ମୂଳ ହିନ୍ଦୀ - ଅନୀଲ ନିଗମ ‘ବେଖବର’
ଓଡିଆ ଅନୁବାଦ - ମଧୁସ୍ମିତା ପଟ୍ଟନାୟକ
ଆମ କମ୍ପାନି ଏମିତି ଏକ ଖାନ୍ଦାନୀ ନାକ ପ୍ରସ୍ତୁତ କରିଛି, ଯେତେ ବଡ ବଦନାମୀର ମୌକା ହେଉନା କାହିଁକି ତାହା ଉଚ୍ଚତା ଏମିତି ରଖାହେଇଛି ଯେ ତାହା କୌଣସି ପରିସ୍ଥିତିରେ ତଳକୁ ହେବନି। ନାକର ଡିଜାଇନ୍ ଆଉ ଶେପ୍ ମଧ୍ୟ ବିଭିନ୍ନ ପ୍ରକାରର ରଖାଯାଇଛି। ଆମ କମ୍ପାନୀ ଦ୍ୱାରା ପ୍ରସ୍ତୁତ ନାକର ଶୁଙ୍ଘିବା ଶକ୍ତି ପାଇଁ ପାୱାର ଫୁଲ ରିମୋଟ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ମାଇଲ୍ ମାଇଲ୍ ଦୁରରେ କାହା ଘରେ କ’ଣ ରନ୍ଧା ହେଉଛି ତାହା ଆପଣମାନେ ଘରେ ବସି ଶୁଙ୍ଘି ପାରିବେ...
ଆଜ୍ଞା କଣ କହିଲେ..? ଆପଣଙ୍କ ଦିଲ୍ (ହୃଦୟ)କୁ ଆପଣଙ୍କ ପ୍ରେମିକା ଭାଙ୍ଗି ଦେଇଛି ? ନୋ ପ୍ରୋବ୍ଲେମ୍! ଆପଣ ଆମ କମ୍ପାନି ଦ୍ୱାରା ପ୍ରସ୍ତୁତ ଅନ୍ବ୍ରେକେବଲ୍ ଦିଲ୍ ନେଇଯାଆନ୍ତୁ ଆଉ ଯେଉଁଠି ଯାହା ମନ ତା ସହ ଦିଲ୍ ଲଗାନ୍ତୁ। ସାହାସ ଅଛି ଯଦି ଭାଙ୍ଗିକରି ଦେଖାଅ! ଆମ କମ୍ପାନିର ଦିଲ୍ ଫିଟ୍ କରିବା ପରେ ପ୍ରେମିକା ଯେତେ ନିର୍ଦ୍ଧୟୀ ହେଇଥାଉ କିମ୍ବା ସ୍ତ୍ରୀ ଯେତେ ଅତ୍ୟାଚାରୀ ହେଉଥାଉ,ଆପଣଙ୍କ ଦିଲ୍କୁ କେବେବି ଭାଙ୍ଗି ପାରିବେନି । କାରଣ ଏହା ‘ଭଙ୍ଗାପ୍ରୁଫ୍ ଦିଲ୍’ । ବଡରୁ ବଡ ଝଟ୍କାକୁ ଅରାମରେ ସମ୍ଭାଳି ନେବ । ରକ୍ତର ସୁପରଫାଷ୍ଟ ପମ୍ପିଙ୍ଗ୍ କରିବାରେ ଏହାର ମୁକାବିଲା ଅନ୍ୟ କେଉଁ ପମ୍ପ କରିପାରିବ ନାହିଁ । ଦୁର୍ବଳ ହୃଦୟବାଲାଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଦୁଇଟା ଦିଲ୍ ସହ ଗୋଟେ ଛୋଟ ଦିଲ୍ ମାଗଣା । ଆମ ପାଖରେ ସବୁ ପ୍ରକାର ଦିଲ୍ ଭରପୁର ଷ୍ଟକ୍ ଉପଲବ୍ଧ ଅଛି । ଯେମିତିକି ପ୍ରେମିକର ମନ୍ଚଲା ଦିଲ୍, ପତିର ସହନଶୀଳ ଦିଲ୍, ପତ୍ନୀର ପ୍ରେମମୟୀ ଦିଲ୍, ନେତାର ଅଲାଜୁକ ଦିଲ୍, ପତିର ସହନଶୀଳ ଦିଲ୍, ଅପରାଧିର ହତ୍ୟାକାରୀ ଦିଲ୍ ଇତ୍ୟାଦି.., ହେଲେ ନକଲି ମାଲ୍ ପ୍ରତି ସାବଧାନ! ଦିଲ୍ କିଣିବା ପୂର୍ବରୁ ଆମ କମ୍ପାନିର ଟ୍ରେଡ଼ ମାର୍କ ଅବଶ୍ୟ ଯାଞ୍ଚ କରିନିଅନ୍ତୁ। ଦିଲ୍ ଛଡା ଅନ୍ୟ ଅଙ୍ଗଗୁଡିକର ବ୍ୟବସାୟରେ ଆମ କମ୍ପାନି ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଟକ୍କର ଦେବାଭଳି। ଲାଟେଷ୍ଟ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ହେଇଥିବା ମାନବଅଙ୍ଗ ପୁରା ବିଶ୍ୱରେ ଏକ୍ସପୋର୍ଟ କରାଯାଉଛି। ଏସବୁର କ୍ୱାଲିଟି ଏତେ ବଢ଼ିଆ ଯେ ଅସଲି ମାନବ-ଅଙ୍ଗ ଏସବୁ ଆଗରେ ପାଣି ପିଇବେ । ଆସନ୍ତୁ ଏବେ ଆମ କମ୍ପାନି ଦ୍ୱାରା ପ୍ରସ୍ତୁତ ଅନ୍ୟ ମାନବ ଅଙ୍ଗଗୁଡିକରେ ବିଶେଷତ୍ୱ ବିଷୟରେ ଜାଣିବା ଯାହା ଦ୍ୱାରା ଆପନମାନଙ୍କୁ କୌଣସି ଅଙ୍ଗ ପାଇଁ ଇଆଡେ ସିଆଡେ ଚକ୍କର କାଟିବାକୁ ପଡିବନି ।
‘ଗୁର୍ଦା’ ମାନେ ‘କିଡନୀ’- ଆଜିକାଲି ଦିଲ୍ ଭଳିଆ କିଡ୍ନି ଫେଲ୍ ହେବାର ଖତରା ସାଧାରଣ ଘଟଣା ହୋଇଗଲାଣି । ହେଲେ ଆମେ ଥାଉଁ ଥାଉଁ ଆପଣମାନଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆମ କମ୍ପାନି ଏକେ ଆରକୁ ବଳି ବଢ଼ିଆ କ୍ୱାଲିଟିର କିଡନି ପ୍ରସ୍ତୁତ କରୁଛି । ଏହାର ସବୁଠୁ ବଢ଼ିଆଗୁଣ ହେଲା ଏହା ରକ୍ତକୁ ଭଲ ଭାବରେ ଛାଣି ସଫା କରିବା ସହ ପରିସ୍ଥିତିର ଗମ୍ଭୀରତାକୁ ବୁଝି ରକ୍ତକୁ କଣ୍ଟେ୍ରାଲରେ ରଖେ । ଉଦାହରଣ ସ୍ୱରୂପ,ଧରି ନିଅନ୍ତୁ ଯେ ଆପଣଙ୍କର କାହା ସହିତ ଝଗଡା ହେଲା ପରେ ଆପଣଙ୍କ ରକ୍ତ ଗରମ ହୋଇ ଫୁଟିଲେ ତାର ତାପମାତ୍ରା ବଢ଼ିବାର ଆଶଙ୍କା ଅଛି । ଦୁର୍ଯୋଗକୁ ସାମ୍ନାବାଲା ଯଦି ଶକ୍ତିଶାଳୀ ହୋଇଥିବ ଏହା ଆପଣଙ୍କ ରକ୍ତକୁ ସାଙ୍ଗେ ସାଙ୍ଗେ ଥଣ୍ଡା କରିଦେବ । ଯାହା ଦ୍ୱାରା ଆପଣ ଠିକ୍ଠାକ୍ ଲାଙ୍ଗୁଳ ଯାକି ସେଠୁ ଖସିଯିବାରେ ସଫଳ ହେବାକୁ ସକ୍ଷମ ହେବେ । ଡାକ୍ତରମାନଙ୍କ ଦ୍ୱାରା ଆମ କମ୍ପାନି କିଡ୍ନି ଲଗେଇବାର ପରାମର୍ଶ ଦିଆଗଲେ ଉଚିତ୍ କମିଶନ୍ର ବ୍ୟବସ୍ଥା ମଧ୍ୟ ରହିଛି । ହୋଲସେଲ୍ରେ କିଡ୍ନିର ଦାମ୍ ୨୫ ପ୍ରତିଶତ ଡିସ୍କାଉଣ୍ଟରେ ମଧ୍ୟ ଦିଆଯିବ ।
‘ଫେପ୍ଡେ୍’ ମାନେ ‘ଲଙ୍ଗ୍ସ’(ଫୁସ୍ଫୁସ୍)- ବିଡି,ତମାଖୁ,ସିଗାରେଟ୍ ଆଦିର ପ୍ରୟୋଗ କରୁଥିବା ଲୋକମାନଙ୍କୁ ପ୍ରାୟତଃ ଏହାର ରିପେୟରିଂ କରିବାକୁ ପଡିଥାଏ । ହେଲେ ଆମ କମ୍ପାନି ଦ୍ୱାରା ପ୍ରସ୍ତୁତ ଫୁସ୍ଫୁସ୍ ଉପରେ କୌଣସି ପ୍ରକାର ତମାଖୁ ପ୍ରଭାବ ପକେଇ ପାରିବ ନାହିଁ । ଥରେ ଆମ କମ୍ପାନି ଦ୍ୱାରା ପ୍ରସ୍ତୁତ ଫସ୍ଫୁସ୍ର ଯୋଡି ଲଗେଇ ଦିଅନ୍ତୁ । ତାପରେ ଯେତେ ଇଛା ସେତେ ସିଗାରେଟ୍ ପିଅନ୍ତୁ ବା ଦିନଯାକ ଗୁଟୁଖା ଚୋବାନ୍ତୁ,ଫିକର କରିବାର କିଛି ଆବଶ୍ୟକତା ହି ନାହିଁ । ଆମ କମ୍ପାନିର ଫସ୍ଫୁସ୍ ଆଗରେ ଆସ୍ଥମା ଥିବା ଲୋକର ଦମ୍ ବାହାରି ଯିବ । ଏହାର ବିଶେଷତା ହେଉଛି ଯଦି ପ୍ରଦୁଷଣ ଯୋଗୁଁ ତାଜା ଆଉ ସ୍ୱଛ ବାୟୁ ଆପଣଙ୍କୁ ମିଳି ପାରୁନି ତେବେ ଆପଣ ଯେ କୌଣସି ପେଟ୍ରୋଲ୍ପମ୍ପକୁ ଯାଇ ତାଜା ପବନ ନିଜ ଫସ୍ଫୁସ୍ରେ ପୁରାଇ ପାରିବେ । ଏହା ପରେ ଆପଣ ଯେତେ ଅଶ୍ୱସ୍ତିକର ପରିବେଶରେ ଥାଆନ୍ତୁ ନା କାହିଁକି ଆପଣ ସହି ସଲାମତ ରହିବେ ।
‘କଲେଜା’ ମାନେ ‘ଲିଭର’- ଆଜିକାଲି ଏ ମହଙ୍ଗା ଯୁଗରେ ବାହା ହେବାକୁ ହେଲେ ଯୁବପୀଢ଼ିର କଲେଜା ମଜବୁତ୍ ହେବା ଦରକାର ଯାହାକି ବହୁତ କମ୍ ଲୋକଙ୍କଠି ଦେଖିବାକୁ ମିଳେ । ତେଣୁ ଏ ବିଷୟରେ ଚିନ୍ତା କରି ଆମ କମ୍ପାନି ବହୁତ ରିସର୍ଚ୍ଚ କରିବା ପରେ ଏମିତି ଏକ କଲିଜା ପ୍ରସ୍ତୁତ କରିଛି ଯାହାକି ବିବାହିତ ପ୍ରାଣୀମାନଙ୍କ ପାଇଁ ବହୁତ ଉପେଯାଗୀ ଅଟେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଲଢେ଼ଇ ହେଲେ ସେମାନଙ୍କ ମଧ୍ୟରୁ ଯିଏ ଆମ କମ୍ପାନିର କଲିଜା ଲଗେଇଥିବ ସେ ନିଶ୍ଚୟ ଭାଗରେ ଜିତିବ । ଯଦି ଆପଣ ଏହାକୁ ବ୍ୟବହାର କରି ନାହାନ୍ତି ତାହେଲେ ଆଜି ହିଁ ନିଜର ଅର୍ଡର ବୁକ୍ କରାନ୍ତୁ । ଯଦି ପସନ୍ଦ ନ ଆସେ ତେବେ ମନିବ୍ୟାକ୍ ମାନେ (ଟଙ୍କା ଫେରସ୍ତ ପାଇବା) ର ଫୁଲ୍ ଗ୍ୟାରେଣ୍ଟି । ପତି-ପତ୍ନୀଙ୍କ ବ୍ୟତୀତ ଆମ କମ୍ପାନି ଦ୍ୱାରା ପ୍ରସ୍ତୁତ କଲେଜା ଚାକିରି କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଉପଯୁକ୍ତ । ଯେଉଁମାନଙ୍କୁ ନିଜ ବସ୍ଙ୍କ ସାମ୍ନାକୁ ଯିବା ଆସିବା ସମୟରେ ଭୟ ଲାଗେ ସେମାନେ ଥରଟେ ଆମର କଲିଜାକୁ ଲଗେଇ ନିର୍ଭୟ ହୋଇ ବସ୍ଙ୍କ ସାମ୍ନାକୁ ଯାଆନ୍ତୁ । ବସ୍ ଆପଣଙ୍କୁ ଗାଳି ଦେବା ଆରମ୍ଭ କଲେ ତାଙ୍କର କଲିଜା ଭୟରେ କମ୍ପିବ । କର୍ମଚାରୀ ୟୁନିୟନ୍ର ଲିଡର ପରା ଆମ କମ୍ପାନିର କଲିଜା ଲଗେଇ ନିଜର ସବୁ ସର୍ତ୍ତ ପୂରଣ କରେଇ ନେଉଛନ୍ତି!
ନାକ- ଆମ କମ୍ପାନି ଦ୍ୱାରା ପ୍ରସ୍ତୁତ ନାକ ଏବେ ବହୁତ ଡିମାଣ୍ଡ୍ରେ ଅଛି । କାରଣ ନାକ କାଟିବାର ଘଟଣା ଆଜିକାଲି ବହୁମାତ୍ରାରେ ବଢ଼ିବାରେ ଲାଗିଛି । ସବୁବେଳେ ସାଇ-ପଡିଶା ତଥା ବନ୍ଧୁବାନ୍ଧବ ପରସ୍ପରର ନାକ କାଟିବାର ମଉକା ଖୋଜିଥାନ୍ତି । ଆମ କମ୍ପାନି ଏମିତ ଏକ ଖାନ୍ଦାନ ନାକ ପ୍ରସ୍ତୁତ କରିଛି,ଯାହାକି ଯେତେ ବଡ ବଦ୍ନାମୀର ମୌକା ହେଉନା କାହିଁକି କେବେବି କଟିବ ନାହିଁ । ଏହାର ଉଚ୍ଚତାକୁ ଏପରି ରଖାଯାଇଛି ଦେ ତାହା କୌଣସି ପରିସ୍ଥିତିରେ ତଳକୁ ହେବ ନାହିଁ । ନାକର ଡିଜାଇନ୍ ଆଉ ଆକାର ବିଭିନ୍ନ ପ୍ରକାରର ରଖାଯାଇଛି । ଆମ କମ୍ପାନୀ ଦ୍ୱାରା ପ୍ରସ୍ତୁତ ନାକର ଶୁଙ୍ଘିବା ଶକ୍ତି ପାଇଁ ପାଓା୍ୱର ଫୁଲ ରିମୋଟ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ମାଇଲ୍ ମାଇଲ୍ ଦୁରରେ କାହା ଘରେ କ’ଣ ରନ୍ଧା ହେଉଛି ତାହା ଆପଣମାନେ ଘରେ ବସି ଶୁଙ୍ଘି ପାରିବେ । ଆଜି ସନ୍ଧ୍ୟା ବେଳେ ସ୍ତ୍ରୀ ଖାଇବା ପୋଡି ଦେଇଛି,ଏକଥା ସ୍ୱାମୀମାନଙ୍କୁ ଅଫିସ୍ରେ ବସି ବସି ଜଣା ପଡିଯିବା ସହ ସେମାନେ ବାହାରେ ଚୁପ୍ଚାପ୍ ଖାଇବାର ପ୍ରୋଗ୍ରାମ୍ କରିପାରିବେ । ଆଜିର ଏଇ ସୋସାଇଟିର ବହୁତ ଲୋକ ଆମ କମ୍ପାନିର ବଢ଼ିଆ ନାକକୁ ଲଗେଇ ବଡ ଗର୍ବର ସହ ବୁଲିଛନ୍ତି । କାହାକୁ ଜଣା ମଧ୍ୟ ପଡିବନି ଯେ ଏମାନଙ୍କର ଅସଲି ନାକ କଟିଛି ବୋଲି..
କାନ- ଯଦି ଆପଣଙ୍କ କାନ ପରିପକ୍ୱ ନୁହେଁ ତେବେ ଆମ ପାଖକୁ ଆସନ୍ତୁ । ଆମେ ଆପଣଙ୍କୁ ଏମିତି ପକ୍କା କାନ ଦେବୁ ଯାହା ଦ୍ୱାରା ଆପଣ ନିଜେ ହିଁ ନିଜ କଥା ଉପରେ ଭରସା କରି ପାରିବେନି । ପିଲାମାନଙ୍କ ପାଇଁ ବିଶେଷ ପ୍ରକାରର ‘କାନମୋଡା ପ୍ରୁଫ୍ କାନ’ ମିଳିବ ଯାହାକୁ ଲଗେଇବାପରେ ମା-ବାପା କି ଶିକ୍ଷକ ଯେତେ ଚେଷ୍ଟା କରନ୍ତୁ କେବେବି କାନ ମୋଡିବାରେ ସଫଳତା ହାସଲ କରିପାରିବେନି । ବିଶେଷ କରି ମହିଳାମାନଙ୍କ ପାଇଁ ତିଆରି ହୋଇଥିବା କାନରେ ଅନ୍ୟମାନଙ୍କର ଖୁସୁର୍-ଫୁସୁର୍ ଶୁଣିବା ପାଇଁ ଡିଟେକ୍ଟର ଫିଟ୍ କରାଯାଇଛି । ଏ ପ୬କାର କାନ ଶାଶୁ-ବୋହୁଙ୍କ ପାଇଁ ବହୁତ ଉପେଯାଗୀ ବୋଲି ପ୍ରମାଣିତ ହୋଇ ସାରିଛି ।
ସ୍ୱାମୀ ମାନଙ୍କ ପାଇଁ ମଧ୍ୟ ଏଇ ଭଳି ବଢ଼ିଆ କାନ ପ୍ରସ୍ତୁତ କରାଯାଇଛି । ସେମାନେ ଚାହିଁଲେ ସ୍ତ୍ରୀମାନଙ୍କର କଥାକୁ ଗୋଟେ କାନରେ ଶୁଣି ଆର କାନ ବାଟେ ବାହାର କରିପାରିବେ କିମ୍ବା ଚୁପଚାପ୍ କାନର ସ୍ୱିଚ୍ ଅଫ୍ କରିଦେଇ ପାରିବେ । ତାପର ଯିଏ ଯେତେ ପ୍ରକାର କଟୁବଚନ କହୁ ସେସବୁ ଆଉ ସେମାନଙ୍କ କାନରେ ପଶିବ ନାହିଁ । ଆଜିକାଲି ହୋ-ହାଲ୍ଲାର ପଦୂଶଣ ଏତେ ବଢ଼ିଗଲାଣି ଯେ ଆମର ଏଇ ପ୍ରାକୃତିକ କାନ ସେସବୁକୁ ଆଉ ଯୋଗ୍ୟ ହୋଇ ରହିନାହାନ୍ତି । ସେଥିପାଇଁ ଆମ କମ୍ପାନିର ଭଲ୍ୟୁମ୍ କଣ୍ଟ୍ରୋଲବାଲା କାନ ଲଗାନ୍ତୁ ଆଉ ଆରାମରେ ଶଦ୍ଧ ପ୍ରଦୂଶଣ ରହିତ ଜୀବନ ବିତାନ୍ତୁ । ଯୁବଗୋଷ୍ଠୀଙ୍କ ପାଇଁ ଏଫ୍.ଏମ୍. ରେଡିଓ ତଥା ସିଡି ପ୍ଲେୟରଯୁକ୍ତ କାନ ମଧ୍ୟ ଉପଲବ୍ଧ। ଏଥିପାଇଁ ଆପଣଙ୍କୁ ହେଡଫୋନ୍ ଲଗେଇବାର ଆବଶ୍ୟକତା ନାହିଁ । କାନରେ ଫିଟ୍କରା ହୋଇଥିବା ସୁଇଚ ଅନ୍ କରିବା ମାତ୍ରେ କାନରେ ପପ୍-ସଙ୍ଗ୍ ବାଜି ଉଠିବ ।
‘ଜୁବାନ’ ମାନେ ‘ଜିଭ’- ବର୍ତ୍ତମାନ ସମୟରେ ବହୁତ ଲୋକ ନିଜ ଜିଭ ଯୋଗୁଁ ବହୁତ ହଇରାଣରେ ପଡୁଛନ୍ତି । ଏମିତିରେ ଏଇ ଜିନିଷଟା ସବୁବେଳେ ବନ୍ଦ ରହେ ନଚେତ୍ ଆବଶ୍ୟକତା ଠାରୁ ଅଧିକା ଚାଲେ । ଏଇ ଦୁଇଟା ମାମଲା ମଧ୍ୟରୁ ଯଦି ଗୋଟିକର ଆପଣ ଶୀକାର ହୋଇଥାନ୍ତି ତେବେ ତୁରନ୍ତ ନିଜର ଜୁଭକୁ ବଦଳାଇ ଦିଅନ୍ତୁ ଏବଂ ଆମ କମ୍ପାନି ଦ୍ୱରା ପ୍ରସ୍ତୁତ ସବୁଠୁ ବଢ଼ିଆ ଜିଭକୁ ବ୍ୟବହାର କରନ୍ତୁ । ଗାଁ ଭଳି ସାଦାସିଦା ବୋହୁମାନଙ୍କ ପାଇଁ ଆମେ ‘କଇଁଛ ଛାପ’ ଜିଭ ବନେଇଛୁ । ଏ ପ୍ରକାର ଜିଭର ଗତି ଆଉ ଧାର ଲାଜବାଜ୍ ଅଟେ । ବେପାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଧରଣର ମିଠାକଥା କହିବା ଜିଭର ନିର୍ମାଣ କରାଯାଇଛି । ଯାହାକି ଗ୍ରାହକମାନଙ୍କୁ ପଟେଇବାରେ ସଫଳତା ହାସଲ କରିପାରୁଛି । ନେତା ତଥା ମନ୍ତ୍ରୀମାନଙ୍କ ପାଇଁ ‘ଭାଷଣବାଜି ଜିଭ’ ବାହାର କରିଛୁ । ଏହି ଜିଭର ବିଶେଷତା ହେଉଛି ଯେ କୌଣସି ପରିସ୍ଥିତିରେ ଯେ କୌଣସି ବିଷୟ ଉପରେ ଯେତେ ସମୟ ଲାଗୁ ବିନା ଅଟକି ଲଗାତାର ଭାଷଣ ଝାଡ଼ି ପାରିବେ । ଏହା ଛଡ଼ା
ନିର୍ବାଚନ ସମୟରେ ଏହି ଜିଭରେ ପ୍ରତିଶ୍ରୁତି ଭଣ୍ଡାର ପୂର୍ବରୁ ରେକଡର଼୍ ହୋଇ ରହିଛି ଯାହାକି ନିର୍ବାଚନ ପରେ ପରେ ଆପେ ଆପେ ନଷ୍ଟ ହୋଇଯାଏ । ଓକିଲମାନଙ୍କ ପାଇଁ ଆମ କମ୍ପାନି ବହୁତ ବଢ଼ିଆ ଧରଣର ଜିଭ ବାହାର କରିଛି । ଏହି ଜିଭ ବଡ଼ କୁଶଳତାର ସହ ସତକୁ ମିଛ ଓ ମିଛକୁ ସତ ପ୍ରମାଣିତ କରିବାରେ ବେଶ୍ ପାରଙ୍ଗମ । ଆଦର୍ଶବାଦୀ ଓକିଲଙ୍କ ପାଇଁ ଆମ ପାଖରେ ଅଲଗା ପ୍ରକାରର ଜିଭ ମଧ୍ୟ ଉପଲବ୍ଧ ଅଛି ଯାହାକି ନିଦେ୍ର୍ଧାଷକୁ ମୁକୁଳେଇବାର ତଥା ଦୋଷୀକୁ ଦଣ୍ଡ ଦେବାର ଦକ୍ଷତା ରଖୁଛି ।
ଆଖି- ମଣିଷର ସବୁ ଅଙ୍ଗ ମଧ୍ୟରୁ ଆଖି ହେଉଛି ସବୁଠୁ ବେଶୀ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ତା ବିନା ମଣିଷର ଜୀବନ ହୋଇଯାଏ ବିନା ଲେନ୍ସର କ୍ୟାମେରା ନହେଲେ ବିନା ବିଜୁଳିର ବଲବ୍ । ଆଖିର ମହତ୍ତ୍ୱକୁ ବୁଝି ଆମ କମ୍ପାନି ତା ଉପରେ ସ୍ୱତନ୍ତ୍ର ଭାବରେ ରିସର୍ଚ୍ଚ କରି ସବୁଠାରୁ ଉନ୍ନତମାନର ଆଖି ପ୍ରସ୍ତୁତ କରିଛି । ଲଫଙ୍ଗା-ମଜ୍ନୁ ଟାଇପ୍ର ଯୁବକମାନଙ୍କ ପାଇଁ ଏମିତି ଆଖି ତିଆରି କରିଛୁ ଯିଏକି ଯେ କୌଣସି ସୁନ୍ଦରୀ ଝିଅକୁ ଦେଖିବା ମାତ୍ରେ ଅଟୋମେଟିକ୍ ଆଖି ମାରିବା ଆରମ୍ଭ କରିଦେବ । ଫେଶନ୍ବାଲି ଯୁବତୀଙ୍କ ପାଇଁ ଆମ ପାଖରେ ‘ହରିଣଛାପ ଆଖି ଅଛି’ । ସେହିପରି ଗୁଣ୍ଡାମବାଲୀମାନଙ୍କ ପାଇଁ ‘ଭୟାନକ ଆଖି’ ମଧ୍ୟ ଅଛି । ଏହା ସାହାଯ୍ୟରେ ଯାହାକୁ ଚାହିଁବ ସହଜରେ ଡରେଇ ଧମକେଇ ପାରିବ । ପୁଲିସ୍ବାଲାଙ୍କ ପାଇଁ ଦମ୍ଭୀଲାଆଖି ଉପଲବ୍ଧ ଅଛି । ଏହାର ବିଶେଷତା ହେଉଛି ଯେ ଏହା ସଭ୍ୟ ନାଗରିକମାନଙ୍କୁ ଆଶ୍ୱସନା ଦେଇଥାଏ ତଥା ଦୋନମ୍ବରୀ କାମ କରୁଥିବା ଅପରାଧିମାନଙ୍କ ଆଖିରେ ଆଖି ମିଶେଇ ପାରେ । ରାଜନୀତିଜ୍ଞମାନଙ୍କ ପାଇଁ ବିଶେଷ ଭାବରେ ‘କୁମ୍ଭୀରକାନ୍ଦଣା’ ଆଖି ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ ସେମାନେ ଜନତାଙ୍କ ସମ୍ମୁଖରେ ଦୁଃଖ ପ୍ରକଟ କରିବା ପାଇଁ କିଛି ମିନିଟ୍ ମଧ୍ୟରେ ଗ୍ୟାଲନ୍ ଗ୍ୟାଲନ୍ ଲୁହ ଝରେଇ ପାରିବେ । ବାକି ମାଗୁଥିବା ଲୋକମାନଙ୍କ ପାଇଁ ଆମ ପାଖରେ ବଢ଼ିଆ ବ୍ୟବସ୍ଥା ଅଛି । ଯାହା ସାହାଯ୍ୟରେ ସେମାନେ ଆରାମରେ ଋଣ ଦେଇଥିବା ଲୋକଠୁ ଆଖି ଚୋରେଇ ଖସି ଯାଇପାରିବେ । ପତ୍ନୀମାନେ ତ ଆମ କମ୍ପାନିର ଆଖି ଲଗେଇ ନିଜ ସ୍ୱାମୀମାନଙ୍କ ଉପରେ ସହଜରେ ନଜର ମଧ୍ୟ ରଖିପାରିବେ ।
ହାତ- କାମଧନ୍ଦା କରୁଥିବା ଲୋକମାନଙ୍କ ପାଇଁ ହାତ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସେହିପରି ବେରୋଜଗାରମାନଙ୍କୁ ମଧ୍ୟ ହାତ ଉପରେ ହାତ ରଖି ଘରେ ବସି ରହିବା ପାଇଁ ହାତର ଆବଶ୍ୟକତା ନିଶ୍ଚିତ ଭାବରେ ଅଛି । ତେଣୁ ଏ ବିଷୟରେ ଚିନ୍ତା କରି ଆମ କମ୍ପାନି ବିଭିନ୍ନ ପ୍ରକାରର ହାତ ନିର୍ମାଣ କରିଛି । ମହିଳାମାନଙ୍କ ପାଇଁ କୁଶଳତାର ସହ ସ୍ୟାଣ୍ଡେଲ ଆଉ ବେଲଣାକାଠି ଚଳେଇବା ବାଲା ହାତ ବହୁତ ଲୋକପ୍ରିୟ ହୋଇପାରିଛି । ପକେଟ୍ମାରମାନଙ୍କ ପାଇଁ ଆମ ଦ୍ୱାରା ତିଆରି ହୋଇଥିବା ହାତ ଏତେ ଚତୁରତାର ସହ କାମ କରେ ଯେ ଖୋଦ୍ ପକେଟ୍ମାରକୁ ମଧ୍ୟ ଜଣା ପଡେନି କେତେବେଳେ କାମ ହୋଇଗଲା ବୋଲି । ଗୁଣ୍ଡାମବାଲିମାନଙ୍କ ପାଇଁ ସ୍ୱତନ୍ତ୍ର ଧରଣର ଫୁର୍ତ୍ତିଲା ହାତ ଆପଣଙ୍କୁ ମିଳିପାରିବ ଯାହା ସାହାଯ୍ୟରେ ଚାକୁ,ଖଣ୍ଡା,ଟାଙ୍ଗିଆ ଭଲି ଖତରନାକ ହତିଆର ବ୍ୟବହାର କରିବା ସହଜ ହୋଇପାରିବ । ଦେଶର ସୁରକ୍ଷା କରୁଥିବା ସୈନିକମାନଙ୍କ ପାଇଁ ଆମେ ବହୁତ ପରିଶ୍ରମ କରି ‘ମଜବୁତ୍ ହାତ’ ପ୍ରସ୍ତୁତ କରିଛୁ । ହେଲେ ଆତଙ୍କବାଦୀ ଗ୍ରାହକମାନେ ଆମକୁ କ୍ଷମା କରିବେ । କାରଣ ନିରୀହ ତଥା ନିଦେ୍ର୍ଧାଷ ଲୋକଙ୍କ ରକ୍ତରେ ହାତକୁ ରକ୍ତରଞ୍ଜିତ କରିବା ପାଇଁ ଆମ କମ୍ପାନି କୌଣସି ପ୍ରକାରର ହାତ ତିଆରି କରିନି କି ଭବିଷ୍ୟତରେ କେବେ ପ୍ରସ୍ତୁତ ମଧ୍ୟ କରିବ ନାହିଁ ।
ମସ୍ତିଷ୍କ-ମାନବ ଶରୀରର ଯଦି ସବୁଠାରୁ ଅବାଗିଆ ଅଙ୍ଗ ଖୋଜା ଯାଏ ତେବେ ତାହା ହେଉଛି ତାର ମୁଣ୍ଡ । କାରଣ ତା ଭିତରେ ଥିବା ପ୍ରତ୍ୟେକ କଳକବ୍ଜା ଏତେ କୋମଳ ଯେ ଛୋଟ ଛୋଟ କଥାରେ ଶୀଘ୍ର ଖରାପ ହୋଇଯାଏ । ଯେମିତି ବିବାହ ବାର୍ଷିକୀ ଭୁଲିଗଲେ ପତ୍ନୀର ମୁଣ୍ଡ ଖରାପ ହୋଇଯାଏ । ଚାକର ଦରମା ବଢେ଼ଇବା କଥା କହିଲେ ମାଲିକର ମୁଣ୍ଡ ବିଗିଡ଼ି ଯାଏ । ତେଣୁ ଏହି ସବୁ ମୁଣ୍ଡ ଜନିତ ସମସ୍ୟା ଗୁଡିକୁ କାବୁ କରିବା ପାଇଁ ଆମ କମ୍ପାନି କମ୍ପୁ୍ୟଟର ଖଞ୍ଜିତ ମୁଣ୍ଡର ନିର୍ମାଣ କରିଛି,ଯିଏକି ପ୍ରତ୍ୟେକଙ୍କର ସୁବିଧା ଅନୁସାରେ କାମ କରିବାକୁ ସକ୍ଷମ । ତାର ମେମୋରି ଏତେ ପାଓା୍ୱରଫୁଲ ଯେ ଗତଜନ୍ମରେ କରିଥିବା ମୁର୍ଖାମୀକୁ ମଧ୍ୟ ସେ ମନେ ରଖିଥାଏ । ଦୟାକରି ଗ୍ରାହକମାନେ ମନେରଖନ୍ତୁ ଯେ ଧୋକା ଦେଉଥିବା ଓ ଚାଲ୍ବାଜିରେ ଏକ୍ସପର୍ଟ ଥିବା ମୁଣ୍ଡ ଆଜିକାଲି ବହୁତ ଡ଼ିମାଣ୍ଡରେ ଅଛି । ସେଥିପାଇଁ ଆପଣମାନଙ୍କୁ ବହୁତ ଅର୍ଥ ବ୍ୟୟ କରିବାକୁ ପଡିବ ତଥା ଦୁଇବର୍ଷ ପୂର୍ବରୁ ଏପରି ମୁଣ୍ଡର ଡେଲିଭରି ହୋଇ ପାରିବ ନାହିଁ । ହେଲେ ସମଜ୍ଦାର ତଥା ସାଧାସିଧା କିସମ ମୁଣ୍ଡର ଫାଲତୁ ଷ୍ଟକ ଆମ ପାଖରେ ପଡ଼ି ରହିଛି । କାରଣ ଏହାର ଡିମାଣ୍ଡ ବହୁତ କମ୍ । ତେଣୁ ଏ ପ୍ରକାର ମୁଣ୍ଡ ପାଇଁ ଆମେ ୧୦୦% ପ୍ରତିଶତ ଡ଼ିସକାଉଣ୍ଟ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ ।
ସାମ୍ବିଧାନିକ ଚେତାବନୀ!- ମାନବ ଅଙ୍ଗର ବ୍ୟାପାର କରିବା ଆଇନ୍ ଅନୁସାରେ ଅବୈଧ ଅଟେ ନୋଟ୍- ଦୟାକରି ଏସବୁ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ଧନ୍ୟବାଦ ।
୨୭,ବ୍ରହ୍ମେଶ୍ୱର ବାଗ
ଟଙ୍କପାଣି ରୋଡ, ଭୁବନେଶ୍ୱର
ଫୋନ ନଂ-୭୨୦୫୮୫୦୮୩୧
ଭୁବନେଶ୍ୱର
Go Back to Previous Page
ରାହା
ନୃସିଂହ ଚରଣ ବେହେରା
Read Article
ବାପରେ! କେବେ ଆସିବୁ
ଜ୍ୟୋତିରଞ୍ଜନ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ