ଗୀତା ଗୌରବର୍ଣ୍ଣର ସାଧାରଣ ଝିଅଟିଏ। ଦେଖିବାକୁ ଖୁବ୍ ସୁନ୍ଦର। ଯୁବତୀ ବୟସରେ ଆଖିରେ ତା’ର ଆଖିଏ ସ୍ୱପ୍ନ। ଅନ୍ୟ ଯୁବତୀଙ୍କ ଭଳି ସେ ମଧ୍ୟ ସ୍ୱପ୍ନ ଦେଖେ। ଭଲ ପାଠ ପଢିବ, ଚାକିରୀ କରିବ। ନିଜ ଗୋଡରେ ନିଜେ ଠିଆ ହେବ। ନିଜ ମନ ପସନ୍ଦର ପୁଅକୁ ବିବାହ କରି ଘର ସଂସାର କରିବ। ସହରରେ ନିଜର ଘରଟିଏ କରିବ। ସେଇ ଘରେ ସେ ତା ସ୍ୱାମୀ ଓ ପୁଅ ଝିଅଙ୍କ ସହିତ ସୁଖରେ ତାର ଜୀବନ ବିତାଇ ଦେବ ।
ଏମିତି ତ ମଣିଷ ତା’ ଜୀବନରେ କେତେ ଯେ ସ୍ୱପ୍ନ ଦେଖେ ତାର ହିସାବ ନଥାଏ । ଗୀତା ମଧ୍ୟ ତା’ ସୁନେଲି ଭବିଷ୍ୟତ ପାଇଁ ଏମିତି କେତେ ସ୍ୱପ୍ନ ଦେଖେ । ତା’ର ବି.ଏ. ପଢାର ଶେଷ ବର୍ଷର ସମୟ । ସେ ଅନଲାଇନରେ ଜଣେ ଯୁବକ ସହିତ ଦିନେ ବନ୍ଧୁତା ସ୍ଥାପନ କଲା । ଯୁବକଟି ନିଜକୁ ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ପୁଅ ବୋଲି ପରିଚୟ ଦେଲା । ସେ ଫ୍ଲୋରିଡାରୁ ଏମ୍.ବି.ଏ କରି ବର୍ଷେ ହେଲା ବାପାଙ୍କ ବ୍ୟବସାୟରେ ଯୋଗ ଦେଇଛି । ତା’ର ନାମ ମନୋହର ଗୁପ୍ତା ଏବଂ ନାଗପୁର ତାଙ୍କର ନିଜର ଘର ଅଛି । ଧୀରେ ଧୀରେ ନିୟମିତ କଥାବାର୍ତ୍ତାର ଆଦାନ ପ୍ରଦାନ ଯୋଗୁଁ ସେ ଦୁହିଁଙ୍କ ଭିତରେ ଘନିଷ୍ଟତା ବଢିଲା । ଗୀତାକୁ ମନୋହର ବିନା ତା ଜୀବନର କାନଭାସ୍ ଖାଲି ଖାଲି ଲାଗିଲା । ସେ ଅନୁଭବ କଲା,ମନୋହର ବିନା ସେ ବଞ୍ଚିପାରିବ ନାହିଁ । ତେଣୁ ସେମାନେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ ।
ସମୟ କାହାରିକି ଅପେକ୍ଷା କରେନା । ବି.ଏ. ପାଶ କଲା ପରେ ପରେ ପରିବାର ମନା କରିବା ସତ୍ତ୍ବେ ମଧ୍ୟ ସେମାନେ ନାଗପୁରର କୋର୍ଟରେ ବିବାହ କଲେ। ବିବାହ ପରେ ମନୋହର ଗୀତାକୁ ଗୋଟିଏ ଭଡାଘରେ ନେଇ ରଖିଲା । ଗୀତା ଏଥିରେ ଆଶ୍ଚର୍ଯ୍ୟ ହୋଇ ମନୋହରକୁ ପଚାରିଲା! “ଏହି ନାଗପୁରରେ ତୁମର ନିଜର ଘର ଥାଇ ଆମେ ଭଡାଘରେ କାହିଁକି ରହିବା?” ଦେଖ ଆମେ ଦୁହେଁ ଆମ ପସନ୍ଦରେ କୋର୍ଟରେ ବିବାହ କରିବା ଯୋଗୁଁ ଆମ ଘର ଲୋକ ଟିକିଏ ଅସନ୍ତୁଷ୍ଟ ଅଛନ୍ତି । ଏମିତି ପରିସ୍ଥିତିରେ ମୁଁ କେଉଁ ସାହସରେ ତୁମକୁ ନେଇ ଆମ ଘରକୁ ଯିବି,ମନୋହର କହିଲା ।
ଗୀତା ଆଇ କିଛି ନ ପଚାରି ମନୋହରକୁ କହିଲା, ତୁମେ ବ୍ୟସ୍ତ ହୁଅନି । ଧୀରେ ଧୀରେ ସବୁ ଠିକ୍ ହୋଇଯିବ । ସମୟଠୁଁ ବଡ ବୈଦ୍ୟ ଆଉ କେହି ନାହାନ୍ତି, ଏଇ ଦୁନିଆରେ। ଦେଖିବି ଦିନେ ନା ଦିନେ ତୁମ ଘର ଲୋକ ମୋତେ ଗ୍ରହଣ କରିନେବେ ।
ଧୀରେ ଧୀରେ ସେମାନଙ୍କ ଜୀବନ ସାଧାରଣ ଗତିରେ ଆଗେଇବାକୁ ଲାଗିଲା । ହେଲେ ଗୀତା ପଡୋଶୀ ମାନଙ୍କ ସହିତ ସହଜରେ ମିଶି ପାରୁ ନଥିଲା, ତା’ର ମୁଖ୍ୟ କାରଣ ହେଲା ଭାଷା! ନାଗପୁରରେ ପ୍ରାୟତ ସମସ୍ତେ ମରାଠୀ ଭାଷାରେ କଥା ହୁଅନ୍ତି ଆଉ ଗୀତାକୁ ମରାଠୀ ଆସେନି । ତେଣୁ ସେ ନିଜକୁ ବହୁତ ଅସହାୟ ମନେ କରେ । ପ୍ରତିଦିନ ନଅଟା ବେଳେ ମନୋହର ଘରୁ ବାହାରିଯାଏ ଆଉ ପୁଣି ସନ୍ଧ୍ୟା ଆଠଟା ବେଳକୁ ଫେରେ । ଦିନତମାମ୍ ଘରେ ଏକୁଟିଆ ବସି ବସି ଗୀତା ବୋର୍ ହୋଇଯାଏ। ବେଳେବେଳେ ମନୋହରର କଥାବାର୍ତ୍ତା ଓ ଚାଲିଚଳଣି ଦେଖି ଗୀତାର ସନ୍ଦେହ ହୁଏ। ହେଲେ ସେ ମନୋହରକୁ କିଛି କହି ପାରେନା । ବେଳେବେଳେ ସେମାନଙ୍କର ଝଗଡାବି ହୁଏ । ସେ ଝଗଡା ପୁଣି ଦୂର ହୋଇଯାଏ ମନୋହର ପ୍ରେମ ପୂର୍ଣ୍ଣ ସମ୍ଭାଷଣରେ ।
ଦିନେ ସୁଯୋଗ ଦେଖି ଗୀତା ବଜାରକୁ ଯାଇ କିଛି ବହି କିଣି ଆଣିଲା । ତା ସହିତ ଖଣ୍ଡିଏ ସହଜ ମରାଠୀ ଶିକ୍ଷା ବହି ମଧ୍ୟ ନେଇ ଆସିଲା । ମନୋହରକୁ ଲୁଚାଇ ଲୁଚାଇ ସେ ମରାଠୀ ଭାଷା ଶିଖୁଥାଏ। ପ୍ରାୟ ତିନିମାସ ପରେ ସେ କାମଚଳା ମରାଠୀ ଶିଖିଗଲା। ହେଲେ ସେ ମନୋହର ସହିତ କେବେବି ମରାଠୀରେ କଥାବାର୍ତ୍ତା କରେନି । କାରଣ,ସେ ଭାବିଥିଲା ଯେଉଁଦିନ ସେ ଶ୍ୱଶୁର ଘରକୁ ଯିବ ସେଦିନ ସେ ମରାଠୀରେ କଥାବାର୍ତ୍ତା କରି ସମସ୍ତଙ୍କୁ ଚମକାଇ ଦେବ । ହେଲେ ତା’ର ଭାବନା ଭାବନାରେ ହିଁ ରହିଗଲା,ଯେଉଁଦିନ ପଡୀଶାଘରର ଝିଅ ତାଙ୍କ ଘରକୁ ଆସିଲା,ସରିତାର କଥା ତା’ ସ୍ୱପ୍ନର ଘରକୁ କ୍ଷଣକ ମଧ୍ୟରେ ଭାଙ୍ଗି ଚୁନା ଚୁନା କରିଦେଲା ।
ସରିତା ଆସି କହିଲା ମନୋହର କୈଣସି ବ୍ୟବସାୟୀ ନୁହେଁ ବରଂ ଗୋଟିଏ ଦୋକାନରେ ସେଲସ୍ମ୍ୟାନ ଭାବରେ କାମ କରେ । ତାର ଏ ସହରରେ କେହି ନାହାନ୍ତି କିମ୍ବା କୈଣସି ଘର ମଧ୍ୟ ନାହିଁ । ଏକତା ଶୁଣି ଗୀତାକୁ ଚାରିଆଡ ଅନ୍ଧାର ଦିଶିଲା । ତାକୁ ଲାଗିଲା ସତେ ଯେମିତି ତା ପାଦ ତଳୁ ମାଟି ଅତଡା ଖସିଯିବ । ସେ ଏବେ କ’ଣ କରିବ କିଛି ଭାବି ପାରିଲା ନାହିଁ । କାରଣ ଏବେ ସେ ମା’ ହେବାକୁ ଯାଉଛି । ସେଦିନ ମନୋହର ଘରକୁ ଫେରିଲା ପରେ ସେମାନଙ୍କ ଭିତରେ ବହୁତ କଳି ଝଗଡା ହେଲା । ଗୀତାର ଏକା ଯିଦ୍ ସେ ଶ୍ୱଶୁର ଘେରକୁ ଯିବ ଆଉ ଏ ଭଡା ଘରେ ରହିବ ନାହିଁ । ମନୋହର ବହୁତ ବୁଝେଇବା ପରେ ଯାଇ ଗୀତା ଶାନ୍ତ ହେଲା ।
ବିଧିର ବିଧାନ ବଡ ବିଚିତ୍ର। କେତେବେଳେ ଯେ କଣ ଘଟିବ କିଏ ବା କହିପାରିବ ? ଦିନେ ସକାଳେ ଘର ଆଗରେ ପୋଲିସ ଆସି ହାଜର । ଦୁଇ ବର୍ଷ ତଳର ଏକ ବୋମାମାଡ ଗଟଣାରେ ପୋଲିସ ମାମଲା ରୁଜୁକରି ଅଭୁଯୁକ୍ତ ମାନଙ୍କୁ ଖୋଜୁଥିଲା । କିନ୍ତୁ ଠାବ କରି ପାରୁନଥିଲା । ଆଉ ଏକ ଜମି ମାମଲାର ଖୋଳତାଡ କରୁ କରୁ ମନୋହରର ସନ୍ଧାନ ପୋଲିସ ପାଇଲା । ଆଉ ଏବେ ଆସିଛି ତାକୁ ଗିରଫ କରିବାକୁ । ଦେଖୁ ଦେଖୁ ଗୀତା ସାମ୍ନାରେ ପୋଲିସ୍ ମନୋହରକୁ ଗିରଫ କରି ଥାନାକୁ ନେଇଗଲା । ଗୀତା ମୁଣ୍ଡରେ ଏବେ ଚଡକ ପଡିଲା । ସେ ଏବେ କ’ଣ କରିବ? ତା ପାଇଁ ତ ସବୁ ବାଟ ବନ୍ଦ । ଶ୍ୱଶୁରଘରର ଠିକଣା ଯେହେତୁ ଜାଣିନି, ସେଠିକି ତେଣୁ ଯାଇ ପାରିବନି । ଆଉ ବାପଘର ଲୋକମାନଙ୍କର ବିରୋଧ ସତ୍ତ୍ବେ ସେ ମନୋହରକୁ ବାହା ହୋଇଥିବାରୁ ସେଠିକି ମଧ୍ୟ ଯାଇପାରିବନି । ଗୀତାକୁ ଲାଗିଲା ସତେ ଯେମିତି ଜୀବନର ଚାରିଛକରେ ଆଜି ଏକୁଟିଆ ଛିଡା ହୋଇଛି । ସେ କେଉଁଠିକି ଯିବ?କ’ଣ କରିବ? ଏହି କଥା ଭାବି ଭାବି ଆଉ କାନ୍ଦି କାନ୍ଦି ଅଖିଆ ଅପିଆ ଦୁଇଦିନ କଟିଗଲା । ହେଲେ ତାକୁ ତ ପୁଣି ବଞ୍ଚିବାକୁ ହେବ । ନିଜ ପାଇଁ ନହେଲେ ପେଟରେ ବଢୁଥିବା ଛୁଆଟେ ପାଇଁ ବଞ୍ଚିବାକୁ ହେବ । ସେ ହଠାତ୍ କିଛି ସ୍ଥିର କରିପାରୁ ନଥାଏ । ସେ ଦିନ ସେକେଣ୍ଡ ସଟରଡେ, ସରକାରୀ ଅଫିସ ସବୁ ବନ୍ଦ । ଅପରାହ୍ନ ସମୟରେ ଜଣେ ଟିପ୍ଟପ୍ ପୋଷାକ ପିନ୍ଧାବାବୁ ଆସି ତା ଘରେ ପହଞ୍ଚିଲେ । ଯାହାକୁ ଗୀତା ଆଗରୁ କେବେ ଦେଖି ନଥିଲା । ସେ’ ବାବୁ ଜଣ ନିଜକୁ ମନୋହରର ବନ୍ଧୁ ଭାବରେ ନିଜକୁ ପରିଚିତ କଲେ । ମନୋହରକୁ ପୋଲିସ୍ ଗିରଫ ଖବର ଶୁଣି ସେ ତା ପାଖକୁ ଯାଇଥିଲେ । ବନ୍ଧୁର ଅନୁରୋଧ ରକ୍ଷାକରି ସେ କିଛି ସାହାଯ୍ୟ କରିବାକୁ ଆସିଛନ୍ତି । ସେ ଚଳିବା ପାଇଁ ଗୀତାକୁ ପାଞ୍ଚ ଶହ ଟଙ୍କା ଦେଲେ ଏବଂ ଯିବା ପୂର୍ବରୁ କହିଗଲେ ଯେ,ଦୁଇ ଦିନ ଭିତରେ ତା ପାଇଁ ଅଲଗା ବ୍ୟବସ୍ଥା କରିଦେବେ ।
ସେ ବାବୁ ଚାଲିଗଲା ପରେ ତାଙ୍କ କଥାରେ ଗୀତାର ସନେ୍ଦହ ହେଲା । ଗୀତାକୁ ତାଙ୍କ ଚାହାଣୀ କାହିଁକି ଭଲ ଲାଗିଲା ନାହିଁ । ଏହି ବାବୁ ଜଣଙ୍କ ଭରସାର ପାତ୍ର ନୁହନ୍ତି ବୋଲି ତାର ଦୃଢ ଧାରଣା ହେଲା । ତେଣୁ ସେ ରାତା ରାତି ସେ ସ୍ଥାନ ଛାଡି ଯିବା ପାଇଁ ମନସ୍ଥ କଲା । ନିଜର ଦୁଇ ଚାରିଖଣ୍ଡ ପିନ୍ଧା ଲୁଗା ଓ ସବୁ ସାଟିଫିକେଟକୁ ବ୍ୟାଗରେ ପୁରାଇ ସେହି ରାତିରେ ରେଳ ଷ୍ଟେସନ୍ରେ ଯାଇ ପହଞ୍ଚିଗଲା । ଷ୍ଟେସନରେ ପହଞ୍ଚି ଦେଖିଲା ରେଳଗାଡିଟିଏ ଆସି ପ୍ଲାଟଫର୍ମରେ ଲାଗିଛି । କିଛି ଲୋକ ଗାଡିରେ ଚଢିବା ପାଇଁ ଦଉଡା ଦଉଡି କରୁଛନ୍ତି । ସେ ବି ସେହି ଲୋକମାନଙ୍କ ସାଥିରେ ମିଶିଗଲା ଆଉ ଗୋଟିଏ ଡବାକୁ ଉଠିଯାଇ ଖାଲି ସିଟଟିଏ ଦେଖି ବସି ପଡିଲା ।
କିଛି ସମୟପରେ ଗାଡି ଚାଲିଲା । ଆଉ ଗାଡି ଚାଲିବା ସହିତ “ବଞ୍ଚିବାର ରାହା ଖୋଜି ଖୋଜି ଆଗେଇ ଚାଲିଥିଲା ଗୀତାର ମହାଜୀବନର ଯାତ୍ରା” । ଷ୍ଟେସନ୍କୁ ଆସିବା ବାଟରେ ସେ ଅଳ୍ପ କିଛି ଖାଇ ଦେଇଥିଲା । ଗାଡି ଚାଲିଲା ପରେ ଥଣ୍ଡା ପବନ ତା ଦେହକୁ ସ୍ପର୍ଶ କରିବାକୁ ଲାଗିଲା । ଥଣ୍ଡା ପବନର ସ୍ପର୍ଶରେ ତା ଆଖି ମୁଜି ହୋଇଗଲା । ବେଶ୍ କିଛି ସମୟ ସେ ଶାନ୍ତିରେ ଶୋଇପଡିଲା ।
ଏମିତି କିଛି ସମୟ ବିତିଗଲା ପରେ ହଠାତ୍ କାହାର ଡାକରେ ନିଦ ଭାଙ୍ଗିଗଲା । ଆଖି ମଳି ଦେଖେତ ସାମନାରେ ଟିଟି ତାକୁ ଟିକେଟ୍ ମାଗୁଛନ୍ତି । ବିନା ଟିକେଟରେ ଯାତ୍ରା କରିବା ଦଣ୍ଡନୀୟ ଅପରାଧ ଜାଣି ମଧ୍ୟ ସେ ଟିକେଟ କରି ନଥିଲା । ତାକୁ ତ ଲକ୍ଷ୍ୟସ୍ଥଳ ଜଣା ନାହିଁ! ସେ କେଉଁ ଜାଗାର ଟିକେଟ୍ କାଟିବ? ତେଣୁ ସେ କିଛି ନକହି ମୁଣ୍ଡ ତଳକୁ କରି ଛିଡା ହେଲା । ଟିଟି ସାକାନ୍ୟ ବିରକ୍ତ ହୋଇ ପରବର୍ତ୍ତି ଷ୍ଟେସନରେ ଗାଡିରୁ ଓହ୍ଲାଇ ଦେଇ ପୋଲିସକୁ ହସ୍ତାନ୍ତର କରିବେ ବୋଲି କହିବାରୁ ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ତା’ର ଏପରି ଅବସ୍ଥା ଦେଖି ଜଣେ ଭଦ୍ରବ୍ୟକ୍ତି ତା’ ପାଇଁ ପଇସା ଦେଇ ଟିକେଟର ବ୍ୟବସ୍ଥା କରିଦେଲେ । କିନ୍ତୁ ଗୀତା ସେହିପରି ଛିଡା ହୋଇ କାନ୍ଦୁଥାଏ । ତା’ ପାଖକୁ ସେ ଭଦ୍ରବ୍ୟକ୍ତି ଜଣକ ଆସି ପଚାରିଲେ,“କ’ଣ ଘରୁ ରାଗିକରି ପଳାଇ ଆସିଚ କି?”,ତାଙ୍କ କଥାର କୈଣସି ଉତ୍ତର ନଦେଇ ସେ କେବଳ ମୁଣ୍ଡ ହଲାଇ ସମ୍ମତି ଜଣାଇଲା । ସେ ଭଦ୍ରବ୍ୟକ୍ତି ତାକୁ ଆଶ୍ୱାସନା ଦେଇ କହିଲେ,ଚିନ୍ତା କର ନାହିଁ,ତୁମ ଅସୁବିଧା କଥା ପରେ ଚିନ୍ତା କରିବା । ଏବେ ତୁମେ ନିଶ୍ଚିନ୍ତ ହୋଇ ତୁମ ସିଟ୍ରେ ବସିଯାଅ ।
ଗାଡି ସେମିତି ଚାଲିଥାଏ । ଗୀତା ତା’ ଭବିଷ୍ୟତର ଅନ୍ଧକାରକୁ ଚିରି କେମିତି ଆଗକୁ ବଢିବ ସେ ବିଷୟରେ ଭାବି ଭାବି କେତେବେଳେ ପୁଣି ଶୋଇ ପଡିଛି । ରାତିପାହି ସକାଳ ହେଲା । ସେ ଭଦ୍ରବ୍ୟକ୍ତି ଜଣକ ଗାଡିରୁ ଓହ୍ଲାଇଲେ ଆଉ ତାଙ୍କ ପଛେ ପଛେ ଗୀତା ମଧ୍ୟ ଗାଡିରୁ ଓହ୍ଲାଇଲା । ଉଭୟେ ଷ୍ଟେସନ ବାହାରକୁ ଯାଇ ଗୋଟିଏ ଟ୍ୟାକ୍କ୍ିରେ ବସିଲେ । ଗାଡି ଦୃତ ଗତିରେ କିଛିବାଟ ଗଲା ପରେ ଗୋଟିଏ କଚ୍ଚା ରାସ୍ତାରେ ଅଳ୍ପବାଟ ଯାଇ ଗୋଟିଏ ବଡ ଗେଟ୍ ସାମନାରେ ଅଟକିଗଲା । ଦୁଇଜଣ ଯାକ ଗାଡିରୁ ଓହ୍ଲାଇ ଗେଟ୍ ଖୋଲି ଭିତରକୁ ଗଲେ । ତାହାଥିଲା ଏକ ଫାର୍ମ ହାଉସ୍ । ସେମାନଙ୍କୁ ଦେଖି ଜଣେ ବୃଦ୍ଧା ଘର ଭିତରୁ ବାହାରି ଆସି ପଚାରିଲେ, “ଏ ଝିଅଟି କିଏ?” ଭଦ୍ରବ୍ୟକ୍ତି ଜଣକ କିଛି ଉତ୍ତର ଦେବା ପୂର୍ବରୁ ଗୀତା ତାଙ୍କ ପାଦଛୁଇଁ ପ୍ରଣାମ କଲା । ପୂଅର ଉତ୍ତରକୁ ଅପେକ୍ଷା ନ କରି ବୃଦ୍ଧା ଗୀତାକୁ ସାଥିରେ ନେଇ ଘର ଭିତରକୁ ପଶିଗଲେ ।
ଜଳଖିଆ ଖାଇ ସାରି ପୁଅ ବଜାରକୁ ଗଲା ପରେ ପରେ ଘରେ ରହିଗଲେ ଗୀତା ଏବଂ ସେ ବୃଦ୍ଧା । ଗୀତାର ଚେହେରାକୁ ଦେଖି ବୃଦ୍ଧା ଜଣକ ଜାଣି ସାରିଥିଲେ କି ତା ଉପରେ ଗୋଟିଏ ଝଡ ବୋହି ଯାଇଛି । ତେଣୁ ସେ ବିଶେଷ କିଛି ନ ପଚାରି କଥା ଛଳରେ କହିଲେ,“ ଦେଖ୍ ମା ତୁ କେଉଁଠୁ ଆସିଛୁ,ତୋର ଏମିତି ଅବସ୍ଥା କେମିତି ହେଲା,ସେ ବିଷୟରେ ମୁଁ ତତେ କିଛି ପଚାରିବିନି” । ତୁ ଯେତେବେଳେ ମୋ ଉପରେ ଭରସା କରିବୁ,ନିଜର ଭାବିବୁ,ସେତେବେଳେ ମୋତେ ସବୁକଥା ନିଜେ ଆସି କହିବୁ । ମୋ ଉପରେ ଏତିକି ଭରସା ରଖ ଆଉ ମୋତେ ତୋ ମନର ଦୁଃଖକୁ ଖୋଲି କହିଦେ । ଦେଖିବୁ ତତେ ବହୁତ ହାଲୁକା ଲାଗିବ । ଏକା ଏକା ରହିବା ଯେ କେତଯେ କଷ୍ଟକର ସେ କଥା ମୋ ଅପେକ୍ଷା ଆଉ କିଏ ବି ବୁଝିପାରିବେନି । ମୁଁ ତୋର ମା ପରି । ଏ ଘରେ ଆମେ ବୁଢାବୁଢୀ ଦୁଇଜଣଙ୍କ ଛଡା ଆଉ ଚାରିଜଣ ଲୋକ ଅଛନ୍ତି,ଚାଷ କାମ ବୁଝନ୍ତି । ଏଇ ପୁଅଟି ଯାହା ସହିତ ତୁ ଆସିଲୁ ସେ ହେଉଛି ମୋ ସାନ ପୁଅ । ସେ ଘର ଆଉ ବାହାରର ସବୁ କଥା ବୁଝେ । ମୁଁ ରୋଷେଇ କରେ,ଆମେ ସମସ୍ତେ ଏକାଠି ଏଇଠି ଖାଉ । କେତେବେଳେ ବୋହୁ ଆସେ ତେବେ ଘରେ ପିଠା ପଣା ହୁଏ । ମୋର ପାଞ୍ଚଟି ପୁଅ,ଝିଅ ଅଛନ୍ତି । ମୋର ସିନା ଜନ୍ମିତ ଝିଅ ନାହାନ୍ତି କିନ୍ତୁ ମୋର ପାଞ୍ଚବୋହୁ ମୋର ପାଞ୍ଚ ଝିଅ । ସେମାନେ ସମସ୍ତେ ମୋତେ ବହୁତ୍ ଭଲ ପାଆନ୍ତି । ମୋର ବଡପୁଅ ଇଂଞ୍ଜିନିୟର ସେ ତା ସ୍ତ୍ରୀ ସହ ଦିଲ୍ଲୀରେ ରହେ । ତା’ ତଳ ଦୁଇ ଜଣ ପୁଅ ତାଙ୍କ ସ୍ତ୍ରୀଙ୍କ ସହିତ ଆମେରିକାରେ । ଚତୁର୍ଥ ପୁଅ ବୈଜ୍ଞାନିକ,ସେ ତା’ ସ୍ତ୍ରୀ ସହ ବାଙ୍ଗାଲୋରରେ ରୁହେ । ଏଇ ସାନ ପୁଅଟି ମୋ ପାଖରେ ଥାଏ । ସେ ବି ଚାକିରୀ କରୁଥିଲା । କିନ୍ତୁ ଏ ଘରର ଦାଇତ୍ୱ ବୁଝିବା ପାଇଁ ସେ ଚାକିରୀ ଚାଡି ଦେଲା । ତା’ ସ୍ତ୍ରୀ ଚାକିରୀ କରେ,ଏକ ସରକାରୀ କଲେଜରେ ସେ ଅଧ୍ୟାପିକା । ସେ ତା’ ଚାକିରୀ ସ୍ଥାନରେ ପୁଅଝିଅ ସହିତ ରହେ । ମଉସା ସେମାନଙ୍କ ପାଖରେ ରହନ୍ତି । ଯେତେବେଳେ ପୁଅ ବୋହୁ ପାଖକୁ ଯାଏ,ମଉସା ଏଠାକୁ ଆସନ୍ତି । ପ୍ରତ୍ୟେକ ଛୁଟିରେ ବୋହୁ ଓ ପିଲାମାନେ ଏଠାକୁ ଆସନ୍ତି । ତା’ଛଡା ମୁଁ କେତେବେଳେ କେମିତି ଯାଇ ବୁଲି ଆସେ । ସବୁ ପୁଅଙ୍କର ଦୁଇଟି ଲେଖାଏଁ ପିଲା । ବଡପୁଅର ଦୁଇଟି ପୁଅ । ଅନ୍ୟ ମାନଙ୍କର ପୁଅଟିଏ ଝିଅଟିଏ । ଆମେରିକାରେ ରହୁଥିବା ବେଳେ ଦୁଇ ପୁଅଙ୍କର ପିଲାମାନଙ୍କର ଜନ୍ମ ବେଳକୁ ମୁଁ ଆମେରିକା ଯାଇ ପ୍ରାୟ ଛମାସ ଲେଖାଏଁ ଯାଇ ରହି ଆସିଛି । ଚାରିଥର ଆମେରିକା ଗଲାପରେ ଆଉ ମୋର ଯିବାକୁ ଇଛା ନାହିଁ । ସେମାନେ ଅନେକ ଥର ଡାକିଲେଣି । ମାତ୍ର ଏ ସ୍ଥାନ ଛାଡି ଆଉ କୁଆଡେ ଯିବାକୁ ଇଛା ହେଉନାହିଁ । ଏ ମାଟିର ମୋହ ମୋତେ ବାନ୍ଧି ରଖିଛି । ପିଲାଦିନେ ମୁଁ ଯୌଥ ପରିବାରରେ ବଢିଥିଲି । ସମୟ ବଦଳିବା ସହିତ ପରିବାରର ବୋଝ,ପିଲାଙ୍କୁ ମଣିଷ କରିବାର ଦାଇତ୍ୱ ଆଉ ମୋର ସ୍ୱପ୍ନକୁ ନେଇ ଗତି କରୁ କରୁ ଆଜି ଏ ଅବସ୍ଥାରେ ପହଞ୍ଚିଛି । ସମୟ କାହାକୁ ଅପେକ୍ଷା କରେନା । ଏଠି କିଛି ଅସୁବିଧା ନାହିଁ । ତୁ ଆସିବା ବେଳେ ଯେଉଁଠୁ କଚ୍ଚାରାସ୍ତାକୁ ଗାଡି ଓହ୍ଲାଇଲା ମାନେ ଏଠାରୁ ଚାରି କିଲୋମିଟର ଦୂରରେ ବଜାର,ଡାକ୍ତରଖାନା,କେତେକ ସରକାରୀ ଅଫିସ୍ ଅଛି । ଯାହା ଦରକାର ହୁଏ ପୁଅ ହେଉ କିମ୍ବା ଅନ୍ୟ ଲୋକମାନେ ଯାଇ ସେଠାରୁ ନେଇ ଆସନ୍ତି ।
ଗୀତା ସବୁକଥା ଶୁଣୁଥାଏ । ତା ଆଖିରୁ ଧାର ଧାର ଲୁହ ବୋହିଯାଉଥାଏ । ନିଜର କୋହ ସମ୍ଭାଳି ନପାରି ସେ କହିଲା,ତାର ଜନ୍ମ ସମୟରେ କେହି ଖୁସି ନଥିଲେ କେବଳ ମୋ ମା’ ଛଡା । ମା’ ମୋ ପାଇଁ ବହୁତ କଷ୍ଟ ସହିଛି । ଆମ ଘରେ ଭାଇ ମାନଙ୍କୁ ସମସ୍ତେ ଆଦର,ସ୍ନେହ କରନ୍ତି । ସେ କୁଆଡେ ତାଙ୍କ ଘର ପାଇଁ ଗୋଟିଏ ବୋଝ ଥିଲା । ଭାଇ ମାନଙ୍କୁ ଇଂଲିଶ୍ ମିଡିୟମ ସ୍କୁଲରେ ପଢାଇବାକୁ ପଠାଗଲା ଆଉ ତାକୁ ଗାଁ ସ୍କୁଲ୍କୁ । ସେ ପାଠ ପଢାରେ ଭାଇମାନଙ୍କଠୁଁ ଭଲ ଥିଲା । ତା’ର ସ୍କୁଲ ଶିକ୍ଷକ ମାନେ ଯେତେବେଳେ ତା’ ବାପାଙ୍କ ଆଗରେ ତାର ପ୍ରଶଂସା କରନ୍ତି ବାପା ସେତେବେଳେ ବହୁତ ରାଗି ଯାଆନ୍ତି । ମୋ ଭଲ ମନ୍ଦର ସାଥି ଥିଲା କେବଳ ମୋ ମା’ । ପରୀକ୍ଷା ସମୟରେ ଘରକାମ ନକରି ପାଠ ପଢି ବସିଲେ ଜେଜେ ମା ନାନା ପ୍ରକାର କଥା କହେ । ସେ କହେ,ହଁ ପାଠ ପଢି ମାଜିଷ୍ଟେ୍ରଟ୍ ହୋଇଯିବୁ । ସେ ପାଠଶାଠ ଛାଡି ଘର କରଣା ଶିଖିଲେ । ଘରକରଣା କାମ ଶିଖିଲେ ଶାଶୁଘରେ କାମ ଦେବ । ବହୁତ କଷ୍ଟରେ ଭଗବାନଙ୍କ ଦୟାରୁ ପ୍ରତିଦିନ ଦଶ କିଲୋମିଟର ଦୂରକୁ ସାଇକେଲ୍ରେ ଯିବା ଆସିବା କରି ଡିଷ୍ଟିଙ୍କସନ୍ରେ ପାସ୍ କଲି । ମୋର ପାଠପଢା ଶେଷବର୍ଷ ମୁଁ ନିଜେ ମୋର ଏଇ ଦୁର୍ଦ୍ଧିନକୁ ଡାକି ଆଣିଥିଲି । ଅନଲାଇନ୍ରେ ମନୋହର ସହୁତ ବନ୍ଧୁତା । ବନ୍ଧୁତାରୁ ଘରଲୋକଙ୍କ ବିରାଧ ସତ୍ତେ୍ୱ କୋର୍ଟ ମ୍ୟାରେଜ୍ । ଶେଷରେ ଠକାମୀର ଶୀକାର ହୋଇ ଘରଦ୍ୱାର ଛାଡି ଲକ୍ଷ୍ୟହରା ହୋଇ ରେଳଗାଡିରେ ଯାଉ ଯାଉ ଆଜି ମୁଁ ଏଠି । ତଥାପି ମୋ ଦୁର୍ଭାଗ୍ୟ ମୋ ସାଙ୍ଗ ଛାଡିନି । ଏବେ ମୁଁ ଅନ୍ତଃସତ୍ତ୍ୱା । କ’ଣ କରିବି କିଛି ସ୍ଥିର କରି ପାରୁନାହିଁ ।
ଏହା ଶୁଣି ବୃଦ୍ଧା ତା ମୁଣ୍ଡକୁ ଆଉଁସି କହିଲେ,ମୋର ତ ଝିଅ ନାହାନ୍ତି । ଆଜିଠୁ ତୁ ମୋ ଝିଅ । ତୁ ଏଇଠି ରହ । ଆଗକୁ ଆଉ ପାଠପଢି ନିଜ ଗୋଡରେ ନିଜେ ଠିଆ ହୋଇ ଗର୍ବର ସହିତ ତୋ ସନ୍ତାନର ପାଳନ ପୋଷଣ କର ।
ଏତିକି ଶୁଣିବା ପରେ ଗୀତା କାନ୍ଦି କାନ୍ଦି ବୃଦ୍ଧାଙ୍କୁ କଣ୍ଢାଇ ପକାଇ କହିଲା,ମା’ ମୁଁ ଏପର୍ଯ୍ୟନ୍ତ ମୋ ଭାଗ୍ୟର ନିନ୍ଦା କରୁଥିଲି । ବଞ୍ଚିବାର ରାହା ଖୋଜୁଥିଲି । ମୋର ଏତେ ବଡ ଭାଗ୍ୟ କି ମୋତେ ଆପଣଙ୍କ ଭଳି ମା’ ମିଳିଗଲେ । ମୁଁ ଆଉ ଚିନ୍ତା କାହିଁକି କରିବି । ଠିକ୍ ଅଛି, ମୁଁ ବି ପାଠ ପଢିବି ନିଜ ଗୋଡରେ ଠିଆ ହୋଇ ମୋ ସନ୍ତାନକୁ ଗୋଟିଏ ସୁରକ୍ଷିତ ଭବିଷ୍ୟତ ଦେବି ।
୨୧୭,ୟୁନିଟ-୯(ଫ୍ଲାଟ)
ବାୟାବାବା ମଠ ଲେନ
ଭୋଇ ନଗର,ଭୁବନେଶ୍ୱର-୨୨
ଦୂରଭାଷା ନଂ-୯୦୯୦୪୫୯୭୪୫
Go Back to Previous Page
କଲେଜ ଫ୍ରେସର ପାର୍ଟି
ଅରବିନ୍ଦ ଆଚାର୍ଯ୍ୟ
Read Article
କିଣନ୍ତୁ ମାନବ ଅଙ୍ଗ
ମଧୁସ୍ମିତା ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ