ଅତୀତର ଟୁକୁରା ବାସ୍ତବ ସବୁ ଗୋଟେଇ ଯୋଡ଼ିବା ସମ୍ଭବ ନୁହେଁ, ତଥାପି ବେଳେ ବେଳେ ମାନସପଟରେ ସ୍ୱପ୍ନ ହୋଇ ଆସିଯାଏ। ପିଲା ସମୟର ଆଦର ସ୍ନେହ ଦେଇଥିବା ସାଇ ଭାଇ ପରିବାର ପରିଜନ ଠାରୁ ଦୂରକୁ ଆସିଯାଇଛି, ଆଉ ମଧ୍ୟ ସମୟ ସୁଅରେ କିଛି ପରିଜନ ଆରପାରିକୁ ଚାଲି ଯାଇଛନ୍ତି। ତଥାପି ମନରେ ବେଳେ ବେଳେ ଅତୀତ ସେହି ଦିନଗୁଡିକ କଳାବାଦଲରେ ବିଜୁଳି ଚମକିଲା ପରି ଆସି ଥାଏ। ଆମ ଗାଁ ମୁଁଣ୍ଡର ମଶାଣି ଦୁଇପାଖରେ ବିସ୍ତୃତ ଘାସ ପଡିଆ। ପାଖରେ ସିଜୁ କଣ୍ଟାବୁଦା ଆଉ ମଝିରେ ମଝିରେ ଭୂଇଁବରକୋଳି ଆଉ ବଇଁଚକୋଳି ଗଛ। ଅନତି ଦୂରରେ ଆମ ଗାଁ ନିମ୍ନମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟ। ଖେଳଛୁଟି ସମୟରେ ଆମେ ପ୍ରାୟ ଯାଇ ବରକୋଳି ବଇଁଚ କୋଳି ତୋଳି ଖାଇଥାଉଁ। ଜଙ୍ଗଲ ଆଡ଼କୁ ଲମ୍ବିଯାଇଥାଏ ମାଟି ରାସ୍ତା। ଦୁଇ ପାଖରେ କୋରେଇଁ ଫୁଲ ସୁନ୍ଦର ଦେଖା ଯଉଥାଏ। ଅତି ମନୋରମ ଦୃଶ୍ୟ ଓ ସୁଗନ୍ଧ ବାସ୍ନାରେ ଆତ୍ମତୃପ୍ତି ମିଳୁଥାଏ। ଖେଳଛୁଟି ଘଣ୍ଟାଶବ୍ଦକୁ ଅପେକ୍ଷା କରି ରହିଥାନ୍ତି ପ୍ରତ୍ୟେକ ପିଲା। ପାଖରେ ଆମ୍ବତୋଟା, ଆମ୍ବ ବଉଳ ମହକରେ ଚାରିଆଡେ ବସନ୍ତର ବାସନ୍ତୀ ଆସର। କନିଅର ଫୁଲ ଗଛତଳେ ସ୍କୁଲ ଗେଟ୍ ପାଖରେ ଠିଆ ହୋଇ ଅପେକ୍ଷା କରିଥିଲା ମିନି କେଉଁ ସାଙ୍ଗ ଝିଅକୁ। ପିଲାବେଳେ ଖୁବ୍ ଲାଜକୁଳା ଥିଲି ମୁଁ। ଝିଅ ପିଲାଙ୍କୁ ମୁହଁ ଟେକି ଚାହିଁ ପାରୁନଥିଲି ଆନ୍ୟ ପିଲାଙ୍କ ଭଳି। ଝିଅମାନଙ୍କ ଠାରୁ ଟିକିଏ ଦୂରେଇ ରହୁଥିଲି। ପଞ୍ଚମରୁ ଷଷ୍ଠକୁ ପରୀକ୍ଷାରେ ଉତ୍ତୀନ୍ନ ହେଲେ ଗୋଟିଏ ଅଲଗା ମଜା ଥିଲା ସେତେବେଳେ। ପଞ୍ଚମରେ ଚଟାଣରେ ବସି ପଢିବା ଆଉ ଷଷ୍ଠ ସପ୍ତମରେ ବେଞ୍ଚ ଟେବୁଲରେ ପଢିବା ଏକ ଅଲଗା ମଜା। ମୁଁ ଶ୍ରେଣୀରେ ପ୍ରଥମ ଧାଡିରେ ବସେ। ମୋର ବିପରିତ ବାଳିକା ଧାଡିରେ ମିନି ବସୁଥିଲା। ଷଷ୍ଠ ଶ୍ରେଣୀରୁ ମିନି ଆମ ଗାଁ ସ୍କୁଲରେ ନାମ ଲେଖାଏ। ଦୀର୍ଘ ଏକ ବର୍ଷ ଭିତରେ ଦିନଟିଏ ବି ସେ ମୋତେ କେବେବି କଥାପଦେ କହିନଥିଲା। ଶ୍ରେଣୀ ଗୃହରେ ସେ ସବୁବେଳେ ମୋତେ ଦେଖୁଥାଏ। କେବେ କେବେ ଯଦି ମୋ ମୁହଁ କୁ ଦେଖି ଦିଏ ସେ ହସିଦେଇ ତଳକୁ ମୁହଁ କରି ଦିଏ। ମୁଁ ଯଦିଓ କେତେଥର ଦେଖିଛି ହେଲେ ମୋ ଭିତରେ ପ୍ରତିକ୍ରିୟା ଆସିନଥିଲା। ପ୍ରଥମଥର ସେଦିନ ସେ ସ୍କୁଲ କନିଅର ଗଛପାଖରେ ମୋ ହାତରେ ବରକୋଳି ଦେଖି କହିଲା ମୋତେ ଗୋଟେ କୋଳି ଦେବ। ଏତିକି ଶୁଣି ହଠାତ ମୋ ଭିତରେ ଏକ ମୃଦୁ କମ୍ପନ ଅନୁଭବ ହୋଇଥିଲା। ଟିକିଏ ଇତସ୍ତତଃ ହୋଇ ଦୁଇ ପାଖକୁ ଚାହିଁଲି, ଧରିଥିବା ଚାରିଟା କୋଳି ତା ହାତକୁ ବଢେଇ ଦେଲି। ସେ ହଠାତ ମୋତେ କହିଲା ...ଆରେ ମଜା କରୁଥିଲି ସବୁ କୋଳି ମୋତେ ଦେଇଦେଲ। ତୁମେ ଦୁଇଟି ନିଅ..ଏଇ ତୁମେ ଶବ୍ଦରେ ମୋ ଜୀବନର ପ୍ରଥମ ପ୍ରୀତି ରେଖା ହୃଦୟରେ ଆଙ୍କିଥିଲା। ଝିଅ ପିଲାଙ୍କ ଛାଇ ଦେଖିଲେ ଦୂରେଇ ଯାଉଥିଲି। ସେଦିନ ଏପରି ଏକ ଦୁର୍ବଳ ମୂହୁର୍ତ୍ତରେ ମୋ ମନକୁ ମିନି କେମିତି ଆକ୍ରମଣ କରିଥିଲା କେଜାଣି ! ଧୀରେ ଧୀରେ ସୂତାଖିଅରେ ମିଶ୍ରି ଜମାଟ ବାନ୍ଧିଲା ପରି ପ୍ରୀତିର ମଧୁ କଣିକା ଗୁଡିକ ଧୀରେ ଧୀରେ ଜମାଟ ବାନ୍ଧିବାକୁ ଆରମ୍ଭ କଲା। କଥା ହେବାକୁ ସଙ୍କୋଚ ଲାଗୁଥିଲା, ମିନି ମୋତେ ନିର୍ଭୟରେ କଥା ହେଉଥିଲା। ମୋ ମନରେ ଲଜ୍ୟା ଓ ଭୟର ଦୁଇଟି ଆସ୍ତରଣ ରହିଥିଲା। ମୁଁ ଜାଣିପାରୁ ନଥିଲି... ମିନି ମନଭିତରେ କଣ ଏଭଳି ପ୍ରେମର ପ୍ରଜାପତିଟି ଡେଣା ହଲେଇ ଉଡିବାକୁ ଚେଷ୍ଟା କରୁଛି। ଧିରେ ଧିରେ ଘୁଣ ପୋକ କଠିନ କାଠକୁ କାଟିବା ପରି ଅଦୃଶ୍ୟ ମନଭିତରେ ମଧ୍ୟ ଅଦୃଶ୍ୟ ପ୍ରେମ କୀଟ କାଟିବା ଆରମ୍ଭ କରିଥିଲା
ପ୍ରଥମ ସମ୍ଭାଷଣରେ ମିନିର ଆକର୍ଷଣ ମୋତେ ଯେତେ ପ୍ରଭାବିତ କରିଥିଲା ତା ଠାରୁ ତାର ଆଖିର ପ୍ରତିଟି ପଲକ ମୋତେ ଶରବିଦ୍ଧ କରୁଥିଲା। ମିନି ମୋ ସହ ଖୁବ ସୁନ୍ଦର ଭାବରେ ଖୋଲା ହୃଦୟରେ କଥା ହେଉଥିଲେ ମଧ୍ୟ ମୁଁ ଏତେଟା ନିର୍ମଳ ଖୋଲା ହୃଦୟରେ କଥା କରିପାରୁନଥିଲି। ତାର ସ୍କୁଲରେ ସବୁ ପିଲାଙ୍କ ସଙ୍ଗେ କଥା ବାର୍ତ୍ତା ବ୍ୟବହାର ଆତି ସୁନ୍ଦର ଓ ମାର୍ଜିତ ଥିଲେ ମଧ୍ୟ ମୋ ପ୍ରତି ଯେମିତି ଟିକିଏ ଅଲଗା ମୋତେ ପରିଲକ୍ଷିତ ହେଉଥିଲା। ମୁଁ ବେଳେ ବେଳେ ମିନିକୁ ନେଇ କଳ୍ପନାର ସାଗର ଭିତରେ ଡୁବିଯାଉଥିଲି। କଳ୍ପନା ତ ବାସ୍ତବ ନୁହେଁ...., ଭାବିଲା ପରେ ମୋ କଳ୍ପନାରେ ପୂର୍ଣ୍ଣଛେଦ ପକାଏ। କିନ୍ତୁ କଳ୍ପନା ଭିତରେ ମଧ୍ୟ ମୁଁ ଏକ ବାସ୍ତବ ସୁଖ ଅନୁଭବ କରି ପାରୁଥିଲି। ଆଉ ଏକ ଅବିସ୍ମରଣୀୟ ଦିନ ମୋ ସ୍କୁଲ ଜୀବନର। ଶରୀର ଅସୁସ୍ଥ ଯୋଗୁଁ ମୁଁ ଦୁଇଦିନ ସ୍କୁଲ ଯାଇ ନଥିଲି। ଏହା ଭିତରେ ମୁଁ ଆମ ସ୍କୁଲରୁ ନେସନାଲ୍ ସ୍କୋଲାର୍ସିପ୍ ପରୀକ୍ଷା ପାଇଁ ବିବେଚିତ ହୋଇଛି। ଏଖବର ପ୍ରଧାନ ଶିକ୍ଷକଙ୍କ ଠାରୁ ମିନି ଶୁଣି ସାରିଥିଲା। ଶୁଭ ଖବର ଓ ଅଭିନନ୍ଦନ ଦେବାପାଇଁ ସେ ଖୁବ୍ ଛଟପଟ ହେଉଥିଲା। ଅନ୍ୟ ପିଲା ଓ ଝିଅ କେତେ ଜଣ ଆଶାବାଦୀ ଥିଲେ। ସେମାନେ ସୁଯୋଗ ନ ପାଇ ଟିକିଏ ଆନମନା ଥିଲେ। କିନ୍ତୁ ମିନି ଏ ଖବର ଦେବା ପାଇଁ ମୋ ପାଖକୁ ଆସି ଅତ୍ୟନ୍ତ ଖୁସି ହୋଇ ଶୁଭେଚ୍ଛା ଓ ଶୁଭକାମନା କରିଥିଲା। ସେ ମୁହୂର୍ତ୍ତରେ ମୁଁ ଏକ ଅଦ୍ଭୁତ ଅନୁଭୂତି ଅନୁଭବ କରୁଥିଲି। ଲାଗୁଥିଲା ମୋ ପାଇଁ ଏ ପୃଥିବୀର ଭଗବାନ କିଛି ଆପଣାର ଲୋକ ସୃଷ୍ଟି କରିଛନ୍ତି। ମିନି କଣ ତାଙ୍କ ଭିତରୁ ଜଣେ।
ନିମ୍ନ ମାଧ୍ୟମିକ ପରୀକ୍ଷାରେ ଓ ନେସନାଲ୍ ସ୍କୋଲାର୍ସିପ୍ ପରୀକ୍ଷା ଭଲ ନମ୍ବର ରଖି ପାସ କଲାପରେ ମୋତେ ସରକାରୀ ବିଦ୍ୟାଳୟରେ ପଢ଼ିବାକୁ ପଡ଼ିଲା। ଅନ୍ତେବାସୀ ହୋଇ ପଢ଼ିବାକୁ ହେଲା। ମିନି ମଧ୍ୟ ଆମ ଗାଁ ସ୍କୁଲରୁ ପାସ କରି ପାଖ ହାଇସ୍କୁଲକୁ ପଢ଼ିବା ପାଇଁ ଚାଲିଗଲା। ମନେ ମନେ ଅନେକ ସମୟରେ ମିନି କଥା ମନେପଡେ। ତା’ର ସ୍ମିତହସ ଭିତରେ ଅନେକ ଅକୁହା କଥା ଯେମିତି ଅସ୍ପଷ୍ଟରେ କହି ହେଉଥିଲା। ପଢ଼ାର ଚାପ ଭିତରେ ମଧ୍ୟ ମିନିର କଥା ଚାଲି ହସ ଯେମିତି ମୋ ସ୍ମୁତିରେ ସେମିତି ଅପରିବର୍ତ୍ତି ରହିଥିଲା। ଛୁଟିରେ ହଷ୍ଟେଲରୁ ଘରକୁ ଆସିଲେ ଅନେକ ଥର ଭାବେ ପାହାଡ ଆରପଟେ ମିନିର ଗାଁକୁ ସାଇକେଲ ନେଇ ଯାଇ ଥରେ ବୁଲି ଆସନ୍ତି ସୌଭାଗ୍ୟ ବସତଃ ଗାଁ ଦାଣ୍ଡରେ ଦେଖା ଟିକିଏ ହୋଇ ଯାଆନ୍ତା। ଥରେ ଦୁଇ ଥର ମଧ୍ୟ ମିନି ଗାଁର ମୋ ପୁରୁଣା ବନ୍ଧୁ ସଙ୍ଗେ ଯାଇଛି, ହେଲେ ଥରଟିଏ ବି ମିନିକୁ ଦେଖି ପାଇନଥିଲି।
ଆଶା ଥିଲା ମ୍ୟାଟ୍ରିକ୍ ପରୀକ୍ଷା ସେଣ୍ଟର ପ୍ରତି ବର୍ଷ ଗୋଟିଏ ସ୍କୁଲରେ ପଡ଼େ। ନିଶ୍ଚୟ ସେଇଠି ଦେଖା ହେବ। ଏଇ ଆଶାଟି ମଧ୍ୟ ପରୀକ୍ଷାର ପନ୍ଦର ଦିନ ଆଗରୁ ଲିଭିଯାଇଥିଲା। ସେ ବର୍ଷ ଆମ ହାଇସ୍କୁଲରେ ମିନିର ସେଣ୍ଟର ପଡ଼ିଲା ଆଉ ଆମମାନଙ୍କ ଅନ୍ୟ ଏକ ହାଇସ୍କୁଲରେ ପଡ଼ିଥିଲା। ମିନି ସହ ଦେଖାହେବାର ସୁଯୋଗ ଆଉ ମିଳିନଥିଲା। ପରୀକ୍ଷା ପରେ ହଷ୍ଟେଲରୁ ମୋର ସବୁ ବେଡିଙ୍ଗ ପତ୍ର ନେଇ ଘରକୁ ଫେରିବା ପରେ ମନରେ ଆଉ ପାଠପଢ଼ା ଚିନ୍ତା ନଥିଲା। ଦୁଇ ମାସ ପୁରା ଛୁଟି। ମାଇଁ ଆସିଥିଲେ, ବୋଉକୁ ମଧ୍ୟ କହିଛନ୍ତି ପରୀକ୍ଷା ପରେ ମାସକ ପାଇଁ ମାମୁ ଘରକୁ ଯିବା ପାଇଁ।
ମୁଁ ମାତ୍ର ପାଞ୍ଚଟି ଦିନ ମାମୁଁ ଘରେ ରହିଛି ଫେରି ଆସିଲି। ମନଟା କିନ୍ତୁ ଏକ ପୁରୁଣା ନିଶାକୁ ପୁଣି ଆପଣେଇବା ପାଇଁ ସ୍ୱପ୍ନ ଦେଖୁଥିଲା। ମନଟା କାହିଁକି ଏଇମିତି ଏକ ମରୀଚିକା ପଥରେ ଧାଇଁ ଥାଏ। ଏଇଟା କଣ କୈଶୋର ବୟସରେ ଏକ ଭାବପ୍ରବଣ ରୋଗ ନା ଏଇଟା ବୟସର ଦୋଷ। ଏଇଟା କେବେବି ମୋ ମନରେ ସେତେବେଳେ ଆସି ନଥିଲା। କୈଶୋର ବୟସର ପ୍ରଣୟ ପରିଧି ଟା ବଢ଼ି ବଢ଼ି ଚାଲିଥାଏ। ବୈଶାଖ ମାସ ପଣା ସଂକ୍ରାନ୍ତିରେ ପ୍ରତି ବର୍ଷ ମିନିର ଗାଁର ପାହାଡ ତଳ ଝରଣା ପାଖ ସିଦ୍ଧେଶ୍ୱର ମନ୍ଦିରରେ ମେଳା ଲାଗେ। ସାତଦିନ ମେଳା ଓ ରାତିରେ ବାଦୀ ପାଲା ହୋଇଥାଏ। ଆଶା ଥିଲା ହୁଏତ ଏଥର ମିନି ସହ ବୈଶାଖୀ ମେଳା କିମ୍ୱା ବାଦୀପାଲାରେ ଭେଟ ହୋଇପାରେ। ଘରେ ବୋଉ ବାରଣ କରିଥିଲା ରାତି ଅନିଦ୍ରା ହେଇ ପାଲା ଦେଖି ଯାଆନା। କିନ୍ତୁ ମନଟା ଛଟପଟ ହେଉଥିଲା ଏକ ବହୁ ପ୍ରତିକ୍ଷୀତ ଆଶାକୁ ନେଇ। ଗୋଟିଏ ଦିନ ବୋଉର ବାରଣ ସତ୍ତ୍ୱେ ଯାଇଥିଲି। ପାଲା ଆରମ୍ଭ ପୂର୍ବରୁ ମୋର ଆଖି ଦୁଇଟା ଚଳଚଞ୍ଚଳ ହୋଇ ଉଠି ଥିଲା। ଖୋଜୁଥିଲା ଆକାଶର ଶତ କୋଟି ତାରା ମଧ୍ୟରୁ ବହୁ ପ୍ରତିକ୍ଷିତ ଧୃବ ତାରାଟିକୁ। ସୌଭାଗ୍ୟ ବସତଃ ମୋର ମିନି ଉପରେ ନଜର ପଡ଼ିଲା। ସତରେ ସେ ଥିଲା ଅନନ୍ୟା ନକ୍ଷତ୍ର ଧୃବତାରା। ବାରି ହେଉଥିଲା ଶହ ଶହ ଦର୍ଶକଙ୍କ ମଧ୍ୟରେ ନିଆରା। ମୁଁ ମୋର ଦୁଇ ଆଖିକୁ ବିଶ୍ବାସ କରିପାରୁନଥିଲି। ସେଇଠି ବସିଛି ....ସେ ମିନି ତ। ଏମିତି ଚିନ୍ତା କରୁଥିବା ଭିତରେ ତା ପାଖରେ ବସିଥିଲା ତାର ସାଙ୍ଗ ଲତା। ସିଏ ମଧ୍ୟ ଆମର କ୍ଲାସରେ ସେକେଣ୍ଡ ହେଉଥିଲା। ଲତା ମୋତେ ଠିକ୍ ଚହ୍ନିପାରି ମିନି କାନ ପାଖରେ କିଛି ଫୁସ୍ ଫୁସ୍ କରି ମୋ ଆସିବା ସମ୍ବାଦଟା ପ୍ରାୟ କହିଥିବ। ହଠାତ ମିନି ବସିଥିବା ଜାଗାରେ ଠିଆ ହୋଇ ମୋ ଆଡ଼କୁ ଖୋଜିଲା ଖୋଜିଲା ଦୁଇ ଆଖିକୁ ନିକ୍ଷେପ କରି ଥିଲା। ହଠାତ୍ ମୋତେ ଦେଖିଲା ପରେ ଦିତୀୟା ଚାନ୍ଦ ଟା ଯେମିତି ପୂନେଇ ଚାନ୍ଦ ପରି ହସିଉଠିଥିଲା। ମୋ ପାଖକୁ ଉଠିଆସୁଥିଲା।ବସିଥିବା ଲୋକ ଭିଡକୁ ଆଡେଇ ଆଡେଇ ବାହାର କୁ ଆସି ଥିଲା ମିନି। ହାତ ଠାରି ମୋତେ ଡାକୁଥିଲା ମିନି। ମୁଁ ଭିଡ଼ ଅତିକ୍ରମ କରି କେମିତି ଆସିଥିଲି ଜାଣିପାରିନଥିଲି।ମିନି ମୋର ଡାହାଣ ହାତକୁ ଦୁଇହାତରେ ମୁଠେଇ ଧରି କହିଲା ମୋ କଥା ମନେପଡ଼େ।ତୁମ ପରୀକ୍ଷାରେ ନିଶ୍ଚୟ ଭଲ ହୋଇ ଥିବ।ମୁଁ ପ୍ରତିଦିନ ଠାକୁର ଙ୍କ ପାଖରେ ତୁମ ପରୀକ୍ଷା ଭଲ ପାଇଁ ଜଣାଏ। ନିଶ୍ଚୟ ଭଲ ରେଜଲ୍ଟ ହେବ। ଏତେ ସବୁ ମିନି ମୁହୂର୍ତ୍ତ କ ମଧ୍ୟରେ କହିଯାଇଥିଲା। ନିର୍ବାକ ହୋଇ ଶୁଣୁଥିଲି। ନିରବତା ଭଙ୍ଗ କରି ପଚାରିଲି ଭଲ ଅଛ ??? ସତେ ଯେମିତି ମୋ ବାକ୍ ଶକ୍ତି ରୁଦ୍ଧ ହୋଇ ଖାଲି ପ୍ରତିଧ୍ୱନୀ ହେଉଥିଲା ଭଲ ଅଛ ଶବ୍ଦଟା। ମିନି କହୁଥିଲା ଚାଲ ଘରକୁ ଯିବା ଆମଘର ତୁମେ ଦେଖି ନଥିବ। ଘରେ ବସି ତୁମସହ ବହୁତ କଥା ହେବି। ତୁମେ ତ କିଛି ପଚାରୁ ନାହଁ।କଣ ତୁମ ମନ ଠିକ ନାହିଁ।ଏମିତି ଅନେକ କଥା କହି ଚାଲିଥାଏ ମିନି।ସ୍ଥିର ହେଇ ଚାହିଁ ରହିଥାଏ ମିନିର ଦୁଇ ଆଖିକୁ ।ସେ ଯାହା କହୁଥିଲା ଆଖି ଦୁଇଟା ତା ଠାରୁ ଅଧିକ ଅବ୍ୟକ୍ତ ଭାଷା ରେ କହିଲା ପରି ମନେହେଉଥିଲା।ମୋର ଅନିଚ୍ଛା ସତ୍ତ୍ୱେ ମିନି ତାଙ୍କ ଘରକୁ ଡାକି ନେଇଥିଲା। ମିନିର ମା ମିନିକୁ ପାଲା ପାଖରୁ ଫେରିବା ଦେଖି ପଚାରିଲେ , କାହିଁକି ପାଲା ପାଖରୁ ଚାଲି ଆସିଲୁ , ପାଲା କଣ ଭଲ ହେଉନାହିଁ। ମିନି ଉତ୍ତର ରେ କହିଲା ... ନାଁ ମା, ମୋ ସ୍କୁଲର ଜଣେ ସାଙ୍ଗ ଆସି ଛନ୍ତି।ସେ ଆମଘର ଟି କେବେ ଦେଖିନାହାନ୍ତି।ଦେଖେଇବା ପାଇଁ ଆଣି ଛି ।ମୁଁ ମିମି ବାପା ଓ ବୋଉଙ୍କୁ ପ୍ରଣାମ କରି ଥିଲି।ମିନି ମୋର ପରିଚୟରେ କହିଲା ଏ ଆମ କ୍ଲାସ ର ଫାଷ୍ଟ ହୁଅନ୍ତି ଆଉ ସ୍କୋଲାର୍ସିପ୍ ହୋଲ୍ଡ଼ର୍। ଦୁଇ ଜଣ ପ୍ରାୟ କୋଡିଏ ମିନିଟ୍ କଥାବାର୍ତ୍ତା ହୋଇ ଧୀରେ ଧୀରେ ମେଳା ଆଡ଼କୁ ଫେରି ଆସି ଥିଲୁ।
ସେହି ଦିନର ମିନି ଘରେ ମାତ୍ର ଅଳ୍ପ କେତେ ମିନିଟରେ ମୁଁ ଯାହା ଦେଖିଥିଲି ମୋ ମନରେ ଅନେକ ଗୁଡ଼ିଏ ରେଖା ଟାଣି ହୋଇଯାଇଥିଲା। ସେ ଦିନର ମିନି ଘରର ପ୍ରତି ଟି ଛବି ମନେ ରହିଛି। ଅନେକ ଦିନ ପୁରୁଣା ମାଟି ଘର । ଜରାଜୀନ୍ନ ଅବସ୍ଥା ରେ ଘରର ଚାଳ ଛପର।ଦୁଇ ବଖରା ଘର ,ଭିତର ଅଗଣା ରେ ରୋଷେଇ ଅଉ କାଠର ଦୁଇଟା ପୁରୁଣା ଚେୟାର।ଶାସନ ବ୍ରାହ୍ମଣ ପରିବାର।ମିନିର ବାପା ପେଷାରେ ପଣ୍ଡିତ ଯଜମାନି କରନ୍ତି।ଅଗଣାରେ ମିନିର ବାପା ପାଲା ଶୁଣି ଶୁଣି ତାକୁଡୀରେ ସୂତା ପାକଳ କରୁଥିଲେ ପଇତା ପାଇଁ। ସ୍ୱଳ୍ପସମୟ ଭିତରେ ମିନିର ମା ଗୋଟିଏ କଂସା ଥାଳିରେ ଦୁଇଟି ଚକୁଳି ପିଠା କ୍ଷୀର ଚିନି ଆଉ କାଚଗ୍ଲାସ୍ ରେ ପାଣି ଧରି ହାଜର। ମୋର ବାରଣ ସତ୍ତ୍ୱେ ମିନି ଚେଆର୍ ଟିଏ ଆଣି ଥୋଇଦେଲା। ଆତିଥ୍ୟତା କୁ ଏଡେଇ ନପାରି ଗୋଟିଏ ପିଠା ଖାଇଲି। ପାଣି ଗ୍ଲାସ ମିନି ମୋ ପାଖରେ ଧରି ଠିଆହୋଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲି ଥାଏ।ମିନି ମା କହୁଥିଲେ ...କେତେ ଗପୁଚୁ ପୁଅଟାକୁ ଖାଇବାକୁଦେ। ସଙ୍ଗେ ସଙ୍ଗେ ତଉଲିଆ ଆଣି ମିନିର ମା ଆସି ଥିଲେ। ଏଇ କେଇପଦ କଥାବାର୍ତ୍ତା ଭିତରେ ଅନେକ ଆନ୍ତରିକତା ଅନୁଭବ କରୁଥିଲି। ସେହି ବୈଶାଖୀ ସନ୍ଧ୍ୟା ପରେ ମିନି ସଙ୍ଗେ ଦେଖା ହୋଇନଥିଲା।କଥା ହେବାର ସୁଯୋଗ ମିଲିନଥିଲା।ଏବେ ଯେମିତି ମୋବାଇଲ ଆଉ ଫୋନ୍ ବହୁଳ ସେସବୁ ସାତସପନ ଥିଲା।ମୋର ରେଜଲଟ୍ ବାହାରିଲା,କଲେଜରେ ଆଡ଼ମିଶନ ହେଲା।ଗାଁ ମାଟି ଛାଡ଼ି ସହରକୁ କଲେଜ ଆଉ ଇଞ୍ଜିନିୟରିଂ କରିବା କୁ ଚାଲି ଯାଇଥିଲି। ଇଞ୍ଜିନିୟରିଂ ଚାକିରୀ ମଧ୍ୟ କଲିକତା ରେ ପାଇଲି। ଗାଁର ସବୁ ବାସ୍ତବ ନିଚ୍ଛକ ସଂପର୍କ ଗୁଡ଼ିକ ସହରୀ ହାଏ ହାଲୋ ଆଡ଼କୁ ଧୀରେ ଧୀରେ ପରିବର୍ତ୍ତିତ ହୋଇଯାଉଥିଲା।ଏହା ଭିତରେ ଦୀର୍ଘ ବାର ତେର ବର୍ଷ ବିତିଯାଇ ଥିଲା।ଗାଁ ଭିତରୁ ଆମେ କକା ମାନଙ୍କୁ ଆମର ପୈତୃକ ପୁରୁଣା ଘରଦ୍ବାର ଛାଡି ଟାଉନ କୁ ଚାଲି ଆସି ଥିଲୁ ।ମୁଁ କଲିକତାରୁ ଘରକୁ ଛୁଟି ନେଇ ଆସିଥିଲି। ସକାଳୁ ଅଗଣାରେ ବସି ଚା ପିଉଥିଲି।ମୋ ବୋଉ କହିଲେ ଆରେ ଆସିଛୁ ତ ଟିକିଏ ଆମ ଗାଁ ଭିତର ପୁରୁଣା ଘର ଆଡେ ବୁଲି ଆସିବୁ।ସମସ୍ତଙ୍କୁ ଭେଟିଆସିବୁ।
ସକାଳ ସାତଟାରେ ମୁଁ ଆମ ପୁରୁଣା ଘର ଅଭିମୁଖେ ଗାଡ଼ି ନେଇ ବାହାରିଲି।ଗାଁ ରାସ୍ତା ସବୁ ନୂଆ ନୂଆ ଲାଗୁଥିଲା। ଆମଘର ପଖ ବଉଳ ଗଛ ଆଉ ନାହିଁ। ଗାଁର ମଝିରେ ବଡ଼ କୂଅରେ ବରଗଛ ଗୋଟିଏ। ପରିତ୍ୟକ୍ତ ଅବସ୍ଥା ଭଳି ଲାଗୁଥିଲା। ଗାଁରେ ପାଣି କଳ ଲାଗିଲାଣି। ପୂରଣା ଘର ସ୍ଥାନରେ କିଛି ପକ୍କାଘର ମଧ୍ୟ ଦେଖି ଥିଲି। ଆମ ପୁରୁଣା ଘରେ ବଡ଼ମାଙ୍କୁ ପ୍ରଣାମ କରି ଭିତରକୁ ଗଲି। ମୋର ପୁରଣା ସେହି ପଢ଼ା ଟେବୁଲ ଚେୟାର।ଚେୟାର ଟାଣିଆଣି ବସିଲି। ଆମ ବଡ଼ମା ସଙ୍ଗେ କଥା ବାର୍ତ୍ତା ହେଉ ହେଉ ପଢ଼ା ଟେବୁଲ ଉପରେ ଅନେକ ଦିନରୁ ପଡ଼ି ଥିବା କେତେଟା ଲଫାଫା ଓ ନିମତ୍ରଣ କାର୍ଡ଼ ମୋ ଆଖରେ ପଡ଼ିଲା। ଗୋଟାଏ ଶୁଭବିବାହ ଲେଖା ଥିବା ଖାମ୍ ହାତରେ ନେଇ ଦେଖିଲି ବହୁତ ଦିନର ପୁରୁଣା କାର୍ଡ଼।ଖୋଲିଲି...ଭିତରେ ଲେଖାଥିଲା ଶକୁନ୍ତଳା(ମିନି) ୱେଡ଼ସ୍ ପ୍ରଭାତ (ରାଜୁ)ହଠାତ୍ କାର୍ଡ଼ ରୁ ନାଁଟା ଆବିଷ୍କାର କଲାପରେ ମୋ ମନରାଇଜରେ ପୁଣି ସେହି ସୁପ୍ତ ଭାବପ୍ରବଣତା ଜାଗ୍ରତ ହୋଇ ଥିଲା। କାର୍ଡ଼ ଟା ପୁରା ଖୋଲିଲି....ଭିତରେ ଆଉଏକ ଛୋଟ କାଗଜ। ମିନିର ହାତଲେଖା ଛୋଟ ଚିଠିରେ ଲେଖାଥିଲା “ପାଇବ କି ନାହିଁ ଜାଣେନା ପାଇଲେ ନିଶ୍ଚୟ ଆସିବ। ମୁଁ ବହୁତ ଖୁସିହେବି”। ଏମିତି ପଢିବା ଭିତରେ ମୋର ଛାତି ଟା କ୍ରମଶଃ ପ୍ରସାରିତ ହୋଇ ଯାଉଥିଲା। କାର୍ଡ଼ ଟା ଚାରି ପାଞ୍ଚଥର ପଢ଼ି ଥିଲି। କାର୍ଡ଼ ଟା ଉପରେ ମୋ ନାମ ଲେଖା ଥିଲା। କାର୍ଡ଼ ଟା ନେଇ ଗାଡ଼ିରେ ରଖିଲି। ପୁଣି ଚାଲିଲି ପାହାଡ଼ ସେପାରି ମିନିର ଗାଁ ଆଡେ। ଯିବା ବାଟରେ ସେହି ପୁରୁଣା ଗାଁ ସ୍କୁଲ ଆହୁରି ମୋ ମନ ଭିତରେ ଅତୀତ କୁ ମନ୍ଥନ କରୁଥିଲା। ପାହାଡ ପାରିହୋଇ ମିନି ଗାଁର ମଝିରେ ଗାଡ଼ି ରଖିଲି।ଜଣେ ବୟସ୍କ ଲୋକ ମୋ ଗାଡ଼ି ପାଖକୁ ଆସି ପଚାରିଲେ।ବାବୁ କାହାକୁ ଖୋଜୁଛନ୍ତି...।ମୁଁ ଆଙ୍ଗୁଳି ଦେଖାଇ ଭଙ୍ଗାରୁଜା ମାଟି କାନ୍ଥ କେଇଟାକୁ ନିର୍ଦ୍ଦେଶ କରି ପଚାରିଲି ମଉସା ଏଇ ଭଙ୍ଗା ଘରଟା କାହାର। ସେ ଉତ୍ତର ରେ କହିଲେ। ଆମ ଶାସନ ର ମୁଖ୍ୟ ପିତାମ୍ବର ମିଶ୍ର ଥିଲେ, ତାଙ୍କ ଘରଥିଲା। ବୁଢ଼ା ବୁଢୀ ପାଞ୍ଚ ବର୍ଷ ହେବ ଏକା ବରଷ ରେ ସ୍ୱର୍ଗ ବାସହେଲେ। ଘର ଅବସ୍ଥା ଭଲ ନଥିଲା।ଦୁଇ ତିନି ବର୍ଷ ହେବ ଝଡ଼ ବର୍ଷାରେ ଭାଙ୍ଗିଗଲା। ମୁଁ ପଚାରିଲି ତାଙ୍କର ଏଠି ଆଉ...ଏତିକି କହୁ କହୁ ମଉସା ଜଣକ କହିଲେ ।ନା...ଗୋଟାଏ ଝିଅକୁ କେବେଠୁ ବାହା କରେଇ ଦେଇ ଛନ୍ତି। ଜୋଇଁ ବଡ ଲୋକ ...ଗାଡ଼ି…ବାଡି… ଫେକିଟିରି… ।ବଡ଼ଲୋକ ଆଉ ଏଣେ କିଏ ଆସିବ। ଘର ଦିବଖରା ଭାଙ୍ଗି ଦିହଟା ପଡ଼ିଛି। ମଉସାଟିର କଥା ଶୁଣୁ ଶୁଣୁ ମନଟା ଖୋଜୁଥିଲା ଆଉ କାହାକୁ।ପଚାରିଲି ଝିଅ ଜୋଇଁ ଏବେ କେଉଁଠି। ଶୁଣିଥିଲୁ ପାରାଦୀପ ଆଡେ କୁଆଡେ ରୁହନ୍ତି।ଏହାପରେ ମଉସା ଙ୍କୁ ନମସ୍କାର କରି ଗାଡ଼ି ବୁଲେଇ ଫେରିଲି ଘରକୁ। ସେ ପୁରୁଣା ନିମନ୍ତ୍ରଣ ପତ୍ରଟି ଗାଡ଼ି ରୁ ନେଇ ମୋ ସୁଟକେସ୍ ରେ ରଖିଲି। ସେହି କାର୍ଡ଼ ଟା ମୋତେ ଆଜି ବି ଅନେକ ପ୍ରଶ୍ନ ପଚାରୁଛି। ଆଉ ସେଦିନ ଯେଉଁ ଘର ଅଗଣାରେ ମୁଁ ଚକୁଳି ପିଠା ଖାଇଥିଲି , ଆଜି ତାର ଏମିତି ଅବସ୍ତା। ମିନିର ବାହାବେଦୀ ତ ଏଇ ଘର ଅଗଣା ରେ ହୋଇଥିବ। ଏଇ ଘର କାନ୍ଥରେ ମିନିତ ଘୃତ ସିନ୍ଦୂର ଟିକା ସାତ ବସୁଧାରା ଲଗେଇ ଯାଇ ଥିବ।ଆଜି ଏ ଭଙ୍ଗା ଘରକୁ ମିନି କଣ ତିର୍ଥର ମାନ୍ୟତା ଦେଇନଥିବ ! ମିନି କଣ ତାଜମହଲ ର ସ୍ୱପ୍ନରେ ତା ଏନ୍ତୁଡି ଶାଳକୁ ଭୁଲି ଯାଇ ଥିବ।ବାହାଘର ପରେ ଝିଅ କଣ ପିତୃ ପୁରୁଷ ପୁରୁଣା ଘରକୁ ଭୁଲିଯାଏ। ଭଙ୍ଗା ମାଟିର ଚାରିଟା କାନ୍ଥକୁ ମିନି କଣ ପ୍ରାଚୁର୍ଯ୍ୟର ତରାଜୁରେ ମାପିଥିବ। ନିଶ୍ଚୟ ଭଙ୍ଗାଘରର କାନ୍ଥ ଚାରୋଟି ମିନି ପାଇଁ ସ୍ୱର୍ଗ ଥିଲା ଆଉ ତିର୍ଥ ହୋଇ ରହିବ। …………
Go Back to Previous Page
ବାପରେ! କେବେ ଆସିବୁ
ଜ୍ୟୋତିରଞ୍ଜନ ସାହୁ
Read Article
ପରିଚୟ
ନରେଶ କୁମାର ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ