ନୂତନ ବର୍ଷର ପ୍ରଥମ ଦିନ। ଚାରିଆଡ ଉତ୍ସବ ମୂଖର। କେଉଁଠି ସିନେମା ଗୀତର ତାଳେତାଳେ ଝୁମିଯାଉଛନ୍ତି ଯୁବଗୋଷ୍ଠୀ ତ କେଉଁଠାରୁ ଭାସି ଆସୁଛି ମଦ ମାଂସର ଉତ୍କଟ ଗନ୍ଧ ପୁଣି କିଏ ହାତପାତି ଦେଉଛି କାଳିଆ ସାଆନ୍ତ ପାଖରେ। କିନ୍ତୁ ଆଜିଭଳି ଦିନରେ ଖୁବ୍ ଚୁପ୍ ଚାପ୍ ବସିଥାନ୍ତି ବଟ ବାବୁ। ମନରେ କାହିଁକି କେଜାଣି ଭରିରହିଛି ବିଷାଦର କଳାବାଦଲ। କିଛି ସମୟ ଚୁପ୍ ଚାପ୍ ବସିବା ପରେ ବଟ ବାବୁ ଚାଲିଗଲେ ନିଜ ବେଡରୁମ୍ କୁ। ବେଡତଳେ ଥିବା ପୁରୁଣା ଟ୍ରଂକ ଭିତରୁ ବାହାର କଲେ ସେହି ପୁରୁଣା ଭଂଗା ଚଷମାଟିକୁ। ଅତି ଯତ୍ନରେ ତାକୁ ନେଇ ରଖିଦେଲେ ନିଜ ସାର୍ଟ ପକେଟରେ। ନିଜର ପୁରୁଣା ସ୍କୁଟରଟିକୁ ବାହାର କରୁକରୁ ବଟବାବୁ ଡାକ ପକାଇଲେ “ଶୁଣୁଛ ଲାଲି! ବାହାରିଲଣି?” କିଛି ସମୟପରେ ଘର ଭିତରୁ ବାହାରିଲେ ବଟ ବାବୁଙ୍କ ସ୍ତ୍ରୀ ଲାଲି। ବଟ ବାବୁଙ୍କ ସ୍କୁଟର ପଛରେ ବସି କହିଲେ, “ଚାଲ” ଆଉ ଏହାପରେ ବଟବାବୁଙ୍କ ସ୍କୁଟରଟି ମାଡିଚାଲିଲା ଆଗକୁ ଆଗକୁ। ପାଖାପାଖି ଗୋଟିଏ ଘଣ୍ଟା ସ୍କୁଟରଟି ଚାଲିବାପରେ ହଠାତ୍ ଆଟକିଗଲା କେନାଲ ରୋଡର ଗୋଟିଏ ମାଇଲ ଖୁଣ୍ଟ ପାଖରେ ଯେଉଁଥିରେ ଲେଖାଅଛି *** ବନ୍ଧ ୦୩ କିମି.। ଗାଡିରୁ ଓହ୍ଲାଇ ଦୁହେଁ ଚୁପ୍ ଚାପ୍ ଛିଡାହେଲେ ଆଉ ଦୀର୍ଘ ନିଶ୍ବାସଟିଏ ଛାଡି କିଛି ସମୟ ଚାହିଁରହିଲେ ନୀଳଆକାଶକୁ। ବଟବାବୁ ପକେଟରେ ଥିବା ନିଜର ଭଂଗା ଚଷମାଟିକୁ ବାହାର କରି ପିନ୍ଧିଲେ ଆଉ ଚାହିଁଲେ ଲାଲିକୁ। ଦୁହେଁ ଦୁହିଁଙ୍କୁ ଦେଖୁଥାନ୍ତି ଆଉ ଦୁହିଁଙ୍କ ନୟନରୁ ଝରିପଡୁଥାଏ ଉଷ୍ଣ ଜଳବିନ୍ଦୁ। ଆଖି ଆଗରେ ତାଂକର ନାଚିଯାଉଥାଏ ସେଦିନର ଘଟଣା ।
ଆଜିପରି ସେଦିନ ମଧ୍ୟ ଥିଲା ନବବର୍ଷର ପ୍ରଥମ ଦିନ। ବଟବାବୁଙ୍କ ମନ ବି ଥିଲା ଖୁବ୍ ଖୁସି। ପୁଅ ତାଂକର ଚାରିବର୍ଷ ପରେ ଆମେରିକାରୁ ଫେରିଛି। ବହୁତ ଦିନ ପରେ ପୂରା ପରିବାର ଏକାଠି ଥିଲା ନୂଆ ବର୍ଷର ପ୍ରଥମ ଦିନରେ। ସମ୍ ବଟବାବୁଙ୍କ ଏକମାତ୍ର ପୁତ୍ର। ଖୁବ୍ ଭଲ ପାଏ ବାପା ମାକୁ। ମାଙ୍କ ପାଇଁ ସିଏ ଆମେରିକାରୁ ଆଣିଥିଲା ଗୋଟିଏ ସୁନ୍ଦର ଡାଇମଣ୍ଡ ନେକଲେସ୍। ସେହି ନେକଲେସ୍ ଟିକୁ ମା ଗଳାରେ ପିନ୍ଧେଇ ଦେଇ କହିଥିଲା, “ଆଲୋ ମା’ ଏଇ ନେକଲେସ୍ ଟା ତୋତେ ଖୁବ୍ ମାନୁଛି” ଏହା ଶୁଣି ବଟ ବାବୁ କହିଲେ, “ମୋତେ କାହିଁ ଭଲ ଦେଖାଯାଉନି। ବୁଝିଲ ଲାଲି ଏଇଟା ତୁମକୁ ମାନିବ ନାହିଁ। ଏଇଟା ଆମ ଭାବି ବୋହୂ ଗଳାରେ ଭଲ ମାନିବ।” ସମ୍ ଏହା ଶୁଣି କହିଲା, “ହଁ ମୁଁ ଜାଣିଥିଲି। ତୁମକୁ ଭଲ ଲାଗିବ ନାହିଁ। ସେଇଥି ପାଇଁ ତୁମର ଏ ଚଷମାଟା ଆଣିଛି। ବହୁତ ଦାମିକୀୟା। ଏଇ ଚଷମା ଭିତରୁ ମା’କୁ ଭଲ କରି ଦେଖିଲ। ମା ସୁନ୍ଦର ଦିଶୁନି” ବଟବାବୁ ହସିଦେଇ କହିଲେ, “ତୁ ଟା ଭାରି ଦୁଃଷ୍ଟ ହୋଇଗଲୁଣି ଲାଗୁଛି ମାଡ ଅଭାବ ପଡିଲାଣି” ଏହା ପରେ ଘର ଉଲ୍ଲସିତ ହୋଇଉଠିଲା ପରିବାରର ଆତ୍ମୀୟତା ଭିତରେ। କିଛି ସମୟ ପରେ ସମ୍ କହିଲା, “ବାପା! ଚାଲୁନ ଟିକିଏ *** ଡ୍ୟାମ ପଟେ ବୁଲାବୁଲି କରି ଆସିବା। ବହୁତ ଦିନ ହୋଇଗଲା *** ଡ୍ୟାମ ପଟେ ଯାଇନି। ଆଜି ନୂଆ ବର୍ଷଟାରେ ସେପଟେ ଟିକିଏ ବୁଲିଆସିବା। ଆଉ ହଁ ମା ମୋ ପାଇଁ ଦେଶୀ ଚିକେନ କଷା ଟା ଗରମ କରିଦେଇଥିବୁ । ମୁଁ ସଂଧ୍ୟା ରେ ଫେରି ଆସିଲେ ଖାଇବି "। ଏହାକହି ବାହାରିଗଲେ ବାପପୁଅ ଦୁଇଜଣ । ବାଟରେ ସମ୍ ବଟବାବୁଙ୍କୁ କହୁଥାଏ, “ବାପା ଚଷମାଟା ଭଲ ହୋଇଛିନା?” ବଟବାବୁ କହିଲେ, “ବଢିଆ ହୋଇଛି। ଅପଢା ଅଦେଖା ଲେଖାବି ସ୍ପଷ୍ଟ ପଢିହେଉଛି। ବିଦେଶୀ ଚଷମାଟି। କଣ ଆମର ସାହୁ ଅପଟିକାଲସ୍ ର ଚଷମା ହୋଇଛି?” ଏହା କହି ବାପ ପୁଅ ହସାହସି ହୋଇ ସ୍କୁଟରଟିରେ ମାଡିଚାଲିଥାନ୍ତି ଆଗକୁ ଆଗକୁ।
ସେଦିନ ସେହି ଡ୍ୟାମକୁ ପିକନିକ କରିବାକୁ ଆସିଥିଲେ ଗୋଟିଏ ଯୁବଗୋଷ୍ଠୀ। ମଦ ମାଂସର ଆସର ସାଂଗକୁ ଡିଜେରେ ଅଶ୍ଳୀଳ ଗୀତର ତାଳେତାଳେ ଅଭଦ୍ର ନୃତ୍ୟର ଆସର ଜମିଥିଲା ଡ୍ୟାମର ପିକନିକ ସ୍ପଟରେ। ନୂଆ ବର୍ଷରେ ଜୀବନକୁ ଉପଭୋଗ କରିବାର ଏହି ନିଆରା ପରମ୍ପରାଟା ଜଣାନାହିଁ ଆମ ଓଡିଆ ଯୁବଗୋଷ୍ଠୀଙ୍କ ମଧ୍ୟରେ କେବେଠାରୁ ଆଦୃତହେଲା କିନ୍ତୁ ଏକଥା ସତ ଯେ ଏହା ଆମର ଓଡିଆତ୍ବକୁ ନଷ୍ଟ କରିଦେଲା। ସେଦିନ ସେହି ନିଶାସକ୍ତ ଯୁବଗୋଷ୍ଠୀ ପିକନିକ ସାରି ଫେରୁଥିବା ସମୟରେ ତାଂକର ଗାଡି ଚଳାଉଥିବା ନିଶାଗ୍ରସ୍ତ ଡ୍ରାଇଭର କେନାଲ ଉପର ଅଣଓସାରିଆ ରାସ୍ତାରେ ଭାରସାମ୍ୟ ହରାଇ ଧକ୍କାଦେଲା ଗୋଟିଏ ସ୍କୁଟରକୁ। ଯେଉଁ ସ୍କୁଟରଟିରେ ଆସୁଥିଲେ ବଟବାବୁ ଆଉ ତାଂକ ପୁଅ ସମ୍। ଧକ୍କା ହେବାପରେ ସ୍କୁଟରଟି ଛିଟିକି ପଡିଲା ଅପରପାର୍ଶ୍ବର ଜଂଗଲିଆ ବୁଦା ଭିତରକୁ। ଏହା ଦେଖି ବିଚଳିତ ନିଶାଗ୍ରସ୍ତ ଡ୍ରାଇଭର ନିର୍ଜନତାର ସୁଯୋଗନେଇ ଖସି ଚାଲିଗଲେ। ଏପଟେ କ୍ଷତାକ୍ତ ବାପପୁଅ ଦୁହେଁ ଦୁର୍ଘଟଣାପରେ ହୋଇପଡିଥିଲେ ସଂଜ୍ଞାହୀନ। କାହାରି ନଜର ପଡିନଥିଲା ସେହି ବାପ ପୁଅଙ୍କ ଉପରେ। ସଂଜ ନଇଁ ଆସିଲା ଆଉ ମାଡିଆସୁଥିଲା ରାତ୍ରି। ଶୀତୁଆ ସଞ୍ଜର କାକର ସ୍ପର୍ଶଟା ସତେ ଯେପରି ଡାକି ଉଠାଇଦେଲା ବଟବାବୁଙ୍କୁ। ଆଖି ଖୋଲିଲେ ବଟବାବୁ। କଥା କହୁଥାଏ ଯନ୍ତ୍ରଣା ଶରୀରର ପ୍ରତ୍ୟେକଟି ଅଂଗରୁ। ବହୁ କଷ୍ଟରେ ବଟବାବୁ ଡାକଲେ “ସମ୍! ବେଟା ସମ୍” କିନ୍ତୁ ଆସିଲାନି କିଛି ଉତ୍ତର। ପୁନରାୟ ଡାକିଲେ। କିନ୍ତୁ ତାଂକ ସ୍ବରକୁ ଗ୍ରାସ କରୁଥାଏ ସେଠାକାର ନିର୍ଜନତା। ବଟ ବାବୁ କିନ୍ତୁ ଜାଣନ୍ତି ନିର୍ଜନତା ଭିତରେ ବି ତାଂକର ସମ୍ ଏଇଠି କେଉଁଠି ଅଛି। ଏତିକିବେଳେ କାନକୁ ଛୁଇଁଗଲା ଗୋଟିଏ ଶବ୍ଦ। ଆଉ ସେ ଶବ୍ଦଟା ଥିଲା ମୋବାଇଲର। କିନ୍ତୁ କେଉଁଠି ଥିଲା ମୋବାଇଲଟା ଝାପ୍ସା ଦେଖିଲେ ମୋବାଇଲର ଆଲୋକ। ଘୋସାରି ଘୋସାରି ହୋଇ ପହଞ୍ଚିଲେ ମୋବାଇଲ ପାଖରେ। କିଛି ସ୍ପଷ୍ଟ ଦେଖାଯାଉ ନଥାଏ ବଟବାବୁଙ୍କୁ ଅପେକ୍ଷା କଲେ କଲ୍ କୁ। କିଛି ସମୟ ପରେ ପୁଣି ରିଂଗ ହେଲା ଫୋନଟି। ଏଥର କଲ୍ କୁ ରିସିଭ୍ କଲେ ବଟବାବୁ। ସେପଟରୁ ବ୍ୟସ୍ତବିବ୍ରତ ଲାଲି ବିରକ୍ତ ହୋଇ କହିଲେ, “କଣ ତୁମର କିଛି ବୁଦ୍ଧିବିବେକ ଅଛି ନା ନାହିଁ। ରାତି ୯ଟା ବାଜିଲାଣି। କେଉଁଠି ଅଛ?” ଏକ ନିଶ୍ବାସରେ ପ୍ରଶ୍ନ କରିଗଲେ ଲାଲି। ସେପଟରୁ ବଟବାବୁ ଏତିକି ମାତ୍ର କହିଲେ, “ଆମର ସ୍କୁଟରର ଶାଳବଣି କେନାଲ ଜଂଗଲ ପାଖରେ ଆକ୍ସିଡେଣ୍ଟ ହୋଇଯାଇଛି” ବାସ୍ ଆଉ କିଛି ଜାଣନ୍ତି ନାହିଁ ବଟବାବୁ। ତା ପରେ ନିଜକୁ ଠାବକଲେ ହସ୍ପିଟାଲର ବେଡ ଉପରେ। ସଂଜ୍ଞା ଫେରିବା ପରେ ତାଂକର ପ୍ରଥମ ପ୍ରଶ୍ନ ଥିଲା, “ସମ୍ କାହିଁ! କେଉଁଠି ଅଛି ମୋ ସମ୍?” ଏତିକିବେଳେ ୱାର୍ଡ ବାହାରେ ଶୁଣାଗଲା ଲାଲିଙ୍କ ହୃଦୟ ବିଦାରକ କ୍ରନ୍ଦନର ସ୍ବର। ବୁଝିବାକୁ ଆଉ କିଛି ବାକିନଥିଲା ବଟବାବୁଙ୍କର।
ଘଟଣାର କିଛିଦିନ ପରେ ବଟବାବୁ ଆଉ ଲାଲି ଗଲେ ସେହି ଅଭିଶପ୍ତ କେନାଲ ପାଖକୁ। ବଟବାବୁ ଦେଖିଲେ ସେହି ମାଇଲ ଖୁଣ୍ଟଟି ଯେଉଁଥିରେ ସମ୍ର ମୁଣ୍ଡଟି ଗଭୀର ଆଘାତ ପାଇଥିଲା ଆଉ ମୃତ୍ୟୁକୁ ମିଳିଯାଇଥିଲା ଗୋଟିଏ ସୁନ୍ଦର ବାହାନା। ସେଦିନ ସେହି ମାଇଲ ଖୁଣ୍ଟଟିରେ ବଟ ବାବୁ ଦେଖିପାରୁଥିଲେ ସମ୍ ର ନିରୀହ ରକ୍ତ ଛିଟା। ହଠାତ୍ କଣ ଗୋଟିଏ ଚକଚକ ଦେଖାଗଲା ବଟବାବୁକଂ ଆଖିକୁ। କିଛି ଗୋଟିଏ ମିଳିବା ଆଶାରେ ଦୌଡିଗଲେ ବଟବାବୁ। ଅତି ଯତ୍ନ ରେ ଉଠାଇଲେ ସେହି ଜଂଗଲିଆ ବୁଦା ଭିତରୁ ତାକୁ। ରାସ୍ତାରୁ ଥାଇ ଲାଲି ପଚାରୁଥିଲେ, “କଣ ପାଇଲ?” ବଟବାବୁ କହୁଥିଲେ, “ଆରେ ଲାଲି! ମୋ ସମ୍ ର ଶେଷ ସନ୍ତକଟାରେ!”
ଏକଥା ଭାବୁଭାବୁ ଲାଲି କହିଲେ ଚାଲ ଯିବା। ଏତିକି କହି ଲାଲି ସ୍କୁଟର ଡିକିରୁ ବାହାର କଲେ ଟିଫିନଟା। ଦୁହେଁ ଗଲେ ସେହି ଜଂଗଲିଆ ବୁଦା ଆଡକୁ। ଆଉ ଲାଲି ଅତି ଯତ୍ନରେ ପରଶିଦେଲେ ଦେଶୀ କୁକୁଡା ମାଂସ ଗୋଟିଏ ଶାଳପତ୍ର ଖଲିରେ। ଆଉ କହିଲେ, “ବାପାରେ! କେବେ ଆସିବୁ। ମାଂସ ଥଣ୍ଡା ହୋଇଯିବ ରେ”
Go Back to Previous Page
କିଣନ୍ତୁ ମାନବ ଅଙ୍ଗ
ମଧୁସ୍ମିତା ପଟ୍ଟନାୟକ
Read Article
ଭଙ୍ଗାଘର
ମନୋରଞ୍ଜନ ମୁଦୁଲି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ