ଭାଙ୍ଗିଗଲେ ବି ଝରକା ଯୋଡ଼ି ପାରୁଥାଏ ଘରର ଭିତର ସଂସାର ସହ ବାହାରର ଅଜଣା ଦୁନିଆ ଧିରେ ଧିରେ ବାହାରର ଚରିତ୍ର ସବୁ ନିଜର ହେଇଯାଏ ଘର ଭିତରର ମଣିଷମାନଙ୍କ ସହ ଭଙ୍ଗାଝରକା କେବେ ଅସ୍ୱୀକାର କରେନା ସମ୍ପର୍କ ଯୋଡ଼ିବାକୁ।
ସବୁଦିନ ପରି ଆଜି ମଧ୍ୟ ଅନିରୁଦ୍ଧ ବସିଛି ନିଜ ସରକାରୀ ବାସଭବନର ଭଙ୍ଗାଝରକା ପାଖରେ। ଭାରାକ୍ରାନ୍ତ ତାଙ୍କର ମନ ଓ ଶରୀର। ତା’ର କାରଣଟିଏ ଅଛି। ଚାକିରିର ପନ୍ଦର ବର୍ଷ ମଧ୍ୟରେ ତାଙ୍କର ଏ ସପ୍ତମ ଥର ପାଇଁ ବଦଳି। କାଲି ଯେମିତି ହେଲେ ତାଙ୍କୁ ରାମଗଡ଼ର କଲେଜ ଛାଡ଼ି ବ୍ରହ୍ମପୁର ମହାମାୟୀ କଲେଜରେ ଜଏନ କରିବାକୁ ହେବ ଇତିହାସ ବିଭାଗରେ ଅଧ୍ୟପକ ଭାବେ। ମୁଣ୍ଡଟା ବଥଉଛି ବେଶୀ। ଏ କଲେଜରେ ଜଏନ ହେବାର ବର୍ଷେ ପୁରିନି, ପୁଣିଥରେ ଏ ପ୍ରକାର ବଦଳି। ରାଜ୍ୟର ରାଜନୀତି ଶିକ୍ଷା ଓ ଶିକ୍ଷକମାନଙ୍କ ଜୀବନକୁ ଉଈ ଭଳି ଚରିଯାଉଛି।
ରୁମର ଲାଇଟକୁ ବନ୍ଦ କରିଦେଲେ ସେ। ଆଲୁଅର ଜୀବନଟା ଖାଁ ଖାଁ ଲାଗିଲାଣି। ତାଙ୍କୁ ଏବେ ଚାଳିଶି କି ଏକଚାଳିଶି ବର୍ଷ ହେବ। ଏ ଯାଏଁ ସେ ଏକା। ଅବିବାହିତ ଓ ଦାୟିତ୍ୱହୀନ। ଦାୟିତ୍ୱହୀନ ଏଥିପାଇଁ ଯେ ଭାଇବନ୍ଧୁ ପରିବାରର କୌଣସି ବୋଝ ତାଙ୍କର ନାହିଁ। ତା’ ଅର୍ଥ ନୁହଁ ଯେ ସେ ଏ ସଂସାରରେ ଏକା।
ବାପା ମଲାପରେ ଯୁବକ ବୟସରୁ ଘରର ସଂପୂର୍ଣ୍ଣ ଦାୟିତ୍ୱ ତାଙ୍କରି ମୁଣ୍ଡରେ ପଡ଼ିଥିଲା। ଶିକ୍ଷକକତାରୁ ଅଧ୍ୟାପନ। ଜୀବନ ଭିତରେ ଦୁଇ ଭଉଣୀର ବାହାଘର ସାରିଛନ୍ତି ସେ। ଦୁଇଭଉଣୀ ପରେ ସାନ ଭାଇର ପାଠପଢା। ଏ ସବୁ ଦାୟିତ୍ୱ ତୁଲାଉ ତୁଲାଉ ତାଙ୍କ ନିଜ ବିବାହ ବୟସ କେତେବେଳେ ଗଡିଗଲା ମୋଟେ ଜଣା ପଡିଲା ନାହିଁ। ସାନ ଭାଇ ଚାକିରି କରୁ କରୁ ପ୍ରେମବିବାହ କରି ଘର ଛାଡିଦେଲା ଯେ, ବୁଢ଼ୀ ମା ତାକୁ ଝୁରିଝୁରି ମରିଗଲା। ଯେଉଁମାନଙ୍କ ଦାୟିତ୍ୱ ବହନ କରୁକରୁ ତା ଜୀବନର ଅନେକ ବସନ୍ତକୁ ସେ ଭୁଲିଯାଇଛି, ସେମାନେ ମଧ୍ୟ କେବେବି ନିଜର ହୋଇ ତାଙ୍କ ବିଷୟରେ ଭାବି ନାହାନ୍ତି।
ଏ ସ୍ୱାର୍ଥପର ଦୁନିଆରେ ପର ତ ପର ନିଜର ଆଉ ନିଜର ହେଇନାହାନ୍ତି। ସେଥିପାଇଁ ଆଜିଯାଏଁ ସେ ଏକୁଟିଆ ଓ ନିଃସଙ୍ଗ। ଯେତେବେଳେ ସେ ନିଜେ ନିଜ ପାଇଁ ଭାବିବାକୁ ଚେଷ୍ଟାକଲେ ତାଙ୍କର ଆଉ ସାହାସ ନଥିଲା କାହା ଆଗରେ ବାହାଘର କଥା ହେବାକୁ। ସମସ୍ତିଙ୍କର ଗୋଟିଏ କଥା - “ଅନିରୁଦ୍ଧ ବାବୁ, ବୟସ ଗଡିଗଲା ପରେ ବାହାଘରର ମଜା ଆଉ ମିଳିବ ନାହିଁ। ଯଦି ପାରିବେ ଘରେ ବସି ବସି ବୁଢୀ ହେଇଥିବା ଝିଅ, ବିଧବା କି ସ୍ୱାମୀଛଡା ସ୍ତ୍ରୀ ଦେଖି ସଂସାର କରିଦିଅ। ବାକି ଜୀବନ କଟିଯିବ।” ଯେମତି ଜୀବନଟା ଏକ ଗାଡି। ପେଟ୍ରୋଲ ସରିଗଲେ ଚାଲିବନି। ଏ କଥା ଶୁଣିଶୁଣି ଅନ୍ୟମାନଙ୍କ ସହ ନିଜ ଉପରେ ମଧ୍ୟ ରାଗ ଆସେ। ରାଗ ଆସେ ନିଜର ଅସଜଡା ଘରକୁ ଦେଖି। ରାଗ ଆସେ ଅସ୍ତବ୍ୟସ୍ତର ଜୀବନକୁ ନେଇ।
ବେଳେବେଳେ ଅନିରୁଦ୍ଧ ଭାବନ୍ତି କେତେ ଭଲ ହେଇଥାନ୍ତା ଯଦି ତାଙ୍କର ସୁନ୍ଦର ସ୍ତ୍ରୀଟିଏ ଥାଆନ୍ତା। ସକାଳୁ ସକାଳୁ ତାଙ୍କ ମନ ମୁତାବକ ଜଳଖିଆ ଖୁଆଇ ପିଆଇ ରୋମାଣ୍ଟିକ ହସ ସହ କାମକୁ ଛାଡନ୍ତେ। କାମସାରି ଘରକୁ ଫେରୁଫେରୁ ଅପେକ୍ଷାରତ ସୁନ୍ଦରୀ ସ୍ତ୍ରୀ ତାଙ୍କ ଗଳାରେ ସର୍ପିଣୀ ବାହୁ ଦୁଇ ଦେଇ କହିଥାଆନ୍ତେ - “ଦିନଯାକ ତୁମକୁ ବହୁତ ମିସ କରିଛି। ଭଲହେଇଥାନ୍ତା ଯଦି ଘରେ ଦୁଇ ତିନିଟା ଛୁଆ ଖେଳିବୁଲି ଗହଳି କରିଥାଆନ୍ତେ। ଘରଟା ସବୁବେଳେ ପୁରାପୁରି ଲାଗିଥାଆନ୍ତା।”
କିନ୍ତୁ ତାଙ୍କରି ଭାଗ୍ୟରେ ଏ ସବୁ କାହିଁ? ଚାକିରି, ଧନସମ୍ପତ୍ତି, ସମାଜରେ ମାନସମ୍ମାନ ସବୁଥାଇ ମଧ୍ୟ ସେ ଏକୁଟିଆ। ତାଙ୍କର ଯତ୍ନ ନେବାକୁ, ତା’ଙ୍କୁ ଭଲପାଇବାକୁ, ତାଙ୍କରି ସମସ୍ତ ଦୁଃଖକୁ ବାଣ୍ଟିନେବାକୁ ଏଠି କେହି ବି ଜଣେ ନାହିଁ।
ଝରକା ବାହାରକୁ ଏକ ଲୟରେ ଅନେକ ରହିଥିଲେ ଅନିରୁଦ୍ଧ। ଏବେବି ମନଟା ଭାରାକ୍ରାନ୍ତ। କିନ୍ତୁ ଏ କି ବ୍ୟତିକ୍ରମ? ଭଙ୍ଗାଝରକାରୁ ଦେଖା ଯାଉଥିବା ପୁରୁଣା ଜରାଜୀର୍ଣ୍ଣ ମନ୍ଦିରରେ ଆଜି ଆଳତି ଘଣ୍ଟାର ଶଦ୍ଧ କାହିଁକି ନାହିଁ? ବରଂ କିଏ ଜଣେ ବାହୁନି ବାହୁନି କାନ୍ଦୁଛି। ସେ କାନ୍ଦ ଏତେ କରୁଣ ଯେ ଶୁଣିବା ଲୋକଙ୍କର ହୃଦୟ ଫାଟିପଡିବ ନିଶ୍ଚୟ। ସବୁବେଳେ ଦେଖାଯାଇଥିବା ନାରୀଟି ଆଜି ଦେଖାଯାଉ ନାହିଁ କାହିଁକି?
“ସାଧୁନନା! ଓ ସାଧୁନନା। ଟିକେ ଶୁଣିବକି?” ନିଜ ପାଇଁ ରଖିଥିବା ରାନ୍ଧୁଣିଆ ଭାଇନାକୁ ଡାକିଲେ ସେ।
ସାଧୁନନା ଆସି ଘର ଭିତରର ଲାଇଟ୍ ଲଗାଇଲେ। “ଲାଇଟ୍ ବନ୍ଦ ଥାଉ ସାଧୁନନା। ଆଲୁଅ କେମିତି ଖାଇଗଲା ଭଳି ଲାଗୁଛି।” ଲାଇଟ୍ ବନ୍ଦ କରିଦେଲେ ସାଧୁନନା।
“କ’ଣ ପାଇଁ ଡାକିଲେ ମାଷ୍ଟର ଜୀ?”
“ସାଧୁନନା! କିଏ ଏତେ ବାହୁନି କାନ୍ଦୁଛି ସେ ଭଗ୍ନ ମନ୍ଦିରରେ? ଘଣ୍ଟଆଳତି ମଧ୍ୟ ଆଜି ଶୁଣା ଯାଉନି। ବର୍ଷେ ବିତିଗଲା ଏ ଝରକା ଠିକ ହୋଇପାରିଲା ନାହିଁ। ଯାହା ହେଲା ଭଲ ହେଲା। ମୋ ଜୀବନଟା ମଧ୍ୟ ଠିକ ଏଇ ଭଙ୍ଗାଝରକା ପରି। ତା ଦେଇ ସାରା ଦୁନିଆକୁ ଦେଖିହେବ ସିନା, କିନ୍ତୁ ବାହାର ଦୁନିଆ ପାଇଁ ଏ ଝରକା ଅସଜଡା ଓ ଅନାବଶ୍ୟକ। ଏ ବର୍ଷେ ଭିତରେ ଝରକା ସହିତ ମୋର ଘନିଷ୍ଠତା ବଢି ଯାଇଛି। ସବୁବେଳେ ମୁଁ ଦେଖିଛି ଝରକା ସେପଟର ମନ୍ଦିର, ଘଣ୍ଟ ଆଳତି ଓ ଅଦେଖା ପୁଜାରିଣୀ। ଦିନେ ନ ଦେଖିଲେ ଦିନ ସରିଲା ଭଳି ଲାଗୁନି। କିନ୍ତୁ ଆଜି ଏ କାନ୍ଦ କାହିଁକି?”
“କଣ କହିବି ମାଷ୍ଟର ଜୀ। ପାହାଡ ପାଦତଳ ଏ ଅଞ୍ଚଳରେ ଅନେକ ଆଦିବାସୀ। ଏବେବି ଅନ୍ଧ ବିଶ୍ୱାସ ସେମାନଙ୍କ ଜୀବନକୁ ମାଡି ବସିଛି। ଯେଉଁ ଝିଅଟିକୁ ଆପଣ ସବୁବେଳେ ଦେଖୁଛନ୍ତି ବଡ ଅଭାଗିନୀଟେ। ଏ ଗାଁକୁ ବୋହୁହୋଇ ଆସିବା ପର ଦିନ ସ୍ୱାମୀର ମୃତ୍ୟୁ ହେଲା ସର୍ପ ଦଂଶନରେ। ପୁଅ ମୃତ୍ୟୁର ତେର ଦିନ ଶାଶୁ ଶ୍ୱଶୁରଙ୍କ ମରଣ ପୁରୁଣା ଘରକାନ୍ଥ ପଡିଯିବାରୁ। ସେଇ ଦିନଠୁ ଗାଁ ଲୋକଙ୍କ ଆଗରେ ସେ ପାଲଟିଲା ଡାହାଣୀ। ଗାଁ ଲୋକେ ପଥର ମାରି ମାରି ତା’କୁ ଗାଁରୁ ବାହାର କରିଦେବାକୁ ଯାଉଥିଲେ। କିନ୍ତୁ ପ୍ରାଣ ବଞ୍ଚେଇବାକୁ ଯାଇ ଏ ପୁରୁଣା ମନ୍ଦିରକୁ ପଶିଗଲା।”
ପୁରୁଣା ମନ୍ଦିରର ପୂଜାରୀ ଆତ୍ମହତ୍ୟା କରିଥିଲା ବୋଲି ସେ ମନ୍ଦିର ଅଭିଶପ୍ତ ଓ ଭୂତକୋଠରୀ - ଏ କଥା ଗାଁ ଲୋକେ ବିଶ୍ୱାସ କରନ୍ତି। ଲୋକମାନେ ମନ୍ଦିର ଯିବା ଛାଡି ଦେଇଥିଲେ। ସେ ଦିନଠୁଁ ବିଚାରୀ ସେଇ ମନ୍ଦିରରେ ପଡି ରହିଛି। ଦିନର ଆଲୁଅ ତା’ ପାଇଁ ମନା। ସନ୍ଧ୍ୟାର ଆଳତି ତା’ ଜୀବନ। ମନ୍ଦିର ପୂଜାରୀର ବିଧବା ବୁଢ଼ୀ ସ୍ତ୍ରୀ ଗାଁ ଗାଁ ଭିକ ମାଗି ଯାହାସବୁ ଆଣୁଥିଲା ଦୁହେଁ ଚଳି ଯାଉଥିଲେ। କିନ୍ତୁ ଆଜି ସେ ମଧ୍ୟ ସଂସାର ଛାଡିଦେଲେ। ସେଥିପାଇଁ ବାହୁନି ବାହୁନି କାନ୍ଦୁଛି ବେଚାରୀଟା। ତା’ ଦୁନିଆ ଯେମିତି ଉଜୁଡିଗଲା। କଅଁଳ ବୟସରୁ ଏ ଯନ୍ତ୍ରଣା। ଏ ଦଣ୍ଡ। ଏ ଯାତନା!”
ସାଧୁନନା ବଡ ଦୁଃଖର ସହ କଥାସବୁ କହିଗଲେ।
କିଛି ସମୟ ପାଇଁ ଅନ୍ଧାରଭରା ରୁମ୍ଟା ଅତି ଗୋପନୀୟ ହୋଇଉଠିଲା।
“ମାଷ୍ଟର ଜୀ! କାହାକୁ କିଛି କହିବେନି। ନଚେତ ଏ ଅଞ୍ଚଳର ଲୋକେ ଆପଣଙ୍କୁ ଛାଡିବେନି। ଆସନ୍ତା ରାତି ଦୁଇଟାରୁ ଚାରିଟା ସମୟରେ କେତେକ ଗାଁର ଭେଣ୍ଡିଆ ମନ୍ଦିରରେ ନିଆଁ ଲଗେଇ ଝିଅଟାକୁ ମାରିଦେବାକୁ ଭୁଟୁଭାଟ ହେଇଛନ୍ତି। ହେ ଭଗବାନ! କିଏ ଜଣେ ଭଦ୍ରଲୋକ ଥାଆନ୍ତା କି! ବିଚାରୀର ଜୀବନଟା ଉଦ୍ଧାର କରି ଏ ଗାଁରୁ ନେଇଯାଇଥାନ୍ତା।” ଏତିକି କହି ସାଧୁନନା ରୋଷେଇ କରିବାକୁ ଚାଲିଗଲେ।
ମନ ବିଚଳିତ ହେଲା ଅନିରୁଦ୍ଧଙ୍କର। ଆଧୁନିକ ଯୁଗର ଏ ପୃଥିବୀରେ ଏବେ ବି ଏ ପ୍ରକାର ଅନ୍ଧବିଶ୍ୱାସ। ଅର୍ଥାତ୍ ଆଉ ଦୁଇ ଦିନ ପରେ ସେ କେବେବି ଝିଅଟିକୁ ଦେଖି ପାରିବେନି। ଝିଅଟା ନିଆଁରେ ଜଳିଜଳି ଦଗ୍ଧିଭୂତ ହେଇଯିବ। କି ଦୋଷ ତା’ର ? କ’ଣ କରିପାରିବେ ଅନିରୁଦ୍ଧ?
କେଜାଣି କାହିଁକି ଅନିରୁଦ୍ଧଙ୍କର ମନଟା ଅଶାନ୍ତ ହେଇଗଲା। ବିଚଳିତ ହେଇଗଲା ତା’ଙ୍କର ସମସ୍ତ ସଂସାର ଓ ସତ୍ତା। ଏ ବର୍ଷେ ଭିତରେ କେମିତି କେଜାଣି ଗୋଟେ ଅଜଣା ସମ୍ପର୍କ ଗଢିଉଠିଛି ସେ ମନ୍ଦିର ସହ। ସେ ମନ୍ଦିରରେ ଥିବା ଅଦୃଶ୍ୟ ନାରୀ ସହ। ସେ ବଜାଉଥିବା ନିତିଦିନିଆ ଆଳତିଘଣ୍ଟା ସହ। ଏକୁଟିଆ ଜୀବନର ସାଥି ଭଙ୍ଗାଝରକା ସହ।
X X X X X
ରାତିସାରା ନିଦ ହେଲାନି ଅନିରୁଦ୍ଧଙ୍କୁ। ଏକ ଅଜଣା ଭୟ ମନ ଭିତରେ ଚକାମାରି ବସିଛି ବିଷାକ୍ତ ସାପ ବସିଲା ଭଳି। ଏକ ଅଜଣା ଆତଙ୍କ ସୃଷ୍ଟି ହେଇଛି ହୃଦୟରେ। କିଛି ଗୋଟେ କରି ନେବାର ତୀବ୍ର ଇଛା ବାରମ୍ବାର ତାଙ୍କୁ ଡିଷ୍ଟର୍ବ କରୁଛି। ଆଖି ବନ୍ଦ କରି ପଡିରହିଲେ ମଧ୍ୟ ନିଦ ଆସୁନାହିଁ। ନିଃସଙ୍ଗ ତା’ ଜୀବନରେ କାହାପାଇଁ କିଛି କରିବାର ପ୍ରଶ୍ନ ତାଙ୍କୁ ବାରମ୍ବାର ଆନମନା କରୁଛି। ଜଣେ ଅଧ୍ୟାପକ ହୋଇ କ’ଣ ସେ ଏ ପ୍ରକାର କୁକର୍ମର ବିରୋଧ କରିପାରିବେନି? ପୋଲିସ ପାଖକୁ ଯିବେକି? ଯଦି ପୋଲିସ୍ ସେମାନଙ୍କ ସହ ଏ ପାପ କର୍ମରେ ସାମିଲ ଥିବେ ....?
ଉଦ୍ଦେଶ୍ୟହୀନ ହୋଇ ଏ ଜାଗାରୁ ସେ ଜାଗା ବୁଲି ବୁଲି ଚାକିରି କରିବା ଅପେକ୍ଷା କିଛି ଗୋଟେ ଉଦ୍ଦେଶ୍ୟମୂଳକ କାମ କରିବା ଢେର୍ ଭଲ। ଶେଯ ଉପରୁ ଧଡକିନା ଉଠିଗଲେ ସେ। ଅନ୍ଧାର ଭିତରୁ ଭବିଷ୍ୟତର ଆଲୁଅଟିକେ ଚମକି ଉଠିଲା ତାଙ୍କରି ଜୀବନର ଏଇ ଘଡିସନ୍ଧି ମୁହୂର୍ତ୍ତରେ। ନିଜର ଡ୍ରେସ୍ ଓ ଅନ୍ୟାନ୍ୟ ଆବଶ୍ୟକ ବସ୍ତୁ ସବୁ ସାଉଁଟିବାରେ ଲାଗିଲେ। ନିଜର ଅଟାଚ ଧରି ଅନ୍ଧାର ଭିତରେ ସରକାରୀ ବାସ ଭବନ ଛାଡି ଏକାମୁହାଁ ହୋଇ ବାହାରିଗଲେ।
ମନ୍ଦିରର ଏପଟ ସେପଟ ଭଲ ଭାବରେ ନିରେଖି ଦେଖିନେଲେ ଅନିରୁଦ୍ଧ। କାଳେ କିଏ ତା’ଙ୍କୁ ପିଛା କରିଥିବ। ଏ ସମୟରେ ନିଜ ବାସଭବନର ସାଧୁନନା ଉପରେ ମଧ୍ୟ ସେ ଭରଷା କରିପାରିବେନି। ପାଦ ଚିପିଚିପି ପ୍ରବେଶ କଲେ ମନ୍ଦିର ଭିତରକୁ।
“କିଏ ତମେ ? କ’ଣ ବା ଆଉ ମୋ ପାଖରେ ଅଛି ଯେ ତମେମାନେ ନେବାକୁ ଆସିଛ? ଯେତେ ଶୀଘ୍ର ପାରିବ ଏଠୁ ଚାଲିଯା। ନଚେତ ମୁଁ ଡାହାଣୀ ତମକୁ କଞ୍ଚା ଖାଇନେବି।” ଡରେଇଲା ଭଳି କହିଲା ଝିଅଟି।
“ଦୟାକରି ପାଟି କରନ୍ତୁ ନାହିଁ। ମୁଁ ଆପଣଙ୍କର କୌଣସି ଅସୁବିଧା କରିବାକୁ ଆସିନାହିଁ।” ଅନୁରୋଧର କଣ୍ଠସ୍ୱରରେ କହିଲା ଅନିରୁଦ୍ଧ।
“କିଏ ତମେ?”
“ମୋତେ ତମେ ଜାଣି ପାରିବନି। ମୁଁ ଏ ଗାଁ କଲେଜର ଇତିହାସ ଅଧ୍ୟାପକ ଅନିରୁଦ୍ଧ। ମୁଁ ଏ ଗାଁର ବାସିନ୍ଦା ନୁହଁ। ତେଣୁ ଭୟ କରିବାର କିଛି ନାହିଁ। ତମେ ମୋତେ ଦେଖ କି ନାହିଁ ମୁଁ ଜାଣିନି। ମୁଁ କିନ୍ତୁ ମନ୍ଦିର ସାମ୍ନାରେ ଥିବା ସରକାରୀ ବାସ ଭବନରୁ ସବୁବେଳେ ତୁମକୁ ଦେଖେ।”
“ସେ ଭଙ୍ଗାଝରକାରୁ?”
ଭଙ୍ଗାଝରକା କଥା ଶୁଣି ବେଶୀ ଖୁସି ହେଲା ଅନିରୁଦ୍ଧ। ତାହା ହେଲେ ଝିଅଟା ତାଙ୍କୁ ସବୁବେଳେ ଦେଖୁଛି। ତାଙ୍କୁ ଲାଗୁଥିଲା ଏ ବର୍ଷେ ଭିତରେ ଭଙ୍ଗାଝରକାଟା ସେମାନଙ୍କ ମଧ୍ୟରେ ଗୋଟେ ସମ୍ପର୍କ ଗଢି ଦେଇଛି।
“ହୁଁ। ସେଇ ଭଙ୍ଗାଝରକାରୁ। ତମେ ଜାଣିଛ, କାଲି ତମକୁ ଲୋକମାନେ ନିଆଁରେ ଜାଳିଦେବେ?”
ଏ କଥା ଶୁଣି ଶିହିରି ଉଠିଲା ଝିଅଟା। ସେ ଅନ୍ଧାର ଭିତରେ ଅନିରୁଦ୍ଧର ଆହୁରି ପାଖକୁ ଘୁଞ୍ଚି ଆସିଲା।
“ମୁଁ ତ ସେଇ ଦିନ ମରିଯାଇଥିଲି ଯେଉଁ ଦିନ ଏ ଗାଁ ଲୋକେ ମୋତେ ଅଭିଶପ୍ତା କହି ପଥର ମାରିଥିଲେ।” ଡରିଡରି ଉତ୍ତର ଦେଲା ଝିଅଟା।
“ମୋ ସାଙ୍ଗରେ ଯିବ?” ଝିଅଟିର ହାତ ଧରି ପଚାରିଲେ ଅନିରୁଦ୍ଧ। ଏପରି ଏକ ଅପ୍ରତ୍ୟାଶିତ ପ୍ରଶ୍ନ ଜଣେ ଅପରିଚିତ ଅଜଣା ବ୍ୟକ୍ତିଠୁ ଆପଣାପଣ ପାଇ ନିର୍ଭୟ ହେଲା ସେ।
“କୁଆଡେ?”
“କାଲି ମୋତେ କଲେଜ ଛାଡି ବ୍ରହ୍ମପୁରକୁ ଯିବାକୁ ପଡିବ। କିନ୍ତୁ ତମେ ଯଦି ଚାହିଁବ ଏବେ ହିଁ ମୁଁ ଚାଲିଯିବ। ତମକୁ ନେଇ ଯିବି ଏ ଅଞ୍ଚଳରୁ, ଅନେକ ଦୂରକୁ।” ପ୍ରତିଶ୍ରୁତି ଦେଲା ଅନିରୁଦ୍ଧ।
“କିନ୍ତୁ ......”
“କିନ୍ତୁ ଫିନ୍ତୁର ସମୟ ନାହିଁ ଆମ ପାଖରେ। ମୁଖ୍ୟ ସଡକ ଛାଡି ଆମକୁ ପାହାଡ ପାଦଦେଶ ଦେଇ ଲୁଚିଲୁଚି ରେଳଷ୍ଟେସନକୁ ଯିବାକୁ ପଡିବ।”
“ହେଲେ ଆପଣ.......”
“ଠିକ୍ କଥା। ମନରେ ଆଶଙ୍କା ଆସିବା ସୁନିଶ୍ଚିତ। କାରଣ ତମ ଜୀବନରେ କେବଳ ଯନ୍ତ୍ରଣା ହିଁ ମିଳୁଛି। ମୋ ଜୀବନରେ ମୁଁ ବି ସଂସାରର ସମସ୍ତ ଦାୟିତ୍ୱ ବହନ କରୁକରୁ ବୟସର ଚାଳିଶି ସୋପାନରେ ପହଞ୍ଚିଛି। ଏବେ ମୁଁ ଏକୁଟିଆ। ଯଦି ଜଣେ ଜୀବନସାଥି ମିଳିଯାଏ, ବାକି ଜୀବନଟା ସୁଖରେ କାଟିଦେବି।”
“ବ୍ରହ୍ମପୁର ସହରପାଖ କନିଷିରେ ମୋ ବୋଉର ପୁରୁଣା ଭଙ୍ଗା ଘରଡିହ ଅଛି। ଭାବୁଛି ତମେ ଯଦି ଚାହିଁବ ମୋ ଭଙ୍ଗାଘରକୁ ସଜାଡି ଦେବ। ସୁଖରେ ରହିବା।”
“ତଥାପି କାହିଁକି ଜୀବନରେ ସୁଖର ଆଉ ଆଶା ନାହିଁ।” ନିରାଶ ଭାବରେ ଝିଅଟା ଉତ୍ତର ଦେଲା।
ଅନିରୁଦ୍ଧ ଝିଅଟିର ଅସମଞ୍ଜକୁ ଭଲ ଭାବରେ ବୁଝିପାରିଲେ। ଏମିତି ଅଚାନକ ଜଣେ ଅଜଣା ଅପରିଚିତ ସହ ନାରୀଟିଏ କେମିତି ଭରଷା କରିବ। ସମୟ ନଷ୍ଟ ନ କରି ସନ୍ଧ୍ୟାର ଅଧାଜଳା ଦୀପଟିକୁ ଜଳାଇଲେ ସେ। ସେ ଦୀପକୁ ସାକ୍ଷୀ ରଖି ମା ମଙ୍ଗଳାଙ୍କ ଆଗରେ ଝିଅଟିର ମଥାରେ ସିନ୍ଦୁର ପିନ୍ଧାଇଲେ। ଅଧିକ ସମୟ ନଷ୍ଟ ନ କରି ଝିଅଟିର ହାତକୁ ଧରି ଆଗେଇବାକୁ ଲାଗିଲେ ପାହାଡ ତଳ ଅନ୍ଧାର ରାସ୍ତାରେ।
ପଛରେ ରହିଗଲା ରାୟଗଡା ସରକାରୀ କଲେଜର ବାସ ଭବନ। ଅନିରୁଦ୍ଧଙ୍କ ଏ ନୂତନ ଦାୟିତ୍ୱ ଓ ଯାତ୍ରାର ମୁକ ସାକ୍ଷୀ ହେଲା ସେ ଭଙ୍ଗାଝରକା। ଯେମିତି ହେଲେ ଭୋର ହେବା ପୂର୍ବରୁ ପହଞ୍ଚିବାକୁ ହେବ ରେଳଷ୍ଟେସନ .....। ରାୟଗଡା ଛାଡିଦେଲେ ଜୀବନ ବଞ୍ଚିଯିବ। ପହଞ୍ଚିଯିବେ ନିଜ ଜନ୍ମମାଟି ବ୍ରହ୍ମପୁର ରେଳଷ୍ଟେସନରେ ....। ଏକ ନୂତନ ସକାଳର ଅପେକ୍ଷାରେ....... ।
ପଛକୁ ଘୁଞ୍ଚି ଘୁଞ୍ଚି ଯାଉଛି ଭଙ୍ଗାଝରକା। କେତେ ସହଜରେ ଯୋଡିଦେଲା ଦୁଇଟି ଅଜଣା ମଣିଷର ସଂପର୍କ। ଝରକା ଭାଙ୍ଗିଗଲେ କି କେବେ ଅସ୍ୱୀକାର କରନା ଘର ଭିତର ସଂସାର ସହ ବାହାର ଦୁନିଆର ସଂପର୍କକୁ..... ।
- : ଠିକଣା :-
ସଂପାଦକ - ଗଞ୍ଜାମର କବିତାଘର
ମାର୍ଫତ - ପ୍ରଧାନ ଶିକ୍ଷକ, ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ, ଖଲ୍ଲିକୋଟ
ଖଲ୍ଲିକୋଟ, ଗଞ୍ଜାମ - ୭୬୧୦୩୦, ମୋ - ୮୨୮୦୨୨୩୬୪୪
Go Back to Previous Page
ପରିଚୟ
ନରେଶ କୁମାର ବେହେରା
Read Article
ପ୍ରତୀକ୍ଷା
ସସ୍ମିତା ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ