। କେତେ ସ୍ନେହ ତାର ଆମ ମାନଙ୍କ ଭଳି ଅଲୋଡା ଶୁ୍ଷ୍କପତ୍ର ମାନଙ୍କ ପାଇଁ। ସବୁ ରୋଜଗାର ଖପେଇ ଦିଏ ଆମ ବୃଦ୍ଧାଶ୍ରମରେ। ତାକୁଇ ସାଙ୍ଗରେ ନେଇଯିବାକୁ ଆସୁଛୁ ଆମେ ଏଠିକି। ହେଲେ ଏ ଥାନାବାବୁ ଶୁଣୁନି କିଛି। ତୁ ତ ପୁଅ ବଡ ବଡୁଆ ଧୋବ ଧାଉଳିଆ ଭଦ୍ରଲୋକ ଲାଗୁଛୁ। ତୁ ଥରେ କୁହନ୍ତୁ ଯଦି....କାଳେ ଶୁଣନ୍ତେ। ପୁଣି ଗୋଟେ ଅବାନ୍ତର ଅନୁରୋଧ ରେ ବିରକ୍ତ ହୋଇ ଦେବଦତ୍ତ ସେଠୁ ଉଠି ଚାଲିଆସିଲେ ହୋଟେଲକୁ।
ନନାଙ୍କ ଜଣେ ପୁରୁଣା ବନ୍ଧୁ, ମହାନ୍ତି ମଉସା ଜଣେ ଅବସରପ୍ରାପ୍ତ ଉଚ୍ଚପଦସ୍ଥ ଅଫିସର। ସେ ହିଁ ପୋଲିସର ବଡ ଅଧିକାରୀଙ୍କ ସହିତ ଦେବଦତ୍ତଙ୍କ ସାକ୍ଷାତକାର ବ୍ୟବସ୍ଥା କରାଇଦେଲେ। ଅତ୍ୟଧିକ ଯାତ୍ରାକ୍ଲିଷ୍ଟ ଶରୀର ଟିକେ ଢୁଳେଇ ପଡିବାବେଳେ ହଠାତ ଲାଗିଲା ବୋଉ ଯେମିତି ମୁଣ୍ଡକୁ ଆସ୍ତେ ତକିଆ ଉପରେ ଥୋଇ ପିଠି ଥାପୁଡେଇ ଧୋ ବାଇଆ ଗୀତ ବୋଲୁଛି ତା ମଧୁର କଣ୍ଠରେ। ବୋଉ ବଡ ଗାୟୀକା ନୁହେଁ, ହେଲେ ତା ନାନାବାୟା ଗୀତ ହେଉ କି ଲକ୍ଷ୍ମୀପୁରାଣ ଅବା ଜଗନ୍ନାଥଙ୍କ ଭଜନ ଜଣାଣ, ସବୁ ସୁଲଳିତ ଶୁଭେ। ପିଲାଦିନେ ନାନୀ ଗୀତ ଶିଖୁଥିଲା ଯେ ବୋଉ ତା କଣ୍ଠର ସୁରକ୍ଷା ପାଇଁ ମିଠା, ଆଚାର ଇତ୍ୟାଦି ଖୁଆଇ ଦିଏନି। ସେଇଥିପାଇଁ ନାନୀ ସବୁବେଳେ ବୋଉ ଉପରେ ଚିଡିଚିଡି ହୁଏ। ଭାଇନା ବି ବୋଉର ସଞ୍ଚୟ ଉପରେ ହାତସଫା କରି କେବେ ସାଙ୍ଗଙ୍କ ସହିତ ସିଗାରେଟ ଟାଣେ, ନିଜ ଇଚ୍ଛାର ଜିନିଷ କିଣେ। ଦେବଦତ୍ତ ହିଁ ଥିଲେ ବୋଉର ଗଣ୍ଠିଧନ 'ଦେବୁ'। ସାନ ଛୁଆଟି ମା ର ଅଧିକ ସ୍ନେହ ପାଉଛି ଭାବି ବଡ ଦୁଇଜଣ ଦେବୁକୁ ଈର୍ଷା କରନ୍ତି। ଦେବୁ ବି ସେ ଦୁହିଁଙ୍କ ଠାରୁ ଭିନ୍ନ ଥିଲେ। ଶାନ୍ତ, ଶିଷ୍ଟ, ସରଳ, ବୁଦ୍ଧିମାନ ଆଉ ବୋଉର ଏକଦମ ଆଜ୍ଞାଧିନ। ଥରେ ସାଙ୍ଗପିଲାଙ୍କ ସହିତ କ୍ରିକେଟ ଖେଳି ଆଣ୍ଠୁ ଛିଡି ଯାଇଥିଲା ବୋଲି ବାହାରେ ଖେଳିବା ମନା ହୋଇଗଲା ତାଙ୍କୁ। ସେମିତି ସାଥିପିଲାଙ୍କ ଠୁ ଶୁଣି ଅଶ୍ରାବ୍ୟ କଥାପଦେ କହିଦେବା ଦିନରୁ ମଧ୍ୟ ସାଙ୍ଗ ମାନଙ୍କୁ ନେଇବି ବୋଉର ତୀକ୍ଷ୍ଣ ଦୃଷ୍ଟି ରହିଥାଏ। ନନା ଏତେବଡ ଅଫିସର। ଘରେ କୌଣସି କଥାର ଅଭାବ ନଥାଏ, କେବଳ ଶାନ୍ତି ବ୍ୟତୀତ। ନନା ଖୁବ ବଦରାଗୀ। ବୋଉକୁ ଥରେ ଗାଳିଦେଇ ଧକ୍କା ମାରିଦେଲେ, କାନ୍ଥରେ ବାଜି ବୋଉର ମୁଣ୍ଡ ଫାଟିଗଲା। ବନ୍ଦ କୋଠରୀର ସେ ଘଟଣା ଦୁର୍ଭାଗ୍ୟ ବଶତଃ ଦେଖି ପକାଇଥିଲେ ଦେବଦତ୍ତ। ସେବେଠୁ ବୋଉପ୍ରତି ଅଧିକ ସମ୍ବେଦନା ଥିଲା ତାଙ୍କ ମନରେ। ସେଇଥିପାଇଁ ବୋଉର ସବୁକଥା ସେ ଅନାୟାଶ ମାନିଯାନ୍ତି। ବୋଉର ବି ତା ଦେବୁ ଉପରେ ଅଖଣ୍ଡ ବିଶ୍ବାସ। ନନାଙ୍କ ସହ ଝଗଡା କରି ସେ ଦେବଦତ୍ତଙ୍କୁ ପଢିବା ପାଇଁ ବିଦେଶ ପଠାଇଥିଲା। ମା କାନିଧରି ବଢିଥିବା ଦେବୁ ବିଦେଶରେ ଚଳିପାରିବ ବୋଲି ନନାଙ୍କୁ ବିଶ୍ବାସ ନଥିଲା। ପଢା ସରିବା ପରେ ଜର୍ମାନୀରେ ଭଲ ଚାକିରୀଟିଏ ମିଳିଲା। ବୋଉର ଖୁସି କହିଲେ ନସରେ।ପ୍ରଥମେ ଚାକିରୀ ଅବଧି ୩ବର୍ଷ ପାଇଁ ଥିଲା।
ସେଇ ଭିତରେ ବର୍ଷେ ବ୍ୟବଧାନରେ ଭାଇନା ଅନ୍ୟ ଜାତିରେ ଓ ନାନୀ ଅନ୍ୟ ଧର୍ମରେ ନିଜ ପସନ୍ଦରେ ନନା ବୋଉଙ୍କୁ ନଜଣାଇ ବାହାହେଇଗଲେ। ଭାଇନା ଅପେକ୍ଷା ନାନୀ ଲାଗି ବେଶୀ ବ୍ୟଥିତ ହେଲେ ନନା ବୋଉ ଯେହେତୁ ଭିଣୋଇ ନାନୀ ଯୋଗ୍ୟ ନଥିଲେ ବିଭିନ୍ନ ଦିଗରୁ ଆଉ ନାନୀ ଥିଲା ନନାଙ୍କ ଗେହ୍ଲୀ। ଭାଉଜ ବି ପ୍ରଥମରୁ ଦୁର୍ବ୍ୟବହାର କରିଲେ, ତେଣୁ ମର୍ମାହତ ନନା ଦୁହିଁଙ୍କ ପାଈଁ ଦ୍ବାର ବନ୍ଦ କରିଦେଲେ ଘରର। ଅବସର ପରେ ମିଳିଥିବା ସବୁଅର୍ଥ ଖଟେଇ ବେଶ ବଡ ଆଉ ବିଳାସପୂର୍ଣ୍ଣ ଘରଟିଏ ତୋଳିଥିଲେ। ନନାଙ୍କ ପେନସନ ସେ ଦୁହିଁଙ୍କ ଚଳିବା ପାଇଁ ଯଥେଷ୍ଟ ଥିଲା। ଏବେ ଦୁହିଁଙ୍କ ନଜର ଥିଲା ଦେବଦତ୍ତଙ୍କ ଉପରେ। ହେଲେ ୩ବର୍ଷର ୟୁରୋପ ରହଣୀ ସମୟରେ ଦେବଦତ୍ତଙ୍କ ପରିଚୟ ହୁଏ ଉର୍ମି ସହିତ। ଅଣଓଡିଆ ଝିଅ। ଧନାଢ୍ୟ ପିତାମାତାଙ୍କ ଏକକ ସନ୍ତାନ। ସାଙ୍ଗ ମାନଙ୍କ ସହ ୟୁରୋପ ବୁଲିଯିବା ବେଳେ ଦୁହିଁଙ୍କ ପରିଚୟ ପରବର୍ତ୍ତି ସମୟରେ ପ୍ରେମରେ ପରିଣତ ହୁଏ। ଏପଟେ ନନା ବୋଉ ମଧ୍ୟ କୁଳୀନ ବ୍ରାହ୍ମଣ ଘରର ଶିକ୍ଷିତା ସୁନ୍ଦରୀ ଝିଅଟିଏ ମନୋନୀତ କରିଥାନ୍ତି, ଦେବଦତ୍ତଙ୍କ ସମ୍ମତିକୁ ଅପେକ୍ଷା ଥାଏ କେବଳ। ଦେବ କିନ୍ତୁ ପହଞ୍ଚିଲେ ଉର୍ମିର ବାପାଙ୍କୁ ସାଙ୍ଗରେ ନେଇ। ନନାଙ୍କ ଅଭିମାନକୁ ବାଧିଲା ବୋଲି ରୋକଠୋକ ମନାକରି ତାଙ୍କୁ ଚାଲିଯିବାକୁ କହିଲେ। ବୋଉ ତା ଏକମାତ୍ର ଭରସା ଉପରୁ ଭରସା ହରେଇ ଭାଙ୍ଗି ପଡୁଥିଲା। ଭାବି ଶ୍ବଶୁରଙ୍କ ଏଭଳି ଅପମାନରେ ଦେବଦତ୍ତ ନିଜକୁ ଦୋଷୀ ମାନିନେଇ ତାଙ୍କରି ସହିତ ସେଇଦିନୁ ଘରଛାଡିଥିଲେ, ବୋଉର ମମତା ଓ ନନାଙ୍କ ଆକଟକୁ ଏଡେଇଦେଇ। ଶ୍ବଶୁରଙ୍କ ପୃଷ୍ଠପୋଷକତାରେ ତାଙ୍କ ରୀତିନୀତି ଅନୁସାରେ ବିବାହ ସମ୍ପାଦିତ ହେଲା ଉର୍ମି ସହିତ, ନନା ବୋଉଙ୍କୁ ଜଣାଇବା ମଧ୍ୟ ଆବଶ୍ୟକ ମଣିଲେ ନାହିଁ। ଶ୍ବଶୁର ଘର ଛତ୍ରଛାୟାରେ ଗଢିଲେ ସଂସାର। ଶ୍ବଶୁରଙ୍କ ଜିଦରେ କିଛି ବର୍ଷ ସ୍ବଦେଶକୁ ଫେରିଥିଲେ ସତ, କିନ୍ତୁ ଉର୍ମି ପ୍ରରୋଚନାରେ ପୁଣି ଦେଶଛାଡି ବିଦେଶରେ ଚାକିରୀ କରିବାକୁ ଚାଲିଗଲେ।
ଏଇ ଭିତରେ ଦୁଇଟି ସନ୍ତାନଙ୍କ ଆଗମନରେ ପରିପୂର୍ଣ୍ଣ ହୋଇଛି ସଂସାର। ଶାଶୁ୍ଙ୍କ ମୃତ୍ୟୁପରେ ଶ୍ବଶୁର ଏବେ ତାଙ୍କ ସହିତ ରୁହନ୍ତି ମୁରବୀ ଭାବରେ। ଅତ୍ୟଧିକ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍ ଯୋଗୁଁ ନନାବି ଚାଲିଗଲେ କିଛି ବର୍ଷ ତଳେ। ସେତେବେଳେ ନାନୀ ବୋଉକୁ କାଳେ ଢେର ବୁଝାଇଲା ତା ପାଖରେ ରହିବାକୁ, ଦେବଦତ୍ତଙ୍କ ଶ୍ବଶୁରଙ୍କୁ ଉଦାହରଣ ବି ଦେଲା। ହେଲେ ନାରାଜ ବୋଉର ଉତ୍ତର,"ମୁଁ ତାଙ୍କଭଳି ନିର୍ଲ୍ଲଜ ନୁହେଁ ରେ ମା, ଝିଅଘର ପାଣି ପିଇବା ଯୋଉଠି ଆମ ସଂସ୍କାର ବିରୁଦ୍ଧ, ସେଠି ଝିଅ ଦୁଆରେ ପଡିରହିବା ମୋ ପାଇଁ ମରଣ ସାଙ୍ଗେ ସମାନ।" (ଏସବୁ କଥା ନାନୀ ଏଥର କହୁଥିଲା)। ବାପାଙ୍କ ଅନ୍ତେ ଚଳିବା କିଛି ଅସୁବିଧା ନଥିଲା, ତେବେ ପରିଣତ ବୟସରେ ଏକୁଟିଆ ରହିବା ଚିନ୍ତାଜନକ ନିଶ୍ଚୟ। ନନାଙ୍କ ଯିବାପରେ ଥରଟିଏ ଆସିଥିଲେ ସେ ବୋଉ ପାଖକୁ। ସ୍ନେହମୟୀ ବୋଉ ନିଜ ଆଦରର ଧନକୁ ଶିଶୁଟିଏ ଭଳି ଆଦର କରୁଥାଏ। ଦୀର୍ଘ ଏକ ଦଶନ୍ଧିର ବିଚ୍ଛେଦ ମାତୃହୃଦୟକୁ ବିଗଳିତ କରୁଥାଏ। କେତେ ଆଗ୍ରହରେ କହୁଥିଲା,"ଦେବୁରେ, ଆମଦେଶକୁ ପଳେଇ ଆସୁନୁ। ତୋ ପରିବାର ନେଇ ଏଇଠି ରହ। ମୋ ଶେଷ ଜୀବନ ତୋ ପାଖରେ କଟନ୍ତା।" ସେଦିନ ବୋଉକୁ ବୁଝେଇପାରିଲେ ନାହିଁ ଯେ, ପ୍ରଥମରୁ ତାଙ୍କ ପରିବାର ସହ ସମ୍ପର୍କ ରଖିବାକୁ ଅନିଚ୍ଛୁକ ଉର୍ମି ଏବେ ଭାରତ ଫେରିବାକୁ ମଧ୍ୟ ନାରାଜ। ଗତ ଦଶହରା ବେଳେ ଟିଭି ସମ୍ବାଦରେ ଦେଖିଲେ ଜଣେ ବୃଦ୍ଧା ପୁଅ ଅପେକ୍ଷାରେ ମୃତ୍ୟୁବରଣ କରିଥିଲେ ଆଉ ଅପେକ୍ଷାରତ ମା'ର କଙ୍କାଳକୁ ସତ୍କାର କରିବାକୁ ପୁଅ ପହଞ୍ଚିଲା ୬ମାସ ପରେ। ସେଦିନ ଖୁବ ବିଚଳିତ ହୋଇ ବୋଉକୁ ଫୋନ କରିଥିଲେ। ନିୟମିତ କଥାହେବାର ପ୍ରତିଶ୍ରୁତି ବି ଦେଇଥିଲେ। ତେବେ ୟା ଭିତରେ ୪-୫ମାସ ବିତିଗଲାଣି ଫୋନ ନକରିବାର। ନିକଟରେ ଜଣେ ପୁଅ ନିଜ ରୋଗିଣୀ ମା କୁ ଛାତରୁ ପେଲି ମାରିଦେବା ଘଟଣାରେ ବିବ୍ରତ ହୋଇ ଆସିଥିଲେ ବୋଉ ପାଖକୁ। ଉର୍ମି ସହିତ ଅନେକ ଯୁକ୍ତିତର୍କ କରି ନିଜ ନିଷ୍ପତ୍ତି ଶୁଣାଇ ଆସିଛନ୍ତି ଏଥର ବୋଉକୁ ସାଙ୍ଗରେ ନେଇଯିବେ ବୋଲି।
ଏଠି ପହଞ୍ଚି ଦେଖନ୍ତି ବୋଉ ଘରେ ନାହିଁ, କି ଘରଟା ମଧ୍ୟ ଆଉ ତାଙ୍କର ହୋଇନାହିଁ। ବୋଉ ୨ ମାସ ତଳେ ବିକ୍ରି କରିଦେଇଛି ଘର। ବଡ ଭାଇନା କି ନାନୀ ପାଖକୁ ଯାଇଥିବ ଭାବି ସେମାନଙ୍କ ଘରକୁ ଯାଇ ବିମର୍ଶ କଲେ। ତା କଥା ମାନି ତା ପାଖରେ ନରହିବାକୁ ନେଇ ନାନୀର ରାଗ ଆଉ ତାଙ୍କୁ ନଜଣାଇ ଘର ବିକ୍ରି କରିଥିବାରୁ ଭାଇନାର କୋର୍ଟ କଚେରୀ ଯାଏଁ ଯିବା ଧମକ। ଏଭିତରେ ବୋଉ ଲାଗି ଚିନ୍ତା କାହାର ନଥିଲା। ସେଠୁ ଫେରି ପୋଲିସ ପାଖକୁ ଯିବାରେ ସେଠି ଏଇ ବୁଢାବୁଢୀ ଓ ତାଙ୍କ ସଂରକ୍ଷିକା କଲଗାର୍ଲ କୁ ନେଇ ହଟ୍ଟଗୋଳ ଯୋଗୁଁ ଆଉଗୋଟେ ଦିନ ଛୁଟି ନଷ୍ଟ ହେଲା।
ସନ୍ଧ୍ୟାରେ ନିର୍ଦ୍ଧାରିତ ସମୟରେ ସେହି ଉଚ୍ଚ ପଦସ୍ଥ ପୋଲିସ ଅଫିସରଙ୍କ ସହିତ ସାକ୍ଷାତ ହେବା ପୂର୍ବରୁ ଘର ଆଖପାଖ ଲୋକଙ୍କ ସହିତ ସାକ୍ଷାତ କରି ଆଉ କିଛି ତଥ୍ୟ ପାଇବା ଆଶାରେ ଦେବଦତ୍ତ ବାହାରି ପଡିଲେ। ସେଇ ଗଳିକନ୍ଦିରେ ବିତିଥିଲା ତାଙ୍କ ପିଲାଦିନ। ରୂପରେଖ ଅନେକ ବଦଳି ଯାଇଥିଲେ ବି ଆଜିମଧ୍ୟ ଖୁବ ଆପଣାର ଲାଗେ। ସେଠିକା ଲୋକଙ୍କଠୁ ଜାଣିଲେ ବୋଉ କାହାକୁ ଘର ବିକିଛି। ସେ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଜାଣିଲେ ଯେ ଘରବିକ୍ରିରେ ମଧ୍ୟସ୍ଥତା କରିଥିଲା 'ମୋହିନୀ', ସେଇ 'ମୋହିନୀ' କଲଗାର୍ଲ, ଯାହାଲାଗି ଥାନାରେ ବୃଦ୍ଧଙ୍କ ଭିଡ ଲାଗିଥିଲା। ତେବେ ମୋହିନୀ ଯୋଗୁଁ ହିଁ ଘରପାଇଁ ବେଶୀ ମୂଲଚାଲ ସମ୍ଭବ ହେଲାନି ଆଉ ତାଙ୍କୁ କ୍ଷତି ହେଲା ବୋଲି ନୁଆ ମାଲିକ ଜଣଙ୍କ ଅବସୋସ କରୁଥିଲେ। ବୋଉ ବିଷୟରେ ମୋହିନୀ ଠାରୁ ଅଧିକ ଜାଣିହେବ, ପୁଣି ବୋଉର ସେ କଲଗାର୍ଲ ସହ ପରିଚୟ ବି ବଡ ଆଶ୍ଚର୍ଯ୍ୟଜନକ। ସନ୍ଧ୍ୟାରେ ପୋଲିସ ଅଫିସରଙ୍କ ସହିତ ବୋଉକୁ ଖୋଜିବା ପାଇଁ ଅନୁରୋଧ କରିବାବେଳେ , ବୃଦ୍ଧବୃଦ୍ଧାଙ୍କ ସାହାରା ମୋହିନୀ ପାଇଁ ମଧ୍ୟ ସୁପାରିସ କଲେ। ଜାମିନ ପାଇଁ ମୁଚାଲିକା ଅର୍ଥ ସେ ନିଜେ ବହନ କରିବେ ବୋଲି ଆଗୁଆ ସମ୍ମତି ବି ଜଣାଇଲେ।
ସେଦିନ ରାତିଟା ବଡ ଉତ୍କଣ୍ଠାରେ କଟିଲା। ପରଦିନ ପହଞ୍ଚିଲେ ସେହି ବୃଦ୍ଧାଶ୍ରମରେ। ମୋହିନୀ ମଧ୍ୟ ମୁକ୍ତହୋଇ ପହଞ୍ଚିଥାଏ, କଲଗାର୍ଲ ସଜ୍ଞା ପଚାରିଥିବା ବୃଦ୍ଧା ଜଣକ ତା ଦେହମୁଣ୍ଡକୁ ଆଉଁସି ଦେଉଥାନ୍ତି। ଦେବଦତ୍ତ ତାଙ୍କ ପାଖକୁଯାଇ ନିଜ ପରିଚୟ ଦିଅନ୍ତେ ବୃଦ୍ଧା ତାଗିଦ କରିବା ସ୍ବରରେ କହିଲେ,"ତୁ ମାଳବିକା ଅପାର ପୁଅ, ଦେବୁ! କାଲି କହିଲୁନି? ଆଉ କାହିଁକି ଆସିଲୁ ବାପା? ବୋଉ ଥିଲା ବେଳେ ଟିକେ ତୋ ମୁହଁ ଦେଖେଇଥାନ୍ତୁ ଯଦି ଅପା ଆଉ କିଛିଦିନ ବଞ୍ଚିଥାନ୍ତା ନିଶ୍ଚୟ। କେତେ ଝୁରି ହେଉଥିଲାରେ ତୋତେ। ସବୁବେଳେ କହେ, କେହି ନହେଲେ ମୋ ଦେବୁ ନିଶ୍ଚୟ ଆସିବ। ସେଇ ପିଲାଟା ମୋର ସବୁଠୁ ଗୁଣର। ସ୍ତ୍ରୀ ଯେତେ ପାଖରେ ଶୋଇ କାନରେ କହିଲେ ବି ନାହିନାଡର ସମ୍ପର୍କକୁ ଛିଣ୍ଡେଇ ପାରିବନି। ମୃତ୍ୟୁ ଯାଏଁ ଦେବୁ ଛଡା ଆଉ କାହା ନାଁ ନଥିଲା ତୁଣ୍ଡରେ। ତତେ ସମ୍ପର୍କ କରିବାର ବହୁ ଚେଷ୍ଟା କରି ବିଫଳ ହେଲୁ ସେଦିନ। ତୋ ଭାଇ ଭଉଣୀଙ୍କୁ ଖବର କରିବା ଉପାୟ ନଥିଲା ଆମ ପାଖରେ। ଏଇ ମୋହିନୀ ତାଙ୍କୁ ଥରେ ସଂଜ୍ଞାହୀନ ଅବସ୍ଥାରେ ରାସ୍ତାରୁ ଉଠାଇ ଆଣିଥିଲା। ସୁସ୍ଥ ହେବାଯାଏଁ ଏଇଠି ଥିଲେ। ବହୁତ ସେବା କରିଛି ମୋହିନୀ ତାଙ୍କର, ଯେମିତି ଆମମାନଙ୍କ ସେବା କରେ। ଭଲ ହେଲାପରେ ତତେ ଫୋନ କଲେ, ହେେ ତୋ ପଟୁ କିଛି ଉତ୍ତର ପାଇଲେନି ରେ ବାପା। ହଠାତ ଝୁଙ୍କ ଧରିଲେ ଘର ବିକ୍ରି କରିବେ। ମୋହିନୀ କେତେ ବୁଲିବୁଲି ଗ୍ରାହକ ଠିକଣା କଲା। ଘର ବିକ୍ରିହେଲା। ସେ ଟଙ୍କାତକ ବ୍ୟାଙ୍କରେ ଅଛି। ଅପା ସେଇ ବାବଦ ହିସାବ କାଗଜପତ୍ର ମୋ ଜିମା ଦେଇ ଯାଇଛି। ଶେଷ ସମୟ ତକ ଏଇଠି ଆମରି ସାଙ୍ଗରେ ରହିଲେ। ମଡା ରଖି କେତେ ଆଉ ଅପେକ୍ଷା କରିଥାନ୍ତୁ ତୁମ ମାନଙ୍କୁ? ସେଥିପାଇଁ ଆମେମାନେ ମିଶି ସଂସ୍କାର କର୍ମ କରିଲୁ। ଏଠି ସବୁ ବୁଢାବୁଢୀଙ୍କ ଅବସ୍ଥା ଏମିତିଆ। କାହାକୁ ପିଲାମାନେ ଘରୁ ତଡିଦେଇଛନ୍ତି ତ କିଏ ନିଜ ଆତ୍ମସ୍ବାଭିମାନ ନେଇ ପଳେଇ ଆସିଛି। ଭଲହେଲା ମୁଁ ନିଃସନ୍ତାନ। ସାରା ଜୀବନ ବାଞ୍ଝ ବୋଲି ଗଞ୍ଜଣା ଶୁଣିବା ନିଜ ପିଲାଙ୍କ ଠାରୁ ଏମିତି ତିରସ୍କାର ପାଇବା ଅପେକ୍ଷା କମ୍ କଷ୍ଟଦାୟକ ନିଶ୍ଚୟ। ଆମ ଶାସ୍ତ୍ର କହେରେ ପୁଅ, ଆତ୍ମାଟିଏ ଜନ୍ମନେବା ପାଇଁ ଜନନୀ ଜଠର ନିଜେ ଚୟନ କରେ। ତେଣୁ ବାପା ମା ଯେମିତିକା ହୁଅନ୍ତୁ ପଛେ, ତାଙ୍କୁ ତୁମେ ବାଛିଚ ଯେତେବେଳେ, ତୁମେହିଁ ଆଡଜଷ୍ଟ କରିବା ଉଚିତ। ହେଲେ ଦେହ, ମନ ର ସୁଖ ପାଇବା ପାଇଁ ଜୀବନସଙ୍ଗୀ ମୋହ ରେ ଜନକ-ଜନନୀକୁ ହତାଦର କଲେ କିମ୍ବା ଗୋଡରେ ଆଡେଇ ତୁମେ ମାନେ ଆଦୌ ଠିକ କରୁନାହଁରେ ପିଲେ। ଏଇ ମୋହିନୀ ଆମ ଭଳି ଅସହାୟଙ୍କ ଆଶାବାଡି ସାଜିଛି। ତାକୁ ମୁକୁଳେଇବାରେ ସାହାଯ୍ୟ କରି ତୁ ଆମ ଉପରେ ବଡ ଉପକାର କରିଛୁ ବାବା। ଆ ମୋ ସାଙ୍ଗରେ। ତୋ ବୋଉ ଦେଇଯାଇଥିବା କାଗଜପତ୍ର ତୋତେ ଜିମା ଦେଇଦେଲେ ମୋତେ ଗୋଟାଏ ଗୁରୁ ଦାୟିତ୍ବରୁ ମୁକ୍ତି ମିଳିବ।"
ପଶ୍ଚାତାପ ଓ ଅନୁଶୋଚନା ରେ ବୋଉ ଲାଗି ବିକଳ ହୋଇ କାନ୍ଦିଉଠିଲେ ଦେବଦତ୍ତ। ନନା ଓ ବୋଉ, ଉଭୟଙ୍କୁ ଚିତାଗ୍ନି ଦେବା କି ମୃତ୍ୟୁ ସଂସ୍କାର ହେବା ଦୂରକଥା, ଶେଷ ସମୟରେ ଦେଖିବାକୁ ବି ସକ୍ଷମ ହେଲେନି। ମନେ ପଡୁଥିଲା, ଏଠି ବୋଉ ମୃତ୍ୟୁର ଚିରଶୀତଳ ନିଦ୍ରାରେ ତାଙ୍କୁ ଝୁରିହେଇ ଶୋଇପଡୁଥିଲା ବେଳେ ସେ ସେଠି ଉର୍ମିର ଜନ୍ମଦିନ ପାଳନ କରିବାରେ, ଭବ୍ୟ ପାର୍ଟି ଏଞ୍ଜୟ କରିବାରେ ମସଗୁଲ ଥିଲେ। ଆତ୍ମା ଧିକ୍କାର କରୁଥିଲା। କିନ୍ତୁ ସମୟକୁ ଶତଚେଷ୍ଟା କରି ପଛକୁ ଫେରାଇ ହେବନାହିଁ। ଆଉ କିଛିଦିନ ଛୁଟି ବଢାଇ ନେଲେ ଦେବଦତ୍ତ। ନିତି ବୃଦ୍ଧାଶ୍ରମ ଆସି ସେହି ସନ୍ତାନହୀନା ବୃଦ୍ଧାଙ୍କ ସହିତ ସମୟ ବିତାନ୍ତି। ବୋଉ ସମ୍ପତ୍ତିର ଚାରିଭାଗ କରି ଭାଗେ ବୃଦ୍ଧାଶ୍ରମକୁ ଦାନ କରିଦେଇଛି ମୋହିନୀ ତତ୍ତ୍ବାବଧାନରେ, ଏବଂ ବାକି ତିନିଭାଗ ତିନି ପିଲାଙ୍କ ପାଇଁ ଛାଡିଯାଇଛି। ଦେବଦତ୍ତ ମନ୍ୟ ନିଜ ଭାଗର ସମ୍ପତ୍ତି ତକ ମୋହିନୀ ଜିମାରେ ଆଶ୍ରମ କୁ ଦାନ କରିଦେଲେ। ଦିନେ ସେ ବୃଦ୍ଧାଙ୍କୁ ଅନୁରୋଧ କଲେ,"ମା, ମୋର ଗୋଟେ କଥା ରଖିବ? ଯେମିତି ସନ୍ତାନହୀନ ମାତାପିତା ଅନାଥ ଶିଶୁଙ୍କୁ ଦତ୍ତକ ଭାବେ ଆପଣାଇ ନିଜ ସଂସାର ପରିପୂର୍ଣ୍ଣ କରନ୍ତି, ସମିତି ମୁଁ ତୁମକୁ ଦତ୍ତକ ମା ରୂପେ ଗ୍ରହଣ କରିବାକୁ ଚାହେଁ। ମନା କରନି। ମୋ ବୋଉକୁ ମୁଁ ଆଉ ଫେରିପାଇବିନି, ତେବେ ବୋଉକୁ ତୁଭ ଭିତରେ ଦେଖି ଏ ଅନାଥ ଦେବୁ ମନରେ ମାତୃସ୍ନେହ ପାଇବାର ଲାଳସା ଜାଗିଛି। ମୋ କଥା ରଖିଦିଅ।" ବୃଦ୍ଧାଙ୍କ ଶୁଖିଲା ଆଖିରୁ ବୋହୁଥିଲା ମମତାର ଲୁହ ଏବଂ ଦେବଦତ୍ତଙ୍କୁ ଆବୋରି ଥିଲା ବିଳପିତ ମାତୃତ୍ବର ବହୁ ପ୍ରତିକ୍ଷିତ ଏକ ବହଳ ଆଶ୍ଳେଷ।
ଲିଙ୍କ୍ ରୋଡ଼, କଟକ
Go Back to Previous Page
ଘରର ଇଜ୍ଜତ
ବିନୟ ମହାପାତ୍ର
Read Article
ଅନ୍ତର୍ଦ୍ବନ୍ଦ
ଦୀପାଞ୍ଜଳୀ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ